Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଲିଭା ଦାଗ
ଅଲିଭା ଦାଗ
★★★★★

© Abanindra Ojha

Tragedy

3 Minutes   2.5K    11


Content Ranking


ରାତି ୯ଟା । ଶ୍ରାବଣ ମାସ । ଝିପ୍ ଝିପ୍ ବର୍ଷା ଲାଗିରହିଥାଏ । ସହରର ବିଜୁଳି ଯାଉଥାଏ ଆସୁଥାଏ। ଗ୍ରାହକଙ୍କ ଅଭାବରୁ ଦୋକାନ ବଜାର ଧୀରେ ଧୀରେ ବନ୍ଦ ହେବା ଆରମ୍ଭ ହେଇସାରିଥାଏ । ଚଳଚଂଚଳ ସହର ଶ୍ରାବଣର ବର୍ଷା ଧାରରେ ଶାନ୍ତ ପଡ଼ିଯାଇଥାଏ । ରାସ୍ତାରେ କାଁ ଭାଁ କେତୋଟି ସାଇକେଲ୍ ଗାଡ଼ି ଛାଡ଼ି ଦେଲେ ଆଉକିଛି ଦେଖାଯାଉନଥାଏ । ବୁଧବାର ଆଉ ସାଙ୍ଗରେ ଏମିତି ପାଗ ହେଇଥିବାରୁ କ୍ଲବ ଘରେ ମଦ ମାଂସର ଆସର ଜମି ସାରିଥାଏ । ସହରବାସୀ ଘର କବାଟ କିଳି ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି । କାହାଘରେ ଚିକେନ୍ କଷା ଚାଲିଥାଏ ତ କାହାଘରେ ଡାଲମାର ଛୁଙ୍କ ଆଉ କାହାଘରେ ଗରମ ଗରମ ପକୁଡ଼ି ତିଆରି ହେଉଥାଏ । କିନ୍ତୁ ମହାନ୍ତି ବାବୁଙ୍କ ଘରେ କିଛି ଅଲଗା ଦୃଶ୍ୟ ଚାଲିଥାଏ ।
- "ତମକୁ ଘଣ୍ଟାଟେ ହେଲା କହିଲିଣି ଯାଇକି ଦେଖ ଝିଅଟା ଗଲା କୁଆଡ଼େ ? ୮ଟାରେ ଆସି ଘରେ ପହଂଚିବା କଥା ରାତି ୯ଟା ହେଲାଣି ।"
- " ହୁଁ" ।
- ହୁଁ କ'ଣ ହୁଁ । କ'ଣ ମିଳୁଛି ସେ ଲେଖାଲେଖିରୁ ? ଟଙ୍କା କୋଡ଼ିଏ ହଜାର ଖର୍ଚ କରି ବହି ଦୁଇ ଖଣ୍ଡ ବାହାରକଲ । କେହି ନେଲେ ? ସବୁଯାକତ ମାଗଣାରେ ବାଣ୍ଟିଲ । ଆଜିକାଲି ଟଙ୍କା ଦେଇ କିଣୁଥିବା ବହି ପଢ଼ୁନାହାନ୍ତି । ମାଗଣାରେ ପାଉଥିବା ବହି କ'ଣ ପଢ଼ିବେ ?
ପତ୍ନୀଙ୍କ ମୁହଁରୁ ଏପରି ଅପ୍ରିୟ ସତ କଥା ଶୁଣି ମହାନ୍ତିବାବୁ ଲେଖାଲେଖି ବନ୍ଦ କରି ଛତାଟିଏ ଧରି ବାହାରି ପଡ଼ନ୍ତି ଝିଅକୁ ଆଣିବା ପାଇଁ । କବାଟ ଖୋଲିଲା ବେଳକୁ ଝିଅ ସ୍ୱିଟି ଓଦା ସଡ଼ ସଡ଼ ହେଇ କଲିଂ ବେଲ୍ ବଜାଇବାକୁ ଯାଉଥାଏ ।
- ଏଇତ ସ୍ୱିଟି ଆସିଲାଣି ।
ଝିଅକୁ ଏ ଅବସ୍ଥାରେ ଦେଖି ମହାନ୍ତି ବାବୁଙ୍କ ପତ୍ନୀ ଆରମ୍ଭ କରିଦିଅନ୍ତି ସ୍ୱଟି ଉପରେ ଗାଳି ।
- କେତେଥର କହିଛି ବର୍ଷାଦିନ ସାଙ୍ଗରେ ସଦାବେଳେ ଛତା କିମ୍ବା ରେନକୋଟ୍ ନେଇକି ଯିବାପାଇଁ । କିନ୍ତୁ ମୋ କଥା କ'ଣ ଶୁଣୁଛି । ଦେହ ଖରାପ ହେଲେ ବୁଝିବୁ ।
ମା'ଙ୍କ ପାଖରୁ ଏପରି କଥା ଶୁଣିବାକୁ ପଡ଼ିବ ବୋଲି ସ୍ୱଟି ଜାଣିଥାଏ । ତେଣୁ ସେ କିଛି ନ କହି ଡ୍ରଇଁରୁମ୍ ର ଟେବୁଲ୍ ଉପରେ ବ୍ୟାଗ୍ ଟି ରଖିଦେଇ ବାଥରୁମକୁ ଯାଏ । ବାଥରୁମ ଆଡ଼କୁ ଯାଉଥିବା ସ୍ୱଟିର ଫାଡ଼ି ଯାଇଥିବା ଡ୍ରେସ୍ କୁ ଦେଖି ତା' ମା' ସ୍ୱିଟିକୁ ଡ୍ରେସ୍ କେମିତି ଫାଡ଼ିଲା ବୋଲି ପଚାରନ୍ତି ।
- ସାରଙ୍କ ଘର କାନ୍ଥର କଣ୍ଟା ଲାଗିକି ଫାଡ଼ିଗଲା ।
- ହଉ ଶୀଘ୍ର ଡ୍ରେସ୍ ବଦଳେଇକି ଆ, ମୁଁ ଖାଇବା ବାଢ଼ୁଛି ।
ତା' ପରଦିନ ସକାଳେ ମହାନ୍ତିବାବୁଙ୍କ ସ୍ତ୍ରୀ ଘର ଅଗଣା ଝାଡ଼ୁ କରୁଥାନ୍ତି । ଘର ଗେଟ୍ ଆଗରେ ପୋଲିସ୍ ଗାଡ଼ି ଆସି ଲାଗେ । ଗାଡ଼ି ଭିତରୁ ଜଣେ ପୋଲିସ୍ ବାବୁ ଓହ୍ଲାଇ ହାତରେ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ୍ ଧରି ମହାନ୍ତି ବାବୁଙ୍କ ସ୍ତ୍ରୀ ହାତକୁ ବଢ଼ାଇ ଦିଅନ୍ତି ଚିହ୍ନିବା ପାଇଁ । ସେ ବ୍ୟାଗ୍ ଭିତରେ ଗୋଟେ ନଅ ବର୍ଷର ଝିଅର ଡ୍ରେସ୍ ତା' ହାତର ଦୁଇ ଚାରି ପଟ ଚୁଡ଼ୀ ଆଉ କିଛି ବହିଖାତା ।
- ଏ ସବୁ ଜିନିଷ ତ ସ୍ୱିଟି ର ! ଆପଣଙ୍କ ପାଖରେ କେମିତି ଆସିଲା ?
- ଅାଜି ସକାଳେ ଆମ ପେଟ୍ରୋଲିଂ ଗାଡ଼ିକୁ ଗୋଟିଏ ନଅ ବର୍ଷର ଝିଅ ର ମୃତ ଶରୀର ପାଖରେ ଏ ସବୁ ଜିନିଷ ମିଳିଲା ।
ଆଉକିଛି ବୁଝିବାକୁ ଡେରି ନଥାଏ ମହାନ୍ତି ବାବୁଙ୍କ ପତ୍ନୀଙ୍କୁ । ସମସ୍ତ ଘଟଣା ଶୁଣିବା ପରେ ସେ ଅଚେତ୍ ହେଇ ତଳେ ପଡ଼ିଯାଆନ୍ତି ।
ସ୍ୱିଟିକୁ ଯିବାର ଆଜିକୁ ତିନିଦିନ ହେଲାଣି । ସହରର କିଛି ସମାଜସେବୀ ସଙ୍ଗଠନ ହାତରେ କ୍ୟାଣ୍ଡେଲ୍ ଆଉ ସ୍ୱିଟିର ଫଟୋଥିବା ପୋଷ୍ଟର୍ ନେଇ ଗାନ୍ଧୀଙ୍କ ମୂର୍ତି ତଳେ ବସିଥାନ୍ତି । ବଡ଼ ବଡ଼ ଟିଭି ଚ୍ୟାନେଲ୍ କ୍ୟାମେରା ଆଗରେ ଶାସକ ବିରୋଧୀ ପରସ୍ପର ଉପରେ କାଦୁଅ ଫିଙ୍ଗା ଫିଙ୍ଗି ହେଉଥାନ୍ତି । ଆଉ ଏପଟେ ନଅ ବର୍ଷର ଝିଅ ସ୍ୱିଟିର ଫଟୋକୁ ଧରି ସମାଜକୁ ବଦଳାଇବା ପାଇଁ ଲେଖୁଥିବା ଲେଖକ ବାପାଟି ଗୁମୁରି ଗୁମୁରି କାନ୍ଦୁଥାଏ । ଆଉ ହତଭାଗିନୀ ମା' ବେଡରୁମ୍ ର କେଉଁ ଏକ କୋଣରେ ଝିଅର ଡ୍ରେସଟିକୁ ଧରି ଭୋ ଭୋ ହେଇ କାନ୍ଦୁଥାଏ ।
ଏସବୁ ଦେଖି ୯ବର୍ଷର ସ୍ୱିଟି ମନେ ମନେ କହୁଥାଏ -"ଏମିତି ମରିବା ଅପେକ୍ଷା ମା' ପେଟରେ ମରିଯିବାଟା ଭଲ ଥିଲା ।"
ଅବନୀନ୍ଦ୍ର ଓଝା

ରେନକୋଟ୍ ବିଜୁଳି ଗ୍ରାହକ

Rate the content


Originality
Flow
Language
Cover design

Comments

Post

Some text some message..