Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆତ୍ମଜା
ଆତ୍ମଜା
★★★★★

© sushama Parija

Inspirational Others

9 Minutes   7.3K    12


Content Ranking

ମେଘ ଢଙ୍କା ଆକାଶ । ଖରାବେଳେ ଖାଇସାରି ଖଟ ଉପରେ ଗଡପଡ ହେଉହେଉ କେତେବେଳେ ଆଖିରେ ନିଦ ଆସିଯାଇଛି ଜଣା ନାହିଁ । କାହାର ଧଡଧଡ କରି କବାଟ ବାଡେଇବା ଶବ୍ଦ ରେ ନିଦ ମଳମଳ ଆଖିରେ କବାଟ ଖୋଲିଲି ମୁଁ । ଦେଖିଲି ଦୁଆର ମୁହଁରେ ଠିଆ ହୋଇ ରହିଛନ୍ତି ପ୍ରଧାନ ବାବୁ । ପ୍ରଧାନ ବାବୁ ଅର୍ଥାତ୍ ହଳଧର ପ୍ରଧାନ ମୋର ପଡୋଶୀ । ପରିବାର କହିଲେ ସ୍ବାମୀ ସ୍ତ୍ରୀ ଗୋଟିଏ ପୁଅ ଆଉ ଗୋଟିଏ ଝିଅକୁ ନେଇ ଚାରିଜଣିଆ ସୁଖୀ ପରିବାର ତାଙ୍କର। ବିଗତ ଦଶବର୍ଷ ଧରି ରହି ଆସୁଛନ୍ତି ଆମ ପଡୋଶୀ ଭାବରେ ।

ପ୍ରଧାନ ବାବୁ ଜଣେ ଓଭରସିଅର , କେଉଁ ଗୋଟିଏ କମ୍ପାନୀ ରୁ ସେବା ନିବୃତ୍ତି ପରେ ଘରେ ବସି କିଛି ସ୍କୁଲ ପିଲାଙ୍କୁ ଟିଉସନ କରନ୍ତି । ସେଇଟି କୁଆଡେ ତାଙ୍କୁ ସମୟ ବିତାଇବାର ଶ୍ରେଷ୍ଠ ଉପାୟ ବୋଲି ପ୍ରତୀତ ହୁଏ ଆଉ ସେଥିରେ ସେ ମାନସିକ ତୃପ୍ତି ପାଆନ୍ତି । ସାଇ ପଡିଶାଙ୍କ ସହିତ ତାଙ୍କର ପ୍ରାୟତଃ କିଛି ସଂପର୍କ ନଥାଏ । ମାତ୍ର ତାଙ୍କର ସହଧର୍ମିଣୀ ଖୁବ୍ ମେଳାପୀ । ସାହି ଗୋଟାକର ଲୋକଙ୍କ ଘରର ଖବର ତାଙ୍କୁ ଜଣା । ସକାଳ ସଞରେ ଦି ଦି ଥର ମାର୍କେଟ ଯିବେ ହିଁ ଯିବେ । ସାହି ରେ ତାଙ୍କର ସାଙ୍ଗସାଥୀ ବହୁତ । ସୁନ୍ଦର ସୁନ୍ଦର କଥା କହି ସେ ବାଘକୁ ବି ଶୁଆଇ ଦେଇ ପାରନ୍ତି ବୋଲି ମହିଳା ମହଲରେ ଚର୍ଚ୍ଚା ହୁଏ । ପ୍ରଧାନ ବାବୁ ବାହାରେ ଥିଲା ବେଳେ ଏମିତି ଥିଲେ ମିସେସ୍ ପ୍ରଧାନ । ଏବେ ପ୍ରଧାନ ବାବୁ ଆସିଲା ପରେ ତାଙ୍କର ସ୍ଵଭାବ ଟିକିଏ ବଦଳି ଯାଇଛି । କାରଣ ପ୍ରଧାନ ବାବୁ ଟିକେ ଏକବାଗିଆ ଲୋକ। କାହାରି ସହିତ ମିଳାମିଶା କରିବା କିମ୍ବା ସାହି ରେ କୋଉଠି ବସାଉଠା କରିବା ତାଙ୍କର ପସନ୍ଦ ନୁହେଁ। ତାଙ୍କର ଟିଉସନ୍ ଭଲ ତ ସିଏ ଭଲ । ସେଥିଲାଗି ସ୍ବାମୀ ସ୍ତ୍ରୀଙ୍କ ଭିତରେ ବେଳେ ବେଳେ ଉଚ୍ଚବାଚ ହୋଇଥାଏ। ପ୍ରଧାନ ବାବୁ ନିଜେ ମିତବ୍ୟୟୀ ହୋଇ ଥିବାରୁ ପିଲମାନଙ୍କ ବଦ୍ ଖର୍ଚ୍ଚକୁ ଖୁବ୍ ବିରୋଧ କରନ୍ତି । ସେଥିଲାଗି ପିଲାମାନେ ମଧ୍ୟ ତାଙ୍କର ସାମନାରେ ପଡିବାକୁ ପଶ୍ଚାଦପଦ ହୋଇ ଥାଆନ୍ତି ।

ମୋ ପିଲାଙ୍କ ସହିତ ପ୍ରଧାନ ବାବୁଙ୍କ ପିଲାମାନଙ୍କର ଭାରି ଭଲ ଦୋସ୍ତି । ସାଙ୍ଗ ସୁଖ ହୋଇ ହସି ଖେଳି ସେମାନେ ଦିନ କଟାନ୍ତି । ମୋଟାମୋଟି ଭାବେ ଆମ ଦୁଇ ପରିବାର ର ଚାଲିଚଳନ ଅଲଗା ଅଲଗା ହେଲେ ମଧ୍ୟ ପିଲାମାନଙ୍କର ବନ୍ଧୁତା ହେତୁ ଆମ ଭିତରେ ସୁସମ୍ପର୍କ ଟିଏ ଗଢି ଉଠିଥିଲା । ପ୍ରଧାନ ବାବୁଙ୍କର ପୁଅଟି ବଡ, ଇଞ୍ଜିନିୟରିଂ ପାଶ୍ କରିବା ପରେ ଓଡିଶା ବାହାରେ ଚାକିରୀ କରେ । ଝିଅ ଟି ସାନ, ମୋ ଝିଅ ସହିତ ସବୁ ବେଳେ ଆମରି ଘରେ ହିଁ ବସାଉଠା କରେ। ଡିପ୍ଲୋମା ଇଞ୍ଜିନିୟରିଂ କଲା ପରେପରେ ତା'କୁ ଆଉ ପାଠ ନପଢାଇ ଭଲ ପ୍ରସ୍ତାବ ଟିଏ ଖୋଜି ବାହାଘର କରିଦେଲେ ପ୍ରଧାନ ବାବୁ । ସେଇ ଇଞ୍ଜିନିୟରଙ୍କୁ ବାହା ହୋଇ ସେ ଓଡିଶା ବାହାରେ ରୁହେ ତା'ର ଆଠ ବର୍ଷର ଝିଅ ଟି ସହିତ । ପୁଅଟି ଲାଗି ବାହାଘର ଖୋଜି ଖୋଜି ଗୋଟିଏ ସୁନ୍ଦରୀ ଝିଅ ଦେଖି ମୋଟା ଯୌତୁକ ସହ ବୋହୂ କରି ଆଣିଲେ ତା'କୁ । ବାହାଘରର ଅଳ୍ପ କିଛି ଦିନ ପରେ ମତାନ୍ତର ଆରମ୍ଭ ହୋଇଗଲା ଶାଶୁ ବୋହୂଙ୍କର ।କେତେବେଳେ ବୋହୂ ର ସକାଳୁ ଡେରିରେ ଉଠିବା ନେଇ ତ କେତେବେଳେ ଶାଶୁଙ୍କର ସବୁ କଥା ରେ ତାଗିଦା କୁ ନେଇ । ମତାନ୍ତର ରୁ ମନାନ୍ତର, ମନାନ୍ତର ରୁ ମୁହାଁମୁହିଁ । ଶଶୁର ମଧ୍ୟ ଶାଶୁଙ୍କର ପକ୍ଷ ଭୁକ୍ତ ହୋଇ ପଦେ ଦୁଇପଦ କହିବାକୁ ପଛାଉ ନଥିଲେ । ଅସହ୍ୟ ହେବାରୁ ବୋହୂ ମଧ୍ୟ ଉତ୍ତର ଦେବାକୁ ପଶ୍ଚାତ୍ ପଦ ହେଉନଥିଲା । ସେମାନଙ୍କ ମଝିରେ ବିଚରା ନିରୀହ ପୁଅଟି ପେଶି ହୋଇ ଯାଉଥିଲା । ନା ସେ ମା'କୁ କିଛି କହି ପାରୁଥିଲା ନା ସ୍ତ୍ରୀକୁ । ବିବାହ କରିବାର ସାତ ବର୍ଷ ପରେ ମଧ୍ୟ ସନ୍ତାନ ଟିଏ ନହେବାରୁ ସ୍ଵାମୀ ସ୍ତ୍ରୀ ଉଭୟଙ୍କ ମନରେ ଖୁବ୍ ଦୁଃଖ ଥିଲା । ତା' ଉପରେ ଏମିତି ପାରିବାରିକ କଳହ ଲାଗି ରହିବାରୁ ପୁଅଟି ଭାବିଲା ଭୁବନେଶ୍ଵରରେ ଘରଟେ କିଣି ସେଠି ସ୍ତ୍ରୀ ସହିତ ରହିବା ଲାଗି । ଶେଷରେ ଦିନେ ବାପା ମା'ଙ୍କୁ ଏକା କଟକ ଘରେ ଛାଡି ପୁଅ ବୋହୂ ଭୁବନେଶ୍ଵରରେ ଫ୍ଲାଟ୍ କିଣି ରହିଲେ । ଛୁଟିଦିନ ମାନଙ୍କରେ ପୁଅ ଛୁଟି ଆସୁଥିଲା ମାଆ ପାଖକୁ । ଭଲ ମନ୍ଦ ବୁଝାବୁଝି କରି ଫେରି ଯାଉଥିଲା । ବୋହୂଟି କିନ୍ତୁ ଆଉ ତା'ରକଷ୍ଟ ଲବ୍ଧ ସ୍ଵାଧୀନତାକୁ ହରାଇବାକୁ ଚାହୁଁନଥିଲା । ସେଇ କଥାକୁ ନେଇ ପ୍ରଧାନ ବାବୁ ଆଉ ତାଙ୍କର ପତ୍ନୀ ସବୁ ସମୟରେ ଦୁଃଖିତ ରହୁଥିଲେ।

ସେଦିନ ପ୍ରଧାନ ବାବୁଙ୍କୁ ହସ ହସ ମୁହଁରେ ଦେଖି ମୁଁ ଆଚମ୍ବିତ ହେଲି । ଭାବିଲି କିଛି ଗୋଟେ ଶୁଭ ଖବର ଅଛି ନିଶ୍ଚୟ ନହେଲେ ପ୍ରଧାନ ବାବୁଙ୍କ ମୁହଁରେ ଏମିତିଆ ହସଟିଏ ଦେଖିବାକୁ ମିଳନ୍ତା ନାହିଁ । କବାଟ ଖୋଲିବାର ଶବ୍ଦ ଶୁଣି ଆମ ବାବୁ ମଧ୍ୟ ଉଠି ଆସି ଠିଆ ହୋଇ ଥାଆନ୍ତି ମୋ ପାଖରେ। ମତେ ଦେଖି ଟିକିଏ ସଙ୍କୁଚିତ ହୋଇ ପଡୁଥିବା ପ୍ରଧାନ ବାବୁ ମୋ ସ୍ୱାମୀଙ୍କୁ ଦେଖି ସାମାନ୍ୟ ହେବା ଲାଗି ଚେଷ୍ଟା କରୁକରୁ କହିଲେ '' ବୁଝିଲେ କିଆଜ୍ଞା ! ଏଇ ଆମ ଶିବୁର ମ’ ତିନି ଚାରି ମାସ ହେଲାଣି ଝିଅଟିଏ ହୋଇଛି । ମାଡାମ୍ ମତେ କାଲି ସକାଳେ ଯେଉଁ ପଚାରୁନଥିଲେ କି ରୀତା ମା' କୁଆଡେ ଯାଇଛନ୍ତି କି ? କାହିଁକି ଦିଶୁ ନାହାଁନ୍ତି ? ସେଇ ପ୍ରଶ୍ନ ଟିର ଉତ୍ତର ଦେବି ଦେବି ବୋଲି ଭାବି ଭାବି ମୁଁ ଆଜି ଆସିଛି କହିବା ଲାଗି '' । ପ୍ରଧାନ ବାବୁଙ୍କର କଥା ଗୁଡ଼ିକ ମୋ ମୁଣ୍ଡ ଉପରେ ଉପରେ ଚାଲି ଯାଉଥିଲା , ମୁଁ କିଛି ବୁଝି ପାରୁ ନଥିଲି , ସେ କ'ଣ କହିବାକୁ ଚାହୁଁଛନ୍ତି । ଯଦି ତାଙ୍କ ପୁଅ ଶିବୁର ଝିଅଟିଏ ହୋଇଛି, ସିଏ ତ ଖୁସିର କଥା । ସେଥିଲାଗି ଏତେ ଗୌର ଚନ୍ଦ୍ରିକାର ଅବତାରଣା କରୁଛନ୍ତି କାହିଁକି ? ମୋ ସ୍ୱାମୀ ମଧ୍ୟ ଦୁର୍ବୋଧ୍ୟ ଦୃଷ୍ଟି ରେ ଚାହିଁ ରହିଥିଲେ ମୋ ଆଡକୁ । ମୁଁ ପ୍ରଧାନ ବାବୁଙ୍କୁ ଘର ଭିତରକୁ ଆସି ବସିବା ଲାଗି ଅନୁରୋଧ କଲି ।

ଥତମତ ହୋଇ ସେ ଆସି ବସିଲେ ଘରେ , ଚାରି ଆଡକୁ ସନ୍ତର୍ପଣରେ ଚାହିଁ କହିଲେ '' ନାଇଁ ଆଜ୍ଞା, ତେଣେ ଟିଉସନ ପିଲା ଗୁଡିକ ଘରେ ବସିଛନ୍ତି, ଖାଲି ରୀତାର ମା' କହିଲେ ବୋଲି ମୁଁ ଆସିଲି ଆପଣଙ୍କୁ ଖବର ଦେବାକୁ । କଥା କ'ଣ କି ଆପଣ ତ ଜାଣନ୍ତି ଯେ ଆମ ବୋହୂ ସସ୍ମିତାର ଗାଇନିକ୍ ପ୍ରୋବ୍ଲେମ୍ ଥିଲା, ସହର ସାରା ବୁଲି ବୁଲି ସବୁ ବଡ ବଡ ଡାକ୍ତରଙ୍କୁ ଦେଖାଇଥିଲେ ରୀତାର ମା' । ଶେଷରେ ନିରାଶ ହୋଇ ବସି ରହିଥିଲୁ । ଏଇ ସବୁ ଘଟଣା ନେଇ ଶିବୁ କେତେ ଯେ ଦୁଃଶ୍ଚିନ୍ତାରେ ଥିଲା ଆଉ କ'ଣ କହିବି। ସେମାନେ ତ ତିନି ଚାରି ବର୍ଷ ହେବ ଆମ ପାଖରୁ ଯାଇ ଭୁବନେଶ୍ବର ଫ୍ଲାଟ୍ କିଣି ରହୁଛନ୍ତି । ସେଇଠୁ ଶିବୁର ଜଣେ ସାଙ୍ଗ ଜରିଆରେ କଲିକତାର କେଉଁ ହସ୍ପିଟାଲରେ କଥାବାର୍ତ୍ତା କରି 'ସରୋଗେସୀ' ପଦ୍ଧତିରେ ଏଇ ଝିଅଟି କରିଛନ୍ତି । ସେଇଥି ପାଇଁ ପରା ଆମେ ସେ କଥାଟିକୁ ଲୁଚେଇ ରଖିଛୁ । ବୋହୁ ଏବେ ତିନି ମାସ ତଳୁ ଯାଇ କଲିକତାରେ ସେଇ ହସ୍ପିଟାଲରେ ଥିଲା, ସେ ଛୁଆ ର ଜନ୍ମ କଲା ମା' ପାଖରେ । ଏବେ ପନ୍ଦର ଦିନ ହେବ ଛୁଆକୁ ଆଣି ଭୁବନେଶ୍ଵର ଆସିଛି । ତା'କୁ ହିଁ ଜଗିବାକୁ ରୀତାର ମା' ପନ୍ଦର ଦିନ ହେଲା ଯାଇଛନ୍ତି । ଆମେ ସମସ୍ତେ ସ୍ଥିର କରିଥିଲୁ କାହା ଆଗରେ ଏସବୁ କଥା ନକହିବା ପାଇଁ , କାଳେ ଆପଣମାନେ ଖରାପ ଭାବିବେ , କାଳେ ସେ ଛୁଆ ଟି ଜୀବିତ ରହିବ କି ନାହିଁ, ଏମିତି ଅନେକ ଗୁଡିଏ କଥା ମନରେ ଭାବି । ଏବେ ଭାବୁଛି ତା' ର ଜନ୍ମ ସଂସ୍କାର, ନାମକରଣ ସଂସ୍କାର କରିବାକୁ ହେବ । ସାଇଭାଇ ରେ ଏତେ ଭୋଜି ଖାଇଲିଣି, ତାଙ୍କୁ ତ ଭୋଜିଭାତ ଟିଏ କରି ଡାକିବାକୁ ପଡିବ ନିଶ୍ଚିତ ନହେଲେ ସେମାନେ ଜାଣିବେ କେମିତି ଆମର ନାତୁଣୀ ହେବା କଥା । ନା କ'ଣ କହୁ ନାହାଁନ୍ତି ? ଆପଣଙ୍କୁ ଗୋଟିଏ ଅନୁରୋଧ ଆପଣ ଏଇ 'ସରୋଗେସୀ 'କଥାଟି କାହାରିକୁ କହିବେ ନାହିଁ ।

ମୁଁ ହାଁ କରି ଚାହିଁ ରହିଥିଲି ପ୍ରଧାନ ବାବୁଙ୍କ ମୁହଁକୁ । ମନେ ମନେ ଭାବୁଥିଲି କୋଉ ଯୁଗରେ ଅଛନ୍ତି ଏ ଲୋକ । ଏକବିଂଶ ଶତାବ୍ଦୀରେ ବିଜ୍ଞାନ କେତେ ଉନ୍ନତି କରି କେତେ ଆଗେଇ ଗଲାଣି ଆଉ ଇଏ ଜଣେ ପାଠଶାଠ ପଢିବା ଲୋକ ହୋଇ 'ସରୋଗେସୀ ' ଭଳି ଉନ୍ନତ ମାନର ଚିକିତ୍ସା ପ୍ରଣାଳୀକୁ ଆପଣେଇ ଥିବା ତାଙ୍କର ପୁଅର ଆତ୍ମଜାଟିକୁ ଅନ୍ୟ କାହା ଆଗରେ କହିଲେ ନିଜେ ଛୋଟ ହୋଇଯିବେ ବୋଲି ଭାବୁଛନ୍ତି । ଆଜି ସେ ସେଇଥିଲାଗି ଆମକୁ ଚୁପ୍ ଚାପ୍ ଡାକି ,ଏତେ ଗୌର ଚନ୍ଦ୍ରିକା କରି କଥାଟି କହୁଛନ୍ତି । ଧନ୍ୟ କହିବ ୟା’ଙ୍କ ମଣିଷ ପଣିଆକୁ। ବହୁତ କିଛି ତାଙ୍କୁ ଶୁଣେଇ ଦେବାଲାଗି ଇଚ୍ଛା ଥିଲେ ମଧ୍ୟ ସୌଜନ୍ୟତା ଦୃଷ୍ଟିରୁ ଚୁପ୍ ରହିବାକୁ ବାଧ୍ୟ ହେଲି। ତଥାପି କହିଲି '' ପ୍ରଧାନ ବାବୁ ! ଏମିତି ବୈଜ୍ଞାନିକ ପଦ୍ଧତିରେ ଜନ୍ମ ହୋଇଥିବା ପିଲାମାନେ ଅଧିକ ସମ୍ବେଦନଶୀଳ ହୋଇ ଥାଆନ୍ତି । ଆପଣ ଭୋଜିଭାତ କରି ଡାକିଲେ ଅନେକ ଲୋକ ଆସିବେ , ଛୁଆକୁ ଧରାଧରି କରିବେ, ଏ ହାତରୁ ସେ ହାତ ହୋଇ ଘୁରି ବୁଲିଲେ ପିଲାଟିର ଦେହ ଖରାପ ହେବ, ସଂକ୍ରମଣର ଭୟ ମଧ୍ୟ ରହିବ, ବରଂ ପିଲାଟି ବର୍ଷକର ହେଉ ଆପଣ ଜନ୍ମ ଦିନ କରି ସାଇଭାଇଙ୍କୁ ଭୋଜିଭାତ ଦେବେ । ମୁଁ ଲକ୍ଷ୍ୟ କଲି ମୋ କଥାଟି ତାଙ୍କୁ ପସନ୍ଦ ହେଲାନାହିଁ । ଆମ ମୁହଁରେ କିଛି ନକହିଲେ ବି କେମିତି ଗୋଟାଏ ଅସନ୍ତୋଷର ଭାବ ସୁସ୍ପଷ୍ଟ ଥିଲା ତାଙ୍କର ମୁହଁରେ । ହଉ , ମୁଁ ଆସୁଛି କହି ଫେରିଗଲେ ସେ । ଆମେ ଭାବୁଥିଲୁ ରୀତାର ମା’ କେତେ ଦିନ ରହି ପାରିବେ ବୋହୂ ପାଖରେ। ପିଲାଟିର ଦେଖାଶୁଣା ତ ନିଶ୍ଚୟ ଭଲ ଭାବରେ କରୁଥିବେ କାରଣ ତାଙ୍କର ନାତି ନାତୁଣୀଟିଏ ଦେଖିବାର ବ୍ୟାକୁଳତା ଆମେ ଅନେକ ଦିନ ଧରି ଦେଖି ଆସୁଥିଲୁ । ସମୟ ସମୟରେ ସେ ଶିବୁ ଲାଗି କାନ୍ଦି ପକାଉଥିଲେ ଆମ ଆଗରେ । ମା’ ମନ ତାଙ୍କର ସବୁ ବେଳେ ଝୁରି ହେଉଥିଲା ଶିବୁ ଲାଗି । କିନ୍ତୁ ବୋହୂଟି ସହିତ ଖାପ ଖୁଆଇ ଚଳିବା ତାଙ୍କ ପକ୍ଷରେ ସମ୍ଭବପର ହେବ କି ନା ସେ ନେଇ ଆମେ ସନ୍ଦିହାନ ଥିଲୁ। ମନେମନେ ମୁଁ ଈଶ୍ଵରଙ୍କୁ ପ୍ରାର୍ଥନା କରୁଥିଲି ଏଇ କେଇଟା ମାସ ସେମାନେ ଭଲରେ ଚଳି ଯାଆନ୍ତେ କି ଝିଅ କୁ ବର୍ଷଟିଏ ହେବା ଯାଏ ।

ତା'ପରେ ପଛେ ରୀତା ମା' ନେଇ ଆସନ୍ତେ ପିଲାଟିକୁ ନିଜ ପାଖକୁ । ମୋର କିନ୍ତୁ ଖୁବ୍ ଇଚ୍ଛା ହେଉଥିଲା ଥରେ ଯାଇ ଶିବୁର ଝିଅଟିକୁ ଦେଖି ଆସିବାକୁ ।

ଠିକ୍ ତା' ପରଦିନ ସକାଳୁ ରୀତା ମା' ମିଠା ପ୍ଳେଟଟିଏ ଧରି ପହଞ୍ଚିଲେ ଆମ ଘରେ । କହିଲେ '' ବୁଝିଲେ କି ଆଜ୍ଞା ! କେତେଦିନ ଆଉ ଘର ଛାଡି ରହିଥାନ୍ତି ? ଶିବୁର ବାପା ଏଠାରେ ଖାଇବା ପିଇବାକୁ ହଇରାଣ ହେଉଛନ୍ତି, ମୋର ସେଠି ମନ ଲାଗିଲାନି, ତେଣୁକରି ଶିବୁକୁ କହିଲି , ଚାଲ ଟିକେ ଘରେ ବୁଲି ଆସିବା , ସମସ୍ତେ ଆସିଛୁ ମ , ଘର ଆଡେ ଯିବେ, ନାତୁଣୀ କୁ ଦେଖି ଆସିବେ '' । ମୋ ଝିଅ, ବୋହୂ ତ କୌତୁହଳୀ ହୋଇ ବସି ରହିଥିଲେ , ସଙ୍ଗେ ସଙ୍ଗେ ଦୌଡ଼ି ଗଲେ ନୂଆ ଝିଅଟିକୁ ଦେଖିବାକୁ । ଅଧଘଣ୍ଟା ପରେ ଫେରି ଆସି ଲାଗିଗଲେ ଆଲୋଚନାରେ। କିଏ କହୁଥିଲା ଝିଅଟି ପୁରା ଭାଉଜଙ୍କ ପରି ତ କିଏ କହୁଥିଲା ନା, ନା , ତା'ର ନାକଟି ଭାଉଜଙ୍କ ପରି , ଆଖିଟା ଭାଇଙ୍କ ଭଳିଆ, ରଙ୍ଗଟା ମାଉସୀଙ୍କ ଭଳି ତୋଫା ଗୋରା । ମୁଁ ଭାବୁଥିଲି ସବୁ ଯଦି ଏମାନଙ୍କ ଭଳିଆ, ତେବେ ସେଇ ମା' ଯାହାର ଜରାୟୁରେ ସେ ନଅ ମାସ ଧରି ବଢିଲା, ତା' ଶରୀରରୁ ଖାଦ୍ୟ ସଂଗ୍ରହ କରି ବଞ୍ଚିଲା, ତା'ର କ'ଣ କୌଣସି ପ୍ରକାର ପ୍ରଭାବ ପଡିଲାନି ପିଲାଟିର ଉପରେ ? ଆଗରୁ ଶୁଣିଥିଲି ଯେ ଗର୍ଭବତୀ ମହିଳା ଜଣକ ଗର୍ଭାବସ୍ଥାରେ ଯାହା କଥା ସବୁବେଳେ ଭାବେ ଗର୍ଭସ୍ଥ ଶିଶୁଟି ପ୍ରାୟତଃ ତା'ରି ଭଳି ହୋଇଥାଏ। ଅବଶ୍ୟ ମୁଁ ଆଗରୁ କେବେ ' ସରୋଗେସୀ' ରେ ଜନ୍ମ ହୋଇଥିବା ପିଲାଟିଏ ଦେଖି ନାହିଁ ତେଣୁ ମୋ ଭିତରେ ଏକ ସ୍ୱାଭାବିକ ଜିଜ୍ଞାସା ଜାଗ୍ରତ ହେଉଥିଲା । ମୁଁ ସେଇ ଜିଜ୍ଞାସାଟିକୁ ପ୍ରଶମିତ କରିବା ଲାଗି ଅପରାହ୍ନରେ ପହଞ୍ଚିଲି । ଦେଖିଲି ପ୍ରଧାନ ବାବୁ ତାଙ୍କର ସେହି ଚିରାଚରିତ ଢଙ୍ଗରେ ଦଳେ ପିଲାଙ୍କୁ ବସାଇ ଟିଉସନ କରିବାରେ ବ୍ୟସ୍ତ । ଶିବୁ ଆଉ ତା'ର ସ୍ତ୍ରୀ ତାଙ୍କର ସାଙ୍ଗର ପରିବାର ସହିତ ଗପସପ କରିବାରେ ବ୍ୟସ୍ତ । ସବୁ ଯେମିତି ସାଧାରଣ ଭାବରେ ଚାଲିଛି । ମୋ ମନରେ ଥିବା ଉତ୍ସୁକତା ମୁଁ ଆଉ କାହାରି ପାଖରେ ଲକ୍ଷ୍ୟ କରି ପାରିଲିନି । ଶିବୁର ମା' ନାତୁଣୀ ଟିକୁ କାନ୍ଧରେ ପକାଇ ଥାପୁଡ଼ାଇ ଥାପୁଡ଼ାଇ ଶୁଆଇବା ଲାଗି ଚେଷ୍ଟା କରୁଥାଆନ୍ତି । ମତେ ଦେଖି ଧାଇଁ ଆସିଲେ । ଖୁବ୍ ଆଗ୍ରହ ରେ କହିଲେ '' କ'ଣ ନାତୁଣୀ କୁ ଦେଖିବାକୁ ଆସିଲେ ? ଦେଖନ୍ତୁ, ଏଇ ବକଟକ ଦେଖିବାକୁ ଆଖି ତରସି ଯାଇଥିଲା, ମୋ ଶିବୁ ତ କଣ୍ଟା ହୋଇ ଯାଇଥିଲା ଘୁଣି ହୋଇହୋଇ , ଏବେ ସେ କେତେ ଖୁସିରେ ଅଛି ଦେଖୁଛନ୍ତି ତ ? '' ମୋ ପାଟିରୁ ବାହାରି ପଡିଲା '' ଆଉ ବୋହୂ ? ଧିମେଇ ଗଲା ଶିବୁ ମା'ଙ୍କର ସ୍ୱର '' ତା' କଥା କାହିଁକି ପଚାରୁଛନ୍ତି ? ନ କହିଲେ ଭଲ । ଛୁଆର ସବୁ କାମ ଦାମ ଦିନ ସାରା ମୁଁ କରୁଛି ଆଉ ରାତିରେ ଶିବୁ । ଶିବୁର ବାଧ୍ୟବାଧକତା ଯୋଗୁ ପିଲାଟି କଲା ସିନା ପିଲାଟିର କାମ କିଛି ଶିଖୁନାହିଁ କି ଶିଖିବା ଲାଗି ଆଗ୍ରହ ନାହିଁ । ସେଥିରେ କହୁଛି ଏଇ କଅଁଳା ଛୁଆଟିକୁ ଛାଡି ଆର ମାସରେ ଅଫିସ୍ ଯିବ।

ଛୁଆଟି ରଖିବି ମୁଁ । ମୁଁ ଶିବୁକୁ ସଫା ସଫା ଶୁଣେଇ ଦେଇଛି , ତୋ ବାପାଙ୍କୁ ସେଠାରେ ଏକା ଛାଡ଼ି ଦେଇ ମୁଁ ଏଠି ଏତେ ଦିନ ଧରି ରହି ପାରିବିନାହିଁ । ବୋହୂକୁ କହ ସେ ଚାକିରୀ ଛାଡ଼ି ପିଲାଟିର ଯତ୍ନ ନେଉ ନହେଲେ ପିଲାଟିକୁ ମୁଁ କଟକ ନେଇ ଯିବି, ସେଠାରେ ଆମେ ବୁଢା ବୁଢୀ ତା'କୁ ପାଳିବୁ । ହେଲେ ଶିବୁ ପରା କାନ୍ଦି ପକାଇଲା । କହିଲା କେତେ କଷ୍ଟ କରି ପିଲାଟିଏ ପାଇଛି, ତା'କୁ ପାଖରୁ ଛାଡିଦେଇ ମୁଁ କ'ଣ ରହି ପାରିବି ମା' ? ଏମିତି ସବୁ ଘଟଣା ଦେଖି ମୋ ମୁଣ୍ଡ ଆଉ କାମ କରୁନାହିଁ। ଖୁବ୍ ରାଗ ଆସୁଛି ବୋହୂଟା ଉପରେ ।

ଚଣ୍ଡାଳୁଣୀଟା ସିନା ଦଶ ମାସ ଗର୍ଭରେ ଧରି ପିଲାଟି ଜନ୍ମ କରିଥିଲେ ତା'ର ଦୟାମାୟା ଥାଆନ୍ତା ପିଲାଟି ଉପରେ । ମାଗି ଆଣିଲା ତିଅଣ ର ସ୍ଵାଦ କ'ଣ ଜାଣିବ ?

ସୁଁ ସୁଁ ହୋଇ କାନ୍ଦି ଆଖିରୁ ଲୁହ ପୋଛିଲେ ଶିବୁର ମାଆ। ତାଙ୍କର ମାନସିକ ବେଦନାକୁ ମୁଁ ମର୍ମେମର୍ମେ ଅନୁଭବ କରୁଥିଲି। ମୋ ଆଖିରେ ମଧ୍ୟ ଲୁହ ଜକେଇ ଆସିଥିଲା । ମୁଁ ମନେମନେ ଚିନ୍ତା କରୁଥିଲି ଏଇ କୃତ୍ରିମ ଗର୍ଭ ଧାରଣ ପଦ୍ଧତିରେ କ'ଣ ଶାରୀରିକ, ମାନସିକ ସମ୍ବେଦନଶୀଳତା ଗୋଟିଏ ମାଆ ପାଖରୁ ଆଉ ଗୋଟିଏ ମାଆ ପାଖକୁ ସଞ୍ଚାରିତ ହୁଏ ନାହିଁ । ତେବେ କାହଁକି ଶିବୁର ସ୍ତ୍ରୀ ତାଙ୍କର ଏଇ ଆତ୍ମଜାଟି ଲାଗି ଅନ୍ୟ ସାଧାରଣ ମାଆମାନଙ୍କ ଭଳି ଦୁନିଆର ସବୁ ସୁଖକୁ ଜଳାଞ୍ଜଳି ଦେଇ କେବଳ ସନ୍ତାନମନସ୍କା ହୋଇ ପାରୁନାହିଁ । ମୋ ମନରେ ଏବେ ସୁଦ୍ଧା ସେଇ ପ୍ରଶ୍ନଟି ଅନୁତ୍ତରିତ ହୋଇ ବସା ବାନ୍ଧି ରହିଛି ।

ଆକାଶ ହଳଧର ପରିବାର

Rate the content


Originality
Flow
Language
Cover design

Comments

Post

Some text some message..