Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଶରୀରି
ଅଶରୀରି
★★★★★

© srutakirti Tripathy

Horror Tragedy

5 Minutes   88    1


Content Ranking


ଗତାନୁଗତିକ ମଣିଷ ଜୀବନରେ ପ୍ରତିଦିନ କିଛି ନା କିଛି ଛୋଟ ବଡ଼ ଘଟଣା ଘଟିଯାଏ, ସବୁ ତ ମନେ ରହେନା ହେଲେ କିଛି ଘଟଣା ମନରେ ଘର କରି ରହିଯାଏ ଏବଂ ସେହି ଘଟଣା ଗୁଡିକୁ ଯେବେବି ମନେ ପକେଇଲେ ଲାଗେ ସତେକି ଏବେ ତାକୁ ଅଙ୍ଗେ ନିଭଉଛି ଓ ଦେହମନ ଶିହରୀ ଉଠେ l 


ପୁଅ ଜନ୍ମ ହେଲା ପରେ ଆମେ ସ୍ୱାମୀ ସ୍ତ୍ରୀ ପ୍ରାୟ ଦେଢ଼ ବର୍ଷ କୁଆଡେ ବୁଲିବାକୁ ଯାଇ ନ ଥିଲୁ l ଟିକି ପୁଅର ଖାଇବା, ଶୋଇବାରେ ଅସୁବିଧା ହବ, କାଳେ ତା ଦେହ ଖରାପ ହବ ବୋଲି ଯେତେ ସମ୍ଭବ ତାକୁ ଘରେ ଆରାମଦାୟକ ପରିବେଶ ରେ ରଖୁଥିଲୁ l ଥରେ ସାଙ୍ଗମାନେ ମିଶି ବଣଭୋଜି କରିବାପାଇଁ ସ୍ଥିର କଲେ l ବହୁତ ଦିନରୁ ଯାଇ ନ ଥିବାରୁ ଯିବାକୁ ଇଛା ହଉଥାଏ, ପୁଣି ଛୁଆଟା ପାଇଁ ଭାବି ମନଟା ପଛଘୁଞ୍ଚା ଦେଉଥାଏ l ଅନେକ 'ହଁ' 'ନା' ପରେ ଶେଷରେ ପିକନିକ ଯିବା ପାଇଁ ଆମେ ରାଜି ହେଲୁ l ଡିସେମ୍ବର ମାସ, ଏକ ଶୀତୁଆ କୁହୁଡ଼ିଭରା ରବିବାର ସକାଳେ ଆଠ ଟି ପରିବାର ମିଶି ବାହାରିଲୁ ଡେରାସ ଡ୍ୟାମ ଉପଲକ୍ଷେ l ସୁବିଧା ହବ ବୋଲି ସମସ୍ତେ ନିଜ ନିଜ କାର ନେଇ ଯାଇଥାଉ l ଯେଉଁଠି ଦରକାର ପଡିଲେ ରହୁଥାଉ, ମଝି ମଝି ରେ କାର ରୁ ଓଲ୍ହେଇ ଗ୍ରୁପ ଫୋଟୋ ନିଆହଉଥାଏ l ପୁଅ ବି ମୋର ଖୁବ ଖୁସିରେ ହସି ହସି ଯିଏ ଡାକିଲା ତା ପାଖକୁ ପଳାଏ ତାର ଜମା କନ୍ଦାକଟା ନାହିଁ l ଟିକେ ଟିକେ କଥା କହିବା ଆରମ୍ଭ କରୁଥାଏ ବୋଲି ସମସ୍ତେ ତାକୁ ପାଖକୁ ନେଇ ଗେଲ କରନ୍ତି ଓ ତାର ଗୁଲଗୁଲିଆ କଥା ଶୁଣି ଅମୋଦିତ ହୁଅନ୍ତି l 


ଦିନ ବଢିବାକୁ ଲାଗିଲା l ନରମ ଖରା କ୍ରମେ ଉଜ୍ଜଳ ସୁନାରଙ୍ଗ ଧାରଣ କଲା l ଠିକ ସମୟରେ ଆମେ ଲକ୍ଷ୍ୟସ୍ଥଳରେ ପହଂଚି ଯାଇଥିଲୁ l ଚାରିପଟେ ବଣ, ପାହାଡ଼ ଘେରା ଜାଗାଟି l ସମସ୍ତେ ଖୁବ ସତେଜ ଓ ସହଜ ଅନୁଭବ କରୁଥାନ୍ତି l ବ୍ୟସ୍ତବହୁଳ ଜୀବନ ଭିତରେ ଏମିତି ଗୋଟିଏ ଗୋଟିଏ ଦିନ ନିହାତି ଜରୁରୀ ମଣିଷପାଇଁ ଟିକେ ଶ୍ରମଭାର ଲାଘବ କରିବାପାଇଁ ବୋଲି ସମସ୍ତେ ମତ ଦେଉଥାନ୍ତି l ହସ ଖୁସିରେ ଗପ କରି ଜଳଖିଆ ପର୍ବଟି ଶେଷ ହେଲା l ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବସ୍ଥା କରିବାକୁ ଆଗୁଆ ଲୋକଙ୍କୁ କୁହାଯାଇଥାଏ l ତେଣୁ ସମସ୍ତେ ମିଶି ବାହାରିପଡିଲୁ ଡ୍ୟାମ ସାଇଡ ବୁଲିବା ପାଇଁ l ବୁଲାବୁଲି କରି ଫେରିଲା ବେଳକୁ ଦ୍ବିପହର l ପୁଅ ପ୍ରଥମ ଥର ଏତେ ବୁଲାବୁଲି କରି ହାଲିଆ ହୋଇ ମୋ କାନ୍ଧରେ ଶୋଇ ପଡିଥାଏ l ଶୋଇଲା ପିଲା କୁ କେତେ ସମୟ କାନ୍ଧରେ ରଖିବି ତାକୁ ଟିକେ ଭଲରେ ଶୁଆଇ ଦେବାପାଇଁ ସ୍ୱାମୀଙ୍କୁ କିଛି ବ୍ୟବସ୍ଥା କରିବାକୁ କହିଲି l ସେ କହିଲେ ପିଲାମାନଙ୍କ ଶୋଇବା ଏବଂ ଜିନିଷପତ୍ର ରଖାଥୁଆ କରିବା ପାଇଁ ଦୁଇଟି କଟେଜ ନିଆହେଇଛି l ମୁଁ ଶୁଣି ଟିକେ ଆଶ୍ୱସ୍ତ ହେଲି, ଭାବିଲି ପୁଅକୁ ଟିକେ ଶୁଏଇ ଦେଇ ପାରିବି l 


ପୁଅ ସେମିତି କାନ୍ଧରେ ଶୋଇଥାଏ ସ୍ୱାମୀ ଚାବି ଆଣି ମୋ ଆଗରେ ତାଲା ଟା ଫିଟେଇ ମୋତେ ଭିତରକୁ ଯିବାକୁ କହି ତାଙ୍କ ସାଙ୍ଗମାନଙ୍କ ସହିତ ଗପରେ ମଜ୍ଜିଗଲେ l କୋଠରୀ ଭିତରେ କେବଳ ଗୋଟିଏ ଖଟ ଓ ଗୋଟିଏ ଟେବୁଲ l ଟେବୁଲ ଉପରେ ଗୋଟିଏ ପାଣି ସୁରେଇ, ଯାହା ବହୁତ ଦିନରୁ ସଫା ନ ହେଲା ଭଳି ଦେଖାଯାଉଥାଏ l ସେଇ କୋଠରୀରେ ଥାଏ ଗୋଟେ ବଡ଼ ଝରକା l ଭିତରକୁ ପଶିଲା ପରେ ଲାଗିଲା ଯେମିତି ବହୁତ ଦିନରୁ କୋଠରୀଟି ଅବ୍ୟବହୃତ ଅବସ୍ଥାରେ ଥିଲା l ମନରେ ଟିକେ ସଂଶୟ ଜାତ ହେଲା, ହେଲେ ଏତେ ସମୟ ଧରି ଛୁଆଟିକୁ ଗୋଟିଏ କାନ୍ଧ ପଟେ ଧରିଥିବାରୁ ହାତ ଦୁଇଟି ନିସ୍ତେଜ ହେଲା ଭଳି ଲାଗୁଥାଏ l ତେଣୁ ଆଉ କାହାକୁ କିଛି ନ ପଚାରି ବ୍ୟାଗ ରୁ ଗୋଟିଏ ଟାୱଲ କାଢି ଖଟ ଉପରଟିକୁ ଝାଡ଼ିବା ଆରମ୍ଭ କଲି l ଚାଦରଟିଏ ଖଟ ଉପରେ ପକେଇ ଯେମିତି ପିଲାଟାର ନିଦ ନ ଭାଙ୍ଗିବ ଆସ୍ତେ ତାକୁ ଶୁଆଇ ଦେଲି l ହାଲୁକା ହୋଇ ଟିକେ ସମୟ ବସିପଡ଼ିବି ଭାବି ବୁଲି ପଡିଛି କି ନାହିଁ ପୁଅ ବହୁତ ଜୋରରେ କାନ୍ଦି ଉଠିଲା l ସାଙ୍ଗେ ସାଙ୍ଗେ ତାକୁ କୋଳକୁ ଆଣି ଚୁପ କରେଇବାକୁ ଚେଷ୍ଟା କଲି କିନ୍ତୁ ସବୁ ଚେଷ୍ଟା ବିଫଳ ହେଲା l ସ୍ୱାମୀ ଦଉଡିଆସିଲେ କଣ ହେଲା ତାର ଜାଣିବା ପାଇଁ l ଆମେ ଦୁଇଜଣ ଭାରି ବ୍ୟସ୍ତ ହୋଇପଡିଲୁ l ଭୟରେ ତାର କାନ, ଆଖି, ଆପାଦମସ୍ତକ ସବୁ ଠିକ ଭାବରେ ଦେଖିବାରେ ଲାଗିଲୁ, କାଳେ କିଛି ପୋକ କି ପିମ୍ପୁଡି କାମୁଡି ଦେଇଥିବ, ମାତ୍ର କିଛି ଲାଭ ହେଲାନାହିଁ l ପୁଅ ସେମିତି ରାହାଧରି କାନ୍ଦୁଥାଏ ଆଖି ବନ୍ଦ କରି l ପାଣି ଟିକେ ବି ପାଟିକୁ ନଉନଥାଏ l କାନ୍ଦି କାନ୍ଦି ସେତେବେଳକୁ ପୁରା ନାଲି ପଡିଯାଇଥାଏ ତାର କଅଁଳ ମୁହଁଟି l ପୁରା ଗ୍ରୁପରେ ସମସ୍ତେ ବ୍ୟସ୍ତ, କଣ ହେଲା? କେତେ ସୁନ୍ଦର ଛୁଆଟା ଶୋଇଥିଲା ;ହଠାତ କଣ ହେଲା ଯେ କାନ୍ଦୁଛି? 


ଆମ ସାଙ୍ଗରେ ଆଉ ଜଣେ ସାଙ୍ଗର ଟିକି ଝିଅଟିଏ ଥାଏ l ତାର ଦେଖାଶୁଣା କରିବାପାଇଁ ଆମ ବନ୍ଧୁ ଦମ୍ପତ୍ତି ଗୋଟିଏ ସତର -ଅଠର ବର୍ଷର ଝିଅଟିକୁ ସାଙ୍ଗରେ ଆଣିଥାନ୍ତି l ପୁଅ ଯେତେବେଳେ କାନ୍ଦିଲା, ସେ ଦୌଡ଼ି ଆସିଲା କଣ ହୋଇଛି ଜାଣିବା ପାଇଁ l କୋଠରୀରେ ପ୍ରବେଶ କଲାମାତ୍ରେ କିଛି ଅନୁଭବ କଲାପରି ଚମକି ଉଠିଲା ;କଣ କହିବି କହିବି ହୋଇ ଜମା କିଛି କହିପାରିଲାନି, ଶବ୍ଦତକ ଯେମିତି ଢ଼ୋକି ହୋଇଯାଉଥାଏ ତାର l 


ମାୟା, ଶ୍ୟାମଳ ହୋଇ ଟିକିଏ ମୋଟା ଝିଅଟେ l ମୋଟା ତ କହିହବନି, କିଏ ଯେମିତି ଭାରି ଯତ୍ନରେ ହାଲକା ଭାବରେ ଲେପି ଦେଇଛି ତା ଦେହ l ଆଖିଦୁଇଟି ଯେମିତି କଥାକୁହା, କିଛି ଅଦୃଶ୍ୟ ଦେଖିପାରିଲା ଭଳି ଦୌଡ଼ି ଆସି ପୁଅକୁ ହାତରୁ ଛଡାଇନେଇଆସି କହିଲା, 'ଯେତେ ଶୀଘ୍ର ପାରୁଛ ଏ କୋଠରୀ ଟିକୁ ଖାଲି କରି ଏହାର କବାଟ ବନ୍ଦ କରି ସମସ୍ତେ ବାହାରକୁ ଚାଲିଆସ l'ଅନନ୍ୟୋପାୟ ହୋଇ ସମସ୍ତେ ଦୌଡ଼ିଲୁ ତା କଥାଶୁଣି ତା ପଛରେ l ସେ କହିଲା, 'ଟିକେ ଲୁଣ, କିଛି ଗୋଟା ସୋରିଷ, ୭ ତା ଶୁଖିଲା ଲଙ୍କା ଓ ମାଆ ର (ମୋର )ମୁଣ୍ଡର ୭ ଟି ଚୁଟି ଆଣିକି ମୋତେ ଦିଅ l' ମୁଁ ସେତେବେଳେ କିଂକର୍ତ୍ତବ୍ୟବିମୁଢ଼ l କଣ କରିବି ନ କରିବି କିଛି ନିଷ୍ପତ୍ତି ନେଇ ପାରୁନଥାଏ l ଛୁଅଟାର କାନ୍ଦ ବି ବେଳକୁ ବେଳ ବଢ଼ି ଚାଲିଥାଏ l ତା କାନ୍ଦ ସହିତ ମୋର ଚିନ୍ତା ଓ ଆଶଙ୍କା ମଧ୍ୟ ବଢିପାଣି ପରି ବଢ଼ି ବଢ଼ି ଚାଲିଥାଏ l ବୁଡ଼ିଲା ଲୋକକୁ କୁଟାଖିଅର ଆଶ୍ରା ଭଳି ମାୟା ଯାହା ଯାହା କହୁଥାଏ ମୁଁ ଯନ୍ତ୍ରବତ କରିଚାଲିଥାଏ l ସବୁ ଜିନିଷ ଯୋଗାଡ଼କରି ମାୟାକୁ ଦିଆହେଲା l ସେ ସବୁକୁ ଗୋଟିଏ ପତ୍ରରେ ଗୁଡେଇ, ତାକୁ ପୁଅର ମୁଣ୍ଡରୁ ପାଦ ଯାଏ ସାତ ଥର ବୁଲେଇଆଣି ନିଆଁ ଭିତରକୁ ପକେଇଦେଲା l ଆଶ୍ଚର୍ଯ୍ୟଜନକ ଭାବରେ ସେ ପତ୍ର ପୁଡ଼ିଆଟି ନିଆଁରେ ପଡିଲା ମନେ ଚଡ଼ ଚଡ ଶବ୍ଦ କରିବା ଆରମ୍ଭ କଲା ଏବଂ ଏପଟେ ସୁଇଚ ଟିପିଲା ଭଳି ପୁଅର କାନ୍ଦ ବି ଆପଣା ଛାଏ ବନ୍ଦ ହୋଇଗଲା l ପ୍ରାୟ ଅଧଘଣ୍ଟା କାଳ ଯାଏ ଚାଲିଥିବା ବ୍ୟସ୍ତତା ଓ ଭୟର ଝଡ ତେବେଯାଇ ଶାନ୍ତ ହେଲା ଏବଂ ଚାରିପଟେ ଖେଳିଗଲା ଆଶ୍ବସ୍ତି ର ନୀରବତା l ସେହି ଘଟଣା ପରେ ମୁଁ ମାୟା ଓ ତାକୁ ପାଖରେ ରଖିଥିବା ମୋ ବନ୍ଧୁଦମ୍ପତ୍ତି ଙ୍କ ପାଖରେ ଋଣୀ ହୋଇ ରହିଗଲି l 


କିନ୍ତୁ ଯାହା ଅନୁଭବ କଲି ତାହା ଥିଲା, ମଣିଷ ନିଜର କଥା ଅନ୍ୟକୁ ଜଣେଇବା ପାଇଁ ଶବ୍ଦର ପ୍ରୟୋଗ କରେ l ତାର ଦୃଶ୍ୟମାନ ଶରୀର ଦ୍ଵାରା ଇଙ୍ଗିତ କରି, କହି, ରାଗି ତାକୁ ଯାହା ଆବଶ୍ୟକ ଜଣେଇଦିଏ l କିନ୍ତୁ ଶରୀର ବିହୀନ ଆତ୍ମା ଯାହା ଆମ ଆଖପାଖରେ ରହିଛନ୍ତି କିନ୍ତୁ ଆମଠୁ ଅଦୃଶ୍ୟ, ତାଙ୍କର ଗତାନୁଗତିକତା ବାଧାପ୍ରାପ୍ତ ହେଲେ, ତାକୁ ପ୍ରତିବାଦ କରିବାପାଇଁ ସେମାନେ ମଧ୍ୟ ନିଶ୍ଚୟ କିଛି ପଦକ୍ଷେପ ନେଇପାରିବେ l ଯାହା ଆମ ପାଇଁ କଟେଜ ଥିଲା, ତାହା ଯେ ଅଶରୀରି ଙ୍କର ଦୈନିକ ବାସସ୍ଥଳୀ ହୋଇ ନ ଥିବ, କି ଆମେ ତାର ଆରାମଦାୟକ ପରିବେଶ ରେ ହସ୍ତକ୍ଷେପ କରି ନ ଥିବୁ, ସେ ବିଷୟଟି ମୁଁ ନ ଚାହିଁଲେ ସୁଦ୍ଧା ବାରମ୍ବାର ମୋ ମନକୁ ଆସୁଥାଏ l ନିଜର ଉପସ୍ଥିତି କୁ ଜଣେଇବାପାଇଁ ଏବଂ ତାର ପୁଣି ଥରେ ତାକୁ ତାର ସ୍ୱାଭାବିକ ସ୍ଥିତିରେ ଏକୁଟିଆ ଛାଡ଼ିଦେବା ପାଇଁ ସେଇ ଅଶରୀରି ର ଯେ ତାହା ଏକ ପ୍ରୟାସ ହୋଇ ନ ଥିବ ବୋଲି ବିଶ୍ୱାସ କରିହଉନଥିଲା l 

   

    କିନ୍ତୁ ସତ କହୁଛି, ମୋର ତା ପ୍ରତି ତିଳେହେଲେ ବିରକ୍ତି, କ୍ରୋଧ କି ରାଗ ନ ଥିଲା l ଶରୀର ନ ଥାଉ ମାତ୍ର ମୋକ୍ଷ ନ ପାଇଲା ଯାଏ ଆତ୍ମା ଘୁରିବୁଲନ୍ତି ତାଙ୍କର କିଛି ଅପୂରଣୀୟ କାମନା କୁ ଚରିତାର୍ଥ କରିବା ଅପେକ୍ଷାରେ ବୋଲି ମୋର ଧାରଣା ସେଦିନ ଆହୁରି ଦୃଢ ହୋଇଗଲା l 


ପୂର୍ବବତ ସବୁ ଠିକ ହୋଇଯାଇଥିଲା l ପୁଅ ପୁଣି ସାଧାରଣ ଭାବରେ ଖେଳାଖେଳି କରିବାରେ ଲାଗିଲା l ମନେ ମନେ ମାୟା କୁ ବହୁତ ଧନ୍ୟବାଦ ଦେଲି ଠିକ ସମୟରେ ଉଚିତ ପଦକ୍ଷେପ ନେଇଥିବାରୁ l ଅନ୍ଧବିଶ୍ୱାସ ହଉ ପଛକେ ସେଦିନ ମାୟା ମୋତେ ଯଉ ସାହାଯ୍ୟ କଲା ଓ ତାର ସେଇ କାର୍ଯ୍ୟକଳାପ ର ଫଳସ୍ୱରୂପ ପୁଅ ବି ପୂର୍ବାବସ୍ଥାକୁ ଫେରିଆସିଲା, ସେଥିପାଇଁ ଏ ଜଗତରେ ଅଶରୀରି ଙ୍କ ଅବସ୍ଥିତି ରହିଛି ବୋଲି ବିଶ୍ୱାସ କରିବାକୁ ଇଛା ହେଲା l ଅଜାଣତରେ ସେଇ ଅଦୃଶ୍ୟ ଉଦ୍ଦେଶ୍ୟରେ ମୁଁ ହାତ ଟେକିଲି l 


ସମସ୍ତେ ଖିଆପିଆ, ନାଚଗୀତ ସାରି ଫେରିଲାବେଳକୁ ସନ୍ଧ୍ୟା ହୋଇଯାଇଥାଏ l ପୂର୍ଣ୍ଣମୀ ଜହ୍ନ ଉଇଁଆସୁଥାଏ ଠିକ ରୁପା ଥାଳିଟିଏ ଭଳି l ଜୀବନରେ ବିତିଯାଇଥିବା ଅନେକ ଗୁଡିଏ ଦିନ ମଧ୍ୟରୁ ସେଇ ଦିନଟି କିନ୍ତୁ ମୋ ସ୍ମୃତି ଫରୁଆରେ ଆଜିଯାଏଁ ରହିଯାଇଛି ମଣିଟିଏ ହୋଇ l 


     ଶୃତକୀର୍ତ୍ତି ତ୍ରିପାଠୀ

ପୁଅ ମାୟା ଅଶରୀରି

Rate the content


Originality
Flow
Language
Cover design

Comments

Post

Some text some message..