Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

sushama Parija

Tragedy

3  

sushama Parija

Tragedy

ବାଟବଣା ପଥିକ

ବାଟବଣା ପଥିକ

10 mins
7.5K


ଗୋଟିଏ ଅବ୍ୟକ୍ତ ଯନ୍ତ୍ରଣାରେ ଛଟପଟ ହେଉଥିଲା ସାହେବ । ସାହେବ ନାଏକ ପଁଇତିରିଶ ବର୍ଷର ଯୁଆନ ଭେଣ୍ଡା , ଘରେ ତା'ର ତିରିଲା ପଳାଶ, ସାନ ସାନ ଦୁଇଟି ପୁଅ ବବୁଲ୍, ଟୁବୁଲ୍ , ବୁଢା ବାପ ହାକିମ ନାଏକ, ମାଆ ସାରୀ ନାଏକ କୁ ମିଶାଇ ଛଅ ପ୍ରାଣୀ କୁଟୁମ୍ବ । ଆଜି କି ପନ୍ଦର ଦିନ ହେବ ମାଆକୁ ଜର । ବାପାଙ୍କ

ଧଇଁ କାଶଟା ମାସେ ହେଲାଣି ବାହାରି ପଡିଛି ଯେ ସେ ରାତି ସାରା କାଶି କାଶି ବେଦମ୍ ହେଉଛନ୍ତି । ପଳାଶ ପେଟରେ ପାଞ୍ଚ ମାସର ଛୁଆକୁ ଧରି କାମ କରି କରି ନୟାନ୍ତ ହେଉଛି । କାହାରି ପାଇଁ କିଛି କରି ପାରୁନି ସାହେବ। ଯେଉଁ ଠିକାଦାର ପାଖରେ ସେ କାମ କରେ ସିଏ ଯାଇଛି ସହରକୁ ଟଙ୍କା ଆଣିବାକୁ । ଏଠାର

କୁଲି ସର୍ଦ୍ଦାର କହୁଛି କ'ଣ ଗୋଟାଏ ବିଲ୍ ପାସ୍ ହେବ , ତା'ପରେ ଟଙ୍କା ମିଳିବ ଠିକାଦାରକୁ। କେବେ ମିଳିବ କିଏ ଜାଣେ ? ହପ୍ତା କୁ ହପ୍ତା ମଜୁରୀ ମିଳେ ସାହେବକୁ । ସେଇଥିରେ ତା'ର ଘର ଚଳେ। ଏବେ ଦୁଇ ତିନି ହପ୍ତା ହେଲାଣି ମଜୁରୀ ମିଳିବାକୁ ନାହିଁ । ଖଟିଖିଆ ମଣିଷର ତ କାନ୍ଧ ଅଲଗୁଣି, ପେଟ ଅମାର । ଆଉ କୋଉଠି କ'ଣ ଅଛି ଯେ ସିଏ ଘର ଚଳେଇବ । ମାଆ ଯୋଉ ଆମ୍ବ ଟାକୁଆରୁ କୋଇଲି କାଢି, ତା'କୁ ଶୁଖାଇ ଚୁନାକରି ରଖି ଥିଲା ସେଇଆକୁ ଜାଉ କରି ଖାଉଛନ୍ତି ସମସ୍ତେ । ଛୁଆ ଦୁଇଟା ଖାଲି କ'ଣ ଖାଇବେ କ'ଣ ଖାଇବେ ବୋଲି ଡହଳବିକଳ ହେଉଛନ୍ତି । ସେମାନଙ୍କୁ ଚାହିଁ ମୁହଁ ଶୁଖି ଯାଉଛି ପଳାଶ ର। ସେ ନିଜେ ଟିକେ ଭଲ ମନ୍ଦ ଖାଇବାକୁ ଇଚ୍ଛା ଥିଲେ ବି ମନକୁ ମାରି ରହୁଛି । ମାଆର ଜରୁଆ ପାଟିକୁ କିଛି ଭଲ ଲାଗୁନି,

ସିଏ ବି ପିଲାଙ୍କ ମୁହଁକୁ ଚାହିଁ ଚୁପ୍ ରହୁଛି । ବାପା ଜୁଳୁ ଜୁଳୁ କରି ଚାହିଁ ରହୁଛି , ଅସହାୟତାର ଦୀର୍ଘଶ୍ୱାସ ଛାଡୁଛି ରହି ରହି । ଖୁବ୍ ଅସହାୟ ଲାଗୁଛି ସାହେବକୁ । କାନ୍ଦିବାକୁ ଇଚ୍ଛା ହେଉଛି ବୁକୁ ଫଟେଇ ।

ଦିନ ଥିଲା ଯେତେବେଳେ ତା' ବାପା ମାଆ ଜଙ୍ଗଲରୁ ଶାଳ ପତ୍ର, ଛତୁ, ମହୁଲ ସଂଗ୍ରହ କରି ଆଣୁଥିଲେ ଆଉ ସାହେବ ତା'ଭଉଣୀ ରୁକ୍ମିଣୀ ସାଙ୍ଗରେ ସେ ସବୁ ଜିନିଷକୁ ନେଇ ଗାଁ ହାଟରେ ବିକ୍ରି କରି ଖୁବ୍ ପଇସା କମେଇ ଆଣୁଥିଲା । ସେଥିରେ ହାଟ ସଉଦା ହୋଇ ସାରି ଆହୁରି ଦି'ପଇସା ବଳି ପଡୁଥିଲା । ସେତକ ଆଣି ମାଆ ହାତରେ ଦେଲା ବେଳକୁ ମାଆର ମୁହଁରେ ଯେଉଁ ଖୁସି ର ଚନ୍ଦ୍ର ଉଦିଆ ହସ ଟିକକ ଉକୁଟି ଉଠୁଥିଲା ସେଇ ଖୁସି ପନ୍ଦର ବର୍ଷ ର ପୁଅ ସାହେବ କୁ କାଠିଏ ବଳ ଦେଉଥିଲା ଆହୁରି ଅଧିକ କାମ କରିବାକୁ । ସେ

ହାଟ ରେ ବେପାରୀମାନଙ୍କର ଛୋଟ ଛୋଟ କାମ, ଯେମିତି କି ଟିକିଏ ପାଣି କି ଚା ଆଣିବା, ଛୋଟ ଛୋଟ

ବୋଝ ଉଠାଇଦେବା ଇତ୍ୟାଦି କାମ କରି ଆଉ ଦୁଇ ପଇସା ଅଧିକ ରୋଜଗାର କରି ଆଣୁଥିଲା । ବାଟରେ ଭାଇଭଉଣୀ ମିଠେଇ ଖାଉଥିଲେ, ଭଉଣୀ ପାଇଁ ନାଲିଫିତା, ନଖପାଲିସି କିଣି ଆଣୁଥିଲେ, କେତେ ଖୁସିରେ ଆଶୀର୍ବାଦ କରି କହୁଥିଲା ମାଆ ''ମୋ ପୁଅ ସତସତିକା ସାହେବ ହେବ ଦିନେ ''। ଦୂରରେ ଥାଇ ଅଦୃଶ୍ୟ ଭବିଷ୍ୟତର ଆନନ୍ଦରେ ଉଜ୍ଜ୍ବଳି ଉଠୁଥିଲା ବାପାର ମୁହଁ। ହେଲେ କିଏ ଜାଣିଥିଲା ଦିନେ ସେମାନଙ୍କୁ ଏମିତି

ଅବସ୍ଥାରେ ଦିନ କାଟିବାକୁ ପଡିବ ବୋଲି ।

ତାଙ୍କର ଏବଂ ତାଙ୍କରି ଭଳିଆ ଅନେକ ପରିବାରର ଦୁର୍ଭାଗ୍ୟର ଦିନ ଆରମ୍ଭ ହୋଇଥିଲା ସେଇଦିନ , ଯେଉଁଦିନ ସରକାର ତାଙ୍କ ଗାଁ ପାଖ ଜଙ୍ଗଲକୁ ନିଲାମରେ ଦେଇ ଦେଲେ ସହରୀ ବେପାରୀମାନଙ୍କୁ । ସେମାନଙ୍କୁ ମନା କରି ଦିଆଗଲା ସେଇ ଦିନ ଠାରୁ ସେମାନେ ଜଙ୍ଗଲକୁ ଯାଇ ନିଜ ଇଚ୍ଛାରେ ତୋଳି ପାରିବେନି ମହୁଲ, ଶାଳପତ୍ର, ସଂଗ୍ରହ କରି ପାରିବେନି ଝୁଣା, ମହୁ କି ଛତୁ । ଯେଉଁ ଠିକାଦାର ଜଙ୍ଗଲକୁ ନିଲାମ ଧରିଛି କେବଳ ସିଏ କିମ୍ବା ତା'ର ଲୋକ ହିଁ ସେ ସବୁ ନେଇ ପାରିବେ । ସେଦିନ ସାହେବ ଭାବିଥିଲା ଜଙ୍ଗଲ ତ ସେମାନଙ୍କର ମାଆ । କାହିଁ କୋଉକାଳୁ ତା'ବାପ ଗୋସିବାପ ଅମଳରୁ ସେମାନଙ୍କୁ ସେଇ ଜଙ୍ଗଲ

ହିଁ ପାଳି ଆସିଛି ତା' କାଠ ,ପତ୍ର, ଝୁଣା, ମହୁ, ମହୁଲ ଇତ୍ୟାଦି ଇତ୍ୟାଦି ଦେଇ । ତାଙ୍କ ଭଳିଆ ଜମିହୀନ ଲୋକ ମାନଙ୍କର ଭାତହାଣ୍ଡି ହେଲା ଜଙ୍ଗଲ । ସରକାର ଟା କିଏ ତାଙ୍କୁ ତାଙ୍କର ମା' ଠାରୁ ଅଲଗା କରିବା

ପାଇଁ ? ତାଙ୍କ ଠାରୁ ତାଙ୍କର ଅଧିକାର ଛଡ଼ାଇ ନେବା ପାଇଁ ? ତା'ର ଛୋଟ ମୁଣ୍ଡରେ କିଛି ପଶୁ ନଥିଲା ।

ଧୀରେ ଧୀରେ ତାଙ୍କର ଗାଁ ରେ ସହରୀ ଲୋକଙ୍କ ଭିଡ ବଢିଲା । ବଡ ଠିକାଦାର ଠାରୁ ଛୋଟ ଠିକାଦାର,

ଛୋଟ ଠିକାଦାର ମାନଙ୍କ ଠାରୁ ଗାଆଁ ର ମାମଲତକାର ଙ୍କ ହାତରେ ରହିଲା ଜଙ୍ଗଲର ମାଲିକାନା । ଆଉ

ବାପା ଭଳିଆ ଲୋକ ମାନେ ଦିନ ମଜୁରିଆ ସାଜି ଜଙ୍ଗଲକୁ ଗଲେ ଶାଳପତ୍ର, ମହୁଲ, ଝୁଣା, ମହୁ ସଂଗ୍ରହ କରି ସନ୍ଧ୍ୟା ବେଳେ ସେସବୁ ଜିନିଷ କୁ ସର୍ଦ୍ଦାର ହାତରେ ସମର୍ପି ଦେବା ଲାଗି । ଯାହା ମଜୁରୀ ମିଳୁଥିଲା ତାହା ପାଟି କୁ ଅଣ୍ଟିଲେ ପେଟକୁ ଅଣ୍ଟୁ ନଥିଲା । ମାଂସାଶୀ ସହରୀଲୋକଙ୍କ ଭୋକିଲା ଆଖି ପଡିଲା ଜଙ୍ଗଲୀ ତିରିଲାଙ୍କ ଉପରେ । ପେଟ ର ଭୋକକୁ ଶାନ୍ତ କରିବାକୁ କେହି କେହି ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ଦେହର ଭୋକକୁ ମେଣ୍ଟାଉଥିଲେ ତ ଆଉ କିଏ ସେମାନଙ୍କ କବଳରୁ ରକ୍ଷା ପାଇବା ଲାଗି ତା' ମାଆ ଭଳି

ଜଙ୍ଗଲ ଯିବା ବନ୍ଦ କରି ଦେଇଥିଲେ । ଏମିତି ଦୁଃଖ କଷ୍ଟ ରେ ଜୀବନ କଟୁଥିଲା ବେଳେ ଦିନେ ଗୋଟିଏ ଗଛରେ ଚଢି ମହୁ ଫେଣା କାଢିବା ସମୟରେ ମହୁମାଛି ଙ୍କ ଆକ୍ରମଣ ର ଶିକାର ହୋଇ ଗଛରୁ ପଡି ଅଣ୍ଟା ଭାଙ୍ଗି ଗଲା ବାପା ର। ଗାଁ ବଇଦ ଯେତେ ଚିକିତ୍ସା କଲେ ବି ଆଉ ଅଣ୍ଟା ସଳଖି ଠିଆହେଲା ନାଇଁ ବାପା ।

ସେଇ ଦିନରୁ ଘର ର ସବୁ ଦାୟିତ୍ବ ନେଇ ବାପାର ମଜୁରୀ ଖଟିବାକୁ ଗଲା ଅଠର ବର୍ଷର ଯୁଆନ ସାହେବ ।

ସେଇ ଦିନ ଠାରୁ ଖଟୁଛି ତ ଖଟୁଛି । ଭଉଣୀର ବାହାଘର, ନିଜ ବାହାଘର, ବାପା ମାଆଙ୍କର ଦେହ ପାଆ

ସବୁ କରିଛି ହେଲେ ପଇସା ଟିଏ ସଞ୍ଚି ପାରିନି । ଯାହା କମେଇଛି ସବୁ ଘର ଖର୍ଚ୍ଚ ରେ ଆଉ ସାହୁକାରର

ଦେ'ଣା ଶୁଣିବାରେ ଯାଇଛି । ଆଜି ତା' ହାତରେ କାଣି କଉଡିଟିଏ ନାହିଁ । ଗୋଟିଏ ଗଛମୂଳେ ଏମିତି ଭାବି ଭାବି ବସିଛି ନିଜ କାନ୍ଧରେ କାହାର ମୃଦୁ ସ୍ପର୍ଶ ପାଇ ଚମକି ଉଠିଲା ସାହେବ । ଦେଖିଲା ତା'ପଛରେ ଠିଆ ହୋଇଛନ୍ତି ପାଖ ଗାଆଁ ଦଣ୍ଡ ପଦର ଗୀର୍ଜା ର ଫାଦର୍ ଯୋଶେଫ୍ । ଆଗରୁ କେତେଥର ଗାଁ ରାସ୍ତାରେ ଯିବା ଆସିବା ବେଳେ ତାଙ୍କୁ ଭେଟିଛି ସାହେବ । ଖୁବ୍ ଆମାୟିକ ଭଦ୍ର ଲୋକ ଜଣେ । ଦେଖା ହେଲେ ଭଲ ମନ୍ଦ ପଚାରି ବୁଝିଥାନ୍ତି । କେତେଥର କହିଛନ୍ତି ତା' ବାପା ମାଆଙ୍କୁ ଆଣି ଗୀର୍ଜାରେ ଥିବା ମେଡିକାଲ୍ ରେ ମାଗଣା

ଚିକିତ୍ସା କରେଇ ନେବାକୁ ହେଲେ ଗାଁ ଲୋକଙ୍କ ଭୟରେ ସେ କେବେ ଯାଇ ପାରେନି । ଅନେକ ଦିନ ଧରି

ସେ ଶୁଣି ଆସୁଛି ଯେ ଫାଦର୍ କୁଆଡେ ଏମିତି ମାଗଣା ଚିକିତ୍ସା, ମାଗଣା ଔଷଧ ଆଉ ମାଗଣା ଶିକ୍ଷା ର

ମୋହ ଦେଖାଇ ଗରିବ ନିରୀହ ଲୋକଙ୍କୁ ଗୀର୍ଜା କୁ ଡାକି ନିଅନ୍ତି ଆଉ ସେଠି ଥିବା ତାଙ୍କର ସହଯୋଗୀ ମାନେ ତାଙ୍କୁ ପ୍ରଲୋଭିତ କରି ଧର୍ମାନ୍ତର କରି ଖ୍ରୀଷ୍ଟିୟାନ କରିଦିଅନ୍ତି । ସେଇଥିପାଇଁ ଗାଁ ଲୋକଙ୍କର ଖୁବ୍

ଅସନ୍ତୋଷ ଫାଦର୍ ଯୋଶେଫ୍ ଙ୍କ ଉପରେ । ତା'କୁ ସ୍ନେହରେ ଆଉଁସି ଦେଇ ଫାଦର୍ ଯୋଶେଫ୍ କହିଲେ

''ଏଠାରେ ଏମିତି ମନ ଦୁଃଖକରି କାହିଁକି ବସିଛ ସାହେବ ? କ'ଣ ହୋଇଛି ତୁମର ? ମୁଁ ତମର ବାପ ବୟସର ହେବି, ତମେ ମୋ ପୁଅ ଭଳିଆ , ତମର ଦୁଃଖ କଥା କହିଲେ ହୁଏତ ମୁଁ ତମକୁ କିଛି ସାହାଯ୍ୟ କରି

ପାରିବି ''। ସବୁ ଆଡ଼ୁ ହତାଶ ହୋଇ ବସିଥିବା ସାହେବ କୁ ବଂଚିବା ଲାଗି ସାହାରା ଟିଏ ମିଳିଗଲା ଯେମିତି ।

ଫାଦର୍ ଯୋଶେଫ୍ ଙ୍କ ଦୁଇପଦ ସମବେଦନା ର କଥା ଶୁଣି ସାହେବ ର ଧୈର୍ଯ୍ୟ ର ବନ୍ଧ ଭାଙ୍ଗି ପଡିଲା, ସେ ଭୋ ଭୋ ହୋଇ କାନ୍ଦି କାନ୍ଦି ସବୁ କଥା କହିଗଲା ତାଙ୍କୁ । ସବୁ ଶୁଣି ସାରି ଫାଦର୍ ଯୋଶେଫ୍ ତଳୁ ଉଠାଇ ଆଣି ଛାତିରେ ଚାପି ଧରିଲେ ତା'କୁ । ତା'ର ପିଠି ଥାପୁଡ଼ାଇ ସାନ୍ତ୍ବନା ଦେଲେ ତା'କୁ । ପକେଟ୍ ରୁ କାଢି ଦୁଇଟି ପାଞ୍ଚ ଶହ ଟଙ୍କାର ନୋଟ୍ ଗୁଞ୍ଜି ଦେଲେ ତା' ହାତରେ। କହିଲେ '' ଯା, ଆଗ ଛୁଆମାନଙ୍କୁ କ'ଣ ଖାଇବାକୁ ଦେ, କାଲି ମାଆଙ୍କୁ ଆଣି ଆମ ଡ଼ାକ୍ତରଖାନାରେ ଦେଖାଇ ଔଷଧପତ୍ର ନେଇଯିବୁ''। ସାହେବ କୃତ୍ୟ କୃତ୍ୟ ହୋଇ ଚାହିଁଥିଲା ଫାଦର୍ ଙ୍କ ମୁହଁକୁ । ଆରେ ଶିଘ୍ର ଯା' ବର୍ଷା ମାଡି ଆସିଲାଣି କହି ଫାଦର୍ ଯୋଶେଫ୍ ଲମ୍ବା ଲମ୍ବା ପାହୁଣ୍ଡ ପକେଇ ଆଗେଇ ଯାଉଥିଲେ ଗୀର୍ଜା ଆଡକୁ ଯାଇଥିବା ରାସ୍ତା ରେ । ସାହେବ ର ମନେ ହେଉଥିଲା ଧଳା ପୋଷାକରେ ଦେବଦୂତ ଜଣେ ସ୍ବର୍ଗ ରୁ ଓହ୍ଲାଇ ଆସିଥିଲେ ତା'କୁ ତା'କୁ ସାହାଯ୍ୟ କରିବାକୁ । ଗାଁ ଲୋକଙ୍କ ଠାରୁ ଶୁଣିଥିବା କଥା ଗୁଡ଼ିକ ତା'କୁ ଡାହା ମିଛ ବୋଲି ଲାଗୁଥିଲା । ଫାଦର୍ ଙ୍କ ଲୋକପ୍ରିୟତା ଦେଖି ଗାଁ ଲୋକେ ଅସହିଷ୍ଣୁ ହୋଇ ତାଙ୍କ ବିରୋଧରେ କୁତ୍ସା ରଟନା କରୁଛନ୍ତି ବୋଧହୁଏ ।

ସେଦିନ ସେଇ ଟଙ୍କାରେ ଘର ସଉଦା ସାଙ୍ଗରେ ପୁଅମାନଙ୍କ ଲାଗି ମିଠେଇ, ପଳାଶ ଲାଗି ବାରମଜା, ବାପା ମାଆ ଙ୍କର ଔଷଧ ସହିତ ଫଳମୂଳ ନେଇ ଘରକୁ ଫେରିଲା ବେଳକୁ ତା' ମୁହଁ ଖୁସିରେ ଝଲସି ଉଠୁଥିଲା । ତା' ହାତରେ ଏତେ ଗୁଡ଼ାଏ ଜିନିଷ ଦେଖି ସେଇ ଖୁସି ସଂଚରି ଯାଇଥିଲା ଘରର ସବୁ ସଦସ୍ୟଙ୍କ

ମୁହଁକୁ । ସେଦିନ ରାତିରେ ଭାତ ଡାଲି ତରକାରୀ ରୋଷେଇ କରି ପେଟପୁରା ଖାଇଲେ ସାରା ପରିବାର। ରାତିରେ ଖାଇପିଇ ସାରିବା ପରେ ଶୋଇବା ବେଳକୁ ପଇସା କେଉଁଠୁ ଆଣିଲ ବୋଲି ପଚାରିଲା ପଳାଶ ।

ମାଇପି ଲୋକ କଥା ଟା ଜାଣିଲେ କାନକୁ ପାଞ୍ଚ କାନ ହୋଇ ଗାଁ ରେ ଘୁରି ବୁଲିବ ଆଉ ଗାଁ ଲୋକେ ପୁଣି

ଫାଦର୍ ଙ୍କୁ ବଦନାମ କରିବେ ବୋଲି ଭାବି ସାହେବ ସତ କଥା ଟା ନକହି କରଜ ଆଣିଛି କହି ବାଆଁରେଇ

ଦେଲା ପଳାଶକୁ ।

ତା'ପରଦିନ ସକାଳୁ ମାଆକୁ ସାଙ୍ଗରେ ନେଇ ସାହେବ ପହଞ୍ଚିଲା ଫାଦର୍ ଯୋଶେଫ୍ ଙ୍କ ଡାକ୍ତରଖାନାରେ।

ସେଠାରେ ଥିବା ଡାକ୍ତର ମାଆକୁ ମାଇନା କରି ଔଷଧପତ୍ର ଦେଲେ ଏବଂ ସେସବୁ ଔଷଧର ଖାଇବା ବିଧି

ଜାଣିବା ଲାଗି ପଠାଇ ଦେଲେ ଆରଘରେ ବସିଥିବା ସିଷ୍ଟର୍ ମାରିଆଙ୍କ ପାଖକୁ । ପତଳା ଗୋରା ତକତକ ଚେହେରା ର ସୁନ୍ଦର ଝିଅଟି ସିଷ୍ଟର୍ ମାରିଆ। ତା'ର ଚେହେରା ଟି ଥିଲା ଯେତିକି ସୁନ୍ଦର କଥା ଥିଲା ସେତିକି ମଧୁର । ସାହେବର ଆଖି ଦୁଇଟା ହଟୁ ନଥିଲା ମାରିଆର ମୁହଁ ଉପରୁ । ମାଆର ଔଷଧ ଆଣିଲା ପରେ ସେ

କୃତଜ୍ଞତା ଜଣାଇବାକୁ ଯାଇଥିଲା ଫାଦର୍ ଙ୍କ ପାଖକୁ , ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇଲା ଏବଂ ମଜୁରୀ ମିଳିବା ପରେ ସେ ତାଙ୍କ ଦେଇଥିବା ଟଙ୍କା ଖୁବ୍ ଶୀଘ୍ର ଫେରାଇ ଦେବ ବୋଲି କହିଲା । ସ୍ୱଳ୍ପ ହସି ଫାଦର୍ କହିଲେ

ସେ ଟଙ୍କା ଫେରସ୍ତ କରିବା ଦରକାର ନାହିଁ ବରଂ କେତେବେଳେ କେମିତି ଆସି ଗୀର୍ଜା ପାଖରେ ଥିବା ବଗିଚାରେ କିଛି କାମ କରି ଶୁଝାଇ ଦେବ ସେ ଟଙ୍କା । ପ୍ରସ୍ତାବଟି ମନକୁ ପାଇଲା ସାହେବର।

ସେଇ ଦିନ ଠାରୁ ସେ କେତେବେଳେ କେମିତି କାମ ଧନ୍ଦା ସାରି ସେ ଚାଲି ଯାଏ ଗୀର୍ଜାକୁ । ଫାଦର୍ ଯୋଶେଫ୍ ଯାହା କାମ କରିବାକୁ କୁହନ୍ତି କରି ଦେଇ ଆସେ । ମଝିରେ ମଝିରେ ଆସି କାମ ଦେଖି ଯାଆନ୍ତି

ସିଷ୍ଟର୍ ମାରିଆ। ତାଙ୍କର ହସଟି ଦେଖି ସାହେବ ଆତ୍ମବିସ୍ମୃତ ହୁଏ, ତା'ର ସବୁ କ୍ଳାନ୍ତି ମେଣ୍ଟିଯାଏ । ଘରେ

କିନ୍ତୁ ଏଠିକି ଆସିବା କଥା କାହାକୁ ଜଣାଉନଥାଏ ସେ। କେମିତି ଗୋଟାଏ ମୋହ ଆବୋରି ବସିଥାଏ ତା'କୁ ।

ଦିନେ ଯଦି ସେଠିକି ନଆସି ପାରେ ଖୁବ୍ ଛଟପଟ ହୁଏ, ରାତିରେ ନିଦ ହୁଏ ନାହିଁ ତା'କୁ । ସିଷ୍ଟର୍ ମାରିଆଙ୍କ

ହସ ହସ ମୁହଁ ଟି ସବୁବେଳେ ନାଚି ଯାଏ ତା' ଆଖିରେ । ଧୀରେ ଧୀରେ ଗୀର୍ଜା କୁ ଆସିବା ବଢି ଚାଲିଥିଲା ସାହେବର ତା ସହିତ ଘରକୁ ଫେରିବାର ସମୟ ବି । ସବୁ ବେଳେ କେମିତି ଗୋଟାଏ ଅନ୍ୟମନସ୍କ ହୋଇ

ରହୁଥିଲା ସେ । ଏବେ ଆଉ ପଇସା ପତ୍ରର ସେମିତି ଅଭାବ ନଥିଲା ତା'ର ।

ତା'ର ଏଇ ପରିବର୍ତ୍ତନକୁ ଠିକ୍ ଲକ୍ଷ୍ୟ କରିଥିଲା ପଳାଶ । ଆଗରୁ ଦୁଃଖୀ ଦୁଃଖୀ ହୋଇ ରହୁଥିବା ସାହେବ

ଏବେ ଖୁବ୍ ପ୍ରଫୁଲ୍ଲ ରହୁଥିଲା । ବାପା ମାଆଙ୍କର ଔଷଧ ପତ୍ର, ଲୁଗାପଟା, ପିଲାମାନଙ୍କ ପାଇଁ ଖେଳନା,

ତା' ପାଇଁ ଭଲ ଭଲ ଖାଇବା ଜିନିଷ ସବୁ କିଣି ଆଣୁଥିଲା । ଆଗକୁ ଆହୁରି ପଇସା ଆଣିବ, ତା'କୁ ରାଣୀ ଭଳିଆ ରଖିବ, ପିଲାଙ୍କୁ ଭଲ ସ୍କୁଲ ରେ ପଢେଇ ବଡ ମଣିଷ କରିବ, ନିଜ ଭଳିଆ ମୂଲିଆ ହେବାକୁ ଦେବନି

ଇତ୍ୟାଦି ଇତ୍ୟାଦି ବହୁତ କଥା ପଳାଶକୁ କହୁଥିଲା ସାହେବ । ପଳାଶକୁ ଲାଗୁଥିଲା ସାହେବ କିଛି ଭୁଲ୍ କାମ କରୁଛି ନିଶ୍ଚିତ ନହେଲେ ଏତେ ପଇସା ତା' ପାଖକୁ ଆସୁଛି କୁଆଡୁ? କିଛି କଥା ପଚାରିଲା ବେଳକୁ କଥା

ବାଆଁରେଇ ଦେଇ ଉଠି ବାହାରକୁ ଚାଲି ଯାଉଛି । ଆଜି କାଲି ତା' ପାଖରେ ବି ଆଗ ଭଳିଆ ନସର ପସର

ହେଉନାହିଁ ସେ। କାମ କରି ହାଲିଆ ହୋଇ ପଡି ଆସୁଛି ଯେ ପିଲାମାନଙ୍କ ପାଖରେ ଜାକିଜୁକି ହୋଇ

ଶୋଇପଡ଼ୁଛି । ବୋଧହୁଏ ଗର୍ଭବତୀ ପଳାଶକୁ ବିଶ୍ରାମ ଦେବାକୁ ଚାହୁଁଛି ସାହେବ। ବିଚରା ମରଦଟା

ଉପରେ ଦୟା ହେଲା ପଳାଶର। ଦୁଇ ପୁଅଙ୍କ ମଝିରେ କୁଙ୍କୁରି କାଙ୍କୁରି ହୋଇ ଶୋଇ ପଡିଥିବା ସାହେବକୁ ଅନେକ ଦିନ ହେବ ଟିକିଏ ଘଷି ମୋଡି ଦେଇ ପାରିନି ସେ। ଆହା କେତେ ଖଟୁଛି ମରଦଟା ତା' ପାଇଁ, ତା' ପିଲାଙ୍କ ପାଇଁ ସିନା। ସାହେବର ଗୋଡ ତଳେ ବସିପଡି ତା'ର ପାଦ ଦୁଇଟି ଧରି ଆଉଁସିବାକୁ ଆରମ୍ଭ କଲା ।

ପାଦରୁ ଅଣ୍ଟା, ଅଣ୍ଟା ରୁ ପିଠି ଏମିତି ଆଉଁସି ଆଉଁସି ହାତମାରିଲା ତା'ର ଛାତିରେ। ଛାତିରେ ହାତ ଦେଲା ବେଳକୁ ସାର୍ଟ ତଳେ କ'ଣ ଗୋଟିଏ ମୁନିଆଁ ଜିନିଷରେ ହାତ ବାଜିଲା ପଳାଶର। କ'ଣଟାଏ ବୋଲି

ସାହେବକୁ ଓଲଟାଇ ଦେଇ ସାର୍ଟ ବୋତାମ୍ ଖୋଲି ଦେଲା ସେ। ବିସ୍ମୟ ରେ ଆଖି ଦୁଇଟା ବିସ୍ଫାରିତ ହୋଇଗଲା ପଳାଶର। ସାହେବର ବେକରେ ଝୁଲୁଥିଲା ରୂପାଚେନ୍ ରେ ବନ୍ଧା କ୍ରସ୍ ଟିଏ ଯେମିତି ଗାଁ କୁ ଆସୁଥିବା ଖ୍ରୀଷ୍ଟିୟାନ ପାଦ୍ରୀ ଆଉ ତାଙ୍କର ସାଥୀମାନଙ୍କ ବେକରେ ପଡି ଥିବାର ଦେଖିଥିଲା ସେ। ଜିଭ କାମୁଡି ପକାଇଖଣ୍ଡେ ଦୂରକୁ ଘୁଞ୍ଚି ଗଲା ପଳାଶ । ତା' ହେଲେ କ'ଣ ସାହେବ ଖ୍ରୀଷ୍ଟିୟାନ ହୋଇ ଯାଇଛି ? ଶାଶୁ ଶଶୁର ଜାଣିଲେ କ'ଣ ହେବ ? ଗାଁ ଲୋକେ ଜାଣିଲେ କ'ଣ ହେବ ?? ଜାତିପତି ବାସନ୍ଦ କରିବେ ତ କରିବେ ସାହେବର ଜୀବନ ରଖିବେ ତ ??? ଭଲରେ ବରଡା ପତ୍ର ପରି ଥରିଥରି ସାହେବକୁ ଝିଙ୍କି ଏକା ଝଟକାରେ ଉଠାଇ ଦେଲା ସେ। ନିଦ ମଳ ମଳ ଆଖିରେ ଉଠି ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲା ସାହେବ। ନିଜର ରାଣ, ପିଲାଙ୍କ ରାଣ ଦେଇ ସତ କଥାଟା ସାହେବ ଠାରୁ ଆଦାୟ କରିବା ଲାଗି ବେଶୀ ସମୟ ଲାଗିନଥିଲା ପଳାଶକୁ। ଧୀରେ ଧୀରେ ସେ କହିଗଲା କେମିତି ଫାଦର୍ ଯୋଶେଫ୍ ଙ୍କ ମିଠା ମିଠା କଥା, ଅଯାଚିତ ଆର୍ଥିକ ସହାୟତା, ସେ ଦେଖାଇଥିବା ସୁନ୍ଦର ଭବିଷ୍ୟତ ର ସୁନେଲି ସ୍ବପ୍ନ ର ମାୟାଜାଲ ରେ ପଡି ସେ ଧର୍ମାନ୍ତରିତ

ହୋଇ ଖ୍ରୀଷ୍ଟିୟାନ୍ ହୋଇ ଯାଇଛି । ସବୁ କରିଛି କେବଳ ନିଜ ପିଲାମାନଙ୍କ ପାଇଁ , ନିଜ ପରିବାର ପାଇଁ।

ଘୃଣାରେ ମୁହଁ ଫେରାଇ ନେଇଥିଲା ପଳାଶ । କହିଥିଲା ତୁମେ ଆମକୁ ଯେମିତି ରଖିଥିଲ , ଆମେ ରହିଥିଲୁ,

ସୁଖେ ଦୁଃଖେ ଚଳୁଥିଲୁ, କେବେ ତୁମକୁ କହିଥିଲୁ କି ଆମକୁ ଭଲ ଖାଇବାକୁ, ଭଲ ପିନ୍ଧିବାକୁ ଦିଅ ବୋଲି?

ତୁମ ବାପା ମାଆ କେବେ କହିଥିଲେ କି ଆମକୁ ଭଲ ଡାକ୍ତର ଦେଖା,ଭଲ ଔଷଧପତ୍ର ,ଫଳମୂଳ ଆଣି ଦେ ବୋଲି । ତେବେ ତମେ ନିଜକୁ କାହିଁକି ବିକି ଦେଲ ଫାଦର୍ ଙ୍କ ପାଖରେ ? ନିଜକୁ, ନିଜର ଆତ୍ମାକୁ, ବାପା ମାଆ ଙ୍କର ବିଶ୍ବାସକୁ , ଆମ ଗାଁ ,ସାଇ ଭାଇ,ଆମ ଠାକୁର ସମସ୍ତଙ୍କୁ ବିକି ଦେଲ ସାମାନ୍ୟ କେତେଟା ଟଙ୍କା ଆଉ ନିଜର ସ୍ୱାର୍ଥ ପାଇଁ ? ଆମେ ହିନ୍ଦୁ ହୋଇ ଜନ୍ମ ନେଇଛୁ , ହିନ୍ଦୁ ହୋଇ ମରିବୁ , ବିଧର୍ମୀ ହୋଇ ନୁହେଁ।

ଚାଳରେ ଖୋସା ହୋଇଥିବା ଧାରୁଆ କାତି ଟାକୁ ଭିଡି ଆଣିଲା ପଳାଶ । କହିଲା ଆମ ପାଇଁ ତମର ଏତେ

ଚିନ୍ତା ତ , ଆଜି ସେ ଚିନ୍ତା ମୁଁ ଦୂର କରି ଦେଉଛି , ଆଗ ପୁଅ ଦୁହିଁଙ୍କୁ ହାଣିବି ,ତା 'ପରେ ନିଜେ ହାଣି ହେବି,

ତମର ସବୁ ଚିନ୍ତା ଏକା ଥରକେ ତୁଟିଯିବ । ପୁଅ ଦୁହିଁଙ୍କୁ, ପଳାଶକୁ ଜୀବନରୁ ଅଧିକ ଭଲ ପାଉଥିଲା ସାହେବ। ପଳାଶର ଏ ଦୃଢୋକ୍ତି ଶୁଣି ହାଲୁକ ଶୁଖିଗଲା ତା'ର । ଧାଇଁଯାଇ ପଳାଶ ହାତରୁ କଟୁରୀ ଟା

ଛଡାଇ ଆଣି ତଳେ ପକାଇ ଦେଇ ପଳାଶ ର ଗୋଡ ଧରି କ୍ଷମା ପ୍ରାର୍ଥନା କରି କହିଲା '' ମୋର ଭୁଲ୍

ହୋଇ ଯାଇଛି ପଳାଶ, ମତେ ତୁ କ୍ଷମା କରି ଦେ। ମୁଁ ତତେ କିମ୍ବା ମୋର ପିଲାମାନଙ୍କୁ ଛାଡି ବଞ୍ଚି ପାରିବିନି ।

ତୁ ଦେଖିବୁ, ମୁଁ କାଲି ସକାଳେ ପୁରୀ ଯାଇ ସେଠାରେ ମୁକ୍ତି ମଣ୍ଡପରେ ଜାତି ହୋଇ ଆସିବି। ଆଉ ଦିନେ

ହେଲେ ଗୀର୍ଜା ଦୁଆର ମୁହଁ ମାଡିବିନି। ତୁ ମୋ ପିଲାଙ୍କୁ ମାରେନାଇଁ କି ନିଜେ ମର ନାଇଁ ଲୋ । ତମକୁ ହରାଇ ମୁଁ ମରିଯିବି ''। କାନ୍ଦି କାନ୍ଦି ପଳାଶ କୁ ଜାବୁଡ଼ି ଧରିଥିଲା ସାହେବ । ଦୁହିଁଙ୍କ ଆଖରୁ ଲୁହ ଧାର

ବୋହି ଓଦା ହେଉଥିଲା ଘରର ମାଟି ଚଟାଣ । ସତେ ଯେପରି ଦୁହିଁଙ୍କ ଲୁହରେ ଧୋଇ ହୋଇଯାଇଥିଲା

ପୃଥିବୀର ସବୁ କଳୁଷ । ପୂର୍ବାକାଶରେ ସିନ୍ଦୂରା ଫାଟି ଆସୁଥିଲା । ଝାଡିଝୁଡି ହୋଇ ସାହେବ ବାହାରି ଗଲା ବାହାରକୁ । ନିଜର ନିତ୍ୟକର୍ମ ସାରି ତା'କୁ ଗାଁ ମୁଣ୍ଡ ରାସ୍ତାରେ ପହଞ୍ଚି ବସ୍ ଧରି ପୁରୀ ଯିବାକୁ ହେବ ।।


Rate this content
Log in

Similar oriya story from Tragedy