Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyaprakash Sethy, M. A(UGC NET)

Tragedy

5.0  

Satyaprakash Sethy, M. A(UGC NET)

Tragedy

ଭୋଦେଇ ଖରା

ଭୋଦେଇ ଖରା

7 mins
7.6K


ପ୍ରଚଣ୍ଡ ରୌଦ୍ରକ୍ଲିଷ୍ଟ ନିଦାଘର ଝାଞ୍ଜି ପରେ ଆସେ ବର୍ଷାର ରାଜୁତି । ଘନ ଘନ ମୈାସୁମୀ ପ୍ରବାହରେ ପ୍ରବହମାନ ହୋଇଉଠେ ଧରିତ୍ରୀର ବକ୍ଷ, ନବ ପଲ୍ଲବରେ ପଲ୍ଲବିତ ହୋଇ ସାରିଥାଏ ବୃକ୍ଷ ରାଜି । ଏଥକୁ ନାନା ଫଳ ପୁଷ୍ପ ଧାରଣ କରି ପ୍ରକୃତି ରାଣୀ ହସି ଉଠିଲା — ଏକ ନବୋନ୍ମାଦନା ଓ ନବୋଲ୍ଲାସରେ । ସବୁଜ ଓଢ଼ଣା ଟାଣି ପୃଥିବୀ ରାଣୀ ନବ ବଧୂ ସାଜିଲା । ସବୁଜିମାରେ ଧରିତ୍ରୀ ଭରପୂର ହୋଇଗଲା । ଏକ ଅଫୁରନ୍ତ ଉତ୍ସବରେ ଉତ୍ସବ ମୁଖର ହୋଇ ଉଠିଲେ ଜୀବ ଜଗତ ।

ମାଧ ଭୋରରୁ ଉଠି ବିଲ – ବାଡ଼ିକୁ ଚାଲିଯାଏ । ଦ୍ୱି-ପ୍ରହର ବେଳକୁ ଫେରେ । କ’ଣ ଦି-ଟା ଖାଇଦେଇ ପୁଣି କ୍ଷେତବାଡ଼ିକୁ ଚାଲିଯାଏ । ପାଣି କାଦୁଅରେ ଚବର ଚବର ହୋଇ କାମରେ ମାତିଯାଏ । ହିଡ଼ କତି, ମହି, ଧାନ ରୂଆ-ପୋତା, କାଦୁଅ ହଳ, ଭୋଳ ମରା ଆଦି କେତେ କାମ ଲାଗିଯାଏ । ସାଥି ସହଯୋଗୀ ମୂଲିଆ ଭାଇ ସହ କାମ କରୁ କରୁ ଖୁସି ଅଣ୍ଟେ ନାହିଁ କି ଦିନ ସରେ ନାହିଁ । ମନରୁ ସ୍ୱତଃ ଝରି ଆସେ କେତେ ମନ ମତାଣିଆ ସଙ୍ଗୀତର ମଧୁର ମୂର୍ଚ୍ଛନା– ହେ ବନ ଗିରି ! ହେ ଲତା ଗିରି ! ମୋ କାନ୍ତ ଗଲେ ଖାସି ମାରି, କହିବ ମୋ କାନ୍ତକୁ, ଆଣିବେ ତା ଛାଲଟାକୁ, ପିନ୍ଧିବି ତାକୁ ସାୟା କରି, କହିବ ମୋ କାନ୍ତକୁ ଆଣିବେ ତା ମୁଣ୍ଡଟାକୁ, ଖାଇବି ତାକୁ ଝୋଳ କରି, କହିବ ମୋ କାନ୍ତକୁ, ଆଣିବେ ତା ପୁଣ୍ଟାଟାକୁ, ପିନ୍ଧିବି ତାକୁ ବ୍ଲାଉଜ୍ କରି….. ।” ପାଖ କିଆରୀରୁ ଚାଷୀ ଭାଇ ପାଳି ଧରେ । ଛୁଟି ଚାଲେ ହସର ଜୁଆର । କ୍ଳାନ୍ତି ଅପମୋଦନ ହୋଇଯାଏ । ଜଣାପଡ଼େ ନାହିଁ ସମୟଟା କେଉଁ ବାଟେ ଚାଲିଯାଏ । ତହିଁକି ସମୟଟା ଉଚ୍ଛର ହୋଇ ଯାଇଥାଏ । ଫେରିଲା ବେଳକୁ ଅବଗୁଣ୍ଠନବତୀ ସଞ୍ଜ ନଇଁ ଆସେ । ପଲ୍ଲୀ କୋଳରେ ପ୍ରକୃତି ରାଣୀ, ମିଟି ମିଟି ତାରା ରାଣୀର ଝିଲି ମିଲି ଆଲୁଅରେ ହସି ଉଠେ ।

ସ୍ୱାମୀ-ସ୍ତ୍ରୀ ଆଉ ନାଲି ଚା ଟିକକ ଧରି ଦାଣ୍ଡ ପିଣ୍ଡାରେ ବସି ପଡ଼ନ୍ତି, ଜମି ଆସେ ଖୁସିର ଆସର । ପରସ୍ପର ଟୁପୁରୁ ଟାପୁରୁ ହୋଇ ଗପସପରେ ମାତି ଯାଆନ୍ତି । ଆର ଘରେ ଡ଼ିବିରି ଆଲୁଅ ଜାଳି ଧଡ଼ିଆ ପାଠ ପଢ଼େ, ମୁନି ଚୁଲୀ ମୁଣ୍ଡରେ ବସି ଚୁଲୀ ଫୁଙ୍କେ । ମୁନି ବୋଉ ଦାଣ୍ଡ ପିଣ୍ଡାରୁ ପାଟି କରି ଉଠେ- “ରେ ! ଧଡ଼ିଆରେ ମନ ଦେଇ ପାଠ ପଢ଼, ହାକିମ ହେବୁ । ଆଉ କେତେ ଦିନ ଆମେ ଏମିତି ମୂଲ ଲାଗି ପରିବାର ଭରଣ ପୋଷଣ କରିବୁ । ଲୋ ମୁନି ଝଅଟ କ’ଣ ଦି-ଟା ଫୁଟାଇ ଦେ । ତୋ ବା ସହଳ ଖାଇ ଶୋଇବ । ଖଟି ଖଟି ଲୋକଟାର ବଳ ବୟସ ହଟି ଗଲାଣି, ତେଣିକି ସକାଳୁ ଉଠିଲେ କେତେ କାମ । ଲୋ ଝିଟି! ଚୁଲୀଟା ଯଦି ନ ଜଳୁଛି ଘସି ଦି ମୁହାଣେ ପୁଆଇ ଦେ ।”

ସେହି ପିଣ୍ଡାରେ ପିଣ୍ଡାରେ ବିଧାନ ସଭା ବସିଯାଏ । କେତେ ଯୁକତି-ତରକ, କଥା କଟାକଟି, ଶେଷରେ ବର୍ଷଟା ସାରା ପାଇଁ ବଜେଟ୍ ପ୍ରସ୍ତୁତ ହୋଇଯାଏ । ମନରେ କେତେ ଯେ ଭବିଷ୍ୟତର ସୁନେଲି ସ୍ୱପ୍ନ ସବୁ ନାଚି ଉଠେ । ଏଥର ଇନ୍ଦ୍ର ଦେବତା ପ୍ରସନ୍ନ ହୋଇଛନ୍ତି । ଭଲ ବର୍ଷା ହୋଇଛି । ଭଲ ଧାନ ଫସଳ କେରାଏ ହେବ । ଭଲ ଅମଳ ଗଣ୍ଡେ ମିଳିବ । ବର୍ଷକ ପାଇଁ ଚାଉଳ କରିବେ । ପୁନେଇ ପରବ, ଭୁଜା-ଭୁଜି, ପିଠା- ପଣା, ପାଇଁ ଅଲଗା ଧାନ ଚାଉଳ ରଖିବେ । ବିହନ ଗଣ୍ଡେ ପୁଣି ସାଇତି ରଖିବାକୁ ପଡ଼ିବ । ଖାଇ ପିଇ ବଳକା ଯାହା ରହିବ; ସେଥିରେ ସେମାନେ ଧଡ଼ିଆ ପାଇଁ ଲୁଗା କିଣିବେ, ଏଥର ଶୀତ ଲୁଗା ଆସିବ । ପୁନିର ଶାଶୁ ଘରକୁ ସାଦ ପଠାଇବେ । ବଡ଼ ଝିଅଟା ଏଥର ପ୍ରଥମ ପୋଖତି ଖାଇବ । ସବୁ ଜିନିଷ ଠିକ୍ ଠାକ୍ ନ ଦେଲେ ପୁଣି ଯା- ଦେଢ଼ସୁର, ନଣନ୍ଦ ଅଛନ୍ତି । କଥାଟା ନାକରା ହେବ । ଆଉ ଯାହା ରହିବ ପୋଷ୍ଟ ଅଫିସର ପାସ୍ ବୁକ୍ ଖୋଲି ଜମା ରଖିବେ । ନୋହିଲେ ମୁନିଟାର ବାହାଘର କେମିତି ହେବ ? ଏ ବର୍ଷ ନହେଲା ନାହିଁ, ଆର ବର୍ଷକୁ ତ ଚିନ୍ତା କରିବାକୁ ପଡ଼ିବ ? ଆଜି କାଲିକା କଥା ତ ଶୁଣୁଛ ! ବେଳୁ ହୁସିଆର ନ ହେଲେ ଝିଅଟା ଆମର ଅଭିଆଡ଼ି ରହିଯିବ । ଛାଡ଼, ଏତେ ସପନକୁ ରାତି କାହିଁ ? ଚାଲିଲ! ଚାଲିଲ ! ତୁଣ୍ଡରେ କ’ଣ ଦି’ଟା ଦେଇ ଶୋଇ ପଡ଼ିବ । ରାତି ପାହିଲେ ତେଣେ କେତେ କାମ ।

ଏ ହେଉଛି ତାଙ୍କର ନିତି ଦିନିଆ ତେଲ ଲୁଣର ସଂସାର । ଏହି ହେଉଛି ତାଙ୍କର କ୍ଷୁଦ୍ର କୃଷକ ପରିବାର ଆଉ କୃଷିକାରୀ ମଣିଷ କେଇ ପ୍ରାଣୀର କଥା । ମନଦୋଳା ଆନନ୍ଦରେ ନାଚି ଉଠୁଥାଏ । କୈାଣସି ପ୍ରକାରରେ ସଂସାରଟା ଚଳି ଯାଉଥାଏ । ସେଦିନ ବର୍ଷାଟା କାହୁଁ ଥିଲା କେଜାଣି ହଠାତ୍ ରଣ ନ୍ଦୁନ୍ଦୁଭି ଭେରୀ ବଜାଇ ମାଡ଼ି ଆସିଲା । ତିନି ରାତି ତିନି ଦିନ ଅବିରାମ ଗତିରେ ବର୍ଷି ଗଲା । ସୂର୍ଯ୍ୟ କି ଖରା କେହି ଦେଖି ନାହିଁ । ଖାଲି ଢୋ ଢୋ ଗର୍ଜନ କରି ଝମ୍ ଝମ୍ ବର୍ଷି ଗଲା । ତା’ ସାଙ୍ଗକୁ ଝଡ଼ ତୋଫାନ । ସାଇଁ ସାଇଁ ବାଆ ପିଟୁଥାଏ । ପଖିଆ କି ଛତା ମୁଣ୍ଡ ଉପରେ ରହୁ ନ ଥାଏ । ବିଲ-ବାଡ଼ିକୁ କେହି ବାହାରି ପାରିଲେ ନାହିଁ । ଚିଲ-ଚିରିଗୁୁଣୀ ଠାରୁ ଇତର ପ୍ରାଣୀ ଯାଏଁ ଭୟରେ କିଏ କେଉଁଠି ପଶିଲେଣି । ମଣିଷ ଛୁଆ କଥା କିଏ ବା ପଚାରେ । ତେଲ ଲୁଣର ସଂସାର ଉଚ୍ଛନ୍ନ ହୋଇଗଲା । ବଜାର ହାଟ ସୈାଦାପାତି କିଛି ହୋଇ ପାରିଲା ନାହିଁ । ଦି-ଓଳି ଭଲରେ ଭାତ ଦି-ଟା ଫୁଟାଇ ଖାଇ ହେଉନାହିଁ । ଘସି-କାଠ ସବୁ ବର୍ଷାରେ ଭିଜି ଗଲାଣି । ଜାଳେଣି କାଠ ନାହିଁ । ଛୁଆ ପିଲା ଛିଙ୍କି ହେଲେଣି । ବଟିକାଟିଏ ବି ଆଣି ହେଉନାହିଁ । ବଂଶଟା ଯାକ ଚିନ୍ତାରେ ପଡ଼ିଗଲେ । ଏଭଳି ବର୍ଷା କେହି କେବେ ଦେଖିନାହିଁ । ଏବେ କ’ଣ କରିବେ ?

ଚତୁର୍ଦ୍ଦିଗ ବର୍ଣ୍ଣିଳ ଶୋଭାରେ ବିମଣ୍ଡିତ ହେଲା । ବିଲ ବାଡ଼ି କ୍ଷେତ ପୋଖରୀ ଅହେତୁକ ଜଳ ରାଶିରେ ପୂର୍ଣ୍ଣକୁମ୍ଭ ହୋଇ ଉଠିଲା । ଏତେବେଳେ କାହୁଁଥିଲା କେଜାଣି ମେଘମାଳ ଖଣ୍ଡେ ପୁନଃରାୟ ଆକାଶରେ ଘୋଟି ଆସିଲା । ଜହ୍ନି ମଞ୍ଜିଆ ବାଦଲଟା ଅଧିକରୁ ଅଧିକ ଘନୀଭୂତ ହେବାକୁ ଲାଗିଲା । ସମସ୍ତେ ତ୍ରାହି -ତ୍ରାହି ଡ଼ାକ ଛାଡ଼ିଲେ । ଏଥର ଆଉ ରକ୍ଷା ନାହିଁ; ବନ୍ୟାଟା ନିଶ୍ଚିତ ପ୍ରାୟ । ବିଜୁଳି ଘଡ଼ଘଡ଼ି ମାରି ଚଉଦିଗ ଅନ୍ଧକାର ଦିଶିଲା । ଘଡ଼ ଘଡ଼ି ଶବ୍ଦରେ ମେଦିନୀ କମ୍ପିଲା । ଘନ ଘନ ବାରି ପାତରେ ପୃଥିବୀ ଜଳାର୍ଣ୍ଣବ ହେଲା । କାଳ ରାତ୍ରିଟା ଘୋଟି ଆସୁଥାଏ । ଝଡ଼ ବତାସର ରାତି । ସାଇଁ ସାଇଁ ନିଶା ଗର୍ଜୁଥାଏ । ଟୁପୁରୁ ଟୁପୁରୁ ବର୍ଷା ସାଙ୍ଗକୁ ବେଙ୍ଗୁଲିର କେଁ-କଟର ସ୍ୱର ଅନ୍ତରରେ ଭିତ୍ତି ସଂଚାର କରୁଥାଏ । ଭୟଟା ଆହୁରି ମାଡ଼ି ମାଡ଼ି ଆସୁଥାଏ । ସମସ୍ତେ ନନ୍ଦ ଲାଲା କୃଷ୍ଣକୁ ସୁମରି ଇନ୍ଦ୍ର ଦେବଙ୍କୁ ଏ ତାଣ୍ଡବ ଲୀଳାରୁ କ୍ଷାନ୍ତ ରହିବାକୁ ଆକୁଳ ପ୍ରାର୍ଥନା କରୁଥାନ୍ତି । ହେଲେ କି ବର୍ଷା ଥମୁଥାଏ । ଆହୁରି ପ୍ରବଳରୁ ପ୍ରବଳତର ଖାଲି ବର୍ଷିି ଯାଉଥାଏ । ଆସନ୍ନ ବନ୍ୟାର ପ୍ରକମ୍ପ ଅନୁଭୂତ ହେଲା । ଚିନି, କିରୋସିନି ଧରି ସମସ୍ତେ ଦୈାଡ଼ିଲେ । ଘୋ-ଘୋ ଗର୍ଜନରେ ନଦୀ କୂଳ ଲଘିଂବା ଆରମ୍ଭ ହେଲା । ଶଙ୍ଖ ହୁଳହୁଳି ନିନାଦରେ ଗ୍ରାମ ଉଛୁଳି ଉଠୁଥାଏ । ବନ୍ୟା ମାଡ଼ି ମାଡ଼ି ଆସୁଥାଏ । ଉପର ମୁଣ୍ଡର ନଦୀବନ୍ଧ ଟୁଳୁ ଟୁଳୁ ଦେଖି ଜୀବନ ବଞ୍ଚାଇବାକୁ ସମସ୍ତେ ତରତର ହେଉଥାନ୍ତି । ନଦୀବନ୍ଧ ଟଳମଳ ହେଲାଣି; ଏ କ୍ଷଣି ଭାଙ୍ଗିବ କି ପରିସ୍ଥିତି । ସମସ୍ତେ ସଜବାଜ ହେଲେ । ସଙ୍ଗା ବାନ୍ଧି ଗାଈ ମଇଁଷି ଧରି ଉଚ୍ଚ ସ୍ଥାନକୁ ପଳାୟନ କଲେ । ହୋ-ହୋ ହୋଇ ସମସ୍ତେ ଧାଇଁଲେ । ଚୁଡ଼ା-ମୁଢ଼ି ମୁଠେ ଗଣ୍ଠୁଳି କରି ଛୁଆ ପିଲା ଧରି ଭୟରେ ରହିଲେ ।

ଏଥର ବନ୍ୟା କରାଳ ମୂର୍ତ୍ତି ଧାରଣ କଲା । ଧୁସ୍-ଧାସ୍ ହୋଇ ବନ୍ଧଟା ଧସିଗଲା । କଳା ଭ୍ରମର ପାଣିଟା କାହୁଁ ଥିଲା କେଜାଣି ମାଡ଼ି କି ଅଇଲା । ଚାହୁଁ ଚାହୁଁ ଗାଁ ଦାଣ୍ଡ ଉଛୁଳି ଉଠିଲା । ଘର ଦ୍ୱାରେ ପାଣି ପଶି ଲହଡ଼ି ଖେଳିଲା ।

ମାଧ ଜିନିଷ ପତ୍ର ସଙ୍ଗାକୁ ଉଠାଇ ପଛେ ଧଡ଼ିଆକୁ ଧରି ଯିବାକୁ କହିଲା । ବେଗି ମୁନି ଆଉ ମୁୁନି ବୋଉକୁ ବନ୍ଧ ଉପରକୁ ପଠାଇଦେଲା । ସାଥିରେ ଯିବାକୁ ମୁନି ବୋଉ ବାଧ୍ୟ କଲା । କିନ୍ତୁ ସେ ଭୁରୁଡ଼ି ଦେଖାଇ ସେମାନଙ୍କୁ ବିଦା କରି ଦେଇ, ନିଜ କାମରେ ନିଜେ ମାତି ରହିଲା । ମାତ୍ର ଆସବାବ ପତ୍ର ସଜାଡ଼ୁ ସଜାଡ଼ୁ ପାଣିଟା ଦ୍ୱାର ବନ୍ଧ ଡ଼େଇଁ ସାରିଥିଲା । ଏଥକୁ ଉପାୟ ନ ପାଇ ଧଡ଼ିଆକୁ ଗାମୁଛାରେ ପିଠିରେ ବାନ୍ଧି ସଙ୍ଗାକୁୂ ଉଠିଗଲା । ପାଣିଟା ବଢ଼ି ଉଠିଲାରୁ ଚାଳ ଫୁଟାଇ ଛପର ଉପରକୁ ଚଢ଼ିଗଲା । ହେଲେ ବର୍ଷା ଥମିବାର ନାହିଁ କି ବନ୍ୟା କମିବାର ନାହିଁ । ଏଥର ବନ୍ୟାପାଣି ଖୁଳୁ ଖୁଳୁ କରି ଘରଟାକୁ ଖୋଳି ପକାଇଲା । ଚାହୁଁ ଚାହୁଁ ଘରଟା ଭୁଶୁଡ଼ି ପଡ଼ିଲା । ଛପରଟା ଭାସିବାକୁ ଲାଗିଲା । ମାଧ ଉପରେ ସେଇମିତି ବସିଥାଏ । ଚାଳଟାକୁ ଜାବୁଡ଼ି ଧରିଥାଏ । ଧଡ଼ିଆ ପିଠିରେ ସେଇମିତି ପଡ଼ିଥାଏ । ଭାସି ଭାସି ମଝି ନଈରେ ଯାଇ ପହଁଞ୍ଚିଲା । ଆଖି ସାମ୍ନାରେ କେତେ ଜୀବ-ଜନ୍ତୁ, ଗାଈ-ଗୋରୁ ମଣିଷ ସବୁ ଭାସି ଯାଉଥାନ୍ତି । ସେମାନଙ୍କର କରୁଣ ଚିତ୍କାର ସାଙ୍ଗକୁ ବନ୍ୟାର କଳ-କଳ ଭୈରବୀ ନାଦ ଦେହର ଶିରା-ପ୍ରଶିରାରେ କମ୍ପନ ସୃଷ୍ଟି କରୁଥାଏ । ରୁମ ମୂଳି ସବୁ ଟାଙ୍କୁରି ଉଠୁଥାଏ । ଦେହରେ ଆଉ ଜୀବନ ନଥାଏ । ଏଥର ଆଉ ନିସ୍ତାର ନାହିଁ; ମରଣଟା ତେଣୁ ସୁନିଶ୍ଚିତ– ଭାବୁଥାଏ । ହଠାତ୍ ଗୋଟାଏ ଭଉଁରୀ ବୁଡ଼ାଇ ନେଇ ଲଗାଇଦେଲା ଗୋଟାଏ ମସ୍ତବଡ଼ ଗଛଠେଇଁ । ମାଧ ଗଛ ଡ଼ାଳଟାକୁ ଧରି ନେଇ ଉପରକୁ ଚଢ଼ିଗଲା । ସକାଳ ହେଲାରୁ ଦେଖିଲା ଗଛ ଦେହରେ ଗୋଟାଏ ବିରାଟକାୟ ସାପ ଗୁଡ଼ାଇ ହୋଇ ରହିଛି । ଫଣାଟି ତା’ର ମିଞ୍ଜି ମିଞ୍ଜି ହୋଇ ଦିଶୁଛି । ଲାଞ୍ଜଟି ତଳକୁ ଓହଳି ରହିଛି । ଏଥର ଜାଣିବାକୁ ତା’ର ଆଉ ବାକି ରହିଲା ନାହିଁ ଯେ, ଗଛ ଡ଼ାଳ ଭାବି ଯାହାକୁ ଧରି ସେ ଉପରକୁ ଆସିଛି ସେଇଟା ଥିଲା ଗୋଟାଏ ମସ୍ତବଡ ସାପର ଲାଞ୍ଜ । ଏଥର ଭୟରେ ଆଖି ବୁଜି ହୋଇଗଲା । ପାତି ମାଙ୍କଡ଼ ପରି ଗଛ ଡ଼ାଳଟାକୁ କୁଣ୍ଢାଇ ଦି-ଦିନ ରହିଲା । ବନ୍ୟା ବାହୁଡ଼ିଲା, ଭୋକ ଉପବାସରେ ଦେହରେ ଜୀବନ ନ ଥାଏ । ଧଡ଼ିଆ କଥା ମନେ ପଡ଼ି ଯିବାରୁ ପିଠିରୁ ଗଣ୍ଠୁଳି ଫିଟାଇ ଦେଖିଲା । ହେଲେ ଜରୁଆ ଛୁଆଟାର ଦେହଟା କଞ୍ଜା ପାଣି ହୋଇ ଯାଇଥାଏ । ଦମେ ବସି କାନ୍ଦିଲା । ଉତ୍ତର ଆଡ଼କୁ ମୁଣ୍ଡ କରି ସେଇଠି ଶୁଆଇ ଦେଲା । କଷ୍ଟେ -ମଷ୍ଟେ ଗାଁ କୁ ଫେରିଲା । ହେଲେ ଗାଁଟା ସାରା ଶୂନ୍-ଶାନ୍ । କିଏ କେତେ ମରି ହଜି ଯାଇଛନ୍ତି । ସାଥିରେ ଯାଇଛି ଚାଲି କେତେ ଘର ଦ୍ୱାର, ଜୀବନ-ଜୀବିକା, ସାହି-କୁଟୁମ୍ବ, ଆତ୍ମୀୟ ସ୍ୱଜନ, ପରିବାର ବର୍ଗ- ସବୁ କିଛି । ମୁଣ୍ଡରେ ହାତ ଦେଇ ସେଇଠି ବସି ପଡ଼ିଲା ।

ମହା ପ୍ରଳୟର ତାଣ୍ଡବ ପରେ ଚାରିଆଡ଼େ ଶ୍ମଶାନର ସ୍ତୁପୀକୃତ ପାହାଡ଼ । ସବୁଆଡ଼େ ଶୂନ୍-ଶାନ । ଖାଲି ଖାଁ-ଖାଁ ଲାଗୁଥାଏ । ଚିଲ ଚିରିଗୁଣୀ ବି କେହି ଦୃଷ୍ଟିରେ ପଡ଼ୁ ନଥାନ୍ତି । ସତେକି ବିନାଶ କାଳ ଉପସ୍ଥିତ । ଗାଁ ରେ ଅଣ୍ଡିଆ କୁଆଟିଏ ବି ନାହିଁ । ମାଧ କୁଆଡ଼େ ଯିବ ? କ’ଣ କରିବ ? — କିଛି ଚିନ୍ତା କରି ପାରୁ ନଥାଏ । ଖାଲି ଉପରକୁ ଚାହିଁ ଦୀର୍ଘ ନିଶ୍ୱାସଟିଏ ଛାଡ଼ିବା ବ୍ୟତୀତ ତାହାର ବା ଉପାୟ କ’ଣ ଅଛି କରି ପାରିବ — ସେ ?

ବନ୍ୟା-ବାତ୍ୟା ପରେ ରିଲିଫ୍ ଆସିଲା । ହେଲେ ରିଲିଫ୍ ଚୁଡ଼ା-ଚାଉଳ ନେବା ପାଇଁ କେହି ହେଲେ ନଥା’ନ୍ତି । ଚାରିଆଡ଼େ ଭଙ୍ଗା କୁଡ଼ିଆ । ଗଛ-ପତ୍ର-ଡ଼ାଳ ପଡ଼ି ରାସ୍ତା ଅବରୋଧ । ଶବର ପଚା ଗନ୍ଧ ନାକରେ ବାଜିଲାଠୁଁ — ଚମକି ପଡ଼ିଲା । “ଏଁ ଏଇଠି କାଳିଆ କଷରା ବଳଦ ଦୁୂଇଟା ମରିକି ପଡ଼ିଛନ୍ତି?” ମାଧର ଆଖିରୁ କେତେ ବେଳୁ ଲୁହ ତ ସୁଖି ସାରିଥାଏ । ଖାଲି ବୋକାଙ୍କ ପରି ଚାହିଁ ରହିଲା ।

କେତେ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ସରକାରୀ କର୍ମଚାରୀ ଆସିଲେ । ଗାଁ ଗଣ୍ଡା ସବୁ ସଫା ହେଲା । ସରକାରୀ ପ୍ରୋତ୍ସାହନରେ ନୂତନ ବସତି ସ୍ଥାପନ ହେବାଯାଏ ପଲିଥିନ୍ ଓ ଚୁଡ଼ା-ଚାଉଳ ସବୁ ଯୋଗାଇ ଦିଆଗଲା । କେହି କେହି ଯାହାର ଜୀବନ ବନ୍ୟା ଦାଉରୁ ରକ୍ଷା ପାଇ ଯାଇଥିଲା; ଗୋଟି ଗୋଟି ହୋଇ ଗାଁ କୁ ଫେରିଲେ । ହେଲେ ଏଇ ଲାଗେ ମୁନି ଓ ତା’ ବୋଉ ନିଶ୍ଚୟ ଆସି ପହଁଞ୍ଚି ଯିବେ । ଧଡ଼ିଆ କୁଆଡ଼େ ଗଲା ବୋଲି ପ୍ରଶ୍ନ ପଚାରିବେ । ତାଙ୍କୁ କି ଉତ୍ତର ଦେଇ ସାନ୍ତ୍ୱନା ଦେବେ । ହେଇ ସତକୁ ସତ ମୁନି ଆଉ ମୁନି ବୋଉ ଖୋଜି ଖୋଜି ଆସି ହାଜର । ଧଡ଼ିଆ ବାପା ! ଧଡ଼ିଆ କାହିଁ ବୋଲି ପଚାରି ବସିଲେ । ମାଧ ସେତେବେଳକୁ ଜଡ଼-ନିର୍ବେଦ-ନିର୍ବାକ ମଣିଷଟିଏ ପାଲଟି ଯାଇଥାଏ, ଯେମିତି ଧ୍ୟାନସ୍ଥ ଋଷିଶୃଙ୍ଗ ଧ୍ୟନରେ ବସିଥିଲେ । କେବଳ ହାତ ଠାରି ନଦୀ ମୁହାଣ ବରଗଛ ଆଡ଼କୁ ଧଡ଼ିଆକୁ ନିଦ୍ଦେର୍ଶ କଲା । ଏକ ହୃଦୟ ବିଦାରକ କରୁଣ ପରିବେଶ ଭିତରେ ସମସ୍ତେ ଝାଉଁଳି ପଡ଼ିଲେ । ମୁନି ବୋଉଟା ଖାଲି କୋଡ଼ି ଛେଚି ହୋଇ କାନ୍ଦୁୁଥାଏ । ମଣିଷର ସ୍ୱପ୍ନ ଦେଖା ସତେକି ସେତିକିରେ ସରିଗଲା । ଭୋଦେଇ ଖରଟା ମାଡ଼ି କି ଅଇଲା l


Rate this content
Log in

Similar oriya story from Tragedy