ରାମନବମୀ (୪)
ରାମନବମୀ (୪)
କୌଶଲ୍ୟା ତରବର ହୋଇ କାମ ସାରୁଥିଲେ । ଜଲଦି ମନ୍ଦିର ନଗଲେ ଭିଡ଼ ହୋଇଯିବ । ନୂଆ ମନ୍ଦିରରେ ଏ ବର୍ଷ ଧୁମ୍ ଧାମରେ ରାମନବମୀ ପାଳନ ହେଉଛି । ଆଜି ପୁଣି ରାମର ଜନ୍ମଦିନ।
" ରାମ, ଜଲଦି ଗାଧେଇ ପଡି ନୂଆ ଡ୍ରେସ ପିନ୍ଧିଦେ ବାବା । ମୋ ସାଙ୍ଗରେ ମନ୍ଦିର ଯିବୁ। ହୋମରେ ଆଜି ବସିବୁ ତୁ।"
" ଓହୋ, ମମି, ଛୁଟି ଦିନରେ ବି ତମେ ଟିକେ ଶୋଇବାକୁ ଦେବନି? କାଲି ସକାଳେ ମୋର ହାଇଦ୍ରାବାଦକୁ ଫ୍ଲାଇଟ । ପୁଣି ସେଇ ବୋରିଂ ଅଫିସ କାମ । ଆଜି ଶାନ୍ତିରେ ଶୋଇବାକୁ ଦିଅ। ମନ୍ଦିର ତମେ ଏକା ଯାଅ । ଜନ୍ମଦିନ ରାତିରେ ସେଲିବ୍ରେଟ କରିବା ।"
କୌଶଲ୍ୟା ବିଛଣା ପାଖକୁ ଆସି ପୁଅ ମୁଣ୍ଡକୁ ସ୍ନେହରେ ସାଉଁଳେଇ କହିଲେ, " ତୋରି ପାଇଁ ମାନସିକ କରିଛି । ଦଶା ଭଲ ନାହିଁ ବୋଲି ନନା କହୁଥିଲେ । ଅଶ୍ଲେଷା କର୍କଟ ରାଶି ପ୍ରଭୁ ରାମଙ୍କର ବି ଥିଲା, ତୋରି ଭଳି । ତାଙ୍କ ଭଳି ତୋର ବି ଖରାପ ସମୟ ଏବେ ପଡିଛି । ମୋ କଥା ମାନ । ବୋହୂ ସହ ମିଳାମିଶା କରିନେ । ଏକୁଟିଆ ରହିବାକୁ ଭଲ ଲାଗୁଛି ?"
ବେଡ଼ସିଟଟା ମୁହଁ ଉପରୁ କାଢ଼ିଦେଇ ବିରକ୍ତି ଭରା ସ୍ୱରରେ ରାମ କହିଲା," ଏକଦମ କ୍ୟାରେକ୍ଟରଲେସ ଝିଅ । ତା ସହ କିଏ ରହିବ ? ଅନେକ ପୁରୁଷ ବନ୍ଧୁ ତାର । ପବ୍, ପାର୍ଟି,ନାଚଗୀତରେ ସେ ମାତିଥିବ ସବୁବେଳେ।
"ଆମ ଘରର ମାନ- ସମ୍ମାନ ବୋଲି କିଛି ନାହିଁ? ତୁ ବି ପବ୍,ପାର୍ଟି ଯାଉ ବୋଲି ବୋହୂ କହେ । ଅନ୍ୟ ଅଫିସ ଝିଅଙ୍କ ସହ ତୋର ରିଲେସନ ଅଛି ବୋଲି ସେ କହୁଥିଲା । ତୁ ବୋହୁ ସହ କମ୍ପରମାଇଜ କରିଦେ।" କୌଶଲ୍ୟା କହିଲେ।
"କମ୍ପରମାଇଜ ମାଇଁ ଫୁଟ୍ । ଚାକିରୀ କରି ମୋ ଠାରୁ କିଛି ଅଧିକ ଟଙ୍କା ପାଉଛି ବୋଲି ଗର୍ବ କାହିଁରେ କ'ଣ ??ଗୋଟେ ଟୋକା ସହ ତାର ରିଲେସନ ଅଛି ବୋଲି ସମସ୍ତେ କହୁଛନ୍ତି । ହେଲେ ସିଏ ମାନୁନି । ସେଇଥିପାଇଁ ତାକୁ ଘରୁ ବାହାରି ଯିବାକୁ କହିଲି । କିଛିଦିନ ପରେ ତା ନିଜ ଭୁଲ ବୁଝିଲା ପରେ, ଦେଖିବୁ ତୋ ବୋହୁ ଆସି ମୋ ଗୋଡ଼ ତଳେ ପଡି ଭୁଲ ମାଗିବ । ହେଲେ ତାକୁ ମୋ ଘରେ ପଶିବାକୁ ଦେବିନି ।"
"ତୋ ପାଖରେ କିଛି ପ୍ରମାଣ ଅଛି? ଏମିତି ଅସଭ୍ୟ ଅଭିଯୋଗ ସ୍ତ୍ରୀ ନାଁରେ ଆଣିବାକୁ ଖରାପ ଲାଗୁନି ?
କୌଶଲ୍ୟା ଜାଣିପାରୁ ନଥିଲେ, କେମିତି ପୁଅକୁ ବୁଝାଇବେ । ଆଜିକାଲି ପିଲାଙ୍କର ଧୈର୍ଯ୍ୟ ,ସହନଶୀଳତା ଜମାରୁ ନାହିଁ।
ରାମନବମୀ ଉପଲକ୍ଷେ ଟିଭିରେ ବିତର୍କ ଚାଲିଥିଲା । "ନିଜ ସ୍ତ୍ରୀକୁ ଅଗ୍ନି ପରୀକ୍ଷା କରାଇବା,ତଥା ପର କଥାରେ ଜଙ୍ଗଲକୁ ପଠାଇଥିବା ରାମଚନ୍ଦ୍ର କେମିତି ମର୍ଯାଦାବନ୍ତ ପୁରୁଷ ହେଲେ ?"
ଉଭୟ ପକ୍ଷ ଜୋରସରରେ ପାଟି ଗୋଳ କରୁଥିଲେ । ଚମକି ପଡିଲେ କୌଶଲ୍ୟା । ଆଜି ପୁଣି ସେଇ କଥା ତାଙ୍କ ପୁଅ,ବୋହୂଙ୍କ କ୍ଷେତ୍ରରେ ହେବାକୁ ଯାଉଛି।
କୋରିଅରବାଲା ଗୋଟେ ପ୍ୟାକେଟ୍ ଦେଇଗଲା ରାମୁ ନାଁ'ରେ । ପ୍ୟାକେଟରେ ଥିବା କାଗଜ ପତ୍ର ଦେଖି,ଗୁମ୍ ହୋଇ ବସିଥିଲା ରାମ ।
କୌଶଲ୍ୟା ପଚାରିଲେ "କଣ ଆସିଛି ? କିଏ ପଠାଇଛି ?"
"ସେଇ ଖେଚଡ୍ ମାଇକିନା ଛାଡପତ୍ର ନୋଟିସ ପଠାଇଛି । କେଡେ ବହପ ତା'ର?"
ଗୋଟେ ଛୋଟ ଚିଠି ଗଳି ପଡ଼ିଲା ସେ ପ୍ୟାକେଟରୁ । କୌଶଲ୍ୟା ଉଠାଇନେଇ ପଢିଲେ। ବୋହୂର ହାତ ଲେଖା ଦୁଇ ଧାଡ଼ି ଚିଠି।
"ବିନା ଦୋଷରେ ରାମ ସବୁବେଳେ ସୀତାକୁ ପରିତ୍ୟାଗ କରିବାର ଭୟ ଦେଖାଇ ପାରିବନି । ଗୋଟେ ଅବିଶ୍ଵାସୀ, ଦୁଶ୍ଚରିତ୍ର ରାମକୁ ମୁଁ ଛାଡପତ୍ର ଦେଉଛି।"
ଇତି (ସୀତା)
(ଅରବିନ୍ଦ ଦାସ)
*************************