Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ହୃଦୟର ଭାଷା (ଅନ୍ତିମ ପତ୍ରର ଉତ୍ତର
ହୃଦୟର ଭାଷା (ଅନ୍ତିମ ପତ୍ରର ଉତ୍ତର
★★★★★

© T.Durga Prasad Rao

Romance Tragedy

7 Minutes   1.8K    7


Content Ranking

ହୃଦୟର ଭାଷା

(ଅନ୍ତିମ ପତ୍ରର ଉତ୍ତର)

ଆଶ୍ଚର୍ଯ୍ୟ! ଏମିତି ଏକ ନିଷ୍ପତ୍ତି ତୁମେ ଯେ ଏତେ ସ୍ଥିର ଚିତ୍ତରେ ନେଇପାର, ମୋର ମତାମତ ଇଚ୍ଛାଅନିଚ୍ଛା ଭାବ ଅନୁଭବକୁ ଆଡ଼େଇ ଦେଇ! ମୁଁ ବୁଝି ପାରୁନାହିଁ, ଏତେ କଣ ସହଜ ଜୀବନର ନିଷ୍ପତ୍ତି! ଫାଶୀ ଖୁଣ୍ଟରେ ଝୁଲିବାକୁ ଥିବା ଆସାମୀକୁ ବି ତାର ଶେଷ ଇଚ୍ଛା ପ୍ରକାଶ କରିବାର ସୁଯୋଗ ଦିଅନ୍ତି । ହେଲେ ହାୟ! ତୁମେ ମୋତେ ସେତିକି ସୁଯୋଗ ବି ପ୍ରଦାନ କରିବା ଉଚିତ୍ ମନେ କଲ ନାହିଁ? ଅଥବା ମୁଁ ଜାଣିପାରିଲେ ତୁମକୁ ଯିବାକୁ ଦେବି ନାହିଁ, ଏଇ କଥା ମନକୁ ଆସି ପତ୍ରଟିଏ ଲେଖି ଦେଇ ଚାଲିଗଲ? ଥରେ ଚିନ୍ତା କରି ଦେଖିଲ ନାହିଁ, ଏ ପତ୍ର ପଢ଼ି ମୋର ମାନସିକ ସ୍ଥିତି କଣ ହେବ? କେତେ ସାବଲୀଳ ଭାବରେ ଫର୍ଦ୍ଦ ଫର୍ଦ୍ଦ କରି ତୁମେ ଲେଖି ଯାଇଛ ତୁମ ଅନ୍ତରର ଦ୍ଵନ୍ଦ, ଦ୍ଵିଧାବଳୀକୁ ଗୋଟିଏ ନିର୍ଜୀବ କାଗଜ ଉପରେ । ଭାବିଦେଖିଛ କି ତୁମ ପତ୍ର ପଢ଼ି ସାରିବା ପରେ ମୋ ମନରେ ଉଙ୍କି ଉଠୁଥିବା ପ୍ରଶ୍ନାବଳୀର ଉତ୍ତର କିଏ ଦେବ? ମୁଁ ଯଦି ତୁମ ପତ୍ରର ଉତ୍ତର ରଖିବାକୁ ଚାହିଁବି, ତୁମର ଠିକଣା କଣ ହେବ? ତୁମେ ଯେ ନିରୁଦ୍ଦିଷ୍ଟ! ଆଉ ମୋ ଠାରୁ ବଚନ ବି ନେଇ ସାରିଛ, ମୁଁ ତୁମକୁ ଖୋଜିବାର ଅପଚେଷ୍ଟା କରିବି ନାହିଁ । କାହିଁକି... କାହିଁକି ସମ୍ଭ୍ରମ୍ ମୋ ପ୍ରତି ଏତେ ଅବିଚାର? କାହିଁକି ମୋ ପ୍ରତି ଏଡ଼େ ନିର୍ଦ୍ଦୟ ହେଇଗଲ? ତୁମକୁ ନିବିଡ଼ ଭାବେ ଭଲ ପାଇବାର ଫଳ କଣ ଏହା? ମୁଁ ତ ତୁମକୁ କେବେ ମୁହଁ ଖୋଲି କହିନାହିଁ । ମୋର ଭଲ ପାଇବା ତୁମ ସମ୍ମୁଖରେ ପରିପ୍ରକାଶ କରିନାହିଁ । ମୁଁ କେବଳ ତୁମକୁ ଭଲ ପାଉଥିଲି । ପ୍ରତି ବଦଳରେ କେବେ ବି ଚାହିଁ ନ ଥିଲି ତୁମେ ବି ମୋତେ ଭଲ ପାଅ ବୋଲି । ସେ ସ୍ଵାଧୀନତା ତୁମର ଥିଲା । ତୁମେ ମୋତେ ଆପଣାର କରିବ କି ନାହିଁ ସେ ନିର୍ଣ୍ଣୟ ତୁମର ଥିଲା । କାହାରି ପ୍ରରୋଚନାରେ ଅବା କାହାରି ଚାପରେ ପଡ଼ି ପ୍ରେମ ଅବା ବିବାହ କରାଯାଏନା । ମୁଁ ତୁମକୁ ଯେତିକି ଚିହ୍ନିଛି, ଅନ୍ତତଃ ଏଇ ଛୋଟ କଥାଟା ନ ବୁଝିଲା ପରି ତୁମେ ଅଜ୍ଞାନୀ ନୁହଁ ।

ସମ୍ଭ୍ରମ୍! ତୁମକୁ ମୋର ଭଲପାଇବା ଯଦି ଜାହିର୍ କରିବାର ଥାନ୍ତା, ସେକଥା ମୁଁ କେବେ କରିଥାନ୍ତି । ମୋ ଜୀବନ କାହାଣୀ ତୁମ ପାଖରେ ଆହୁରି ଯେ ରହସ୍ୟମୟ ହୋଇ ରହିଛି, ଏକଥା ମୋ ଜ୍ଞାତସାର ବାହାରେ । ତୁମେ ଯେ ପୁରା ସତ୍ୟ କଣ ଏବେ ବି ଜାଣି ପାରିନାହଁ ସେକଥା ମୋତେ ଖୁବ୍ ବିବ୍ରତ କରୁଛି । ତୁମେ ଶୈଳଜା ଅପାକୁ ଭଲ ପାଉଥିଲ, ଆଉ ମୁଁ ସେକଥା କୌଣସି ସୁତ୍ରରୁ ବି ଜାଣି ପାରିଲି ନାହିଁ । କାରଣ ନା ତୁମେ ନା ଅପା କେହି ବି ମୋତେ ଏ ବିଷୟରେ ଜଣାଇନାହଁ । ଠିକ୍ ଅଛି । କିନ୍ତୁ ତୁମେ ଏକଥା ବି ଜାଣି ରଖ ଯେ ଶୈଳଜା ଅପା ସହ ତୁମର ଭଲ ପାଇବା ଠାରୁ ମୋର ତୁମ ପ୍ରତି ପ୍ରେମର ବୟସ ଅନେକ ଅଧିକ । କଣ ବିଶ୍ୱାସ ହେଉନି? ମୁଁ ଜାଣେ ତୁମେ ବିଶ୍ୱାସ କରିବ ନାହିଁ । କାରଣ ତୁମେ ଭୁଲିଯାଇଛ ତୁମର ଅତୀତ । ଯୌବନରେ ପଦାର୍ପଣ ପରେ ତୁମେ ଭୁଲିଯାଇଛ ତୁମର ପ୍ରୀୟ ସାଥୀକୁ । ନିଜ ଭିତରର କିଶୋର ସୁଲଭ ଚପଳତାକୁ ନେଇ ତୁମେ ହୁଏତ ଖୋଜି ବୁଲିଛ ନୂତନ ଅନୁଭବକୁ ପାଥେୟ କରି ନୂଆ ଏକ ଆକର୍ଷଣର ଆଢ଼ୁଆଳରେ ଆଉ ଏକ ସାଥୀ । ତୁମେ ଶୈଳଜା ଅପାକୁ କେବେଠାରୁ ଜାଣିଛ ସମ୍ଭ୍ରମ୍? ବୋଧହୁଏ ଯୁକ୍ତ ତିନି ପ୍ରଥମ ବର୍ଷରେ?

ପଛକୁ ଫେରିଯାଅ ଆଉ ମନେପକାଅ ତୁମ ଅତୀତ । ଯେଉଁଠି ତୁମେ ଆଉ ମୁଁ । କେବଳ ତୁମେ ଆଉ ମୁଁ । ସେଠାରେ ନା ଥିଲା ଅପା ନା କୌଣସି ସଙ୍ଗସାଥୀ । ତୁମେ ମୋର ଥିଲ... କେବଳ ମୋର । ଆଉ ମୁଁ କେତେ ଖୁସି ଥିଲି ସତରେ । ତୁମେ ମୋତେ କଣ୍ଢେଇ ବୋଲି ଡାକୁଥିଲ । ନିତି ଆମର ଦେଖା ହେଉଥିଲା ପାର୍କ୍.ର ଏକ ନିର୍ଦ୍ଦିଷ୍ଟ ବେଞ୍ଚ୍.ରେ । ମୁଁ ସେତେବେଳେ ପଢ଼ୁଥିଲି ମାମୁଁ ଘରେ ରହି ଖଲିକୋଟ୍.ରେ । ଆଉ ତୁମ ଡାଡି ସଦ୍ୟ ବଦଳି ହୋଇ ଆସିଥିଲେ ଖଲିକୋଟ୍ । ତୁମ କ୍ଵାର୍ଟର୍.କୁ ଲାଗି ପାର୍କ୍ । ପ୍ରତିଦିନ ମୋତେ ଦେଖି ଦେଇ ଦୌଡ଼ି ଆସୁଥିଲ ପାର୍କ୍.କୁ । ହାତରେ ତୁମର ଚକୋଲେଟ୍ ଆଉ ମୁହଁରେ ସ୍ମିତ ହସ । ମୋତେ ବଶ କରିଦେଲ ସେଇ ସ୍ମିତ ହସରେ ସେଇ ଛୋଟ ବୟସରୁ । କାହିଁ ମୁଁ ତ ତୁମକୁ କହି ନ ଥିଲି ମୋତେ ସେ ସମୟରେ ଏତେ ଭଲପାଇବା ପାଇଁ? ତୁମେ କହିପାର ତାହା ତୁଚ୍ଛା ଆକର୍ଷଣ ମାତ୍ର । କିନ୍ତୁ ମୋର ତୁମ ପ୍ରତି ତାହା ଆକର୍ଷଣ ନ ଥିଲା ସମ୍ଭ୍ରମ୍ । ମୁଁ ତୁମକୁ ମୋର ସେଇ ବୟସରୁ ଭଲ ପାଉଥିଲି ଆଉ ଆଜି ବି ଭଲ ପାଉଛି । ମୋ ଭଲ ପାଇବାରେ ଟିକିଏ ବି ବିରତି ନ ଥିଲା । ତୁମେ କିନ୍ତୁ ବିରତି ନେଇଗଲ । ଆଉ ସେଇଥିପାଇଁ ତୁମେ ମୋତେ ଚିହ୍ନିପାରିଲ ନାହିଁ, ଯେତେବେଳେ ମୋତେ ଅପା ସହ ଅନେକ ଦିନ ପରେ ପ୍ରଥମ କରି ଦେଖିଲ ଲାଇବ୍ରେରୀରେ । ମୁଁ ତୁମର ସେଦିନର ପ୍ରତି କଥାକୁ ଥଟ୍ଟାମଜାରେ ଗ୍ରହଣ କଲି । ମୋର କାହିଁକି ମନେ ହେଲା ତୁମେ ମୋତେ ଚିହ୍ନିସାରିଛ । ହେଲେ ଏବେ ଜାଣୁଛି ତୁମେ ମୋତେ ସତରେ ଚିହ୍ନି ପାରିନାହଁ । ତୁମେ ଭୁଲିଯାଇଛ ତୁମର କଣ୍ଢେଇକୁ, ନିଜର ପ୍ରଥମ ପ୍ରେମିକାକୁ!

ତୁମର ମନେଅଛି ସମ୍ଭ୍ରମ୍! ପାର୍କ୍.ରେ ଆମ ଦୁହିଁଙ୍କର ଏକତ୍ର ବସି ରହିଥିବା ଯୁଗ୍ମଫଟୋ । ଯାହା ନିଜେ ମାମୁଁ ତାଙ୍କ ପୁରୁଣା ସେଲୁଲଏଡ୍ କ୍ୟାମେରାରେ ଉଠାଇଥିଲେ? ମନେଥିବ ନିଶ୍ଚୟ! ଦୁଇଟି ଫଟୋ ସେ ଉଠାଇଥିଲେ । ଗୋଟିଏ ତୁମ ହାତରେ ଆଉ ଅନ୍ୟଟି ମୋ ହାତରେ ଦେଇ ଗୋଟିଏ କଥା କହିଥିଲେ । ଏହି ଫଟୋଦ୍ୱୟ ଫିକା ପଡ଼ି ଯାଇପାରେ ସମୟ କ୍ରମେ । ହେଲେ ତୁମ ଦୁହିଁଙ୍କୁ ଦେଖିଲେ ମୋର ମନେହୁଏ, ତୁମ ଅନ୍ତର ମଧ୍ୟରେ ପରସ୍ପରର ଯେଉଁ ଫଟୋ ସାଇତା ହେଇ ରହିଛି, ସେ କେବେ ବି ଫିକା ଅବା ମଳିନ ହେବ ନାହିଁ । ସେ ଫଟୋ ଏବେ ବି ସାଇତା ହୋଇ ରହିଛି ମୋ ପାଖରେ । ତୁମର ସେଇ ଫଟୋଚିତ୍ର ମୋ ହୃଦୟରେ ଅବା ବାହାରେ କେଉଁଠି ବି ମୁଁ ମଳିନ ହେବାକୁ ଦେଇନାହିଁ । ମାମୁଁ ଜାଣନ୍ତି, ମୁଁ ତୁମକୁ କେତେ ଭଲପାଏ । ତୁମକୁ ଦେଖିନେଲେ ମୋ ଆଖିର ଚମକରେ ମାମୁଁ ଖୁସି ହୋଇଯାନ୍ତି । ମୋତେ ଖୁସି କରିବାକୁ ଦିନେ ଅଧେ ପାର୍କ୍ ବୁଲାଇ ଆଣିବା ବ୍ୟକ୍ତି ତେଣିକି ସବୁଦିନ ତୁମ ସଙ୍ଗ ପାଇଁ ନେଇ ଆସୁଥିଲେ ପାର୍କ୍.କୁ ।

ସମ୍ଭ୍ରମ୍! ସେଦିନର କଥା ମନେ ପକାଅ, ଯେଉଁଦିନ ତୁମେ ଶେଷଥର ପାଇଁ ମୋତେ ଭେଟିବାକୁ ଆସିଥିଲ । ତୁମ ଡାଡିଙ୍କର ବଦଳି ହୋଇ ଯାଇଥିଲା । ତୁମେ ବହୁ ପୂର୍ବରୁ ଆସି ସେଇ ନିର୍ଦ୍ଦିଷ୍ଟ ବେଞ୍ଚ୍.ଟାରେ ମୁହଁ ଶୁଖାଇ ବସିଥିଲ । କହି ପାରିନଥିଲ ଅନେକ ସମୟ ପର୍ଯ୍ୟନ୍ତ ତୁମ ଉଦାସୀନ ଚେହେରା ପଛର କାରଣ । ହେଲେ ଫେରିବା ସମୟରେ ତୁମେ ଯେତେବେଳେ ସେଇଟା ତୁମର ଶେଷ ସାକ୍ଷାତ ବୋଲି କହିଲ, ମୁଁ ସ୍ତମ୍ଭୀଭୁତ ହୋଇ ରହିଗଲି । ସବୁବେଳେ ହସ ହସ ମୋ ମୁହଁରେ ସେଦିନ ଅଦିନିଆ ଅସରାଏ କଳାମେଘ ଘୋଟିଆସିଲା । ତୁମେ ଚାଲିଗଲା ପରେ ମୁଁ ଆଉ ନିଜର ଲୁହକୁ ଅଟକାଇ ପାରିନଥିଲି । ମୋ ଆଖିରେ ଏତେ ଲୁହ କେଉଁଠୁ ଆସିଲା ମୁଁ ନିଜେ ଆଶ୍ଚର୍ଯ୍ୟ ହେଲି । ମାମୁଁ ମୋର ଲୁହ ପୋଛି ଦେଇ ଭାରି ହୃଦୟରେ ତାଙ୍କର ଦୁଇ ହାତ ତୋଳି ମୋତେ ତାଙ୍କ ଛାତି ଉପରକୁ ଉଠାଇନେଲେ । ଯେତେ ବୁଝାଇଲେ ବି ମନ ବୁଝୁନଥିଲା । ଏହାକୁ ତୁମେ ତୁଚ୍ଛା ଆକର୍ଷଣ କହିପାର ସମ୍ଭ୍ରମ୍ । ତୁମେ ପାଇଁ ତାହା ଠିକ୍ ହୋଇପାରେ । କିନ୍ତୁ ମୋ ହୃଦୟ ଜାଣେ ଆକର୍ଷଣ ଓ ଭଲପାଇବା ମଧ୍ୟରେ ତଫାତ୍ । ତା ପରଠାରୁ ପାର୍କ୍.ର ସେଇ ବେଞ୍ଚ୍ ମୋର ଅତି ଆପଣାର ହୋଇଗଲା । ମୁଁ ପ୍ରତି ଅପରାହ୍ନରେ ସେଇ ବେଞ୍ଚ୍ ଉପରେ ବସି ନିଜକୁ ମୋହଗ୍ରସ୍ତ କରି ରଖିଲି ତୁମରି ସ୍ମୃତିରେ ଖରା ବର୍ଷାକୁ ମଧ୍ୟ ଭୃକ୍ଷେପ ନ କରି । ହେଲେ ତୁମେ ଥରୁଟିଏ ବି ପଛକୁ ଫେରି ଚାହିଁନ । ଥରୁଟିଏ ବି ମୋତେ ମନେ ପକାଇନାହଁ ଏ କଥା ଜାଣିଲା ପରେ ମୋ ହୃଦୟ ବେଳକୁ ବେଳ କାନ୍ଦି ଉଠୁଛି ସମ୍ଭ୍ରମ୍ ।

ମୋର ଏ ଭଲପାଇବା କେବଳ ମାମୁଁଙ୍କ ପର୍ଯ୍ୟନ୍ତ ସୀମିତ ନ ଥିଲା, ବାପା ମଧ୍ୟ ଜାଣିଥିଲେ ଏ କଥା ମାମୁଁଙ୍କ ଜରିଆରେ । ଆମଦୁହିଁଙ୍କ ଯୁଗ୍ମଫଟୋକୁ ମଧ୍ୟ ସେ ଦେଖିଥିଲେ । ତେଣୁ ତୁମକୁ ଯେତେବେଳେ ସେ ଆଉ ଥରେ ଦେଖିଲେ ଆମ ଘରେ, ତୁମକୁ ଚିହ୍ନିପାରିଲେ ଆଉ ଖୁବ୍ ଖୁସି ହୋଇଗଲେ । ତୁମର ମନେଥିବ, ସେ ତୁମକୁ ଦେଖି କେମିତି ପ୍ରଗଳ୍ଭ ହୋଇ ଉଠିଥିଲେ । ସେ ଧରିନେଲେ ଯେ ତୁମେ ମୋ ପାଇଁ ହିଁ ଆମ ଘରକୁ ଆସିଛ ବୋଲି । ସେତେବେଳେ ମୁଁ ବି ବୁଝି ପାରିନଥିଲି । କିନ୍ତୁ ଏବେ ଜାଣୁଛି ତୁମେ ଆସିଥିଲ ଅପା ପାଇଁ । ତୁମ ହୃଦୟରେ ଯେ ମୋ ପାଇଁ କିଛି ବି ତରଙ୍ଗ ନାହିଁ, ତୁମେ ତୁମର ବାଲ୍ୟସାଥୀକୁ ସମ୍ପୂର୍ଣ୍ଣ ରୂପେ ଯେ ଭୁଲି ଯାଇଛ ଏକଥା ମୁଁ କେମିତି ବିଶ୍ୱାସ କରିଥାନ୍ତି?

ତୁମର ମନେଅଛି ସମ୍ଭ୍ରମ୍? ଏକଦା ପାର୍କ୍.ର ଅନତି ଦୂରରେ କିଛି ପିଲା ଛୋଟ ଏକ କୁକୁର ଛୁଆ ସହ ଦୁଷ୍ଟାମି କରୁଥିଲେ? କେମିତି ତାକୁ ଟେକା ପଥର ଫୋପାଡ଼ି ଅସ୍ତବ୍ୟସ୍ତ କରୁଥିଲେ? ତୁମେ ସେ ପପିକୁ ପିଲାମାନଙ୍କ ସମ୍ମୁଖରୁ ଉଠାଇ ଆଣିଥିଲ । ନିଜ ବୁକୁରେ କିଛିକ୍ଷଣ ଜାକି ଧରି ତାକୁ ରାଜା ବୋଲି ସମ୍ବୋଧନ କରିଥିଲ ଆଉ ତାକୁ ନିଜ ସାଥିରେ ଘରକୁ ମଧ୍ୟ ନେଇ ଯାଇଥିଲ । ତୁମେ ଭାରି ପୋଜେସିଭ୍ ଥିଲ । ତୁମ ଡାଡିଙ୍କର ବଦଳି ପରେ କୁକୁର ଛୁଆକୁ ତୁମ ସାଙ୍ଗରେ ନେବାକୁ ଜିଦ୍ ଧରି ବସିଲ ଆଉ କାଳେ ଡାଡି ତୁମ କଥା ମାନିବାକୁ ବାଧ୍ୟ ହୋଇଥିଲେ । କହିଲ ସମ୍ଭ୍ରମ୍, ଗୋଟିଏ କୁକୁର ଛୁଆର ସ୍ନେହ ଆଦରକୁ ତୁମେ ଆଡ଼ କରିପାରିଲ ନାହିଁ । ହେଲେ ମୋତେ କେମିତି ତୁମେ ଭୁଲି ଯାଇପାରିଲ ଏତେ ସହଜରେ!

ସମ୍ଭ୍ରମ୍! ତୁମେ ବାପାଙ୍କୁ ଠିକ୍ ଭାବରେ ତଉଲି ପାରିଲ ନାହିଁ । ଅପା କେବେ ବି ନିଜର ଭଲ ପାଇବା ବାପାଙ୍କ ଆଗରେ ପ୍ରକାଶ କରିନାହିଁ । କରିଥିଲେ ହୁଏତ ବାପାଙ୍କ ଚିନ୍ତାଧାରା ଅଲଗା ହୋଇଥାନ୍ତା, ନିଷ୍ପତ୍ତି ଅଲଗା ହୋଇଥାନ୍ତା । ମୃତ୍ୟୁ ସମୟରେ ତୁମ ଓ ମୋର ବିବାହ ପ୍ରସ୍ତାବ ଦେଇ ସେ ତୁମ ପାଖରେ ଦୋଷୀ ହୋଇ ଆରପାରିକୁ ଚାଲିଗଲେ । ତୁମେ ନେଇଥିବା ପଦକ୍ଷେପକୁ ସୁଧାରି ନିଅ ସମ୍ଭ୍ରମ୍ । ନଚେତ୍ ବାପାଙ୍କର ଆତ୍ମା କେବେ ବି ଶାନ୍ତି ପାଇବ ନାହିଁ । ତାଙ୍କର ନିଷ୍ପତ୍ତିଟି ଭୁଲ୍ ଥିଲା ବୋଲି ସେ ଆରପାରିରେ ବି ସନ୍ତୁଳି ହେବେ । ଫେରିଆସ ସମ୍ଭ୍ରମ୍... ତୁମେ ଫେରି ଆସ । ତୁମର ଏ ପଦକ୍ଷେପ ପାଇଁ ଶୈଳଜା ଅପାର ତ୍ୟାଗ, ମୋର ଭଲପାଇବା ଆଉ ସର୍ବୋପରି ବାପାଙ୍କ ଅନ୍ତିମ ସମୟର ନିଷ୍ପତ୍ତି ସବୁଥିରେ କଳଙ୍କ ଲାଗିଯିବ ।

ମୁଁ ତୁମ ପାଖରେ କ୍ଷମାପ୍ରାର୍ଥୀ । କ୍ଷମାପ୍ରାର୍ଥୀ ଏଇଥିପାଇଁ ଯେ ତୁମର ଅପା ପ୍ରତି ଭଲପାଇବାକୁ ମୁଁ ଠିକ୍ ରୂପେ ବୁଝି ପାରିଲି ନାହିଁ । ମୁଁ ମୋ ହୃଦୟର ଆନ୍ଦୋଳନ ଭିତରେ ଏମିତି ମଜି ରହିଲି ଯେ ତୁମ ଦୁହିଁଙ୍କ ଭଲପାଇବା ମୋ ଆଖି ବୁଝିପାରିଲା ନାହିଁ । ମୋ ମନ ତୁମ ଦୁହିଁଙ୍କ ଭଲପାଇବାକୁ କେବଳ ଏକ ବନ୍ଧୁତ୍ୱର ରୂପ ଦେଇ ଚୁପ୍ ହୋଇଗଲା, ବୋଧହୁଏ ନିଜର ସ୍ୱାର୍ଥ ହାସଲ ପାଇଁ! ମୁଁ ମୋ ମନ, ହୃଦ ଓ ସ୍ନାୟୁର ଜାଲରେ ଏମିତି ଛନ୍ଦି ହୋଇଗଲି ଯେ ଜାଣିପାରିଲି ନାହିଁ ତୁମେ ମୋତେ ନୁହଁ ଅପାକୁ ଭଲପାଅ ବୋଲି । ତୁମେ କିମ୍ବା ଅପା କେହି ଜଣେ ହେଲେ ବି ମୋତେ ବିବାହ ପୂର୍ବରୁ ଏ ବିଷୟ ଜାଣିବାକୁ ଦେଲନାହିଁ । ସେଇଟା ଅପାର ମହନୀୟତା ହୋଇ ଥାଇପାରେ । କିନ୍ତୁ ତୁମେ ସମ୍ଭ୍ରମ୍! ତୁମେ ତ ମୋତେ ଥରୁଟିଏ କହି ପାରିଥାନ୍ତ! ଏବେ ବିବାହ ପରେ ମୁଁ ତୁମର ନିଚ୍ଛକ ପ୍ରେମିକାଟିଏ ହୋଇ ରହି ଯାଇନାହିଁ । ମୁଁ ଏବେ ତୁମର ଧର୍ମପତ୍ନୀ । ମୋ ପତ୍ନୀ ଧର୍ମ ତୁଲାଇବାରୁ ମୋତେ ତୁମେ ବଞ୍ଚିତ କରନାହିଁ । ପ୍ଳିଜ୍... ତୁମେ ଫେରି ଆସ... । ତୁମ ଅପେକ୍ଷାରେ ବିତିଯାଇଛି ମୋର ଶୈଶବ, କୈଶୋରର ଦୀର୍ଘ ଏଗାରଟି ଫଗୁଣ । ସେଇ ଏଗାର ବର୍ଷ ଏ ଆଖି ତୁମକୁ କେତେ ଖୋଜିଛି, ବିରହ ବେଦନାରେ ଜର୍ଜରିତ ଏ ହୃଦୟ କେତେ ବ୍ୟଥିତ ହେଇଛି । ଦିବାନିଶି ଏ ଆଖି ଲୁଚେଇ ଲୁଚେଇ କେତେ ଲହୁ ଲୁହ ଝରାଇଛି ତାର ହିସାବ ମୋ ପାଖରେ ନାହିଁ । ଆଉ ଅପେକ୍ଷାର ଧୈର୍ଯ୍ୟ ମଧ୍ୟ ନାହିଁ ସମ୍ଭ୍ରମ୍ । ତୁମକୁ ପାଖରେ ପାଇବାର ଏତେ କମ୍ ସମୟ ମଧ୍ୟରେ ଯେ ମୁଁ ପୁଣି ଥରେ ତୁମକୁ ହରାଇ ଏକାକୀ ହୋଇଯିବି, ଏବେ ବି ଏ ମନ ମାନିବାକୁ ପ୍ରସ୍ତୁତ ନୁହେଁ । ଏ ଆଖିରେ ଆଉ ଲୁହ ମଧ୍ୟ ଅବଶେଷ ନାହିଁ କାନ୍ଦିବାକୁ । ମୋର ଏ ହୃଦୟର ପୁଞ୍ଜିଭୁତ ଭାବନାକୁ ତୁମ ନିକଟରେ କେମିତି ପହଞ୍ଚାଇବି ତାର ବାଟ ତୁମେ ବନ୍ଦ କରି ଦେଇ ଯାଇଛ । ତେବେ, ମୋର ଦୃଢ଼ ବିଶ୍ୱାସ ମୋ ନିସ୍ୱାର୍ଥପର ପ୍ରେମ ଆଗରେ ଈଶ୍ୱର ବି ହାର ମାନିବେ । ଆଉ ତୁମେ ଖୁବ୍ ଶୀଘ୍ର ମୋ ପାଖକୁ ଫେରି ଆସିବ... ନିଶ୍ଚୟ ଫେରିବ ।


ଟି.ଦୁର୍ଗା ପ୍ରସାଦ ରାଓ

ଭାଷା ଉତ୍ତର ଅନୁଭବ

Rate the content


Originality
Flow
Language
Cover design

Comments

Post

Some text some message..