Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅନ୍ତଃଦୃଷ୍ଟି
ଅନ୍ତଃଦୃଷ୍ଟି
★★★★★

© Ramesh Patra

Others

17 Minutes   14.5K    2


Content Ranking

ତାରାବାଇର ସଂତ୍ରସ୍ତ ଆକ୍ଷିର ଚାହାଣୀ ତାରକିତ ଆକାଶ ଭଳି ଉଜ୍ଜଳି ଉଠେ l ପ୍ରକୃତରେ ତାର ଚେହେରାରେ ଆକ୍ଷି ଦୁଇଟି ହିଁ ବେଶୀ ଆକର୍ଷଣୀୟ l ବେଗମ୍ ଆଲମସ୍ ଖୁର୍ସିଦ୍ ଆଲମଙ୍କ ଘରେ ସେ ଦୁଇ ମାସ ହେଲା କାମ କରୁଛି l ମରୁଡି ଗ୍ରସ୍ତ ଅଞ୍ଚଳରେ ତାର ବାପଘର l ଘରର  ସାଜସଜ୍ଜା ଓ  ପ୍ରାଚୁର୍ଯ୍ୟ ତାକୁ ଆଶ୍ଚର୍ଯ୍ୟ କରେ l ଆଗରୁ ତା ଜୀବନରେ ଏ ସବୁ କେବେ ଦେଖି ନ ଥିଲା l ଗୋରଖପୁର ଜିଲ୍ଲାର ଏକ ଗାଁରେ ତା ଘର l ବାଲ୍ୟ ବିଧବା l ତାର ଶାଶୁ ଘର ଓ ବାପ ଘରେ କେହି ନାହାନ୍ତି l ବମ୍ବେରେ ଜଣେ କ୍ଷୀରବାଲା, ସମ୍ପର୍କୀୟ କକା ତାକୁ ଆଣି ଏଠି ତାକୁ ରଖି ଦେଇଛନ୍ତି l

ଆଲମାସ୍ ସଦ୍ୟ ବିବାହିତା l ତାଙ୍କର ପୂର୍ବ ଘରୋଇ ଚାକରାଣୀର ଘର ମାଙ୍ଗାଲୋରରେl ଗାଁକୁ ଯିବା ବାହାନାରେ ଆଉ ଆସିଲା ନାହିଁ l ଆଲମାସଙ୍କ ମାଉସୀ ବେଗମ୍ ଉସମାନୀ ଜଣେ ଖ୍ୟାତିସମ୍ପନ୍ନା ସାମାଜିକ କର୍ମୀ l ତାଙ୍କରି ସହାୟତାରେ ଏମ୍ପ୍ଲଏମେଣ୍ଟ୍ ଏକ୍ସଚେଞ୍ଜ୍ ସୌଜନ୍ୟରୁ ତାରାବାଇ ଆକାଶଛୁଆଁ, କୋଡିଏ ମହଲା କମ୍ବଳା ହିଲସର ଆଭିଜାତ୍ୟପୂର୍ଣ୍ଣ ଗୁଲେନାମ୍ ତରାନାର ଠିକଣା ପାଇଛି l  ଆଲମସ୍ ବେଗମଙ୍କ ପ୍ରିୟ ବେଶ୍ ପ୍ରିୟ ‘ତାରା ଦାଇ’କୁ ପ୍ରଥମେ ଅନ୍ୟ ଘରୋଇ ଚାକରାଣୀମାନେ ଯେତେବେଳେ ତାରାବାଇ ଡାକିବା ଆରମ୍ଭ କଲେ, ସେ ପ୍ରତିବାଦ କରି କହୁଥିଲା, ‘ମୁଁ କଣ ନାଚବାଲୀ’? କିନ୍ତୁ ବର୍ତ୍ତମାନ ସେଇ ‘ବାଇ’ ନାଁକୁ ସେ ବେଶ୍ ଆପଣେଇ ନେଇଛି ଓ ତାରାଦାଇ ପରିବର୍ତ୍ତେ ତାରାବାଇ ନାଁରେ ତାର ପରିଚିତି l ଦିନ ରାତି ନୀରବରେ ସେ ଘର କାମରେ ଲାଗି ପଡିଥାଏ l ପ୍ରାଚୁର୍ଯ୍ୟ ଓ ଆଭିଜାତ୍ୟପୂର୍ଣ୍ଣ ପରିବେଶ ଭିତରେ ତା ଆକ୍ଷି ଲାଖି ଯାଇଥାଏ l

ଯଦି ଆଲମାସ୍ ବେଗମଙ୍କ ଇଛା ଅନୁସାରେ କାମ ହେଉଥାଆନ୍ତା, ତା’ହେଲେ ସେ କେବେ ତାଙ୍କ ସୁଦୃଶ୍ୟ ଚେହେରା ବିଶିଷ୍ଟ ସ୍ୱାମୀଙ୍କୁ ସର୍ବଦା ନିଜ ନଜରର ପରିଧିରେ ରଖନ୍ତେ, ଏପରିକି ଗୋଟିଏ ମୁହୁର୍ତ୍ତବି ଛାଡନ୍ତେ ନାହିଁ ଓ ଜଣେ ସୁନ୍ଦରୀ ଯୁବତୀଙ୍କୁ ଘରୋଇ ଚାକରାଣୀ ଭାବେ ରଖି ନ ଥାନ୍ତେ lକିନ୍ତୁ ତାରାବାଇ ଥିଲା ପରିଶ୍ରମୀ ଓ କୌଣସି କଥାରେ ମୁଣ୍ଡ ନ ପୁରାଇବା ଭଳି ଲୋକଟିଏ l ତେଣୁ ବେଗମ୍ ନିଜ ମାଉସୀଙ୍କ ପସନ୍ଦ ଚାକରାଣୀକୁ ଗ୍ରହଣ କରି ନେଇଥିଲେ lତାରାବାଇ ଘରର ରୁଟିନ୍ ବନ୍ଧା କାମରେ ଅଭ୍ୟସ୍ତ ଥିଲା lସକାଳେ ସାହେବକୁ ଚା ଦେବା, ଯୋତା ପଲିସ୍ କରିବା, ଲୁଗାପଟା ଇସ୍ତ୍ରୀ କରିବା, ଘର କାର୍ଯ୍ୟ ପାଇଁ ପାଣି ଦେବା ତାର ଦୈନନ୍ଦିନ କାମ l ଘର ଝାଡୁ ଦେବା ବେଳେ, ତାରାବାଇ ସାହେବ ଫ୍ରାନ୍ସରୁ ଆଣିଥିବା ସୁନ୍ଦର ସାମଗ୍ରୀକୁ ମୁଗ୍ଧ ହୋଇ ଦେଖେ l ବିଶେଷତଃ ୱାର୍ଡରୋବ୍ ଉପରେ ଥିବା ବେହେଲାକୁ ସେ ହାତରେ ଧରି ସଫା କରେ l ମାତ୍ର ଗଲା କାଲି ଘର ସଫା କଲାବେଳେ, ସେ ବେହେଲୋକୁ ଆଦରରେ ହାତରେ ଧରିଥିବା ସମୟରେ, ସାହେବଙ୍କ ନଜର ପଡିଗଲା ତା ଉପରେ l ସ୍ୱଭାବତଃ ଭଦ୍ର ଓ ନମ୍ର, ସାଇବ; (ବେଗମ୍ ବହୁତ ବଦରାଗୀ) ଭୀଷଣ କ୍ଷୁବ୍ଧ ହୋଇ, ତା ହାତରୁ ବେହେଲା ନେଇ ଆଲମୀରା ଭିତରେ ରଖି ଦେଲେl ତାରାବାଇର ଆକ୍ଷି ଭୟରେ ଛଳଛଳ ହୋଇଗଲା l ସାହେବବି ଅପ୍ରତିଭ ହୋଇ ବାରଣ୍ଡାରେ ବସି ଚା ପିଉଥିବା ମେମ୍ ସାହେବଙ୍କ ପାଖକୁ ପଳେଇଲେ l ବିଶେଷତଃ ସକାଳ ବେଳା ଏଇ ସମୟରେ ବିଉଟି ପାର୍ଲରରେ ବେଗମ୍ ଥାଆନ୍ତି l ବେଗମଙ୍କ ଆଲମୀରା, ବିଭିନ୍ନ ରଙ୍ଗୀନ୍ ଦାମୀକା ଶାଢୀ, ସାଲୱାର, ପର୍ଫ୍ୟୁମ୍ ଓ ଅଳଙ୍କାରରେ ଭର୍ତ୍ତି l ତାରାବାଇ ଭାବେ, ମେମ୍ ସାଇବଙ୍କ ପ୍ରାଚୁର୍ଯ୍ୟ, ଖ୍ୟାତି ଓ ଜଣେ ସୁନ୍ଦର ସ୍ୱାମୀ ଥିଲେ ବି, ତାଙ୍କ ମୁହଁରେ ସାମାନ୍ୟତମ ସୌନ୍ଦର୍ଯ୍ୟ ନାହିଁ l

ସମସ୍ତେ ଜାଣନ୍ତି, ସାହେବଙ୍କର ସୁନ୍ଦରୀ ମହିଳାମାନଙ୍କ ସୋସାଇଟିରେ ବହୁତ ଖାତିର l କିନ୍ତୁ ବିବାହ ପରେ ପରେ, ମେମ୍ ସାହିବା, ଏଥିରେ ବାଧକ ସାଜି, ପ୍ରତିବନ୍ଧକର ବ୍ୟବସ୍ଥା କଲେ l ସାହେବଙ୍କ ଗତି ବିଧି, ଚାଲି ଚଳଣ, ଏପରିକି ଅଫିସ୍ କିମ୍ବା ସନ୍ଧ୍ୟାରେ ବୁଲି ଯିବାର ଟିକିନିଖି ଖବର ରଖନ୍ତି l ମଝିରେ ମଝିରେ ଫୋନ୍ କରି, ସେ କେଉଁଠି ଅଛନ୍ତି, ସେ ଖବର ସଂଗ୍ରହ କରନ୍ତି, ତୀକ୍ଷ୍ମ ନଜର ରଖନ୍ତି ଯେ, ସାହେବ ବିଚରା, ମେମ୍ ସାଇବାଙ୍କ ଉପସ୍ଥିତିରେ ମଧ୍ୟ କୌଣସି ମହିଳାଙ୍କୁ ମୁଣ୍ଡ ଟେକି ଅନାଇ ପାରନ୍ତି ନାହିଁ l

ସାହେବ ବିନା ଦ୍ୱିଧାରେ ଏସବୁ ପ୍ରତିବନ୍ଧକୁ ଆପଣେଇ ନେଲେ, ଗ୍ରହଣ କରିବା ବ୍ୟତୀତ ଗତ୍ୟନ୍ତର ନ ଥିଲା l କାରଣ ତାଙ୍କ ପତ୍ନୀଙ୍କ ବାପଘର ଥିଲା ବହୁତ ଧନୀ ଏବଂ ବର୍ତ୍ତମାନ ସ୍ଥିତି ପାଇଁ ଶ୍ୱଶୁରଙ୍କ ବହୁତ ଦାନ ଥିଲା l ସାହେବଙ୍କ ପରିବେଶ ଥିଲା ଭିନ୍ନ l ସେ ସାଧାରଣ ପରିବାରର ଲୋକ l ଇଂଞ୍ଜିନିୟରିଂ ପଢିବା ପାଇଁ ସ୍କଲାରସିପ୍ ପାଇ ସେ ଫ୍ରାନ୍ସ୍ ଯାଇଥିଲେ l ଫ୍ରାନ୍ସରୁ ପାଠ ପଢି ଫେରିବା ପରେ ବି ଯୋଗ୍ୟତା ଅନୁସାରେ ଚାକିରୀଟିଏ ପାଇପାରୁ ନ ଥିଲେ l ହତାଶବୋଧ ଭିତରେ ଥିବା ସମୟରେ ମେମ୍ ସାହେବ ପରିସ୍ଥିତିର ସଂପୂର୍ଣ୍ଣ ସୁଯୋଗ ନେବା କଥା, ତାରାବାଇ ଫ୍ଲାଟର ଅନ୍ୟ ରୋଷେୟା ଓ ଚାକରମାନଙ୍କଠୁଁ ଶୁଣିବାକୁ ପାଉଥିଲା l ଧନୀ ଓ ବିତ୍ତଶାଳୀ ପରିବାରର ଚଳଣୀରେ ଏସବୁ ଦେଖି ସେ ବିସ୍ମିତ ହୁଏ l ଖୁର୍ସିଦ୍ ଆଲାମ୍ ବେହେଲା ବାଦନରେ ଖୁବ୍ ଧୁରନ୍ଧର ଥିଲେ ବି, ସଂଗୀତ ପ୍ରତି ତାଙ୍କର ନିଶା ପତ୍ନୀଙ୍କ ଯୋଗୁଁ କମିଗଲା l କାରଣ ଏ ସବୁକୁ ବେଗମ୍ ଆଦୌ ପସନ୍ଦ କରୁ ନ ଥିଲେ l ଖୁର୍ସିଦ୍ ଆଲାମ୍ ଏଇଥି ପାଇଁ ଖୁସୀ ଥିଲେ ଯେ, ତାଙ୍କ ଜୀବନ ଶୈଳୀର ପରିବର୍ତ୍ତନ ଓ ସୌଭାଗ୍ୟର ସୂର୍ଯ୍ୟୌଦୟ କେବଳ ବେଗମଙ୍କ ପାଇଁ l ତା ତୁଳନାରେ ତାଙ୍କର ସଂଗୀତ ପ୍ରତି ଆସକ୍ତି କିଛି ବି ନୁହେଁ l ବିବାହ ପୂର୍ବରୁ ଖୁର୍ସିଦ୍ ଆଲାମଙ୍କ ଆଡ୍ଡା ସ୍ଥଳୀ ଥିଲା ଜରାଜୀର୍ଣ୍ଣ ଓ ଯିବା ଆସିବା ପାଇଁ ସାଧାରଣ ବସ୍ ଥିଲା ମାଧ୍ୟମ l ବର୍ତ୍ତମାନ୍ କାମ୍ବଲା ହିଲ୍ ରିସର୍ଟର ଆଭିଜାତ୍ୟ ଓ ବିଳାସପୂର୍ଣ୍ଣ ଜୀବନ, ସଂଗୀତ ଚର୍ଚ୍ଚା ଠାରୁ ଢେର ଭଲ l ଠିକ୍ ଦେଢ ବର୍ଷ ପୂର୍ବରୁ ଆଲମାମ୍ ତାଙ୍କ ବ୍ୟବସାୟୀ ବାପାଙ୍କ ମାଲବାର ହିଲ୍ ଘରେ ରହୁଥିଲେ l ସାମାଜିକ କାର୍ଯ୍ୟରେ ସମୟ କାଟୁଥିଲେ ବି, ତାଙ୍କର ମନେ ହେଉଥିଲା ଏ ବୟସରେ ଜୀବନସାଥୀଟିଏ ପାଇବା ବଡ କଷ୍ଟକର ବ୍ୟାପାର lଏହି ଭଳି ସମୟରେ ଖୁର୍ସିଦ୍ ଆଲାମଙ୍କ ସହ କୌଣସି ଏକ ପାର୍ଟିରେ ଦେଖା ସାକ୍ଷାତ ହୁଏ ଏବଂ ତାଙ୍କର ମାଉସୀ ଏହି ସାକ୍ଷାତକୁ ବିବାହ ପାଇଁ  ଏକ ସୁଯୋଗ ଭାବି, ଆଲାମଙ୍କ ଜୀବନର ଇତିବୃତ୍ତର ଅନୁସନ୍ଧାନ କରନ୍ତି l ଜଣା ପଡେ ଯେ, ଆଲାମଙ୍କ ଘର ଉତ୍ତରପ୍ରଦେଶ l ଫ୍ରାନ୍ସରୁ ଇଞ୍ଜିନିୟରିଂ ପଢା ସାରିବା ପରେ, ଚାକିରୀ ଅନ୍ୱେଷଣରେ ଅଛନ୍ତି l କିନ୍ତୁ ବମ୍ବେରେ ରହିବାଟା ପ୍ରାୟ ଅନିଶ୍ଚିତ l କାରଣ ସେ ଫ୍ରାନ୍ସରେ ଭଲ ପାଉଥିବା ଝିଅକୁ ଭାରତ ଫେରିବା ପାଇଁ ଅପେକ୍ଷାରେ ଅଛନ୍ତି lବେଗମ୍ ଉସମାନୀ, ମାସିକ ପନ୍ଦରଶହ ଟଙ୍କା ଦରମାରେ ଆଲମାସଙ୍କ ବାପାଙ୍କର ଫାର୍ମରେ ଚାକିରୀଟିଏ ଯୋଗାଡ କରିଦେଲେ l ଆଲମାସଙ୍କ ମାଆଙ୍କ ନିମନ୍ତ୍ରଣ କ୍ରମେ ତାଙ୍କ ପରିବାର ସହ ଘନିଷ୍ଠତା ବଢିବାକୁ ଲାଗିଲା l ସେଇ କାମରେ ଆଲମାସଙ୍କ ସହ ପରିଚୟ l ମାତ୍ର ତାଙ୍କ ପ୍ରତି କୌଣସି ଆଗ୍ରହ ନ ଥିଲା, ଖୁର୍ସିଦଙ୍କ ମନରେ l ବେଳେ ବେଳେ ସନ୍ଧ୍ୟାରେ କେବଳ ଔପଚାରିକତା ଦୃଷ୍ଟିରୁ ଯାହା କଥାବାର୍ତ୍ତା l ନହେଲେ ବାରଣ୍ଡା ବାଲକୋନିରେ ଠିଆ ହୋଇ ଆରବ ସାଗରକୁ ଅନାଇ ରହନ୍ତି l ଦିନେ ଜାହାଜରେ ଆସି ପହଞ୍ଚିଯିବ ପ୍ରିୟତମା l ଖୁର୍ସିଦଙ୍କ ସାଙ୍ଗରେ ଫେରି ଆସିବା କଥା, ମାତ୍ର ପ୍ୟାରିସରେ ପାଠ ପଢା ଶେଷ ହୋଇ ନ ଥିବାରୁ, ଅଟକି ଯିବାକୁ ପଡିଥିଲା lସମୁଦ୍ରକୁ ଅନାଇ ନିଶାରେ ହଜି ଯାଉଥିବା ବେଳେ ଆଲମାସ୍ ତାଙ୍କ କାନ୍ଧ ଉପରେ ହାତ ରଖି ପଚାରେ, “କଣ ଭାବୁଛନ୍ତି?” ଖୁର୍ସିଦ ଅପ୍ରତିଭ ବୋଧ କରନ୍ତି, ଏଇ କଥାରେ l

ପ୍ରତିଦିନ ସନ୍ଧ୍ୟାରେ ଆଲମାସଙ୍କ ଆବ୍ବାଜାନଙ୍କ ସହ ରାଜନୀତି ଓ ବ୍ୟାପାର ସମ୍ପର୍କରେ କଥାବାର୍ତ୍ତା ସାରି ଖୁର୍ସିଦ ଘରକୁ ଫେରି ବେହେଲାରେ ଶିଖିଥିବା ରାଗ ସବୁର ଆଳାପ କରିବା ଏକ ରୁଟିନ୍ l ଫ୍ରାନସରୁ ପ୍ରତି ତିନି ଦିନରେ ଆସୁଥିବା ଚିଠିର ଉତ୍ତର, ନିଜର ବର୍ତ୍ତମାନର ଜୀବିକା ବିଷୟରେ ଚିଠିର ସୂଚନା ଦିଅନ୍ତି l କିନ୍ତୁ ଚାକିରୀ ସହ ବିପଦ ଯେ ଦାନା ବାନ୍ଧୁଛି, ଏ କଥା କେବେ ଚିଠିରେ ଲେଖନ୍ତି ନାହିଁ l ଏମିତି ବର୍ଷେ କଟିଗଲା l କିନ୍ତୁ ଆଲମାସ୍ ସହ ଘନିଷ୍ଠ ହେବାର କିଛି ସୂଚନା ନ ଥାଏ l ବାଧ୍ୟ ହୋଇ ଉସମାନୀ ବେଗମ୍ ସିଧା ସଳଖ ପ୍ରସ୍ତାବ ଉଠାଇବା ବେଳକୁ,  ଖୁର୍ସିଦ୍ ଟେଲିଗ୍ରାମ୍ ପାଇ  ପ୍ରତାପଗଡକୁ ଫେରି ଆସନ୍ତି, ତାଙ୍କ ଆବ୍ବାଙ୍କ ଦେହ ଖରାପ ପାଇଁ l

ଖୁର୍ସିଦ୍ ଆଲାମ୍ ପ୍ରତାପଗଡ ଯିବା ପରେ, ଆଲମାସଙ୍କ ଦିନ ସବୁ ସାଙ୍ଗ ସାଥିଙ୍କ ଗହଣରେ କଟେ l ତାଜମହଲ ହୋଟେଲରେ ଆୟୋଜିତ ପିଆନୋ ବାଦକ କନ୍ସର୍ଟ ଆଲମାସ୍ ସୂଚନା ଦେଇଥିବା ଜଣେ ସୁନ୍ଦରୀ ପାର୍ସି ଯୁବତୀ ମିସ୍ ପେରୋଜା ଜାହାଙ୍ଗୀର୍ ଦସ୍ତୁର୍ ସହ ତାଙ୍କର ପରିଚୟ ହୁଏ l ପାର୍ସି ଯୁବତୀ ଅନିନ୍ଦ୍ୟ ସୁନ୍ଦରୀ l ଆଲମାସ୍ ତାକୁ ତୀକ୍ଷ୍ମ ନଜରରେ ଦେଖୁଥାଆନ୍ତି l କଥା ପ୍ରସଙ୍ଗରେ ଆଲମାସ୍ ନମ୍ର ଭାବରେ ପାର୍ସି ଯୁବତୀର ନାଁ ଆଉଥରେ ପଚାରନ୍ତେ, ‘ପେରୋଜା ଦସ୍ତୁର୍’ ଉତ୍ତର ଦେଲା ଯୁବତୀଟି l ‘ଆଗରୁ ଆପଣଙ୍କୁ ମୁଁ କେଉଁଠି କନ୍ସର୍ଟରେ ଦେଖିନାହିଁ’, ଆଲମାସ୍ ପଚାରିଲେ l

‘ଗତ ସାତ ବର୍ଷ ହେଲା, ମୁଁ ବାହାରେ ରହୁଥିଲି, ପ୍ୟାରିସରୁ ଏଇ ସପ୍ତାହେ ତଳେ ଫେରିଲି’----

ଅତି ଅବଜ୍ଞା ଭାବରେ ଆଲମାସ୍ ପଚାରିଲେ, ତା ହେଲେ ଫରାସୀ ଭାଷାରେ ଆପଣ ଦକ୍ଷ ହୋଇଥିବେ?

‘ହଁ ନିଶ୍ଚିତ ଭାବରେ’----- ପେରୋଜାଙ୍କ ଉତ୍ତର l ବର୍ତ୍ତମାନ ସମସ୍ତ ସ୍ୱତନ୍ତ୍ର ଅତିଥି, ଲାଉଞ୍ଜ୍ ଆଡକୁ ଚାଲିଲେ l ମାତ୍ର ପେରୋଜା ସେମାନଙ୍କ ସହ ନ ଯାଇ, ଜଣେ ଇଂରାଜୀ ପିଆନୋ ବାଦିକାଙ୍କ ସହ ପିଆନୋ ବାଦ୍ୟ ଉପରେ ଆଲୋଚନା ପାଇଁ ରହିଗଲେ l ସେତିକିବେଳେ ଆଲମାସଙ୍କ ସହ ଆଉଥରେ ସାକ୍ଷାତ ଓ ତାଙ୍କ ଆମନ୍ତ୍ରଣ କ୍ରମେ ଝରକା ପାଖ ଟେବୁଲରେ ଦୁଇ ଜଣ ବସିଲେ l

‘ଜଣା ପଡୁଛି, ପାଶ୍ଚାତ୍ୟ ସଂଗୀତରେ ତୁମର ଖୁବ୍ ଦଖଲ’--- ରୁକ୍ଷ ଭାବରେ ଆଲମାସ କହିବାକୁ ଲାଗିଲେ l ସୁନ୍ଦରୀ ଯୁବତୀମାନଙ୍କୁ ସହ୍ୟ କରିବା ତାଙ୍କ ପକ୍ଷରେ ବଡ କଷ୍ଟ l

‘ହଁ ପ୍ୟାରିସରେ ମୁଁ ପିଆନୋ ଶିକ୍ଷାର ଶୀର୍ଷରେ ପହଞ୍ଚିଛି l’ ଆଲମାସଙ୍କ ମୁଣ୍ଡ ଭିତରେ ସତର୍କ ଘଣ୍ଟିର ଶବ୍ଦ l ସ୍ୱଚ୍ଛ, ନୀଳ ସମୁଦ୍ର ଆଡକୁ ଆକ୍ଷି ଫେରେଇ, କହିଲେ l ‘ବହୁତ ମଜାର କଥା –ଆମ ଘରେ ପିଆନୋ ଅଛି,’ ଆପଣ ଆମ ଘରକୁ ଆସନ୍ତୁ l ପିଆନୋ ବଜାଇବେ l ହଁ  ମୁଁ ନିଶ୍ଚୟ ଭାବେ ଆସୁଛି l ପେରୋଜା କହିଲେ l

“ହଁ, ଆପଣ ଶନିବାର ଦିନ କଣ ବ୍ୟସ୍ତ ଅଛନ୍ତି? ଆମ ଘରେ ପାର୍ଟିର  ଆୟୋଜନ କରୁଛି l ମୋ ବନ୍ଧୁମାନେ ଆପଣଙ୍କୁ ସାକ୍ଷାତ କଲେ ବହୁତ ଖୁସୀ ହେବେ l”

“ବହୁତ ଧନ୍ୟବାଦ, ମୁଁ ନିଶ୍ଚିତ ଭାବରେ ଆସୁଛି l”

ଆପଣ କେଉଁଠି ରହୁଛନ୍ତି?

ପେରୋଜା ଟାରଡେଓର ଗୋଟିଏ ଗଳିର ଠିକଣା ବତେଇଲେ l

ଆଲମାସ୍ ଅଶ୍ୱସ୍ତି ଅନୁଭବ କଲେ l ଟାରଡେଓରେ କେବଳ ଗରୀବ ପାର୍ସିମାନେ ରୁହନ୍ତି l

“ମୁଁ ମୋ ମାମୁଁଙ୍କ ପାଖରେ ରହେ l ମୋର ବାପା କି ଭାଇ ଭଉଣୀ ନାହାନ୍ତି l ” ସବୁ ଦାୟିତ୍ୱ ମୋ ମାମୁଁଙ୍କର l ତାଙ୍କର ବି କେହି ସନ୍ତାନ ନାହାନ୍ତି l ସେ ବ୍ୟାଙ୍କରେ ଜଣେ କ୍ଲର୍କ୍ l ସରଳ ଭାବରେ ଉତ୍ତର ଦେଲା ପେରୋଜା l ଅର୍ଥହୀନ ଗପସପ ଭିତରେ ପେରୋଜା ସମୁଦ୍ରର ଶାନ୍ତ ଲହରୀ ଉପରେ ଆକ୍ଷି ରଖି କହିଲା, “ବଡ ଆଶ୍ଚର୍ଯ୍ୟର କଥା, ମୁଁ ଭାବୁଥିଲି କି, ବମ୍ବେରେ ମୁଁ ଜଣେ ଅଜ୍ଞାତ ବ୍ୟକ୍ତି ହିସାବରେ ପହଞ୍ଚିବି, କାରଣ ମୁମ୍ବଇ ବହୁତ ନିଷ୍କରୁଣ ନଗର, ଏଠି ଭଲ ବନ୍ଧୁଟିଏ ପାଇବା ବଡ କଷ୍ଟକର l ମାତ୍ର ଦେଖନ୍ତୁ, ଆପଣଙ୍କ ଭଳି ବନ୍ଧୁଟିଏ ମିଳିବା ମୋ ପାଇଁ ବଡ ଭାଗ୍ୟର କଥା ”l ଆଲମାସ୍ ହଁ ଭରି ମୁଣ୍ଡ ହଲେଇଲେ l ଲାଉଂଜରେ କୋଳାହଳ ବଢିଗଲା l କିଛି ସମୟ ପରେ ଆଲମାସ୍ ପଚାରିଲେ “ଆଛା ଆପଣ ପ୍ୟାରିସ୍ ଗଲେ କେମିତି?”

ମୁଁ ସ୍କଲାରସିପଟିଏ ପାଇଲି l ଡିଗ୍ରୀ ପାଇସାରିବା ପରେ ସେଠି ସଙ୍ଗୀତ ମହାବିଦ୍ୟାଳୟରେ ଅନେକ ବର୍ଷ ଧରି ଗବେଷଣା କରୁଥିଲି l କିନ୍ତୁ ମାମୁଁ ମାଇଁ ଏଠି ଏକୁଟିଆ ରହୁଥିଲେ l ସେମାନେ ବି ବୟସ୍କ ହୋଇଗଲେଣି l ମୋ ମାଇଁଙ୍କ କାନକୁ ଭଲ ଭାବରେ ଶୁଭୁ ନାହିଁ l ମୁଁ ସେମାନଙ୍କ ପାଇଁ ଫେରି ଆସିଲି l

ଏତିକିବେଳେ ଜଣେ ମହିଳା ଟେବୁଲ୍ ପାଖକୁ ଆସି କହିଲେ, ଆଲମାସ୍! ଆସ, ତୁମକୁ ଶ୍ରୀମତି ମାଲଗାଓଁକାର୍ ଖୋଜୁଛନ୍ତି l ପେରୋଜା କଥା ଶେଷ କରିବା ପୂର୍ବରୁ ଆଲମାସ୍ ଶନିବାର ସକାଳେ ଗାଡି ପଠେଇବା ପାଇଁ କହି ଗହଳି ଭିତରେ ହଜିଗଲେ l

ଶନିବାର ଦିନ ପେରୋଜା ଆଲମାସଙ୍କ ଘରେ ପହଞ୍ଚିବା ବେଳକୁ ପାର୍ଟି ଆରମ୍ଭ ହେବା ସାଙ୍ଗେ ସାଙ୍ଗେ, ରେକର୍ଡରେ ବିଟିଲ୍ (beetles) ଗୀତର ସ୍ୱର ଖୁବ୍ ଜୋରରେ ସେ ଘର ସାରା ପ୍ରତିଧ୍ୱନିତ ହେଉଥିଲା l ଚିପା ପୋଷାକ ପରିହିତା, ଉର୍ଦ୍ଦୁ, ହିନ୍ଦୀ, ଗୁଜୁରାତୀ କିମ୍ବା ମରାଠୀ ଭାଷୀୟ ଯୁବତୀମାନେ କେବଳ ଇଂରାଜୀରେ କଥାବାର୍ତ୍ତା ଆରମ୍ଭ କରିଥିଲେ l ପେରୋଜାଙ୍କର ମନେ ହେଲା, ସେ ଯେମିତି  ପୁଣି  ଇଉରୋପକୁ ଫେରି ଆସିଛି l ତାର ବାନ୍ଧବୀ ମଧ୍ୟରୁ ଅଧିକାଂଶ ଇଉରୋପୀୟ ଦୃଷ୍ଟିଭଙ୍ଗୀ ଓ ଚିନ୍ତାଧାରାର l କିନ୍ତୁ ଇଉରୋପ୍ ରହଣୀ ଭିତରେ ସେ ବୁଝି ସାରିଥିଲା ଯେ, ଇଉରୋପୀୟମାନେ ପାରମ୍ପରିକ ଭାରତୀୟ ନାରୀକୁ  ବେଶୀ ସମ୍ମାନ ଓ ଆଦର କରନ୍ତି l ପାଶ୍ଚାତ୍ୟ ଚିନ୍ତାଧାରା ଓ ବେଶ ପୋଷାକରେ ଭାରତୀୟ ନାରୀକୁ ସେତେଟା ଶ୍ରଦ୍ଧା ନ ଥାଏ ସେମାନଙ୍କର l  ପ୍ୟାରିସ୍ ହେଉ କି ରୋମ୍ ସବୁଠି ପେରୋଜା ଭାରତୀୟ ଐତିହ ନେଇ ଗର୍ବ ଅନୁଭବ କରେ l ବମ୍ବେର ଯୁବତୀମାନଙ୍କର ଆମେରିକୀୟ ଜୀବନ ଶୈଳୀରେ ଅତିଷ୍ଠ ପେରୋଜା, ବାଲକୋନୀକୁ ଯାଇ ସମୁଦ୍ରକୁ ଚାହିଁଲା l ସମୁଦ୍ର କୂଳରେ ବୁର୍ଜ ଖମୋସା ଚାରି ମିଟର୍ ନିଭୃତ, ନିଶବ୍ଦ ଅରଣ୍ୟ ଭିତରେ ଚୁପଚାପ  ଠିଆ ହୋଇଛି l ଦୂର ଦିଗନ୍ତରେ କାଉ ଓ ଶାଗୁଣା ପକ୍ଷ ବିସ୍ତାର କରି ଉଡି ବୁଲୁଛନ୍ତି l ଚାରିପଟେ ଗୋଟା ଭୟଙ୍କର ନୀରବତାର ବାତାବରଣ l ସେ ପୁଣି ଗହଳି ଭିତରକୁ ଫେରି ଆସି ସୋଫା ଉପରେ ବସି ପଡିଲା l ସେତେବେଳକୁ ରେକର୍ଡ୍ ପ୍ଲେଆରରେ, ଗେମାଙ୍କର ଫେରଓ୍ୱେଲ୍ ସଙ୍ଗୀତ କିନ୍ନର ପରି ଯୁବତୀମାନଙ୍କର ସହୃଦଗାନ ଛନ୍ଦିଥିଲା l

“ରାସ୍ତାର ଶେଷ, ଯେଉଁଠି ସୁନ୍ଦର ଯାମିନୀ

ସୂର୍ଯ୍ୟାଲୋକରେ ଉଜ୍ଜଳିତ ପର୍ବତ ଶିଖର

ମୁଁ ସେଠାକୁ ଜଳଯାତ୍ରା କରେ l

ଜାମାଇକାରେ ପହଞ୍ଚିବା ପରେ ମୋ ଯାତ୍ରା ଶେଷ l

କିନ୍ତୁ ଆଜି ମୋର ବିଶାଦର ଦିନ

ଏବେ ମୁଁ ରାସ୍ତା ଧରିଲିଣି,

ହୁଏତ ବହୁତ ଡେରୀରେ ଫେରିବି l

କିଙ୍ଗଷ୍ଟନ୍ ସହରରେ ଛୋଟ ବାଳିକାଟିଏ ଛାଡି,

ମୋତେ ଯିବାକୁ ହେବ l ”

ଶୀତର ରେକର୍ଡ୍ ସରିବା ପର୍ଯ୍ୟନ୍ତ ଆଲମାସ୍ ଚୁପଚାପ୍ ବାରଣ୍ଡାରେ ଠିଆ ହୋଇଥିଲେ ଓ ଶେଷ ହେବା ପରେ  ପେରୋଜା ଉଦ୍ଦେଶ୍ୟରେ କହି ଉଠିଲେ,

“ଆମେମାନେ ନିହାତି ରୁକ୍ଷ, ଜଣେ ଅଭିଜ୍ଞ ପିଆନୋ ବାଦକ ଉପସ୍ଥିତ ଥାଇ ଆମେ ଯାହା ରେକର୍ଡ ବଜାଉଛୁ l ଆସ ପେରୋଜା! ଏହି ଟୁଲ୍ ଉପରେ ବସ l ”

ପିଆନୋ ପାଖରେ ଥିବା ଟୁଲ୍ ଉପରେ ପେରୋଜା ବସି ପଚାରିଲା, “ମୁଁ କେଉଁ ସ୍ୱର ବଜାଇବି? ମୋତେ ତ ରାଗ ସଙ୍ଗୀତର ସ୍ୱର ଜଣା l” ଯୁବତୀମାନେ ବଡ ପାଟିରେ “ପପ୍ ମ୍ୟୁଜିକ୍”ର ସ୍ୱର ପାଇଁ କହିଲେ ଏବଂ ଭାରତୀୟ ସିନେମା ସଙ୍ଗୀତର ଧୁନ୍ କରିବାକୁ ଆଗ୍ରହ ପ୍ରକାଶ କଲେ l ମାତ୍ର ପେରୋଜା ସିନେମା ସ୍ୱର ଜାଣି ନାହିଁ ବୋଲି କହିଲା l ମୋର କେବଳ ଗୋଟିଏ ଗଜଲର ସ୍ୱର ମନେ ଅଛି, କହି ଗୋଟାଏ ମୁହୂର୍ତ୍ତ ଅଟକିଗଲା l ଉର୍ଦ୍ଦୁ ଜାଣିଥିବା ଜଣେ  ମୁସଲମାନ ଯୁବତୀ ପୃଷ୍ଠପୋଷକତାର ସ୍ୱରରେ ଗଜଲର ଧୁନ୍ ପାଇଁ ବରାଦ ଦେଲେ l  ଆସ୍ତେ କରି ପିଆନୋରେ ମୃଦୁ ଟକ୍କାର ତୋଳିଲା ପେରୋଜା l ଗଜଲ୍ ତା ସାଙ୍ଗରେ ଗାଇବା ପାଇଁ ଝିଅଟି କହିବାରୁ, ପେରୋଜା କହିଲା, “ମୋର ଉର୍ଦ୍ଦୁ ଶବ୍ଦ ଉଚ୍ଚାରଣ ସେତେଟା ଶୁଦ୍ଧ ନୁହେଁ l ” ତାହେଲେ ଆମକୁ ଖାଲି ଗୀତଟେ ବତାଇ ଦିଅନ୍ତୁ, ଆମେ ଗାଇବୁ ବୋଲି କହିଲେ l ପେରୋଜା ଶୁଣେଇଲା :

“ତୁମେମାନେ ମୋ ସାମ୍ନାରେ କି ?

କୁହ ତୁମେ କେଉଁଠି ?

କୁହ ତୁମକୁ କେମିତି ଅନୁଭବ କରିବି ?

ତୁମେ ମୋ ଦୃଷ୍ଟିର ଭିତରେ l”

 ଯୁବତୀମାନେ ଧୁନର ସ୍ୱର ଧରିଲେ l ଜଣେ ଯୁବତୀ କହିଲା  ଏଥର ଗୋଟିଏ ପାଶ୍ଚାତ୍ୟ ସଙ୍ଗୀତ ହେଉ l

ପେରୋଜା କହିଲା, ତାହେଲେ ଚପିନସଙ୍କ ମେଡେନସ୍ ଫ୍ୟାନସି ଗାଇବି ? ମୁଁ ଓ ମୋର ପ୍ରେମିକ ଉଭୟେ ପ୍ୟାରିସରେ ସେଇ ସ୍ୱରକୁ ବଜାଉଥିଲୁ l ସେ ବେହେଲାରେ ମୋତେ ସହଯୋଗ କରୁଥିଲେ l

ଜଣେ ଝିଅ ପଚାରିଲା, ତୁମ ପ୍ରେମିକ ଜଣେ ସଙ୍ଗୀତଜ୍ଞ ?

ନାଁ ସେ ପେଶାଦାର ନୁହଁନ୍ତି – ଏମିତି ଆଗ୍ରହ ତାଙ୍କର – ପେରୋଜା କହିଲା l ତାପରେ ସଙ୍ଗୀତର ସ୍ୱର ଭିତରେ ନିଜକୁ ହଜେଇ ଦେଲା l

ଏହି ଘଟଣାର ପନ୍ଦର ଦିନ ଭିତରେ ଆଲମାସ୍ ଓ ପେରୋଜା ଭିତରେ ବନ୍ଧୁତ୍ୱ ନିବିଡ ହୋଇଗଲା l ପେରୋଜା ବି ଗୋଟିଏ କନଭେଣ୍ଟ୍ କଲେଜରେ ସଙ୍ଗୀତ ଶିକ୍ଷିକା ହିସାବରେ ନିଯୁକ୍ତି ପାଇଯାଏ ଇତି ମଧ୍ୟରେ l କେବଳ ଛୁଟି ପରେ ଚାକିରୀରେ ଯୋଗଦାନ କରିବା ବାକି ଥାଏ l ତା ବାଦ୍ ଜଣେ ଆମେରିକୀୟ ଭଦ୍ର ଲୋକଙ୍କର ଦଶ ବର୍ଷର ଝିଅକୁ ସପ୍ତାହରେ ତିନି ଦିନ ସଙ୍ଗୀତ ଶିକ୍ଷା ଦାନ ପାଇଁ ସୁଯୋଗଟିଏ ମିଳିସାରିଥିଲା ପେରୋଜାକୁ l ବିପତ୍ନୀକ ଆମେରିକୀୟ ତାଙ୍କ ଜୀବନରେ ପତ୍ନୀ ବିଛେଦଜନିତ ଦୁଃଖ ଭୁଲି ଯିବା ପାଇଁ ଭାରତ ଆସିଥାନ୍ତି, ସାଙ୍ଗରେ ଛୋଟ ଝିଅଟିକୁ ଧରି l ଜୁହୁର ସନ୍ ଆଣ୍ଡ୍ ସ୍ୟାଣ୍ଡ୍  ହୋଟେଲରେ ତାଙ୍କର ରହଣୀ l ଯଦିଓ କ୍ରାତେ ଓ ଜୁହୁ ଠାରୁ ଟିକିଏ ଅଧିକ ଦୂର, ଅଧିକ ଦରମା ଓ ମାର୍ଜିତ ବ୍ୟବହାର ପାଇଁ ପେରୋଜାର ଅମଙ୍ଗ ହେବାର କିଛି କାରଣ ନ ଥିଲା l ପେରୋଜାର ଦିନ ସବୁ ଆରାମରେ କଟିବାକୁ ଲାଗିଲା l ଅଳ୍ପ ଦିନ ଭିତରେ ଖୁର୍ସିଦ୍ ଆଲମ୍ ତାଙ୍କ ଜନ୍ମସ୍ଥାନ ସହରରୁ ଫେରି ଆସିବା କଥା l ପେରୋଜାର ନିଯୁକ୍ତି କିମ୍ବା ପିଆନୋ ଟ୍ୟୁସନ୍ କୌଣସି କଥା ଖୁର୍ସିଦକୁ ଜଣାଇ ନ ଥାଏ ଏବଂ ଖୁର୍ସିଦକୁ ସରପ୍ରାଇଜ୍ କରିବା ଥିଲା ତାର ଉଦ୍ଦେଶ୍ୟ l

ଆଲମାସଙ୍କ ଲନରେ ଥରେ ସକାଳେ ବୁଲୁ ବୁଲୁ, ଆଲମାସ୍ ପେରୋଜାକୁ ପ୍ରଶ୍ନ କଲେ ତୁମେ କାହା ଠାରୁ ଏହି ଗଜଲଟି ଶିଖିଲ ?

ପେରୋଜା କହିଲା – ପ୍ୟାରିସରେ ମୋର ପ୍ରେମିକ ମୋତେ ଶିଖାଇ ଦେଇଥିଲେ l

ପେରୋଜା ! ତୁମେ ଆଜି ପର୍ଯ୍ୟନ୍ତ ଏ କଥା ମୋ ଠାରୁ ଲୁଚାଇ ରଖିଥିଲ ଯେ ? ତାଙ୍କ ବିଷୟରେ ମୋତେ ତୁମେ କିଛି କହିନ ?

ପ୍ରକୃତରେ ସେ ତୁମ ସମ୍ପ୍ରଦାୟର l

ସତେ କି? କହି ଆଲମାସ୍ ବଗିଚାର ଫୁଆରା ପାଖରେ ବସି ପଡିଲା l

ମୋ ବାପା ଓ ଜେଜେ ବହୁତ ରକ୍ଷଣଶୀଳ l କିନ୍ତୁ ମୋ ମାମୁଁ ଏତେଟା ନୁହଁନ୍ତି l ତେଣୁ ଆମ ସମ୍ପର୍କରେ କିଛି ବିଘ୍ନ ଘଟି ନାହିଁ କି କିଛି ବାଧକ ବି ନାହିଁ – ପେରୋଜା କହିଲା l

ସାହେବଜାଦାଙ୍କ ନାଁ ?

ସେଇଟିବି ଏକ ଅନନ୍ୟ ଘଟଣା l ଖୁର୍ସିଦ୍ ଆଲମ୍ ତାର ସମ୍ମୋହନକାରୀ ଚକ୍ଷୁର ପ୍ରେମରେ ପଡିଥିଲେ ପ୍ରଥମେ l ପ୍ୟାରିସର ଦୂତାବାସରେ ଉଭୟଙ୍କର ସାକ୍ଷାତ l କେହି ଜଣେ ତାଙ୍କୁ ପେରୋଜା ସହ ପରିଚୟ କରାଇଦେଇଥିଲେ l ମଜାରେ ଖୁର୍ସିଦ୍ ତା ନାଁ ପେରୋଜା ନ ହୋଇ ‘ନର୍ଗିସ୍’ ହେବାର ଥିଲା ବୋଲି ଲଘୁ ମନ୍ତବ୍ୟଟିଏ ଦେଇଥିଲେ l ନର୍ଗିସତ ମୋ ମାଇଁଙ୍କ ନାଁ – ପେରୋଜା କହିବାର ମନେ ପଡୁଥିଲା l

‘ଭଗବାନ ନ କରନ୍ତୁ . . . . .’ ଯେମିତି ଖୁର୍ସିଦଙ୍କ ବହୁତ ଆଗରୁ ତା ସହିତ ପରିଚୟ ଥିଲା l

ପାର୍ସିମାନଙ୍କର ଯେତେ ଭଲ ନାଁ, ତୁମେ ସବୁ ସେ ଗୁଡିକୁ ନଷ୍ଟ କରି ଦେଉଛ ନର୍ଗିସ୍ l

“ଖୁର୍ସିଦ୍ ପେରୋଜା l” ଯଦି ତୁମକୁ ପେରୋଜା ବୋଲି ଡାକେ, ତୁମେ କିଛି ଖରାପ ଭାବିବ ନାହିଁ ତ?

“ଆଦୌ ନୁହେଁ,” ହସି ହସି କହିଲା ପେରୋଜା l ସମୁଦ୍ର କୂଳରେ ଥରେ ଚାଲୁ ଚାଲୁ ତାକୁ ଖୁର୍ସିଦ୍ କହିଥିଲେ ‘ତୁମର କଥା କୁହା ଆକ୍ଷି ବହୁତ ସୁନ୍ଦର’ l ତୁମ ଡୋଳା ଦୁଇଟିର ସମ୍ମୋହିତ ଶକ୍ତି ତୁମ ଆକ୍ଷି ହୀରା ଭଳି ସୁନ୍ଦର l ତୁମ ଆକ୍ଷି ଦେଖିଲେ ଲାଗେ ଯେମିତି ଉଜ୍ଜଳ ସୂର୍ଯ୍ୟ ରଶ୍ମି କିମ୍ବା ଢଳ ଢଳ ବର୍ଷା ବିନ୍ଦୁ l ସୁନ୍ଦର ନର୍ଗିସ୍ ଫୁଲ ତୁମ ଆକ୍ଷି ପାଲଟି ଯାଇଛି l

ଆଲମାସଙ୍କ ଶାଣିତ ସ୍ୱର “ଆରେ ମୁଁ ତାଙ୍କ ନାଁ ପଚାରୁଛି l”

“ଖୁର୍ସିଦ୍ ଆଲମ୍ - ପେରୋଜା ଉତ୍ତର ଦେଲା l”

କିଛି କ୍ଷଣ ପରେ, ମୁହଁ ଉପରକୁ ଉଠେଇ ପେରୋଜା ଦେଖିଲା, ତା ଆଗରେ କଳା ଶାଢୀ ପରିହିତା, ଅଣ୍ଟା ଉପରେ ହାତ ଦେଇ, ଆଲମାସ୍ ଠିଆ ହୋଇଛି ଏବଂ କହୁଛି, ଦେଖ କି ଆକସ୍ମିକ ସଂଯୋଗ, ମୋ ପ୍ରେମିକଙ୍କ ନାଁ ବି ଖୁର୍ସିଦ୍ ଆଲମ୍ l ସିଏ ବେହେଲା ବଜେଇ ଜାଣନ୍ତି l ନିକଟରେ ସିଏ ଫ୍ରାନ୍ସରୁ ଫେରି, ତାଙ୍କ ନିଜ ସହରକୁ ତାଙ୍କ ଆବ୍ବାଙ୍କୁ ଦେଖା କରିବାକୁ ଯାଇଛନ୍ତି l

ଅଗଷ୍ଟ୍ ମାସରେ, ହଠାତ୍ ଯେମିତି ଦିଗବଳୟରେ ଚଡକ ମାରିଲା l କିନ୍ତୁ କେହି ଲକ୍ଷ୍ୟ କରି ପାରିଲେ ନାହିଁ ଯେ, ପେରୋଜା ହିଁ ତାର ଲକ୍ଷ୍ୟ ସ୍ଥଳୀ l ଗୋଟିଏ ମୁହୂର୍ତ୍ତ ପାଇଁ ସେ ସ୍ତବ୍ଧ l ତାପରେ ସିଏ ସାମ୍ନାର ଉଚ୍ଚ ଅଟ୍ଟାଳିକାକୁ ଅନେଇ ରହିଲା ଏବଂ ମନେ ମନେ ଟାର୍ଡେଓ ଓ ତାଙ୍କ ଘର କଥା ଭାବିବାକୁ ଲାଗିଲା l ଦ୍ୱିତୀୟ ଥର ବିଜୁଳି ମାରିଲା ଏବଂ ଆଲମାସର ମାଲବାର୍ ଘର ଝଲସି ଉଠିଲା l

ଗୋଟାଏ ମୁହୂର୍ତ୍ତରେ ପେରୋଜା ବୁଝି ପାରିଲା, ଖୁର୍ସିଦ୍ ଆଲମ୍ କାହିଁକି ଆଲମାସ୍ ବିବାହ ବିଷୟରେ ତାକୁ ଚିଠିରେ ଜଣାଇ ନାହାନ୍ତି କିମ୍ବା କିଛି ଜଣାଇ ନାହାନ୍ତି l ସେ ଉଠି ପଡି ଧୀର ଭାବରେ କହିଲା, ଆଲମାସ୍ – ଖୁଦା ହାଫିଜ୍ l ବିବାହ ପାଇଁ ଧନ୍ୟବାଦ l

“ତୁମେ କଣ ଯିବା ପାଇଁ ବାହାରିଛ? ଟିକେ ଅପେକ୍ଷା କର, ଡ୍ରାଇଭର୍ କାରରେ ଛାଡି ଦେଇ ଆସିବ l” ଆଲମାସ୍ ସ୍ୱସ୍ତିର ନିଝ ଆଲମାସ୍ ନିଃଶ୍ୱାସଟିଏ ନେଲା l

ନା ବହୁତ ଧନ୍ୟବାଦ – ଘରୁ ବାହାରିଯିବା ବେଳେ ପେରୋଜା କହିଲା l ରାସ୍ତାର ଆରପଟ ବସ୍ ଷ୍ଟପରୁ ବସ୍ ଧରିଲା l

ଆଲମାସ୍ ବଗିଚାର ଫୁଆରା ପାଖରେ ଠିଆ ହୋଇ ରାସ୍ତାକୁ କେବଳ ଅନାଇ ରହିଲା l

ଜୋରରେ ମୂଷଳ ଧାରାରେ ବର୍ଷା ଆରମ୍ଭ ହେଲା l ବର୍ଷାରେ ପାମ୍ ଗଛ ସବୁ ଆନ୍ଦୋଳିତ ହେବାକୁ ଲାଗିଲା l ଦ୍ରୁତ ପାଦରେ ବର୍ଷାରୁ ରକ୍ଷା ପାଇବା ପାଇଁ ସତର୍କତାର ସହ ଆଲମାସ୍ ନିରାପଦରେ ପହଞ୍ଚିବା ପାଇଁ ଚେଷ୍ଟା କଲା l

ଏହି ଘଟଣାର ତିନି ଦିନ ପରେ ଖୁର୍ସିଦ୍, ଆଲମାସର ଆବ୍ବା ପାଖକୁ ନିଜ ବାବାଙ୍କ ଦେହ ଖରାପ ହେତୁ ଛୁଟି ବଢାଇବା ପାଇଁ ଚିଠିଟି ନେଇ ଆସିଥାଏ l ଚିଠିରେ ପ୍ରକୃତ କାରଣ ଯାହା ପାଇଁ ଅସୁସ୍ଥତା ବଢିଯାଇଥିଲା, ସେ ବିଷୟରେ କିଛି ସୂଚନା ନ ଥିଲା l ଖୁର୍ସିଦ୍ ନିଜ ସମ୍ପ୍ରଦାୟର କୌଣସି ଧନୀ ଗୃହସ୍ଥର କନ୍ୟା ପରିବର୍ତ୍ତେ ପାର୍ସି ଝିଅଟିଏ ଚାହୁଁ ଥିବାରୁ ରକ୍ଷଣଶୀଳ ପିତାଙ୍କ ଅବସ୍ଥା ଖରାପ ଆଡକୁ ଯାଉଥାଏ l ଚିଠିରୁ ତାଙ୍କ ବ୍ୟସ୍ତତା ସ୍ପଷ୍ଟ ବାରି ହୋଇ ପଡୁଥାଏ lଚିଠିର ଉତ୍ତର ନିଜ ଆଡୁ ଆଲମାସ୍ ଦେଲା l

“ତୁମେ ଯେତେ ଦିନ ଚାହିଁବ ରୁହ l ଆବ୍ବାଜାନ୍ ତୁମକୁ ଆମ ପରିବାରର ଜଣେ ବୋଲି ବିଚାର କରନ୍ତି l ତୁମ ଦୁର୍ଦ୍ଦିନରେ ଆମେ ସମସ୍ତେ ତୁମ ପଛରେ ଅଛୁ l ତୁମେ ଚାହିଁଲେ ଆବ୍ବା ମିଆଁଙ୍କୁ ଏଠିକୁ ଚିକିତ୍ସା ପାଇଁ  ଆଣିପାର l”

ପୁଣି କଥା ପ୍ରସଙ୍ଗରେ ଲେଖା ଥିଲା ଯେ, ସନ୍ ଆଣ୍ଡ୍ ସ୍ୟାଣ୍ଡକୁ ମୁଁ ଯାଇଥିଲି, ସେଠାରେ ପେରୋଜା ଦସ୍ତୁର ନାମକ ଜଣେ ପାର୍ସୀ ଯୁବତୀ ସହ ମୋର ପରିଚୟ ହେଲା l ବୋଧ ହୁଏ ସେ ଜଣେ ଆମେରିକୀୟ ଭଦ୍ରଲୋକଙ୍କ ବାନ୍ଧବୀ l ସେଇ ହୋଟେଲରେ ସେମାନେ ରହୁଛନ୍ତି l ତୁମର ପ୍ୟାରିସରେ ତାଙ୍କ ସହ ପୂର୍ବ ପରିଚୟ ଥିବ ଭାବି ଲେଖୁଛି l

ଠିକ୍ ଅଛି, ଆବ୍ବା ମିଆଁଙ୍କୁ ଯଦି ଏଠିକୁ ଆଣିବ, ତା ହେଲେ ଆଗତୁରା ଟେଲିଗ୍ରାମଟେ ପଠାଇଲେ, ବ୍ରିଚକାଣ୍ଡି ହସ୍ପିଟାଲରେ ଚିକିତ୍ସାର ବ୍ୟବସ୍ଥା କରାଯିବ l

                             ଶ୍ରଦ୍ଧା ସହ – ଆଲମାସ୍

ସେଇଦିନ ସନ୍ଧ୍ୟାରେ ଟାରଡେଓରେ ଟ୍ୟାକ୍ସିରୁ ଓହ୍ଲେଇଲେ ଖୁର୍ସିଦ୍ l ଟିପା ଖାତାରୁ ଠିକଣା ନେଇ ରାସ୍ତା କଡର ବିଲଡିଙ୍ଗ୍ ଭିତରକୁ ଗଲେ l ଭଙ୍ଗା ସିଡିରେ ଉଠି ଘରର ବାରଣ୍ଡାରେ ପହଞ୍ଚିଲେ l ଅବହେଳିତ ପାର୍ସିଙ୍କ ଗୃହ l ଜଣେ ଧଳା ଫୁଲ ପ୍ୟାଣ୍ଟ୍ ଓ ଗୋଲ୍ ଟୋପି ପିନ୍ଧା ଭଦ୍ର ଲୋକ ନୀରବରେ ପ୍ରାର୍ଥନାରତ l ସାମ୍ନାରେ ଭଙ୍ଗା ଚଉକିଟିଏ ପଡିଛି l ସେଣ୍ଟ୍ରାଲ୍ ଟେବୁଲ୍ ଉପରେ ଝାଡ କପଡା l କାନ୍ଥରେ  ଜୋରାଷ୍ଟରଙ୍କର  ଏକ ବୃହତ୍ ଚିତ୍ରପଟ l ଘର ଭିତରୁ ନଡିଆ ଓ ମାଛର ବାସ୍ନା ବାହାରୁଥାଏ l ଜଣେ ଲାଲ୍ ଜର୍ଜେଟ୍ ଶାଢୀ ପରିହିତା, ମୁଣ୍ଡରେ ଧଳା ରୁମାଲ୍ ବାନ୍ଧି ଜଣେ ପାର୍ସି ଭଦ୍ର ମହିଳା ଆସିଲେ l ତାଙ୍କ ମୁଣ୍ଡ ଥରୁଥାଏ l

ମିସ୍ ପେରୋଜା ଘରେ ଅଛନ୍ତି କି?

‘ପେରୋଜା’ – କ୍ଷୀଣ ଦୃଷ୍ଟି ସମ୍ପର୍ଣ୍ଣା ମହିଳା ଜଣକ ଖୁର୍ସିଦଙ୍କୁ ଅନାଇ କହିଲେ “ସନ୍ ଆଣ୍ଡ୍ ସ୍ୟାଣ୍ଡ୍ l”

ପେରୋଜା କଣ ଏ ଜାଗା ଛାଡି ସେଠିକୁ ଗଲେଣି ? ଭଦ୍ରଲୋକ ପଚାରିଲେ l

କାନକୁ ପରିସ୍କାର ଶୁଭୁ ନ ଥିବା ମହିଳା ମୁଣ୍ଡ ନାଡି ହଁ କଲେ l

ପାଟି ଖନି ମାରିଗଲା ଭଳି ଖୁର୍ସିଦ୍ ପଚାରିଲେ “କାହା ସଙ୍ଗେ?”

ଭଦ୍ରମହିଳା ଭିତରକୁ ଯାଇ ଗୋଟିଏ ଭିଜିଟିଙ୍ଗ୍ କାର୍ଡ୍ ଆଣି ଖୁର୍ସିଦଙ୍କ ହାତ ପାପୁଲିରେ ଧରେଇଦେଲେ l ସେଇ ଭିଜିଟିଙ୍ଗ୍ କାର୍ଡରେ ଜଣେ ଆମାରିକୀୟଙ୍କ ନାଁ ଲେଖା ଥିଲା l

ଆପଣ କଣ ଖୁର୍ସିଦ୍ ଆଲମ୍ ? ଆପଣ ଆସିବା କଥା ପେରୋଜା କହୁଥିଲା l ଆପଣ ଯଦି ଅପେକ୍ଷା କରିବେ, ତାହେଲେ ଜୁହୁକୁ ଫୋନ୍ କରି ତାର ଆସିବା କଥା ପଚାରିବି, ଏହା କହି କ୍ଲାଉଜ୍ ପକେଟରୁ ସୁଉକିଟିଏ କାଢିଲେ l ଖୁର୍ସିଦ୍ ଆଲମ୍ ମହିଳାଙ୍କ କଥାରେ ଆହତ ହେଲେ ବୋଧେ l

ମହିଳା ଜଣକ କଥା ପ୍ରସଙ୍ଗରେ କହିଚାଲିଲେ, “ଆମେ ଖୁବ୍ ଗରୀବ,” ଏବେ ପେରୋଜା ଆମେରିକାନ୍ ଟୁରିଷ୍ଟଙ୍କ ପାଖରେ କାମ କରୁଛି ତ . . . ତାଙ୍କର ମନେ ହେଲା ଭଦ୍ରଲୋକଙ୍କୁ ସେ ଘର ଭିତରକୁ ଡାକି ନାହାନ୍ତି, ଏ ପର୍ଯ୍ୟନ୍ତ l କହିଲେ, “ଆଜ୍ଞା ଭିତରକୁ ଆସନ୍ତୁ l”

ହତଚକିତ ଖୁର୍ସିଦ୍ ଆଲମ୍ ଫେରିପଡି ଟ୍ୟାକ୍ସି ଆଡକୁ ମୁହାଁଇଲେ l ହାତ ହଲେଇ ଭଦ୍ରମହିଳା ବିଦାୟ ଜଣାଉଥିଲେ l ଭଦ୍ରଲୋକଙ୍କ ପ୍ରାର୍ଥନା ସରିବା ବେଳକୁ ଆଲମ୍ ଆଉ ସେ ଜାଗାରେ ନ ଥିଲେ l ଟ୍ୟାକ୍ସି ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ ସେତିକିବେଳକୁ . . . . . l

 ଆଲମାସ୍ ଆଉ ଆଲମଙ୍କ ନିର୍ବନ୍ଧ ଦିନ l ଭୀଷଣ ବର୍ଷା – ରାସ୍ତାଘାଟ ପାଣିରେ ଉବୁଟୁବୁ l ଭୋଜି ପୂର୍ବରୁ ବର୍ଷା ଛାଡି ଯାଇଥାଏ l ଖୁର୍ସିଦ୍ ଆଲମ୍ ଓ ଆଲମାସଙ୍କ ବାପାଙ୍କ ଜଣେ ସାଙ୍ଗ, ଡକ୍ଟର୍ ସିଦ୍ଦିକି ଯିଏକି ବମ୍ବେକୁ ସଦ୍ୟ ବଦଳି ହୋଇ ଆସିଥାଆନ୍ତି, ଯାଇ ବାଲକୋନି ଉପରେ ଠିଆ ହୋଇ କଥା ହେଉଥାଆନ୍ତି l ବାଲକୋନି ଉପରୁ ବୁର୍ଜ ଖାମୋସାର ଅନ୍ଧାରୀ ଜଙ୍ଗଲ ଦୃଶ୍ୟମାନ ହେଉଥାଏ l ବର୍ଷା ଯୋଗୁଁ ଜଙ୍ଗଲର ଗଛ ପତ୍ର ଜୋରରେ ଦୋହଲୁଥାନ୍ତି l ଡ୍ରଇଁ ରୁମରୁ ହସ ପ୍ରତିଧ୍ୱନିତ ହେଉଥାଏ l  ଡ୍ରଇଁ ରୁମର ପିଆନୋ ପାଖରେ ମହମବତୀର ଆଲୋକ l ବେଶ୍ ରୋମାଣ୍ଟିକ୍ ଓ ସୁନ୍ଦର ପରିବେଶ l ଗ୍ୟାଲେରୀରେ ଥିବା ଟେଲିଫୋନରୁ କଲଟେ ଆସିଲା l ଆଲମାସ୍ ରୁକ୍ଷ ଭାବରେ ପଚାରିଲା – କଥା କଣ ? ନର୍ସଟି କହିଲା – ଆମ ହସ୍ପିଟାଲରେ ପେରୋଜା ଦସ୍ତୁର ଚିକିତ୍ସିତ ହେଉଛନ୍ତି l ସେ ବହୁତ ଅସୁସ୍ଥ . . .  ତାଙ୍କ ଅବସ୍ଥା ଗୁରୁତର l ଆଜି ଅବସ୍ଥା ଖରାପ ଆଡକୁ ଗତି କରୁଛି l କିଛି ସମୟ ପାଇଁ ଆଲମଙ୍କ ସହ କଥା ହେବା ପାଇଁ ଚାହୁଁଛନ୍ତି l

“ଖୁର୍ସିଦ୍ ଆଲମ୍ ଏଠି ନାହାନ୍ତି l”

“ଆପଣ ଠିକ୍ କହୁଛନ୍ତି ତ? ସେ ପଟର ପ୍ରଶ୍ନ l”

“ହଁ l ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ l ଆଲମାସଙ୍କ ସ୍ୱର କଠିନ l ଆପଣ ଭାବୁଛନ୍ତି କି ମୁଁ ମିଛ କହୁଛି?” ବିରକ୍ତ ହୋଇ ଫୋନକୁ କଚାଡି ଦେଇ, ଅତିଥିଙ୍କ ପାଖକୁ ଫେରିଗଲା ଆଲମାସ୍ l

ଦୁଇ ଘଣ୍ଟା ପରେ ପୁଣି ଫୋନ୍ ବାଜିଲା l ଗ୍ୟାଲେରୀରୁ ଜଣେ କେହି ଖବର ଦେଲା ଡକ୍ଟର ସିଦ୍ଦିକି ! ଆପଣଙ୍କର ଫୋନ୍ l ସିଦ୍ଦିକି ଫୋନ୍ ପାଇ ଯିବାକୁ ବାହାରିଲେ l ଆଲମାସକୁ କହିଲେ, “ମୋତେ ଯିବାକୁ ହେବ, ନିହାତି ଜରୁରୀ l ମୁଁ ରହି ନ ପାରୁଥିବାରୁ ଦୁଃଖିତ l”

ଦ୍ୱାର ପାଖରେ ଡାକ୍ତରଙ୍କୁ ବିଦାୟ ଦେବା ବେଳକୁ ଆଲମାସ୍  କହିଲା, “ଆପଣ ଆସନ୍ତା କାଲି ଆସନ୍ତୁ l ଆମେ ସପ୍ତାହକ ପାଇଁ ପୁଣେ ଯିବୁ l” ଆସିବାର ପ୍ରତିଶୃତି ଦେଇ ଡକ୍ଟର ସିଦ୍ଦିକି ତରବରରେ ଫେରିଗଲେ l

ବ୍ରିଚକାଣ୍ଡି ହସ୍ପିଟାଲରେ କିଛିଦିନ ରହିବା ପରେ ରୋଗରୁ ଭଲ ହୋଇ ଖୁର୍ସିଦ୍ ଆଲମଙ୍କ ଆବ୍ବଜାନ୍ ପ୍ରତାପଗଡ ଫେରିଗଲେ l ବିବାହ ପରେ କାମ୍ବଲା ହିଲ୍ ଘର ସଜାଡିବାକୁ ବିଳମ୍ବ ହେବାରୁ, ଖୁର୍ସିଦଙ୍କୁ ଶ୍ୱଶୁର ଘରେ ରହିବାକୁ ପଡିଲା lସକାଳେ ଅଫିସ୍ ଯିବା ଆଗରୁ ବାଲକୋନିରେ ବହୁତ ସମୟ ଠିଆ ହୋଇ ରୁହନ୍ତି ଖୁର୍ସିଦ୍ l ଘର ତଳର ପାହାଡ କାନ୍ଥକୁ ଲାଗି ସର୍ପିଳ ରାସ୍ତା ବୁର୍ଜ ଖାମୋସା ଆଡେ ଲମ୍ବିଥାଏ l ବେଳେବେଳେ ସେହି ରାସ୍ତାରେ ଶ୍ୱେତ ବସ୍ତ୍ର ପରିହିତ ଦଳେ ଦଳେ ପାର୍ସି ଶବ ଶୋଭାଯାତ୍ରାରେ ଯିବାର ଦୃଶ୍ୟ ତାଙ୍କ ଆକ୍ଷିରେ ପଡେ l ଖାଦ୍ୟ ଆଶାରେ କାଉ ଓ ଶାଗୁଣାମାନେ ସେଠି ଅପେକ୍ଷା କରିଥାନ୍ତି l ବୁର୍ଜ ଖାମୋସାର ଗୋଟାଏ କୋଣରେ, ମୁହଁରେ ଘଞ୍ଚ ଦାଢୀ, ଦେହରେ ଧଳା ପୋଷାକ ପିନ୍ଧି ଭୟଙ୍କର ଚେହେରାର ଜଗୁଆଳି କବରଖାନାର ଦ୍ୱାର ପାଖରେ ସଦାବେଳେ ଠିଆ ହୋଇ ରୁହେ l ମୃତ ଦେହକୁ ଉଚ୍ଚା ପ୍ଲାଟଫର୍ମରେ ରଖିଦେବା ପରେ ପାର୍ସିମାନେ ନୀରବରେ ନିଜ ଗାଡିରେ ଘରକୁ ସେହି ବଙ୍କା ଟଙ୍କା ରାସ୍ତା ଦେଇ ଫେରନ୍ତି l

କବରଖାନାର ବାହାରେ ସଂସାର ତାର ଚିରାଚରିତ ଗତିରେ ଚାଲୁଥାଏ l ଜୀବନ ସମୁଦ୍ର, ଜୀବନ ବଞ୍ଚିବାର ମୋହରେ ରେଖାୟିତ l ପାଖ ଅଟ୍ଟାଳିକାରେ ଏୟାର ଇଣ୍ଡିଆର ମାସକଟ୍ ‘ମହାରାଜା’ ପୃଥିବୀର ଭିନ୍ନ ପ୍ରାନ୍ତକୁ ଯାତ୍ରୀମାନଙ୍କୁ  ନେଇ ଯିବାର ପ୍ରତିଶୃତି ମୁଦ୍ରାରେ ନୀରବରେ ଠିଆ ହୋଇ ରହିଥାଏ l

ଆଲାମଙ୍କ ମନେ ପଡୁଥାଏ, ପେରୋଜା ଲେଖିଥିବା ଚିଠିର ଧାଡି ସବୁ l

ମନର ବହୁତ ଆକ୍ଷି l କିନ୍ତୁ ହୃଦୟର ଗୋଟିଏ ଚକ୍ଷୁ l ଯେତେବେଳେ ଭଲ ପାଇବା ନିଃଶେଷ ହୋଇଯାଏ, ପୃଥିବୀର ସେଇ ଦିନ ବିଲୟ ଘଟେ l

ସାଗରର ଚପଳତା ମୁହୂର୍ତ୍ତକ ପାଇଁ ସ୍ଥିର ହେଇଯାଏ lଦିଗନ୍ତରେ ଭସା ମେଘ ସବୁ ହଜିଯାଉଥାଏ l ଖୁର୍ସିଦ୍ ଆଲମ୍ ଭାବୁଥାନ୍ତି, ପେରୋଜା  ଯିବା ପରେ ତାର ମର ଶରୀର କାଉ ଆଉ ଶାଗୁଣାଙ୍କ ଖାଦ୍ୟ ହୋଇଥିବ l ହସ୍ପିଟାଲରେ ତା ଦେହରୁ ଆତ୍ମା ସ୍ୱର୍ଗକୁ ବାହୁଡିବା ବାଟରେ, ଦିଗନ୍ତର ଘନ ଅନ୍ଧାର  ଭିତରେ ଆଉ ଗୋଟେ ବାଟବଣା ଆତ୍ମା ହୁଏତ ତାକୁ ପଚାରିଥିବ ‘ତୁମେ କିଏ ? ’ ପେରୋଜା ଉତ୍ତର ଦେଇଥିବ, ‘ମୁଁ କିଏ ଜାଣିନାହିଁ l ଗତକାଲି ମୋର ମୃତ୍ୟୁ ହୋଇଛି l’ ବର୍ତ୍ତମାନ ସେ ବହୁତ ଦୂରରେ l ମୃତକର ଜୀବନ ଦୃତ ଗତିରେ ଦୂରକୁ ଉଡି ଯାଆନ୍ତି l

ତାରାବାଇ ତାର ଉଜ୍ଜଳ ଚକ୍ଷୁରେ ତା ଚାରିପଟ ପୃଥିବୀକୁ ଆଶ୍ଚର୍ଯ୍ୟ ହେଇ ଦେଖୁଥାଏ l ସାହେବଙ୍କୁ ବି ସେମିତି ଆକ୍ଷିରେ ଦେଖୁଥାଏ l ଆଲମସ୍ ବେଗମ୍ ଏବେ ସନ୍ତାନ ସମ୍ଭବା l ଆଉ ଜଣେ ଆଗନ୍ତୁକ ଆସିଲେ, ତାର କାମର ଭାରା ବଢିଯିବ l

ଆଜି ସକାଳେ, ଡକ୍ଟର ସିଦ୍ଦିକି ଆଲମସଙ୍କ ଘର ବାରଣ୍ଡାରେ ଚେୟାରରେ ବସିଥିବା ବେଳେ ଚା କପେ ଆଣି ତାରାବାଇ ବଢେଇଦେଲା ତାଙ୍କ ହାତକୁ l ତାରାବାଇକୁ ଦେଖି ଡକ୍ଟର ସିଦ୍ଦିକି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତାରାବାଇ ତୁ କଣ ଏଠି କାମ କରୁଛୁ ? ତାରାବାଇ ସଲ୍ଲଜ ହସି କହିଲା – “ହଁ ଡକ୍ଟର ସାହେବ”

ତୁ ଏବେ ପରିଷ୍କାର ଭାବରେ ଦେଖି ପାରୁଛୁ ତ ? ହଁ ଆଜ୍ଞା l ତାରାବାଇ କହିଲା l

“ଆଛା ଠିକ୍ ଅଛି l”  ଡକ୍ଟର ସିଦ୍ଦିକି ଏଥରକ ଆଲମାସ୍ ଓ ଖୁର୍ସିଦ୍ ଉଦ୍ଦେଶ୍ୟରେ କହିଲେ – ତାରାବାଇ ଦଶ ବର୍ଷ ବୟସରେ ତା ଆକ୍ଷି ହରାଇଥିଲା l ତା ଭାଗ୍ୟ ବହୁତ ଭଲ l ତୁମର ମନେ ଥିବ, ତୁମ ନିର୍ବନ୍ଧ ଦିନ, ମୋତେ ହସ୍ପିଟାଲରୁ ଡାକରା ଆସିଥିବା କଥା l ସେଦିନ ପେରୋଜା ଦସ୍ତୁର ନାମ୍ନୀ ଏକ ପାର୍ସି ଯୁବତୀ ହସ୍ପିଟାଲରେ ମରିଗଲେ l ସେ ଆଗରୁ ତାଙ୍କ ଆକ୍ଷି ଚକ୍ଷୁ ବ୍ୟାଙ୍କକୁ ଦାନ କରି ଦେଇଥିଲେ l ତେଣୁ ମୋତେ ସେଠାରେ ତୁରନ୍ତ ପହଞ୍ଚି ତାଙ୍କର ଆକ୍ଷି ଡୋଳା ସଂଗ୍ରହ କରିବାକୁ ପଡିଥିଲା l ଜଣେ ବଧିର ପାର୍ସି ମହିଳା ତାଙ୍କ ମୃତ ଦେହ ପାଖରେ ଠିଆ ହୋଇ କାନ୍ଦୁଥିଲେ ଅତି ଅସହାୟ ଭାବରେ l ବହୁତ କରୁଣ ସେ ଦୃଶ୍ୟ . . . . . ଏହାର କିଛି ଦିନ ପରେ ତାରାବାଇର ମାମୁଁ ତାକୁ ହସ୍ପିଟାଲକୁ ଆଣିବା ପରେ ମିସ୍ ଦସ୍ତୁରଙ୍କ ଆକ୍ଷି ତା ଠାରେ ପ୍ରତିରୋପଣ ମୁଁ କରିଥିଲି l ଦେଖନ୍ତୁ, ତାରାବାଇର ଆକ୍ଷି ଦୁଇଟି କେମିତି ତାରା ଭଳି ଝଲସୁଛି l ଏଥିରେ ସନ୍ଦେହ ନାହିଁ ମେଡିକାଲ୍ ବିଜ୍ଞାନ କେତେ ଆଗେଇଛି l ଆଶ୍ଚର୍ଯ୍ୟ ଜିନିଷ ଏବେ ସମ୍ଭବ l କଥା ଶେଷ କରି ଡକ୍ଟର ସିଦ୍ଦିକି ସିଗାରେଟରେ ନିଆଁ ଲଗେଇଲେ l ବେଗମ୍ ଆଲମସଙ୍କ ମୁହଁ ରକ୍ତ ଶୂନ୍ୟ . . . . ଶେତା ପଡିଗଲା l ଖୁର୍ସିଦ୍ ଆଲମ୍ ସ୍ତବ୍ଧ l ଥର ଥର ପାଦରେ ନିଜ ବେଡ୍ ରୁମ୍ ଆଡକୁ ଗୋଡ ବଢାଇଲେ l ଖୁର୍ସିଦ୍ ଆଲମଙ୍କ ବିଭ୍ରମ ଦୃଷ୍ଟି ଦେଖି ତାରାବାଇ ତାଙ୍କୁ ଧରି ପକେଇବାକୁ ଗଲା ବେଳେ ସେ  ବୁଲି ପଡି  ଚାହିଁଲେ, ଯେମିତି ଜଣେ ପାଗଳ l ତାରାବାଇ ଜାଣିପାରିଲା ନାହିଁ, ତାକୁ କଣ କରିବାକୁ ପଡିବ l ସେ କିଂକର୍ତ୍ତବ୍ୟବିମୂଢ ଭାବେ ରୋଷେଇ ଘର ଭିତରକୁ ପଶିଯାଇ ବାସନ ଧୋଇବାରେ ଲାଗି ପଡିଲା l ବୁର୍ଜ ଖାମୋସାର ଦିଗନ୍ତ ଉପରେ ଶାଗୁଣା ଓ କାଉ ଚକ୍କର ମାରୁଥିଲେ l

“କାଉ ସମ୍ପୂର୍ଣ୍ଣ ଦେହକୁ ଖାଇଯାଆ

ଆକ୍ଷି ଦୁଇଟିକୁ ଛାଡି ଶରୀରର ସମସ୍ତ ମାଂସ ନେଇଯାଆ

ପ୍ରିୟତମର ଦର୍ଶନ ପାଇଁ ଏବେବି ଅପେକ୍ଷା ”

Indian literature November – December 2012 ରେ ପ୍ରକାଶିତ ମୂଳ ଉର୍ଦ୍ଦୁ  କୁରତୁଲେନ୍ ହାଇଦରଙ୍କ ଗଳ୍ପର ଆୟେସା ଇରଫାନଙ୍କ ଅନୁଦିତ ଇଂରାଜୀ “The Vision Within”ର ଓଡିଆ ଅନୁବାଦ l

Indian Literature Kurtulen Hyder The Vision Within

Rate the content


Originality
Flow
Language
Cover design

Comments

Post

Some text some message..