Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ବାପା
ବାପା
★★★★★

© Bijayini Panda

Inspirational Abstract

8 Minutes   14.2K    32


Content Ranking

"ସେ କେବେ କାହାରିଠୁ କୌଣସି ପ୍ରକାର ସାହାଯ୍ୟ ଆଶା କରେ ନି ବାବୁ । ଯେତେବେଳେ ଯେଉଁ ପ୍ରକାରର କାମ ମିଳେ, କରେ । କେତେବେଳେ କାହାର ବଗିଚା କାମ କରିଦିଏ, କେତେବେଳେ କେଉଁ ଦୋକାନରେ କାମ କରେ ତ ଆଉ କେତେବେଳେ କେଉଁ ହୋଟେଲରେ, ପୁଣି କେତେ ବେଳେ ସକାଳୁ ସକାଳୁ ଖବର କାଗଜ ବାଣ୍ଟିବା କାମ କରେ । ଏଇମିତି ନୀତିଦିନ କିଛି ନା କିଛି କାମ କରି ଦି ପଇସା ରୋଜଗାର କରେ ପଛେ କାହା ସାମ୍ନାରେ ହାତ ପତାଏ ନାହିଁ । ଭାରି ସ୍ୱାଭିମାନି । କେଉଁଠି ରହେ, କଣ ତାର ପରିଚୟ କେହି ଜାଣନ୍ତି ନାହିଁ । ଏଇ କେତେଦିନ ହବ ଆମ ଆଖପାଖରେ ଦିଶୁଛି ।"

ପ୍ରଶାନ୍ତ ନିର୍ବାକ ହୋଇଯାଇଥିଲା । କେଜାଣି କେମିତି ଛାତି ଭିତରଟା ଆନ୍ଦୋଳନ କରୁଥିଲା, ଗୌରା ଠୁ ଲୋକଟି ବିଷୟରେ ଶୁଣି । ଗୌରା କ୍ଷୀରଵାଲା, ତାକୁ Shortcut ରେ ପ୍ରଶାନ୍ତ ଡାକେ "ସମାଚାର" । କାରଣ ଆଖପାଖ ଅଞ୍ଚଳର ସମସ୍ତ ଖବର ଗୌରାକୁ ଜଣା । ପ୍ରଶାନ୍ତର ମନେ ପଡ଼ିଯାଉଥିଲା ବିଗତ ଦିନର କଥା । ଯେଉଁ ଦିନୁ ହୋଶ ସମ୍ଭାଳିଛି, ସେଇଦିନୁ ନିଜକୁ ନିଜେ ଆବିଷ୍କାର କରିଛି, ଅବିନାଶ ବାବୁଙ୍କ ପାଖରେ । ଅବିନାଶ ବାବୁ, ବ୍ୟାଙ୍କ କର୍ମଚାରୀ । ପତ୍ନୀ ସୁଲଗ୍ନା ଓ ଦୁଇ ପୁଅ, ଆଦିତ୍ୟ ଓ ଅଂଶୁମାନ କୁ ନେଇ ତାଙ୍କ ସଂଶାର । ପ୍ରଶାନ୍ତ କେମିତି ତାଙ୍କ ଘରକୁ ଆସିଥିଲା ତାର ମନେ ନାହିଁ । ଆଦିତ୍ୟ ଓ ଅଂଶୁମାନ ଭଳି ସେ ବି ଅବିନାଶ ବାବୁଙ୍କ ପୁଅ । ଅବିନାଶ ବାବୁ କେବେ ଏ ତିନି ଜଣଙ୍କ ମଧ୍ୟରେ ଫରକ ଦିଅନ୍ତି ନି । ଆଦି ଓ ଅଂଶୁ ସ୍କୁଲ ଗଲାପରେ, ପ୍ରଶାନ୍ତ୍ ର ବି Admission କରିଦେଇଥିଲେ ପାଖ ସ୍କୁଲରେ ।

 

ପ୍ରଶାନ୍ତର ପଢ଼ିବାର ଇଚ୍ଛା । ମନଯୋଗ ଲଗାଇ ପାଠ ପଢେ । ସ୍କୁଲରେ ସମସ୍ତ ଗୁରୁଜନଙ୍କ ପ୍ରିୟ ଛାତ୍ର ସେ । ଖୁବ ମେଧାବୀ । ଘରକୁ ଆସିଲା ପରେ ମା’ ଙ୍କ ବୋଲହାକ ମାନେ । ବଜାରରୁ ଯାହା ମାସିକ ସଉଦା ଆସିଥିବ ମାଁ ଙ୍କ ସାଥିରେ ସେ ସବୁ ସାମାନ ଡବା ମାନଙ୍କରେ ଭର୍ତ୍ତି କରେ । ଯେତେବେଳେ ଅଂଶୁ ଓ ଆଦି ସ୍କୁଲ ରୁ ଫେରି ଜାମାପଟା, ସ୍କୁଲ ବେଗ, ଜୋତା, ପାଣି ବୋତଲ କୁ ୟେ ଆଡେ ସେ ଆଡେ ଫିଙ୍ଗୀ ଥାଆନ୍ତି । ମାଁ ଙ୍କ ପରିଶ୍ରମ ଟିକେ ଲାଘବ କରିବା ପାଇଁ ସେ ସବୁକୁ ଯଥା ସ୍ଥାନରେ ଠିକ ଭାବରେ ଅତି ଯତ୍ନର ସହ ରଖେ । ମାଁ ଜଳଖିଆ ପ୍ରସ୍ତୁତ କରିଦେଲେ ସମସ୍ତଙ୍କ ଖାଇବା ନେଇ ଟେବୁଲରେ ଲଗାଏ । ବାପା ଅଫିସ ରୁ ଫେରିବା ମାତ୍ରେ ପାଣି ଗ୍ଲାସେ ନେଇ ପହଂଚିଯାଏ ଅବିନାଶ ବାବୁଙ୍କ ପାଖେ । ତାପରେ ବାପାଙ୍କ ଗୋଡ଼ତଳେ ବସିଯାଏ ଟିକେ ଗେଲ୍ହା ହେବା ପାଇଁ ।

ଅଂଶୁ ଆଉ ଆଦି ର ସବୁ ପିନ୍ଧା ପୋଷାକ ଅତି ଖୁସି ରେ ପିନ୍ଧେ ସିଏ। ପୁରୁଣା ବହି ପୁରୁଣା ବ୍ୟାଗ କୁ ବହୁତ ସଉକ ରେ ବ୍ୟବହାର କରେ। ବାପା ଯେତେବେଳେ ତାଙ୍କର ଗାଡି ବାହାର କରନ୍ତି ଧୋଇବା ପାଇଁ, ପ୍ରଶାନ୍ତ ଆଗ କିନା ଆସି ଗାଡି ସାମ୍ନା ରେ ଠିଆ ହୋଇଯାଏ ଗାଡି ଧୋଇବା ପାଇଁ, ତାର କୁନି କୁନି ହାତରେ ଗାଡି ଉପରେ ସାମ୍ପୁ ଲଗାଏ ଆଉ ଅବିନାଶ ବାବୁ ପାଖ ଲନ ରୁ ପାଇପ ଲଗାଇ ଗାଡିକୁ ସଫା କରନ୍ତି । 

ଏମିତି ହସଖୁସିରେ ଦିନ କାଟୁଥିବା ବେଳେ ହଠାତ ଦିନେ ଅଦିନ ଝଡ଼ ମାଡି ଆସିଲା । କୌଣସି ହିସାବ କିତାବ ତ୍ରୁଟି ବଶତଃ ଅବିନାଶ ବାବୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କାର ଜାଳସାଜିରେ ଫସି ଯାଇଛନ୍ତି । ସେ ଠିକ ବୁଝିପାରିଥିଲେ ଯେ ଉଚ୍ଚ ପଦସ୍ତ କର୍ମଚାରୀଙ୍କ ତୋଷାମଦ ରେ ନିଜକୁ ସାମିଲ ନ କରିବାରୁ ତାଙ୍କ ବିପକ୍ଷରେ ଏହି ଚକ୍ରାନ୍ତ । କିନ୍ତୁ କ'ଣ କରିବେ ? ନିରୁପାୟ, ନିଜର ନିର୍ଦୋଷ ପଣିଆକୁ ଦର୍ଶାଇ ନ ପରିବାରୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ।

ପରିବାର ର ମେରୁଦଣ୍ଡ ଦୁର୍ବଳ ହୋଇଯିବା ପରେ ସୁଲଗ୍ନା ମଧ୍ୟ ଭାଂଗି ପଡିଲେ । ତିନୋଟି ସନ୍ତାନ କୁ ନେଇ ସେ ଯିବେ କୁଆଡେ ? ସମାଜର ଏକ ନାମଜାଦା ବ୍ୟକ୍ତିତ୍ୱର ସମ୍ମାନରେ ଆଞ୍ଚ ଆସିବା ଯୋଗୁଁ ଲଜ୍ଜା ଆଉ ଅପମାନରେ ସଢ଼ି ଯାଉଥିଲେ ସୁଲଗ୍ନା । ଅବିନାଶ ବାବୁଙ୍କ ସଚ୍ଚୋଟ ପଣିଆ କୁ ଠିକ ଚିନ୍ହିଥିଲେ ସେ । ହେଲେ କଣ ହେବ ???

ଚିନ୍ତାଗ୍ରସ୍ତ ହୋଇ ରୋଗାକ୍ରାନ୍ତ ହୋଇଗଲେ ସୁଲଗ୍ନା । ସୁଗର, ବ୍ଲଡ଼ ପ୍ରେସର ହାଏ ହୋଇ ଦିନେ ହଠାତ ହୃଦଘାତ ରେ ଜୀବନ ଦୀପ ତାଙ୍କର ଲିଭିଗଲା । ସୁଲଗ୍ନାଙ୍କ ଭାଇ ଭାଉଜ ଆସି ଆଦି ଓ ଅଂଶୁ କୁ ନେଇ ଗଲେ । ହେଲେ ପ୍ରଶାନ୍ତ ??? ତାର କଣ ହେବ ? ଅସହାୟ ଅବସ୍ଥାରେ କାନ୍ଦୁଥିଲା ପ୍ରଶାନ୍ତ । ଘରର ମାଳି ସନାତନ ଆସି ତାକୁ ଆପଣେଇ ନେଲା । ଅରକ୍ଷୀତ କୁ ଦଇବ ସାହା ହେଲା ଭଳି ମାଳି କାକା ସଙ୍ଗେ ସେ ଚାଲିଲା ଭିନ୍ନ ଏକ ଦୁନିଆଁ କୁ ।

 

ମାଳି କାକା ଗରିବ ପୁଣି ବୃଦ୍ଧ । କିଛିଦିନ ପରେ ସେ ବି TB ରୋଗରେ ଆକ୍ରାନ୍ତ ହୋଇ ଆରପାରିକି ଚାଲିଗଲା । ପ୍ରଶାନ୍ତ ପୁଣି ଏକା । ଭଗବାନ କାହିଁକି ଯେ ତାକୁ ଏମିତି ଦୁଃଖ ଦେଉଥଲେ କେଜାଣି । ବାରମ୍ବାର ପଡିଉଠି ପୁଣି ଠିଆ ହେବାକୁ ଚେଷ୍ଟା କଲାବେଳେ ତା'ର ସାହସ ସବୁ ଯେମିତି ତାକୁ ଉପହାସ କରୁଥିଲେ ।

ଏହିପରି ଲଗାତାର ପରାସ୍ତ ହେଲାପରେ ନିଜ ଗୋଡ଼ରେ ଠିଆ ହେବାପାଇଁ ଚେଷ୍ଟା କଲା ପ୍ରଶାନ୍ତ । ହୋଟେଲରେ କପପ୍ଲେଟ ଧୋଉଥିବା ଅବସ୍ଥାରେ ତାକୁ ଉଦ୍ଧାର କଲା NGO Smile Foundation, ସେଇ ସଂସ୍ଥାରେ ସ୍ନେହ ମମତାର ସ୍ବର୍ଶ୍ୱରେ ଅତୀତକୁ ପାଶୋରିବାର ପ୍ରଚେଷ୍ଟା ରେ ଆଗକୁ ମାଡି ଚାଲିଲା ପ୍ରଶାନ୍ତ । ଆଖି ଆଗରେ ଗୋଟିଏ ଲକ୍ଷ୍ୟ -- ପାଠ ପଢିବ, ବଡ଼ ମଣିଷ ଟେ ହେବ । ତାପରେ ଆସ୍ତେ ଆସ୍ତେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚକୁ ଅତିକ୍ରମ କରି ପହଁଚିଲା ଶୀର୍ଷରେ, ଯେଉଁଠି ଜହ୍ନ ତାକୁ ଫର୍ଚ୍ଛା ଦେଖାଯାଉଥିଲା । Smile Foundation ର ତତ୍ୱାବଧାନରେ ମ୍ୟାଟ୍ରିକ ପରୀକ୍ଷାର result ଖୁବ ଭଲ ହେଲା ପ୍ରଶାନ୍ତ୍ ର । ତାପରେ ସେହି NGO ର ସହାୟତା ରେ ପହଁଚିଲା ଏଭଳି ଏକ ବ୍ୟକ୍ତିତ୍ୱଙ୍କ ପାଖରେ, ଯିଏକି ଦୁଃସ୍ତ, ଅନାଥ, ଅସହାୟ ପିଲାମାନଙ୍କ ନିମନ୍ତେ ଶିକ୍ଷାର ସୌଧ ଟିଏ ଗଢି ସମାଜରେ ପ୍ରତିଷ୍ଠିତ ହୋଇ ମୁଣ୍ଡଟେକି ଚାଲିବାର ପାଇଁ ଏବଂ ଭବିଷ୍ୟତ ରେ ଜଣେ ସଫଳ ବ୍ୟକ୍ତିତ୍ୱ ହେବାପାଇଁ ଶହ ଶହ ପିଲାଙ୍କର ଜୀବନ ଗଠନର ଅଗ୍ରଣୀ ଦେବଦୂତ, ଯୁଗ ପୁରୁଷ ଡ଼ଃ ଅଚ୍ୟୁତ ସାମନ୍ତ ।

ତାଙ୍କ ପ୍ରତିଷ୍ଠାନ KIITS ରେ ଇଂଜିନିଅର୍ରିଂ ସାରିବା ପରେ Campus Selection ରେ ମନୋନୀତ ହୋଇ ଆଜି ଏକ Software Company ରେ ସେ ଯୁବ ଇଂଜିନିୟର । ସବୁବେଳେ Company ଦେଇଥିବା ଗାଡ଼ିରେ ଯିବା ଆସିବା କରୁଥିବା ହେତୁ ନିଜ ଗାଡି ପ୍ରତି ଅବହେଳା । ଏଣୁ ......

" ସକାଳୁ ସକାଳୁ ନିଦ ଭାଙ୍ଗିଗଲା ପରେ ପ୍ରଶାନ୍ତ ନିଶ୍ଚୟ କରିଥିଲା ଯେ ଆଜି ଯେମିତି ହେଲେ ଗାଡିକୁ ସଫା କରିବ । ଦାଣ୍ଡ ଦୁଆରେ ଥୋଇ ଥୋଇ ଗାଡି ଉପରେ ମଇଳା ପରସ୍ତେ ପଡିଯାଇଛି । ଅଗତ୍ୟା ସେ ହାତରେ କନା ଆଉ ପାଣି ବାଲଟି ଧରି ଯାଇ ଗାଡି ଧୋଇବାରେ ଲାଗି ଗଲା । ଏହି ସମୟରେ ରାସ୍ତାରେ ଯାଉଥବା ଗୋଟିଏ ଲୋକ ସେଠାରେ କିଛି ସମୟ ଅଟକିଲା ଆଉ ପ୍ରଶାନ୍ତ କୁ କହିଲା, "ଆଜ୍ଞା, ଟଙ୍କା କୋଡିଏ ଟା ଯଦି ଦେବେ ମୁଁ ଧୋଇଦେବି ।" ପ୍ରଶାନ୍ତ ତାକୁ ଚାହିଁ କହିଲା "ତୁମକୁ ଗାଡି ଧୋଇଆସେ ?" ସେ ମୁଣ୍ଡ ହଲାଇ ହଁ ବୋଲି ଜଣାଇଲା । ମନେ ମନେ ପ୍ରଶାନ୍ତ ଭାବୁଥିଲା ମାତ୍ର କୋଡିଏ ଟଙ୍କାର କଥା । ଗ୍ୟାରେଜ କୁ ନେଲେ ଅତ୍ୟନ୍ତ ଦେଢ଼ ଶହ ଟଙ୍କା ଚାଲିଯିବ । ସେ ରାଜି ହୋଇଗଲା । ଲୋକଟାକୁ ବାଲଟି ଦେଉ ଦେଉ ପଚାରିଲା --

 "ତୋର ଘର କେଉଁଠି ? ମୁଁ ତ ଆଗରୁ କେବେ ତତେ ଦେଖିନି ।" ଲୋକଟା କିନ୍ତୁ ନିରୁତ୍ତର । କୌଣସି ପ୍ରଶ୍ନ ର ଉତ୍ତର ଦେବାପାଇଁ ସେ ନାରାଜ । ଦାଢ଼ି ସାଲୁବାଲୁ କଳା କତରା ଲୋକଟା ର ମୁହଁ, ଅସଂଖ୍ୟ ପ୍ରଶ୍ନର ସମାହାର । ନୁଖୁରା ପାଚିଲା କେଶ ଉପରେ ସତେ ଯେମିତି କେତେ ମାସ ହେବ ତେଲ ଲାଗିନି । ତଥାପି ଲୁଚି ରହିଛି ବହୁତ ସାରା ଆତ୍ମୀୟତା । ପ୍ରଶାନ୍ତ ଯେତେବେଳେ ବାଲଟି ନେଇ ଗାଡି ଧୋଇବା ପାଇଁ ବାହାରିଲା ସାଙ୍ଗରେ କୁନି ପୁଅ ରାଜା ମଧ୍ୟ ବାହାରିଲା ବାପାଙ୍କ ପଛେ ପଛେ ଗାଡି ଧୋଇବା ପାଇଁ । ଖୁବ ଉତ୍ସୁକତାର ସହ ସେ ଅପେକ୍ଷା କରିଥାଏ ଏହି ଗାଡି ଧୁଆ ଅବସରକୁ । କିନ୍ତୁ ପ୍ରଶାନ୍ତ ଯେତେବେଳେ ଲୋକଟାକୁ ବାଲଟି ଟା ବଢ଼ାଇଦେଲା ରାଜାର ମୁହଁଟା କେମିତି ଆମ୍ବିଲା ହୋଇଯାଇଥିଲା । 

ଲୋକଟା ଗାଡି ଧୋଉ ଧୋଉ କିଛି ଗୀତ ମନେ ମନେ ଗୁଣୁଗୁଣୁ ହେଉଥିଲା । ପ୍ରଶାନ୍ତ ଲକ୍ଷ୍ୟ କରୁଥିଲା ଲୋକଟା ରାଜାକୁ ଦେଖି ଆଖିରେ ଆଖିରେ କିଛି ଇଶାରା କଲା, ରାଜା ବି ଦି ପାଦ ଆଗକୁ ଯାଇ ଗାଡି ପାଖରେ ଠିଆହେଲା । ଲୋକଟା ମଝିରେ ମଝିରେ ରାଜା ଆଡକୁ ଜାଣି ଜାଣି ପାଣି ଛିଞ୍ଚି ପକାଉଥାଏ । ରାଜାକୁ ବେଶ ମଜା ଲାଗୁଥାଏ ଲୋକଟିର କୌତୁକିଆ ବ୍ୟବହାର । କୋଡିଏ ଟଙ୍କା ନେଇ ଲୋକଟି ପ୍ରଶାନ୍ତକୁ Thank You ଟେ କହି ଚାଲି ଯାଉଥିଲା । ପ୍ରଶାନ୍ତ Lawn ର Arm Chair ଉପରେ ବସି ଖବରକାଗଜ ଓଲଟାଉ ଓଲଟାଉ ଲୋକ ଟିକୁ ଲକ୍ଷ୍ୟ କରୁଥିଲା । ଆଉ ଲୋକଟି ଆସ୍ତେ ଆସ୍ତେ ଆଖି ସାମନା ରୁ ଅଦୃଶ୍ୟ ହୋଇ ଯାଉଥିଲା । ଠିକ ସମୟରେ ଆସି ପହଁଚିଲା "ସମାଚାର" ଓରଫ ଗୌରା କ୍ଷୀରଵାଲା । ହେଲେ ତା ଠାରୁ ବି ଲୋକଟା ବିଷୟରେ କିଛି ଜାଣି ପାରିଲାନି ପ୍ରଶାନ୍ତ । ଖାଲି ଏତିକି ଜାଣିଲା ଲୋକଟି ପାଖ ବସ୍ତି ଫୁଟପାତ ରେ ରହେ ।

 ତା ଛାତି ଭିତରଟା ଖାଲି ଓଲଟ ପାଲଟ ହୋଇ ଯାଉଥିଲା । ଦୀର୍ଘ ୩୦ ବର୍ଷ ପରେ କେଜାଣି କାହିଁକି ଅତୀତର ପୃଷ୍ଠା ଗୁଡିକ ତା ଆଗରେ ସ୍ୱତଃସପୂର୍ତ୍ତ ଭାବରେ ଖୋଲି ଯାଉଥିଲା । ପିଲାବେଳେ ସେ ଯେତେବେଳେ ବାପାଙ୍କ (ଅବିନାଶ ବାବୁ) ସହ ଗାଡି ଧୋଇବା ପାଇଁ ଉତ୍ସୁକତା ର ସହ ବାହାରିଯାଉଥିଲା ମାଁ ମନା କରୁଥିଲେ "ଆରେ, ଟିକି ପିଲାଟା ତାକୁ କାହିଁକି ସବୁବେଳେ ଏମିତି ବାଜେ କାମରେ ପୁରାଉଛ ।" ଅବିନାଶ ସେତେବେଳେ ଆଖି ଇଶାରା ଟେ ଦେଉଥିଲେ ପ୍ରଶାନ୍ତ କୁ, ଆଉ ପ୍ରଶାନ୍ତ ବି କିଛି ନ ଜାଣିଲା ପରି ଚାଲି ଆସୁଥିଲା ବାପାଙ୍କ ପଛେ ପଛେ । Lawn ରୁ ଯେତେବେଳେ ପାଇପ ରେ ପାଣି ଛିଞ୍ଚା ଯାଉଥିଲା ଗାଡି ଉପରେ, ବାପା ଜାଣିଜାଣି ଏମିତି ପ୍ରଶାନ୍ତକୁ ଗାଧୋଇ ଦେଉଥିଲେ । ଠିକ ଆଜି ଯେମିତି ବୁଢା ଲୋକଟା ରାଜାକୁ କରୁଥିଲା ।

"ନା" ମୁଣ୍ଡଟା କେମିତି ଗୋଳମାଳ ହୋଇଯାଉଛି ପ୍ରଶାନ୍ତ ର । ଚା' କପେ ପିଇ ବାହାରିଲା ବଜାର ଯିବା ପାଇଁ । ଉଦ୍ଦେଶ୍ୟଟା ଥିଲା କିନ୍ତୁ ଭିନ୍ନ । ପତ୍ନୀ ଙ୍କ ଠାରୁ ଜବରଦସ୍ତି ଏକ ଲମ୍ବା ଲିଷ୍ଟ ନେଇ ବାହାରିଲା । ଆଖି ତାର ଏଣେ ତେଣେ ଘୁରି ବୁଲୁଥିଲା କିଛି ଗୋଟାଏ ଖୋଜୁଥିଲା ପରି । ସବୁ ସଉଦାପତ୍ର କିଣି ସାରିବା ପରେ ପାଖ କପଡା ଦୋକାନରୁ ଭଲ ଶାଲ ଖଣ୍ଡେ କିଣିଲା ।

ସନ୍ଧ୍ୟାବେଳେ ଶାଲ ଖଣ୍ଡିକ ନେଇ ପୁଣି ବାହାରିଲା ତଳିଆ ବସ୍ତିକୁ । ହଁ, ଏବେ ସେ ପାଇଗଲା, ଯାହାକୁ ସେ ଖୋଜୁଥିଲା । ସକାଳେ ଗାଡି ଧୋଇବା ଲୋକଟାକୁ ଦେଖିଲା ଲୋକଟି ସିମେଣ୍ଟ ବେଞ୍ଚ ଉପରେ ବସି ଖବରକାଗଜ ଖଣ୍ଡେ ଓଲଟାଉଛି । ପାଖକୁ ଗଲା ଆଣିଥିବା ଶାଲ ଖଣ୍ଡିକ ବୁଢ଼ାର ଫୁଙ୍ଗୁଳା ଦେହ ଉପରେ ଘୋଡେଇ ଦେଲା । ଲୋକଟି ବିଦ୍ରୁପ ହସ ଟିକିଏ ଫିଙ୍ଗିଦେଇ କହିଲା "ବାବୁ , କଣ ଏହି ଶାଲ ଖଣ୍ଡିକ ଭିତରେ ମୋର ଗରିବପଣିଆ ସବୁଦିନ ପାଇଁ ଲୁଚିଯିବ । "ପ୍ରଶାନ୍ତ କୁ ଲୋକଟା ର କଥାଗୁଡିକ କେମିତି ଖୁବ ଚିହ୍ନା ଚିହ୍ନା ଲାଗୁଥିଲେ ।

    ଅତୀତ ରେ ଏମିତି ଥରେ ବାପାଙ୍କ ସାଙ୍ଗେ ସେ ଫୁଟପାତ ରେ ଲୋକଙ୍କୁ ଶାଲ ବାଣ୍ଟିବା ପାଇଁ ଯାଇଥିଲା ଆଉ ବାପା ଯେତେବେଳେ ଗୋଟିଏ ଗରିବ ଲୋକର ଫୁଙ୍ଗୁଳା ଦେହ ଉପରେ ଶାଲ ଟିକୁ ଘୋଡାଇ ଦେଇଥିଲେ ସେ ଲୋକ ଟା ବି ଏମିତି କିଛି କହିଥିଲା ଆଉ ପ୍ରଶାନ୍ତ ବାପାଙ୍କୁ ପଚାରିଥିଲା

"ବାପା ଲୋକ ଟି କଣ କହିଲା ?" ବାପା ସେତେବେଳେ ଉତ୍ତର ଦେଇଥିଲେ ଭଗବାନ ଆମକୁ ମାଧ୍ୟମ ରୂପରେ ତା' ପାଖକୁ ପଠାଇଛନ୍ତି, କିଛି ଟା ସାହାଯ୍ୟ କରିବା ପାଇଁ, ତୁ ଯେତେବେଳେ ବଡ଼ ହେବୁ ବଳେ ସବୁ ବୁଝି ଯିବୁ ଯେ'

     ଆଜି ସେ ସବୁ ର ଉତ୍ତର ଗୁଡିକ କେମିତି ପ୍ରଶାନ୍ତ ର ବଡ଼ ମସ୍ତିଷ୍କ ରେ ଅଡ଼ୁଆ ସୂତା ଖିଅ ପରି ଗୁଡେଇ ହୋଇ ଯାଉଥିଲା ।

ଅନେକ ଦିନର ସାଇତା କୋହରେ ଯେମିତି ଶ୍ଵାସରୁଦ୍ଧ ହୋଇ ପଡୁଥିଲା । ପ୍ରଶାନ୍ତ ପଚାରିଲା ତୁମ ଘର କେଉଁଠି ବାବା ? ତୁମେ କଣ ଏକା ? କଣ ତୁମର ପରିଚୟ ??? ଲୋକ ଟି ଉତ୍ତର ଦେଲା ତୁମେ କାହିଁକି ଏସବୁ ପଚାରୁଛ ?

   "ମୋ ପାଇଁ ଏ ଦୁନିଆଁ ଟା ଗୋଟେ ସର୍କସ, ଆଉ ସେ ସର୍କସର ମୁଁ ହେଲି ଜୋକର । ଖେଳର ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ମୋର ଭୂମିକା, ହେଲେ ମୁଖ୍ୟ ନୁହେଁ ଗୌଣ। ଜୋକର ଯେମିତି ଦୁନିଆଁକୁ ହସାଏ କିନ୍ତୁ ତାର ଅନ୍ତରଟା କାନ୍ଦୁଥାଏ ଏବଂ ସମସ୍ତଙ୍କର ଉପହାସ ର ପାତ୍ର ହୋଇଥାଏ ମୁଁ ଠିକ ସେଭଳି ଆଜି ଦୁନିଆଁ ଆଖିରେ ଉପହାସ ର ସାମଗ୍ରୀ।" ଏଣୁ ଛାଡି ଚାଲି ଆସିଲି ନିଜ ସହର । ମୁଁ ଗୋଟେ ଯାଯାବର। ଆଜି ଏଠି ମୋର ଠିକଣା ତ କାଲି ଆଉ କେଉଁଠି। ନିଜର ଲୋକ କହିଲେ କେହି ନାହାନ୍ତି, ଏତେ ବଡ଼ ଦୁନିଆରେ ମୁଁ ନିଃଶ୍ୱ , ଶୂନ୍ୟ ହୃଦୟରେ ପ୍ରତାରଣା ହିଁ ମୋର ପରିଚୟ।

ଆପଣଙ୍କ ପ୍ରକୃତ ନାମ ???

ଅବିନାଶ ସାମନ୍ତରାୟ।

ଘର ??

କୋରାପୁଟ ଜିଲ୍ଲା।

ନିଜଲୋକ କେହି ??

ହଁ ମୋ ସ୍ତ୍ରୀ ଓ ତିନୋଟି ପୁଅ। ହେଲେ ଆଜି ମୋ ପାଖରେ କେହି ନାହାନ୍ତି। ସ୍ତ୍ରୀ ଚାଲିଗଲା ଆର ପାରିକି, ଦୁଇପୁଅ ଚାଲିଗଲେ ମାମୁଁ ମାଇଁ ସାଥିରେ ଆମେରିକା।

ସେମାନେ କଣ ଅପୁତ୍ରିକ ଥିଲେ ???

ହଁ ।

ଆଉ ତୃତୀୟ ପୁଅ ?

ସେ ମୋ ନିଜ ପୁଅ ନ ଥିଲା କିନ୍ତୁ ପ୍ରାଣରୁ ଭି ଅଧିକ ଥିଲା। ରାସ୍ତା କଡରୁ ତାକୁ ଗୋଟେଇ ଆଣିଥିଲି ମୁଁ।

   ଓଃ କି ଯନ୍ତ୍ରଣା!!! !!! ଛାତି ଭିତରର ଅୟୁତ ଅୟୁତ ବେଦନା ପ୍ରଗଳଭ ପରି ଚିତ୍କାର କରି ଉଠୁଥିଲା । ବର୍ଷ ବର୍ଷ ଧରି ଯେଉଁ ଦେବତାକୁ ପ୍ରଶାନ୍ତ ଖୋଜୁଥିଲା ଏଠି, ସେଠି, ସବୁଠି ! ସେଇ ଦେବତାଙ୍କୁ କୌଣସି ମଂଦିରରେ ନୁହେଁ ପାଇଯାଇଥିଲା ରାସ୍ତାକଡ଼ ଫୁଟପାଥରେ। ନିଜକୁ ଆଉ ସମ୍ଭାଳି ପାରିଲାନି , ଗୋଡ଼ ତଳେ ପଡିଯାଇ ଭୁଲି ଯାଇଥିଲା ନିଜକୁ, ନିଜର ପ୍ରେଷ୍ଟିଜ , ପୋଜିସନକୁ । ପାଦ ଦି’ ଟାକୁ ଜାବୁଡି ଧରି ଧାରା ଶ୍ରାବଣର ଲୋତକ ବନ୍ୟାରେ ଧୋଇଦେଉଥିଲା କଳା କୋତରା ଚିରା ଜୋତାର ଆବରଣ ତଳେ ଢାଙ୍କି ହୋଇଥିବା ସେ ପାଦକୁ। ପାଟିରେ ଖାଲି ଖନି ମାରିଯାଉଥିଲା ଗୋଟିଏ ଶବ୍ଦ....…

ବା...... ପା.......

ବିଜୟିନୀ ପଣ୍ଡା

ଶିକ୍ଷୟିତ୍ରୀ

ମହମ୍ମଦପୁର ନୋଡାଲ ସ୍କୁଲ

ସମ୍ବଲପୁର

ବାପା ସ୍ତ୍ରୀ ଅପୁତ୍ରିକ ମାମୁଁ

Rate the content


Originality
Flow
Language
Cover design

Comments

Post

Some text some message..