Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

BIBHUTI BHUSAN SWAIN

Fantasy

3  

BIBHUTI BHUSAN SWAIN

Fantasy

ଅଣୁ ଗଳ୍ପ- ଅଭିଶାପ

ଅଣୁ ଗଳ୍ପ- ଅଭିଶାପ

2 mins
656


ନବଯୌବନା ସୁନ୍ଦରୀ ଅପସରୀର ବିମୁଗ୍ଧକର ନୃତ୍ୟ ସହ ତାର ସୁମଧୁର କଣ୍ଠରୁ ନିର୍ଗତ ମଧୁର ସଙ୍ଗୀତ ଦେବସଭାକୁ କରୁଥାଏ ଆଲୋଡିତ । ମନ୍ତ୍ରମୁଗ୍ଧ ଦେବରାଜ ନୃତ୍ୟରସକୁ ଆକଣ୍ଠ ପାନ କରି ଅପଲକ ନୟନରେ ଚାହିଁଥାନ୍ତି ସେହି ନୃତ୍ୟରତା ଅପୂର୍ବ ସୁନ୍ଦରୀର ତରଙ୍ଗାୟିତ ଅଙ୍ଗ ସୌଷ୍ଟବକୁ । ମନରେ ତାଙ୍କ ଜାଗି ଉଠୁଥାଏ ଅଜସ୍ର ପ୍ରଶ୍ନର କୁହେଳି । କିଏ...କିଏ ଏହି ଅପରୂପା ତନ୍ୱୀ ତରୁଣୀ ? ଏଭଳି ପ୍ରଚଣ୍ଡ ପ୍ରତିଭା କଣ ସ୍ୱର୍ଗରାଜ୍ୟରେ ସମ୍ଭବ ! ନିଜ ମନରେ ଉଠୁଥିବା ତୀବ୍ର ଜିଜ୍ଞାସାକୁ ଦମନ କରି ନ ପାରି ପ୍ରଶ୍ନ କଲେ ଦେବ ସଭାକୁ...କିଏ ସେ ସୁକୁମାରୀ । କଣ ତାର ପରିଚୟ ?


- "ହେ ଦେବରାଜ! ଏହି ନୃତ୍ୟପ୍ରବଣା ଅପସରୀଟି ଆମ ଦେବସଭାର ଶ୍ରେଷ୍ଠ ଅପସରୀ ଉର୍ବଶୀଙ୍କ କନ୍ୟା ମଧୁଲିତା ଅଟେ । ଆଜି ଉର୍ବଶୀଙ୍କ ଅନୁପସ୍ଥିତି ଯୋଗୁଁ ଜନନୀଙ୍କ କାର୍ଯ୍ୟକୁ ନିଜେ ଅତି ଆଗ୍ରହର ସହ ଦେବସଭାରେ ପରିବେଷଣ କରିଛି ।" -ଉତ୍ତର ଦେଲେ ଅଗ୍ନିଦେବ ।


-"ଏଭଳି ବିରଳ ପ୍ରତିଭାକୁ ଆମ୍ଭ ଦେବସଭାରେ ନିଯୁକ୍ତି ଦିଅ । ଏହାର ରୂପ,ଗୁଣ,ନୃତ୍ୟ,ସଙ୍ଗୀତ ବାସ୍ତବିକ ପ୍ରଶଂସାଯୋଗ୍ୟ । ଆସନ୍ତା କାଲି ଠାରୁ ଏହି ସୁନ୍ଦରୀ ଆମ ଦେବସଭାରେ ନୃତ୍ୟ ଆଉ ସଙ୍ଗୀତ ପରିବେଷଣ କରିବା ଆବଶ୍ୟକ ।" ମଧୁଲିତାର ପ୍ରଶସ୍ତି ଗାନ କରୁ କରୁ ନିଜ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଦେବ ପରିଷଦକୁ ଆଦେଶ ଦେଲେ ଦେବରାଜ ଇନ୍ଦ୍ର । 


ପରନ୍ତୁ ତା ପରଦିନ ପ୍ରତ୍ୟୁଷରୁ ମଧୁଲିତା ସ୍ୱର୍ଗରାଜ୍ୟ ପରିତ୍ୟାଗ କରି ନିଜର ବହୁ ଦିନର ପ୍ରେମୀ ଯକ୍ଷରାଜ ମଣିକିଙ୍କରଙ୍କ ପୁତ୍ର ରୁଦ୍ରଭାନୁ ସହିତ ବିବାହ କରିବାକୁ ଯକ୍ଷଦେଶକୁ ଚାଲି ଯାଇଥିଲେ । ଗୁପ୍ତଚର ଠାରୁ ମଧୁଲିତାର ଗୋପନ ପ୍ରଣୟ ତଥା ଦେବେନ୍ଦ୍ରଙ୍କ ଆଦେଶକୁ ଅବଜ୍ଞା କରି ଯକ୍ଷ ଦେଶକୁ ପଳାୟନ କରିଥିବା କଥା ଶୁଣି କ୍ରୋଧିତ ହେଲେ ଦେବରାଜ । କ୍ରୋଧ ଜର୍ଜରିତ ହୋଇ ସେ ମଧୁଲିତାଙ୍କୁ ଦେଲେ ଅଭିଶାପ..."ରେ ନିର୍ବୋଧ ବାଳା । ଦେବରାଜଙ୍କ ଆଦେଶକୁ ଅବଜ୍ଞା କରି ତୁ ଯେଉଁ ମହାପାପ କରିଛୁ,ସେଥିଲାଗି ମୁଁ ତୋତେ ଅଭିଶାପ ଦେଉଛି । ଏହି ମୁହୂର୍ତ୍ତରୁ ତୁ ମର୍ତ୍ତ୍ୟ ଲୋକରେ ଜନ୍ମ ଗ୍ରହଣ କରିବୁ । ଯେଉଁ ପ୍ରେମିକ ପାଇଁ ତୁ ଦେବେନ୍ଦ୍ରଙ୍କ ଆଜ୍ଞାକୁ ଅବମାନନା କରିଛୁ,ମର୍ତ୍ତ୍ୟଲୋକରେ ମଧ୍ୟ ଅଳ୍ପ ଦିନରେ ସେ କରିବ ମୃତ୍ୟବରଣ । ତୋର ପ୍ରଚଣ୍ଠ ପ୍ରତିଭା ଥିବା ସ୍ୱତ୍ତେ ସେଠାରେ ପାଇବୁ ଦାରୁଣ କଷ୍ଟ । ତୋର ଆତ୍ମୀୟ ସ୍ୱଜନ ତୋତେ ହତାଦାର କରି ତୋର ସଙ୍ଗ ତ୍ୟାଗ କରିବେ ।"

ଦେବରାଜ ନିଜ ଝିଅକୁ ଦେଇଥିବା ଅଭିଶାପ କଥା ଶୁଣି ଅପସରୀ ଉର୍ବଶୀ ଲୋଟି ପଡିଲେ ଦେବରାଜଙ୍କ ପାଦ ତଳେ । ନିଜ କନ୍ୟାର କୃତକର୍ମ ପାଇଁ ସେ କ୍ଷମା ପ୍ରାର୍ଥନା କରୁଥିଲେ ଶଚୀପତିଙ୍କ ନିକଟରେ । ଉର୍ବଶୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ଦେବେନ୍ଦ୍ର ଆଶ୍ୱାସନା ଦେଇ କହିଲେ- "ଭଦ୍ରେ! ମୁଁ ଦେଇଥିବା ଅଭିଶାପ ତୁମ କନ୍ୟା ଅବଶ୍ୟ ଭୋଗିବ । ପରନ୍ତୁ ସେ ତାର ଯୌବନର ଅପରାହ୍ନରେ ପହଁଚିବା ପରେ ହେବ ଶାପ ମୁକ୍ତ । ତାର ବିଚକ୍ଷଣ ପ୍ରତିଭାକୁ ସମଗ୍ର ଜଗତ କରିବ ସମ୍ମାନ । ତାକୁ ପ୍ରତ୍ୟାଖାନ କରିଥିବା ଆତ୍ମୀୟ ସ୍ୱଜନ ଶେଷରେ ତାର ଶରଣାପନ୍ନ ହେବେ ।"


ସେଇ ଦିନଠାରୁ ସେଇ ନବ ଯୌବନା ଅପସରୀ ମର୍ତ୍ତ୍ୟମଣ୍ଡଳରେ ଜନ୍ମଗ୍ରହଣ କଲା । କାହାଣୀଟିକୁ ଏତିକି କହି ଗୁରୁଦେବ କିଛି ସମୟ ମୌନ ରହିଲେ । ଅସୀମ ଆଗ୍ରହର ସହ କାହାଣୀ ଶୁଣୁଥିବା ଶିଷ୍ୟଗଣ ଉତ୍କଣ୍ଠିତ ହୋଇ ଗୁରୁଦେବଙ୍କୁ ପଚାରିଲେ- "ତା'ପରେ କଣ ହେଲା ଗୁରୁଦେବ? ମଧୁଲିତା ଅଭିଶାପ ପାଇ ମର୍ତ୍ତ୍ୟଲୋକରେ କଣ ଜନ୍ମ ହେଲା?"


- "ହଁ,ହଁ.. ମଧୁଲିତା ଏବେ ମର୍ତ୍ତ୍ୟପୁରରେ ଜନ୍ମ ହୋଇ ଦେବରାଜଙ୍କ ଅଭିଶାପକୁ ଭୋଗ କରୁଛି ଯାହାକୁ ତୁମେ ମାନେ ରାନୁ ମଣ୍ଡଳ ନାମରେ ବିଭିନ୍ନ ଖବରକାଗଜରୁ ଜାଣିଛ ।-ସ୍ମିତ ହସି ଗୁରୁଦେବ ଉତ୍ତର ଦେଲେ । (କଳ୍ପିତ)


***


Rate this content
Log in

Similar oriya story from Fantasy