ଓଡ଼ିଆ ଗଳ୍ପ ଓ କବିତା - ୨

Classics


2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics


ରେବତୀ – ଭାଗ ୨

ରେବତୀ – ଭାଗ ୨

4 mins 7.7K 4 mins 7.7K

ଦୁଇ ବରଷ ତଳେ ସ୍କୁଲ ଡେଃ ଇନ୍‌ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ । ଗ୍ରାମର ମୁଖିଆ ମୁଖିଆ କେତେ ଜଣ ଲୋକ କୁହାପୋଛା କରିବାରୁ ଦିପୋଟିବାବୁ ଓଡ଼ିଶା ବିଭାଗର ଇନ୍‌ସପେକ୍ଟରଙ୍କଠାରୁ ରିପୋର୍ଟ କରି ଗୋଟିଏ ଅପରପ୍ରାଇମେରୀ ସ୍କୁଲ ବସାଇ ଦେଇ ଅଛନ୍ତି । ଶିକ୍ଷକ ବେତନ ମାସକୁ ଚାରି ଟଙ୍କା । ଏହି ଚାରି ଟଙ୍କା ସରକାରରୁ ମିଳେ । ଏହା ଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି । ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର, ନାମ ବାସୁଦେବ । ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ । ଟୋକାଟାର ଭିତର ବାହାର ସବୁ ସୁନ୍ଦର । ଗାଁ’ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ । ବୟସ ଅନ୍ଦାଜ କୋଡ଼ିଏ । ସୁନ୍ଦର ରୂପ ଯେମନ୍ତ ଗୋଟିଏ ଚାଉଳରେ ଗଢ଼ା । ପିଲାଦିନେ ପିହୁଳା ରୋଗ ହୋଇଥିଲା । ତା’ ମା’ ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା । ସେ ଚିହ୍ନ ଆଜି ଯାଏ ଅଛି । ହେଲେ ସେ ଚିହ୍ନ ତାକୁ ମାନେ । ବାସୁଦେବ ପିଲାକାଳରୁ ମା ବାପ ଛେଉଣ୍ଡ, ମାମୁ ଘରେ ରହି ମଣିଷ ହୋଇଛି । ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ । କେବେ ପୁନେଇ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହି ଆସେ, “ବାପା ବାସୁ ! ସଞ୍ଜବେଳେ ଟିକିଏ ଆମ ଘରକୁ ଯିବ, ତୁମ ମାଉସୀ ଡାକିଛନ୍ତି ।” ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟାଏ ମାୟା ଲାଗିଗଲାଣି। ରେବତୀ ବାସୁକୁ ଦେଖିଲେ କହେ, “ଆହା, ମା’ ଛେଉଣ୍ଡଟି, କ’ଣ ଖାଏ – କିଏ ତା’ ଖାଇବା ଦେଖୁଛି ।” ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡ଼ିଏ ଅଧେ ବସି ଆସେ । ବାସୁକୁ ଦୂରରୁ ଦେଖିଲେ “ବାସୁ ଭାଇ ଅଇଲେ, ବାସୁ ଭାଇ ଅଇଲେ” ବୋଲି ରେବତୀ ପାଟି କରି ବାପକୁ କହେ । ରେବତୀ ସଞ୍ଜବେଳେ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନଗୁଡ଼ିକ ବାସୁକୁ ଶୁଣାଏ । ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ । ଦିନେ ଏ କଥା ସେ କଥା ପଡ଼ୁ ପଡ଼ୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ ଅଛି, ସେଠାରେ ଝିଅମାନେ ପଢ଼ନ୍ତି, ଲୁଗାସିଆଁ ଶିଖନ୍ତି । ସେହି ଦିନ ଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ କହିଲା । ବାସୁ ଶ୍ୟାମବନ୍ଧୁକୁ ପିତୃତୁଲ୍ୟ ମାନେ, କହିଲା, “ଆଜ୍ଞା, ମୁଁ ସେହି କଥାଟା କହିବି କହିବି ହେଉଥିଲି ।” ଦୁଇଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାର ସ୍ଥିର ହେଲା । ରେବତୀ ପାଖରେ ବସି ଶୁଣୁଥିଲା, ଦୁଇ ଚିଲାରେ ଘର ଭିତରକୁ ଯାଇ ମା’କୁ ଆଉ ଜେଜୀକୁ, “ମୁଁ ପାଠ ପଢ଼ିବି, ମୁଁ ପାଠ ପଢ଼ିବି” ଖବର ଦେଲା । ମା’ କହିଲେ, “ହଉ ହଉ ପଢ଼ିବୁ।” ଜେଜୀ କହିଲେ, “ପାଟ କ’ଣ ଲୋ?” ମାଇକିନିଆ ଝିଅଟା ପାଠ କ’ଣ ? ରନ୍ଧା ବଢ଼ା ଶିଖ, ପିଠାପଣା କରି ଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କ’ଣ ?

ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବକାଠ ପିଢ଼ା ଉପରେ ବସି ଭାତ ଖାଉଛନ୍ତି, ରେବତୀ ସାଙ୍ଗରେ ବସି ଖାଉଛି । ବୁଢ଼ୀ ଆଗରେ ବସି – ‘ଭାତ ପୁଞ୍ଜାଏ ଆଣ; ଡାଲିପାଣି ଟିକିଏ ପକେଇ ଯା, ଲୁଣ ଟିକିଏ ଦେ’ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି । କଥାରେ କଥାରେ ବୁଢ଼ୀ କହି ବସିଲେ, “ହଁ ରେ ଶ୍ୟାମ ! ରେବୀ ପାଠ ପଢ଼ିବ – ପାଠ କ’ଣରେ, ତିରିଲାଝିଅର ପାଠପଢ଼ା କ’ଣ ?” ଶ୍ୟାମବନ୍ଧୁ କହିଲେ, “ହେଉ, କହୁଛି ତ ପଢ଼ୁ । ଝଙ୍କଡ଼ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲି ପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ଗାଆନ୍ତି ।” ରେବତୀ ଭାରି ଖପା ହୋଇ ଯାଇ ଜେଜୀକୁ ଗାଳି ଦେଇ କହିଲା, “ଯା’ ଲୋ ବୁଢ଼ୀ ଡୁଗୁରିଟା ।” ତାହା ବାଦ ଅଳି କରି ବାପାକୁ କହିଲା, “ନାଁ ବାଁପାଁ – ନାଁ ବାଁପାଁ ମୁଁ ପାଁଠଁ ପଁଢ଼ିବିଁ ।” ଶ୍ୟାମବନ୍ଧୁ କହିଲେ, “ହଁ – ହଁ – ତୁ ପଢ଼ିବୁ ।” ସେଦିନ କଥା ଏତିକି ।

ତହିଁ ଆରଦିନ ଉପରଓଳି ବାସୁଦେବ ସୀତାନାଥ ବାବୁଙ୍କ ପ୍ରଥମପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ଼ ଖୁସି ହୋଇ ବାପା ପାଖରେ ବସି କିତାପର ମୂଳ ପୁଡ଼ାଠାରୁ ଶେଷ ପୁଡ଼ାଯାଏ ଓଲଟାଇ ଓଲଟାଇ ଦେଖିଲା । ସେଥିରେ ହାତୀ, ଘୋଡ଼ା, ଗୋରୁ ଇତ୍ୟାଦିର ଛବି ଦେଖି ଭାରି ଖୁସି ହୋଇଗଲା । ରଜାମାନେ ହାତୀ ଘୋଡ଼ା ବାନ୍ଧି ଖୁସି ହୁଅନ୍ତି, କେହି ହାତୀ ଘୋଡ଼ା ଚଢ଼ି ଖୁସି ହୁଏ, ଆମ ରେବୀ ଛବିଟା ଦେଖି ଖୁସି । ରେବୀ ଧାଇଁ ଯାଇ ମା’କୁ କିତାପର ଛବି ସବୁ ଦେଖେଇଲା; ତାହା ବାଦ ଜେଜୀକୁ ଦେଖାଇଲା । ଜେଜୀ କିଞ୍ଚିତ୍ ବିରକ୍ତ ହୋଇ କହିଲା, “ହଁ – ଯା – ଯା - ।” ରେବୀ ତାକୁ ‘ଦୂର୍ ଦୂର୍’ ଗାଳି ଦେଇ ଫେରି ଆସିଲା ।

ଆଜି ଦିନଟି ଭଲ - ଶ୍ରୀପଞ୍ଚମୀ । ରେବତୀ ସକାଳୁ ବୁଡ଼ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଛି, ବାସୁ ଭାଇ ଆସିଲେ କିତାପ ପଢ଼ାଇ ଦେବ । ବୁଢ଼ୀ ଭୟରେ ବିଧ୍ୟାରମ୍ଭର ଆୟୋଜନ କିଛି ହୋଇ ନାହିଁ । ବେଳ ଛ’ ଘଡ଼ି ସମୟରେ ବାସୁ ଯାଇ ପଢ଼େଇ ଦେଲା, ସ୍ୱରେ – ଅ, ସ୍ୱରେ – ଆ, ହ୍ରସ୍ୱ – ଇ, ଦୀର୍ଘ – ଈ, ହ୍ରସ୍ୱ ଉ, ଦୀର୍ଘ – ଊ ଇତ୍ୟାଦି । ପ୍ରତିଦିନ ପଢ଼ା ଚାଲିଲା, ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼େଇଦିଏ । ଦୁଇ ବରଷ ମଧ୍ୟରେ ରେବତୀ ଢେର ପଢ଼ିଗଲାଣି । ମଧୁରାଓଙ୍କ ଛାନ୍ଦମାଳା ପଢ଼ିବା ବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ ।

ଦିନେ ରାତିରେ ଶ୍ୟାମବନ୍ଧୁ ବସି ଭାତ ଖାଇବା ବେଳେ ମା’ ପୁଅ ଦୁଇ ଜଣ କଥାବାର୍ତ୍ତା ହେଲେ । ପୂର୍ବେ ବୋଧକରୁଁ କିଛି କଥା ହୋଇଥିଲା, ଆଜି ସେହି କଥାର ଉପସଂହାର ।

ଶ୍ୟାମବନ୍ଧୁ – କି ମା’, ଭଲ ହେବ ନାହିଁ କି ?

ବୁଢ଼ୀ – ହଁ ଭଲ ତ ହେବ; ଜାତି କଥାଟା ବୁଝିଛୁ ନା ?

ଶ୍ୟାମବନ୍ଧୁ – ମୁଁ ଆଜି ଯାଏ ଆଉ କ’ଣ ବୁଝୁଥିଲି ? ଭଲ କରଣ, ଗରିବ ପୁଅ ହେଲେ କ’ଣ ହେବ, ଜାତି ଭଲ ।

ବୁଢ଼ୀ – ଧନ ଦଉଲତ ନାହିଁ ବିଚାର,

ଜାତି କଥାଟା ଆଗେ ପଚାର ।

ଘରେ ରହିବ ତ ?

ଶ୍ୟାମବନ୍ଧୁ – ଘରେ ନ ରହି ଆଉ କୁଆଡ଼େ ଯିବ ? ହଜାର ହେଲେ ମାମୁ ମାଈଁ ନା, ଆଉ କ’ଣ ?


Rate this content
Originality
Flow
Language
Cover Design