T.Durga Prasad Rao

Inspirational


4.9  

T.Durga Prasad Rao

Inspirational


ସ୍ନେହ ସ୍ନେହରେ

ସ୍ନେହ ସ୍ନେହରେ

4 mins 276 4 mins 276

ସ୍ନେହ ସ୍ନେହରେ


ବାପା କହନ୍ତି ମୁଁ ଟିକିଏ ଅଳସୁଆ। କାରଣ ମୁଁ ସକାଳୁ ସୂର୍ଯ୍ୟୋଦୟ ପୂର୍ବରୁ ଉଠିପାରେ ନାହିଁ। ମୋର ସୂର୍ଯ୍ୟୋଦୟ ପୂର୍ବରୁ ନ ଉଠିବାର କାରଣ ଅବଶ୍ୟ ବାପା ପରେ ପରେ ଜାଣି ପାରିଛନ୍ତି। ମୁଁ ରାତି ପ୍ରାୟ ବାରଟା ଗୋଟାଏ ନ ହେଲେ ଶୋଇପାରେ ନାହିଁ। ବେଳେ ବେଳେ ନିଦ ଯିବା ପୂର୍ବରୁ ରାତି ପାହି ଯାଏ ମୋର ବିଭିନ୍ନ କାରଣରୁ। କେଉଁ ରାତି ପଢ଼ାପଢ଼ିରେ ବ୍ୟସ୍ତ, କେଉଁ ରାତି କମ୍ଫ୍ୟୁଟର ପ୍ରୋଗ୍ରାମିଂରେ ବ୍ୟସ୍ତ, କେତେବେଳେ ପୁଣି ଗଳ୍ପ ଲେଖାରେ ବ୍ୟସ୍ତ ତ ପୁଣି କେତେବେଳେ ଟିଭି ସ୍କ୍ରିନ୍.ରେ ଲଗାତାର ସିନେମା ଦେଖାରେ ଆଖି ମୋର ଭୁଲିଯାଏ ନିଦ। ସକାଳେ ପ୍ରସ୍ତୁତ ହୋଇ ଅଫିସ୍ ଯିବାକୁ ମୋତେ ଲାଗେ ମାତ୍ର ତିରିଶି ମିନିଟ୍.ର ସମୟ। ମୁଁ ଦିନ ବେଳେ ମୋର ପଢ଼ାପଢ଼ି ଅବା ଲେଖାଲେଖି କାମରେ ଜମାରୁ କନ୍ସେଣ୍ଟ୍ରେଟ୍ କରି ପାରେନି। ମୁଁ ଭାବୁଛି ଏ କଥାଟା ପ୍ରାୟ ଲେଖକ ବା କବି ଶ୍ରେଣୀୟ ନିଶ୍ଚୟ ହୃଦୟଙ୍ଗମ କରୁଥିବେ।

ମୋର ଏ ଦୁର୍ବଳତା କାମର ଚାପରେ କାଳେ ଧରା ପଡ଼ିଯିବ, ସେଥିପାଇଁ ମୁଁ ମୋର ପୁଅକୁ ମାତ୍ର ଦୁଇ ଶହ ମିଟର ଦୂରରେ ଥିବା ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଭର୍ତ୍ତି କରାଇଲି। ଉଦ୍ଦେଶ୍ୟ ଥିଲା, ମୁଁ ଉଠି ନ ପାରିଲେ ବି ମୋର ପତ୍ନୀ ପୁଅକୁ ବିଦ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚାଇ ଦେଇପାରିବେ। ଆଉ ପୁଅ ଟିକିଏ ବଡ଼ ହେଲା ପରେ ନିଜେ ମଧ୍ୟ ଚାଲି ଚାଲି ଯାଇ ପାରିବ। ଆଉ ସତକୁ ସତ ସେୟା ହେଲା। ମୁଁ କୌଣସି ଦିନ ପୁଅକୁ ତା ବିଦ୍ୟାଳୟରେ ପହଞ୍ଚାଇବାକୁ ସକ୍ଷମ ହୋଇ ପାରିଲି ନାହିଁ। ପ୍ରଥମେ ପ୍ରଥମେ ପତ୍ନୀ ମୋତେ ଉଠାଇବାକୁ ଚେଷ୍ଟା କରୁଥିଲେ ପୁଅକୁ ଛାଡ଼ିବା ପାଇଁ। ପରେ କିନ୍ତୁ ସେ ବୁଝିଗଲେ ଯେ ସେ ଦାୟିତ୍ୱବୋଧଟା ତାଙ୍କରି ବୋଲି। ହେଲେ ମୋର ଇଚ୍ଛା ଥିଲା ଟିକିଏ ବଡ଼ ହେଲା ପରେ ପୁଅକୁ କେନ୍ଦ୍ରୀୟ ବିଦ୍ୟାଳୟରେ ଛାଡ଼ିଦେବି। ପୁଅର ଯେତେବେଳେ ଷ୍ଟାଣ୍ଡାର୍ଡ ଥ୍ରୀ, ପତ୍ନୀ କହିଲେ ତାକୁ କେନ୍ଦ୍ରୀୟ ବିଦ୍ୟାଳୟରେ ଭର୍ତ୍ତି କରିବା ପାଇଁ। କେନ୍ଦ୍ରୀୟ ବିଦ୍ୟାଳୟର ସମୟ ସାରଣୀ ଦେଖି ମୁଁ ନିରାଶ ହୋଇଗଲି। ବିଦ୍ୟାଳୟଟି ଘରଠାରୁ ପାଖା ପାଖି ଦୁଇ କିଲୋମିଟର। ପୁଣି ସକାଳ ସାତଟାରୁ ଯିବାକୁ ହେବ। ମଝିରେ ଦଶଟା ସମୟରେ ତାର ଟିଫିନ୍ ନେଇ ଦେବାକୁ ହେବ। ପୁଣି ଦୁଇଟାରେ ତାକୁ ବିଦ୍ୟାଳୟରୁ ଆଣିବାକୁ ହେବ। ଏତେ ଝନ୍ଝଟ୍ ମୋ ଦ୍ୱାରା ହେବନାହିଁ ଦେଖି ମୁଁ କଥାଟା ଏଡ଼େଇ ଦେଇ ଚୁପ୍ ହୋଇଗଲି।

ପୁଅର ଯେତେବେଳେ ଫିଫ୍.ଥ ହେଲା ମୁଁ ତା ପାଇଁ ନବୋଦୟ ଗାଇଡ୍.ଟିଏ କିଣି ଆଣିଲି। ଗାଇଡ୍ ଦେଖି ପୁଅର ମୁହଁ ଶୁଖିଗଲା। କହିଲା - ମୁଁ ନବୋଦୟ ପ୍ରବେଶିକା ପରୀକ୍ଷା ଦେବିନାହିଁ। ଯଦିଓ ମୁଁ ଉତ୍ତର ଜାଣେ, ତଥାପି ପଚାରିଲି – କାହିଁକି ଦେବୁନି? ପୁଅ ସେମିତି ନିରସ ମନରେ କହିଲା – ମୋର ସାଙ୍ଗମାନେ କହୁଛନ୍ତି, ସେଠି ପୋକଡ଼ା ବାଇଗଣ ତରକାରୀ ଖାଇବାକୁ ଦିଆଯାଏ। ମୁଁ ସେଗୁଡ଼ା ଖାଇ ପାରିବିନି। ପୁଅ ମୋର ଗୋଟିଏ। ଛୋଟ ବୟସରେ ମୁଁ ତାକୁ ହଷ୍ଟେଲ୍.ରେ ରଖି ପଢ଼ାଇବା କଥା କେବେ ଭାବି ନାହିଁ। ତାର ଉତ୍ତର ଶୁଣି ମୁଁ ନ ହସି ରହି ପାରିଲି ନାହିଁ। କହିଲି – ତୁ କେବଳ ଅନୁଭୁତି ପାଇଁ ପରୀକ୍ଷା ଦେ। ତୁ କଣ ଭାବୁଛୁ, ମୁଁ ଆଉ ତୋ ମମି ତୋତେ ନବୋଦୟରେ ଛାଡ଼ି ଦେଇ ନିଶ୍ଚିନ୍ତ ହୋଇଯିବୁ? ହେଲେ ଯେତେ କହିଲେ ବି ପୁଅ ଗାଇଡ୍ ଛୁଇଁଲା ନାହିଁ। ପରୀକ୍ଷାର ଦୁଇଦିନ ପୂର୍ବରୁ ମୁଁ ତାକୁ ପାଖରେ ବସାଇ ଗାଇଡ୍ ଓଲଟାଇ କିଛି ପାଠ ବୁଝେଇଦେଲି।

ଯେଉଁଦିନ ନବୋଦୟ ପ୍ରବେଶିକା ପରୀକ୍ଷା, ପୁଅକୁ ନେଇ ମୁଁ ବାଇକ୍.ରେ ବାହାରିଲି ନବୋଦୟ ବିଦ୍ୟାଳୟ ଉଦ୍ଦେଶ୍ୟରେ। ପ୍ରବେଶ ପତ୍ର ସହ ପୁଅକୁ ବେଷ୍ଟ ଅଫ୍ ଲକ୍ କହି ଭିତରକୁ ପଠାଇ ଦେଇ ଅନ୍ୟ ଅଭିଭାବକଙ୍କ ପରି ମୁଁ ମଧ୍ୟ ହତା ବାହାରେ ଅପେକ୍ଷା କରି ରହିଲି। ମୋ ପାଇଁ କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ। ପୁଅ ଭଲ ଲେଖି ପାସ୍ ହେଉ କିମ୍ବା ନ ଲେଖି ଫେଲ୍ ହେଉ ମୋର ଉଦ୍ଦେଶ୍ୟ ଅତି ସ୍ପଷ୍ଟ ଥିଲା ଯେ ମୁଁ ତାକୁ କୌଣସି ମତେ ନବୋଦୟରେ ପଢ଼େଇବି ନାହିଁ। ମୋ ହିସାବ ଟିକେ ଅଲଗା ଥିଲା। ହୁଏତ ପୁଅ ମୋତେ ଛାଡ଼ି ନବୋଦୟ ହଷ୍ଟେଲ୍.ରେ ରହି ଯାଇ ପାରେ। ହେଲେ ମୁଁ ସ୍ଥିର ନିଶ୍ଚିତ ମୁଁ ତାକୁ ଛାଡ଼ି ରହି ପାରିବି ନାହିଁ।

କିଛି ସମୟ ପରେ ପୁଅ ଯେତେବେଳେ ପରୀକ୍ଷା ସାରି ଫେରିଲା, ମୁଁ ପଚାରିଲି – ଠିକ୍ ଲେଖିଛୁ ତ? ସେ କେବଳ ମୁଣ୍ଡ ହଲାଇ ଦେଇ ନିରବ ହେଇଗଲା। ଅଳ୍ପ ସମୟ ପରେ କହିଲା – ପାପା, ମୁଁ ନବୋଦୟର ପୁରା ପ୍ରେମିସେସ୍ ବୁଲି ଦେଖିଲି। ବିରାଟ ଏରିଆ। ଖୁବ୍ ଭଲ ଭାବରେ ସଜା ହୋଇଛି ଭିତରଟା। କ୍ଳାସ୍ ରୁମ୍, ହଷ୍ଟେଲ୍, ଲାଇବ୍ରେରୀ...। ପାପା, ମୁଁ ପାସ୍ କଲେ ଏଇଠି ପାଠ ପଢ଼ିବି। ମୁଁ ପଚାରିଲି – ଆଉ ସେ ପୋକଡ଼ା ବାଇଗଣ ତରକାରୀ?

- ଆଡ଼ଜଷ୍ଟ୍ କରିନେବି।

ମୁଁ ହସିଦେଲି। ବାଇକ୍ ଷ୍ଟାର୍ଟ୍ କରୁ କରୁ କହିଲି – ସେମିତି ଯଦି ତୋର ଉଦ୍ଦେଶ୍ୟ, ତାହେଲେ ଆଉ ଟିକେ ପରିଶ୍ରମ କରିବାର ଥିଲା। ଦୁଇଦିନର ପଢ଼ାପଢ଼ିରେ ନବୋଦୟ ପାଇବା ଭାରି କଷ୍ଟ। ପୁଅ ବାଇକ୍ ପଛରେ ବସି ମୋତେ ଭିଡ଼ି ଧରିଲା।

ଫଳାଫଳ ବାହାରିବା ଦିନ ପାପା ବେଟା ଦୁହେଁ ପହଞ୍ଚିଲୁ ନବୋଦୟ ବିଦ୍ୟାଳୟରେ। ଗେଟ୍ ପାଖରେ ପାଚେରୀ କାନ୍ଥରେ ହିଁ ଫଳାଫଳର କାଗଜ ପେଷ୍ଟ୍ କରି ଦିଆଯାଇଥିଲା। ମୁଁ ପୁଅର ନାଁ କାଗଜ ଉପରେ କେଉଁଠି ମଧ୍ୟ ଖୋଜି ପାଇଲି ନାହିଁ। ପୁଅ ମଧ୍ୟ ଥରେ ଆଖି ବୁଲେଇନେଲା କାଗଜ ଉପରେ। ମୁଁ ଜାଣିଥିଲି ନବୋଦୟ ପାଇବା ସହଜ ନ ଥିଲା ଦୁଇଦିନର ପଢ଼ାରେ। ପୁଣି ଜେନେରାଲ୍, ଅର୍ବାନ୍ ସିଟ୍ ମାତ୍ର ଗୋଟିଏ। ମୁଁ ହସିଦେଇ କଥାଟା ହାଲ୍.କା କରିଦେଇ କହିଲି – ଏଣ୍ଟ୍ରାନ୍ସ୍ ଫେଲ୍ ମାନେ ଆଜି ପାର୍ଟି। ତୋର ନବୋଦୟ ହଷ୍ଟେଲ୍.ରେ ରହିବାକୁ ପଡ଼ିବନି। ଆଜି ପୁରା ଗୋଟିଏ ଖୁସିର ଦିନ। ମୁଁ ମିଠା ଦୋକାନରୁ କେଜିଏ ମିଠା ନେଇ ଘରେ ପହଞ୍ଚିଲି। ମିଠା ପ୍ୟାକେଟ୍.ରୁ ଖଣ୍ଡିଏ ଖଣ୍ଡିଏ ମିଠା ନେଇ ସମସ୍ତେ ପାଟିରେ ପକାଇଲେ। ପୁଅର ମୁହଁରୁ ମୋ ପତ୍ନୀ ଜାଣି ସାରିଥିଲେ ନବୋଦୟ ପ୍ରବେଶିକା ପରୀକ୍ଷାର ଫଳାଫଳ। ମୁଁ ପୁଅକୁ କୋଳେଇ ନେଲି। ତା ମୁହଁ ଶୁଖି କାନ୍ଦିବା କାନ୍ଦିବା ଅବସ୍ଥା। ଚେଷ୍ଟା କରୁଥିଲା ଶୁଖିଲା ମୁହଁରେ ହସ ଫୁଟେଇବା ପାଇଁ।

ଟି.ଦୁର୍ଗା ପ୍ରସାଦ ରାଓ


Rate this content
Originality
Flow
Language
Cover Design