Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କାଳିଶି
କାଳିଶି
★★★★★

© Satyaprakash Sethy

Fantasy Others

6 Minutes   8.4K    20


Content Ranking

ଆମେ ଆଜି କାଲି ସମସ୍ତେ ସହରୀ । ଗାଁକୁ ବର୍ଷେ / ଛଅ ମାସରେ କେବେ ଥରେ ଯାଏ । ପୁଣି ଅଳ୍ପ ସମୟ ରହେ । ଗାଁ ସହ ଆମର ସଂପର୍କ ଖୁବ୍ କମ୍ । ପୁଣି ଆମେ ଗାଁ ରୀତି-ନୀତି, ଚାଲି-ଚଳଣି, ବିଶ୍ୱାସ-ସଂସ୍କୃତି ସଂପର୍କରେ ସଂପୂର୍ଣ୍ଣ ଅନଭିଜ୍ଞ । ମାତ୍ର ଗାଁର ଯେଉଁ ଗୋଟିଏ ଅଧେ ରୀତି-ନୀତି, ପରମ୍ପରା ମନେପଡ଼େ – ତାହା ଭାରି କୌତୁହଳପ୍ରଦ । ଗାଁର ପର୍ବ-ପର୍ବାଣୀ, ଯାନି-ଯାତ୍ରା, ଉପବାସ-ବ୍ରତ ଟିକିଏ ଭିନ୍ନ ପ୍ରକାରର । ଆମ ସହର ପରିକା ଆଦୌ ନୁହେଁ । ପୁଣି ଗାଁର ପୁନେଇଁ ପର୍ବ, ପିଠା-ପଣା ଏକ ଭିନ୍ନ ସ୍ଵାଦର । ଭିନ୍ନ ରୁଚିର ।

ଯେତେ ସହରର ଚାକଚକ୍ୟ, ସୁବିଧା -ସୁଯୋଗ ସବୁ ଥାଉନା କାହିଁକି ମନ ଡ଼ାକେ ଟିକିଏ ଗାଁ ଆଡ଼େ ଯାଇ ବୁଲି ଆସିବାକୁ । ଆଜି ଗାଁକୁ ମୁଁ ବାହାରି ଥାଏ । ଗାଁ ମୁଣ୍ଡ ଜାଗୁଳାଇ ଠାରେ ପହଁଞ୍ଚିଛି କି ନାହିଁ, ମନେ ପଡ଼ିଗଲା ପିଲା ଦିନର କଥା । ମୁଁ ଛୋଟ ହୋଇଥିଲି ଆଉ ଥରେ ଏମିତି ମୁଁ ଗାଁକୁ ଆସିଥିଲି …।

ଗାଁରେ ମୋଟେ ବର୍ଷା ହେଉ ନଥିଲା। ଲୋକଙ୍କର ଭାଳେଣି ପଡ଼ି ଯାଇଥାଏ – “କେମିତି ଚାଷ ହେବ? ରୁଆ ପୋତା ହୋଇ ନାହିଁ। ଦଇବ ନିଷ୍ଠୁର ସାଜିଛି। ଗାଁରେ ପାପ – ତାପ ବଢି ଗଲାଣି। ମିଟି ମିଟିଣି ଡାକ।”

ଗାଁ ସାରା ଏକାଠି ହେଲେ । କଥା ହେଲା – “ଦୁଇ ଟଙ୍କା ଲେଖାଏଁ ଆଦେଇ ହେବ । ସାତ ନଈରୁ ପାଣି ଆସିବ । ନଡ଼ିଆ, କଦଳୀ, ଗୁଡ଼, ଚୁଡ଼ା, ଝୁଣା, ଗୁଗୁଳ, ଧୂପ, ଦୀପ, ବସାଦହି, ପଣା, ପାଣି , ଭୋଗରାଗ ସବୁ ଆସିବ ।

ସ୍ଥିର ହେଲା – “ଠାକୁରାଣୀ ଗାଧୁଆ-ପାଧୁଆ ହେବ । ଗ୍ରାମର ଗ୍ରାମ ଦେବତୀ ବୁଢୀ ଜାଗୁଳାଇଙ୍କୁ ଗାଧୋଇ ଦିଆଯିବ । ଆଉ ପୁଣି ପ୍ରତି ସାହିରେ କୀର୍ତ୍ତନ ଗୋସାଇଁ ଠାକୁର -ବାକୁର ଅଛନ୍ତି- ସେ ବି ଏକା ବେଳକେ ଗାଧୋଇବେ ।”

ଠାକୁରାଣୀ ଗାଧୋଇ ଦେବା ଦିନ ଧାର୍ଯ୍ୟ ହେଲା । ଜଣେ କହିଲା – “ମଙ୍ଗଳବାର ବା ଶନିବାରକୁ ରଖ । ସେ ଦି’ଟା ମା’ଙ୍କ ବାର ।” ସେୟା ହେଲା, ଶନିବାରକୁ ସ୍ଥିର ହେଲା । ଗାଧୋଇ ଦେବାର ସମୟଟା ମଧ୍ୟ ବଡ଼ ବିଚିତ୍ର ଲାଗୁଥାଏ । ଜଣେ କହିଲା – “ଉପର ଓଳିକୁ ରଖ ।” ମୁଁ ଜାଣିଥାଏ ଲୋକ ସକାଳୁ ସକାଳୁ ଉଠି ଗାଧୋଇ ପଡ଼େ । ନିଜ ନିତ୍ୟକର୍ମ ସାରି କାମ -ଧନ୍ଦାକୁ ଚାଲିଯାଏ । ନତୁବା କେହି କେହି କାମ-ଧନ୍ଦା ସାରି ଦିପହର ବେଳକୁ ଗାଧୋଇ ଖାଇଥାଏ । ହେଲେ ସଂଜୁଆ ଠାକୁରାଣୀ କେମିତି ଗାଧୋଇବେ ? ଓ……ହୋ …..ସେ ପରା ଠାକୁରାଣୀ -ତାଙ୍କର ସବୁ ଅଲଗା । ତାଙ୍କ ଗାଧୋଇବାର ବେଳଟା ବି ଟିକିଏ ଅଲଗା । ନା …..ନା….. ସକାଳେ ଯେଣୁ ଗାଁ ଲୋକ ସବୁ ଚାଷ କାମରେ ମାତିଥିବେ ଆଉ ଉପର ଓଳିକୁ ସେମାନେ ଏକ ଓଳିଆ କରି ଘରକୁ ଫେରି ଆସିଥିବେ, ସେଇଥିପାଇଁ ଠାକୁରାଣୀ ବୋଧେ ସଂଜ-ସଂଜୁଆ ଗାଧୋଇବେ । ହେଲେ ଠାକୁରାଣୀ ଯଦି ସର୍ଦ୍ଦିରେ ପଡ଼ି ଛିଙ୍କି ହେବେ ? ଜ୍ୱରରେ ପଡ଼ି ଆକ୍ରାନ୍ତ ହେବେ ?? ଆମ ମଣିଷଙ୍କ କଥା କିଏ ବୁଝିବ ??? ଓ …..ହୋ…. ସେଇଥିପାଇଁ ତା’ହେଲେ ଠାକୁରାଣୀଙ୍କୁ ଘିଅ ଲଗାଇ ଦେବେ । ଦିହ ଗରମ ରହିବ ବୋଲି । ପୁଣି ପଣା ପାଣି କଅଣ ହେବ ? ସେଇଟା ନିଶ୍ଚୟ ସିରାପ ହୋଇଥିବ । ସର୍ଦ୍ଦିକୁ କାଟୁ କରିବ …. ।

ଏଥର ଠାକୁରାଣୀ ଗାଧୋଇ ଦେବା ଦିନ ଆସିଗଲା । ଲୋକେ ବିଲ ବାଡ଼ିରୁ ଫେରି ଆସିଲେ । ପେଟେ ଖାଇ ବାହାରି ପଡ଼ିଲେ – ହାତେ ଖୋଳ କରତାଳ – ଧରି । ଢମ-ଢମ ଢୋଲ, ଝମ-ଝମ ଝାଞ୍ଜ ଶଦ୍ଦ ଶୁଣି, ଆଉ କି କେହି ଘରେ ରହେ ? ଗାଁଟା ଯାକ ଛୁଆ ଲାଇନ୍ ଲଗେଇ ଦେଲେ । ପାଟି କରି ହୋ ହାଲ୍ଳା ମଚାଉଥାନ୍ତି । ମାଗୁଣି ନନା ବି ଆସିଯାଇଥାନ୍ତି । ସେ ଭାରି ମନ୍ତ୍ର ବୋଲିଲା ବାଲା । ବଡ଼ ପାଟି କରୁଥା’ନ୍ତି । ଏକା ନିଶ୍ୱାସକେ ମନ୍ତ୍ର ଗୁଡ଼ାକ ପଢି ଯାଉଥା’ନ୍ତି । ମଝିରେ ଯାହା ଟିକିଏ ରହି ଯାଉଥା’ନ୍ତି । ବୋଧହୁଏ ଏଇଠି ଟିକିଏ ମନ୍ତ୍ରଟା ମନେ ପଡ଼ୁନଥାଏ । କିମ୍ବା ନିଜକୁ ଲୁଚାଇବା ପାଇଁ ଗୁଣୁ ଗୁଣୁ ହୋଇ, ମନ୍ତ୍ରଟାକୁ ଗୋଳେଇ ଦେଉଥାନ୍ତି । ନା …ଲୋକେ କୁହନ୍ତି ସେ ଭାରି ପାଠୁଆ ନନା । ତା ହେଲେ …ତାଙ୍କ ପାଟି ବୋଧେ ଶୁଖି ଯାଉଥିବ ବା ସେ ନିଶ୍ୱାସ ଢୋକୁଥିବେ ।

ଏଣିକି ଭୋଗ ସବୁ ସଜଡ଼ା ଗଲା। ନନା ଆଗ ଭୋଗ ସବୁ ଭାଗ କରିଦେଲେ । ଇଏ ବଡ଼ ଠାକୁର ଟିକିଏ ଅଧିକା । ଇଟ ଛୋଟ ଠାକୁର ଟିକିଏ କମ୍ । ସାହି ଦେହୁରିଙ୍କୁ ଡ଼ାକି ଧରାଇ ଦେଲେ । କହିଲେ- “ଆଗ ଗ୍ରାମ ଦେବତୀଙ୍କ ଭଉଣୀ ସାହି ଠାକୁରାଣୀ ଓ ଠାକୁରଙ୍କୁ ଗାଧୋଇ ଦେଇକି ଆସ । ନୋହିଲେ ଅନ୍ୟ ଦିଅଁ-ଦେବତା ମନ ଉଣା କରିବେ ।”

ଇତ୍ୟବସରରେ ନନା ଆଗୁଆ ଭୋଗ ସବୁ ପ୍ରସ୍ତୁତ କରି ରଖୁଥା’ନ୍ତି । କଦଳୀ ଛଡ଼ା ଗଲା । ନଡ଼ିଆ ଭଙ୍ଗା ଗଲା । ଘିଅ, ମହୁ, ବସାଦହି ଢଳାଗଲା । ଗୁଡ଼ -କର୍ପୂର ପଡ଼ିଲା । ଛୁଆ ଡ଼େଇଁଲେଣି ଭୋଗ ଖାଇବାକୁ ।

ଏବେ ପଣା-ପାଣିର ପ୍ରସ୍ତୁତି ଚାଲିଲା । ବଡ଼ ଲୋକମାନଙ୍କର – ତା’ଠେଇଁ ଭାରି ନଜର । କହିଲେ – “ନନା ! ଠାକୁରାଣୀଙ୍କୁ ଦେଇ, ଆଉ ଯାହା ହେଲା, ଟିକିଏ ଅଲଗା ରଖିଥିବୁ । ସେଥିରେ ଟିକିଏ ଭାଙ୍ଗ ଜୋହର ପକେଇବୁ” । – “ଆମକୁ ଟିକିଏ ଦେବୁ ଲୋ ନନା”- “ଢାଙ୍କି-ଢୁଙ୍କି ନନା ରଖିଥା’ । ନୋହିଲେ ଛୁଆ କେତେବେଳେ ହାପୁଲା ମାରି ଦେବେ ।”

– “ମୋତେ ଟିକିଏ ନଡ଼ିଆ ନଡ଼ିଆ ବାଛିକି ନନା ଦବୁଲୋ ।” ନନା ସମସ୍ତଙ୍କ କଥା ଶୁଣି ଶୁଣି ବିରକ୍ତ ହୋଇ ଉଠୁଥାନ୍ତି । ଛୁଆ ଥଟ୍ଟା କରୁଥାନ୍ତି – “ଏ ଚିଡ଼ୁଆ ନନା! ଟିକିଏ ୟାଡ଼କୁ ଅନା” । ଏଥର ନନା ଚିଡ଼ିକି କହିଲେ- “ମୋତେ କେଣ୍ଟା ମେଣ୍ଟା କରୁଛ ବଡ଼ ଚିଟା ନାଗୁଛି; ଏଇଲାଗେ ଛାଡିକି ପଳେଇବି ଯେ…..ତୁମେ ତୁମର ସବୁ କରୁଥା’ ।” – “ନା …….ଲୋ …..ନନା ! ତୁ କାହିଁକି ଇମିତି ରାଗୁଛୁ । ହୋଉ ……..ହୋଉ…ତୁ ମୋତେ ସଢେଇଟା ଦେନି । ମୁଁ ଆଗୁଆ ରଖିଥାଏଁ । ଛୋଟିଟା ପାଇଁ ଟିକିଏ ଭୋଗ ନେମି । ନହେଲେ ସେ କାନ୍ଦିବ” ।

ଏଥର ଚୂଡାନ୍ତ ପର୍ବ । ଧୂପ -ଦୀପ ଥୁଆ ହେଲା । ଠାକୁରାଣୀ ଘିଅ-ହଳଦୀ ମାଖି ହେଲେ । ଅଗରୁ ଅତର ନାଇଲେ । ସାତ ନଈର ପାଣି ଢଳା ହେଲା । ନାଲି କପଡ଼ା ପିନ୍ଧିଲେ, ସିନ୍ଦୂର-ଚନ୍ଦନ ଟିପା ଲଗାଇଲେ । ଠାକୁରାଣୀଙ୍କ ଗାଧୁଆ-ପାଧୁଆ ଚାଲିଲା । ନନା କହିଲେ- “ଖୋଳ କରତାଳ ଜୋହର କରି ବାଡ଼ା; ସମସ୍ତେ ଶଙ୍ଖ ହୁଳହୁଳି ଦିଅ” ।

ଏଥର ଅନନ୍ତ ହାଜିରା କୋଉଠି ଥିଲା କେଜାଣି ? ଦୌଡ଼ି ଦୌଡ଼ି ଆସିଲା । କୁଆଡ଼େ ଅରୁଆ ଭାତ ଖାଇ ଘରେ ଶୋଇଥିଲା । ଲୋକେ କୁହା କୁହି ହେଉଥିଲେ- “ତା’କୁ ଭାରି କାଳିଶି ଲାଗେ । ତା’ର ଦେବତା ଗଣ ବୁଢୀ ଠାକୁରାଣୀ- ଜୀଅନ୍ତା ଦେବତା। ତା’ର ଭାରି ପ୍ରତାପ । କଞ୍ଚା ଖାଇ ଯିବ ।” ମୁଁ ଟିକିଏ ଡ଼ରି ଗଲି । ଦିହଟା ଶୀତେଇ ଉଠିଲା ।

ଏଥର କାଳିଶି ଦମେ ନାଚିଲା । ଡ଼େଇଁ -କୁଦି ଖାଲି କୁହାଟ ମାରୁଥାଏ । ହାତ-ଗୋଡ଼ ମୋଡ଼ି-ମୋଡ଼ି କରି ସାପ କରୁଥାଏ । ଦେହଟା ସାରା ମେଲେରିଆ ଜ୍ୱର ହେଲା ପରି ଖାଲି କଂପୁଥାଏ । ଥର-ଥର ହୋଇ କଥା କହୁଥାଏ । ଘୁମୁରି ପାରା ଭଳି ଘୁମୁରୁ ଥାଏ ।

ଏବେ ସେ ଚେକା ମାଡ଼ି ବସି ପଡ଼ିଲା, ଖାଲି ଦୋହଲୁ ଥାଏ । ଗାଁର ଦି-ଚାରି ଜଣ ପୁରୁଖା ବାଟ ଆଡ଼େଇ ଆଗକୁ ତଡ଼ି ନେଲେ । କହିଲେ- “ରୁହବେ ଛୁଆ! ପାଟି କରନା; ଠାକୁରାଣୀ ଆଇଛନ୍ତି; ଭଲମନ୍ଦ କଅଣ ପଚାରି ବୁଝିବା ।”

ଝାଡ଼ାଫେରିଲା ପରିକା ତା’ ଆଗରେ ବସି ପଡ଼ିଲେ । କହିଲେ – “ମାଲୋ ….ମା ..କୁଆଡ଼େ କେମିତି ଆଇଲୁ ? ବର୍ଷା ପାଣି ଖବର କଅଣ ? ? ବିଲ ପୋଖରୀ ତ ଶୁଖି ଗଲାଣି ।”

ଏଥର ଠାକୁରାଣୀ କହିଲେ – “ଘୋର ଅନ୍ୟାୟ…କଳି କାଳ ଉପସ୍ଥିତ ….ଲୋକେ – ଠାକୁର ବାକୁର ମାନୁ ନାହାଁନ୍ତି ” ।

ଏତିକି ବେଳେ ଗୋଟେ ଛୁଆ କହିଲା – “ଇବେ ……ଏ’ଅନନ୍ତା ଗୋସିପା ଏଇଁନ୍ତି କଅଣ ହଉଚି”?

ଠାକୁରାଣୀ ରାଗିଗଲେ । କହିଲେ – “ଏ ନିଷ୍ଠୁର ବାଳକ! ମୋତେ ଜାଣ ନାହିଁ ……ଅନାନି କହୁଚି ……ନିଆଁ ନଗେଇ ଦେମି । ସବୁ ଜାଳି ପୋଡ଼ି ପାଉଷଁ କରିଦେମି । ମୋତେ ତୁମେ ହାସ୍ୟ କରୁଛ ……?

ମୁରବୀମାନେ ନେହୁରା ହେଲେ କହିଲେ- “ମାଲୋ! ନିଷ୍ପାପ ଛୁଆଟା, କିଛି ଜାଣି ନାହିଁ । ତୋରି ଛୁଆ ତୁ କ୍ଷମା ଆଚରଣ କରିବୁ ନାହିଁ ତ, ଆଉ କିଏ କରିବ କହିଲୁ ? ହଉ….ବର୍ଷା ପାଣି କଥା କଅଣ ଟିକିଏ କହନି” ….

ଠାକୁରାଣୀ କହିଲେ – “ନନାକୁ ଆଗ ଡ଼ାକ; ଝୁଣା ଧୂଆଁ ଟିକିଏ ଭଲ କି ଦେଉ” । ନନା ଝୁଣା ଧୂଆଁ ଦିଅନ୍ତେ, ବେତରେ ଦି-ଚାରି ପାହାର କଷି ଦେଲେ । କହିଲେ- “ଆଗ ପଣା-ପାଣି କଥା କାହିଁକି ଭୁଲି ଗଲୁ? ନନା ତରବରରେ ପଣା ହାଣ୍ଡିଟା ଆଗରେ ଥୋଇ ଦେଲା । ଛୋଟ ମାଟି କଳସୀରେ , କଳସୀ କଳସୀ ଢାଳି ଦେଲା । ଠାକୁରାଣୀ କହିଲେ- “ଏଣିକି ଆଉ ଯାହା ରହିଲା ମୋ ଭକ୍ତଙ୍କୁ ବାଣ୍ଟି ଦେ । ପଣା ପାଇଁ ଠେଲା -ଠେଲି, ଚଢା ଚଢି ହେଉଥା’ନ୍ତି । ଠାକୁରାଣୀ ପୁଣି କହିଲେ – “ବର୍ଷା ହେବ ଯେ, ହେଲେ ଗାଁରେ ଆଗେ ବିବାଦ ତୁଟାଅ ।”

“ଗାଁରେ କାଁଡ ଭାଁ ଗଣ୍ଡଗୋଳ ଲାଗିଗଲାଣି; ଠାକୁରାଣୀ ରାଗି ଗଲେଣି;ଉପାୟଟା ଆଗେ ପଚାରି ବୁଝ”- ମଧୁ ବଡ଼ପା କହିଲେ ।

– “ଉପାୟ ଅଛି । ହେଲେ ଦୋଳିଆ ଆଗ ବାଡ଼ ଉଠାଉ । ଠାକୁରାଣୀ ରାତିରେ ତାଙ୍କ ଭଉଣୀ ଠାକୁରାଣୀଙ୍କ ପାଖକୁ ଯାଇ ପାରୁ ନାହାଁନ୍ତି। ତାଙ୍କ ଯିବା ଆସିବା ବାଟ ସବୁ ବନ୍ଦ ହୋଇ ଯାଇଛି । ମାଧିଆ କେସ୍ ଉଠାଉ। ସନା ହିଡ଼ ଉଠାଉ । ଗାଁ ସାରା ଲୋକ ବଡ଼ି ଭୋରରୁ ଉଠି, ଦାଣ୍ଡରେ ଲିପା-ପୋଛା କରି, ପଣା ଢାଳନ୍ତୁ । ଗାଁକୁ ବୁଢୀ ଠାକୁରାଣୀ ଆଇଛି । ହଇଜା, ମହାମାରୀ ବ୍ୟାପିବ । ତେଣୁ ସାତ ଦିନ ରାତିରେ ଗାଁ ସାରା ଅରନ୍ଧା ବଢା ରହିବ । ସଂଜେ ବାଡ଼ି ଠାକୁରାଣୀ ଉଦ୍ଦେଶ୍ୟରେ ସମସ୍ତେ ସଂଜ ଦେବେ ।”

– “ଗାଁରେ ଏତେ ଲୋକ ଅଛନ୍ତି; ହେଲେ ଦୋଳିଆ ବଡ଼ପା ଏକା କାହିଁକି ବାଡ଼ ଉଠେଇବ ? ହଁ ….ହଁ ମନେ ପଡ଼ିଗଲା । ନୁହଁ …..ନା… ଅନନ୍ତ ଗୋସିପାହର ଗୋ ମା ସହିତ ଦୋଳିଆ ବଡ଼ପାହର ବଡ଼ମା’ର ଝଗଡ଼ା ହୋଇଥିଲା ପା …. ।ଏଥର ଠାକୁରାଣୀ ଉଠିଲେ । କହିଲେ ତାଙ୍କ ଯିବା ସମୟ ହୋଇଗଲାଣି, ଖାଳି ଗାଁଟାକୁ ବନ୍ଦନ କରି ଦେଇକି ଯିବେ । ଦୁଷ୍ଟ ଶକ୍ତି, ଭୂତୁଣୀ -ପୁତୁନୀ, ଡ଼ାହାଣୀ-ଚିରିକୁଣୀ ଗାଁରେ ପଶି ପାରିବେ ନାହିଁ । ଝୁଣା ଧରି ଦୌଡ଼ିଲେ, ଶଙ୍ଖ, ହୁଳହୁଳି, ମୃଦଙ୍ଗ, ଝାଞ୍ଜ ପୁଣି ବାଜିଲା । ଠାକୁରେ ନାଚି ନାଚି ଆଗେ ଚାଲିଲେ । ପିଲାଏ ହୋ…..ହୋ…. ହୋଇ ପଛେ ପଛେ ଧାଇଁଲେ । ଗାଁ ଦୋଷମାଳୀରେ କୁକୁଡ଼ା ବଳି ଦେଲେ । କହିଲେ – “ଗାତ ଖୋଳି ପୋତି ଦିଅ, ରାତିରେ ବୁଢୀ ଠାକୁରାଣୀ ଆସି ଖାଇବ” । ଏବେ ଗାଁ ପରିକ୍ରମା ସରିଲା ଅନନ୍ତ ଗୋସିପା ଠାକୁରାଣୀ ଆଗେ ପଡ଼ି ଗଲେ । ଗୋଡ଼ ନାଠି କରିଦେଲେ । ଲୋକ ପାଣି ଛାଟି ସ୍ରାଷ୍ଟାମ କଲେ । ଟେକି ଟେକି ଘରକୁ ନେଇଗଲେ, ଠାକୁରାଣୀ ଗାଧୁଆ ସରିଗଲା । ଖାଲି ରହିଗଲା କୁକୁଡ଼ାଟା ପୋତା ହୋଇ । ଠାକୁରାଣୀ ରାତିରେ ଖାଇଲେ କି ନାହିଁ ? ସକାଳୁ ଯାଇ ଦେଖେ ତ ଗାତଟା ଖାଲି ପଡ଼ିଛି । ଅନନ୍ତ ଗୋସିପା ବାଡ଼ିରେ ଯାଇ କଣ୍ଟାଟା ପଡ଼ିଛି ।

ଠାକୁରାଣୀ ଗାଁ ସଂସ୍କୃତି

Rate the content


Originality
Flow
Language
Cover design

Comments

Post

Some text some message..