Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2.0  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ଜହ୍ନମାମୁଁ -୪୩

ଜହ୍ନମାମୁଁ -୪୩

3 mins
7.5K


ଭାଗ୍ୟର ବିଡମ୍ବନା -

ନିଶା ଗରଜୁଥାଏ । ତୁହାକୁ ତୁହା ଥଣ୍ଡା ପବନ ସାଙ୍ଗକୁ ଅସରାଏ ଲେଖାଏଁ ବର୍ଷା ବି ହୋଇ ଯାଉଥାଏ । ଘଡଘଡି ମଝିରେ ଶ୍ୱାନଶ୍ୱାପଦଙ୍କ ରଡି ତଥା ଅଶରିରୀମାନଙ୍କ ଅଟ୍ଟହାସ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅର ଝଲକରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ଭୟଭୀତ ନ ହୋଇ ପୁନରାୟ ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତା’ପରେ ତାକୁ କାନ୍ଧରେ ପକାଇ ସେ ଶୁନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତୁମ ସାହସ ଓ ଅଧ୍ୟବସାୟ ସକାଶେ ତୁମେ ବାହାବା ପାଇବା କଥା । କିନ୍ତୁ ତୁମେ ଯେଉଁ କାମ ହାତକୁ ନେଇଛ, ସେଥିରେ ସଫଳ ହେବ କି ନ ହେବ ତାହା ଭାଗ୍ୟ ଉପରେ ନିର୍ଭର କରେ ସିନା! ମୋ କଥାର ଯଥାର୍ଥ ବୁଝାଇବା ନିମନ୍ତେ ମୁଁ ଗୋଟାଏ ଘଟଣା କହୁଛି, ତାହା ଶୁଣ । ତାହା ଶୁଣିଲେ ତମ ଶ୍ରମଭାର ଲାଘବ ମନେ ହେବ ।”

ଏହାପରେ ସେ ବେତାଳ ଗପିଲା: ଗୋଟାଏ ବଡ ଗାଁ ମଝିରେ ଗୋଟାଏ ବରଗଛ ଥାଏ । ସେ ବରଗଛ ତଳେ ଜଣେ ଅନ୍ଧ ଭିଖାରୀ ରହୁଥାଏ ।

ଦିନେ ସେ ଭିଖାରୀ ବୁଢା ଶିବ ମନ୍ଦିର ଆଡେ ବାଡି ଠୁକୁ ଠୁକୁ କରି ଯାଉଛି, ହଠାତ୍ ଗୋଟାଏ ପଥର ଝଂଟି ତଳେ ସେ ପଡିଗଲା । ଜଣେ ତରୁଣ ଦୌଡି ଆସି ତାକୁ ତଳୁ ଉଠାଇଲା ଓ କହିଲା, “ଏଡେ ବଡ ପଥରଟାଏ ପଡିଛି, ତମେ କ’ଣ ତାହା ଦେଖି ପାରୁନାହଁ?”

ବୁଢା ଭିଖାରୀ କହିଲା “ପୁଅ! ମୁଁ ଜଣେ ଅନ୍ଧ । ତମେ ଏ ଗାଁରେ ନୂଆ ବୋଲି ଏକଥା ବୋଧହୁଏ ଜାଣି ନାହଁ ।”

ତରୁଣ ଜଣକ ଆଶ୍ଚର୍ଯ୍ୟ ହୋଇ ପଚାରିଲା “ମୁଁ ଏ ଗାଁରେ ନୂଆ ବୋଲି ତମେ କିପରି ଜାଣିଲ?”

ଭିଖାରୀ ହସିଲା ଓ କହିଲା, “ପୁଅ, ମୁଁ ସିନା ଅନ୍ଧ, କିନ୍ତୁ ଏ ଗାଁର ପ୍ରତ୍ୟେକ ଲୋକର କଣ୍ଠସ୍ୱର ସହ ମୁଁ ଖୁବ୍ ପରିଚିତ । ତମ କଣ୍ଠସ୍ୱର ନୂଆ । ତମେ କେଉଁଠାରୁ ଆସିଛ? ତମ ନାମ କ’ଣ? ଏଠାରେ କ’ଣ କରୁଛ?”

ସାରଥୀ କହିଲା “ମୁଁ ବହୁତ ଦୂର ଗାଁରୁ ଆସିଛି । ମୋ ନାମ ସାରଥୀ । ଏହା ଗୋଟାଏ ବଡ ଗାଁ ବୋଲି ଏଠି କୌଣସି କାମ ମିଳିବ, ସେହି ଆଶାରେ ମୁଁ ଏଠାକୁ ଆସିଥିଲି । କିନ୍ତୁ ସକାଳଠୁଁ ବୁଲୁଛି । ବର୍ତ୍ତମାନ ସୂର୍ଯ୍ୟ ଆସି ଡୁବିବାକୁ ବସିଲେଣି । କିନ୍ତୁ କୌଣସି କାମ ମିଳୁନାହିଁ ।”

ଅନ୍ଧ ପଚାରିଲା “ତମର କ’ଣ ବାପା ମା କେହି ନାହାଁନ୍ତି?”

ସାରଥୀ ଦୀର୍ଘନିଃଶ୍ୱାସ ଛାଡି କହିଲା “ନା । ମୁଁ ଜନ୍ମ ହେବାର ବର୍ଷକ ଭିତରେ ସେ ଦୁହେଁ ଇହଧାମରୁ ବିଦାୟ ନେଇଥିଲେ । ସେଥିପାଇଁ ମୋତେ ମୋ ଜେଜେ ମା ପାଳୁଥିଲା । ସେ ବି ଏବେ ଚାଲିଗଲା!”

ଅନ୍ଧ ପଚାରିଲା “ଖିଆପିଆ କରିଛ?”

ଏ ପ୍ରଶ୍ନରେ ସାରଥୀ ତ ପ୍ରଥମେ କିଛି କହିଲା ନାହିଁ । କିନ୍ତୁ ଅନ୍ଧ ପୁଣି ସେହି ଏକା କଥା ପଚାରିବାରୁ ସେ ପୂର୍ବଦିନରୁ କିଛି ଖାଇନାହିଁ ବୋଲି ସ୍ୱୀକାର କଲା । ଅନ୍ଧ ତା’ ପୁଟୁଳିରେ ଦୁଇଖଣ୍ଡି ରୋଟି ଓ ଗୋଟିଏ କଦଳି ରଖିଥିଲା । ସାରଥୀକୁ ସେ ତାହା ଖାଇବାକୁ ଦେଲା । ସାରଥୀକୁ ତାହା ଅମୃତ ଭଳି ସୁଆଦୁ ଲାଗିଲା । ବୁଢାର ଏଭଳି ସ୍ନେହ ଓ ଉଦାରତା ଦେଖି ତା’ ଆଖିକୁ ଜଳ ଆସିଗଲା ।

ଅନ୍ଧକୁ ସେ ବାଟ କଢାଇ ଶିବ ମନ୍ଦିର ଯାଏଁ ନେଇଗଲା । ମନ୍ଦିର ଆଗରେ ସେ ଦୁହେଁ ବସି ରହିଲେ । ମନ୍ଦିରକୁ ଆସୁଥିବା ଲୋକଙ୍କ ଭିତରୁ କେହି କେହି ଅନ୍ଧ ତା’ ଆଗରେ ବିଛାଇ ରଖିଥିବା ଲୁଗା ଉପରେ ପ୍ରସାଦରୁ କିଛି ବା ପଇସାପତ୍ର ପକାଇ ଦେଉଥାନ୍ତି ।

ରାତିରେ ବରଗଛ ତଳେ ଅନ୍ଧ ସହିତ ସାରଥୀ ବି ଶୋଇଗଲା । ସକାଳେ ସେ ଅନ୍ଧକୁ ଧରି ମନ୍ଦିର ପାଖକୁ ନେଇଗଲା । ଦିନଯାକ ଯେତିକି ପଇସା ମିଳିଲା, ସେଥିରେ ସେ ବଜାରରୁ କିଛି ଖାଦ୍ୟ କିଣି ଆଣିଲା । ଦୁହେଁ ମିଶି ଖିଆପିଆ କରି ପୁଣି ସେହି ବରଗଛ ତଳେ ରାତି କଟାଇଲେ । ତେଣିକି ସବୁଦିନେ ତାଙ୍କର ସେମିତି ଚାଲିଲା । ଅନ୍ଧ ଭିକାରୀ ସାରଥୀକୁ ନିଜ ପୁଅ ଭଳି ସ୍ନେହ କରିବାକୁ ଲାଗିଲା ।

ଦିନେ ଦୁଇପହର ବେଳେ ମନ୍ଦିର କାନ୍ଥକୁ ଆଉଜି ପଡି ଅନ୍ଧ ବୁଢା ଶୋଇ ପଡିଥାଏ । ସାରଥୀ ପାଖରେ ବସିଥିଲା । ତା’ ଆଖି ମଧ୍ୟ ବୁଜି ହୋଇ ଆସିଥାଏ । ହଠାତ୍ ଏକ ମୃଦୁ ଶବ୍ଦରେ ସେ ତା’ ଆଖି ଖୋଲି ଦେଖିଲା, ଅନ୍ଧ ବୁଢାର ଲୁଗା ଉପରେ ଛୋଟିଆ ଥଳିଟିଏ ପଡିଛି । ମୂଲ୍ୟବାନ ପୋଷାକ ପିନ୍ଧିଥିବା ଜଣେ ବୟସ୍କ ବ୍ୟକ୍ତି ଚାଲି ଯାଉଛନ୍ତି ।

ସାରଥୀ ଅନ୍ଧକୁ କହିଲା “ଶୋଇ ପଡିଛ କି? ଜଣେ ଭଦ୍ରଲୋକ ଗୋଟାଏ ଥଳି ପକାଇଦେଇ ଗଲେ ।” କିନ୍ତୁ ଅନ୍ଧକୁ ସେତେବେଳେ ଗାଢ ନିଦ ଘାରି ଆସିଥିଲା । ସେ ଉତ୍ତର ଦେଲା ନାହିଁ । ସାରଥୀ ଥଳିଟି ଉଠାଇ ନେଇ ଭଦ୍ରଲୋକଙ୍କ ଆଡେ ଅନାଇଲା । ଭଦ୍ରଲୋକ ଥରେ ପଛକୁ ଚାହିଁ ଅଳ୍ପ ହସିଦେଇ ପୁଣି ନିଜ ବାଟରେ ଚାଲିଗଲେ ।


Rate this content
Log in

Similar oriya story from Classics