Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banabihari Mishra

Tragedy

3  

Banabihari Mishra

Tragedy

ସରୋଗେଟ ମଦର

ସରୋଗେଟ ମଦର

6 mins
603


ବେଳ ନାହିଁ ଅବେଳ ନାହିଁ ଯେତେବେଳେ ଭୋକ ଲାଗେ ମା'ର ଥନକୁ ଝୁଣି ପକାଇବ । ଆଉ ଜାଗା ନାହିଁ ଅଜାଗା ନାହିଁ, ଯୋଉଠି ଇଚ୍ଛା ଯେତେବେଳେ ଇଚ୍ଛା ହାତ ପକେଇ ବଡ ଅପଦସ୍ତ କରୁଥିଲା କୁନି ଛୁଆଟା। କୋଳରୁ ଓହ୍ଲେଇଦେଲେ ଭେଁ କିନା ରଡି ପକେଇବ ଯେମିତି କିଏ ତାକୁ ଜୀବନରୁ ମାରି ପକେଇଲା।ଦେଢ ବରଷର ହେଲାଣି। ଠୁକୁଠୁକୁ ହେଇ ଚାଲି ଶିଖିଲାଣି। ଖନଖନ ହେଇ କଥା ବି କହୁଛି । ହେଲେ ଭାରି ମନୁଆଟା। ମନ ହେଇଚି ଯଦି କାଖରେ ଟିକେ ବି ରହିବନି। କୁକୁର ଛୁଆ କି ବିଲେଇ ଛୁଆଟେ ଦେଖିଲେ ଆଉ ସିଏ ନ ରୁହେ। ତା ଲାଞ୍ଜକୁ ଟାଣିବା, ତାକୁ ଧରି କୋଳ କରିବାକୁ ଚେଷ୍ଟା କରିବା ଆଉ ଆଉଁସି ଦେବା। ସେ ପଶୁ ଗୁଡାକ ଜାଣନ୍ତି କି କ'ଣ, କେବେ ଦିନେ ତାକୁ ରାମ୍ପୁଡା କାମୁଡା କରନ୍ତିନି। କୋଉ ବଡ ମଣିଷ ଯଦି ସେ କାଳିର ଛୁଆ ପାଖକୁ ପାଦେ ବି ହେଲେ ଆଗକୁ ଯାଆନ୍ତି , ସେ ଅଲକ୍ଷଣୀଟା କୋଉଠି ଥାଏ କେଜାଣି, ଘାଉଁ ଘାଉଁ କରେ। ଡର ଲାଗେ। ପଶୁଜନ୍ତୁ, କାଳେ କାମୁଡି ଦବ। ହେଲେ ଏ ଛୁଆଟାକୁ କାଳି କିଛି କରେନି। ତା ଚିରରୁ ଛୁଆ ଛଡେଇ ଆଣିଲେ ବି ଖାଲି ମିଟିମିଟି କରି ଚାହିଁ ରହେ।

ବାପଟା ତା'ର ବଡ ଖରାପ ଲୋକଟେ ଥିଲା ବୋଲି ସମସ୍ତେ କୁହନ୍ତି । କୁଆଡେ ସିଏ ଗୋଟେ ଚୋର। ୟା ତା ଘରେ ପଶି ଚୋରି ଚପାଟି କରେ। ଆଉ ସିଏ କୁଆଡେ ମଦୁଆଟେ। ରାସ୍ତା ଘାଟରେ ମାତାଲ ହେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରେ। ଝିଅ ବୋହୁ ମାନଙ୍କୁ ବାଟ ଚଲେଇ ଦିଏନି। ହେଲେ ସିଏ ତ କୋଉକାଳୁ ଗଲାଣି ଆରପାରିକୁ। ସେଇ ଗଲାସନ ଏଇ ଅଶିଣରେ ଦିନେ ରାତିରେ ଝଡି ନଗେଇଥିଲା। ତା ଗେରସ୍ତକୁ ଥାନାରୁ ଦି'ଜଣ ଆସି ଡାକି ନେଇଗଲେ । ସେଇ ରାତି ତା ପାଇଁ ହେଲା କାଳରାତି। ସିଏ ଗଲା ଯେ ଯାଇଛି । ଆଉ ଫେରିଲାନି। ଦି'ଦିନ ପରେ ତା ମଡାଟା ମିଳିଲା ସେଇ ଥାନା ପଛ ଜଙ୍ଗଲରୁ। କାହିଁକି ମଲା, କେମିତି ମଲା, କେହି କିଛି ଟେର୍ ପାଇଲେନି। ଥାନାବାବୁଙ୍କୁ ଯାଇ ସିଏ ଗୁହାରି କରିଥିଲା। ସେତେବେଳକୁ ତା'ର ଆଠ ମାସ ଚାଲୁଥାଏ। ଏଇ ଛୁଆ ବକଟକ ତାକୁ ପେଟରେ ଥାଇ ନାକେଦମ କରି ପକାଉଥାଏ। ତଥାପି ସେଇଥିରେ ସିଏ ସେ ଯୋଗନୀଖିଆ ଥାନାବାବୁଟାକୁ କେତେ ନେହୁରା ହେଇଛି। କିଛି ଶୁଣିଲାନି। ଖାଲି ଥାନା କଚେରୀ କାମ ସରିଲେ ମଡାଟା ତାକୁ ଦେଇଦେବୁ କହି ତିନି ଦିନ ଗଡେଇ ଦେଲେ। ତିନି ଦିନ ପରେ ମଡାଟାକୁ ଆଣି ତା ଘର ଆଗରେ ଥୋଇ ଦେଇଗଲେ। ସେତେବେଳକୁ ମଡାଟା ଗନ୍ଧେଇଲାଣି। ସାହି ଲୋକ କେହି ହାତ ଲଗେଇବାକୁ ରାଜି ହେଉ ନଥିଲେ । କେତେ ଖୋସାମତ ପରେ ଦି ତିନି ଜଣଙ୍କୁ ଧରି ମଡାଟାକୁ ନେଇ ଫୋପାଡି ଦେଇ ଆସିଲା । ଘରେ ଯାହା କିଛି ଥିଲା ସେଇ ଶୁଦ୍ଧ କାମରେ ସରିଲା। ତା ପରେ ପରେ ସାବିର ପୁଅ ଜନମ। ଛୁଆଟା ତା ବାପକୁ ଦେଖିନି। ସେଇ ଦିନଠୁ ସାବି ଏକୁଟିଆ । ଦିଟା ଘରେ କାମ ଧରିଛି। ସେଇଥିରେ ଯାହା ଯେମିତି ଚଳି ଯାଏ।

ଆଜି ସାବିର ତା ଗେରସ୍ତ ଶୁକ କଥା ଭାରି ମନେ ପଡୁଛି । ସାହି ସାରା ଯେତେ ଯିଏ ଯାହା କହିଲେ ବି ଶୁକଟା ଖରାପ ଲୋକଟେ ଥିଲା ବୋଲି ତାର କାଇଁ ଜମାରୁ ପରତେ ହୁଏନି । ତା ପାଇଁ ତ ସିଏ ଥିଲା ଗୋଟେ ଦେବତା। ସାବିକୁ ଦିନେ 'ରେ' ପଦ କହେନି। ନିଇତି ଘରୁ ଗଲାବେଳେ ତାକୁ ଗେଲ କରେ। କଦବା କେମିତି ଭୁଲ ଭଟକା ହେଇଗଲେ ଆଉ ମରଦଙ୍କ ପରି ତାକୁ ହାତ ଉଠେଇ ଦିଏନି। କେତେ ନରମ ହେଇକି ତାକୁ ବୁଝାଏ। ଭାରି ଭଲ ପାଉଥିଲା ସାବିକୁ ।

ପଦିଆ। ସାବିର ବା। ପିଲାଟି ଦିନରୁ ସାବି ମା' ଛେଉଣ୍ଡ। ସେଇ ପଦିଆ ତାର ବାପ ଆଉ ମା। ରିକ୍ସା ଚଲାଏ ପଦିଆ । ବାପ ଝିଅ ଭଲରେ ଚଳି ଯାଆନ୍ତି । ସେତେବେଳକୁ ତାକୁ ଷୋହଳ କି ସତର ହବ। ଦେହରେ ମାଉଁସ ପୁରିକି ବାହାରିଲାଣି। ଅଜାଗା ମାଉଁସ ସବୁ ତାକୁ ଲାଜରା କରି ପକୋଉଥାଏ। ଟିକିଏ ରଙ୍ଗ ସାବନା ହେଲେ କ'ଣ ଗଢଣଟା ଖୁବ୍ ସୁନ୍ଦର ।

ତିନି ଦିନ ହେଲା ବା'କୁ ଜର ହେଇଚି ଯେ କମିବାର ନାଁ ଧରୁନି। ସାବି ସବୁବେଳେ ବା'ର ସେବାରେ ଲାଗିଛି। ଏଇ ଶୁକ ସେତେବେଳ ତାକୁ ଢେର ସାହାଯ୍ୟ କରିଛି। ସଉଦା ଆଣିବା, ଓଷଦ ଆଣିଦବା ଆଦି ସବୁ ବାହାରିଆ କାମ ଶୁକ କରିଦିଏ । ତାର କୁଆଡେ ଏ ଦୁନିଆଁ ଯାକରେ କେହି ନାହାଁନ୍ତି । ତା ବା' କହୁଥିଲା ସିଏ କୁଆଡେ ଗୋଟେ ଅବେଇଜିଆ। କୋଉ ଅଭିଆଡୀ ଝିଅ କୁଆଡେ ପାପଗର୍ଭ ହେଇ ଛୁଆ ଜନ୍ମ କରି ଫିଙ୍ଗି ଦେଇଥିଲା। ଆର ସାହିର ନେଣ୍ଟି ବୁଢୀ ତାକୁ ପାଇ ପାଳିପୋଷି ଏଡୁଟେ କଲା। ନେଣ୍ଟି ବୁଢୀ ଗଲାପରେ ଶୁକର ଏ ଦୁନିଆଁରେ କେହି ନାହାଁନ୍ତି । ବାରଦୁଆର ଶୁଣ୍ଢିପିଣ୍ଡା ହେଇ ଶୁକର ଜୀବନ । ହେଲେ ସାହିରେ କାହାର ଦିହ ପା ହେଲେ ଶୁକ ହାଜର ହେଇଯାଏ ।

ପଦିଆର ଦିହଟା ଆଉ ସୁଖ ହେଲାନି। ସେଇଥିରେ ସିଏ ଚାଲିଗଲା ସାବିକୁ ଏକା କରିଦେଇ। ତା ପରଠୁ ଶୁକ ଆଉ ସାବି, ଦିହେଁ ଦିହିଁଙ୍କି ଆପଣେଇ ନେଲେ। ବେଦୀରେ ନୁହେଁ କି କୋଉ ମନ୍ଦିରରେ ନୁହେଁ । ଖାଲି ଆତ୍ମା ସହ ଆତ୍ମା ଆଉ ଶରୀର ସହ ଶରୀର । ସେଇଥିରେ ଆଗକୁ ଗଡି ଚାଲିଲା ତାଙ୍କର ସଂସାର।

ଶୁକ କୁଆଡେ ଯାଏ, କ'ଣ କରେ, କୋଉଠୁ ଘର ଚଳେଇବା ଲାଗି ପଇସା ଆଣେ ସେସବୁରେ ସାବିର କିଛି ମତଲବ ନଥାଏ। ତା ଗେରସ୍ତ ବଞ୍ଚିଥିଲା ବେଳେ ସାବିକୁ ଘରୁ ବାହାରିବାକୁ ପଡୁ ନଥିଲା । ଏବେ କିନ୍ତୁ ଅବସ୍ଥା ଅଲଗା। ପେଟ ଚାଖଣ୍ଡକ ପୁରେଇବାକୁ ଆଉ ଏଇ କୋଳର ଛୁଆବକଟକୁ ଦି'ବେଳା ଖୁଏଇ ବଞ୍ଚେଇ ରଖିବାକୁ ସାବିକୁ ଝାଳନାଳ ଏକ କରି ପରଦୁଆରେ ବାସନ ମାଜିବାକୁ ପଡୁଛି ।

ମନରେ ଅନେକ ସପନ ନେଇ ସାବି ଭଙ୍ଗା ଦଦରା ଡଙ୍ଗା ବାହିଚାଲିଥାଏ। କିନ୍ତୁ ଏମିତି କିଛି ସେଦିନ ଘଟିଥିଲା ଯାହା ତାର ଜୀବନର ସବୁକିଛି ଓଲଟପାଲଟ କରି ଦେଇଥିଲା।

ସାବି ସାହେବଙ୍କ ଘରେ ବାସନ ମାଜୁଥାଏ। ଦିଦିଙ୍କ ସୁଁ ସୁଁ କାନ୍ଦଣା ଶୁଣିବାକୁ ପାଇଲା। ଉତ୍କଣ୍ଠିତ ହେଇ ସାବି କାନେଇଲା। ଯଦିଓ ଅନଧିକାର ଆଉ ଅନାବଶ୍ୟକ ଥିଲା, ତଥାପି ଗୋଟିଏ ନାରୀର କୋମଳ ହୃଦୟ ତାକୁ ତା ନିଜ ଅଜାଣତରେ ପ୍ରେରିତ କରିଥିଲା କାରଣ ପଚାରିବାକୁ। ଆଉ ସାବି ଜାଣିବାକୁ ପାଇଥିଲା ଏକ ନାରୀର ଦୁଃଖଭରା ଅନୁଭବ ।

ଦିଦିଙ୍କର ପିଲାଛୁଆ କିଛି ନାହାଁନ୍ତି । ଆଉ କେବେ ହେବାର ବି ନାହିଁ । ଏ କଥା ଡାକ୍ତରଙ୍କ ଠାରୁ ଜାଣିବା ପରେ ଖୁବ୍ ଦୁଃଖ ଲାଗିଥିଲା ତାଙ୍କୁ। ସେଇଠୁ ଦିଦି ଆଉ ସାହେବ ଦି'ଜଣ ଯାକ ଡାକ୍ତରଙ୍କ ପରାମର୍ଶ ଲୋଡିଥିଲେ ।

ଡାକ୍ତରଙ୍କ କହିବା ମୁତାବକ କ'ଣ ଗୋଟେ କଥା ଦିଦି କହିଲେ ଯେ ସାବି ଠିକ୍ ବୁଝିପାରିବା ସମ୍ଭବ ହେଲାନି । ଖାଲି ଏତିକି ଜାଣିଲା ଯେ ଦିଦି କାହାର ଗୋଟେ ପେଟ ଭଡାରେ ଆଣି ନିଜ ଛୁଆକୁ ତା ପେଟରେ ଦଶମାସ ରଖିବେ। ଆଉ ଛୁଆ ଜନ୍ମ ହେଲାପରେ ଯେଝା ବାଟରେ ଯେଝା ଚାଲିଯିବେ । କେହି କାହାର ମୁଁହ ବି ଦେଖିବେନି। ବଡ ଆଚମ୍ବିତ ହେଇଯାଇଥିଲା ସାବି। ଏମିତି ପୁଣି ହୁଏ? ତାପରେ ଦିଦିଙ୍କଠୁ ସାବି ଶୁଣିଲା ଯେ ଯୋଉ ସ୍ତ୍ରୀ ଲୋକକୁ ସିଏ ଠିକ କରିଥିଲେ ସିଏ କୁଆଡେ ୟାଙ୍କ ଛୁଆକୁ ପେଟରେ ରଖିବାକୁ ମନା କରିଦେଲା । ହତାଶ ହେଇ ଦିଦି କାନ୍ଦୁଥିଲେ। ସାବିର ମନ ଭାରି ଭାରି ହେଇଗଲା । ଏଇ ଦିଦି ତାର ସମୟ ଅସମୟରେ ଢେର ସାହାଯ୍ୟ କରନ୍ତି । ଭାରି ଆପଣା ଆପଣା ଲାଗନ୍ତି । ନିଜ ତରଫରୁ ସାବି ତାଙ୍କ ଛୁଆକୁ ପେଟରେ ଜାଗା ଦବ ବୋଲି ପ୍ରସ୍ତାବ ଦେଲା। ଦିଦି ସତେ ଯେମିତି ଆକାଶର ଚାନ୍ଦ ପାଇଗଲେ।

ସମସ୍ତ ପରୀକ୍ଷା ନିରୀକ୍ଷା ସରିଗଲା ପରେ ଯଥା ସମୟରେ ଗର୍ଭ ପ୍ରତିରୋପଣ ମଧ୍ୟ ସରିଗଲା। ତା ପରଠାରୁ ସାବିର ଭାଗ୍ୟ ଯେମିତି ସାମୟିକ ଭାବେ ବଦଳିଗଲା। ତାର ସମସ୍ତ ଦାୟିତ୍ୱ ଦିଦି ନେଉଥିଲେ। ଠିକ ସମୟରେ ସାବି ଜନ୍ମ ଦେଇଥିଲା ଗୋଟିଏ ସୁନ୍ଦର ପୁଅକୁ । ସେଇ ଛୁଆଟା ଜନମ ପରେ ପୁଣି ସବୁ ପୁନର୍ମୂଷିକ ହେଇଗଲା। ଦିଦିଙ୍କର ସାବିପ୍ରତି ମନୋଭାବ ବଦଳି ଯାଇଥିଲା। ନିଜର ସାମାଜିକ ପ୍ରତିପତ୍ତି ଅନୁସାରେ ନିଜ ଛୁଆକୁ ଗଢିତୋଳିବାକୁ ଚାହୁଁଥିବା ଦିଦି ଆଉ ସାହେବଙ୍କର ଛୁଆଟାକୁ ନିଜର କରିବାର ମାତ୍ରାଧିକ ଇଚ୍ଛାର ପରିଣତି ସ୍ୱରୂପ ସାବିର ସେ ଘର ସହ ସମସ୍ତ ସମ୍ପର୍କ ତୁଟି ଯାଇଥିଲା।

କାଳେ ସାବିର ଛୁଆ ପ୍ରତି ମୋହ ଆସିଯିବ, ସେଥିପାଇଁ କଅଁଳା ଛୁଆଟାକୁ କ୍ଷୀର ମଧ୍ୟ ପିଇବାକୁ ଦିଆ ଯାଇନଥିଲା। ଛାତିରେ କ୍ଷୀର ଭିଡି ହେଇ ଯାଇଥିଲେ ବି ସାବି ନାଚାର। ତାପରେ ସାବିକୁ ସେମାନେ କାମରୁ ଛଡେଇ ଦେଇଥିଲେ । ଅବଶ୍ୟ କିଛି ଟଙ୍କା ଦେଇଥିଲେ । କିନ୍ତୁ ଛୁଆ ଜନ୍ମ ପରର ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାରେ ସେତକ ସରିଯାଇଥିଲା। ସାହିରେ ସମସ୍ତେ ଛି ଛାକର କରିବା ଆରମ୍ଭ କରି ଦେଲେଣି । ସାବି କୁଆଡେ ପାପଗର୍ଭ ହେଇ ଛୁଆ ଜନ୍ମ କରିଛି। ତା ପାଇଁ ଏବେ ସାହିରେ ନିଆଁ ପାଣି ବନ୍ଦ । ଛୋଟ ପିଲାଟାକୁ ନେଇ ସାବିର ଏବେ ଅସହାୟ ଅବସ୍ଥା । ସମ୍ପୂର୍ଣ୍ଣ ଏକୁଟିଆ ଆଉ ସହଯୋଗ କରୁନଥିବା ସ୍ୱାସ୍ଥ୍ୟ ନେଇ ଏ ପେଟ ଦୁଇଟାର ଭୋକ ମେଣ୍ଟେଇବାକୁ ସାବି ଅଣ୍ଟାରେ ଲୁଗା ଭିଡିଲା। ଆଉ ପଛକୁ ନ ଛାହିଁ ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାରରେ ଛୁଆଟାକୁ ନେଇ ତା ବାପର କୁଡିଆ ଘରଟିକୁ ପର କରିଦେଲା। ଛାଡିଦେଲା ଏଇ କ୍ରୁର ସମାଜର ତଥାକଥିତ ଆଶ୍ଳେଷକୁ। ଏକ ଅଜଣା ଆଶା ନେଇ ଲକ୍ଷ୍ୟହୀନ ଭାବରେ ଠିକ୍ ଗୋଟିଏ ମୁକ୍ତ ବିହଙ୍ଗ ପରି ଅନ୍ତହୀନ ଆକାଶର କୋଳରେ ନିଜକୁ ହଜେଇ ଦେବାକୁ ଡେଣା ମେଲେଇ ଦେଲା ସାବି।

କିନ୍ତୁ ହାୟ, ତଥାପି ସାବିଟା ବଞ୍ଚି ପାରିଲାନି। ଏ ଗଧିଆ ଗୁଡାକ ତା କଞ୍ଚା ମାଉଁସ ଗୁଡା ଖିନ୍ ଭିନ୍ କରି ଖାଇଗଲେ । ଏକୁଟିଆ ଦୁର୍ବଳ ମାଇପିଟା ପ୍ରତି ଟିକେ ବି ଦୟା ଆସିଲାନି ସେଗୁଡାଙ୍କର।

ରାତି ଅଧରେ ସେଦିନ ବିଲମାଳରୁ କରୁଣ ଆର୍ତ୍ତ ସ୍ୱର ଶୁଣାଯାଇଥିଲା। ଆଉ ସକାଳୁ ଆଉ ଜଣେ ନେଣ୍ଟ ଆଉ ଗୋଟିଏ ଶୁକକୁ ପ୍ରସ୍ତୁତ କରୁଥିଲା ଏକାଏକା ଜୀବନ ସହ ଖୁଣ୍ଟେ ଲଢିବା ପାଇଁ । ପଛରେ ପଡିରହିଥିଲା ଗୋଟେ ଅଲୋଡା ପଞ୍ଚ ମହାଭୂତରେ ଗଢା କ୍ଷତାକ୍ତ ପିଣ୍ଡଟିଏ ସରକାରୀ କଳର ଖାନାପୂର୍ତ୍ତି ପାଇଁ ।


Rate this content
Log in

Similar oriya story from Tragedy