Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

3  

Satyabati Swain

Inspirational

ଅଭିନବ ରିସେପସନ୍

ଅଭିନବ ରିସେପସନ୍

3 mins
201



ଆଜି ପିନାକୀର ରିସେପସନ୍ । ଘର ଯାକ ବାପା ମା,ଭାଇ ,ବନ୍ଧୁ ବାନ୍ଧବ ଘାଣ୍ଟି ସାରିଲେଣି । କେଉଁଠି ମିଳୁନାହାନ୍ତି ପିନାକୀ କି ଦ୍ରାକ୍ଷା । ପିନାକୀ ଲଭ୍ ମ୍ୟାରେଜ୍ କରିଛି । ବାପମାଙ୍କର ବୋହୂ ଦ୍ରାକ୍ଷା ବହୁତ ପସନ୍ଦ । ପୁଅ ତାଙ୍କର ଆଛା କାମଟିଏ କରିଛି । ସେମାନେ କଣ ପିନାକୀ ପାଇଁ ଏତେ ସୁନ୍ଦର,ଗୁଣର ବୋହୂ ଖୋଜି ପାରିଥାନ୍ତେ ! ଦୀର୍ଘାୟୁ କର ଜୀବନ ଓ ସମ୍ପର୍କ ପ୍ରଭୁ ନୀଳକଣ୍ଠେଶ୍ୱର କହି ବାପମା ପ୍ରଭୁଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ । ହେଲେ ସେମାନେ ଆଜି ପର ଦିନରେ ଏତେ ସକାଳୁ ଦୁହେଁ କୁଆଡେ ଗଲେ ?

ରୋଷେଇଆ ବିପିନ କହିଲା ଆଜ୍ଞା ମୁଁ ଭ୍ରୁସଙ୍ଗ ପତ୍ର ଆଣି ଆସୁଥିଲି ନୂଆ ବୋହୂ ମା ଓ ପିନାବୁ ବଗିଚା ଆଡେ ଯାଉଥିଲେ ।

ବଗିଚା ଆଡେ ! ହେଲେ କାହିଁକି ? ଦୌଡ଼ିଲେ ସମସ୍ତେ ବଗିଚା ଆଡକୁ ଆଶା ଆଶଙ୍କାରେ ।


ପିନାକୀ ଆମ୍ବ,ନିମ,ବର, ଅଶ୍ୱତ୍ଥ,ନଡ଼ିଆ,ଶାଳ,କୃଷ୍ଣ ଚୂଡ଼ା,ରାଧା ଚୂଡ଼ା,ଛୁରିଅନା ଏହି ପରି ଆହୁରି କେତେ ଗଛ ଲଗାଉଥିଲା । ଦ୍ରାକ୍ଷା ପାଣି ଦେଇ ଦେଇ ଯାଉଥିଲା ।

ବାପା ମା ସମେତ ସମସ୍ତ ବନ୍ଧୁ ବାନ୍ଧବ କାବା ହୋଇ ପଚାରିଲେ ହଇଓ ନୂଆ ବର କନିଆଁ ଏ କି ପାଗଳାମୀ ! ଘର ବାହାର ଖୋଜା ଚାଲୁଛି, ୟାଙ୍କୁ ଦେଖ୍ ଖେଳୁଛନ୍ତି ଛୁଆଙ୍କ ପରି ।


ପିନାକୀ ଗଛ ଲଗାଉ ଲଗାଉ ଟିକେ ହସିଲେ ଓ କହିଲେ ଆମେ କଣ ଛୁଆ ହୋଇଛୁ ଭିଡ଼ ମେଳାରେ ହଜିଯିବୁ ? କାମ ସରିଲେ ଯାଇ ନଥାନ୍ତୁ । ବ୍ୟସ୍ତ କାଇଁ ହେଉଥିଲେ ?


ପାନ ଖିଆ ଦାନ୍ତ ଦେଖାଇ ଅଜା ନକଲିଆ ହିସାବ ହେବେ କହିଲେ "ଆମେ ଭାବିଲୁ ଚତୁର୍ଥୀ ନ ସରୁଣୁ ତମେ ଦିଟା କେଉଁଠି ଲୁଚି ଛପି ନୁଙ୍ଗୁର ପୁଙ୍ଗୁର ହେଲଣି ନା" ।


ହସି ଉଠିଲେ ସମସ୍ତେ । ଦ୍ରାକ୍ଷା ଟିକେ ଲାଜରା ହୋଇଗଲା ଅଜାଙ୍କ ଏପରି ମନ୍ତବ୍ୟରେ । ପିନାକୀ ପରିସ୍ଥିତି କୁ ସମ୍ଭାଳିବାକୁ ଯାଇ କହିଲା-ବୁଝିଲ ଅଜା ତୁମ ନାତୁଣୀ ବୋହୂ ମୋ ସଂଗେ ସର୍ତ୍ତ ରଖିଥିଲା ଆମ ରିସେପସନ୍ ଦିନ ଆମେ ଦୁହେଁ ମିଶି ଶହେଟି ଗଛ ଲଗାଇବୁ । ମୁଁ ଗଛ ଲଗାଇବି ସେ ପାଣି ଦେବ । ନଚେତ ତା ଦେହ ମୋତେ ଛୁଆଁଇଁ ଦେବ ନାହିଁ । ଜାଣିଲ ଅଜା ଏ ଦ୍ରାକ୍ଷାଟା ଭାରି ଭାଉ ଖିଆ ଝିଅ । ଭଲ ସିନା ପାଉ ହେଲେ ପାଖ ମଡ଼େଇ ଦେଇନି । ସାମାଜିକ ବିଧି ନସରିବା ଯାଏ ଆମେ ସାଙ୍ଗର ଲକ୍ଷ୍ମଣରେଖା ଭିତରେ ରହିଛୁ । ଗଛ ଯଦି ନ ଲଗାଇବି ତାହେଲେ ବାହା ହୋଇ ବି ଓଥୋରା ରହିବି ହୋ ଅଜା ।

ହୋ ହୋ ହସରେ ଫାଟି ପଡିଲା ବଗିଚାଟି । ଏଥର ପିନାକୀ କହିଲା ବୁଝିଲେ ଆଜ୍ଞା ମାନେ"କୁହନ୍ତୁ ତ ଜଙ୍ଗଲ,ଗଛ କାଟି ଆମେ ଘର,ସହର,କଳ କାରଖାନା କଲେ । ଫଳତଃ କଣ ହେଲା-ବନ୍ୟା, ବାତ୍ୟା, ଭୂମିକମ୍ପ ,ଅଂଶୁଘାତ ଆଦି ଭୟାନକ ବିପଦ ପଡୁଛି । ଏବେ ଫନି କି ଅବସ୍ଥା କଲା ଦେଖିଲେ ତ ! ବିନା ପାଣି,ପାୱାର, ଆଲୁଅର କି ହନ୍ତ ସନ୍ତ ଜୀବନ !!

ଆହୁରି ବି ଗଛ ବୃଛ ନାହିଁ ବୋଲି କେତେ ପଶୁ,ପକ୍ଷୀ ଲୋପ ପାଇ ଗଲେଣି । ବାୟୁମଣ୍ଡଳ ଏତେ ମାତ୍ରାରେ ଦୂଷିତ ଯେ କିଭକି ମାରାତ୍ମକ ରୋଗ ସବୁ ହେଉଛି । ମାଟି ବି ଅମଳ ଦେଉନି ଠିକ୍ ରେ । ବର୍ଷା ତ ହତାଶ କରୁଛି । ମାଟି ତଳ ପାଣି ବି ସରି ଗଲାଣି । ଏଥର କେମିତି ବଞ୍ଚିବା କହୁ ନାହାନ୍ତି!!


ସମସ୍ତେ ଏକ ସ୍ୱରରେ କହିଲେ- ହଁ ରେ ପିନାକୀ,ଏମିତି ତ ହେଉଛି । ଏଇ ଦେଖୁଣୁ ବରକୁବର ଅଳ୍ପ ସମୟ ବ୍ୟବଧାନରେ କେମିତି ବାତ୍ୟା ଆସି ଦୋହଲେଇ ଦେଉଛି ମଣିଷ ଓ ଜୀବ ଜଗତ ମେରୁ ଦଣ୍ଡ! ସାମୁଦ୍ରିକ ଝଡ଼ ହୁଡ୍ ହୁଡ୍,ତିତିଲ୍ ଏବେ ପୁଣି ଫନି । କେମିତି କିଲି ବିଲି କରି ମାରୁଛନ୍ତି । କଣ କଲେ ଏଥିରୁ ରକ୍ଷା ମିଳିବ କହିଲୁ,ବାବୁ ।

ପିନାକୀ କହିଲା ଦ୍ରାକ୍ଷା ସେଇଥି ପାଇଁ ପରା ମୋ ସଂଗେ ସର୍ତ୍ତ ରଖିଥିଲା । ଆମ ରିସେପସନ୍ ଦିନ ଆମେ ଶହେଟି ଗଛ ଲଗାଇବୁ । ଦେଖିନ ଗାଡିଏ ଗଛ ଯୌତୁକ ଆଣି ସେ ଆସିଛି । ତୁମେ ମାନେ ହସୁଥିଲ ପରା ଗଛ


ଗାଡିକୁ ଦେଖି!!ଯେତେ ସବୁ ବିପଦ କଥା କହିଲି କେବଳ ଗଛ ମାନେ ହିଁ ଆମକୁ ସମସ୍ତ ବିପଦରୁ ରକ୍ଷା କରି ପାରିବେ । ଏଣୁ ଦ୍ରାକ୍ଷା ଓ ମୁଁ ଶପଥ କରିଛୁ ମୁଁ ଗଛ ଲଗାଇବି,ବାଡ଼ ଦେବି ଓ ସେ ଖତ, ପାଣି,ଔଷଧ ପକାଇବ । ଆମେ ଆମ ଘର ପଛ ପଟେ ଛୋଟ ଜଙ୍ଗଲଟିଏ କରିବୁ ।


ଗଛ ବଡ଼ ହେବ,ଫୁଲ,ଫଳ,କାଠ,ଜାଳ ଦେବ କେତେ ପଶୁ ପକ୍ଷୀଙ୍କ ଘର ହେବ । ଖରାଦିନେ ଆମ ଘର ଥଣ୍ଡା ରହିବ । ବୁଝିଲ ଅଜା ଆମ ପିଲା ଝିଲା ବି ଏଇଠି ଖେଳିବେ,ବୁଲିବେ ।

"ପରିବେଶ ସୁରକ୍ଷା ଜୀବନ ରକ୍ଷା । ସୁସ୍ଥ ପରିବେଶ ସୁସ୍ଥ ମଣିଷ" ହୋ ଅଜା ।


ଅତ୍ମୀୟସ୍ଵଜନ ଏକଥାର ଗୁରୁତ୍ତ୍ୱ ଉପଲବ୍ଧି କରି ପାରିଲେ । ପିନାକୀ ଓ ଦ୍ରାକ୍ଷା ଙ୍କ "ଅଭିନବ ରିସେପସନ୍" ସମସ୍ତ ମନ ଛୁଇଁଲା ।


ଅଜା ହସି ହସି କହିଲେ-ମୋ ନାତୁଣୀ ବୋହୂ ଟା ଖାସା ପିଲାଟିଏ । ଜାଣିଲୁ ପିନୁ ତୁ କପାଳିଆ ଟାରେ ଏମିତି ହୀରା ଖଣ୍ଡେ ପାଇଛୁ । ଆରେ ଗାଁ ଲୋକେ ଶିଖ ମୋ ନାତି ନାତୁଣୀ ବୋହୁଙ୍କ ଠାରୁ କେମିତି ବଞ୍ଚିବ ଜୀବ ଜଗତ ଓ ମଣିଷ । ଗଛ ଆମର ବନ୍ଧୁ,ଗଛ ଆମର ଜୀବନ । ଆସ ସମସ୍ତେ ସଂକଳ୍ପ କରିବା ଏମିତି ଭଲ ଦିନ ମାନଙ୍କରେ ଗଛ ଲଗାଇବା ।


ବେଳ ଗଡି ଯାଉଛି ପୁଅ ବୋହୂଙ୍କୁ କର୍ମ ଉପରକୁ ଆଣ ବୋଲି ଡକା ଛାଡୁଥିଲେ ବ୍ରାହ୍ମଣ ।



Rate this content
Log in

Similar oriya story from Inspirational