Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମାଇଁ ସେଣ୍ଟର୍ ଅଫ୍ ଗ୍ରାଭିଟି
ମାଇଁ ସେଣ୍ଟର୍ ଅଫ୍ ଗ୍ରାଭିଟି
★★★★★

© T.Durga Prasad Rao

Inspirational Tragedy

5 Minutes   283    13


Content Ranking



ସମ୍ଭାବନାର ଟୁବି ଗାଡ଼ିଆରେ ବୁଡ଼ଟିଏ ମାରି ଅଧା ଓଦା ଓ ଅଧା ଶୁଖିଲାରେ ମୁଁ ଅନେଇ ରହିଛି ମୋ ପ୍ରିୟାର ବାଟ। ହୃଦୟରେ ବ୍ୟାକୁଳତା। ଆଶା ଓ ଆଶଙ୍କା ଉଭୟ ସମଭାବେ ଗ୍ରାସ କରିଛି ମନକୁ। ପରୀକ୍ଷା ଦେଇସାରି ଫଳକୁ ଅପେକ୍ଷା କରିବା ପରି ଅପେକ୍ଷା କରି ବସିଛି ମୁଁ ମିତାଲିର ବାଟକୁ।

ମିତାଲି ମୋର ବାନ୍ଧବୀ। କେବଳ ବାନ୍ଧବୀ ନୁହଁ ମୋର ତନୁମନ ଆତ୍ମା, ମୋର ପ୍ରିୟତମା, ମୋର ଜୀବନ ସାଥୀ। କିନ୍ତୁ ତା ପାଇଁ ମୁଁ ଯେ କଣ, ଏକଥା ଏବେ ପର୍ଯ୍ୟନ୍ତ ଜାଣିପାରିଲି ନାହିଁ। ମିତାଲି ସହ ମୋର ପରିଚୟ କଲେଜ କ୍ୟାରିୟର୍ ଆରମ୍ଭରୁ। ଆମେ ଏକା ସାଙ୍ଗରେ ଗୋଟିଏ କ୍ଳାସ୍.ରେ ପଢ଼ୁ। ମୁଁ ଟିକିଏ ଭଲ ପଢ଼େ। କ୍ଳାସ୍.ରେ ପ୍ରଥମ। ଆଉ ଭଲ ପଢ଼ୁଆ ପୁଅଙ୍କ ପ୍ରତି ଝିଅ ମାନଙ୍କର ଆନ୍ତରିକତା ନିଶ୍ଚୟ ଅଧିକ। ସେ ଆନ୍ତରିକତାର ଅନ୍ତରାଳରେ କି ସ୍ଵାର୍ଥ ନିହିତ, ତାହା ଅବଶ୍ୟ ଏକ ଭିନ୍ନ ପ୍ରସଙ୍ଗ। ମିତାଲିର ପଢ଼ାପଢ଼ିରେ ଯାହା ସନ୍ଦେହ ରହେ ସେ ମୋଠାରୁ ବୁଝିନିଏ। ସାର୍.ମାନେ ତାଙ୍କ କ୍ଳାସ୍ ନୋଟ୍ ପ୍ରଥମେ ମୋତେ ଦେଇଦିଅନ୍ତି ଏବଂ ପରେ ଅନ୍ୟମାନେ ମୋଠାରୁ ମାଗି ନିଅନ୍ତି। ସେ ଦୃଷ୍ଟିରୁ ମୋତେ କ୍ଷମତାଟିଏ ମିଳିଯାଏ ନୋଟ୍ ଉତ୍ତାରି ସାରିବା ପରେ ମୁଁ ପ୍ରଥମେ କାହାକୁ ଦେବି। ଆଉ ମୋ ପ୍ରାଧାନ୍ୟତାରେ ପ୍ରଥମେ ଦିଶିଯାଏ ମିତାଲି।

ମିତାଲି! ଭାରି ସୁନ୍ଦର ନାଁ ଟିଏ। ସକାଳେ ଶଯ୍ୟାରୁ ଉଠିବା ପୂର୍ବରୁ ସେଇ ତିନି ଅକ୍ଷର ଉଚ୍ଚାରଣ କରିଦେଲେ ମୋତେ ଲାଗେ ମୋର ଦିନଟି ସୁରୁଖୁରୁରେ କଟିଯିବ। ଏତେ ମାଙ୍ଗଳିକ ଲାଗେ ସେ ଶବ୍ଦ। ବିଷ୍ଣୁ ନାମ ପରି ପ୍ରାତଃ ସ୍ମରଣୀୟ। ଅବଶ୍ୟ ସେ ଏକ ଭିନ୍ନ କଥା। ଏଇ ପାଞ୍ଚବର୍ଷ ଯଦି ମୁଁ ବିଷ୍ଣୁ ନାମ ସବୁ ପ୍ରାତଃ ସମୟରେ ଉଚ୍ଚାରଣ କରିଥାନ୍ତି, ବିଷ୍ଣୁ ସ୍ଵୟଂ ଉଭା ହୋଇ ମୋତେ ଆଶିର୍ବାଦ ପୂର୍ବକ ମିତାଲିକୁ ମୋର ବଧୁ ରୂପେ ପ୍ରଦାନ କରି ସାରିଥାନ୍ତେ। ମିତାଲି କିନ୍ତୁ ବର୍ତ୍ତମାନ ସୁଦ୍ଧା ମୋର କି ନୁହେଁ ମୁଁ ଠିକ୍ ରୂପେ କହି ପାରୁନାହିଁ। ଅପେକ୍ଷାର ଫଳ ମିଠା ବୋଲି ସମସ୍ତେ କହନ୍ତି। ସେଇ ଅପେକ୍ଷାରେ ମୁଁ ମିତାଲିକୁ କହିନଥିଲି କାଲି ପର୍ଯ୍ୟନ୍ତ ମୋ ମନର ଉଦ୍ଦେଶ୍ୟ। ମିତାଲିକୁ ମୋ ମନକଥା ନ ଜଣାଇବାର ଆଉ ଗୋଟିଏ କାରଣ ବି ଥିଲା। ତା ହେଉଛି ମୋର ଡର। ମୁଁ ଡରୁଥିଲି ମୋ ଭାଗ୍ୟ ଉପରେ। କ୍ଳାସ୍.ରେ ପ୍ରଥମ ହେବା ଛଡ଼ା ଅନ୍ୟ ଯାହାସବୁ ମୋ ଜୀବନରେ ଏ ଯାବତ୍ ଘଟିଯାଇଛି ମୋ ଇଚ୍ଛାର ବିପରୀତ। ଏଇ ଯେମିତି ମୁଁ ପିଲାଟି ଦିନରୁ ମାଁ ଛେଉଣ୍ଡ। ମୋର ଜନ୍ମର କେଇ ଘଣ୍ଟାରେ ମୋ ମାଆଙ୍କର ମୃତ୍ୟୁ ହୋଇଛି। ଆଉ ସେଇ ରାଗରେ ବାପା ସବୁବେଳେ ମୋ ପ୍ରତି ଉଦାସୀନ। ବୋଧହୁଏ ମନେ ମନେ ସେ ଭାବନ୍ତି, ମୁଁ ଏ ଦୁନିଆଁକୁ ଆସି କଣ ସବୁ ଉଦ୍ଧାର କରି ପକାଇବି ଯେ ତାଙ୍କ ସ୍ତ୍ରୀଙ୍କ ପ୍ରତି ବଦଳରେ ମୋତେ ସେ ଆଦରି ନେବେ। କେବଳ ସମାଜର ତାଡ଼ନାରେ ବାପା ହେବାର କର୍ତ୍ତବ୍ୟଟିକୁ ସେ ଯେମିତି ନିରବରେ ସମ୍ପାଦନ କରି ଆସୁଛନ୍ତି। ଜନ୍ମର ପ୍ରଥମ ପାଞ୍ଚବର୍ଷ ଛାଡ଼ିଦେଲେ ବାକିତକ ସମୟ କଟିଛି ମୋର ହଷ୍ଟେଲ୍.ରେ। ଘର ଠାରୁ ଦୂରରେ। ଫୋନ୍ କଲେ ସବୁବେଳେ ବ୍ୟସ୍ତ। କଥା ହେବା ପାଇଁ କାଳେ ସମୟ ନାହିଁ ତାଙ୍କ ପାଖରେ। ବାପାଙ୍କ ସ୍ନେହ ସରାଗ କାହାକୁ କହନ୍ତି ସେ ପାଞ୍ଚ ବର୍ଷର ଅଭିଜ୍ଞତାରୁ ମୁଁ କିଛି ବୁଝି ପାରିନାହିଁ। ବୁଝି ପାରିନାହିଁ ଅଥବା ମନେ ନାହିଁ। ମାଆଙ୍କୁ କିନ୍ତୁ ସେ ଖୁବ୍ ଭଲ ପାଆନ୍ତି। ସେଇ ଦୃଷ୍ଟିରୁ ସେ ଆଜି ପର୍ଯ୍ୟନ୍ତ ଦ୍ଵିତୀୟ ବିବାହ କରିନାହାନ୍ତି। ହେଲେ ବନ୍ଧୁ ସମ୍ପର୍କୀୟ ବୁଝନ୍ତି ଯେ ନୂଆ ମାଆ ଆସିଲେ ମୋର କାଳେ ହତାଦର ହେବ ସେଇଥିପାଇଁ ବାପା ସମସ୍ତଙ୍କ କଥା ଟାଳି ଚାଲିଛନ୍ତି। ସମସ୍ତଙ୍କ ଦୃଷ୍ଟିରେ ମୁଁ ବାପାଙ୍କର ଅତି ଆଦରର ଗେହ୍ଲା ପୁଅ। ମୁଁ ତାଙ୍କର ପ୍ରାଣ। ବିଜ୍ଞାନ ଭାଷାରେ କହିଲେ ମୁଁ ତାଙ୍କର ସେଣ୍ଟର୍ ଅଫ୍ ଗ୍ରାଭିଟି। କାହିଁ ମୁଁ କିନ୍ତୁ ଠିକ୍ ଅନୁଭବ କରି ପାରୁନାହିଁ। ମୋତେ କାହିଁକି ବାପା ମୋର ସେଣ୍ଟର୍ ଅଫ୍ ଗ୍ରାଭିଟି ଭଳି ଲାଗନ୍ତି ନାହିଁ। ମୋର ସେଣ୍ଟର୍ ଅଫ୍ ଗ୍ରାଭିଟି ମୋର ମିତାଲି। ମୁଁ ବୃତ୍ତ ହେଲେ ସେ ମୋର କେନ୍ଦ୍ରବିନ୍ଦୁ। ମୋର ସବୁ ଇଚ୍ଛା ଆକାଂକ୍ଷା ତାରି ଚାରିପଟେ ଘୁରିବୁଲି କଢ଼ ଧରେ, ପ୍ରସ୍ଫୁଟିତ ହୋଇ ପାଖୁଡ଼ା ମେଲାଇ ହସେ। ହେଲେ ଫୁଟି ଝଡ଼ିଯିବା ଆଗରୁ ମୁଁ ତାକୁ ସଂରକ୍ଷିତ କରି ରଖିବାକୁ ଚାହେଁ। ସବୁବେଳ ପାଇଁ ମୋ ହୃଦୟରେ, ସତେଜତା ଭରା। ଆକାଂକ୍ଷାର ପାଖୁଡ଼ାତକ ନିରାଶ୍ରୟୀ ପରି ମଉଳି ନ ଯାଉ ସେଇଥିପାଇଁ ତ ଏତେ ଦିନ ମୁଁ ମିତାଲିକୁ କହି ପାରିନଥିଲି ମୋ ମନ କଥା। ହେଲେ କେତେ ଦିନ ଆଉ ଅପେକ୍ଷା କରିଥାନ୍ତି! ଆସନ୍ତା କାଲି ପରୀକ୍ଷାର ଶେଷ ଦିନ। ଫଳାଫଳକୁ ଯାହା ଅପେକ୍ଷା। ପୁଣି କେବେ ଦେଖା ହେବ? ଦେଖା ହେବ କି ନା! ତେଣୁ କହିଦେଇଛି ମୋ ମନକଥା। ତୁଣୀରରୁ ତୀର ଖସି ସାରିଛି। ଏବେ ଲକ୍ଷ୍ୟଭେଦ ହେଉଛି କି ଲକ୍ଷ୍ୟଭ୍ରଷ୍ଟ ହେଉଛି ଦେଖିବା କଥା।

ପରୀକ୍ଷା ସରିଛି। ଉତ୍ତର ପତ୍ର ଦେଇ କେତେବେଳୁ ବାହାରି ଯାଇଛି ମିତାଲି। ପରୀକ୍ଷାକକ୍ଷର ବାରଣ୍ଡାରେ ଦିଶୁନାହିଁ ସେ। କାହିଁ ସେପଟ ସେ କୃଷ୍ଣଚୁଡ଼ା ଗଛ, ଯେଉଁଠି ସେ ନିତି ବସେ! ସେଠାରେ ବି ନାହିଁ। ଲାଇବ୍ରେରୀ... ହଁ ... ହଁ... ସେଇଠି ନିଶ୍ଟୟ ଥିବ। ତାର ବହିତକ ଫେରାଉଥିବ। କାହିଁ ନା ତ! ଗଲା କୁଆଡ଼େ? ଗେଟ୍ ବାହାର ସେ ଗୁପ୍ ଚୁପ୍ ଠେଲା, ସେଇଠିକି ଚାଲି ଯାଇନି ତ ସାଙ୍ଗମେଳରେ? ଗୁପ୍ ଚୁପ୍ ଖାଇବାକୁ ଭାରି ଭଲପାଏ ମିତାଲି। ବାଜି ମାରି ଗୁପ୍ ଚୁପ୍ ଖାଇବା ତାର ଅଭ୍ୟାସ। ଆଉ ସବୁ ବେଳେ ଜିତେ। ଖାଲି ଗୁପ୍ ଚୁପ୍ କାହିଁକି? ପ୍ରତି କଥାରେ ବାଜି ମାରିବା ତାର କୌତୁକିଆ ଅଭ୍ୟାସ। ଠେଲା ପାଖରେ ମିତାଲି ନାହିଁ। ଆରେ ସ୍ନେହା, ମିତାଲିକୁ ଦେଖିଲୁ କି? ତୁ କେଉଁଠି ଦେଖିଥିବୁ, ତୁ ତ ମୋ ସାଙ୍ଗରେ ବାହାରକୁ ଆସିଲୁ। ଏ ରାଧିକା, ନା, ତୋତେ ପଚାରିବା ବୃଥା। ତୋର ଆଖି ଗୋଟେ ପାଖେ, କାନ ଆର ପାଖେ ଆଉ ମନ ଯାଇ ଆଉ କାହା ପାଖେ। ତୁ କହି ପାରିବୁ ନାହିଁ। ମୁଁ ଦୌଡ଼ିଲି ବସ୍ ଷ୍ଟପ୍ ଯାଏଁ। ବସ୍ ଟିଏ ଯାତ୍ରୀଙ୍କୁ ଅପେକ୍ଷା କରି ଠିଆ ହୋଇଥିଲା। ପଶିଗଲି ତାରି ଭିତରେ। ତନ୍ନ ତନ୍ନ କରି ଖୋଜି ପକାଇଲି ସେଇ ଭିଡ଼ ଭିତରେ। ଆରେ ରୁହ... ରୁହ... ମୋର ଓହ୍ଲାଇବାର ଅଛି। ବସ୍ ଖଣ୍ଡେ ଦୂର ଯାଇ ଧୀର ହେଲା। ଡେଇଁ ପଡ଼ିଲି ମୁଁ। ହଠାତ୍ ମୋତେ ଲାଗି ବାଇକ୍.ଟିଏ କ୍ଷୀପ୍ର ବେଗରେ ଚାଲିଗଲା। ଆରେ ଏଇତ... ମିତାଲି! ହେଲେ ଆଗରେ ଯିଏ ବାଇକ୍ ଚଳାଉଛି ସେ କିଏ?

ଆଜି ପରୀକ୍ଷା ଫଳ ବାହାରିଛି। ମୁଁ ଖୋଜି ଚାଲିଛି ମୋର ରୋଲ୍ ନମ୍ବର। ଏକ, ଦୁଇ, ତିନି... ଆରେ ଏ କଣ! ମୁଁ ଖସି ଆସିଛି ପଞ୍ଚମ ସ୍ଥାନକୁ! ପ୍ରଥମରୁ ପଞ୍ଚମ! ତାହେଲେ ପ୍ରଥମ କିଏ? ପ୍ରଥମ ରୋଲ୍ ନମ୍ବର ପାର୍ଶ୍ୱର ନାଁ ଟିକୁ ପଢ଼ିଲି। ଆରେ ଇଏ ତ ମିତାଲି! ଫୋନ୍ ରିଂ ହେଲା। ହ୍ୟାଲୋ... ହଁ... କହ ସୀମା। କଣ ହେଲା... କଣ କହିଲୁ? ମୋ ଲାଗି ଦଶହଜାର ବାଜି ହାରିଛୁ... କିନ୍ତୁ କେଉଁଥିପାଇଁ... କଣ କଣ?... ମୋତେ ଚିତ୍.ପଟାଙ୍ଗ କରି ପ୍ରଥମ ହେବାକୁ ବାଜି ଲଗାଇଥିଲା ମିତାଲି... କଣ?... ୟୁନିଭର୍ସିଟି ଟପର୍ ହେଇଛି... ଆଛା ଆଛା... ଫୋନ୍ ରଖ। କଣ କହିଲୁ... ବାହା ହେଉଛି? କାହାକୁ... ଇନ୍ଦ୍ରଜିତ୍ ରାୟ... ମାନେ ସେ ଇଣ୍ଡଷ୍ଟ୍ରିୟାଲିଷ୍ଟ୍ ରାୟବାବୁଙ୍କ ପୁଅ? ଆଉ ଶୁଣିବାକୁ ଧୈର୍ଯ୍ୟ ନ ଥିଲା। ମୁଁ ଫୋନ୍ କାଟିଦେଲି।

ଆଇ ହେଟ୍ ଗାର୍ଲସ୍। ମୁଁ ଫୋନ୍ ରିଂ କଲି ବାପାଙ୍କୁ।

- ହ୍ୱେର୍ ଆର୍ ୟୁ ଡ୍ୟାଡ୍... ଆଇ ମିସ୍ ୟୁ ସୋ ମଚ୍... ଆଇ ଲଭ୍ ୟୁ ଡ୍ୟାଡ୍। ୟୁ ଆର୍ ମାଇ ସେଣ୍ଟର୍ ଅଫ୍ ଗ୍ରାଭିଟି। ୟୁ ଆର୍ ମାଇ ହାର୍ଟ୍, ମାଇ ସୋଲ୍। ଆଇ କ୍ୟାନଟ୍ ଲିଭ୍ ୱିଦ୍ ଆଉଟ୍ ୟୁ ଡ୍ୟାଡ୍। କମ୍ ସୁନ୍ ପ୍ଳିଜ୍।

- ୟୋର୍ ଡ୍ୟାଡ୍ ଇଜ୍ ନୋ ମୋର୍ ମାଇ ସନ୍। ସେ ଚଉଦ ବର୍ଷ ତଳେ ହିଁ ଏ ଇହଧାମ ଛାଡ଼ି ଚାଲି ଯାଇଛନ୍ତି। ତୁମ ଭବିଷ୍ୟତ କଥା ଚିନ୍ତା କରି ଏକଥା ମୁଁ ତୁମ ଠାରୁ ଲୁଚାଇ ରଖିଛି। ଆଉ ପ୍ରତିଥର ତୁମକୁ ଭୁଲ୍ ତଥ୍ୟ ଦେଇଛି ଯେ ସେ କାର୍ଯ୍ୟବ୍ୟସ୍ତ ଅଛନ୍ତି, ତୁମ ସହ କଥା ହୋଇ ପାରିବେ ନାହିଁ। ମୋତେ କ୍ଷମା କରିଦିଅ। ମୁଁ ଆସୁଛି ତୁମ ପାଖକୁ। ମ୍ୟାନେଜର୍ ମଣି ଅଙ୍କଲ୍.ଙ୍କ କଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା। ଆଖିରୁ ଖସି ଆସିଲା ଧାର ଧାର ଅଶ୍ରୁ।


ଟି.ଦୁର୍ଗା ପ୍ରସାଦ ରାଓ

ସମ୍ଭାବନା ଜୀବନ ସାଥୀ ସନ୍ଦେହ

Rate the content


Originality
Flow
Language
Cover design

Comments

Post

Some text some message..