Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ରିଟର୍ଣ୍ଣ ଗିଫ୍ଟ
ରିଟର୍ଣ୍ଣ ଗିଫ୍ଟ
★★★★★

© Bibhu Samanta

Inspirational Romance

12 Minutes   2.5K    13


Content Ranking

ଆନି ଗାଡି ରଖିଲା ଏକ କାର୍ଡ ଦୋକାନ ସାମ୍ନାରେ। ଭ୍ୟାନିଟି ବ୍ୟାଗଟି ଧରି ସଦର୍ପରେ ପଶିଗଲା ଭିତରକୁ। ଦୋକାନ ଭିତରେ କେତେ ରଙ୍ଗବେରଙ୍ଗର କାର୍ଡ , ଆଉ ପ୍ରତିଟି କାର୍ଡ ଉପରେ ସୁନ୍ଦର ଚିତ୍ର ଆଉ ଭିତରେ ମନଛୁଆଁ ଶୁଭକାମନାଟିଏ। କାର୍ଡ ଗୁଡାକ ଖୋଲି ପଢେ ଆନି, ଆଉ ପଢୁ ପଢୁ ଆପେ ଆପେ ତା ସରୁ ଲିପ୍ସଟିକ ଲଗା ଓଠରେ ସ୍ମିତହାସ୍ୟ ରେଖାଟିଏ ଆଙ୍କି ହୋଇଯାଏ । କାହା ଅଲକ୍ଷ୍ୟରେ, ଖୁବ୍ ଖୁସି ହୁଏ ସେ । କାର୍ଡ ଭିତର ବାର୍ତ୍ତାଟି କିଏ ଲେଖେ କେଜାଣି? କେମିତି ସେ ଜାଣିପାରେ ଅନ୍ୟର ମନକଥା। କଷ୍ଟ ସାଧ୍ୟ ଗହନ କଥା ଗୁଡା ଅତି ସହଜରେ ,କମ୍ ଶବ୍ଦରେ ପ୍ରକାଶ କରିବା ଜମା ସହଜ କଥା ନୁହେଁ। ମନରେ ସେଇ ଅଜ୍ଞାତ ବାର୍ତ୍ତା ଲେଖକଙ୍କ ଉଦ୍ଦେଶ୍ୟରେ ଗୋଟେ ବଡ "ଥ୍ୟାଙ୍କସ୍" ବାହାରି ଆସେ । ସବୁ ଅବସର ପାଇଁ କାର୍ଡ ଥାଏ, ବାହାଘର ନିମନ୍ତ୍ରଣ ଠୁ ଦଶାହ ଶ୍ରାଦ୍ଧ ଯାଏ, ସବୁଠି।

ଜନ୍ମଦିନ ହେଉକି ବଦଦିନ ସବୁଠି କାର୍ଡ । ସେମିତି ଗୋଟେ ସେ ଦିଅନ୍ତାକି କାର୍ଡ ଭିତରେ ବାର୍ତ୍ତା ଲେଖୁଥିବା ଲୋକଟି ପାଇଁ ! ହେଲେ ସେ କୋଉଠୁ ପାଇବ ଯେ ସେ ଲୋକର ଠିକଣା? ଈଶ୍ୱରଙ୍କ ପାଖେ ତାଙ୍କ ପାଇଁ ନୀରବରେ ପ୍ରାର୍ଥନାଟିଏ କରେ। ଆଉ ଆମେନ ବୋଲି କହେ। ଫାଦର ଜନ୍ କୁହନ୍ତି, ଈଶ୍ୱର କୁଆଡେ ନୀରବ ପ୍ରାର୍ଥନାକୁ ଶୀଘ୍ର ଶୁଣନ୍ତି। ଯାହା ତାକୁ ଭଲ ଲାଗେ ସେ ସବୁ ସେ କିଣିଦିଏ। ଆଉ ପଇସା ଦେଲାବେଳେ ଜମା ମୂଲଚାଲ କରେନି। ଖୁସିରେ ଦେଇଦିଏ ସେ ଯାହା ଦୋକାନୀଟି କହେ। ଆଉ କିଛି ଉପହାର ବି କିଣିନିଏ ସେ। ଏସବୁ କିଣି ଶୀତୁଆ ସଞ୍ଜରେ ସେ ତା ସ୍କୁଟି ଧରି ଫୁର କିନା ଉଡିଯାଏ ପ୍ରଜାପତି ପରି, ସହରର ଭିଡ ଭିତରେ।

ଆନି ;ସକାଳର ଉଷୁମ ଚା କପ୍, ଜେମ୍ସ୍ ଚକଲେଟ ଆଉ ପକ୍ଷଚ୍ୟୁତ ଚଢ଼େଇର ପର ପରି ଖୁବ ସତେଜ ମିଠା ଆଉ କୋମଳ। ପିଲାଦିନୁ ମା ଙ୍କୁ ହରେଇଛି ସେ । ବାପା ଡେଭିଡ ଆଉ ପିଉସୀ ମା ରୋଜିଙ୍କ ପାଖେ ବଡ ହେଇଚି ସେ । ତା ମା ଚାଲିଗଲା, ଡେଭିଡ ଆଉ ଥରେ ବିବାହ କଲେ। କିନ୍ତୁ ଆନିର ଦେଖା ଶୁଣା ସେ କେବେ ଅବହେଳା କରିନାହାନ୍ତି। ଡେଭିଡଙ୍କ ଦ୍ବିତୀୟ ପତ୍ନୀଙ୍କ ଦୁଇ ପୁଅ ଜୋସେଫ ,ପିଟର ଓ କୁନି ଝିଅ ଇଭା। ସେମାନେ ଅଲଗା ରହନ୍ତି। ଆଉ ଡେଭିଡ ସେମାନଙ୍କ ସାଙ୍ଗେ ରହନ୍ତି। ଆନି ପାଖକୁ ପ୍ରତିଦିନ ସନ୍ଧ୍ୟାରେ ଆସନ୍ତି, ବୁଝନ୍ତି ତା କଥା। ଖୁବ ଗେହ୍ଲା କରନ୍ତି ତାକୁ, ଆଉ ସେଇଠି ତା ନୂଆ ମା ଆଉ ଭାଇ ଭଉଣୀଙ୍କ କଥା କହନ୍ତି। ତା ପାଇଁ କେତେ ଚକଲେଟ ଆଉ ଖେଳନା ନେଇ ଆସନ୍ତି ।ସମସ୍ତଙ୍କୁ ଖୁବ୍ ଭଲପାଏ ଆନି। ସେମାନେ ବି ଆନିକୁ ନିଜ ଭଉଣୀ ପରି ଦେଖନ୍ତି। ସମସ୍ତଙ୍କ ପସନ୍ଦ ନାପସନ୍ଦ ଆନି ଜାଣେ। ସବୁ ରବିବାର ସେମାନେ ସାଥି ହେଇ ଚର୍ଚ୍ଚ ଯାଆନ୍ତି, ଆଉ ଫେରିବା ରାସ୍ତାରେ ଆନି ସମସ୍ତଙ୍କୁ ଆଇସକ୍ରିମ କିଣି ଦିଏ। ଆଉ ସେମାନେ ଏକାଠି ଲଞ୍ଚ କରନ୍ତି ସେଦିନ। ଦିନଟି ଖୁବ୍ ଖୁସି ଦିଏ ଆନିକୁ ।ସପ୍ତାହ ସାରା ଚାହିଁଥାଏ କେବେ ଆସିବ ରବିବାର ଆଉ ଭେଟ ହେବ ତା ଭାଇଭଉଣୀଙ୍କ ସାଙ୍ଗେ। ପିଲାଦିନଟା ଏମିଟି କଟିଗଲା, ହସ ଖେଳରେ, ମାନ ଅଭିମାନରେ। ସେ ସମ୍ପର୍କ ଭିତରେ ବଞ୍ଚିବାକୁ ଭଲପାଏ। ଏବେ ବି ଆନି ତା ପ୍ରିୟ ଟେଡିଟି କୁଣ୍ଢେଇକି ଶୁଏ। ଶୋଇଲା ବେଳେ ଦେଖୁଥାଏ କାନ୍ଥରେ ଟଙ୍ଗା ହେଇଥିବା ମଦର ମେରୀ ଆଉ ତାଙ୍କ କୋଳରେ କୁନି ଯୀଶୁ ଖ୍ରୀଷ୍ଟଙ୍କୁ ।ସେ ଭାବେ ସତରେ ସେ କେତେ ଏକା । ପିଉସୀ ମାଙ୍କୁ ଛାଡିଦେଲେ ସେ ଘରଟାରେ ପୁରା ଏକା ସେ। ତା ବୟସର କେହି ନାହିଁ ତ ସାଙ୍ଗେ ଖେଳିବାକୁ, ସୁଖ ଦୁଃଖ ବୁଝିବାକୁ। ମା ର କୋଲଟି ଖୁବ୍ ମନେ ପଡେ ତାର। ଅନ୍ୟ ମାନଙ୍କ ଖୁସି ଭିତରେ ନିଜ ଖୁସି ଖୋଜେ, କାହାକୁ କିଛି ଦେଇଦେଲେ,କି କାହା ପାଇଁ କିଛି କରିଦେଲେ,ଯୋଉ ଭାବନାଟି ଆସେ ସେଇଟା ତ ଆନନ୍ଦ, ଏମିତି କହିବାକୁ ଗଲେ ଅନ୍ୟ ଖୁସିର ପ୍ରତିଫଳନଟିଏ ମାତ୍ର ।ସେ ପ୍ରତିଫଳନଟି ପରିବ୍ୟାପ୍ତ ହୁଏ ସ୍ଥୂଳଟାରୁ ସୂକ୍ଷ୍ମ ଯାଏ, ବାହାରରୁ ଅନ୍ତର ଯାଏ, ଦେହାଠାରୁ ଆତ୍ମା ଯାଏ। ସେଇ ପ୍ରତିଫଲନର ଆଭାରେ ଝଟକି ଉଠେ ମୁଖ ମଣ୍ଡଳରୁ ଜ୍ୟୋତି ଟିଏ । ସେବାର ମନୋବୃତ୍ତି ନେଇ ଖୋଜିଲେ ଈଶ୍ୱର ମିଳି ଯାଆନ୍ତି ।ଏତେ କଥା ବୁଝେନି ସେ, ବାସ୍! ଅନ୍ୟ ଖୁସି ଦେବାରେ ହିଁ ସେ ମସଗୁଲ୍ । ଟେଡିକୁ ଜୋରେ କୁଣ୍ଢେଇ ଧରେ। ତା ସଙ୍ଗେ କଥା ହୁଏ, ଆଉ ତାରି କୋଳରେ ସୋଇ ପଡେ। ଖୁବ ଆପଣାର ସେ ଟେଡି ଟି ତାର। ବେଳେବେଳେ ସେ ଟେଡିଟି ତା ମଥା ଆଉଁସିଲା ପରି ଲାଗେ । ଆଉ କାନ୍ଥରେ ଯୀଶୁ ସେମିତି ହସୁଥାନ୍ତି।

ପ୍ରଜାପତି କଣ କେବେ ଫୁଲ ଠୁ ଦୁରେଇ ରହିପାରେ? ଉଡ଼ିଉଡ଼ି ପୁଣି ଫେରି ଆସେ ସେଇ ସୌରଭ ସନ୍ଧାନରେ। ଠିକ ସେମିତି ଆନି ଏବେ ହାତରେ ଗୋଲାପୀ ଜରିବନ୍ଧା ଉପହାରଟେ ଧରି ଚାଲି ଚାଲି ଯାଉଛି, ପାର୍କର ପାଦଚଲା ରାସ୍ତାରେ। ତାକୁ ଠିକ୍ ଜଣା ଅଛି କୋଉଠି ବସିଥିବ ସଙ୍କେତ, ତା ଅପେକ୍ଷାରେ। ଆଜି ବି ମନେ ଅଛି ସେ ଦିନ, ସେଇ କାର୍ଡ ଦୋକାନରେ ସେ ଭେଟିଥିଲା ସଂକେତଙ୍କୁ। ବିଚରା ତା ଭଉଣୀ ଭିଣୋଇଙ୍କ ବିବାହ ବାର୍ଷିକୀ ପାଇଁ କାର୍ଡ ଆଣିବାକୁ ଯାଇଥିଲା। ଆଉ ଏତେ କାର୍ଡ ଭିତରୁ କାହାକୁ ନେବ ସ୍ଥିର କରି ପାରୁନଥିଲା। ବିବ୍ରତ ହେଇ ପଡ଼ୁଥିଲା ସେ । ଆନି ତାକୁ ସାହାଯ୍ୟ କଲା, ସେ କାର୍ଡ କିଣିଲା ଆଉ ଗୋଟେ ଗିଫ୍ଟ ବି। ଆନି ଜାଣି ପାରିଲା ସଙ୍କେତର ପରିବାର ଖୁବ ବଡ଼ ।ଆନିକୁ ବେଶ୍ ଭଲ ଲାଗିଲା ସେ, ଏତେ ଗୁଡେ ସମ୍ପର୍କ ଭିତରେ କେମିତି ତା ଦିନ କଟୁଥିବ,ସେ କଥା ଭାବି ଆଶ୍ଚର୍ଯ୍ୟ ହେଲା। ଏମିତି ସମ୍ପର୍କକୁ ସମ୍ମାନ କରୁଥିବା ପିଲାଟିଏ ପାଇଁ ଆପେ ଆପେ ଢଳିପଡ଼େ ମନ। ସମ୍ପର୍କ କୁନି ଚାରାଟିଏ, ତାକୁ ସିଞ୍ଚିବାକୁ ହୁଏ, ଟିକେ ଧୈର୍ଯ୍ୟ ,ଟିକେ ତ୍ୟାଗ, ଟିକେ ମମତା ଦେଇ। ଆଉ ତାକୁ ବଞ୍ଚେଇବାକୁ ହୁଏ ସଂସାରର କୁତ୍ସିତ ନିନ୍ଦା ଠୁ, ସନ୍ଦେହ ଠୁ ଓ ଭୁଲ ବୁଝାମଣା ଠୁ। ତେବେ ଯାଇ ସେଥିରେ ଫଳ ଧରେ,ସାର୍ଥକତାର, ପରିପୂର୍ଣ୍ଣତାର, ସୃଜନୀର।

ରବିବାର ଦିନ ଚର୍ଚ୍ଚରୁ ଫେରିବା ରାସ୍ତାରେ ଭେଟ ହେଲା ସଙ୍କେତ। ତା ବାଇକ ଉପରେ ଆଉଜି ଠିଆ ହେଇ ଥିବାର। ଆଉ ସାଙ୍ଗରେ ଥିଲା ତା 5 ବର୍ଷର ଛୋଟ ପିଲାଟେ ,ହାତରେ ଥିଲା ଲାଲ ଗୋଲାପଟିଏ ଆଉ ଗୋଟେ ପ୍ୟାକେଟ। ଆନି ଆସିବା ଦେଖି ସେ ଅନେଇ ଛୋଟ ହସ ଚାଲି ଆସିଲା ତା ଉଦ୍ଦେଶ୍ୟରେ। ଆଉ ଅଟକି ଗଲା ଆନି। ତାକୁ ଦେଖି କହିଲା," ଏଥର ଗିଫ୍ଟ କିଣିବା ଶିଖିଗଲ ତେବେ?

ସଂକେତ କହିଲା -"ନା ଏଥର ବି ସେମିତି ଅସୁବିଧା ହେଲା, ସେଥିପାଇଁ ୟାକୁ ନେଇ ଆସିଲି। ଇଏ ମୋ ଭଣଜା ରୋଶନ। ସେ କଣ ଗୋଟେ ଆଣିଛି ତୁମ ପାଇଁ ଆନି, ପ୍ଲିଜ ମନା କରିବନି। ପ୍ରଥମଥର ଝିଅକୁ ଗିଫ୍ଟ ଦଉଛି। "

ରୋଶନ ଆନିକୁ "ହାଏ"କଲା ଆଉ ପ୍ୟାକେଟଟି ତା ହାତକୁ ବଢ଼େଇ ଦେଲା। ଥ୍ୟଙ୍କ ୟୁ କହି ଆନି ପ୍ୟାକେଟଟି ସ୍ୱୀକାର କଲା।

ଆନି କହିଲା,-" ତମେ ମୋ ନାଁ କେମିତି ଜାଣିଲ ଆଉ କେମିତି ଜାଣିଲ ଯେ ମୁଁ ଏଇଠି ଥିବି ବୋଲି? ଆଶ୍ଚର୍ଯ୍ୟ ହେଇ ପ୍ରଶ୍ନ କଲା ଆନି।

- ସେଦିନ ତମ ବେକରେ ସେ କ୍ରସ ଟା ଦେଖି ବୁଝି ଯାଇଥିଲି ଯେ ତମେ ଖ୍ରୀଷ୍ଟିୟାନ । ଆଉ ତମ ଗାଡ଼ିରେ ତମ ନାଆଁ ଲେଖାଥିଲା।

- ଗିଫ୍ଟ କଣ ପାଇଁ? ମୁଁ ତ ସେମିତି କିଛି କରିନି ।ଆନି ପଚାରିଲା ।

-ତୁମେ ବାଛିଥିବା ଗିଫ୍ଟ ଆଉ କାର୍ଡଟି ମୋ ନାନୀ ଆଉ ଭିଣୋଇଙ୍କୁ ଖୁବ ଭଲ ଲାଗିଲା। ଅନେକଦିନ ହେଲା ଭାଇ ଆମ ଉପରେ ରାଗି ଆମ ଘର ସହ କଥା ହେଉ ନଥିଲେ, ନାନୀର ବି ମନ ଦୁଖ ଥିଲା। ଗିଫ୍ଟ ପାଇଲା ପରେ ଆମ ଦୁଇ ପରିବାର ପୁଣି ଏକାଠି ହେଇଛନ୍ତି। ପୁଣି ଆଗ ପରି ହସଖୁସି ।ଏସବୁ ପାଇଁ ତମେ ଦାୟୀ। ତେଣୁ ମୁଁ ଭାବିଲି ତୁମକୁ ଥ୍ୟାଙ୍କସ କହିବା ନିହାତି ଦରକାର।

- ମୋତେ ଏସବୁ ଦରକାର ନାହିଁ। ତୁମ ପରିବାର ପୁଣି ମିଶିଗଲା ସେଇଟା ହିଁ ମୋ ପାଇଁ ରିଅଲ ଗିଫ୍ଟ । ଏବେ ମୁଁ ଆସୁଛି।

-ଏଇ ଆନି,ଶୁଣ ଟିକେ। କେଜାଣି କାହିଁ ମନ କହୁଛି ତମକୁ ନ ଛାଡିବାକୁ। ଏମିତି ଲାଗୁଚି ତମେ ମୋର ନିହାତି ଦରକାର। କଣ ଆମେ ସାଙ୍ଗ ହେଇପାରିବା ପ୍ଲିଜ।

ସଲଜ ହସର ମଲ୍ଲି ଫୁଲ ଝରିଗଲା ଆନି ଓଠରୁ। ଆଉ ସହମତିରେ ସ୍ୱାକ୍ଷରିତ ହେଲା ବନ୍ଧୁତ୍ବ, ନୀରବରେ। ଖୁବ ବାସୁଥିଲା ସଙ୍କେତ ଦେଇଥିବା ଗୋଲାପଟି।

ସଙ୍କେତ ଆନିକୁ ସନ୍ଧ୍ୟାରେ କଫି ହାଉସକୁ ଇଂଭାଇଟ କରି ଚାଲିଗଲା । ଖୁବ ଖୁସି ଥିଲା ଆନି। ଗୋଟେ ଅଜଣା ସମ୍ପର୍କ ତିଆରି ହେବାକୁ ଯାଉଥିଲା, ଘରେ ଯାଇ ପ୍ୟାକେଟଟି ଖୋଲିଲା। ଥିଲା ମୂଷା କୁ ଲଡୁ ଖୁଆଉଥିବା ଗଣପତିଙ୍କ ପ୍ରତିମା। ଆଉ ଥିଲା ସଂକେତ ର ଫୋନ ନମ୍ବର। ସେଇ ମୂର୍ତିକୁ ଦେଖି ବହୁତ ଭାବିଲା ଆନି। କିଛି ବୁଝିପାରିଲାନି। ସନ୍ଧ୍ୟାରେ ଖୁବ ବର୍ଷ ହେଲା ସେଦିନ । ଯିବା ସମ୍ଭବ ହେଲାନି। ସଂକେତ କୁ କଲ କରି ମନା କରିଦେଲା ଆଉ କ୍ଷମା ମାଗିନେଲା। ପରଦିନ ସକାଳେ ସଙ୍କେତର ଗୋଟେ ଗୁଡ ମର୍ଣ୍ଣି ମେସେଜ ଆଉ ତା ପରେ ପରେ ଗୋଟେ କଲ। ସଙ୍କେତ ସେଦିନ ଅନୁମତି ମାଗିଲା ପୁଣି ସେଇ କଫି ହାଉସରେ ଗୋଟେ କପ କଫି ପାଇଁ। ମନା କରିପାରିଲାନି ଆନି। ସେମାନେ ଦେଖା ହେଲେ । କଫି ଟେବୁଲ ରେ ଅପେକ୍ଷା କରିଥିଲା ସଙ୍କେତ। ଆଉ ପହଞ୍ଚିଲା ଆନି ଗୋଟେ ହାଲକା ପିଆଜି ରଙ୍ଗର ଗାଉନ ଟେ ପିନ୍ଧି। ସେ ଦିଶୁଥିଲା ଅସାମାନ୍ୟ ସୁନ୍ଦରୀ । ସଂକେତ ତାକୁ ଦେଖି ସ୍ଥାଣୁ ହେଇ ଯାଉଥିଲା । ଏତେ ସୁନ୍ଦର ସେ ଆନିକୁ କେବେ ଦେଖିନଥିଲା। ନିଜକୁ ତା ପାଇଁ ଉଦ୍ଦିଷ୍ଟ ଚେୟାର ଟି ଟାଣି ବସି ପଡ଼ିଲା ସେ, କିନ୍ତୁ ସଂକେତ ଏବେ ବି କୋଉଠି ହଜିଯାଇଛି ଯେମିତି। ଚୁଟିକି ମାରି ସଂକେତକୁ ହୋସ ରେ ଆଣିଲା ସେ। ନିଦ ଭାଙ୍ଗିବା ପରି ଆଖି ମଳି ଆଉ ଥରେ ଦେଖିଲା। ଏ କଣ ସେଇ ଆନି? କଫି ଅର୍ଡର କଲା ସଙ୍କେତ। ଆଉ କଥା ଆରମ୍ଭ କଲା ଆନି।

- କଣ ଦରକାର ଥିଲା, ଏମିତି ଟ୍ରିଟ ଦେବାର। ଯାହା ସବୁ ହେଲା ଈଶ୍ୱରଙ୍କ ଇଚ୍ଛାରୁ ହେଲା। ଆମେ ତ ଚରିତ୍ର ମାତ୍ର।

ସଙ୍କେତ କହିଲା- ହଁ, ଏକଥା ଠିକ ଯେ ଯାହା ହେଲା ସେଥିରେ ଈଶ୍ୱରଙ୍କ ଇଛା ଥାଇପାରେ। କିନ୍ତୁ ଏକଥା ବି ମନା କରିହେବନି ଯେ ଈଶ୍ୱର ହିଁ ତୁମକୁ ବାଚିଛନ୍ତି ଏଇ କାମ ପାଇଁ। ମୁଁ କେବଳ ସେଇ ଇଚ୍ଛାକୁ କୃତଜ୍ଞତାଟେ ଜଣାଉଛି।

- ତେବେ ଫ୍ରେଣ୍ଡସିପର ନିମନ୍ତ୍ରଣ କଣ ପାଇଁ? ହସିକି ପ୍ରଶ୍ନ କଲା ଆନି।

- କେଜାଣି କଣପାଇଁ ସେଦିନ ଘରର ପରିବେଶଟା ବେଶ ଗମ୍ଭୀର ଲାଗିଲା। ସବୁ ଥାଇ କିଛି ନଥିଲା ପରି। ମନ ଭିତରୁ ସରସତା ହଜି ଯାଉଥିଲା କୁଆଡେ। ସେମିତି ଗୋଟେ ସମୟରେ ମୁଁ ଛୋଟ ପ୍ରୟାସ ଟେ କଲି, ଆଉ ତୁମ ସହଯୋଗ ବି। ଏବେ ଏମିତି ଲାଗୁଛି ଯେ ସବୁ ବେଳେ ତୁମେ ମୋ ପାଖେ ପାଖେ ଥାଅ। ନହେଲେ ସେଦିନ ପରି କିଛି ଠିକ ନିଷ୍ପତ୍ତି ନେଇପାରୁନଥିବି ମୁଁ। ତମେ ସେତେବେଳେ ଆସିଛ ଯେତେବେଳେ ସବୁ କିଛି ଠିକ ଲାଗୁଥିଲା, ହେଲେ ବି କାହାକୁ ବାଛି ବି ଜଣ ପାରୁନଥିଲି। ଆଉ ଦେଖ ସବୁ କେମିତି ଠିକ ହେଇଗଲା। ମୋ ହାତ ଧରି କେହି ଯେମିତି ରାସ୍ତା ପରି କରିଦେଲା। ଏବେ କୁହ ମୁଁ ଠିକ କରୁଛି ନା ଭୁଲ।

ଏମିତି ଉତ୍ତର ଶୁଣି ଟିକେ ଚିନ୍ତାରେ ପଡିଗଲା ଆନି। କିନ୍ତୁ ମନ ଭିତରେ ଗୋଟେ କଥା ଜାଣି ନେଲା ଯେ, ସଙ୍କେତ ବି ତା ପରି ସମ୍ପର୍କକୁ ବୁଝେ। ସେ କହିଲା

- ତମେ ଜାଣ ମୁଁ ଖ୍ରୀଷ୍ଟିୟାନ , ତଥାପି ଗଣପତିଙ୍କ ମୂର୍ତ୍ତି ଯେ?

- ମୂର୍ତ୍ତି ଟି ମୁଁ ବାଛିନି, ରୋଶନ ବାଛିଛି। ସେ ମତେ ଆନି ଦେଖେଇଲା ପରେ, ମତେ ଲାଗିଲା ଏଇଟା ବୋଧେ ତୁମ ପାଇଁ ଠିକ ଉପହାର। ଯେ ଅନ୍ୟକୁ ସାହାଯ୍ୟ କରେ ସେ ତ ଗଣପତି। ତା ପରେ, ଗଣପତି ପରା ସାର୍ବଜନୀନ , ସେ ସମସ୍ତଙ୍କର।

ଉନ୍ମୋଚିତ ରହସ୍ୟର ଆଲୋକରେ ଚିକମିକ ଜଳି ଉଠିଲା ଆନିର ଆଖି।

- ତୁମକୁ ଅସ୍ଵାଭାବିକ ଲାଗେନି ଆଜିର WhatsApp, Facebook ଯୁଗରେ କେହି ଜଣେ କାର୍ଡ କିଣୁଛି? ଆନି ପଚାରିଲା

- ହଁ ପ୍ରଥମେ ତ ସେମିତି ଲାଗିଲା। ପରେ ଜାଣିଲି ଯେ ଫୋନରେ ଗୋଟେ ମେସେଜ କିମ୍ବା କଲ ଠାରୁ କାର୍ଡର ସ୍ଥାନ କେତେ ଉଚ୍ଚରେ। ଯେତେ ସୁନ୍ଦର ଶୁଭକାମନା ହେଲେ ବି ସେ ପଡିରହେ କଏଦ ହେଇ ସେଇ ୫ଇଞ୍ଚ ର ଫୋନ ପରଦା ଉପରେ। ସେଥିରୁ କଣ ପ୍ରଣେତାର ହାତ ଲେଖା ପଢିହୁଏ? ପାଇହୁଏ କି ସେ ମହକ? କାଳକ୍ରମେ କାହା ହାତବାଜି ହଜି ପାରେ ଶୁଭକାମନାଟି ।କିନ୍ତୁ କାର୍ଡକୁ ଏତେ ଶୀଘ୍ର ଭୁଲି ହୁଏନି। ଯେତେବେଳେ ଖୋଲିଲେ ବି ସେଇ ମହକ , ନିଜ ପ୍ରିୟର ହାତଲେଖାକୁ ଅନୁଭବ କରିହୁଏ। ସଙ୍କେତ ର ସ୍ପଷ୍ଟ ଉତ୍ତରଟିଏ।

- ଠିକ ସେଇପାଇଁ ତ ମୁଁ ନିଜେ ଯାଏ କାର୍ଡ ଆଉ ଗିଫ୍ଟ ନେଇ। ନିଜ ହାତରେ ଦେଇକି ଆସେ। ସେ ଗିଫ୍ଟ ଖୋଲିଲା ବେଳେ ତାଙ୍କ ମନର ଉତ୍କଣ୍ଠା ଆଉ ଖୋଲିଲା ପରେ ସେ ଖୁସି ତାଙ୍କ ଆଖିରେ, ମୁଁ କେବେ ମିସ୍ କରେନି। ତାଙ୍କ ଖୁସିରେ ମୁଁ ଖୁସି ହେଇଯାଏ। କହନ୍ତି , ଖୁସି ବାଣ୍ଟିଲେ ବଢେ। ମୁଁ ବୁଝିପାରେ ସେଇ କଥା। ଏମିତି ମତେ ଯେତେବେଳେ ବି ସୁଯୋଗ ମିଳେ ମୁଁ ଉପହାର ଟିଏ ଦେବାକୁ ପଛାଏନି। ଚିହ୍ନା ହେଉ କି ନ ହେଉ। କିଛି ଫରକ ପଡେନି ମୋତେ। ଆନି ତା ସହ ସ୍ଵର ମିଶେଇ କହିଲା।

ସେମାନେ ସମବୟସ୍କ। ତା ମନରେ ଏମିତି ଭାବନା କିଛି ଆସିବା ସ୍ୱାଭାବିକ। ଖୁବ ପ୍ରଭାବିତ ହେଲା ଆନି ସେଦିନର ସାକ୍ଷାତ ପରେ। ତାପରେ ସେମାନେ ପ୍ରାୟେ ପ୍ରତି ସପ୍ତାହରେ ଭେଟ ହୁଅନ୍ତି ଜୁବୁଲି ପାର୍କ ରେ। ସେଇ ବେଞ୍ଚରେ। ଖୁବ୍ ପାଖରୁ ଚିହ୍ନିଲେ ପରସ୍ପରକୁ। କେବେ ବି କେହି କାହା ଧର୍ମକୁ ନେଇ ଟିପ୍ପଣୀ ଦିଅନ୍ତିନି। ଆଉ ସେଇ ପ୍ରଥମ ସନ୍ଧ୍ୟାରେ ସଙ୍କେତ ଆନି ହାତରେ ଗୋଟେ ଗିଫ୍ଟ ଦେଇଥିଲା। ଦି ପଟ ସବୁଜ ରଙ୍ଗର ଚୁଡ଼ି। ସେ ଜାଣେ ଆନି ଏସବୁ ପିନ୍ଧେନି, ତଥାପି ତା ଖାଲି ହାତ ତାକୁ କାହିଁ ଜମା ଭଲ ଲାଗୁନଥିଲା। ବନ୍ଧୁତାର ତରୀଟି ଭାସି ଭାସି ଯାଇ କେତେବେଳେ ପ୍ରେମ ଟାପୁ ରେ ଲାଗିଲା କେହି ଜାଣିପାରିଲେନି। ଦିନେ ଆବିଷ୍କାର କଲେ ସେମାନେ ପ୍ରେମରେ। ଆରମ୍ଭ ହେଲା କଥା ଦିଆ ନିଆର ପର୍ବ, ସାଥି ହୋଇ ରହିବାର ସଂକଳ୍ପ, ବିଶ୍ୱାସର ରଜ୍ଜୁ ରେ ବାନ୍ଧି ହେବାର ବେଳ । ପ୍ରତିଥର ଭେଟ ହେବା ବେଳେ ଆନି ନେଇ ଆସେ ଗିଫ୍ଟଟେ। ସେଇ ପରିଚିତ ବେଞ୍ଚ ରେ ଏକାଠି ସେ ସୁନେଲି ସଞ୍ଜର ସାଖୀ ହେଇଛନ୍ତି ସେମାନେ। ବାଦାମ ଖାଇ କେତେ ଗପ ହୁଅନ୍ତି ସେମାନେ, ସମସ୍ତେ ସେଠି ତାଙ୍କୁ ଚିହ୍ନନ୍ତି। ସେ ଗଛଲତା , ସେ ପାଦଚଲା ରାସ୍ତା ସେ ବାଦାମଵାଲା ସମସ୍ତେ। କେତେ ଥର ଏମିତି ହୋଇଚି, ଆନି ସେ ବାଦାମ ବିକୁଥିବା ପିଲାଟି ପାଇଁ ଚକଲେଟ କି ଆଇସକ୍ରିମ କିଣି ଦେଇଛି। ଖୁବ ଖୁସି ହେଇଚି ସେ। ସଂକେତ କାନ୍ଧରେ ମଥା ରଖିଲା ବେଳେ ଏକ ଭିନ୍ନ ପ୍ରଶାନ୍ତି ରେ ଅନୁଭୂତି ହୁଏ ତାକୁ। ଆଖିପତା ଆପେ ବୁଜି ହେଇ ଯାଏ। ଏତିକି ବେଳେ ସୂର୍ଯ୍ୟମୁଖୀ ଟେ ଢଳି ପଡେ ଆଉ ଗୋଟେ ଫୁଲ ଉପରେ।

ସାମାନ୍ୟ ଠାରୁ ବେଶୀ ଡେରି ହେଇ ଯାଇଥିଲା ସେଦିନ। ସଙ୍କେତ ସେଇ ବେଞ୍ଚରେ ସେମିତି ଅପେକ୍ଷା କରିଥାଏ ଆନିକୁ। ଅପେକ୍ଷା, ଯନ୍ତ୍ରଣା ଦିଏ । ଅପେକ୍ଷର ସମୟକୁ ଧୂଆଁ କରି ଆକାଶରେ ଉଡେଇବାକୁ ସଙ୍କେତ ଭଲପାଏ। ଏକଥା ଆନିକୁ ଜଣା, କେତେ ଥର ବାରଣ କରିଛି ସେ। ସଙ୍କେତ କିନ୍ତୁ କହେ,"ସିଗାରେଟ ପରି ମୁଁ ବି ଜଳୁଥାଏ ତମ ଅପେକ୍ଷାରେ " ଆନି ମୁଣ୍ଡ ନୁଆଇଁ ସବୁ ଶୁଣିନିଏ । ଆନି ଦୂରରୁ ଦେଖିନେଲା ତା ଅପେକ୍ଷାରେ ସହିଦ ହୋଇଥିବା ସିଗାରେଟ ମାନଙ୍କ ଅଂଶ ବିଶେଷକୁ। ଖୁବ ମନ ଦୁଖ କରେ, ପଶ୍ଚାତପ କରେ। ପଛରୁ ଆସି ନିବିଡ଼ ଭାବେ କୁଣ୍ଢେଇ ଧରିଲା ଆନି, ଯେମିତି ତା ଟେଡିକୁ ଧରେ ସେ ଶୋଇଲା ବେଳେ, ସେମିତି। ସଙ୍କେତ ବାସ୍ନାରୁ ଜାଣିନିଏ ଆନିକୁ। ସେ ବି ବୁଲି ପଡି ଭିଡି ଧରିନେଲା ନିବିଡ଼ ଭାବେ। ଦୀର୍ଘ ପ୍ରତିକ୍ଷାର ଦଣ୍ଡ ସ୍ୱରୂପ ଆନି କୁ ଦେବାକୁ ହୁଏ, ଚୁମା । ସଙ୍କେତର ମନ ଭରିଲା ଯାଏ। ଆଉ ସେ ଭୁଲିଯାଏ ସେ କଷ୍ଟକୁ ଆରମ୍ଭ ହେଲା କଥୋପକଥନ। ଆନି କହିଲା ସମସ୍ତଙ୍କ ପାଇଁ ଗିଫ୍ଟ କିଣୁ କିଣୁ ଡେରି ହେଲା। ସେଥିପାଇଁ, ଆଇ ଆମ ସରି। ସମସ୍ତଙ୍କ ପାଇଁ ସେ ଯାହା ହେଲେ ବି କିଛି ନା କିଛି ଆଣିଥାଏ। ସଙ୍କେତ କେବେ ତା ମନ ଭାଙ୍ଗେନି। ସବୁ ଗିଫ୍ଟ ତାର ନିଏ। ସଙ୍କେତ ଦିନେ ଏମିତି ପ୍ରଶ୍ନ କଲା।

- ତମେ ସମସ୍ତଙ୍କୁ ଗିଫ୍ଟ ଦିଅ। ତମକୁ କେହି କେବେ ଗିଫ୍ଟ ଦେବାର ମୁଁ ତା କାହିଁ ଶୁଣିନି। ତମେ କଣ ନିଜକୁ ସାନ୍ତା କ୍ଳସ ଭାବୁଛ?

ଅଳ୍ପ ହସି ଆନି ଉତ୍ତର ଦିଏ- ନାହିଁରେ, ମୋ ବାବା ଙ୍କ ଛଡା ମତେ କେହି ଗିଫ୍ଟ ଦେବାର ମୋର ମନେ ନାହିଁ। ମୁଁ ନିଜେ କରେ ମୋ ପାଇଁ ନୂଆ ଡ୍ରେସ। ରୋଜି ଆଣ୍ଟି ଦେଉଥିଲେ ଆଗରୁ ମୋ ବର୍ଥଡେରେ,ଖ୍ରୀଷ୍ଟମସରେ। ସେ ଗଲା ପରେ କେହି ନାହିଁ। ମୁଁ କଣ କେବେ ସେଣ୍ଟ ନିକୋଲଷଙ୍କ ପରି ହେଇ ପାରିବି। ଯେ ଅଜଣା ଭାବେ ସମସ୍ତଙ୍କୁ ଗିଫ୍ଟ ଦିଅନ୍ତି। ତାଙ୍କ ଠାରୁ ତ ସାନ୍ତା କ୍ଳସର ପରମ୍ପରା ଚାଲି ଆସିଛି ।ସେ ପରି ପୁଣ୍ୟବଳ ମୋ ପାଖେ ନାହିଁ ।ମୋତେ ଅନ୍ୟକୁ ଦେବାରେ ଖୁସି ମିଳେ।

-ସମ୍ପର୍କର ମାନେ କଣ ଖାଲି ଦେବା? ଇଏ ତ ମଜବୁତ ସେତୁଟିଏ ଯାହା ଦି ପଟୁ ଗଢି ହୁଏ। ଗିଫ୍ଟ ତ ମାଧ୍ୟମ ମାତ୍ର, ସମ୍ପର୍କ କୁ ସ୍ମରଣୀୟ କରିବାକୁ, ଉଦ୍ଜୀଵିତ କରିବାକୁ। ଠିକ ନା?

- ମୋତେ କାହିଁ କିଏ ଦିଅନ୍ତିନି କେଜାଣି। ସେମିତି ମା ଗଲାବେଳେ ଯାହା ଛାଡି ଯାଇଛନ୍ତି, ମୋ ପାଇଁ ଯଥେଷ୍ଟ। ମୋର ସେମାନଙ୍କୁ ଠୁ କିଛି ଆଶା ବି ନାହିଁ। ସମସ୍ତେ ଭାବନ୍ତି, ସେ ତ ଦଉଛି ସମସ୍ତଙ୍କୁ ତାକୁ କଣ ଦେବା ଯେ।

- ମନ୍ଦିରରେ ଠାକୁର ସବୁ ଦେଇପାରନ୍ତି। ଏକଥା ଜାଣି ବି, ମଣିଷ ଭୋଗ କରେ ଦୀପ ଜଳାଏ। କେଣ୍ଡେଲ ଜଳାଏ ଚର୍ଚ୍ଚରେ।କଣ ପାଇଁ ତେବେ? ଆଉ ତମକୁ ନେଇ ଏମିତି କାହିଁ ଭାବନ୍ତି , ମୁଁ ଜାଣିପାରୁନି!

ସେ ଶାନ୍ତ ଭାବେ କହିଲା , - ଶ୍ରଦ୍ଧା

ସଙ୍କେତ ଚିଡିକି କହିଲା - ସ୍ୱାର୍ଥ

- ମୋତେ କଣ ମିଳିବ ଯେ ସେଥିରୁ?

- ମିଳିବା ନ ମିଳିବା କଥା ନୁହେଁ। ତମେ ଦେଉଛ ଦେବ। ସେମାନଙ୍କ କଥା ଟିକେ ଭାବିଲ। ତାଙ୍କର କଣ ଆତ୍ମା ନାହିଁ! ଶୁଝିବା ଉଦ୍ଦେଶ୍ୟରେ ନହେଲେ ବି ସେମାନେ ତମକୁ ଯେ ଭଲ ପାଆନ୍ତି ସେଇ କଥା ଦେଖେଇବା ପାଇଁ ପ୍ରତିବଦଳରେ କିଛି ତା ଦେଇ ପାରନ୍ତେ। ମୁଁ କହୁଛି ରିଟର୍ଣ୍ଣ ଗିଫ୍ଟ କଥା। ଗିଫ୍ଟ ତ କହି ପାରେ ମନର କଥା। ଠିକ ସେଦିନର ଗଣପତି ଆଉ ଗୋଲାପ ପରି। ଖୁସି ବାଣ୍ଟୁଥିବା ଲୋକଟା ସବୁବେଳେ ଏମିତି ଏକା କାହିଁ ହେଇଯାଏ ଯେ। ଜାଣିଛ ଆନି, ଆମ ଘରେ ଦିନେ ହୋଲିରେ ଗୋଟେ ଫଙ୍କସନ୍ ହେଉଥିଲା, ମୁଁ ଗୁପଚୁପ ବାଣ୍ଟୁଥିଲି ସମସ୍ତଙ୍କୁ। ସମସ୍ତେ ଖାଉଥିଲେ। ଖୁସିରେ। ଆଉ ମୁଁ ଦେଇ ଚାଲିଥିଲି। ସରିସରି ଆସୁଥିଲା ମୋ ଗୁପଚୁପ ,ମୋ ପାଇଁ ବି ରଖି ନଥିଲି। ଜାଣିଛ ଠିକ ଏତିକି ବେଳେ କୁନି ଝିଅଟେ ଆସିଲା, ମୋ ଭାଇର ଝିଅ ଅଲିଭା। ସେ ଆସି ଗୁପଚୁପ ମାଗିଲା ମୁଁ ତାକୁ ଦେଲା ବେଳେ ସେ ମୋତେ ଖୋଇଦେଲା। ମୁଁ ଆଶ୍ଚର୍ଯ୍ୟ ହେଲି, ସେ କେମିତି ଲକ୍ଷ୍ୟ କରିଲା ଯେ ମୁଁ ଖାଇନି ବୋଲି। ତା ମନରେ କେମିତି ଆସିଲା ଏଇ କଥାଟା। ଖୁସି ଲାଗିଲା। ଆଉ ତମ କଥା ମନେ ପଡିଗଲା ମୋର। ଖୁସି ବାଣ୍ଟୁଥିବା ଲୋକର ମନ କଥା ବୁଝିବା ଦରକାର।

- ମୁଁ ସେମିତି କେବେବି ଭାବିନି ସଙ୍କେତ। ବିଲିଭ ମି ।

ସଂକେତ ପୁଣି କହିଲା - ତୁମେ ଦେଇଥିବା ଗିଫ୍ଟଟା ହୁଏତ ନରହିପାରେ ସବୁଦିନ। କିନ୍ତୁ ତମ ଭଲପାଇବା, ସେଇଟା ସବୁଦିନ ଥିବ। ଆଉ ଗୋଟେ କଥା, ତମେ ଦେଉଛ ବୋଲି ସେମାନେ ବି ଭାବି ନେଇ ପାରନ୍ତି ଯେ ହଁ !!ସେ ଦେଉଛି ତ , ପ୍ରତିବର୍ଷ ପରି ଏ ବର୍ଷବି।କୃତଜ୍ଞ ନହେଲେ ବି ମନ ଭିତରେ ଥିବା ସମ୍ବେଦନା ଟି କମିଗଲା ପରି ଲାଗେ।ଆଗ ପରି ଖୁସି ହୁଅନ୍ତିନି ଆଉ ତମଠୁ ଉପହାର ପାଇ।

- ମୋତେ ଦେବାକୁ ଭଲ ଲାଗେ। ସମସ୍ତେ କହନ୍ତି ସେଦେଉଛି ତ ଦେଉ।

- ଆନି , ମୁଁ ଦିନେ ଶୁଣିଲି ଦିଜଣ ପାଇଥିବା ଉପହାର ର ଦାମ ନେଇ ଝଗଡା କରୁଛନ୍ତି। ଯେ ଆନି ତାକୁ ଅଧିକା ଦଉଛି ମତେ କମ। ମୁଁ କିନ୍ତୁ ସେ ସବୁକୁ ମୁଣ୍ଡରେ ପୁରାଏନି।

- ଆଇ ଆମ ସରି ଆନି। ମୁଁ ବୋଧେ ଆଜି ବହୁତ କହିଦେଲି ନା?ସତ କଥା ହେଲା ତମ କଥା ଭାବି ମତେ କଷ୍ଟ ହେଲା। ତେଣୁ କହି ଦେଲି।

ମନ ଦୁଃଖ କରି ସଂକେତ କହିଲା।

ଆନି ତାକୁ କୋଳକୁ ଟାଣି ନେଇ କହିଲା- ଗିଫ୍ଟ ପାଇଲେ ଖୁସି ହେଇଯାଏ ମନ। କାହା ମନରେ ତୁମ ପାଇଁ ଜାଗାଟିଏ ଅଛି, ଜାଣିଲେ ଜୀଇଁବାର ଇଚ୍ଛା ବଢିଯାଏ। ଦୁଃଖ ସାଙ୍ଗେ ଲଢ଼ିବାର ବଳ ମିଳିଯାଏ। ତୁମ ନିସଙ୍ଗ ନୁହେଁ, ଏଇ ଅନୁଭୂତି ଟି ଆସେ। ସେ ବୁଝିପାରେ ମନକଥା। ସବୁ କଥା ତ ସହ ବାଣ୍ଟି ହୁଏ।ଏସବୁ ଭାବନା ମୁଁ ତ ପାଇ ସାରିଛି।

ସାମାନ୍ୟ ଆଶ୍ଚର୍ଯ୍ୟ ହେଇ ଚାହିଁଲା, ସଙ୍କେତ ଆନି କୋଳ ଭିତରୁ।

ଆନି ହସିକି କହିଲା- ହଁ ତୁମକୁ ପାଇଁ ମୁଁ ଏ ସବୁ ପାଇଛି। ତମେ ହିଁ ତା ମୋ ଶ୍ରେଷ୍ଠ ଗିଫ୍ଟ। ଏମିତି ଲାଗେ କିଛି ଭଲ କାମ କରିଛି ବୋଲି ତୁମକୁ ପାଇଛି ମୁଁ ମୋ ସାଥି ଭାବେ। ଏଇଟା ବୋଧେ ମୋ ରିଟର୍ଣ୍ଣ ଗିଫ୍ଟ।

ନଇଁ ଆସୁଥିଲେ ସୂର୍ଯ୍ୟ ରାତି ରେଶମୀ ଓଢଣୀ ତଳେ, ଶୀତୁଆ ସଞ୍ଜର ମହୁଲି ନିଶାରେ,ପୁଲକିତ ତନୁମନ। ଜଣେ ଜଣଙ୍କ ଭିତରେ ହଜିବା ଲିପ୍ସାରେ, ଉଷୁମ ଚୁମ୍ବନ ଅଙ୍କିଦେଲା ଆନି ସଙ୍କେତ ଗାଲରେ। ଆଉ ସଙ୍କେତ ଭିଡି ଧରିଲା ତାକୁ। ନୀରବରେ ଘଟିଗଲା ସବୁ କିଛି। ପ୍ରେମରେ ଜୁଡୁବୁଡୁ ଓଦା ହେଉଥିଲେ ଦି ଟା ମନ।

ହାତରେ ପ୍ୟାକେଟ ଟି ଧରେଇ ଦେଇ ଚାଲି ଆସିଲା ଆନି। ସଙ୍କେତ ଖୋଲି ଦେଖିଲା, ଥିଲା ଗୋଟେ ଲାଇଟର। ଆଉ ସାଙ୍ଗେସାଙ୍ଗେ ଗୋଟେ ମେସେଜ ଆସିଲା ଆନି ର। ଏଇ ଲାଇଟର ଭିତରେ ଥିବା ଇନ୍ଧନ ପରି ମୋ ଆୟୁଷ ବି ସରେ ତମ ସିଗାରେଟ ସାଙ୍ଗରେ।

ପାର୍କର ଗେଟରେ କେହି ଜଣେ ଡାକିଲା ,ଦିଦି, ଦିଦି।

ବୁଲି ଚାହିଁଲା ଆନି ଥିଲା ଜଣେ ୧୦ -୧୨ ବର୍ଷର ପିଲା। ଆଣିଦେଲା ଆନି ପାଇଁ ସଜଫୁଟା ଗୋଲାପ ତୋଡାଟେ। ଆଉ କହିଲା ଏଇଟା ତମ ପାଇଁ ଦିଦି । ଥ୍ୟାଙ୍କ ୟୁ ଭେରୀ ମଚ। ପର୍ସ ଖୋଲି କିଛି ଦେବା, ଆଗରୁ ସେଠାରୁ ଦୌଡ଼ି ପଳେଇଗଲା ପିଲାଟି । ଆଉ ଯାଉ ଯାଉ କହିଲା "ଏଥର ମୋ ପାଳି"।

ବିଭୁାା

ଆନି କାର୍ଡ ବଦଦିନ

Rate the content


Originality
Flow
Language
Cover design

Comments

Post

Some text some message..