Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Drama Thriller

3  

Rasmi Rekha Tripathy

Drama Thriller

ଭୂତ

ଭୂତ

4 mins
14.4K



       ଭୂତ ନା ଫୁତ ? ଏ କାମ ସେହି ଦୁଇ ବାଳୁଙ୍ଗାଙ୍କର l ଜଣେ ଭାଇ, ଜଣେ ଭଣଞ୍ଜା l ସମବୟସୀ l ପାଠ ଘରେ ଶୂନ l ବାଳୁଙ୍ଗାମୀରେ ଡିଗ୍ରୀ କରିବେ l ସବୁ ଦିନେ କିଛି ନା କିଛି କାଣ୍ଡ କାରଖାନା କରି ଆସନ୍ତି ଦୁହେଁ l ବ୍ୟସ୍ତ ହୋଇଯାଆନ୍ତି ଲୋକନାଥ l ଏ ସବୁ ବୋଉର ଗେଲାପଣର ପରିଣାମ l

       କୋଡପୋଛା ପୁଅ ବୋଲି ଦୀପୁକୁ ମୁଣ୍ଡରେ ବସେଇ ରଖିଛି l ଏଣେ ବାପଛେଉଣ୍ଡ ବୋଲି ରଙ୍କକୁ ପଣତ ଆଢୁଆଳରେ ଘୋଡେଇ ରଖିଛି l ଅବୟସରେ ଭିଣେଇ ମରିଗଲେ l ନାନୀ ମୋ ନନା ବୋଉଙ୍କର ଗୋଟିଏ ବୋଲି ଝିଅ l କୁଳୀନ ବ୍ରାହ୍ମଣ ବୋଲି ନନା ବାହା ଦେଇଥିଲେ ନାନୀକୁ ସେ ଘରେ l ଚଳଣିରେ କିଛି ଅସୁବିଧା ନ ଥିଲା l ଜମି ପଚିଶି ଭରଣ ଥିଲା l କିନ୍ତୁ.... ଭାଗ୍ୟ..... ଭାଗ୍ୟ ହିଁ ଦାଉ ସାଧିଲା l ଭିଣେଇଙ୍କୁ କ୍ୟାନ୍ସର୍ ହେଲା l ନାନୀ ବାହା ହେବାର ଦଶ ବର୍ଷ ପରେ ରଙ୍କର ଜନ୍ମ l ଭିଣେଇ ମଲାବେଳକୁ ରଙ୍କକୁ ଚାରି ବର୍ଷ l ଭିଣେଇଙ୍କର ଚିକିତ୍ସା ପାଇଁ ପଚିଶି ଭରଣ ଜମି ବିକା ସରିଥିଲା l ଘର ଡିହଟି ବି ବନ୍ଧା ପଡି ଯାଇଥିଲା l ନାନୀ ବି ଘରେ କିଛି ନ କହି ଅଣ୍ଟା ଭିଡିଥିଲା ଭିଣେଇଙ୍କୁ ଭଲ କରିଦେବ ବୋଲି l ନନା ବୋଉ ଜାଣିବା ବେଳକୁ ଆଉ କିଛି ନ ଥିଲା କରିବା ପାଇଁ l ଏପରିକି ନାନୀର ଘର ଡିହଟି ମୁକୁଳେଇବା ପାଇଁ ବି ନନାଙ୍କ ପାଖରେ ପଇସା ନ ଥିଲା l

       ଗୋଟିଏ ବୋଲି ଝିଅ l ବଡ ଝିଅ l କେତେ ଗେଲବସରରେ ବଢିଥିଲା l କ’ଣ ଆଉ କରିଥାନ୍ତେ ନନା ? ଭାଗ୍ୟ ତ ତା’ର ହେଲାନି l ଶେଷରେ ମାଆ ପୁଅ ଦୁହିଁଙ୍କୁ ନନା ନେଇ ଆସିଲେ ଘରକୁ l

       ବାପଛେଉଣ୍ଡ ପିଲା l ବଞ୍ଚିକି ରହିଲେ କୂଳ ରହିବ l ସେ ପାଠ ପଢାରୁ କ’ଣ ମିଳିବ ? ରଙ୍କକୁ ଟିକିଏ ଶାସନ କଲେ ବୋଉ ଏୟା କହି ନିରସ୍ତ୍ର କରିଦିଏ ଲୋକନାଥଙ୍କୁ l ଶେଷରେ କ’ଣ ଦାଗୀ ହେବେ ଦୁହେଁଯାକ ? ବ୍ୟସ୍ତ ହୋଇଯାଆନ୍ତି ଲୋକନାଥ l

       କକେଇଙ୍କ ପୁଅ ସୀତୁ ଖରାଛୁଟିରେ ଗାଆଁକୁ ଆସିଥିଲା l ଖରାଛୁଟି ବୋଲି ରଙ୍କ ଆଉ ଦୀପୁ ମଧ୍ୟ ଟିକେ ପଢାରୁ ମୁକ୍ତି ପାଇଥାଆନ୍ତି l ଦିନ ସାରା ଏ ତୋଟା ସେ ତୋଟା ବୁଲିବେ l ଟେକା ମାରି ଆମ୍ବ ଝଡେଇବେ l ନ ହେଲେ ଭାଲିଆ ଗୋଟେଇବେ l ନ ହେଲେ ବନ୍ଧରେ ବୁଡିବେ l ଖରାଦିନ ପାଇଁ ବନ୍ଧରେ ପାଣି କମି ଯାଇଥିଲା l ତେଣୁ ଦୁହିଁଙ୍କର ମୁଖ୍ୟ କାମ ଥିଲା ତୋଟାରେ ବୁଲିବା l ଏହି ଦୁଇ ବାଳୁଙ୍ଗାଙ୍କ ସହ ସାମିଲ ହୋଇ ଯାଇଥିଲା ସୀତୁ l ସେ ଚେଙ୍ଗଡ ବି କିଛି କମ୍ ନୁହେଁ l ହଉ... ଖରାଛୁଟୀଟା ତ..... ପିଲାଗୁଡାକ ଟିକେ ମଉଜ ମସ୍ତି କରିଦିଅନ୍ତୁ l ଛୁଟି ସରିଲେ ପୁଣି ପାଠ ପଢା ଆରମ୍ଭ ହୋଇଯିବ ଯେ l ଜାଣି ଶୁଣି ଟିକେ କୋହଳ ହୋଇଯାଆନ୍ତି ଲୋକନାଥ l ଲୁହା କଅଁଳ ହେଲେ ବିଲେଇ ଖାଇବି ଖାଇବି ହୁଏ ନୀତିରେ ଦୀପୁ ଆଉ ରଙ୍କର ଦୁଷ୍ଟାମୀର ସୀମା ଟପି ଯାଇଥିଲା l

ନନା ଦିନ ସାରା ବିଲ ବାଡି, ହଳିଆ-ମୁଲିଆଙ୍କୁ ନେଇ ବ୍ୟସ୍ତ l ଲୋକନାଥ ପାଖ ତହସିଲ୍ ଅଫିସରେ କିରାଣୀ ଚାକିରି କରିଛନ୍ତି l ଗ୍ରାଜୁଏସନ୍ ପରେ ଆଉ ପଢିବାକୁ ଇଚ୍ଛା ଥିଲେ ବି ନାନୀର ଅକାଳ ବୈଧବ୍ୟ, ନନାଙ୍କର ଅସହାୟତା ଦେଖି ସେ ସ୍ଥିର କରିଥିଲେ ଚାକିରି କରିବେ l ନନାଙ୍କ ସହ କାନ୍ଧରେ କାନ୍ଧ ମିଶେଇ ଠିଆ ହେବେ l ସାନ ଭାଇ ଓ ଭଣଞ୍ଜାକୁ ମଣିଷ କରିବେ l

ପାଞ୍ଚ ବର୍ଷରେ ରଙ୍କ ଘରକୁ ଆସିଥିଲା ଯେ ଏବେ ତା’କୁ ଦଶ ବର୍ଷ ହେଲାଣି l ଦୀପୁ ତା’ ଠାରୁ ବର୍ଷେ ବଡ l ଏବେକା ଯୁଗ ହୋଇଥିଲେ ଲୋକ ହସନ୍ତେ l ସେତେବେଳେ କିନ୍ତୁ ଏ ସବୁ ଘଟଣା ନିହାତି ସାଧାରଣ ଥିଲା l ମାଉସୀ-ଝିଆରୀ, ଭାଇ-ଭଣଞ୍ଜା, ଦିଅର-ପୁଅ ଏକା ବୟସର ହେବା କିଛି ଅସାଧାରଣ ଘଟଣା ନ ଥିଲା l ଏବେ ଏବକୁ ସଚେତନତା ବୃଦ୍ଧି ପାଇଲାଣି l ଜନସଂଖ୍ୟା ରୋକ୍ ପାଇଁ ସରକାର କେତେ ଯୋଜନା କଲେଣି l ଦୀର୍ଘନିଃଶ୍ୱାସ ମାରିଲେ ଲୋକନାଥ l ସେତେବେଳେ ତ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥାକୁ ପାପ ବୋଲି ଭାବୁଥିଲେ ଲୋକେ l ଏବେ କ’ଣ ଭାବୁ ନାହାନ୍ତି କି ?

***   ***   ***   ***   ***

ସେ ଦିନ ଅଫିସରୁ ଫେରିବା ବେଳକୁ ଘରେ ଅଖଣ୍ଡ ନିରବତା l ଏମିତି ଅସମ୍ଭବ କେମିତି ସମ୍ଭବ ହେଲା ବୋଲି ଭାବୁଥିଲେ ଲୋକନାଥ ? ନାନୀ ଆଉ ଖୁଡି ହାଣ୍ଡିଶାଳେ ଥିଲେ l ରଙ୍କ ଆଉ ଦୀପୁ ବହି ଧରି ବସିଛନ୍ତି ସୁନାପିଲା ଭଳି l ଆଜି କ’ଣ ସୂର୍ଯ୍ୟ ପଶ୍ଚିମ ଦିଗରେ ଉଦୟ ହେଲେ କି ? ନନା ବିଲରୁ ଫେରି ସବୁଦିନ ଭଳି ଦେଉଳ ପିଣ୍ଡାରେ ଲୋକଙ୍କର ସୁବିଧା-ଅସୁବିଧା ବୁଝୁଛନ୍ତି l ସୀତୁ କିନ୍ତୁ ଶୋଇଥିଲା l ମୁଣ୍ଡରେ ତା’ର ପୋଡାକନା ଦେଇ ବୋଉ ପାଖରେ ବସିଛି l ଗାଆଁମାନଙ୍କରେ ମୁଣ୍ଡ ଫାଟିଗଲେ ପୋଡାକନା ଦେଇ ହିଁ ପ୍ରାଥମିକ ଉପଚାର କରାଯାଏ l ତେବେ ମୁଣ୍ଡ ଫାଟିଲା କେମିତି ?

: ଦୀପୁ ଆଉ ରଙ୍କ ସାଙ୍ଗରେ ସୀତୁ ଯାଇଥିଲା ତୋଟାକୁ l ବାରମ୍ବାର ମନା କରୁଛି ଏମିତି ଡାହାଣୀଆ ଖରାବେଳେ ନ ଯିବା ପାଇଁ l କିଏ ଶୁଣିଲେ ତ ? ଏବେ ହେଲା ନା ? ସେଇ ସାଆନ୍ତ ଆମ୍ବ ଗଛର ଭୂତ ଟେକା ମାରିଲା l ସୀତୁର ମୁଣ୍ଡରେ ବାଜିଲା l ଅବସ୍ଥା ତ ଦେଖୁଛୁ ତୁ l ନାକ ସୁଁ ସୁଁ କରି କହିଲା ବୋଉ l

: ଭୂତ ..... ଭୂତ ଟେକା ମାରିଲା ବୋଲି ତୋତେ କିଏ କହିଲା ?

: ହଁ ମାମୁଁ.... ଭୂତ ଟେକା ମାରିଛି ପରା l ନାଇଁରେ ଦୀପୁ ? ରଙ୍କ ସଫେଇ ଦେଉ ଦେଉ ସାକ୍ଷୀ କରୁଥିଲା ଦୀପୁକୁ l ଦୀପୁ ବି ସମ୍ମତିସୂଚକ ଭାବରେ ହଲେଇ ଦେଲା ମୁଣ୍ଡ l

: ଭୂତ ନା ଫୁତ ? ପିତ ଚହଲିଗଲା ଲୋକନାଥଙ୍କର l ଚାଲ ଆଜି ଭୂତ ଛଡୋଇଛି ଦୁହିଁଙ୍କର l ବୋଉ ! ତତେ ଆଜି ମୋର ମୁଣ୍ଡଖିଆ ରାଣ ରହିଲା, ତୁ ଯଦି ଛଡେଇବାକୁ ଆସୁ ତ l ଏତିକି କହି ଲୋକନାଧ ଦୁହିଁଙ୍କୁ ନେଇ ବାନ୍ଧିଦେଲେ ଗୁହାଳ ଘର ଖୁଣ୍ଟିରେ l ହଳିଆ ପାଞ୍ଚଣଟିଏରେ ପିଟି ଦେଇଗଲେ ଦୁହିଁଙ୍କୁ ଗୋଡ ଠାରୁ ମୁଣ୍ଡ ଯାଏଁ l ଶେଷରେ ଆଉ ସମ୍ଭାଳି ପାରିଲାନି ଦୀପୁ l

: ରଙ୍କକୁ ଆଉ ମାରନା ଭାଇନା ! ସେ ମରିଗଲେ ନାନୀର କୂଳ ବୁଡିଯିବ l ମୁଁ ହିଁ ଗଛକୁ ଟେକା ମାରୁଥିଲି l ସୀତୁର ମୁଣ୍ଡରେ ବାଜିଲା l ମୁଣ୍ଡ ଫାଟିଗଲା l ତମେ ମାରିବ ବୋଲି ଭୟରେ ଆମେ ଦୁହେଁ କଥା ହୋଇ ଭୂତ ଟେକା ମାରିଛି ବୋଲି ବୋଉକୁ କହିଛୁ l ବିକଳ ହୋଇ କହିଲା ଦୀପୁ l

: ନାଇଁ ମାମୁଁ ! ମୋ ଟେକାରେ ସୀତୁର ମୁଣ୍ଡ ଫାଟିଛି l ଦୀପୁ ମୋତେ ବଞ୍ଚେଇବା ପାଇଁ ମିଛ କହୁଛି l ତା’ର କିଛି ଦୋଷ ନାହିଁ l ସବୁ ଦୋଷ ମୋର l

ଥମ୍ କରି ଠିଆ ହୋଇଗଲେ ଲୋକନାଥ l ପିଲା ଦୁଇଟା ବାଳୁଙ୍ଗା ହେଲେ ବି ଅମଣିଷ ନୁହଁନ୍ତି l ଭବିଷ୍ୟତରେ ଭଲ ମଣିଷଟିଏ ହୋଇ ପାରିବେ ବୋଲି ଅନୁଭବ କରୁଥିଲେ ଲୋକନାଥ l ହାତରୁ ତାଙ୍କର ପାଞ୍ଚଣ ଖସି ପଡିଥିଲା l

ସେ ଘଟଣାର ପଚାଶ ବର୍ଷ ବିତିଗଲାଣି l ଏବେ ବି ଜାଣିନାହାନ୍ତି ଲୋକନାଥ ଯେ ଅସଲ ଭୂତଟି କିଏ ? ସେ ଦିନ କିଏ ଟେକା ମାରିଥିଲା ? ରଙ୍କ ନା ଦୀପୁ ? କାହାର ଟେକାରେ ସୀତୁର ମୁଣ୍ଡ ଫାଟିଥିଲା ?


Rate this content
Log in

Similar oriya story from Drama