Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୀତ
ଶୀତ
★★★★★

© TAPASWINI BEHERA

Others

5 Minutes   518    12


Content Ranking

‌ଏ ବର୍ଷ ପୌଷ ମାସର ଶୀତଟା ଟିକେ ଅଧିକ ଅସହ୍ୟ ହେଇଯାଇଥିଲା।ଗାଁ ଠୁ ସହର ସବୁଆଡେ ଶୀତର ଲହରୀ ଦୋଳି ଖେଳୁଥିଲା ପାଣି,ପବନର ଶିରା,ପ୍ରଶିରାରେ।ଏ ବର୍ଷ ଶୀତ ଜନ ସମାଜକୁ ବ୍ୟତିବ୍ୟସ୍ତ ତ ନିଶ୍ଚିତ କରିଛି ଆଉ ସେଇଲାଗି ତ ଶୀତବସ୍ତ୍ର ଦୋକାନରେ ଭିଡ଼ର ଆକାର କୋଉ ଯାତରା ଠାରୁ କମ ନ ଥିଲା।ସକାଳୁ ଉଠି ଚାଲିବାକୁ ଗଲାବେଳେ ଶୀତ ସହ ଲଢେଇ ହଉଥିଲା ଦେହରେ ଜ୍ୟାକେଟ ଆଉ ମୁଣ୍ଡରେ ଟୋପି ତା ସହ ପାଦରେ ଜୋତା ପିନ୍ଧି।ଶରୀରକୁ ପବନ ଛୁଇଁବାର ସବୁ ବାଡ଼, ବନ୍ଧ ଦେଇସାରି ଆଗେଇଲା ବେଳେ ବି ଶୀତ ଯେମିତି ଜିତି ଯାଉଥିଲା ଥରକୁ ଥର।କିନ୍ତୁ ଶୀତର ଏମିତି ଜଘନ୍ୟତା ସହ ଯେ, କେହି ଜଣେ ଅର୍ଦ୍ଧ ଫୁଙ୍ଗୁଳା,ଫଟା ସାର୍ଟ ଦେହରେ ତା ସହ ଲଢ଼ୁଥିବ,ଏମିତି କେବେ କେହି କ୍ଵଚିତ ଦେଖିଥିବେ,ଯାହାକୁ ଦେଖିଲା ପରେ ମୋର ଶୀତ ସହ ଲଢ଼ିବାର ମନବଳ ଯେମିତି ବଢିଯାଉଥିଲା।ଲାଗୁଥିଲା ସେ ଲୋକଟି ଯେମିତି ଆମ ଭଳିଆ ଦାମୀ ପୋଷକ ପିନ୍ଧା,ପୂର୍ଣ୍ଣ ଯତ୍ନରେ ଦେହକୁ ଶୀତଠୁ ଲୁଚେଇବା ଲୋକଙ୍କୁ ଖତେଇ ହଉଥିଲା।କଳା ଘୁମର ଦେହ,ଅଲରା ବାଳ, କେଜାଣି କେଉଁ ଦିନଠାରୁ ନିଜ ଦେହକୁ ସଫା କରିଥିବ କି ନାହିଁ ସନ୍ଦେହ।ସେ ରାସ୍ତା କଡର ଗୋଟେ ପାଖେ ବସିଥାଏ ।ପାଖରେ ଗଦା ହେଇଥାଏ ମେଞ୍ଚାଏ ଛିଣ୍ଡା ଜୋତା,ଚପଲ ଆଉ ଗୋଟେ କୋତରା ବ୍ୟାଗ।ଲୋକଟିର ବୟସ ପାଖାପାଖି ୪୦ କି ୪୨ ବର୍ଷ ହେବ।ଚୁପଚାପ ବସିଥାଏ ହେଲେ ନିରୀହ ଆଖି ଦି ଟା ଯେମିତି ତାର ଅନେକ କିଛି କହୁଥାଏ।

ଚାଲିବାର ବ୍ୟଗ୍ରତାକୁ ନେଇ ମୁଁ ଅନ୍ୟ ଆଡେ ମୁହଁ ବୁଲେଇ ଚାଲିବାର ପ୍ରୟୋଜନ କରି ଦୌଡ଼ିଲି ନିତି ଦିନିଆ ଚଲା ରାସ୍ତାରେ।ଦୁଇ ଘଣ୍ଟାର ବ୍ୟବଧାନ ପରେ ଫେରିଲି ପୁଣି ସେଇ ରାସ୍ତା ଦେଇ ହେଲେ ଏଥର କିନ୍ତୁ ନଜାରା ଥିଲା ଅଲଗା।ଲୋକଟି ସେ ଯାଗାଟିକୁ ସଜେଇ ଦେଇ ସାରିଥାଏ ଗୋଟେ ଚପଲ ସଜଡ଼ା ଦୋକାନ।ରାସ୍ତାକଡରୁ ଡାକ ଛାଡୁଥାଏ,"ଭାଇ,ଜୋତା ପାଲିସ କରନ୍ତୁ ,ପୁରା ଶସ୍ତାରେ,ମାତ୍ର ୫ ଟଙ୍କାରେ"।ହେଲେ ସକାଳ ୭ଟାରେ ପୁଣି କିଏ ଜୋତା ସଫା କରିବ,କିନ୍ତୁ କିଛି ସମୟର ତାର ଡାକ ଯେମିତି ହୃଦୟର କୋଉଗୋଟେ ନିଭୃତ କୋଣରେ ଅସହାୟତାର ଆଶ୍ରା ଟିକେ ଲୋଡୁଥିଲା,ବୋଧେ ସେଥିପାଇଁ ଟାଣି ହେଇଗଲି ତା ଆଡ଼କୁ ଅଜାଣତରେ ସଫା ଜୋତାଟିକୁ ସଫା କରିବାର ବାହାନାରେ ତା ଆଡ଼କୁ।ତା ପାଖକୁ ଯାଇ କହିଲି"ଆଚ୍ଛା,ମୋ ଜୋତା ଟିକେ ସଫା କରିଦେ। ସେ ପ୍ରଥମେ ମୋ ଜୋତାକୁ ଦେଖିଲା,ତା ପରେ କହିଲା,"ବାବୁ,ଆପଣଙ୍କ ଜୋତା ତ ପଲିସ ଅଛି, ମୁଁ ଆଉ ଅଧିକ କଣ ପାଲିସ କରିବି"।ହେଲେ ବାବୁ, କହୁଛନ୍ତି ଯଦି ଦିଅନ୍ତୁ ମୁଁ ଧୂଳି ଝାଡ଼ି ଦେବି ଆଉ ୩ ଟଙ୍କା ନେବି।ତାର ସେ ନିରୀହ କଥା ସବୁ କାହିଁକି କେମିତି ତା ସହ ଆଉ ଟିକେ କଥା ହେବାକୁ ମୋତେ ବାଧ୍ୟ କରିଦେଲା।ତାକୁ ପଚାରିଲି, କିରେ ତୁ ଏତେ ଶୀତରେ ଏଠି ବସିଛୁ ତତେ ଥଣ୍ଡା ଲାଗୁନି କି?ତୁ କାହିଁ ଫୁଙ୍ଗୁଳା ଦେହରେ ବସିଛୁ?ତୋ ଘର କୋଉଠି?ଆଉ ଏତେ ସକାଳୁ କାଉ,କୋଇଲି ଉଠି ନାହାଁନ୍ତି, ତୁ ଆସି ପହଂଚିଗଲୁଣି?ସେ ମୋର ମେଞ୍ଚା ମେଞ୍ଚା ପ୍ରଶ୍ନର ଶବ୍ଦ ଝଙ୍କାର ଶୁଣି ଆଶ୍ଚର୍ଯ୍ୟ ହେଲା କି ଘାବରେଇ ଗଲା କେଜାଣି,କିଛି ନ କହି ଜୋତା ସଫା କରି ଚାଲିଲା।ମୁଁ ପୁଣି କହିଲି,"କିରେ,ମୋ ପ୍ରଶ୍ନର ଉତ୍ତର ଦେଲୁନି ଯେ?"ଦୁଇ ମିନିଟ ନୀରବ ପରେ ଧୀରେ କହିଲା-"ବାବୁ,ମୁଁ ଆପଣଙ୍କର କେଉଁ ପ୍ରଶ୍ନର ଉତ୍ତର ଦେବି, ଆଉ ଉତ୍ତର ଦେଇ ଦେଲେ କଣ ଆପଣ ମୋ ଝିଅ କୁ ମୋ କୋଳକୁ ଫେରେଇ ଦେବେ ?ଯୋଉ ଶୀତ ମୋ ସ୍ତ୍ରୀ କୁ ଛଡେଇ ନେଲା,ତାକୁ ଫେରେଇ ଦେବେ?ଅପାରଗ ବାପାକୁ ପିଲାଟିର ମାଆର ଆଶ୍ରା ଥିବା ଛାୟା ବୃକ୍ଷ ଉପୁଡି ପଡିଲା ପରେ ଅନାଥର ପରିଚୟ ପାଇ ଅନାଥ ଆଶ୍ରମରେ ଆଶ୍ରିତ ପିଲାଟିକୁ ଆପଣେଇ ପାରିବେ କି?କହୁ କହୁ ଲୋକଟିର ଆଖି କୋଣରେ ଜକଉଥିବା ଲୁହକୁ ତା ଛିଣ୍ଡା ଗାମୁଛାରେ ପୋଛି ପକାଉଥାଏ।ପୁଣି କହି ଚାଲିଲା,ଜାଣିଛ ବାବୁ,ମୋର ଏ ଅବସ୍ଥା ପାଇଁ ବି ମୁଁ ଦାୟୀ ଆଉ ଯୋଉ ଶୀତ ମୋ ଜୀବନକୁ ସାତ ଫାଳ କରି ସାରିଛି ସେ ମୋ ଦିହକୁ ଆଉ କଣ ଅଧିକ କଷ୍ଟ ଦେଇ ପାରିବ।ମୋ ସ୍ତ୍ରୀ କମଳି, ୪ବର୍ଷର ଝିଅ ଆଶା ଆଉ ମୁଁ ଆମ ଦୁନିଆରେ ବହୁତ ଭଲରେ ଥିଲୁ।ଆଜକୁ ୩ବର୍ଷ ହେବ ମୁଁ ପୋଲିଓ ରୋଗରେ ମୋ ଗୋଡ଼କୁ ହରେଇଲି।ସେବେଠାରୁ କମଳି ମୋରି ସେବାରେ ଦିନରାତି ଏକ କରି ଦେଇଥିଲା। ମୁଁ ଯୋଉ ଠିକା ବାବୁଙ୍କ ଅଧୀନରେ କାମ କରୁଥିଲି,ସେଇଠି ସେ ବି ଦିନ ମଜୁରିଆ କାମ କରି ଯେତିକି ଆଣେ ଆମେ ତିନି ଜଣ ଖୁସିରେ ରହୁ।"ଦିନରେ ଦିନ ମଜୁରିଆ କାମ ଆଉ ରାତିରେ ଜୋତା ପାଲିସ କାମ କରି ଆମ ବାପ,ଝିଅ ଦି ଜଣଙ୍କ ଦୁନିଆକୁ ରଙ୍ଗୀନ କରେ। କେବେ ମୋର କୋଉ ଇଚ୍ଛାକୁ ମାରିବାକୁ ଦିଏନି।ହେଲେ ମୁଁ ବି ଅକ୍ଷମ ସ୍ୱାମୀ ପୁଣି ବାପାର ପରିଚୟ ନେଇ କେତେଦିନ ବଞ୍ଚିବି ?ଆଉ ସେ ସେମିତି ଆମ ଦି ଜଣଙ୍କ ପାଇଁ ନିଜକୁ ତିଳ ତିଳ କରି ଜାଳୁଥିବାର ଯନ୍ତ୍ରଣାକୁ ଦେଖି ମୁଁ କେମିତି ସହିବି?ଦିନେ ଜିଦ ଧରି ବସି କହିଲି-"ଆଜି ଯଦି ମତେ ତୋ ଜୋତା ଦୋକାନରେ ନ ବସେଇବୁ ମୁଁ ଦାନା ମୁଠେ ବି ତୋ ହାତରୁ ଖାଇବିନି,ମୋ କଥା ଶୁଣି ଜୋରରେ ମୋ ସହ ଝଗଡା କଲା,କହିଲା ଏଥର ବାଧିକି ପଡିଲେ ମୁଁ ଆଉ ବୋହି ପାରିବିନି,ମୁଁ ବି ତୋ ସହ ଝିଅକୁ ନେଇ ମରିଯିବି,ଅଭିମାନରେ ଘଣ୍ଟାଏ କାନ୍ଦିଲା,ଆଉ ଶେଷରେ ସେ ସେଦିନ ମୋ ଜିଦ ଆଗରେ ହାରିଗଲା,ସେବେଠାରୁ ମୁଁ ଦିନରେ ଜୋତା ପାଲିସ କାମ କରେ ଆଉ ସେ ରାତିରେ।ହସ,ଖୁସିର ଜୀବନସହ କେମିତି ଦିନ ଗଡି ଯାଉଥିଲା,ମୁଁ ବି ଜାଣି ପାରେନି। କିନ୍ତୁ ଏତେ ସୁଖ ବୋଧେ ମୋ ଭାଗ୍ୟ ସହି ପାରିଲାନି,ସେଦିନ ଏମିତି ଏ ଶୀତ ସକାଳର ଚିତ୍କାର ମୋ ଜୀବନକୁ ନୀରବ କରି ଦେଇଗଲା।ସେଦିନ ମୋ ଦେହ ଖରାପ ହେଲା,ମୁଁ ଉଠିପାରୁ ନ ଥାଏ ବିଛଣାରୁ।

କମଳିକୁ କହିଲି-"ତୁ ଆଜି କୁଆଡେ ବି ଯାଆନି,ମୋ ପାଖରେ ବସି ମୋ ମୁଣ୍ଡ ଆଉଁସି ଦେ,ଆଉ ଏ ଯୋଉ ଶୀତ ହଉଛି ,ଏଥିରେ କେହି ବି କୁଆଡେ ଯାଉ ନାହାଁନ୍ତି ଏତେ ବେଳେ।ତୁ ଆଜି ରହିଯା,କାଲିକି ଯିବୁ।ହେଲେ ସେ କି ଶୁଣେ ,କହିଲା,-ଆମ ଜୀବନ ଏମିତି ଯେ ଖରା,ବର୍ଷା, ଶୀତ,କାକର ଆମ ପାଇଁ ସବୁ ସମାନ।ଆଉ ପୁଣି ମୁଁ ଆଜି କାମକୁ ନ ଗଲେ, ତୋ ପାଇଁ ଔଷଧ କୋଉଠୁ ଆଣିବି ?କହି ଚାଲିଗଲା ଯେ ଆଉ ଫେରିଲାନି, ମଧ୍ୟାହ୍ନରେ ମୁଁ ଉଠି ବସିଥାଏ,ଦେହ ଭାରି ଲାଗୁଥାଏ,ସେତିକିବେଳେ ବସ୍ତି ପାଖ ଭାଇଜଣେ ଆସି କହିଲେ,ଶୀଘ୍ର ଆସେ, ତୋ ସ୍ତ୍ରୀର ଚାଦର ଟାଣି ହେଇଗଲା ମାଟି ଖୋଳା ମେସିନରେ । ସେ ମେସିନ ତା ବେକ ଧାରରେ ପଶି ଯାଇଛି,ତାକୁ ବାହାର କରା ଯାଉଛି କହି ଚାଲିଗଲା।ମୋ ଦେହର ସବୁ ଜ୍ୱର ଯେମିତି କୋଉଠି ଛାଡିକି ପଳେଇଲା,ମୋ ବସିବା ସ୍ଥାନରେ ଯେମିତି ଭୂମିକମ୍ପ ଅନୁଭବ କରୁଥିଲି।କ୍ଷଣ କରେ ଗଦାଏ ଲୋକ ଜମା ହେଇଗଲେ ଦୁଇ ଜଣ ନର୍ସ ଆସି କମଳିର ରକ୍ତ ଭିଜା ଶରୀରକୁ ମୋ ସାମ୍ନାରେ ରଖିଦେଲେ।ଆଶା,ପାଖ ପିଲାଙ୍କ ସହ ଖେଳୁଥିଲା,ଆସି ପଚାରିଦେଲା-"ନାନା,ମାମି କେତେବେଲେ ଆସିବ,ମୁଁ ଖାଇବି।"ଆଶା ମତେ ନାନା ଡାକେ ଆଉ କମଳି କୁ ମାମି।ତା ପ୍ରଶ୍ନର ଉତ୍ତରରେ କିଛି କହିବା ଆଗରୁ ମୁଁ ଶବ୍ଦ ଶୂନ୍ୟ ହେଇସାରିଥାଏ।କମଳି ବିନା ମୋ ଜୀବନ ଯେ ରସ ଶୂନ୍ୟ, ବାସ ଶୂନ୍ୟ, କଣ୍ଟକିତ,ଦୁର୍ଦ୍ଦିନ ଭରା ଘନ ଅନ୍ଧାର ,ଏକଥା କେମିତି କହିବି କାହାକୁ।ନିଜଠାରୁ ବେଶି ଚିନ୍ତା ଥିଲା ମୋ ୪ବର୍ଷର ଆଶା ପାଇଁ,ଯିଏ ମାର ମମତାର ସ୍ପର୍ଶ ପାଇବା ଆଗରୁ ଅନେକ କିଛି ହରେଇଥିଲା।ମୁଁ ତାକୁ ବାପାର ସ୍ନେହ ଦେଇ ପାରିଲିନି ଆଉ କମଳି ତାକୁ ମାଆର ସ୍ନେହରୁ ବି ବେଦଖଲ କରିଦେଲା।ଠିକାଦାର ବାବୁ ଦୁଇଦିନ ପରେ ଆସି କିଛି ଟଙ୍କା ଆଉ ମୁଠାଏ ସାନ୍ତ୍ୱନା ଆଞ୍ଜୁଳିରେ ଦେଇ କହିଲେ, -"କମଳି ପାଇଁ ମୁଁ ଦୁଃଖିତ, ହେଲେ ମୁଁ ତାଙ୍କୁ ବାରବାର କହିଛି ,ସେ ଚାଦର ଘୋଡେଇ ହେଇ ମେସିନ ପାଖକୁ ଯିବନି,କିନ୍ତୁ ଦୁର୍ଭାଗ୍ୟ ଆଉ ଦୁଃସମୟ ଆସିଲେ ସତର୍କ ରହିବା ବି ମନରୁ ପାଶୋରି ହେଇଯାଏ ବୋଧେ।"ସେଇ ଠିକା ବାବୁଙ୍କୁ ମୁଁ ଅନୁରୋଧ କରିଥିଲି ସେଦିନ-"ବାବୁ ,ମୁଁ ତ ଅକ୍ଷମ,ମୋ ଆଶାକୁ କେମିତି ସମ୍ଭାଳିବି,ଆପଣ ମୋତେ ଟିକେ ସଦୟ ହୁଅନ୍ତୁ।ମୋ ଝିଅକୁ ଆପଣ କେଉଁ ଅନାଥ ଆଶ୍ରମରେ ସ୍ଥାନ ଟିଏ ଦେଇ ଦିଅନ୍ତୁ,ନହେଲେ ସେ ମୋ ପାଖରେ ରହିଲେ,କମଳି ପରି ସେ ବଞ୍ଚିବ ସିନା ହେଲେ କେବେ ଜୀବନକୁ ଜିଇ ପାରିବନି।ମୋ ପରି ଅକ୍ଷମ ବାପମାନଙ୍କ ଭାଗ୍ୟରେ ବୋଧେ ଆଶା ପରି ଝିଅ ମାନଙ୍କ ସ୍ନେହ ନ ଥାଏ, ଆଉ ମୁଁ ବି ମନକୁ ବୁଝେଇ ଦେଇଛି ତାକୁ ମୋ ଠୁ ଦୂରେଇ ତା ଆଗତ ଭବିଷ୍ୟତର ସୁନ୍ଦର ରଚନା ପାଇଁ ଶୁଭକାମନା କରିବି।"ଠିକାଦାର ବାବୁ ମୋ କଥା ଅନୁସାରେ ଆଶାକୁ ନେଇ ଗୋଟେ ଅନାଥ ଆଶ୍ରମରେ ରଖିଦେଲେ,ଆଉ ମୁଁ ଏଇଠି ଜୋତା ସିଲେଇ,ପାଲିସ କାମ କରି ଯାହା ପାଏ ବଞ୍ଚି ଯାଏ। ବେଳେବେଳେ ବହୁତ ମନେ ପଡିଲେ ଆଶାକୁ ଦେଖିବାକୁ ଯାଏ।କେବଳ ମୃତ୍ୟୁର ନିମନ୍ତ୍ରଣ ଆସିବା ଯାଏ ମୋର ଏ ଲଢେଇ ଏମିତି ଚାଲିଛି ଆଉ ଚାଲିଥିବ ଖାଲି ଶୀତ ସହ ନୁହେଁ ମୋ ଜୀବନର ବିପରୀତ ପ୍ରକୃତି ସହ।ଲୋକଟିର କଥା ଶେଷ ହେଲା ବେଳକୁ ମୋ ଆଖିର ଲୁହ ସବୁ ଓଠପାଖରେ ଅଟକି ଯାଇଥିଲେ।ଭିତର ପୋଷାକ ସବୁ ଝାଳରେ ଓଦା ଓଦା ଲାଗୁଥିଲା,ସବୁକିଛି ବିଚିତ୍ର ଲାଗୁଥିଲା।ଏ କଣ ବିଧିର ବିଧାନ ନା ପକ୍ଷପାତ?ସେ ଲୋକଟିର ଝିଅ ଅନାଥ ହେଇ ଅନାଥ ଆଶ୍ରମରେ ବଢୁଛି ଭୋକିଲା ପେଟର ଭରଣ ପାଇଁ ଆଉ ମୁଁ ବାହାଘରର ୫ ବର୍ଷ ହେଲାଣି କେତେ ମାନସିକ କରି ପାଞ୍ଚ ଆଙ୍ଗୁଠି ସାରା ପଥର ମୁଦି ଭରି ସାରିଲିଣି ଟିକି କଳିକାର ଆଶାରେ ,ଯାହା ଏଯାଏ ବି ଆଶା ହେଇ ରହିଛି।ସେ ଲୋକଟି ସବୁ କହିସାରି ହସିଦେଇ କହିଲା,"ବାବୁ,ବ୍ୟସ୍ତ ହୁଅନ୍ତୁନି,ଯାହା ଚାଲିଛି ନିଶ୍ଚୟ କିଛି ଭଲ ଉଦ୍ଦେଶ୍ୟ ଥିବ।ସବୁ ବାପା ମୋ ଭଳି ଅଭାଗା ନୁହଁନ୍ତି।"ମୁଁ ବି ପ୍ରତିବଦଳରେ ହସି ଟିକେ ତା ହସରେ ମିଶେଇ ଦେଇ ଚାଲିଯିବାକୁ ବାହାରିଲା ବେଳେ ଭାବୁଥିଲି ମୁଁ କେବେ ସେଇ ବାପାର ପରିଚୟ ପାଇବି କି ନାହିଁ ସେ ଅନ୍ତର୍ଦ୍ୱନ୍ଦରେ କୁହୁଳି ଜଳୁଥିଲି ସକାଳର ଶୀତୁଆ ପବନ ଧାସରେ।

ପୌଷ ମାସ ଜୋତା ପାଲିସ ବାହାଘର

Rate the content


Originality
Flow
Language
Cover design

Comments

Post

Some text some message..