Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସତେ କ'ଣ ଆମେ ସ୍ଵାଧୀନ
ସତେ କ'ଣ ଆମେ ସ୍ଵାଧୀନ
★★★★★

© Pranati Mahapatra

Tragedy

5 Minutes   520    4


Content Ranking

ଅନ୍ୟମନସ୍କ ଭାବେ ଯାଉ ଯାଉ ରାସ୍ତା କଡ଼ରେ ଏକ ୮/୯ବର୍ଷର ପିଲା ଉପରେ ନଜର ପଡିଲା।ନଜର ପଡିବାର କିଛି କାରଣ ବି ଥିଲା।କାରଣ ପିଲାଟି ରାହାଧରି ଅନବରତ ଧକେଇ ଧକେଇ କାନ୍ଦି ଚାଲିଥିଲା।

ଆଖିରୁ ଅବାରିତ ଅଶୃଧାରାକୁ, ନାକରୁ ବହି ଯାଉଥାଏ ସିଙ୍ଘାଣି।ବେଶ ପରିପାଟି ସମ୍ପୁର୍ଣ୍ଣ ଭାବେ ବିପର୍ଯ୍ୟସ୍ତ।ମୁଣ୍ଡବାଳ ଫୁର୍ ଫୁର୍।ପାଖରେ ଛିଣ୍ଡା ଲୁଗା ପଟା,କନ୍ଥା ଆଉ କିଛି ସିମେଣ୍ଟ ବସ୍ତା ପଡିଥାଏ।

ଟିକିଏ ତେରେଛା ନଜରରେ ଚାହିଁଲି ତାକୁ କିଛି ସମୟ।ଇତିମଧ୍ୟରେ ସେ ବି ମୋତେ ଚାହିଁ ଥାଏ।ମୋ ଚାହିଁ ବାରୁ ସେ କିଛି ଭରସା ପାଇଲା ବୋଧହୁଏ।କିଛି ସମୟ ତା କାନ୍ଦ ବନ୍ଦ କରିଦେଲା।

ମୁଁ ତା ପାଖକୁ ଗଲି, ଆଉ ପଚାରିଲି, ଆରେ ବାବା ,ତୁମେ କାନ୍ଦୁଛ କାହିଁକି?

ପିଲାଟି ମନରେ ସାହସ ଆସୁ ନ ଥାଏ କିଛି କହିବାକୁ।ଆଉ ଥରେ ପଚାରିଲି।କଣ ହୋଇଛି କି ରେ।ଏମିତି କାନ୍ଦୁଛ କାହିଁକି?

କଣ ଭାବିଲା କେଜାଣି ଆହୁରି ଜୋରରେ କାନ୍ଦିଲା।ନିଜ ହାତର ନଖରେ ଭୂଇଁକୁ ରାମ୍ପିବିଦାରି ପକାଇଲା।ତା ଭିତରେ ଥିବା ତା' ମଣିଷ ପଣିଆ ଟିକକ ବିଦ୍ରୋହ କରିବା ଭଳି ଲାଗିଲା।ଆଉ କହିଲା ,ଏଠି କେହି ଭଲଲୋକ ନୁହନ୍ତି।ସମସ୍ତେ ଖରାପ।

ଆମେ ଗରିବ ବୋଲି ସମସ୍ତେ ଆମ ଉପରେ ଦାଉ ସାଧୁଛନ୍ତି।ଏଠି କାହାରି ମନରେ ଆମଭଳି ଗରିବ ଲୋକମାନଙ୍କ ପାଇଁ ଟିକିଏ ହେଲେ ଦୟା ମାୟା ନାହିଁ।ହେଲେ ମାଆ ତୁମେ ତ ମୋ ମାଆ ଭଳି ଦେଖାଯାଉଛ।ମୁଁ ତୁମକୁ ମୋ କଥା କହିବି ତ,ହେଲେ ତୁମେ ମୋତେ କିଛି ଖାଇବାକୁ ଦେବ କି।ମୁଁ କାଲି ରାତିରୁ କିଛି ବି ଖାଇନାହିଁ।

ଦୁଃଖ କଷ୍ଟ ଓ ଦୟା ରେ ମୋ ଅନ୍ତରାତ୍ମା ଟିକକ ମୋତେ ଖାଲି ଧିକ୍କାର କରୁଥାଏ।

ମୋ ବ୍ୟାଗରୁ ଗୋଟିଏ ବିସ୍କୁଟ ବାହାର କରି ପିଲାଟିକୁ ଦେଲି।ପରମ ସନ୍ତୋଷରେ ସେତକ ଚଟାପଟ୍ ଖାଇନେଲା।ମୋ ପାଣି ବୋତଲଟି ବଢେଇ ଦେଲି ,ପାଣି ପିଇ ଟିକେ ଆସ୍ଵସ୍ତ ହେଲା।

ଏଥର ପିଲାଟିକୁ କାନ୍ଦିବାର କାରଣ ପଚାରିଲି।ପିଲାଟି ଯେମିତି ଭାବୁଥାଏ ମୁଁ କେହି ବାହାର ମଣିଷ ନୁହେଁ, ସତେ ଯେମିତି ତା ମାଆ।ମୋର ଅତି ପାଖରେ ବସିଲା।ତା କହିବା ଆରମ୍ଭ କଲା।

ଜାଣିଛୁ ମାଆ ,କାଲିଠାରୁ ମୋ ବୋଉ ଯାଇଛି ଯେ,ଏଯାଏଁ ଫେରିନି।ସେମାନେ କୁଆଡ଼େ ନେଲେ କେଜାଣି।ହେଲେ ମୋ ମାଆ ତ ମୋତେ ଛାଡି କେବେ ବି ରହେ ନାହିଁ।କେମିତି ରହିଲା।ସବୁଦିନେ ଯାଏ ପୁଣି ଫେରିଆସେ।ହେଲେ ଆଜି ଗଲାବେଳେ କହିଗଲା ,ଆଜି କୁଆଡ଼େ ସାଧାରଣତନ୍ତ୍ର ଦିବସ।ବହୁତ ଖାଇବା ଦରବ ଆଉ ଟଙ୍କା ପଇସା ମିଳିବ।ମୋ ପାଇଁ ସାର୍ଟ ପ୍ୟାଣ୍ଟ କିଣିଦେବ କହି ଯାଇଛି ଯେ ଯାଇଛି।

ତୁ କହିଲୁ ମାଆ।ମୋ ମାଆକୁ ସେମାନେ କୁଆଡ଼େ ନେଲେ ଯେ,ଏପର୍ଯ୍ୟନ୍ତ ଫେରିନି।

ପିଲାଟିର ଆକୁଳ ନିବେଦନ ରେ ମୋ ପ୍ରାଣ ବ୍ୟଥିତ ହୋଇଗଲା।ମୁଁ ଅତି ସ୍ନାନ ବୋଳା, ମମତବୋଳା କଣ୍ଠରେ ଆସ୍ଵାସନା ଦେଲି, ଆଉ କହିଲି,ତୋ ମାଆ ଯୁଆଡେ ବି ଯାଇଥାଉ ତୋ ପାଖକୁ ନିଶ୍ଚୟ ଆସିବ।ତୁ ପରା ତା ନୟନମଣି।ଏକୋଇରବଳା ବିଶିକେଶନ। ଛୁଆକୁ ଛାଡି ମାଆ କଣ କେବେ ଶାନ୍ତିରେ ଗୋଟିଏ ବି ନିଶ୍ଵାସ ନେଇପାରେ।ରହିବା ତ ଦୂରର କଥା।ପଶୁପକ୍ଷୀ ବି ତା ଛୁଆକୁ ଛାଡି ରହିପାରେ ନାହିଁ।ବଉଳାଗାଈ ଗପ ଶୁଣିନୁ।ଏ ତ ତୋ ମାଆ।ହୁଏତ କେଉଁ ଅସୁବିଧାରେ ପଡି ଯାଇଥିବ।ଟିକିଏ ଅପେକ୍ଷା କର ବାବା।ତୁ ଏଇଠି ତୋ ମାଆକୁ ଅପେକ୍ଷା କରିଥା,ମୁଁ ଆସେ।

ଏତିକି କହି ମୁଁ ବାହାରିଲି ଆସିବାକୁ।ହେଲେ ପିଲାଟି କରୁଣ ଚାହାଣୀରେ ଅନୁନୟ ବିନୟ ହୋଇ ରହିବାକୁ ଅନୁରୋଧ କଲା।ଆଉ କହିଲା, ମାଆ ମୁଁ ତୋତେ କିଛି କଥା କହିବାକୁ ଚାହୁଁ ଥିଲି, ତୁ କଣ ଶୁଣିବୁନି।

ମୋତେ ନିଜକୁ ଅପରାଧୀ ଭଳି ଲାଗିଲା।ବାଧ୍ୟହୋଇ ତା ପାଖରେ ବସିଲି ତା କଥା ଶୁଣିବାକୁ।

ହେଉ ମୁଁ ତୋ କଥା ନିଶ୍ଚୟ ଶୁଣିବି।

ତୋ କଥା ଶୁଣିବାକୁ ଏଇଠି ବସିଲି।ଏଥର କହିଲୁ ତୁ ମୋତେ କଣ କହିବୁ।

ପିଲାଟି ଆରମ୍ଭ କଲା-

ଆମର ଘରଦ୍ୱାର କିଛି ନାହିଁ।ଏଇଠି ଏ ଗଛମୂଳେ ମୁଁ, ମୋ ବାଆ,ବୋଉ ତିନିଜଣ ରହୁ।ମୋ ବାଆ(ରତନା ) ମୂଲକୁ ଯାଏ,ବୋଉ( କୃଷ୍ଣା ) ବି।ମୁଁ ମୋ ବୋଉ ସାଙ୍ଗରେ ରୋଜ୍ ଯାଇଥାଏ କାମକୁ।

ମୋତେ ଛାଇରେ ବସେଇ ଦେଇ ମୋ ବୋଉ କାମ କରେ।କାମ ସରିଲେ ଟଙ୍କା ନେଇ ଘରକୁ ଆସୁ।ବଜାରରୁ ଡାଲି ଚାଉଳ ଆଣି ବୋଉ ରୋଷେଇ କରେ।ଆମେ ସମସ୍ତେ ମିଶି ଖାଇପିଇ ଏଇଠି ଶୋଇପଡୁ।

ମୋ ବାଆ ଭାରି ଦେଶଭକ୍ତ।ପ୍ରତି ବର୍ଷ ଦୁଇଥର ସେ ଆମ ସମସ୍ତଙ୍କୁ ନେଇ ଯାଏ ହାତରେ ଜାତୀୟ ପତାକା ଧରି ଭାରତ ମାଆର ଜୟଗାନ କରିବାକୁ ।ଦେଶକୁ ପରାଧୀନତାରୁ ସ୍ଵାଧୀନ କରିଥିବା ମହାମନିଷୀ ମାନଙ୍କୁ ସ୍ମରଣ କରିବାକୁ।ଭାରି ସଚ୍ଚୋଟ ପ୍ରକୃତିର ମୋ ବାପା।ପତାକା ଉତ୍ତୋଳନ କରିସାରିବା ପରେ ବାବୁ ଲୋକମାନେ ବାଆ ହାତରେ କେତେ ଖଣ୍ଡ ଗାନ୍ଧୀ ନୋଟ ଧରେଇ ଦିଅନ୍ତି, ଆଉ ମିଠା ପ୍ୟାକେଟ କେତେଟା ହାତକୁ ଫିଙ୍ଗି ଦେଇ କହନ୍ତି ତାଙ୍କ ଅଇଁଠା ବାସନ ମୋ ମାଆ ମାଜିବା ପାଇଁ।ବାଆ ମୋର ଭାରି ସରଳିଆ।ବୋଉକୁ ବାସନ ମାଜିବା ପାଇଁ ବାବୁମାନଙ୍କ ଘରପାଖରେ ଛାଡ଼ି ଦେଇ ସିଧା ପଳେଇ ଆସେ।ଟଙ୍କା ଧରି ପଳେଇ ଯାଏ ହାଣ୍ଡିଆ ପିଇବାକୁ।ପେଟେ ହାଣ୍ଡିଆ ପିଇଦେଇ ଶୋଇଯାଏ ତା ପରଦିନ ଦ୍ଵିପ୍ରହର ଯାଏ।ବୋଉ ରାତି ଘଡିଏ ଯାଏ କେଉଁଠି ବାସନ ଧୁଏ କେଜାଣି, ମୁଁ ଜାଣିପାରେ ନାହିଁ।ବାବୁଘର ପିଣ୍ଡାରେ ମୁଁ ଶୋଇଯାଇ ଥାଏ।ମୋତେ କାଖେଇ ରାତି ଅଧରେ ଘରେ ପହଞ୍ଚେ।ବାଟ ସାରା ଖାଲି କାନ୍ଦୁଥାଏ।ଆଉ କହୁଥାଏ ବହୁ ପାପ ବଳେ ମଣିଷ ଗରିବ ହୁଏ।ହେଲେ ଗରିବ ହେବା ଭାରି ଖରାପ।କାରଣ ଗରିବ ମାଇପ ସମସ୍ତଙ୍କର ଶାଳୀ।ତାର ନିଜର କିଛି ବୋଲି କିଛି ସ୍ଵାଧୀନତା ନାହିଁ। ଆଉ ଏମାନେ କାଳେ ସ୍ଵାଧୀନତା ଦିବସ ପାଳୁଛନ୍ତି।କେତେଟା ଟଙ୍କା ଫୋପାଡ଼ି ଦେଇ ଯେଉଁଠି ମାତୃତ୍ଵ ଲୁଣ୍ଠନ ହୁଏ, କେତେଟା ଟଙ୍କାରେ ନାରୀର ନାରୀତ୍ଵ ନିଲାମ ହୁଏ, ବାରଭୋଗ୍ୟର ବସ୍ତୁ ହୋଇଯାଏ, ସେଠାରେ ନାରୀ ସଶକ୍ତିକରଣ, ନାରୀ ସ୍ଵାଧୀନତାର ,ଦେଶ ସ୍ଵାଧୀନତା ର ପ୍ରଶ୍ନ କାହିଁ?

ଏ ତ ଖାଲି ପ୍ରହସନ, ନିଜର ବାହାଦୁରୀ ଦେଖାଇବାର ସୁଖଦ ମୂହୁର୍ତ୍ତ ମାତ୍ର।

ମୋ ବାଆ ସରଳିଆ ଲୋକଟିଏ।

ସତ୍ୟର ସାମନା କରିବା ପାଇଁ ,ସେ ପ୍ରତିବାଦ କରି କରି ଶେଷରେ ସେ କୁଆଡ଼େ ଯେ ଗଲା ଆଜିଯାଏ ତା'ର ଆଉ ଦେଖାନାହିଁ।ଅନେକ ଖୋଜା ଖୋଜି କଲୁ।ବଡ଼ ବାବୁ ଅଫିସର ମାନଙ୍କ ପାଖରେ ନେହୁରା ହେଲୁ।ହେଲେ କିଛି କେହି ବୁଝିଲେ ନାହିଁ।କିଏ କହିଲା ଗାଡି ଚାପିହେଲା ତ କିଏ କହିଲା ନଈରେ ବୁଡି ମରିଗଲା ତ,ଆଉ କେହି କେହି କହିଲେ ଜଙ୍ଗଲରେ ବାଘ ଖାଇଦେଲା।

ଘର ଖଣ୍ଡିଏ ପାଇଁ କେତେ କାହାକୁ କହିକହି ଏ ପର୍ଯ୍ୟନ୍ତ ଘରଖଣ୍ଡିଏ ନ ପାଇ ବାସହରା ହୋଇ ବୁଲିଲୁ।

ସେହି ଦିନଠାରୁ ଏ ଗଛମୂଳେ ଝାଟିମାଟିର ଏଇ ଭଳି ନୁଆଁଣିଆ ଘର ବଖରେ କରି ପଡିରହିଲୁ। ଆମ ଘର ହୋଇଗଲା।ଆଜିର ଦିନରେ ନା ଅଛି ଘର,ନା କଣ।ପେଟକୁ ଗଣ୍ଡେ ଦାନା ନାହିଁ, କି ଲାଜ ଢାଙ୍କିବାକୁ କନା ଖଣ୍ଡେ ବି ପାଉନାହୁଁ।ବୋଉ ମୂଲପାତି କରି ଯାହା ଆଣେ,ଓଳିଏ ଖାଇଲେ ଆର ଓଳି ପାଣିପିଇ ଶୋଇଯାଉ।

ସବୁଠୁ ବଡ଼କଥା କଣ ଜାଣୁ ମାଆ।ସବୁଦିନ ରାତି ଅଧ ବେଳକୁ କେତେଜଣ ଲୋକ ମୋ ମାଆକୁ ଖାଲି ଭିଡାଓଟରା କରନ୍ତି।ତାଙ୍କ ସହିତ ଯିବା ପାଇଁ ଡାକନ୍ତି।ବୋଉ ରାଜି ନ ହେଲେ ମାଡ଼ ବି ମାରନ୍ତି।ଥରେ ଥରେ ମୋ ବୋଉର ମୁଣ୍ଡ ଫାଟି ଯାଏ।ସେମାନେ ଜୋରକରି ମୋ ବୋଉକୁ ତାଙ୍କ ସାଥିରେ ନେଇଯାଆନ୍ତି।ପୁଣି କିଛି ସମୟ ପରେ ଆଣି ଛାଡ଼ି ଦିଅନ୍ତି।ସବୁ ଥର ଆସିଲା ପରେ ମୋ ବୋଉର ଦେହ ଖାଲି ମହମହ ହୋଇ ବାସୁଥାଏ।ବୋଉ ମୋର ଖାଲି କଇଁ କଇଁ ହୋଇ କାନ୍ଦୁଥାଏ।କେତେ ଖଣ୍ଡ ଦଶଟଙ୍କିଆ ଗାନ୍ଧୀ ନୋଟକୁ ହାତରେ ଚାପି ଧରି ଆସିଥାଏ।ମୋତେ ଜାବୁଡି ଧରି ଭୋ ଭୋ ହୋଇ କାନ୍ଦିପକାଏ।ଆଉ କହେ ତୁ ଯଦି ନ ଥାନ୍ତୁ, ମୁଁ କେବେ ଠାରୁ ମରିସାରନ୍ତିଣି।ଖାଲି ତୋ ପାଇଁ ମୁଁ ମରିପାରୁନି କି ବଞ୍ଚି ବି ପାରୁନି।

ତୋରି ପାଇଁ ଏ ମଲାଦେହଟା ଧରି ଶବ ପରି ପଡିରହିଛିରେ ଗୁରିଆ।

ମୁଁ ବି କିଛି ବୁଝିପାରେ ନାହିଁ ମାଆ।ମୋ ବୋଉ ମୋତେ କଣ ସବୁ କହିଯାଉଛି।

ଦିନକର କଥା, ରାତିରେ ଆମେ ଶୋଇଥାଉ।ଶୀତ ରାତି।ବହୁତ ଶୀତ ହେଉଥାଏ।ଏଇ ଛିଡ଼ା କନ୍ଥାକୁ ମୋ ବୋଉ ଆଉ ମୁଁ ଘୋଡିଆ ଘୋଡି ହୋଇ ଶୋଇଥାଉ।କୁଆଡୁ କେଜାଣି ଦଶବାର ଜଣ ବଡବଡ ଲୋକ ଆସିଲେ।ବିଛଣାରୁ ମୋ ବୋଉକୁ ଘୋଷାଡି ନେଲେ।ମୋ ବୋଉ କେତେ କାକୁତି ମିନତି ହେଲା।ଶୁଣିଲେ ନାହିଁ ସେହି ରାକ୍ଷସ ଗୁଡା।ଘୋଷାଡି ଘୋଷାଡି ନେଇଗଲେ ମୋ ବୋଉ କୁ।ଯନ୍ତ୍ରଣାରେ ଚିତ୍କାର କରୁଥାଏ।ଘୋଷଡା ଘୋଷଡି ଭିତରେ ସେତେବେଳକୁ ବୋଉର ଗୋଟିଏ ହାତ ଭାଙ୍ଗି ଯାଇଥାଏ।ସେମାନେ ତ ହିଂସ୍ର ପଶୁପରି ହୋଇଯାଇଥାନ୍ତି।ଭୟରେ ମୁଁ ଗୋଟାପଣେ ଥରୁଥାଏ।ବିକଳ ହୋଇ ଦଉଡ଼ି ଗଲି ବୋଉକୁ ବଞ୍ଚାଇବା ପାଇଁ।ଜଣକ ଗୋଡ ଧରି ବୋଉକୁ ଛାଡିଦେବାକୁ କାକୁତି ହୋଇ କହିଲି।କେହି ଯେମିତି ନ ଶୁଣିଲେ ଗୋଟିଏ ଲୋକର ଗୋଡକୁ କାମୁଡି ପକେଇଲି।ହଠାତ ସେ ଲୋକଟା ରାଗିଯାଇ ମୋତେ ଟେକି କଚାଡି ଦେଲା।ତଳେ ପଡି ଛଟପଟ ହେଲି।ଦେଖିଲି, ମୁଁ ଆଉ ଚାଲି ପାରୁନାହିଁ।ସେଇଠି ସେମିତି ପଡି ରହିଲି।

ସେମାନେ କୁଆଡ଼େ କେଜାଣି ମୋ ବୋଉକୁ ନେଇଗଲେ।ତହିଁ ପରଦିନ ସକାଳେ ବୋଉ ଆସିଲା।

ମୋ ବୋଉ ମାନେ କୃଷ୍ଣା ସିଧା କାନ୍ଦି କାନ୍ଦି ଘରକୁ ଏକମୁହାଁ ହୋଇ ଛୁଟିଲା।ଆସି ଦେଖେତ ଝୁମ୍ପୁଡି ଘରେ ତାଲା ପଡିଛି।କଣ କରିବ ଭାବି ଘର ବାରଣ୍ଡାରେ ଲଥ୍ କରି ବସି ପଡିଲା।ତାକୁ ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା।

ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କଣ ଭାବୁଥିଲା କେଜାଣି।

ସେତେବେଳକୁ ମୁଁ ସେଠାରେ ନ ଥାଏ।

କେହି ଜଣେ ଯୁବକ ମୋ ଯନ୍ତ୍ରଣା ଦେଖନ୍ତୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ମୋର ଗୋଟାଏ ଗୋଡ଼ ଭାଙ୍ଗି ଯାଇଥିଲା।ସେ ବ୍ୟକ୍ତି ଜଣକ ଭଗବାନ ଭଳି ମୋ ପାଖରେ ରହି ମୋର ସବୁ କଥା ବୁଝାବୁଝି କରି,ଔଷଧ ପତ୍ର ଦେଇ ପୁଣି ଆଣି ଏଇଠି ଏଇ ଘରେ ଆଣି ଛାଡି ଦେଇ ଗଲେ।

ମୁଁ ଦେଖିଲା ବେଳକୁ ବୋଉ ମୋର ମୋତେ ନ ପାଇଁ ସେଇଠି ବସି କାନ୍ଦୁଥାଏ।ମୋତେ ଦେଖି ଯେମିତି ତା ପିଣ୍ଡରେ ପ୍ରାଣ ପଶିଲା।ମୋତେ ଧରି କେତେ ଯେ କାନ୍ଦିଲା।ଆଉ ତା ଅସହାୟ ଅବସ୍ଥାକୁ ବହୁ ଧିକ୍କାର କଲା।ଏମିତି ଏମିତି ଦୁଃଖେ କଷ୍ଟେ ଆମେ ମାଆ ଛୁଆ ଦୁହେଁ ରହି ଯାଉଥିଲୁ।

ହେଲେ ଏବେ...

ତିନି ଦିନ ହେଲା ମୋ ବୋଉ କୁଆଡ଼େ ଯାଇଛି ଯେ ଏ ଯାଏ ଆସିନାହିଁ।ଗତ ତିନି ଦିନ ତଳେ କାଳେ କେଉଁ ଦିବସ ଥିଲା।ଦିନ ଦି ଘଡି ବେଳରୁ ମୋତେ କିଛି ମିଠା ଆଉ କେତେଟା ଗାନ୍ଧୀ ନୋଟ ଧରେଇ ଦେଇ କେଇଜଣ ବାବୁ ବାସନ ଧୋଇବାକୁ କହି ମୋ ବୋଉକୁ ନେଇ ଯାଇଥିଲେ ଯେ,ବୋଉ ଆସିଲା ରାତି ଅଧରେ କାନ୍ଦି କାନ୍ଦି।

ଆମେ ଦୁହେଁ କୁଣ୍ଢାକୁଣ୍ଢି ଶୋଇ ଯାଇଥିଲୁ।

ରାତି କେତେ ହେବ କେଜାଣି, ସବୁଦିନ ଭଳି କିଛି ଲୋକ ଆସି ମୋ ବୋଉକୁ ଟାଣି ଟାଣି ନେଇ ଯାଇଛନ୍ତି ଯେ ଆଜି ଯାଏ ସେ ଆସି ନାହିଁ।

ଏ କାଳେ ସ୍ଵାଧୀନ ଭାରତ।ସମସ୍ତେ ଏଠି କାଳେ ନିଜ ଇଛାମତେ ବଞ୍ଚିଥାନ୍ତି।

ହେଲେ ମୁଁ ଆଉ ମୋ ବୋଉ କାହିଁକି ସମସ୍ତଙ୍କ ପାଖରେ ପରାଧୀନ ହୋଇ ରହିଛୁ।

କାହିଁକି ଆମେ ପରାଧୀନ?

ପ୍ରଣତି ମହାପାତ୍ର

ବିପର୍ଯ୍ୟସ୍ତ ମଣିଷପଣିଆ ପାଣିବୋତଲ

Rate the content


Originality
Flow
Language
Cover design

Comments

Post

Some text some message..