Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanta kumar Hota

Inspirational

3  

Prasanta kumar Hota

Inspirational

ସାହାଯ୍ୟ

ସାହାଯ୍ୟ

8 mins
11.5K


ଗଳ୍ପ- ସାହାଯ୍ୟ ଏକ ମନୋବୃତ୍ତି

ଶୀତ ଟିକେ ଜୋରରେ ପଡ଼ିବା ଆରମ୍ଭ ହେଇଥାଏ। ଦେହ ହାତ ମାନ୍ଦା ମାନ୍ଦା ଲାଗୁଥାଏ। ମୁଁ ହୋଟେଲ ରୁମରୁ ବାହାରି ଆସି ସମୁଦ୍ର କୁଳ ଆଡେ ଚାଲି ଚାଲି ଯାଉଥାଏ। ଥଣ୍ଡାରେ ଦେହ କୋଲୁଅ ମାରି ଯାଉଥାଏ । ତଥାପି କାହିଁକି ସବୁଦିନ ମଣିଂଵାକ୍ କଲା ପରି ମୁଁ ଚାଲୁଥାଏ। ରାସ୍ତାଘାଟ ଆଜି କାଲି ଅବଶ୍ୟ ବହୁତ ଗହଳି ରହୁଛି। ଯେଉଁଆଡ଼େ ଚାହିଁବ ବିଭିନ୍ନ ପ୍ରକାରର ପୋଷାକ ସହିତ ଯୁବକ ଯୁବତୀ ମୋଟା ମୋଟି ବୃଦ୍ଧ ବୃଦ୍ଧା ସବୁ ଚାଲୁଥାନ୍ତି।

ଆଜି ପୁଣି କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ଭସା ହେବ ବୋଲି ମୋ ପୁଅ ମୋତେ କହିଥାଏ। ମୁଁ ଯେତେ ଏଡାଇଲେ ବି ତାର ଜିଦ ସେ ବୋଇତ କିଣିବ। ସେଥିରେ ପୁଣି ସହଧର୍ମିଣୀ ସରିତା ସହଯୋଗ କରି କହିଦେଲେ ରଙ୍ଗୀନ ଵୋଇତ ଆଣିବ। ରଙ୍ଗିନ ବୋଇତ ବହୁତ ଦାମ୍। କିଣିବାକୁ ଜମା ଇଚ୍ଛା ନଥାଏ । ତା ସହିତ ବାଣ ଫୁଟେଇବା ଗୋଟେ ଏମିତି ଫ୍ୟାଶନ ହେଇ ଗଲାଣି ଯେ ବାଣ କଣ ପାଇଁ ଫୁଟା ହୋଉଛି ପଚାରିଲେ ସମସ୍ତେ କେବଳ ମୁହିଁ ଚାହାଁଚାହିଁ ହେବେ। ଯାହା ବି ହେଉ କିଣିବାକୁ ତ ପଡିବ । ନହେଲେ ଅଯଥା କଳି ଆରମ୍ଭ ହେବ।

ସରିତା ମୋ ସହିତ କେତେଦିନ ହେଲାଣି ଖାଲି ଏଇଥି ପାଇଁ କଥା ଲଗାଇଥିଲେ ଯେ ଏଥର କାର୍ତ୍ତିକ ପୂର୍ଣ୍ଣିମାରେ ଘରେ ରହିବାନି। ପୁଅ କହୁଥିଲା ପୁରୀ ଯିବା। ସମୁଦ୍ରରେ ଗାଧେଇବା। ସେଠାରେ ବୋଇତ ଭସାଇବା କାଳିଆକୁ ଦର୍ଶନ କରିବା ଇତ୍ୟାଦି । ଯିବାରେ କିଛି ଅସୁବିଧା ନାହିଁ। କିନ୍ତୁ ପୁରୀ ଆସିବା ପରେ ଯଦି ହୋଟେଲ ଭିତରେ ଏମିତି ଶୋଇ ରହିବେ ତାହେଲେ ପୁରୀ ଆସିବାର ଉଦ୍ଦେଶ୍ୟ ଜଣା ପଡିଯାଏ। ଅଜାଗା ଘା ଦେଖାଇ ହୁଏ ନାହିଁ କି କହି ହୁଏ ନାହିଁ। ମୁଁ ଯଦି ଉଠେଇବି ସରିତା କହିବେ ରୁହ ପୁଅଟା ଶାନ୍ତିରେ ଶୋଇଚି କାହିଁକି ନିଦଟା ଭାଙ୍ଗୁଛ। ଜଗନ୍ନାଥ କୁଆଡେ ପଳାଉଛନ୍ତି ନା ସମୁଦ୍ର କୁଆଡ଼େ ପଳାଉଛି। ମୋତେ ଏହାର କିଛି ଉତ୍ତର ମିଳେ ନାହିଁ ଉତ୍ତର ଦେଲେ ବି ପ୍ରତ୍ୟୁତ୍ତର ଏତେ ମାତ୍ରାରେ ଆସେ ଯେ ସମ୍ମୁଖୀନ ହେବା ହୁଏ ନାହିଁ। ତେଣୁ ଛତ୍ରଭଙ୍ଗ ଦେଇ ନିଜକୁ ବଞ୍ଚାଇ ରଖୁ ରଖୁ ସମୟ ଏମିତି ଭାବରେ ଅତିକ୍ରମ କରିଚାଲେ ଯେ ଅତୀତକୁ ଭାବିଲେ ମନରେ ଦୁଃଖ ଭରି ଆସେ। ସମୟର ସତେ କେତେ ଅପବ୍ୟବହାର କରାହୋଇଛି।

ବର୍ଷକୁ ଚାରିଥର ପୁରୀ ଆସିଥିଲେ ବି ଗଲା ଥର କାର୍ତ୍ତିକ ପୂର୍ଣ୍ଣିମାରେ ମନା କରିଦେଲି ବୋଲି ମୋର ନବମ ପଢୁଆ ପୁଅ କହିଲା ବାପା ଆମେ ଟିକେ ପୁରୀ ଯିବୁ ତମେ କଣ ଆମକୁ ଏତିକି ବି ସାହାଯ୍ୟ କରିବ ନାହିଁ।

ଏ ପ୍ରଶ୍ନର ଅନ୍ତର୍ନିହିତ ଅର୍ଥ ସେ ବୁଝୁଥିଲା କି ନାହିଁ କେଜାଣି ବାକ୍ୟର ଭାବାର୍ଥକୁ ନେଇ ମୋ ମୁଣ୍ଡ ଘୁରି ଯାଇଥିଲା। ମନେ ମନେ ଭାବୁଥିଲି ପରିବାର ପାଇଁ ଟଙ୍କା ରୋଜଗାର କରିବା ଯେତିକି ଜରୁରୀ ନୁହେଁ ତାଠାରୁ ଅଧିକ ଜରୁରୀ ହେଉଛି ପରିବାରରେ ଭଲ ସଂସ୍କାର ଆଣିବା।

ମୁଁ ପୁଅ ଆଡେ ଅନାଇଲି। ସେ ମୋତେ ଦେଖୁଥାଏ। କହିଲି -ଆରେ ରବି, ତୁ ମୋତେ ଏମିତି କଣ କହୁଛୁ? ସାହାଯ୍ୟ କଣ ବାପାକୁ ମାଗୁଛୁ। ରବି କହିଲା- ନହେଲେ ଆମେ କେମିତି ଯିବୁ।

ହଁ ସତ କଥା ତ। ମୁଁ ସାହାଯ୍ୟ ନକଲେ ତମେ କେମିତି ଯିବ।

ଆଛା ରବି- ଏଇ ଗୋଟିଏ ମୁଁ ସାହାଯ୍ୟ କରିଦେବି ନା ଆଉ କଣ ବି କରିବି।

ନା ଏଇ ଗୋଟିଏ ତା ପରେ ପୁଣି ଟିକିଏ ରହି ରବି କହିଲା ଆଉ ଯେତେବେଳେ ଦରକାର ହେବ ଆମେ କହିବୁନି।

ଆମେ କହିଲେ କିଏ -ପଚାରିଲି। କହିଲା -ମୁଁ ଆଉ ମା’ ।

ମୁଁ ତମ ମାନଙ୍କ ପାଇଁ ଯାହା ସବୁ କରୁଛି କଣ ସବୁ ସାହାଯ୍ୟ।

ରବି କିଛି କହିଲା ନାହିଁ। ପଚାରିଲି କିଏ ତୋ ମୁଣ୍ଡରେ ଏ ଚିନ୍ତାଧାରା ଭର୍ତ୍ତି କଲା।

ରବି ସେମିତି ଅନାଇ ରହିଥାଏ। ସରିତା ଦୂରରୁ ଉଠି ଆସି ପଚାରିଲା କଣ ହେଇଛି।

ତମ ପୁଅ ପୁରୀ ଯିବା ପାଇଁ ସାହାଯ୍ୟ ମାଗୁଛି।

ସରିତା ଆଶ୍ଚର୍ଯ୍ୟ ହେଲା ପରି ପଚାରିଲା -ପୁରୀ କିଏ ଯିବ।

ରବି କହିଲା -ଆମେ ସମସ୍ତେ ଯିବା। ତମେ ତ ନିଜେ ମୋତେ ବାପାଙ୍କୁ କହିବା ପାଇଁ କହୁଥିଲ । ନିଜର ବୁଦ୍ଧି କାର୍ଯ୍ୟ ହାସଲରୁ ଜଣାପଡେ -ତମେ କଣ କହି ନଥିଲ।

ସରିତା ଆବା କାବା ହେଇ ପୁଅକୁ ଅନାଇଲେ। କଣ କହିବେ ବୁଝି ପାରିଲେ ନାହଁ। ଲାଗୁଥିଲା ଯେମିତି ନିଜର ଗୁମର ପଦାରେ ପଡିଗଲା।

ପୁଅ ପାଖକୁ ଯାଇ କହିଲେ -

ଆମେ ତ ଯିବା ପୁଣି ସାହାଯ୍ୟ କଣ ପାଇଁ ମାଗୁଛୁ।

ବାପା ଟଙ୍କା ଖର୍ଚ୍ଚ ନକଲେ କଣ ଆମେ ଯାଇ ପାରିବା।

ହଁ! ତୁ ବାପାଙ୍କୁ ତୋ ପୁରୀ ଯିବା ଇଚ୍ଛା କହିବୁ। ବାପା ସୁବିଧା ଦେଖି ଆମ ଯିବା କଥା ଚିନ୍ତା କରିବେ।

ସେଇ କଥା ତ ମୁଁ କହୁଛି। ବାପା ସାହାଯ୍ୟ ନକଲେ କିଛି ହେବ ନାହିଁ।

ସରିତା ବିରକ୍ତରେ ପାଟି କରି କହିଲେ ଚୁପ୍ - ଏତେ ବଡ ପିଲାଟେ ହେଲାଣି କଥା କହି ଶିଖି ପାରିଲାନି। ମୁଁ ସମସ୍ତଙ୍କୁ ରୋଷେଇ କରି ଖାଇବାକୁ ଦେଉଛି ମାନେ କଣ ମୁଁ ସାହାଯ୍ୟ କରୁଛି। ସେମିତି କୁହାଯାଏ ନାହିଁ। ଆମେ ସମସ୍ତେ ଗୋଟିଏ ପରିବାର । ସମସ୍ତେ ସମସ୍ତଙ୍କ କର୍ତ୍ତବ୍ୟରେ ବନ୍ଧା। ଯେଉଁଠି କର୍ତ୍ତବ୍ୟ ସମ୍ପାଦନ ଠିକ୍ ଭାବରେ ହୁଏ ସେଠି ସମସ୍ତେ ଭଲରେ ରହନ୍ତି। ଅସହାୟକୁ ସାହାଯ୍ୟ କରାଯାଏ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରାଯାଏ। ତୁ ତ ଆମ ଧନ ଆମର ଯାହା ତୋର ବି ତ ସେୟା। ତୋର ଭଲ ପାଇଁ ଓ ଆମର ଅସାମର୍ଥ୍ୟ ପାଇଁ ଆମେ ବେଳେ ବେଳେ କିଛି ମନାକରୁ। ତା ବୋଲି ତୁ ଆମକୁ ସାହାଯ୍ୟ କହି ମାଗିବୁ। ଏଇଟା ବାପା ମା’ଙ୍କୁ ଅପମାନ କଲା ପରି।

ଆମର ଏଥର ଗାଁକୁ ଯିବାର ଅଛି ତେଣୁ ଏବର୍ଷ ପୁରୀ ଯାଇ ପାରିବାନି।

ରବି ଯେମିତି ସବୁ ବୁଝି ଗଲା ପରି ପଚାରିଲା ତାହେଲେ ଆର ବରଷ ଯିବା ତ।

ମୁଁ ହସି ଦେଇ ହଁଟେ ସିନା ମାରିଦେଲି କିନ୍ତୁ ପୁଅର ବୟସ ଅନୁସାରେ ପରିପକ୍ଵତାର ଅଭାବ ଦେଖି ଭାରି ଚିନ୍ତା ଲାଗୁଥାଏ।

ଏବେ ଆମେ ପ୍ରାୟ ବର୍ଷେ ପରେ ପୁରୀ ଆସିଛୁ। ପୁରୀ ରାସ୍ତାରେ ଚାଲିଲା ବେଳେ ଯେତେ ଭିକାରୀ ପାଖକୁ ଆସନ୍ତି ରବି ଜିଦ୍ କରି ଟଙ୍କା ମାଗେ ଓ ଭିକାରୀଙ୍କୁ ଦିଏ। ମୁଁ ବୁଝେଇ କହେ ଏମିତି କଲା ମାନେ କାଙ୍ଗାଳ ହେଇ ଫେରିବା କଥା। ସେ କିନ୍ତୁ କିଛି ଶୁଣେ ନାହିଁ -କହେ ବାପା ତାର କିଏ ଅଛି? ପରିବାର ଥିଲେ ସିନା ସବୁ ମିଳିଥାନ୍ତା। ଆମେ ସାହାଯ୍ୟ ନକଲେ ଆଉ କିଏ କରିବ।

ମୋର ଟଙ୍କା ଖର୍ଚ୍ଚ ଚିନ୍ତା ମୋତେ ମାଡି ବଢୁଥାଏ। ଏମିତି ଅନେକ କିଛି।

ମୁଁ ଚିନ୍ତା କଲି ଏମାନେ ଚାରି ଦିନ ନ ହେଲେ ଆସିବାର ନାଁ ଧରିବେନି ତାପରେ ଲଜିଂରେ ରହିବାକୁ ଖର୍ଚ୍ଚ ଇତ୍ୟାଦି । ଚକାଡୋଳା ପାଖକୁ ଯିବା ନାଁରେ ସାରା ପୁରୀ ବୁଲିବେ ଆଉ ମୋତେ ପୁରା କାଙ୍ଗାଳ କରିଦେବେ।

ଜଣେ ଭିକାରୀ ଡାକ ଛାଡିଲା-ବାବୁ ଗରୀବକୁ କିଛି ଦେବେ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେଲେ ବହୁତ ପୁଣ୍ୟ ହେବ।

ଓଃ ଏତେ ସବୁ ଶୁଣି ଶୁଣି କାନ ପୁରା ତାବଡ଼ା ହେଇ ଯାଉଥାଏ । ସତେ ଯେମିତି ଏମାନଙ୍କ ପାଖରେ ସବୁ ପୁଣ୍ୟ ର ହିସାବ ଅଛି। ଭାବିଲି ନା ଏମାନଙ୍କୁ ଆଉ ପାରି ହେବନି। ଏଥରକ ସିଧା ସିଧା ମନା କରିଦେବି।

ଭାବନାରେ ବ୍ୟାଘାତ ଦେଇ ରବି କାର ଭିତରୁ କହୁଥିଲା- ବାପା ମୋର ମନେ ପଡ଼ିଲା ମୁଁ ଯଦି କାହାକୁ ସାହାଯ୍ୟ କରିବାକୁ ଇଛା କରେ ସେ ସାହାଯ୍ୟ କେବଳ ମାତ୍ର ମୋର ହେଇଥିଲେ ଭଲ। ଅନ୍ୟ ଠାରୁ ଦୟାରେ ଆଣି ଦେଇଥିବା କାହାକୁ ସାହାଯ୍ୟ ଯଦିଓ ସାହାଯ୍ୟ ଅଟେ ହେଲେ ସେଥିରେ ପୂର୍ଣ୍ଣତା ନଥାଏ। ତେଣୁ ସମ୍ପୂର୍ଣ୍ଣ ଭାବରେ ନିଜର ସାହାଯ୍ୟ ହିଁ ପ୍ରକୃତ ସାହାଯ୍ୟ। ମୋ ପାଖରେ ତ ଏବେ ଟଙ୍କା ନାହିଁ ସାହାଯ୍ୟ କରିବା ପାଇଁ ତେଣୁ ମୁଁ ବଡ ହେଲେ ଏମାନଙ୍କୁ ନିଶ୍ଚିତ ଭାବେ ସାହାଯ୍ୟ କରିବି।

ମୁଁ ନିଶ୍ଵାସ ମାରିଥିଲି । ମୋତେ ଲାଗିଲା ମୁଁ ଅଯଥା ଖର୍ଚ୍ଚରୁ ବଞ୍ଚିଗଲି।

ମୁଁ ଚାଲି ଚାଲି ହୋଟେଲ ରୁମରେ ପହଞ୍ଚି ସାରିଥାଏ। ସମସ୍ତଙ୍କୁ ଉଠାଇ କହିଲି ଜଲଦି ଜଲଦି ବାହାରି ପଡ଼। ସକାଳ ବହୁତ ହେଲାଣି। ଆଉ କେତେ ଡେରି କରିବ। ସେଠି ବୋଇତ ଭସେଇବ ନା ନାହିଁ?

ଏତିକି କହି ବାଲକୋନିରୁ ଦେଖିଲି ସ୍ତ୍ରୀ ଲୋକ ଗୋଟିଏ ଚିରା ରେଜେଇ ଘୋଡେ଼ଇ ହେଇ ହୋଟେଲ ବାରଣ୍ଡାରେ ଥରି ଥରି ଛୁଆ ଦିଟାଙ୍କ ସେବାରେ ଲାଗି ପଡିଛି।

ମୁଁ ସେ ଦୃଶ୍ୟ ଦେଖୁଥାଏ। କେତେବେଳେ ରବି ଆସି ପାଖରେ ଛିଡ଼ା ହୋଇ ଦେଖୁଛି ମୋର ନଜର ନଥିଲା। ମୋତେ ହଲାଇ ଦେଇ ପଚାରିଲା ସାନ ସାନ ଛୁଆ ଦି'ଟା ଶୀତରେ ଥରୁଛନ୍ତି। ଅଥଚ ମା’ ପାଖରେ କିଛି ନାହିଁ ଦେବା ପାଇଁ। ବାପା ମୋ ସୁଇଟରଟା ତ ମୋର ସେଇଟା ଦେଲେ ତ ମୋ ସାହାଯ୍ୟ ରେ ପୂର୍ଣ୍ଣତା ଅଛି ବୋଲି କୁହାଯାଇ ପାରିବ। ମୁଁ ତୁମକୁ ସୁଇଟର ପାଇଁ ପରେ ଆଉ କହିବି ନାହିଁ। ମୋର ତ ଗୋଟାଏ ସୁଇଟର ଅଛି। ସେଇଟା ଚଳିଯିବ। ରବି କଥାର କି ଉତ୍ତର ଦେବି ମୁଁ ଜାଣି ପାରୁ ନଥିଲି। କହିଲି ହୋଉ ଯା' ଦେଇ କି ଆସିବୁ। ରବି ମନ ଖୁସିରେ ଚାଲିଗଲା। ଯେତେବେଳେ ସେ ସୁଇଟର ଦେଉଥିଲା ତା ମନର ଆନନ୍ଦ ନେବା ଲୋକଠାରୁ ମଧ୍ୟ ବଳି ଯାଉଥିଲା। ଏ ଦୃଶ୍ୟ ଦେଖି ମୋ ଅନ୍ତରାତ୍ମା ଭାବ ବିହ୍ଵଳ ହୋଇ ଉଠୁଥିଲା। ଭାବୁଥିଲି ସେଦିନ ସରିତା ମନ ଦୁଃଖରେ କହୁଥିଲା ବୟସ ଅନୁସାରେ ରବିର ପରିପକ୍ଵତା ଆସିନାହିଁ। ଏଇଟା ପରିପକ୍ଵତା ନୁହଁ ତ ଆଉ କଣ।

ପୁରୀ ବେଳାଭୂମିରେ ପହଁଚିଲା ବେଳକୁ ୧୧ ଟା ବାଜିଲାଣି। ଆଉ କଣ ବୋଇତ ବଂଦେଇବ ? ଏହା କହି କଦଳୀ ମଞ୍ଜରେ ତିଆରି ବୋଇତ ଗୁଡ଼ିକୁ ଗାଡ଼ି ଭିତରେ ରଖି ସମୁଦ୍ର କୂଳକୁ ମାଡ଼ି ଗଲି। ସମୁଦ୍ର ର ବିଶେଷ ଢେଉ ମାଳା ଯେପରି ସାରା ଦୁନିଆର ଅଶାନ୍ତି କୁ ନିଜ ହାତରେ ଆବୋରି ନେଉଥାଏ ଓ ସେଥି ପାଇଁ କେତେବେଳେ ଖୁବ ଶାନ୍ତ ତ କେତେବେଳେ ହିଂସ୍ର ହେଇ ଉଠୁଥାଏ । ମୁଁ ଖୁବ ଭାବ ବିହ୍ଵଳ ହେଇ ପଡ଼ି ଏ ଦୃଶ୍ୟ ଦେଖୁଥାଏ । ସେହି ସମୟରେ ସରିତା କହିଲେ- ହେଇ ଦେଖିଲ ଶାମୁକା ରେ ତିଆରି ପକ୍ଷୀ ଟା କେତେ ସୁନ୍ଦର ହେଇଛି। ମୁଁ ନିଜ ସ୍ଥିତି କୁ ଫେରି ଆସି ପାରୁ ନଥାଏ। ସରିତା ହାତ ଧରି ଡାକି ନଥିଲେ ବୋଧେ ମୁଁ ପ୍ରକୃତିସ୍ଥ ହୋଇ ନଥାନ୍ତି।

ଏଥର ଡେରି ହେଲାଣି। ତୁମେମାନେ ସମୁଦ୍ର ଦେଖିବାକୁ ଆସିଥିଲ ନା କାଳିଆ ପାଖକୁ ଆସିଥିଲ? ଚାଲ ଜଲଦି ମନ୍ଦିର ଯିବା।

ଏମାନଙ୍କ କଥା ଭାବିଲେ ଯେତିକି ଆଶ୍ଚର୍ଯ୍ୟ ସେତିକି ବିରକ୍ତ ବି ଲାଗେ। ବସ୍ ରେ ଆସିବାକୁ ଭଲ ଲାଗିବନି। ନବାବଙ୍କ ଛୁଆ ତ। ଡ୍ରାଇଭର୍ ମିଳୁ ନାହାନ୍ତି ବୋଲି କେତେ କଷ୍ଟରେ ନିଜେ କାର୍ ଟା ଚଲେଇ ଆଣିଲି। ତା ସାଙ୍ଗରେ ପୁଣି ଏଇଟା ସେଇଟା କିଣିବା।

କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମନ୍ଦିରରେ ସୋରିଷ ଟିକିଏ ପକେଇବାକୁ ଜାଗା ନାହିଁ। ଓଃ କି କଷ୍ଟ ମନେ ମନେ ଭାବିଲି । କାଳିଆର ଦୟା ଲାଗି ତାକୁ ଟିକିଏ ଦେଖି ପାରିଲି। ନଚେତ ଏତେ ଗହଳିରେ ମଣିଷ ନିଃଶ୍ୱାସ ନେବା ବି ସମ୍ଭବ ନୁହେଁ। ଘଡ଼ିରେ ଦିଟା ବାଜିଲାଣି। ପୁଅଟା ଭୋକରେ ଡହଳ ବିକଳ ହେବଣି। ମହାପ୍ରସାଦ ଏଯାଏ ବାହାରିନି। ଆଉ ଅପେକ୍ଷା କରିବା ସମ୍ଭବ ନୁହେଁ ଜାଣି କହିଲି - ଚାଲ ଚାଲ ଜଲଦି ଚାଲ। ହୋଟେଲରେ ଯଦି ଖାଇବା ସରି ଯାଇଥିବ ତେବେ ଅବସ୍ଥା ବାର ଗଣ୍ଡା ଦି କଡ଼ା ବାଜି ଯିବ। ଏହା କହି ବଡ଼ ବଡ଼ ପାହୁଣ୍ଡ ପକେଇ ଗଲା ବେଳକୁ ଝିଅଟିଏ ମୋ ପୁଅ ବୟସର ହେବ ଥରିଲା ଥରିଲା ହାତରେ ସଳିତା ୨-୩ ବିଡ଼ା ଆଣି ମୋ ହାତକୁ ବଢ଼େଇ ଦେଲା। ହାତର ସବୁ ଶିରା ପ୍ରଶିରା ଫୁଟିକି ଦିଶୁଥାଏ। ଚିରା ଫଟା ଫ୍ରକ ଟାଏ ପିନ୍ଧିଛି ଯେ ଯୌବନ ଫୁଟି ବାହାରି ଆସୁଥାଏ। ମୁହଁଟା ପୁରା ଶେଥା ପଡ଼ି ଯାଇଥିଲା। ସେ ବିକଳ ଭାବରେ ମୋ ମୁହଁକୁ ଅନେଇଥାଏ।

ନାଁ ଦରକାର ନାହିଁ କହି ଝିଅଟିର ହାତକୁ ଜୋରରେ ଛିଞ୍ଚାଡ଼ି ଦେଲି। ଝିଅଟି ବିକଳରେ କହିଲା -ବାବୁ ବେଶି ନ ନେଲେ ନାଇଁ ଗୋଟିଏ ବିଡ଼ା ନେଇଯାଅ। ମା’ ମୋର ରୋଗରେ ପଡ଼ିଛି ତା ପାଇଁ ଔଷଧ କିଣିବି ବାବୁ।

ମୁଁ ମନେ ମନେ ଭାବିଲି ଏମାନେ ସବୁ ସତରେ ଏତେ ଗରୀବ ନା ମିଛରେ ଏମିତି କହୁଛନ୍ତି। ସଦାବେଳେ ଏମାନଙ୍କ ବାପା, ମା’ ରୋଗରେ ପଡୁଛନ୍ତି। ଏତେ ପିଲା ଦିନୁ ମିଛ କହିବା କିପରି ଜାଣନ୍ତି କେଜାଣି? ସ୍ତ୍ରୀଙ୍କ ହାତଧରି ଝିଅଟି ପୁଣି କହିଲା- ମା’ ବିଡାଏ ସଳିତା ନିଅ ମା’। ତମକୁ ଭଗବାନ ଭଲରେ ରଖିବେ। ନିଅ ମା’ --

-ଦରକାର ନାହିଁ। ସରିତା କହିଲେ।

ଏହା ଶୁଣି ଝିଅଟିର ମୁହଁ ଆହୁରି ମଳିନ ପଡ଼ି ଆସୁଥାଏ। ମୁଁ ଜଲଦି ଜଲଦି ଚାଲିବାକୁ କହୁଥାଏ । ଆମେ ଆସି କାର୍ ପାଖରେ ପହଞ୍ଚି ଗଲୁ। କାର୍ ରେ ବସି ବାହାରକୁ ବାହାରୁଛୁ କେଉଁଠି ଥିଲା ସେ ଝିଅଟି ଦଉଡ଼ି ଆସି ପୁଣି କହିଲା - ବାବୁ ବିଡାଏ ସଳିତା ନିଅ ବାବୁ।

ସେ ଝିଅକୁ ଦେଖି ମନେ ପଡ଼ିଗଲା ସକାଳର ଦୃଶ୍ୟ। ରବି କେମିତି ଆନନ୍ଦରେ ସୁଇଟରଟା ଦେଉଥାଏ । ମୁଁ ଯେତେବେଳେ ରବି ଆଡକୁ ଦେଖେ ସେ ତା ପକେଟରେ ଥିବା ଶହେ ଟଙ୍କିଆ ନୋଟ୍ ଝିଅ ଆଡକୁ ବଢାଇ ଦେଉଥାଏ। ମୋତେ ଦେଖି ଦେବାରୁ କହିଲା -ମାମୁ ଦେଇଥିଲେ। ମୁଁ କିଛି କହିଲି ନାହିଁ।

ମୋତେ କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥାଏ। ପୁଅ ବିନା ଦ୍ୱିଧାରେ କେମିତି ଦେଇ ପାରୁଛି। ତାର ଅନ୍ତରାତ୍ମା ଅନ୍ୟର ଦୁଃଖ ଦେଖି କାନ୍ଦୁଛି ବୋଲି ନା ଆଉ କିଛି! ସେ ସାହାଯ୍ୟ କରିବା ପାଇଁ ଚାହୁଁଛି ନା ନିଜ ବୋକାମିର ପରିଚୟ ଦେଉଛି। ମୁଁ ଭାବନାରେ ଗୁନ୍ଥି ହେଉ ହେଉ ଗାଡିଟିକୁ ଗୋଟିଏ ହୋଟେଲ ପାଖରେ ଖାଇବା ପାଇଁ ରଖିଲି। ରବି ଖାଇବା ଟେବୁଲରେ ବସି ପଚାରିଲା -ବାପା ଆଜି ମହାପ୍ରସାଦ ଟିକିଏ ପାଇଥିଲେ ଭଲ ଲାଗିଥାନ୍ତା।

ମୁଁ ହୋଟେଲରେ ଅଡର୍ କରି ସାରିଥିଲି। ଆଉଥରେ ଫେରି ଖାଇବାରେ ବହୁତ ଡେରି ହେବ। କହିଲି- ଏବେ ବହୁତ ଡେରି ହେଲାଣି। ଆମେ ପୁଣି କେବେ ମହାପ୍ରସାଦ ମଗେଇ ଖାଇ ଦେବାନି।

ରବି ଅନିଛାକୁ ଚାପି ରଖି ହଁ କହିଲା।

ଏତିକିବେଳେ କୋଉଠୁ ଗୋଟେ ବୁଲା ସଳିତା ବିକାଳୀ ଝିଅଟିଏ ଆସି ରବି ପାଖରେ ଠିଆ ହେଲା। ମୋତେ ବିରକ୍ତ ଲାଗୁଥାଏ। ପଚାରିଲି କଣ ଏଇଠିବି ବେପାର କରିବ ନା କଣ?

ସେ ନାହିଁ କହୁଥାଏ। ହୋଟେଲ କର୍ମଚାରୀ ଆସି ତାକୁ ବାହାରକୁ ଯିବା ପାଇଁ କହିଲା।

ଝିଅଟି ରୁହ କହି ତା ବ୍ୟାଗରୁ ଗୋଟିଏ ମହାପ୍ରସାଦ କୁଡୁଆ କାଢିଲା।

କହିଲା -ସାନ ବାବୁ ଯୋଉ ଶହେ ଟଙ୍କା ଦେଇଥିଲେ ସେଥିରୁ ପଚାଶ ଟଙ୍କା ବଳିଲା ତ ଏଇଟା ନେଇ ଆସିଲି। ଏଥିରେ ଭଲ ମହାପ୍ରସାଦ ଅଛି।

ତା କଥା ଶୁଣି ମୋ ଆଖିରେ ପଲକ ପଡୁ ନଥାଏ।

ହୋଟେଲ ବୟ ଖାଇବା ବାଢୁଥିଲା। ମୁଁ କିଛି କହିବା ପୂର୍ବରୁ ରବି ପାଖ ଚେୟାରକୁ ଦେଖାଇ କହିଲା -ତୁ ଏଠି ବସ୍ ଆମ ସାଙ୍ଗରେ ଖାଇବୁ। ସେ ବସୁ ନଥିଲା। ମୁଁ ହୋଟେଲ ବୟକୁ ଡାକି ଆଉ ଗୋଟିଏ ପ୍ଲେଟ ଦେବା ପାଇଁ କହିଲି। ଝିଅ ଟି ବସି ପଡ଼ିଲା। ରବିର ଆତ୍ମ ତୃପ୍ତି ଅନେକାଂଶରେ ବଢି ଯାଇଥିଲା। ଯେତେବେଳେ ମହାପ୍ରସାଦ କୁଡୁଆକୁ ଆମେ ଖୋଲିଦେଲୁ ତାର ସ୍ଵର୍ଗୀୟ ବାସନା ସମସ୍ତଙ୍କୁ ଆମ ଆଡକୁ ଆକର୍ଷିତ କରୁଥିଲା। ଏଇଟା ଜଗନ୍ନାଥଙ୍କ ମହିମା ନା ଆଉ କିଛି ମୁଁ ଭାବି ପାରୁ ନଥାଏ। ମହାପ୍ରସାଦର ଏତେ ଅପୂର୍ବ ବାସନା ତ କାଇଁ କେବେ ମୁଁ ଆଗରୁ ପାଇ ନଥିଲି। ତା ଛଡା ଆମେ ତ ମହାପ୍ରସାଦ ଆଶା ଛାଡି ଦେଇଥିଲେ। ମୋର ଚିନ୍ତା ଧାରା କୁଆଡ଼େ ଯେ ଗତି କରୁଥାଏ ମୁଁ ଜାଣି ପାରୁନଥିଲି। ମୁଁ ଝିଅଟିକୁ ଆଉ ଶହେ ଟଙ୍କା ଦେଇ ବିଦାୟ ନେଲି। ଭାବୁଥିଲି ଏଇଟା କଣ ଜଗନ୍ନାଥଙ୍କ କୃପା ।

ବାଟରେ ଗଲାବେଳେ ରବି ପଚାରିଲା - ବାପା ସେହି ସଳିତାବାଲୀ ଝିଅଟିକୁ ମୁଁ ଯେତିକି ସାହାଯ୍ୟ କଲେ ତାଠୁ ଅଧିକ ସେ ଆମକୁ ମହାପ୍ରସାଦ ଦେଇ ସାହାଯ୍ୟ କଲା ନା!

ମୁଁ କିଛି କହି ପାରିଲି ନାହିଁ। ଭାବୁଥିଲି ସାହାଯ୍ୟ ଏକ ମନୋବୃତ୍ତି ବିଭୁ କୃପା ଏକ ଆଶୀର୍ବାଦ ।

ପ୍ରଶାନ୍ତ କୁମାର ହୋତା


Rate this content
Log in

Similar oriya story from Inspirational