Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Comedy Fantasy

5.0  

ପ୍ରଶାନ୍ତ କୁମାର ବେହେରା

Comedy Fantasy

ଜଗନ୍ନାଥଙ୍କ ବିଶ୍ୱବ୍ରହ୍ମାଣ୍ଡ

ଜଗନ୍ନାଥଙ୍କ ବିଶ୍ୱବ୍ରହ୍ମାଣ୍ଡ

15 mins
7.6K


ଜଗନ୍ନାଥଙ୍କ ବିଶ୍ୱବ୍ରହ୍ମାଣ୍ଡ ଭ୍ରମଣ ....

( ପରିବର୍ତ୍ତିତ ସମାଜରେ ଘଟୁଥିବା କିଛି ସତ୍ୟ ଘଟଣାରେ ମୋ କଳ୍ପନାକୁ ମିଶାଇ ଏ ଲେଖା l କାହାର ଧର୍ମିୟ ଭାବନା ବା ପେଷାକୁ ଆକ୍ଷେପ କରିବା ମୋର ଏ ଲେଖାର ଉଦ୍ଦେଶ୍ଯ ଆଦୌ ନୁହେଁ )

*********************************

ରଥଯାତ୍ରାରେ ଜଗନ୍ନାଥ ବଡଭାଇ ବଳଭଦ୍ର ଆଉ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରୀମନ୍ଦିରରୁ ବାହାରି ଆସିବାପରେ ବଡଦାଣ୍ଡରେ ଭକ୍ତଙ୍କ ଜନସମୁଦ୍ର ଦେଖି କିଛି ସମୟ ବହୁତ ଖୁସି ହୋଇଗଲେ l ନନ୍ଦିଘୋଷ ରଥରେ ହଲି ହଲି ଯାଉ ଯାଉ ବଡଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଯାଇ କହିଲେ, " ଭାଇ ଏତେଦିନେ ସୁବିଧା ମିଳିଛି, ମୁଁ ଟିକେ ସମୁଦ୍ର କୂଳିଆ ଥଣ୍ଡା ପବନ ଖାଇକି ମନ ଫୁର୍ତ୍ତି କରି ଆସୁଛି l ବଡ ଦେଉଳରେ ତ ଲକ୍ଷ୍ମୀ ଜଗିଛି l କୁଆଡେ ଛାଡୁନି l"

ବଳଭଦ୍ର ସ୍ମିତ ହସ ଦେଇ କହିଲେ, " ହଉ କହୁଛୁ ଯଦି ଯା , କିନ୍ତୁ ଲକ୍ଷ୍ମୀ ଯଦି ଜାଣିଲେ ମୋ ଠାରୁ ପରମିସନ୍ ନେଇ ଯାଇଛୁ ବୋଲି କହିବୁନି l ଆଉ ଶୁଣ୍ ବେଶି ସମୟ ବାହାରେ ବୁଲାବୁଲି କରିବୁନି l ସମୁଦ୍ର କୂଳକୁ ଯିବୁ ଆଉ ଆସିବୁ l "

ଜଗନ୍ନାଥ ଖୁସି ହୋଇ ମନେ ମନେ ଭାବିଲେ ମୁଁ ଏକୁଟିଆ ଲକ୍ଷ୍ମୀକୁ ଡରୁଛି ବୋଲି ଭାବୁଥିଲି l ଦେଖୁଛି ଏ ବୁଢା ବି ଖୁବ୍ ଡରୁଛି l ସେ ଟିକେ ହସିଦେଇ କହିଲେ, " ହଁ ଭାଇ ଜମା ବ୍ୟସ୍ତ ହେବେନି , ଜଷ୍ଟ ଗଲି ଆଉ ଆସିଲି l ଲକ୍ଷ୍ମୀ ଜମାବି ଜାଣି ପରିବନି l "

ଜଗନ୍ନାଥ କିଛି ସମୟ ପୁରୀ ସମୁଦ୍ରକୂଳ ହାଓ୍ୱା ଖାଇ ଲୋକଙ୍କ ହାଲ୍ଚାଲ୍ ବୁଝିବାକୁ ମନବଳାଇଲେ l ଅଦୃଶ୍ଯ ହୋଇ ଚାଲୁ ଚାଲୁ ଗୋଟେ ଘଟୁଥିବା ଘଟଣା ଦେଖି ହତବାକ୍ ହୋଇଗଲେ l

ଜଗନ୍ନାଥ ଆବାକାବା ହୋଇ ଦେଖୁଥିଲେ l ଜଣେ ସମାଜର ପ୍ରତିଷ୍ଠିତ, ଉଚ୍ଚକୁଳ ଓ ଉଚ୍ଚ ଶିକ୍ଷିତ ମଧ୍ଯମ ବୟସ୍କ ବ୍ୟକ୍ତି ଯାହାର ନାମ ବଳରାମ ସେ ସେହି ଘଟଣାର ମୁଖ୍ୟ ନାୟକ ଥିଲା l ଠିକ୍ ମୁହଁ ସଂଧା ପରେ ପରେ ସେ ଘଟଣାଟା ଘଟିଗଲା l ତିନି ଜଣ ଛୋଟ ଛୋଟ ଝିଅଙ୍କ ସାମ୍ନାରେ ତାଙ୍କ ମା' ସହିତ ସେ ଘଟଣା ଘଟାଇବା ପରେ ସେଠୁ ଯିବା ପୂର୍ବରୁ ବଳରାମ ରାଧାକୁ ନାଲି ଆଖି ଦେଖାଇ ଧମକ ଦେଇ ବଡ ପାଟିରେ କହିଲା, " କାହାକୁ ଯଦି ଏ ଘଟଣା ବାବଦରେ ମୁହଁ ଖୋଲି କହିବୁ ତତେ ବିଚ୍ ରାସ୍ତାରୁ ଟେକିନେଇ ମର୍ଡର୍ କରିଦେବି l"

ଜଗନ୍ନାଥ ଏ ସବୁ ଦେଖିବା ପରେ ଭାବୁଥିଲେ କି ଅବସ୍ଥା ଏଠି ? ମଣିଷର ମାନସିକତାରେ ଏମିତି କେମିତି ପରିବର୍ତ୍ତନ ଆସିଲା ? ଜଣେ ଭଦ୍ରଲୋକ ଏମିତି ଅମାନୁଷ କାମ କେମିତି କରିପାରିଲା ? ଜଗନ୍ନାଥ ଆଉ କଣ ଆଗକୁ ସବୁ ହେବ ଦେଖିବାକୁ ମନ ସ୍ଥିର କରିନେଲେ l

ରାଧା ସହିତ ଏ ଘଟଣା ଘଟୁଥିଲା ଠିକ୍ ସେଇ ସମୟରେ ଯେତେବେଳେ ତା' ସ୍ୱାମୀ ନକୁଳ ଘଟଣା ଘଟାଉଥିବା ବଳରାମର ଜମିରେ ପାଣି ମଡାଇ ତାକୁ ଚାଷୋପଯୋଗୀ କରୁଥିଲା l ଏମିତି ଘଟଣା ପ୍ରାୟ ଘଟେ ସେ ଗାଁରେ l ସାଧାରଣ ବା ଖୁବ୍ ମାମୁଲି କଥା ବୋଲି ସମସ୍ତେ ଧରିନିଅନ୍ତି l କିନ୍ତୁ ରାଧା ଓ ତା' ସ୍ୱାମୀ ନକୁଳ ଏ ଘଟଣାକୁ ମାମୁଲି ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ l

ତା ପରଦିନ ସକାଳୁ ଉଭୟ ସ୍ୱାମୀ ସ୍ତ୍ରୀ ମନକୁ ଦୃଢ଼ କରି ଥାନାରେ ଯାଇ ପହଞ୍ଚିଲେ l ସେଠାରେ ତାଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିଲା l ନ ଖାଇ ନ ପିଇ ସେମିତି ସଂଧା ଯାଏ ବସିବା ପରେ ବି ତାଙ୍କ FIR କେହି ଗ୍ରହଣ କରୁନଥାନ୍ତି l ସେତେବେଳେ ଥାନାରେ ଉପସ୍ଥିତ ଥିବା କିଛି ପୁଲିସ୍ ଏମାନଙ୍କୁ ଦେଖି ଠରାଠରି ହୋଇ ମୁରୁକି ହସା ମାରୁଥାନ୍ତି l

ସଂଧା ୫ ଟା ପରେ ଜଣେ ଥାନାବାବୁ ସେ ଲେଖାକୁ ନକୁଳ ଠାରୁ ନେଇ ପଢିବା ପରେ ରାଧାକୁ ପଚାରିଲା , " ଆଛା ତୁ କେମିତି ଜାଣିଲୁ ତୁ ରେପ୍ ହୋଇଛୁ ବୋଲି ? ରେପ୍ କାହାକୁ କୁହାଯାଏ ତୁ ଠିକ୍ କାରି ଜାଣିଛୁ କି ? ସେ କେମିତି ରେପ୍ କଲା ? ସେ କଣ ତତେ ତଳେ ଶୁଆଇ ଥିଲା ? "

ସେ ଥାନାବାବୁ ଦ୍ୱାରା ଏମିତି ସବୁ ଅଦ୍ଭୁତ ଓ ନାରୀ ସମ୍ମାନ ହାନି କାରକ ପ୍ରଶ୍ନ ପରେ ବି ରାଧା ଯେତେବେଳେ ଜିଦ୍ ଧରିଲା FIR ଲଜ୍ କରିବାକୁ , ସେ ଥାନାବାବୁ ତାକୁ ଧମକ ଦେଇ କହିଲା ,

" ଠିକ୍ ଅଛି , ଯଦି ବାଧ୍ଯ କରୁଛୁ ମୁଁ ତୋ FIR ଲଜ୍ କରୁଛି, କିନ୍ତୁ ମୁଁ କିଛି ବି ଗ୍ୟାରେଣ୍ଟି ଦେଇପାରିବିନି ଯେ, ଆଗକୁ ସେମିତି ଘଟଣା ପୁନର୍ବାର ତୋ ସହିତ ଘଟିବ ନାହିଁ ବୋଲି l"

ଜଗନ୍ନାଥ ସେମିତି ଅଦୃଶ୍ଯରେ ଥାଇ ସବୁ ଘଟଣା ଦେଖୁଥିଲେ l ତାଙ୍କ ମୁଣ୍ଡ ଏ ଥାନାର ଅବସ୍ଥା ଦେଖି ପୁରା ଜାମ୍ ହୋଇଗଲା l କିଛି ସମୟ ସେ ନିଜେ କିଏ ବୋଲି ଜାଣି ପାରିଲେନି l ମନେ ମନେ ଭାବିଲେ ଏ ପୁଲିସ୍ କୁଆଡେ ଲୋକଙ୍କ ସାହାଯ୍ୟ କରିବାକୁ ଅଛନ୍ତି l ପଇସା ଖାଇ କୋଉ ସ୍ତରକୁ ଏମାନେ ଯାଇପାରୁଛନ୍ତି ? କଣ ସବୁ ଚାଲିଛି ଏଠି ?

ତାପରେ ରାଧାକୁ ମେଡିକାଲ୍ ନିଆଗଲା ପରୀକ୍ଷା କରିବା ପାଇଁ l ସେଠି ବି ସେଇ ଅବସ୍ଥା l କିଛି ଅବାନ୍ତର ପ୍ରଶ୍ନ ସହିତ ଅଦ୍ଭୁତ ପରୀକ୍ଷା କରାଗଲା l ତାକୁ ଦୁଇ ଆଙ୍ଗୁଠିର ଟେଷ୍ଟ ଦେବାକୁ ପଡିଲା l ଡାକ୍ତର ପରୀକ୍ଷା କରିବା ପରେ ତାକୁ ପଚାରିଲା,

" ସତରେ ତତେ କଣ କିଏ ରେପ୍ କରିଛି ?"

ଉକ୍ତ ମେଡିକାଲ୍ ରିପୋଟ୍ ରେ ସେ ଡାକ୍ତର ଲେଖିଥିଲା ଯେ,

" ରାଧାର ଶରୀରର ସେ ଜାଗା ଭିତରକୁ ଖୁବ୍ ସହଜରେ ଦୁଇଟି ଆଙ୍ଗୁଠି ବିନା କୌଣସି ବାଧା ବିଘ୍ନରେ ଚାଲିଗଲା l ପରୀକ୍ଷା କରିବା ପରେ ଜଣା ଯାଉଛି ସେ ସବୁବେଳେ ଦୈହିକ ସଂମ୍ପର୍କରେ ଅଛି l ପୁନଶ୍ଚ ସେ ୩ ଟି ପିଲାର ମା ହୋଇଥିବାରୁ ରେପ୍ ହୋଇଛି ବୋଲି ଜଣା ପଡୁନି l"

ମେଡିକାଲ୍ ରେ ଏସବୁ ଘଟଣା ଦେଖି ଜଗନ୍ନାଥଙ୍କ ମୁଣ୍ଡ ପୁରା ଝାଇଁ ଝାଇଁ ହୋଇଗଲା l ଭାବିଲେ ଏ ଡାକ୍ତର କୁଆଡେ ଭଗବାନ୍ ଙ୍କ ଅବତାର l ଲୋକ କେତେ ବିଶ୍ୱାସ ନ କରନ୍ତି ଏମାନଙ୍କୁ ସତରେ l ହେଲେ ଏମାନେ ବି ପଇସା ପାଇଁ କୋଉ ସ୍ତରକୁ ଖସି ଯାଉଛନ୍ତି ?

ତାପରେ ଏ କେସ୍ ର ବିଚାର ଅଦାଲତରେ ଚାଲିଲା l ସେଠି ବି ସେଇ ଥାନା ଆଉ ମେଡିକାଲ୍ ପରି ସମାନ ଅବସ୍ଥା l ବଳରାମ ତା ଧନର ତାକତରେ ବଡ ଓକିଲ ଠିଆ କରାଇଲା l ସରକାରୀ ଓକିଲକୁ ବି ସମ୍ପୂର୍ଣ୍ଣ ଭାବେ କରାୟତ କରିନେଇଥାଏ ପ୍ରର୍ଯ୍ୟାପ୍ତ ଟଙ୍କା ଦେଇ l ରାଧା ଆଉ ନକୁଳ ଦେଇଥିବା ଓକିଲ ପଇସାତ ନେଉଥିଲେ କିନ୍ତୁ କୋର୍ଟରେ କାଇଁ କିଛି କହିପାରୁ ନଥିଲେ l ସେ ବି ବୋଧେ ବଳରାମଠୁ କିଛି ପକାଇଦେଇ ଥିବ l

ସେଠି ବଳରାମର ଓକିଲ ରାଧାକୁ ଯାହା ସବୁ ପ୍ରଶ୍ନ କରୁଥାଏ ସେଥିରେ ନକୁଳର ମୁଣ୍ଡ ସହ ଜଗନ୍ନାଥଙ୍କ ମୁଣ୍ଡ ବି ଝାଇଁ ଝାଇଁ ହୋଇଯାଉଥାଏ l

ସେ ସବୁ ପ୍ରଶ୍ନ ଭିତରେ କିଛି ଏମିତି ଥିଲା, " ଆଛା ସେ ଘଟଣା ଘଟିବା ବେଳେ ତମେ କଣ କରୁଥିଲ ? କଣ ପିନ୍ଧିଥିଲ ? ସେ କଣ ସବୁ ଖୋଲି ସେମିତି କଲା ? "

ଏମିତି ସବୁ ପ୍ରଶ୍ନ ପରେ ଶେଷକୁ ସେ ଜର୍ଜଙ୍କୁ କହିଲା , " ଆଜ୍ଞା ଏ ନାରୀର ଚରିତ୍ର ସନ୍ଦେହ ଜନକ l କେବଳ ପଇସା ଲୁଟିବା ପାଇଁ ଏମିତି ଅଭିଯୋଗ ମୋ ମହକିଲ ନାଁ ରେ ଆଣିଛି l ବଳରାମ ବାବୁ ସମାଜର ଜଣେ ଖୁବ୍ ପ୍ରତିଷ୍ଠିତ ତଥା ଉଚ୍ଚ ଶିକ୍ଷିତ ବ୍ୟକ୍ତି l ସେ ଦୟାକରି ଏମାନଙ୍କୁ କାମଦେଇ ଆଜି ଏମିତି ଅସୁବିଧାରେ ପଡିଛନ୍ତି l"

ରାଧା ଆଡକୁ ଅଙ୍ଗୁଳି ଦେଖାଇ କହିଲା, " ଏମାନ ସବୁ ଏପରି ଚରିତ୍ରର ଯେ , ଯିଏ ସାହାର୍ଯ୍ୟ କରନ୍ତି ତାଙ୍କୁ ଅସୁବିଧାରେ ପକାନ୍ତି l ଯେଉଁ ଥାଳିରେ ଖଆନ୍ତି ସେଇଠି ହିଁ ଦୁଇ କରନ୍ତି "

ପୁଲିସ୍ ରିପୋର୍ଟ, ମେଡିକାଲ୍ ରିପୋର୍ଟ ଆଉ ବଳରାମ ଦେଇଥିବା ଓକିଲର ବଳିଷ୍ଠ ଯୁକ୍ତି ଆଗରେ ଜିଲ୍ଲା ଜର୍ଜ ମିଛ କଣ ସତ କଣ ଜାଣୁଥିଲେ ବି ବଳରାମକୁ ନିର୍ଦ୍ଦୋଶରେ ଖଲାସ୍ କଲେ l

ଜଗନ୍ନାଥ ଏବେ ପୁରା ଆବାକାବା ହୋଇଗଲେ l ବେହୋସ୍ ହେବାପରି ଅବସ୍ଥା ତାଙ୍କର l କଣ କରିବେ କିଛି ସ୍ଥିର କରି ପାରୁ ନ ଥାନ୍ତି l ଏ ସବୁ ଘଟଣା ଦେଖି ତାଙ୍କ ମୁଣ୍ଡ ପୁରା ଶୂନ୍ଯ ହୋଇଗଲା l ଯେଉଁଠିକି ଲୋକ ନ୍ୟାୟ ପାଇବାକୁ ଆସନ୍ତି କେତେ ଆଶା ମନରେ ନେଇ , ସେଠି କଣ ଏମିତି ସବୁ ନ୍ୟାୟ ମିଳେ ? କୋର୍ଟପ୍ୟଣ୍ଟ ପିନ୍ଧି ଏ ଓକିଲ ମାନେ କଣ ନ କରୁଛନ୍ତି ସତରେ ? ପୁରା ମିଛକୁ ସତ ଆଉ ସତକୁ ମିଛରେ ପରିବର୍ତ୍ତନ କରି ଛାଡି ଦେଉଛନ୍ତି ଏମାନେ l ଗୀତାକୁ ଛୁଇଁ ବି ଲୋକ ଗୁଡାକ କେମିତି ଏମିତି ମିଛ କହୁଛନ୍ତି ?

ଏ ଘଟଣା ସବୁ ଘଟିବା ପରେ ବଳରାମର ଲୋକମାନେ ରାଧା ଓ ନକୁଳର ଅବସ୍ଥା ଏମିତି କଲେ ସେମାନେ ବାଧ୍ଯ ହୋଇ ଗାଁ ଛାଡି, ନିଜ ବାପ ଅଜାଙ୍କ ଭିଟାମାଟି ଲୋଭ ଛାଡି ୧୦ କିଲୋମିଟର ଦୂରରେ ଜଣେ ବଂଧୁ ଘରେ ରହୁଛନ୍ତି l

ରାଧା ଓ ନକୁଳର ଅବସ୍ଥା ଦେଖି ଜଗନ୍ନାଥ ବର୍ତ୍ତମାନ ପୁରା ସିରିୟସ୍ ହୋଇଗଲେ l ଦୁଷ୍କର୍ମର ଶିକାର ହୋଇ ସାରିବା ପରେ ବି ପିଡିତାର ଏ ସମାଜରେ ସ୍ଥିତି କିଭଳି ହେଉଛି ଦେଖି କିଛି ଗୋଟେ କରିବାକୁ ମନ ସ୍ଥିର କଲେ l ମନେ ମନେ ଭାବିଲେ କଣ ମୋର କିଛି ଭୁଲ୍ ରହିଯାଉଛି କି ? ଜଗତକର୍ତ୍ତା ହିସାବରେ ଲାଳନ ପାଳନରେ କିଛି ଅବହେଳା ତାଙ୍କ ତରଫରୁ ହେଉଛି କି ? ଏମିତି ବହୁ ପ୍ରଶ୍ନ ଜଗନ୍ନାଥଙ୍କ ମନ ଭିତରେ ଉଙ୍କି ମାରୁଥାଏ l ଶେଷକୁ ତାଙ୍କ ମୁଣ୍ଡରେ ଗୋଟେ ବୁଦ୍ଧି ଜୁଟିଲା l ଭାବିଲେ ଏ ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ବ୍ରହ୍ମା l ଏ ମଣିଷ ମାନଙ୍କୁ ସୃଷ୍ଟି କଲାବେଳେ ସେ ବୋଧେ କିଛି ଭୁଲ୍ କରିଥିବେ l ତାଙ୍କ ପାଖକୁ ଯିବା ଠିକ୍ ହେବ l

ଜଗନ୍ନାଥ ସିଧା ମର୍ତ୍ତ୍ଯଲୋକରୁ ସ୍ୱର୍ଗଲୋକକୁ ଯାଇ ବ୍ରହ୍ମାଙ୍କୁ ଦେଖିଥିବା ଘଟଣା ସବୁ ଗୋଟି ଗୋଟି କରି କହିଲେ l

ବ୍ରହ୍ମା ସବୁ ଶୁଣି ସରିବା ପରେ କହିଲେ , " ମୁଁ ଏଥିରେ କଣ କରି ପାରିବି ? ମୋ ହାତରେ କଣ ଅଛି ? "

ଜଗନ୍ନାଥ କହିଲେ , " ମୁଁ ଭାବୁଛି ଆପଣଙ୍କ ସୃଷ୍ଟିରେ କିଛି ଗଡ ବଡ ରହୁଛି l ନହେଲେ ଏତେ ତଳ ସ୍ତରକୁ ଲୋକମାନେ କେମିତି ଖସି ଯାଆନ୍ତେ କହିଲେ ?"

ବ୍ରହ୍ମା ଏବେ ପୁରା ରାଗିଗଲେ l ଏଥିରେ ତାଙ୍କର ଦୋଷ କେଉଁଠାଏଁ ରହିଲା ? ସେ ଜଗନ୍ନାଥଙ୍କୁ ଅନାଇ ଚିଡିଯାଇ କହିଲେ , " ମୋ ଦୋଷ ନା ଆପଣଙ୍କ ଦୋଷ ? ମୁଁ ତ ଖାଲି ସୃଷ୍ଟି କରେ l ସୃଷ୍ଟି ସମୟରେ ମଣିଷ କିଛି ଜାଣି ନଥାଏ l ତାକୁ ଭଲ ମନ୍ଦ କିଛି ମାଲୁମ୍ ନ ଥାଏ l ପାପ ପୁଣ୍ଯ ଅରଜିବା ସବୁ ଏଇ ପୃଥିବୀରୁ l ସ୍ପଷ୍ଟ ଭାବରେ କହିଲେ ଆପଣ ହିଁ ଏସବୁ ପାଇଁ ଦାୟି l ଆପଣ ଆପଣଙ୍କ ପାଳନକର୍ତ୍ତା ଭୁମିକାକୁ ଠିକ୍ ଭାବରେ ତୁଲାଇ ପାରୁ ନାହାନ୍ତି ଯେଉଁଥିପାଇଁ ଏମିତି ଅରାଜକତା ମର୍ତ୍ତ୍ଯମଣ୍ଡଳରେ ସୃଷ୍ଟି ହୋଇଛି l"

ଜଗନ୍ନାଥ ବ୍ରହ୍ମାଙ୍କ ଅକାଟ୍ଯ ଯୁକ୍ତି ଆଗରେ ଆଉ କଣ କହିବେ କିଛି ଭାବି ପାରୁନଥାନ୍ତି l ସତରେ ସବୁ ଦୋଷ କଣ ତାଙ୍କର ? ମର୍ତ୍ତ୍ଯ ଲୋକରେ ତାଙ୍କ ଲାଳନ ପାଳନରେ ହିଁ ସବୁ ଗଡବଡ ହେଉଛି ତାହେଲେ l ଏମିତିରେ ତ ତାଙ୍କ ଅବସ୍ଥା ବି ଏବେ ସେ ମର୍ତ୍ତ୍ଯମଣ୍ଡଳରେ ଭଲ ନାହିଁ l ତାଙ୍କର କିଛି ସେବାୟତ ବି ତାଙ୍କ ଆଖିଆଗରେ କଣ ନାଇ କଣ ସବୁ କରି ଯାଉଛନ୍ତି l ତାଙ୍କ ନିଜର ଘଟ ପରିବର୍ତ୍ତନ ରାତି ଅଧରେ ନ କରି ସ୍ପଷ୍ଟ ଦିବାଲୋକରେ କଲେ l ନୀତିକ୍ରାନ୍ତିରେ ସବୁବେଳେ ବିଭ୍ରାଟ କରିବା ହେତୁ ବହୁତ ଦିନ ଅଗାଧୁଆ ଆଉ ଉପାସ ବି ରହୁଛନ୍ତି l ତାଙ୍କ ରତ୍ନଭଣ୍ଡାର ଚାବି କୋଉଁଠି ହଜିଛି ଯେ ଏଯାଇ ମିଳୁନି l ଆଉ ମିଳିବ କି ନାଇଁ ତାହା ବି ସଂଦେହ ଘେରରେ l କିଏ ଜାଣେ ତା ଭିତରେ ରତ୍ନ ସବୁ ଅଛି କି କଏ ଗାୟବ୍ କରି ସାରିଛି ? ଏବେ କୁଆଡେ ଉଚ୍ଚତମ ନ୍ୟାୟାଳୟରେ ବିଚାର ହୋଇ ତାଙ୍କ ବିଷୟରେ ସବୁ ନିଷ୍ପତି ନିଆଯିବ l ଏସବୁ ବିଷୟରେ ବ୍ରହ୍ମାଙ୍କୁ କହିବା ଉଚିତ୍ ହେବନି l

ଶେଷକୁ ଜଗନ୍ନାଥ ନିଜ କଣ୍ଠକୁ ଯଥା ସମ୍ଭବ କମେଇ କହିଲେ , " କିଛି କରନ୍ତୁ ଆପଣ l ନଚେତ୍ ଆପଣଙ୍କ ସୃଷ୍ଟି ସର୍ଜନା ସବୁ ନଷ୍ଟ ଭ୍ରଷ୍ଟ ହୋଇଯିବ l ଏବେ ବି ସମୟ ଅଛି l ସ୍ଥିତି ହାତରୁ ଅଣହାତ ହେବା ପୂର୍ବରୁ କିଛି ବୁଦ୍ଧି କରି ସମ୍ଭାଳି ନେବା ନିହାତି ଦରକାର l "

ବ୍ରହ୍ମା ଜଗନ୍ନାଥଙ୍କ କଥା ଓ ସ୍ଥିତିର ଗୁରୁତ୍ବ ବୁଝିପାରି ଆଖିବୁଜି ଚିନ୍ତାମଗ୍ନ ହେଲେ l ଜଗନ୍ନାଥ କିଛି ସୁଫଳ ମିଳିବା ଆଶାରେ ବ୍ରହ୍ମାଙ୍କ ମୁହଁକୁ ଏକ ଲୟରେ ଅନାଇଁ ରହିଥାନ୍ତି l

କିଛି ସମୟ ପରେ ବ୍ରହ୍ମା ଆଖି ଖୋଲିଲେ l ଜଗନ୍ନାଥ ତାଙ୍କ ଆଖିରୁ ଜାଣିଗଲେ ଯେ କିଛି ବାଟ ବାହାରିଛି ଏ ଅଧର୍ମୀ ପାପୀ ମାନଙ୍କୁ ସାବାଡ୍ କରିବାକୁ l ବ୍ରହ୍ମା ଜଗନ୍ନାଥଙ୍କୁ ଅନେଇ ହସି ଉଠିଲେ l

ଜଗନ୍ନାଥ ଅଧର୍ଯ୍ୟ ହୋଇ ପଚାରିଲେ , " ଆପଣ ଏମିତି ସମୟରେ ହସ ଛାଡି ଉପାୟ କଣ ବାହାର କରିଛନ୍ତି କହିଲେ l ମୁଁ ପୁରା ଟେନସନ୍ ରେ ଅଛି l "

ବ୍ରହ୍ମା ସେମିତି ହସି ହସି କହିଲେ ," ଆମ ଦୁଇ ଜଣଙ୍କ ହାତରେ କିଛି ନାହିଁ l ଆମେ ବସ୍ତବରେ ସେ ପାପୀଷ୍ଠ ମାନଙ୍କର କିଛି ବି ଅନିଷ୍ଠ କରିପାରିବାନି l ୟୁଇ ଆର୍ ରେୟେଲ୍ଲି ପାଓ୍ୱାରଲେସ୍ "

ବ୍ରହ୍ମାଙ୍କର ଏମିତି ଉତ୍ତରରେ ଜଗନ୍ନାଥ ସମସ୍ତ ଆଶା ହରାଇ ମନ ଦୁଖରେ ନଥ୍ କରି ଠିଆ ହୋଇଥିବା ଯାଗରେ ବସି ପଡ଼ିଲେ l

ଜଗନ୍ନାଥଙ୍କ ଅବସ୍ଥା ଦେଖି ବ୍ରହ୍ମା ଆଉ ବିଳମ୍ବ କରିବା ଠିକ୍ ହେବନି ବୋଲି ଚିନ୍ତା କରି କହିଲେ , " କିନ୍ତୁ ବାଟ ଅଛି ସେମାନଙ୍କୁ ସାବାଡ୍ କରିବାକୁ l ଅପଣ ପାଳନ କର୍ତ୍ତା ହିସାବରେ ନିଶ୍ଚେ ଜାଣିଥିବେ ଏ ଦୁନିଅାରେ କିଛି ଭଲ ଲୋକ ଅଛନ୍ତି l ସେମାନଙ୍କ ସକାସେ ହିଁ ଏ ଦୁନିଆ ତିଷ୍ଠି ରହିଛି l ନହେଲେ କେବେଠୁ ଧ୍ବଂସ ହୋଇସାରନ୍ତାଣି l ଆଉ କିଛି ଲୋକ ଖରାପ ରାସ୍ତା ଆଡକୁ ମୁହାଁ ଇବା ଆରମ୍ଭ କରିଛନ୍ତି l ଆଉ ପୁଳେ ଲୋକ ଖରାପ କାମ କରୁଛନ୍ତି କିନ୍ତୁ କାଳେ କିଛି ଅଘଟଣ ଘଟିଯିବ ବା କାଳେ ଧରା ପଡିଯିବେ ସେ ଭୟରେ ବି ଥାଆନ୍ତି l ଏମାନେ ଖୁବ୍ ଧର୍ମ ଭିରୁ l ସବୁବେଳେ ଆଗକୁ ଆଉ ପଛକୁ ଅନାଇଁ ଡରିମରି ଥାଆନ୍ତି l ଠାକୁର ମନ୍ଦିର ସବୁବେଳେ ଯାଆନ୍ତି l ନିଜେ କରୁଥିବା ଦୁର୍ନୀତି ପାଇଁ ଠାକୁରଙ୍କୁ ବଡପାଟି କରି ଡାକନ୍ତି ସାହା ହେବାକୁ l ଦୁର୍ନୀତିରୁ ଯେଉଁ କଳାଟଙ୍କା ମିଳେ ସେଥିରୁ କିଛି ଲୋକଙ୍କୁ ଦାନଧର୍ମ ପାଇଁ ଦେଇ ଦିଅନ୍ତି l ବିଭିନ୍ନ ପୂଜା ଅର୍ଚ୍ଚନା ଘରେ ଆଉ ମନ୍ଦିରରେ କରି ଲୋକଙ୍କୁ ବିଭିନ୍ନ କିସମର ଖାଦ୍ୟ ଖାଇବାକୁ ଦିଅନ୍ତି l ରାତିରେ ବଡ ପାଟିରେ ପୁରାଣ ଭାଗବତ ବାଣୀ ଆବୃତି କରନ୍ତି l କେଉଁଠି ଯଦି ଧର୍ମାନୁଷ୍ଠାନରେ ପ୍ରବଚନ ହୁଏ ସେଠି ଯାଇ ପହଞ୍ଚି ମନଧ୍ୟାନ ଦେଇ ଧର୍ମବାଣୀ ଶୁଣନ୍ତି l ଜୀବନଟା କିଛି ନୁହେଁ ଖାଲି ମାୟା ବୋଲି ବୁଝନ୍ତି l ମୋହ ମାୟାରେ ଘାଣ୍ଟି ଚକଟି ହେଉଛନ୍ତି ବୋଲି ବୁଝି ଯାନ୍ତି l ଯେମିତି ଏକା ଆସିଥିଲା ସେମିତି ଏକା ଯିବା ଫାଇନାଲ୍ ବୋଲି ଜାଣିପାରି ଆଉ ଦୁର୍ନୀତି କି ପାପ କର୍ମ କରିବନି ବୋଲି ଶପଥ କରିବାକୁ ସେତେବେଳେ ପଛାନ୍ତି ନାହିଁ l କିନ୍ତୁ ତା ପରଦିନ ଯେଉଁକଥା କୁ ସେହିକଥା l ରାତ୍ ଗୟେ ବାତ୍ ଗୟେ l ପୁଣି ସେଇ ଦୁର୍ନୀତିରେ ବୁଡିଯାଆନ୍ତି l ଏମାନଙ୍କ ସଂଖା ପୃଥିବୀରେ ବହୁତ l ଏତିକି କହି ବ୍ରହ୍ମା କିଛି ସମୟ ଚୁପ୍ ରହିଗଲେ l

ଜଗନ୍ନାଥ ବ୍ରହ୍ମାଙ୍କ କଥାକୁ ମନଧ୍ୟାନ ଦେଇ ଶୁଣୁଥାନ୍ତି l ଭାବୁଥାନ୍ତି ବ୍ରହ୍ମା ତ ତାଙ୍କଠୁ ଏ ଦୁନିଆ ବିଷୟରେ ଅଧିକ ଜାଣିଛନ୍ତି l ଜଗନ୍ନାଥ ଆଗରୁ ଭାବୁଥିଲେ ବ୍ରହ୍ମା ସୃଷ୍ଟି କରିଦେଇ କାମ ସରିଗଲା ବୋଲି ଭାବି ଶୋଇ ଯାଉଥିବେ l କିନ୍ତୁ ଏଠି ତ ପୁରା ଓଲଟା କଥା l ଦୁନିଆର ହାଲଚାଲ୍ ସବୁ ବ୍ରହ୍ମା ଜାଣିଛନ୍ତି l ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଲୋକମାନେ କଣ ସବୁ କରୁଛନ୍ତି ସେ ବିଷୟରେ ସେ ପୁରା ଅପଡେଟ୍ ଅଛନ୍ତି l

ବ୍ରହ୍ମା ପାଖରେ ଥିବା ପାଣି ପାତ୍ରରୁ ଦୁଇ ଢୋକ ପିଇ ଟିକେ ଦମ୍ ନେଇ ଜଗନ୍ନାଥଙ୍କ ଆଡକୁ ଅନାଇଁ ପୁଣି ଆରମ୍ଭ କଲେ l

" ଆପଣ ତ ଜାଣନ୍ତି ଏ ଦୁନିଆରେ କିଛି ଏମିତି ଲୋକ ଅଛନ୍ତି ଯେଉଁ ମାନେ କାହାକୁ ବି ଡରନ୍ତିନି l ଦୁର୍ନୀତି , ଦୁଷ୍କର୍ମ , ଚୋରି, ଡକାୟତି, ଲୁଟ୍ କରିବା ଏ ସବୁଥିରେ ଏମାନେ ଖୁବ୍ ପାରଙ୍ଗମ l କଥା କଥାରେ ଏମାନେ ଛୁରି, ଭୁଜାଲି, ଖଣ୍ଡା, ବନ୍ଧୁକ ଓ ବମ୍ ବାହାର କରି କାର୍ଯ୍ୟରେ ଲଗାଇବାକୁ ପଛାନ୍ତି ନାହିଁ l ହାଣି ଦେବା, କାଟି ଦେବା , ମର୍ଡର କରିବା ଏମାନଙ୍କର ବାଁ ହାତର ଖେଳ l ଏନାନଙ୍କ ମଧ୍ଯରୁ ଯେଉଁମାନେ ଅପାଠୁଆ ସେମାନେ ସହଜରେ ପୁଲିସ୍ ହାତରେ ଧରା ପଡନ୍ତି ଆଉ ଜେଲ୍ ରେ ବି ରୁହନ୍ତି l ଜେଲ୍ ରୁ ବାହାରିଲେ ପୁଣି ତାଙ୍କର ସେଇ ପୁରୁଣା ପେଷାକୁ ଆପଣେଇଁ ଥାଆନ୍ତି l କିନ୍ତୁ ଏହି ଗୋଷ୍ଠି ଭିତରେ କିଛି ପାଠୁଆ ଅମଣିଷ ଥଆନ୍ତି ଯେଉଁମାନେ ଖୁବ୍ ଧୃତ l ସେମାନେ ଯାହା କରନ୍ତି ଖୁବ୍ ସତର୍କତାବଲମ୍ବନ କରି କରିଥଆନ୍ତି l ଏଗୁଡାକ ସହଜରେ ଚିହ୍ନା ପଡନ୍ତିନି କିମ୍ବା ଧରା ପଡନ୍ତିନି l ଏ ଶେଷ କାଟେଗୋରୀରେ ଥିବା ଅଧର୍ମୀ ପାପୀ ମାନଙ୍କୁ ସବାଡ୍ କରିହେବନି l ଏମାନଙ୍କୁ ଗୋଡେଇ ଗୋଡେଇ ନିପାତ କରିବାକୁ ପଡିବ ଆମକୁ l ସେମାନଙ୍କର ନିପାତ ହେବା ସମୟର ଦୃଷ୍ୟ ଦେଖିଲେ ଅନ୍ୟମାନେ ଆପେ ଆପେ ସୁଧୁରିଯିବେ l ତାପରେ ପୃଥିବୀରେ ପୁନଶ୍ଚ ଶାନ୍ତି ପ୍ରତିଷ୍ଠା ହୋଇପାରିବ l ଲୋକମାନେ ସୁଖରେ ଜୀବନ ଯାପନ କରିବେ l"

ଜଗନ୍ନାଥ ବ୍ରହ୍ମାଙ୍କ ଠାରୁ ସବୁ ଶୁଣିବା ପରେ ବହୁତ ଖୁସି ହୋଇଗଲେ l ବହୁତ ଭଲ କଥା ବ୍ରହ୍ମା କହିଛନ୍ତି l ସେଇ କିଛି ପାପୀ ଓ ଦୁଷ୍କର୍ମକାରୀଙ୍କୁ ଗୋଡେଇ ଗୋଡେଇ ସମସ୍ତଙ୍କ ଆଖିଆଗରେ ନିପାତ କଲେ ଏ ବିଶୃଙ୍ଖଳିତ ସମାଜ ସତରେ ପୁରାପୁରି ଠିକ୍ ହୋଇଯିବ l ହଠାତ୍ ଜଗନ୍ନାଥଙ୍କର ମନେ ପଡିଗଲା ବ୍ରହ୍ମା କିଛି ସମୟ ପୂର୍ବରୁ କହିଥିବା କଥା l ଏପରି ଲୋକ ମାନଙ୍କର ସେମାନେ କିଛି କରି ପାରିବେନି l ତାହେଲେ ସେମାନେ ନିପାତ କେମିତି ହେବେ ? ଜଗନ୍ନାଥ ପୁଣି ଟେନସନ୍ ହୋଇ ବ୍ରହ୍ମାଙ୍କୁ ପଚାରିଲେ , " ଆଛା ସେ ପାପୀ ମାନଙ୍କୁ କିଏ ତାହେଲେ ନିପାତ କରିବ ? "

ବ୍ରହ୍ମା ପୁଣି ହସି ଉଠି କହିଲେ, " କିଏ ଆଉ , ଯିଏ ଏ ସଂସାରର ସଂହାରକର୍ତ୍ତା ସେଇ ଏମାନଙ୍କୁ ଗୋଟି ଗୋଟି କରି ଗୋଡାଇ ଗୋଡାଇ ନିପାତ କରିବେ l"

ଜଗନ୍ନାଥ ଏବେ ଖୁସି ହୋଇ କହିଲେ, " ଓହୋ ଏମାନଙ୍କୁ ତାହେଲେ ମହେଶ୍ୱର ନିପାତ କରିବେ l ତାହେଲେ ଆମକୁ ତାଙ୍କ ପାଖକୁ ଯିବାକୁ ପଡିବ l ଆଉ ବିଳମ୍ବ କରିବା ଠିକ୍ ହେବନି l ଚାଲନ୍ତୁ ତାଙ୍କ ପାଖକୁ ଯିବା l"

ବ୍ରହ୍ମା କହିଲେ, " ସେଠିକି ମୁଁ କାହିଁକି ଯିବି l ଆପଣଙ୍କୁ ବୁଦ୍ଧି ଦେଲି , ଏବେ ଆପଣ ଯାଆନ୍ତୁ l"

କିନ୍ତୁ ଜଗନ୍ନାଥ ଜିଦ୍ ଧରିବାରୁ ବ୍ରହ୍ମା ବାଧ୍ଯ ହୋଇ ବାହାରିଲେ l ସେମାନେ ଏବେ ଦୃତ ଗତିରେ ମହାଦେବଙ୍କ ଆସ୍ଥାନ କୈଳାସ ପର୍ବତ ଆଡକୁ ମୁ୍ହାଁଇଲେ l ପର୍ବତର ପାଦ ଦେଶରେ ନନ୍ଦି ଭୃଙ୍ଗି ବ୍ରହ୍ମା ଓ ଜଗନ୍ନାଥଙ୍କୁ ଦେଖି ପ୍ରଣାମ କରି ଭୋଳାନାଥଙ୍କ ଆସ୍ଥାନ ଆଡକୁ ଯାଇଥିବା ରାସ୍ତାର ବାଟ ଛାଡି କରେଇକି ଠିଆ ହୋଇ କହିଲେ , "ଯାଆନ୍ତୁ ଆଜ୍ଞା , ସହେବ ଏବେ ଏକୁଟିଆ ଅଛନ୍ତି l ମାତା ପାର୍ବତୀ ଗାଧୋଇବା ପାଇଁ ଯାଇଛନ୍ତି l"

ମହାଦେବ ଏକୁଟିଆ ଅଛନ୍ତି ଜାଣି ଉଭୟ ଜଗନ୍ନାଥ ଓ ବ୍ରହ୍ମା ବହୁତ ଖୁସି ହୋଇଗଲେ l ଯେଉଁ କାମରେ ଆସିଛନ୍ତି ସେଥିପାଇଁ ନିରୋଳାରେ କଥା ହେବା ଏକନ୍ତ ଆବଶ୍ଯକ l

ମହାଦେବଙ୍କ ଆସ୍ଥାନ ପାଖରେ ପହଞ୍ଚି ଉଭୟେ ଦେଖିଲେ ଭୋଳା ନାଥ ଗଂଜେଇ ସେବନ କରିବାରେ ବିଜି ଅଛନ୍ତି l ସେ ପରିବେଶଟା ପୁରା ପୋଡା ଗଂଜେଇ ବାସ୍ନାରେ ଫାଟି ପଡୁଥାଏ l ସେ ଗଂଜେଇ ଧୁଆଁରେ ମହାଦେବ ବି ଠିକ୍ ରେ ଦୃଶ୍ୟମାନ ହେଉ ନଥାନ୍ତି l ବ୍ରହ୍ମା ଓ ଜଗନ୍ନାଥ ଆଉ ଟିକେ ପାଖକୁ ଯିବାପରେ ଦେଖିଲେ ମହାଦେବଙ୍କ ଆଖି ପୁରା ରଡ ନିଆଁ ପରି ଲାଲ୍ ଲାଲ୍ ଦେଖା ଯାଉଛି l ତାଙ୍କ ଗଳାରେ ନାଗ ଦେବତା ବୁଲୁଥାନ୍ତି l ଆସ୍ଥାନ ପାଖରେ ତ୍ରୀଶୁଳ ପୋତା ହୋଇଥାଏ ଆଉ ସେଥିରେ ଡମ୍ବରୁ ଝୁଲିକି ଥାଏ l

ହଠାତ୍ ମହାଦେବଙ୍କ ଆଖି ଏ ଦୁଇ ଜଣଙ୍କ ଉପରେ ପଡିଲା l

ଗର୍ଜନ କରି କହିଲେ , " ଏ ଦିଟା କିଏ ରେ ? "

ଜଗନ୍ନାଥ ଓ ବ୍ରହ୍ମା ଦେଖିଲେ ମହାଦେବ ପୁରା ନିଶାରେ ଚୁର୍ l

ଜଗନ୍ନାଥ କହିଲେ ," ଆମେ ଦୁଇ ଜଣ ଆସିଛୁ l"

ଜଗନ୍ନାଥଙ୍କ ଉତ୍ତର ସରିଛିକି ନାହିଁ ମହାଦେବ ଗୋଟେ ଅଦ୍ଭୁତ କାମ କଲେ l ସେ ତାଙ୍କ ଆସ୍ଥାନରୁ ଜମ୍ପ ମାରି ତ୍ରୀଶୁଳରେ ଝୁଲୁଥିବା ଡମ୍ବରୁ କାଢି ଡବଡବ କରି ଜଗନ୍ନାଥ ଆଉ ବ୍ରହ୍ମାଙ୍କ ମୁହଁ ସାମ୍ନାରେ ବଜାଇବାରେ ଲାଗିଲେ l

ମହାଦେବଙ୍କ ଏମିତି ରୂପ ଦେଖି ଜଗନ୍ନାଥଙ୍କ ସହ ବ୍ରହ୍ମା ପୁରା ଆଶ୍ଚର୍ଯ୍ୟ ହୋଇଗଲେ l ମନେ ମନେ ଭାବିଲେ ଏ ତ ଚିହ୍ନି ପାରୁନି, କଥା କଣ ବୁଝିବ l

ଡମ୍ବରୁ ଧାରୀ ସେମିତି ଡବଡବ କରି ଡମ୍ବରୁ ପିଟିବାରେ ବ୍ୟସ୍ତ ଥାନ୍ତି l ବ୍ରହ୍ମା ମହେଶ୍ୱରଙ୍କ ଏ କାଣ୍ଡ କାରଖାନା ଦେଖି ଜାଣିଗଲେ ଏ କାମ କିଛି ନୁହେଁ l

ଜଗନ୍ନାଥଙ୍କ କାନ ପାଖରେ କହିଲେ , " ଏ କଣ ଡମ୍ବରୁ ଏମିତି ପିଟିଚାଲିଛି l ତାଣ୍ଡବ କରିବାକୁ ରେଡ୍ଡି ହେଉଛି ବୋଧେ l ଭୁଲ୍ ସମୟରେ ଆମେ ଆସିଛେ l ଚାଲନ୍ତୁ ଏଠୁ ପଳାଇବା l"

ବ୍ରହ୍ମାଙ୍କ କଥାରେ ଜଗନ୍ନାଥ କହିଲେ, " ଅପେକ୍ଷା କରନ୍ତୁ,ମହେଶ୍ୱର ଆମକୁ ଚିହ୍ନି ପାରିନାହାନ୍ତି l ଟିକେ ନିଶାରେ ଅଛନ୍ତି l କିଛି ସମୟ ପରେ ସେ ଆପେ ଜାଣି ଯିବେ ଆମେ କିଏ ବୋଲି l

ବ୍ରହ୍ମା କିଛି ସମୟ ଚିନ୍ତାକରି କହିଲେ, " ଆଛା ଯଦି ଦେବ ଦେବ ମହାଦେବ କିଛି ଗଂଜେଇ ସେବନ କରି ଏମିତି ଅବସ୍ଥା ହୋଇ ଆମକୁ ଚିହ୍ନି ପାରୁନାହାନ୍ତି, ତାହେଲେ ମର୍ତ୍ତ୍ଯମଣ୍ଡଳରେ ସେ ମଣିଷ ଗୁଡାକ ମଦ, ଗଂଜେଇ, ଚରସ୍, ଭାଙ୍ଗ ଆଦି ବିଭିନ୍ନ କିସମର ନିଶା ଖାଇ ତାଙ୍କ ବାପ, ମା, ଗୁରୁଜନ ଆଦି କାହାକୁ ତ ଚିହ୍ନି ପାରୁ ନଥିବେ ? "

ଜଗନ୍ନାଥ ପାଳନ କର୍ତ୍ତା ହୋଇଥିବାରୁ ଲଜ୍ଜିତ ହୋଇ କହିଲେ,

"କୁହନ୍ତୁନି ଆଜ୍ଞା , ସେମାନଙ୍କ କଥା l କିଛି ଲୋକ ନିଶାରେ ଚୁର୍ ହୋଇ ସବୁବେଳେ ଧଣ୍ଡଷଣ୍ଡ ହେଉଛନ୍ତି l ହଣା କଟା ତ ସବୁବେଳେ ସେଇ ନିଶାପାଣି ପାଇଁ ଚାଲିଛି l ନିଶାରେ ମାନବିକତା ଭୁଲି କେତେ ଦୁଷ୍କର୍ମ ବୟସ୍କା ନାରୀମାନଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ଝିଅ ମାନଙ୍କ ସହ କରୁଛନ୍ତି ତାର ହିସାବ ନାହିଁ l ଗୁରୁଜନ ପରା ତାଙ୍କ ଆଖି ସାମ୍ନାରୁ ଲୁଚିକି ରହୁଛନ୍ତି ନିଜର ମାନ ସନ୍ମାନ ବଞ୍ଚାଇବା ପାଇଁ l"

" ତାହେଲେ ସେଠିକା ସରକାର୍ ବାହାଦୁର ସେ ନିଶା ଦ୍ରବ୍ୟ ସବୁକୁ ବ୍ୟାନ୍ କାଇଁ କରୁନାହାନ୍ତି ? ବ୍ରହ୍ମା ପଚାରିଲେ l

ଜଗନ୍ନାଥ ଉତ୍ତରରେ କହିଲେ, " ସବୁ ଖେଳ ତ ସେଇଠି l ସେ ନିଶା ଦ୍ରବ୍ୟରୁ ପରା ସବୁଠୁ ଅଧିକ ରାଜସ୍ବ ଆଦାୟ ହେଉଛି l ରାଜକୋଷ ବଢୁଛି l ରାଜକୋଷ ବଢିଲେ ସିନା ନେତା, ଅଫିସର୍ ଙ୍କ ହାତ ଚିକ୍କଣ ହେବ l ନେତାମାନେ ସେଇ ନିଶା ଦ୍ରବ୍ୟର ଲୋଭ ଦେଖାଇ ଯୁବକ ମାନଙ୍କୁ ନିଜ ଅକ୍ତିଆର୍ ରେ ରଖିଛନ୍ତି l ଯୁବ ସମାଜକୁ ପଥଭ୍ରଷ୍ଟ କରାଇ ତାଙ୍କ କଥାରେ ଉଠ୍ ବସ୍ କରାଉଛନ୍ତି l ନିର୍ବାଚନରେ ପରା ସବୁଠୁ ଅଧିକ ଖର୍ଚ ଏଇ ନିଶା ପଣିରେ ନେତାମାନେ କରନ୍ତି l ଆଉବି ଯେଉଁ ରାଜ୍ୟରେ ସେ ନିଶାକୁ ବ୍ୟାନ୍ କରାଯାଇଛି, ସେଠି ଚୋରାରେ ସବୁ ଚାଲିଛି l"

ଜଗନ୍ନାଥ ଓ ବ୍ରହ୍ମାଙ୍କ କଥାବାର୍ତ୍ତା ଭିତରେ ହଠାତ୍ ମହାଦେବଙ୍କ ଡମ୍ବରୁ ବାଡେଇବା ଷ୍ଟପ୍ ହୋଇଗଲା l ସେ ପାଖରେ ପୋତା ହୋଇଥିବା ତ୍ରୀଶୁଳକୁ ଉଠାଇ ଜଗନ୍ନାଥ ଓ ବ୍ରହ୍ମାଙ୍କ ଆଡକୁ ଦେଖାଇ ଯେମିତି ଲଖ୍ୟ ସଳଖିବା ଆରମ୍ଭ କଲେ , ଜୀବନ ବଞ୍ଚାଇବାକୁ ଦୁହେଁ ବୁଲିପଡି ଦୌଡିବା ଆରମ୍ଭ କଲେ l ଦଶ ହାତ ଖଣ୍ଡେ ଯାଇଛନ୍ତି କି ନାହି , ମହାଦେବ ନିଶାଡିଆ କର୍କଶ ଭରା ଶବ୍ଦରେ ଗର୍ଜନ କରି ଉଠିଲେ, " ଏଇକ୍ଷଣି ରହିଯା ନହେଲେ ଏ ତ୍ରୀଶୁଳ ଫିଙ୍ଗି ବଧ କରିଦେବି l"

ମହାଦେବଙ୍କ ବଧ କରିବା କଥା ଶୁଣି ଦୁହେଁ ପୁରା ସାବଧାନ୍ ପୋଜିସନ୍ ରେ ଠିଆ ହୋଇ ରହିଗଲେ l ମହାଦେବ ପୁଣି ରଡି କରି କହିଲେ," ବୁଲିଯାଅ l"

ଦୁହେଁ କାଳ ବିଳମ୍ବ ନକରି ସୁନାପିଲା ପରି ବୁଲିଗଲେ l

ମହାଦେବ ଧାରଣ କରିଥିବା ତ୍ରୀଶୁଳରେ ଇଂଗିତ କରି ଦୁହିଙ୍କୁ ନିଜ ପାଖକୁ ଡାକିଲେ l ଦୁହେଁ ଆଗକୁ ଚାଲିଲେ l

ବ୍ରହ୍ମା ଡରିଯାଇ କହିଲେ , " ଆକୁ କଣ ନିଶା ଛାଡୁନି , ତ୍ରୀଶୁଳଟା ହାତରେ ଧରି ଆମ ଆଡକୁ ଖାଲି ଦେଖାଉଛି l ଆଗକୁ କଣ କରିବ କେଜାଣି ?"

ମୁହାଁ ମୁହିଁ ହେଲାପରେ ତ୍ରୀଶୁଳକୁ ଠିକ୍ ବ୍ରହ୍ମାଙ୍କ ମୁହଁ ସାମ୍ନାରେ ନଚାଇ ନଚାଇ ମହାଦେବ ପଚାରିଲେ, " ତୁ କିଏ ରେ ? "

ବ୍ରହ୍ମା ଖୁବ୍ ଧିର ଶବ୍ଦରେ କହିଲେ, " ମୁଁ ବ୍ରହ୍ମା l"

" ବଡ ପାଟିରେ କହ ବେ , କିଛି ଶୁଣା ଯାଉନି l" ପୁଣି ରଡି କରି ଉଠିଲେ ମହାଦେବ l

ବ୍ରହ୍ମା ମନେ ମନେ ଭାବିଲେ ମର୍ତ୍ତ୍ଯମଣ୍ଡଳେ ସେ ନିଶାଡି ଗୁଡାକ ସାଧାରଣ ଲୋକ ମାନଙ୍କୁ କି ଅବସ୍ଥା ନ କରୁ ଥିବେ ସତରେ l

ଏଥର ବଡ ପାଟିରେ ବ୍ରହ୍ମା କହିଲେ, " ମୋ ନା ବ୍ରହ୍ମା l"

ଗୋଟେ ତାଛଲ୍ୟ ହସ ହସିଦେଇ ମହାଦେବ କହିଲେ ," ତୁ ସେଇ ବ୍ରହ୍ମା ? ସୃଷ୍ଟିକର୍ତ୍ତା ବ୍ରହ୍ମା ? ଯାହାତ ପୁଳେ ସୃଷ୍ଟି କରି ଛାଡିଦେଇଛୁ ? କହିଲା କଣ ନା ମୁ୍ଁ ବ୍ରହ୍ମା l"

ବ୍ରହ୍ମାଙ୍କ ପରିଚୟ ଜାଣିବାପରେ ବି ମହେଶ୍ୱରଙ୍କ ବ୍ୟବହାରରେ ଉଭୟ ତାଜୁବ୍ ହୋଇଗଲେ l ମହାଦେବ ଏଥର ତାଙ୍କ ତ୍ରୀଶୁଳକୁ ବ୍ରହ୍ମାଙ୍କ ସାମ୍ନାରୁ ହଟାଇ ଜଗନ୍ନାଥଙ୍କ ଆଡକୁ ଆଣୁ ଅଣୁ ଜଗନ୍ନାଥ ବଡ ପାଟିରେ କହିଉଠିଲେ , " ମୁଁ ଜଗନ୍ନାଥ ।"

ମହାଦେବ ପୁଣି ଏକ ତାଚ୍ଛଲ୍ଯ ହସ ହସି କହିଲେ, " ଓହୋ ଜଗତର ନାଥ ଜଗନ୍ନାଥ l ଏ ବିଶ୍ୱ ବ୍ରହ୍ମାଣ୍ଡର ପାଳନ କର୍ତ୍ତା l ନିଜ ଡ୍ୟୁଟି ସବୁ ଠିକ୍ ଚାଲିଛି ନିଶ୍ଚେଁ l ତମେ ଏଣେ କଣ ବୁଲୁଛ ବଡଦାଣ୍ଡ ପରା ଭକ୍ତଙ୍କ ଲହଡିରେ ପଡୁଛି ଉଠୁଛି l ଶନିବାର ଦିନ ନନ୍ଦିଘୋଷ ବଳଗଣ୍ଡରେ ଅଟକି ରହିଲା l ଯାହା ହେଉ ରବିବାରରେ ବହୁ କଷ୍ଟରେ ଯାଇ ଶରଧାବାଲିରେ ଲାଗିଲା l ଆଜି ହେରା ପଞ୍ଚମୀରେ ଲକ୍ଷ୍ମୀ ମା' ଆସିବେ ଗୁଣ୍ଡିଚାକୁ ତୁମ ରଥକୁ ବାଡେଇ ଭାଙ୍ଗିବାକୁ l ତେଣୁ ସେ ଲଙ୍ଗଳ ଧାରୀ ଏବେ ପୁରା ଟେନସନ୍ ରେ l "

ମହାଦେବଙ୍କ କଥାରେ କିଛି ପରିବର୍ତ୍ତନ ଆସିବା ଦେଖି ଉଭୟେ ବ୍ରହ୍ମା ଓ ଜଗନ୍ନାଥ ଜାଣିଲେ ଏବେ ନିଶା ଛାଡିବା ସମୟ ଆସିଗଲା l ଜଗନ୍ନାଥ ଏବେ ଏଣେତେଣେ ଆଖି ବୁଲାଇବାରୁ ମହାଦେବ କହିଲେ," କାହାକୁ ଖୋଜୁଛନ୍ତି କି ? "

ଜଗନ୍ନାଥ କହିଲେ, " କାଇଁ ଦେବୀ ପାର୍ବତୀଙ୍କୁ ଦେଖୁନି ଏଠି l"

ମହାଦେବ - " କୁହନ୍ତୁନି ଆଉ l ସେ ମର୍ତ୍ତ୍ଯ ମଣ୍ଡଳେ ଲୋକ ଗୁଡାକ ସିଗାରେଟ୍ , ଗୁଟଖା, ଗଂଜେଇ ଓ ଆଉ କଣ ସବୁ ନିଶା ଦ୍ରବ୍ଯ ସେବନ କରି କ୍ୟନ୍ସର୍ ରେ ପଡି ମରୁଛନ୍ତି l ଗଛ ସବୁ କାଟିକାଟି କରି କଂକ୍ରିଟ ଜଙ୍ଗଲ କଲେଣି l ପରିବାପତ୍ର ଠୁ ଆରମ୍ଭକରି ମାଛ, ମାଂସ, ଫଳ ସବୁଥିରେ ଅପମିଶ୍ରଣ କରି ବିଭିନ୍ନ କିସମର ରୋଗରେ ପଡି ଘାଣ୍ଟି ଚକଟି ହେଉଛନ୍ତି l ଏସବୁ ଅବସ୍ଥା ଦେଖି ଦେବୀ ପାର୍ବତୀ ପରା ପୁରା ମୋ ଗଂଜେଇ ସେବନ ଉପରେ ରୋକ୍ ଲଗାଇ ଦେଇଛନ୍ତି l ଏବେ ସେ ଏଠି ନଥିବାରୁ ସୁବିଧା ପାଇ ଟିକେ ଗଂଜେଇ ନେଉଥିଲି l ଲୋକଟା ଜମା ବୁଝୁନି ପରା l ଆରେ ସେମାନେ ମଣିଷ , ସେମାନେ ମରିବେ , ତା ବୋଲି ମୁଁ କଣ ମରିବି ? ମୁଁ ପରା ଦେବତା l କ୍ୟାନସର୍ ମୋ ପାଖକୁ କେମିତି ଆସିବ ? ସମୁଦ୍ର ମନ୍ଥନ ବେଳେ ସବୁ ବିଷ ପାନ କରି ନୀଳକଣ୍ଠ ନାମ ବହନ କରିଛି l"

ଜଗନ୍ନାଥ ମନେ ମନେ ଭାବିଲେ ଏଠି ବି ସେଇ ଅବସ୍ଥା l ସେ ଯେମିତି ଲକ୍ଷ୍ମୀଙ୍କୁ ଡରୁଛନ୍ତି ଏ ବି ସେମିତି ମାତା ପାର୍ବତୀଙ୍କୁ ଡରୁଛନ୍ତି l ମହାଦେବଙ୍କର ଏଭିତରେ ସଂପୂର୍ଣ୍ଣ ନିଶା ଛାଡି ଯାଇଥିବା ଦେଖି ଜଗନ୍ନାଥ କହିଲେ," ଆମେ ଦୁହେଁ ଗୋଟେ ଖୁବ୍ ଜରୁରୀ କାର୍ଯ୍ୟରେ ଆସିଛୁ l"

" ଜଗତର ପାଳନ କର୍ତ୍ତା ଓ ସୃଷ୍ଟି କର୍ତ୍ତାଙ୍କର ପୁଣି କଣ କାମ ମୋ ପାଖରେ ? " ମହାଦେବ ପଚାରିଲେ l

ଜଗନ୍ନାଥ ପୁରା ସିରିୟସ୍ ହୋଇ କହିଲେ, " ଏବେ ମର୍ତ୍ତ୍ଯ ମଣ୍ଡଳ ଅବସ୍ଥା ପୁରା ସାଂଘାତିକ୍ l ଲୋକମାନେ ପାପ,ଅନୀତି, ହୁର୍ନୀତି, ଦୁଷ୍କର୍ମ, ହିଂସା, ଛଳନା, ଦ୍ରୋହ, ଅଂହଙ୍କାର ଆଦି ଅପଶକ୍ତି ପଛରେ ଧାଇଁଛନ୍ତି l ସେଥିରୁ କିଛି ଦାଗୀ ଆସାମୀଙ୍କୁ ଆପଣ ନିପାତ କରିବା ନିହାତି ଦରକାର l କିଛି ନିପାତ ହୋଇଗଲେ ଅନ୍ୟମାନେ ଆପେଆପେ ଠିକ୍ ଲାଇନ୍ କୁ ଆସିଯିବେ l ପୃଥିବୀରେ ପୁଣି ଶାନ୍ତି ପ୍ରତିଷ୍ଠା ହୋଇ ପାରନ୍ତା l"

ମହାଦେବ ତାଙ୍କ ତ୍ରୀଶୁଳ ଅଗ୍ରଭାଗରେ ହସ୍ତ ଚାଳନା କରି କହିଲେ, " ସେ ପାପୀଷ୍ଠ ମାନଙ୍କ ରକ୍ତରେ ମୋ ତ୍ରୀଶୁଳକୁ ଖରାପ କରିବାକୁ ଦେବିନି l ବ୍ରହ୍ମା ଦେବ ତାଙ୍କ କାମ କରି ଚାଲନ୍ତୁ l ଆପଣ ଛପନ ପୌଟି ଭୋଗ ଖାଇ ଶ୍ରୀମନ୍ଦିର ଆସ୍ଥାନରେ ଆରାମରେ ବସନ୍ତୁ l ଦିନ ଆସିବ ସେ ପାପୀ ଗୁଡାକ ତାଙ୍କ ତାଙ୍କ ଭିତରେ ହଣା କଟା ହୋଇ ନିପାତ ହେବେ l "

------------ ସମାପ୍ତ -------------

ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in

Similar oriya story from Comedy