Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଭିନ ଏକ ପ୍ରେମ କାହାଣୀ
ଭିନ ଏକ ପ୍ରେମ କାହାଣୀ
★★★★★

© Rama Chandra Padhi

Inspirational Romance

9 Minutes   81    2


Content Ranking

ସେତେବେଳେ ପ୍ରେମର ଅର୍ଥ ନ ବୁଝି ବି ସେମାନେ ଛନ୍ଦି ହୋଇଯାଇଥିଲେ ପ୍ରେମର ଜାଲ ଭିତରେ।

ସାରା ରାତି ଅନିଦ୍ରା ହୋଇ ମନ ଖୋଲି ଗପୁଥିଲେ ମୋବାଇଲ କି ମେସେଞ୍ଜେର ଦ୍ୱାରା ନୁହେଁ। ରକ୍ତରେ ଲେଖା ଚିଠି ମାଧ୍ୟମରେ।

ସେମାନେ କଥା ହେବାକୁ ଖୋଜୁଥିଲେ ଏକାନ୍ତ, ହେଲେ ଏକାନ୍ତରେ ମୁହଁରୁ ଗୋଟିଏ ବି ଶବ୍ଦ ବାହାରୁ ନଥିଲା। ତଥାପି ଦୁରେ ଥାଇ ପଢିପାରୁଥିଲେ ମନର ଲେଖାକୁ।

ଦୁହିଁଙ୍କ ହୃଦୟରେ ଗୋଟିଏ ସ୍ପନ୍ଦନ, ସାରା ଜୀବନ ଦୁହେଁ ଏକ ହୋଇଯିବେ, କିନ୍ତୁ ଘର ଲୋକଙ୍କ ଠୁ ଅଲଗା ହୋଇ ନୁହଁ ସେମାନଙ୍କ ର ସହମତି ଓ ଆଶୀର୍ବାଦର ଲାଭ କରି।

ଦୁହିଁଙ୍କ ଆଖିରେ ଗୋଟିଏ ସ୍ବପ୍ନ, ସମାଜର କଠୋର ରୀତିନୀତି ଠାରୁ ବହୁ ଦୂରରେ ଛୋଟ ଏକ ଘର କରିବେ। ଯୋଉଠି ଦୂର ସବୁଜିମାରେ ଘେରା ଉଚ୍ଚ ପାହାଡ଼ରୁ ସୁନ୍ଦର ଝରଣାଟେ କୁଳୁକୁଳୁ ନାଦ କରି ବୋହି ଯାଉଥିବ । ନିର୍ମଳ ନୀଳ ଆକାଶ ବୁକୁରେ ଉଡି ବୁଲୁଥିବେ ପ୍ରେମରେ ପାଗଳ ପକ୍ଷୀ ପଲ। ଘର ଆଗରେ ସବୁଜ ବଗିଚା। ସେହି ବଗିଚାରେ ରଙ୍ଗ ବେରଙ୍ଗ ଫୁଲର ଆସର । ଫୁଲମାନଙ୍କୁ ଚୁମିଦେଉଥିବେ ପ୍ରେମରେ ମତୁଆଲା ପ୍ରଜାପତି। ନିରନ୍ତର ବାରି ପଛରୁ ଭାସି ଆସୁଥିବା କୋଇଲିର କୁହୁକୁହୁ ନାଦ ହୃଦୟ ମୋହିଦେଉଥିବ । ଶୀତଳ ସୁନେଲି ଜହ୍ନ ରାତିର ଆଲୋକରେ ସେହି ବଗିଚା ର ଘାସ ଗାଲିଚ୍ଛା ଉପରେ ହାତରେ ହାତ ଧରି ମୁଣ୍ଡରେ ମୁଣ୍ଡ ଲଗାଇ ହୃଦୟକୁ ଏକ କରି ଶୋଇ ରହି ପ୍ରେମରେ ହଜିଯିବେ ଦୂର ଆକାଶର ତାରା ଗହଣରେ ଚନ୍ଦ୍ରମାକୁ ଦେଖି।

ସମୟ ଥିଲା ଅଶୀ ଦଶକର, ଯେତେବେଳେ ଆର. ଡି ବର୍ମନ, ଅକ୍ଷୟ ମହାନ୍ତି ଙ୍କ ସୁମଧୁର ପ୍ରେମ ସଙ୍ଗୀତରେ ଝୁମି ଉଠୁଥିଲେ ଯୁବ ପିଢ଼ି। ଧୀରେ ଧୀରେ ପ୍ରେମ ତା କାୟା ବିସ୍ତାର କରୁଥିଲା ମଧ୍ୟବିତ୍ତ ରକ୍ଷଣଶୀଳ ପରିବାରର ଯୁବକ ଯୁବତୀ ଙ୍କ ହୃଦୟରେ। ପ୍ରତିଦିନ କେଦାର କଲେଜ ସାଙ୍ଗ ମାନଙ୍କ ସହ ଗପିବା ଅଭିନୟ କରି ଆତୁର ହୋଇ ଚାହିଁ ରହୁଥିଲା ଗୌରୀର ଆସିବା ବାଟକୁ। କଥା ବାହାନା ରେ ବାରମ୍ବାର ସେମାନଙ୍କୁ ପଚାରୁଥାଏ ପିନ୍ଧିଥିବା ଧଳା ନୀଳ ଛିଟ ଫୁଲ ପକା ସାର୍ଟ ଓ ବେଲ ପେଣ୍ଟ ବିଷୟରେ। ପକେଟରେ ଥିବା ରଜନୀଗନ୍ଧା ଅତର କୁ ତୁଳା ରେ ଢାଳି ମାଡି ଦିଏ କାନ ସନ୍ଦିରେ। ନ ଚାହିଁ ବି ତା ହାତ ବାରମ୍ବାର ସଜାଡୁ ଥାଏ କାନକୁ ଲମ୍ବି ଯାଇଥିବା କଳା ମଚମଚ ବାଳକୁ। ବେସୁରା ଗଳା ରେ ସେ ଗୀତ ଟିଏ ଗାଇ ବାରମ୍ବାର ବୁଲି ଦେଖୁଥାଏ ଗୋୖରୀ ର ଆସିବା ବାଟକୁ।

କେଦାରକୁ ଦୂରରୁ ଦେଖି ଗୋୖରୀର ଚାଲି ଧିମେଇ ଯାଏ। ଛାତିର ସ୍ପନ୍ଦନ ବଢିଯାଏ, ପାଉଡର ମରା ଗୋରା ଗାଲ ଦୁଇଟି ଲାଜରେ ଲାଲ ପଡ଼ିଯାଏ । ହାତ ପାପୁଲି ଝାଳରେ ଓଦା ହୋଇ ଥରିବାକୁ ଲାଗେ। ବହିକୁ ଛାତି ରେ ଜାକିଦେଇ ଗୋୖରୀ ସାଙ୍ଗମାନଙ୍କ ଗହଣ ରେ ନ ଦେଖିବା ଭଳି ଅଭିନୟ କରି କଣେଇ କଣେଇ ଚାହେଁ କେଦାରକୁ। ନିଜ ଲମ୍ବା ହଳଦିଆ ଓଢଣୀଟିକୁ କେଦାର ଦେହରେ ଘଷି ଚାଲିଯାଏ କ୍ଲାସ ରୁମ ଆଡ଼କୁ।

ଓଢଣୀ ସ୍ପର୍ଶରେ କେଦାରର ସାରା ଦେହରେ ପ୍ରେମର ଶିହରଣ ଖେଳିଯାଏ। ସାଙ୍ଗମାନଙ୍କ କଥା ଭୁଲିଯାଇ ଗୌରୀ ର ପିଛା କରିବାକୁ ଲାଗେ। ଗୌରୀ ବେଣୀରେ ଖୋସିଥିବା ଗୋଲାପ ଫୁଲଟିକୁ ଏକ ଲୟ ରେ ଦେଖି ଝୁଣ୍ଟିପଡ଼େ କଲେଜ ବାରଣ୍ଡା ପାହାଚ ଉପରେ। ସାଙ୍ଗମାନଙ୍କ ଟାହି ଟାପର ବାଜୁଥାଏ ତା କାନରେ। ହେଲେ କୌଣସି କଥାକୁ ଭ୍ରୁକ୍ଷେପ ନ କରି ଚାଲିଥାଏ ଗୌରୀ ପଛରେ। କିଛି ଦୂର ଗଲା ପରେ ଫୁଲଟି ଆପେ ଆପେ ଖସିପଡ଼େ ଭୁଇଁରେ । ସତେ ଯେମିତି ଅଧର୍ଯ୍ୟର ସହ ଛଟପଟ ହେଉଥିଲା କେଦାରର ସ୍ପର୍ଶ ପାଇବା ପାଇଁ। କେଦାର ଉଠେଇ ନେଇ ଯତ୍ନରେ ରଖିଦିଏ ବହି ଭିତରେ। ଯୋଉଥିରେ ପୂର୍ବରୁ ଗୋୖରୀର ଅନେକ ଗୋଲାପ ସାଇତା ହୋଇ ରହିଥାଏ ।

ପଇଁତିରିଷ ବର୍ଷର ଜୀବନ ଜଞ୍ଜାଳରୁ ସେଦିନ କେଦାର ନିଜକୁ ମୁକ୍ତ ଅନୁଭବ କରୁଥିଲା । ସ୍ମୃତି ବହନ କରୁଥିବା କଲେଜ ଦିନର ସେହି ପୁରୁଣା ବହିଟିକୁ ଥାକ ମଧ୍ୟରୁ ଖୋଜି ବାହାର କରି ବସିପଡ଼ିଲା ପାଖରେ ଥିବା ଚେୟାର ଉପରେ। ବହୁଦିନରୁ ପଡିରହି ବହିଟି ଉପରେ ମେଞ୍ଚାଏ ଧୂଳି ଜମି ଯାଇଥାଏ। ଧୂଳି ଝାଡ଼ି ଦେଇ ସମୟ ଚକ୍ରରେ ଚମକ ହରେଇ ଥିବା ପୃଷ୍ଠାଗୁଡିକୁ ଖୋଲିବାକୁ ଲାଗିଲା। ଠିକ ଯେମିତି କାଳର ଚକ୍ରାନ୍ତରେ ତା ଯୌବନ ଚମକ ଫିକା ପଡିଯାଇଛି। ଆଗରୁ ଇଚ୍ଛା ଥାଇ ବି କେବେ ବହିଟିକୁ ଖୋଲି ପାରିନି। ପୁତ୍ରର କର୍ତ୍ତବ୍ୟ, ପିତା ର ଦାୟିତ୍ୱ, ସ୍ୱାମୀ ଧର୍ମ ପାଳନ କରୁ କରୁ ହଜିଯାଇଥିଲା ତା ଭିତରର ପ୍ରେମିକଟି। ଦୀର୍ଘ ଦିନରୁ ନିରବ, ନିଖୋଜ ଥିବା ତା ଭିତରର ପ୍ରେମିକଟିକୁ ଖୋଜି ବାହାର କରିବାକୁ ପଣ କରୁଛି କେଦାର। ବର୍ତ୍ତମାନ ଜୀବନର ଅବଶିଷ୍ଟ ସମୟ ତକ ତା ଅଧୀନରେ। ସେ ସବୁ କର୍ତ୍ତବ୍ୟ ଦାୟିତ୍ୱ ରୁ ମୁକ୍ତ। ଦୁଇ ପୁଅ, ବୋହୁ ବହୁ ରାଷ୍ଟ୍ରୀୟ କମ୍ପାନୀରେ ଚାକିରୀ କରି ବାଙ୍ଗାଲୋର ରେ ରହୁଛନ୍ତି। ସେ ନିଜେ କିଛିଦିନ ପୂର୍ବରୁ ଚାକିରୀ ରୁ ଅବସର ନେଇ ଘରେ ଆରାମ କରୁଛି। ଦୀର୍ଘ ପଇଁତିରିଷ ବର୍ଷ ପରେ ବି ବହି ଭିତରେ ଶୁଖି ଯାଇଥିବା ଗୋଲାପ ଫୁଲ ଗୁଡିକୁ ଦେଖି ସତେଜ ହୋଇଗଲା କେଦାର ହଜିଲା ଦିନର ସ୍ମୃତି। ନିଜକୁ ହଜେଇଦେଲା ଉଲ୍ଲାସରେ ଭରା ଅତୀତ ଯୌବନର ଭାବନାରେ।

ଚାକିରୀ ଛାଡିବା ଦିନରୁ ତମର କଣ ହେଇଛି କେଜାଣି! ସବୁଦିନେ ପୁରୁଣା ଜିନିଷ ଗୁଡାକୁ ଆଡେଇ ନିଜେ ତ ଧୂଳି ମଳି ହୋଉଛ ଘର ବି ଅଳିଆ କରି ପକାଉଛ। ସ୍ତ୍ରୀ ଗୋୖରୀ ରୋଷେଇ ଘରୁ ଚିଲେଇ କି ଆସିଲା।

ଗୋୖରୀ ଆସ ବସ.....ଦେଖ ମୁଁ ଏତେ ଦିନ ହେଲା କ'ଣ ଖୋଜୁଥିଲି? କେଦାର ସ୍ମିତ ହାସ୍ୟଟିଏ ହସି ଗୋୖରୀ ର ହାତକୁ ଟାଣି ପାଖ ଚେୟାରରେ ବସେଇ ଦେଲା।

ତମର ଏ ଶୁଖିଲା ଗୋଲାପ ଦେଖିବାକୁ ମୋ ପାଖେ ସମୟ ନାହିଁ। ମୁଁ ଯାଉଛି...ତେଣେ ରୋଷେଇ ଘରେ ମୋର ବହୁତ କାମ ଅଛି।

ଟିକିଏ ରହି ଭଲରେ ଦେଖ ଗୌରୀ... ଆମେ ହରାଇ ଦେଇଥିବା ଯୌବନର ବାସ୍ନା ଏହି ଶୁଖିଲା ଗୋଲାପ ଫୁଲ ମଧ୍ୟରେ ପାଇବ। ଆମ କଲେଜ ଦିନରେ ଦେଖିଥିବା ପ୍ରତ୍ୟେକ ଟି ସ୍ବପ୍ନ ର ଝଲକ ଦିଶିବ। କେଦାର ଗୋୖରୀ ହାତରେ ବହିଟିକୁ ଧରେଇ ଦେଇ କହୁଛି।

ସତରେ କେଦାର...ଦେଖୁ ଦେଖୁ କେମିତି ପଇଁତିରିଷ ବର୍ଷ ବିତିଗଲା ଜଣା ବି ପଡ଼ିଲାନି। ଏକ ଦୀର୍ଘ ନିଃଶ୍ୱାସ ମାରି ଗୌରୀ କହିଲା। ଆମେ ସ୍ୱପ୍ନ ଦେଖୁଥିବା ସେ ଦିନ ଗୁଡାକ ଆଜି ସ୍ବପ୍ନ ପାଲଟିଗଲା। ଆଉ ସ୍ବପ୍ନ ଗୁଡିକ ଅପୁରଣୀୟ ସ୍ମୃତି ହୋଇ ରହିଗଲା। ଗୋୖରୀ ପୃଷ୍ଠା ଓଲଟାଇ ନିଜକୁ ହଜେଇ ଦେଇଥିଲା ଶୁଖି ଯାଇଥିବା ଗୋଲାପ ଫୁଲର ପାଖୁଡା ଭିତରେ।

ମୋତେ ଆଜିବି ବିଶ୍ୱାସ ହୁଏନି ଲାଗେ ଯେମିତି ଏକ ଅଜଣା ସ୍ବପ୍ନର ରାଇଜରେ ଆମେ ବଞ୍ଚୁଛେ । ଆମେ ସାଥି ହୋଇ ବର୍ଷ ବର୍ଷ ଧରି ଦେଖିଥିବା ସ୍ୱପ୍ନ ସତରେ କଣ ଏଇଆ ଥିଲା କେଦାର? ସବୁବେଳେ ମୋ ହୃଦୟ ମୋତେ ପରିହାସ ଆଳରେ ପ୍ରଶ୍ନ କରେ। ମୁଁ ନିରୁତ୍ତର ହୋଇଯାଏ।

ଗୌରୀର ପ୍ରଶ୍ନ କିଛି କ୍ଷଣ ପାଇଁ ଘର ଭିତରେ ନିରବତା ଖେଳାଇ ଦେଲା। ଠିକ ଯେମିତି ସେମାନଙ୍କ ବିବାହ ହୋଇ ପାରିବ କି ନାହିଁ ପ୍ରଶ୍ନରେ ଚୁପ ହୋଇଯାଉଥିଲେ। ଦୁହେଁ ଚୁପଚାପ, ଅଜଣା, ଅପରିଚିତ ବ୍ୟକ୍ତି ଭଳି ବସି ଜଣେ ଅନ୍ୟ ଜଣଙ୍କ ଆଖିକୁ ଦେଖୁଥାନ୍ତି। ବୋଧେ ଆଖିର ଲୁହ ତଳେ ଚାପି ହୋଇ ପଡିଥିବା ଉତ୍ତର ଟିକୁ ଖୋଜୁଥିଲେ।

ନିଜର କର୍ମ ବ୍ୟସ୍ତତା ଯୋଗୁ ହୋଉ ଅବା ଛୋଟ ଘରଟି ଭିତରେ ବଡ଼ ପରିବାରର ସଦସ୍ୟଙ୍କ ଉପସ୍ଥିତ ଯୋଗୁ ହୋଉ ବିବାହ ପରେ ସେମାନେ କେବେ ବି ମନ ଖୋଲି ପ୍ରେମର ଦୁଇ ଆଳାପ ଗପ ଗପି ନାହାଁନ୍ତି। ଯୋଉ ପ୍ରେମର ସମ୍ପର୍କକୁ ପାଥେୟ କରି ସ୍ୱପ୍ନର ଘରଟି ତୋଳିବାକୁ ଚାହିଁଥିଲେ ବିବାହ ପରେ ସେହି ସମ୍ପର୍କରେ ହିଁ ଦୂରତା ବୃଦ୍ଧି ପାଇଥିଲା। ସେମାନେ ବିବାହ କରି କଣ ଜୀବନର ସବୁଠାରୁ ବଡ ଭୁଲ କରିଛନ୍ତି? ଏ ପ୍ରଶ୍ନ ସବୁବେଳେ ଦୁହିଁଙ୍କ ମନରେ ଉଠିଛି ହେଲେ ପରିସ୍ଥିତି ର ଚାପରେ ପଡି କେବେ କିଏ କାହାକୁ ପଚାରି ପାରିନାହାନ୍ତି। ହେଲେ ସେ ଦିନ ଦୁହେଁ ଦୁହିଁଙ୍କ ଆଖିରେ ଏ ପ୍ରଶ୍ନ ପଢି ପାରୁଥିଲେ।

ଏକ ସଂସ୍କାରି, ରକ୍ଷଣଶୀଳ ପରିବାରରେ ଜନ୍ମ ହୋଇ ସମାଜ ର ନୀତି ନିୟମ କୁ ଭାଙ୍ଗି ପ୍ରେମ କରି ବିବାହ କରିବା ସେତେବେଳେର ପ୍ରେମୀ ଯୁଗଳ ଙ୍କ ପାଇଁ ସ୍ବପ୍ନ ଦେଖିବା ବି କଷ୍ଟସାଧ୍ୟ ଥିଲା । ବହୁ ସାହସ ଜୁଟେଇ ଦିନେ ଗୌରୀ ମା' ଆଗରେ ନିଜ ମନର ଭାବନାକୁ ପ୍ରକାଶ କଲା । ବାପା ରାଗରେ ଲାଲ ଆଖି କରି ତାକୁ ତାଗିଦ କରିବାକୁ ଲାଗିଲେ । ପାଠକୁ ଏସବୁ ପାଇଁ ଦାୟୀ କରି କଲେଜ ଯିବା ବନ୍ଦ କରିଦେଲେ। ବିବାହ ପ୍ରସ୍ତାବ ଖୋଜିବାକୁ ଲାଗି ପଡିଲେ। ଗୌରୀ କିନ୍ତୁ ନିଜ ନିଷ୍ପତ୍ତି ରେ ଅଟଳ ରହିଲା । ବାପାଙ୍କୁ ସଫା ସଫା କହିଦେଲା ବାହା ହେବ ତ କେଦାରକୁ ନଚେତ ଆଜୀବନ ଅବିବାହିତ ରହିବ।

ସେପଟେ କେଦାରର ଅବସ୍ଥା ବି ସମାନ ଥିଲା। କିନ୍ତୁ ସେ ଗୌରୀ ଭଳି ଚୁପଚାପ ବସିବା ପିଲା ନ ଥିଲା। ବାପାଙ୍କ ନା ରେ ଚିଠିଟିଏ ଲେଖିଦେଇ ଘର ଛାଡ଼ି ଚାଲି ଆସିଥିଲା ଗୌରୀ ପାଖକୁ । ସ୍ବପ୍ନ ଦେଖେଇଥିଲା ସମସ୍ତଙ୍କୁ ପର କରି ନିଜର ପ୍ରେମର ମହଲ ଗଢିବାକୁ।

କିନ୍ତୁ ସମସ୍ତଙ୍କୁ ଦୁଃଖ ଦେଇ ଆମେ କଣ ସୁଖରେ ଆମ ସଂସାର ଗଢିପାରିବା କେଦାର? ଗୌରୀର ପ୍ରଶ୍ନର ଉତ୍ତର ନଥିଲା କେଦାର ପାଖରେ।

ଯଦି ଆମ ପ୍ରେମ ଉପରେ ବିଶ୍ୱାସ ଅଛି ଅପେକ୍ଷା କର ସେ ଦିନକୁ, ଯୋଉଦିନ ସମସ୍ତଙ୍କ ସହମତି, ଆଶୀର୍ବାଦରେ ଆମ ବିବାହ ଧୁମଧାମରେ ହେବ।

ଇଛା ନ ଥାଇ ବି କେଦାର ଫେରିଯାଇଥିଲା। ଦୁଇ ତିନି ବର୍ଷ ଅପେକ୍ଷା କରିଥିଲା ଗୌରୀ ର। ଏହି ସମୟ ମଧ୍ୟରେ ସରକାରୀ ଚାକିରୀ ଟେ ବି ସେ ପାଇଯାଇଥିଲା। ଶେଷରେ ପ୍ରେମର ବିଜୟ ହେଲା ମାନି ଯାଇଥିଲେ ଦୁହିଁଙ୍କ ପରିବାର। ଧୁମଧାମରେ ବିବାହ କରାଇ ଥିଲେ ଦୁହିଁଙ୍କୁ। କିନ୍ତୁ ଧୀରେ ଧୀରେ ପାରିବାରିକ ଦାୟିତ୍ୱ, ସାମାଜିକ କର୍ତ୍ତବ୍ୟର ଚକିରେ ପେଷି ହୋଇ ଯାଇଥିଲା ସେମାନଙ୍କ ପ୍ରେମ। ସନ୍ତାନ ମାନଙ୍କ ଲାଳନ ପାଳନରେ ଭୁଲି ଯାଇଥିଲେ ନିଜେ ଦେଖି ଥିବା ସ୍ବପ୍ନ।

ଆଜି କିନ୍ତୁ ସେମାନଙ୍କର ସେ ଅବସ୍ଥା ନାହିଁ। ସନ୍ତାନମାନେ ସେମାନଙ୍କ ଜୀପ୍ରତିଷ୍ଠିତ ହୋଇସାରିଛନ୍ତି । କେଦାର ସରକାରୀ ସେବାରୁ ମୁକ୍ତ । ଦୁହିଁଙ୍କ ଆଖିରେ ଭାସିଉଠୁଥିଲା ଗୋଟିଏ ଜବାବ "ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ ଚାଲ ପୁଣିଥରେ ଗଢିବାକୁ ଚେଷ୍ଟା କରିବା ଆମ ପ୍ରେମର ରାଇଜ"।

ଗୌରୀ ଭାବୁଛ କଣ? ଏବେ ବି ସମୟ ଅଛି ଚାଲ ଫେରିଯିବା ଆମ ଅତୀତକୁ।

ଏ ବୟସରେ! ଚାଲି କି ଛକକୁ ଗଲେ ଘରକୁ ଫେରିବା ମୁସ୍କିଲ ହେଉଛି। ଆଉ ତମେ କହୁଛ ଅତୀତକୁ ଫେରିବାକୁ। ଗୌରୀ ହସି ଦେଇ ଚେୟାର ଉପରୁ ଉଠିପଡିଲା। ତମେ ଏଠି ବସି ସ୍ବପ୍ନ ଦେଖୁଥାଅ ମୁଁ ଯାଉଛି ତୁମ ପାଇଁ ଚାହା କପଟେ କରି ଆଣୁଛି। ଚାହା ପିଇଲେ ତୁମ ନିଦ ଭାଙ୍ଗିଯିବ ଆଉ ସ୍ବପ୍ନ ଦେଖାବି।

କେଦାର ଉଠିପଡ଼ି ଗୌରୀର ହାତକୁ ଟାଣି ନିଜ ଆଡକୁ ଭିଡି ଆଣି କୁଣ୍ଢେଇ ଧରିଲା। ଆମେ ମିଶିକି ସ୍ବପ୍ନ ଦେଖିଥିଲେ ଏବେ ବି ସମୟ ଆସିଛି ମିଶି ପୁରାକରିବା।

ସେ ସମୟ କେବେଠୁ ହଜି ଯାଇଛି କେଦାର.... ପ୍ଲିଜ ମୋତେ ଛାଡ! ଯଦି କେହି ଆମକୁ ଏ ଅବସ୍ଥାରେ ଦେଖିବ ହସିବ।

ସମୟ କେବେ ବଦଳେନା ପରିସ୍ଥିତି ମଣିଷକୁ ବଦଳେଇ ଦିଏ। ଥରେ ମନକୁ ସ୍ଥିର କରି ଦେଖ ତୁମେ ଯୋଉଠେ ନିଜକୁ ହଜେଇ ଦେଇଥିଲ ସେଇଠି ପାଇବ। ଝାଳରେ ଭିଜି ମୁହଁରେ ଉପରେ ପଡିଥିବା ଗୌରୀର ଚୁଟିକୁ ସଜାଡି ଦେଇ କେଦାର କହିଲା। ଗୌରୀ ଲାଜେଇ ଗଲା କେଦାରକୁ ନିଜ ଠୁ ଦୂର କରି ହସିଦେଇ ଚାଲିଗଲା।

ଆଜିଠୁ ଆମେ ମନ ଖୋଲି ପ୍ରେମ କରିବା, ଖୋଜି ବୁଲିବା ଆମ ସ୍ୱପ୍ନର ସହରକୁ। ମୁଁ ବାହାରେ ତୁମର ଅପେକ୍ଷା କରିଛି ଜଲ୍ଦି ବାହାର। କେଦାର ପଛରୁ ଚିଲେଇଲା।

ବହୁ ଦିନରୁ ବ୍ୟବହାର କରି ନ ଥିବା ପୁରୁଣା ସ୍କୁଟରଟି କେଦାର ଗ୍ୟାରେଜ ରୁ ବାହାର କରି ଝଡାଝଡି କରି ଷ୍ଟାର୍ଟ କରିବାକୁ ଚେଷ୍ଟା କରୁଥାଏ। ପଛରୁ କାହାର ଆସିବା ଆଭାସ ପାଇ ସେ ବୁଲି ଦେଖିଲା। ସେ ଗୌରୀ ଥିଲେ। କଳା ଛିଟ ଦିଆ ହଳଦିଆ ସାଲୁଆର ସାଙ୍ଗକୁ ପାଉଡର ମରା ମୁହଁ ଲାଜରେ ଲାଲ ପଡିଯାଇଥିଲେ। ବେଣୀରେ ଲାଲ ଗୋଲାପ। ଯେତେବେଳେ ଓଢଣୀକୁ କେଦାର ଦେହରେ ଘସିଦେଇ ଆଖିର ଠାରରେ ପଚାରିଲା "କେମିତି ଦେଖାଯାଉଛି ମୁଁ"। କେଦାର ନିଶବ୍ଦ ହୋଇ ଚାହିଁରହିଥାଏ ଗୌରୀକୁ। ମନରେ ଅନୁଭବ କରୁଥାଏ କଲେଜ ଦିନର ରୋମାଞ୍ଚ। ଲାଗୁଥିଲା ସମୟ ଫେରିଗଲା ପୁଣି ଥରେ ଅତୀତକୁ। ଶରୀର ବ୍ୟତୀତ କିଛିତ ବଦଳିଲା ଭଳି ଲାଗୁନଥିଲା।

ଗାଡି ଷ୍ଟାର୍ଟ ହୋଇଯାଇଇଥାଏ। ଇଶାରାରେ ପଛରେ ବସିବାକୁ କେଦାର ଗୌରୀକୁ କହିଲା। ଖୋଜି ଚାଲିଲେ ହଜିଯାଇଥିବା ସ୍ବପ୍ନ ଫେରିପାଇବାକୁ।

ଘରେ ପହଞ୍ଚୁ ପହଞ୍ଚୁ ବାଜି ଉଠିଲା ଫୋନ। ଫୋନକୁ ଗୌରୀ ହାତରେ ଧରେଇ ଦେଇ କେଦାର ଚାଲିଗଲେ ବାଥରୁମ ଭିତରକୁ। ବାହାରକୁ ଆସିବା ବେଳକୁ ସାମ୍ନା ରେ ଅପେକ୍ଷା କରିଥାଏ ଗୌରୀ।

ତୁମର ଏ ପାଗଲାମୀ ପୁଣି ଥରେ ବନ୍ଦ ହୋଇଯିବ। ଦୁଇ ପୁଅ ବୋହୂ ଆଜି ସନ୍ଧ୍ୟାରେ ଆସି ପହଞ୍ଚୁଛନ୍ତି।

ଆଜି ହଠାତ କେମିତି ସେମାନଙ୍କୁ ଆମ କଥା ମନେ ପଡିଗଲା?

ସେମାନଙ୍କର ଆମ ପାଖରେ କିଛି ଜରୁରୀ କାମ ଅଛି ଆସିଲେ କହିବି କହି କହି ପବିତ୍ର(ବଡ଼ ପୁଅ) ଫୋନ କାଟିଦେଲେ। ଗୌରୀ ଜବାବ ରଖି ରୋଷେଇ ଘର ମୁହାଁ ହେଲା । କେଦାର ସୋଫା ଉପରେ ବସି ଟିଭି ଦେଖିବା ଅଳରେ ଖୋଜୁଥାଏ ସେମାନଙ୍କର ଆସିବାର କାରଣ ।

ଡାକିଲେ କାମ ବାହାନା କରି ଆସୁନଥିବା ପିଲାମାନେ ହଠାତ ଏକ ସଙ୍ଗେ ଆସୁଛନ୍ତି ଏ କଥା କେଦାର କୁ ହୃଦୟ ରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥାଏ। ମନ ମଧ୍ୟରେ କିଛି ଅଘଟଣ ଘଟିବାର ଆଶଙ୍କା ଘରୁଥାଏ।

ସନ୍ଧ୍ୟା ବୁଡୁବୁଡୁ ଦୁଇ ପୁଅ, ବୋହୁ, ଛ ବର୍ଷ ର ନାତୁଣୀ ସ୍ନେହା, ଦୁଇ ବର୍ଷର ନାତି ଶୁଭମ ଆସି ପହଁଚିଲେ। କିଛି କ୍ଷଣ ପୂର୍ବରୁ ଶାନ୍ତ ପଡିଥିବା ଘରଟା କୋଳାହଳ ରେ ଭରି ଗଲା। କିଛି କଥା ବାର୍ତା, ମଜା, ମସ୍ତି ପରେ ଗୌରୀ ନିଜ ହାତରେ ପ୍ରସ୍ତୁତ କରିଥିବା ସେମାନଙ୍କର ମନ ପସନ୍ଦର ସୁସ୍ୱାଦୁ ଖାଦ୍ୟ ପରସି ଦେଲେ।

ବାବା, ମମି ତମେମାନେ ଏଠି ଏ ବୟସରେ ଏକୁଟିଆ ରହୁଛ ଆମକୁ ଟିକିଏ ବି ଭଲ ଲାଗୁନି। ସେଥିପାଇଁ ସାଙ୍ଗରେ ନେଇଯିବାକୁ ଆସିଛୁ। ବଡ଼ପୁଅ ପବିତ୍ର ର କଥା ସେମାନଙ୍କୁ ବିସ୍ମିତ ଲାଗୁଥିଲା।

ସେଠାରେ ବି ଦିନରେ ତମେମାନେ କେହି ରହିବନି, ଆମେ ଦୁହେଁ ନୁଆଁ ଜାଗା ନୁଆଁ ଭାଷା ଘର ଭିତରେ ବନ୍ଦୀ ଭଳି ରହିବୁ। ଆମ ପାଇଁ ଏଠାରେ ହି ଭଲ।

କିଛି ଚିନ୍ତା କରନି ବାପା, ମମିକୁ ମନ୍ଦିର ଯିବାକୁ ଭଲଲାଗେ ମୋ ଘର ପାଖରେ ହିଁ ବହୁତ ବଡ଼ ଜଗନ୍ନାଥ ମନ୍ଦିର ଅଛି। ମମିର ଟାଇମ ପାସ ହେଇଯିବ। ସାନ ପୁଅ ପ୍ରେମ କହିଲା।

ତମ ପାଇଁ ବାବା ମୋ ଘର ପାଖେ ଏକ ଲାଇବ୍ରେରୀ ଅଛି। ସେଠାକୁ କିଛିଦିନ ଗଲେ ଦେଖିବ ତମର ସେଠି ବହୁତ ଗୁଡିଏ ସାଙ୍ଗ ହୋଇଯିବେ। ପବିତ୍ର କହିଲା।

ଯଦି ସେମିତି କହୁଛୁ ତା ହେଲେ ଆମେ ଦୁହେଁ କିଛିଦିନ ପାଇଁ ତୋ ଘରେ ଓ ପ୍ରେମ ର ଘରେ ବୁଲି ଆସିବୁ।

ଭାଇ, ଲାଗୁଛି ବାବା ଆମ କଥା ବୁଝି ପାରିଲେନି।

କଥା କଣ କି ବାପା ଆମେମାନେ ସକାଳୁ ସନ୍ଧ୍ୟା ଯାଏଁ ଅଫିସରେ ରହୁଛୁ, ପିଲାଙ୍କ ଦେଖା ଚାହିଁ କରିବାକୁ କେହି ନାହାନ୍ତି। ତମେ ତ ଜାଣିଛ ଯାହା ବି ଆମେ କମଉଛୁ ଘର କିସ୍ତି, କାର କିସ୍ତି ଆମମାନଙ୍କ ଖର୍ଚ୍ଚକୁ ନିଅଣ୍ଟ। ଘରେ ଆୟା କି ଫୁଲ ଟାଇମ ଚାକର ବାକର ରଖିବା ଆମମାନଙ୍କ ଦ୍ୱାରା ସମ୍ଭବ ନୁହେଁ। ତେଣୁ ଆମେ ଭାବିଲୁ ତମେମାନେ ତ ଫ୍ରି ଅଛ ତମେ ମୋ ପାଖେ ଆଉ ମମି ପ୍ରେମ ପାଖରେ ରହିଲେ ଆମ ସମସ୍ୟା ର ସମାଧାନ ହେଇଯିବ।

ଏମିତି ବି ବିଶେଷ କିଛି ପରିଶ୍ରମ କାମ ନାହିଁ, ସ୍ନେହ କୁ ସ୍କୁଲ ବସ ପାଖରୁ ନେବା ଆଣିବା କରିବ ଆଉ ମମି ମୋ ପୁଅକୁ ସମ୍ଭାଳିବେ। ପ୍ରେମ ଭାଇ କୁ ଆଖି ଠାର ଦେଇ କହିଲା।

ବହୁ ଦିନ ପରେ ତମ ମମି ଏତେ ସ୍ୱାଦିଷ୍ଟ ଖାଇବା କରିଛି, ବୋଧେ ତୁମମାନଙ୍କ ଆସିବ ଖୁସିରେ। କେଦାର ଗୌରୀ କୁ ଦେଖି ହସିଦେଇ କହିଲା। ଗୌରୀ ବି ମୁରୁକି ଦେଇ ଜବାବ ଦେଲା। ରାତି ଅନେକ ହେଲାଣି ମୁ ଭାବୁଛି ଏ ବିଷୟରେ ସକାଳେ କଥା ହେବା।

ସକାଳ ନ ପାହୁନୁ ଘର ଭିତରେ ହଇଚଇ ସୃଷ୍ଟି ହୋଇଗଲା। ବାବା ମମି କୁଆଡେ ଗଲେ ସମସ୍ତେ ଖୋଜି ବୁଲିଲେ। ଗ୍ୟାରେଜ ରେ ଥିବ ପୁରୁଣା ସ୍କୁଟର ବ୍ୟତୀତ ସବୁକିଛି ଆଗଭଳି ଥାଏ। ବହୁ ଖୋଜି ନ ପାଇ ହତାଶା ରେ ଦୁଇ ପୁଅ ସ୍ତ୍ରୀଙ୍କ ସହ ବସି ଚିନ୍ତା କରୁଥାନ୍ତି। ଏହି ସମୟରେ ସ୍ନେହା ଚିଠି ଖଣ୍ଡେ ଧରି ଆସିଲା। ଯୋଉ ଚିଠିକୁ କେଦାର କଲେଜ ଦିନରେ ଘର ଛାଡିବା ଉଦେଶ୍ୟ ରେ ତା ବାପା, ଭାଇ ପାଇଁ ଲେଖିଥିଲା ।

"ତମେମାନେ ନା କେବେ ଆମ ପ୍ରେମ କୁ ବୁଝିପାରିଛ ନାହିଁ କେବେ ବୁଝିପାରିବ। ସବୁବେଳେ ଚେଷ୍ଟା କରିଛ ଆମ ଦୁହିଁଙ୍କୁ ଅଲଗା କରିବା ପାଇଁ କିନ୍ତୁ କେବେ ସମର୍ଥ ହେବନି। ଆମେ ଯାଉଛୁ ତମ ସମସ୍ତଙ୍କ ଠାରୁ ବହୁ ଦୂରକୁ ଯୋଉଠି ଆମକୁ କେହି ଅଲଗା କରି ପାରିବେନି। ଯଦି ପାରିବ ଆମକୁ କ୍ଷମା କରିଦେବ ଆମ ପାଖରେ ଅନ୍ୟ ଉପାୟ କିଛ ନ ଥିଲା। ବାଧ୍ୟ ହୋଇ ଆମେ ଘର ଛାଡ଼ିବାକୁ ନିର୍ଣ୍ଣୟ ନେଲୁ।"

ଛି, ଛି କେମିତିକା ବାପା ମା କେଜାଣି ନିଜ ପୁଅ, ବୋହୁଙ୍କ ମାନ ସମ୍ମାନ କଥା ଟିକିଏ ବି ଭାବିଲେନି। ଏ ବୟସ ରେ ଏତେ ପ୍ରେମ ଝରୁଛି ଯେ ଘର ଛାଡ଼ି ଚାଲିଗଲେ। ଲୋକ ଶୁଣିଲେ କ'ଣ କହିବେ? ବଡ ବୋହୁ ଫୁସଫୁସ ହୋଇ କହିଲା।

ମୁଁ ଆସିଲାଠୁ ସେମାନଙ୍କ ହାବଭାବ ଦେଖି ଜାଣିଥିଲି ନାନୀ ସେମାନଙ୍କର ମତି ଭ୍ରଷ୍ଟ ହେଇଗଲାଣି। ତମେ ଦେଖିନ କେମିତି ନୁଆଁ ବାହାହେଲା ଭଳି ପୁଅ ବୋହୁଙ୍କ ସାମ୍ନାରେ ଯୋଡି ହୋଇ ବସୁଥିଲେ। ଫୁସଫୁସ କଥା ହୋଉଥିଲେ।

ସେମାନେ ଯୁଆଡେ ଯାଇଛନ୍ତି ଯାଇଥାନ୍ତୁ, ଚାଲ ଭାଇ ଆମେ ଶୀଘ୍ର ଏଠାରୁ ଚାଲିଯିବା ନ ହେଲେ ସବୁ ଇଜ୍ଜତ ମହତ ଚାଲିଯିବ। ଯଦି କେହି ସେମାନଙ୍କ ବିଷୟରେ ପଚାରନ୍ତି କହିଦେବା ସାଥିରେ ନେଇ ଆସିଛେ।

କାଳ ବିଳମ୍ବ ନ କରି ପୁଅ ବୋହୂ ଚାଲିଗଲେ ବାଙ୍ଗାଲୋର । ଆଉ କେଦାର ଗୌରୀ ନିଜ ସ୍ୱପ୍ନର ଘର ଆଗରେ ଥିବା ଫୁଲ ବଗିଚାରେ ପଡିଥିବା ବେଞ୍ଚ ଉପରେ ବସି, ହାତରେ ହାତ ରଖି, ପ୍ରେମରେ ଛନ୍ଦି ହୋଇ ହଜି ଯାଇଥିଲେ ଅତୀତର ସ୍ମୃତିରେ।

 "ସତରେ ଶାଶ୍ୱତ ପ୍ରେମ ଉପରେ ନା ସମୟର ଧୂଳି ବସେ, ନାହିଁ ସମାଜର କଠୋର ନୀତି ନିୟମ ପ୍ରତିବନ୍ଧକ ସାଜେ"|

ଜୀବନ ପ୍ରେମ ଗୌରୀ

Rate the content


Originality
Flow
Language
Cover design

Comments

Post

Some text some message..