ସେହି କଲମ ଖଣ୍ଡିକ
ସେହି କଲମ ଖଣ୍ଡିକ
ସମୟ ମିଳିଲେ ମୁଁ କିଛି ଗଳ୍ପ ଏବଂ କବିତା ଲେଖାଲେଖିକରେ ।
କିଛି ଗଳ୍ପ କବିତା ମନକୁ ଆସିଲେ ତାକୁ ମୁଁ ସଙ୍ଗେ ସଙ୍ଗେ ଖାତାରେ ଲେଖିଦିଏ ନଚେତ୍ ମୋବାଇଲରେ ଟାଇପ୍ କରି ରଖିଦିଏ । ମୋର ଟେବୁଲ ଉପରେ ପ୍ରାୟତଃ କିଛି କଲମ, କାଗଜ ରଖିଥାଏ । କିନ୍ତୁ ଆଜି ଏକ କବିତା ମନକୁ ଆସିଥିଲା । ତାକୁ ଲେଖିବାପାଇଁ କାଗଜଟି ଧରିଥିଲି କିନ୍ତୁ ପେନ୍ ଟିଏ ପାଇନଥିଲି ଲେଖିବା ପାଇଁ । ମୋ ଟେବୁଲ ଉପରେ ଯେତିକି ପେନ୍ ଥିଲା ସେ ସବୁଥିର ରିଫିଲ ଖାଲିଥିଲା ।
ଭାଗ୍ୟବଶତଃ ମୋ ମୋବାଇଲଟି ମଧ୍ୟ ସୁଇଚ୍ ଅଫ୍ ହୋଇଯାଇଥିଲା । ହଠାତ୍ ମୋର ମନେପଡିଗଲା ସେଦିନର ସେହି ଲୋକଟିର କଥା । ଯାହାଠୁ ମୁଁ ପେନଟିଏ ଆଣିଥିଲି ।
ସେଦିନ ସେହି ବୃଦ୍ଧ ବ୍ୟକ୍ତି ମତେ କେତେ ନେହୁରା ହୋଇ କଲମଟିକୁ ନେବାପାଇଁ କହୁଥାଏ। ଛଟେଇ ଛୋଟେଇ ମୋ ପାଖକୁ ଆସି କହୁଥାଏ ଏ ମା' ଏ ମା' .ନେଇଯା କୋଡିଏ ଟଙ୍କାରେ ଦୁଇଟି ପେନ୍। ନିଅ ମା ତୁମ କାମରେ ଆସିବ !କାହିଁକି ମନାକରୁଛ ? ନିଅ ମା'.। ମତେ କିଣିବାପାଇଁ ଇଛା ହେଉନଥାଏ ।ବିରକ୍ତ ମଧ୍ୟ ଲାଗୁଥାଏ । କିନ୍ତୁ ମୁଁ କିଣିବାପାଇଁ ବାଧ୍ୟ ହୋଇଥିଲି ଲୋକଟାର ସ୍ବଭାବ ଦେଖି ।ବୁଢା ବୟସ ଚାଲିପାରୁନଥାଏ ।ଗୋଟେ ଗୋଡରେ ଚାଲୁଥାଏ ।ଆଶା ବାଡିଟିଏ ଧରିଥାଏ । ମୁଁ ସ୍କୁଟିରେ ଯାଉଥାଏ । ମୋ ମୁଣ୍ଡରେ ହେଲ୍ ମେଟ୍ ଟି ଥାଏ ।ପ୍ରବଳ ଖରାରେ ବିରକ୍ତ ମଧ୍ୟ ଲାଗୁଥାଏ । ଟ୍ରାଫିକରେ ଫଶି ଯାଇଥାଏ।ଠିକ୍ ଏହି ସମୟରେ ଲୋକଟି ପାଖକୁ ଆସି ନେହୁରା ହୋଇ କହୁଥାଏ ଗୋଟିଏ ମଧ୍ୟ କଲମ ନିଅ ।ମନା କରନି ।ମୁଁ ତାକୁ ଦଶଟଙ୍କାଟିଏ ଦେଇ ପେନ୍ ଟି ଆଣି ମୋ ଭେନିଟ ରେ ରଖିଦେଇଥିଲି।
ଆଜି କବିତାଟିଏ ଲେଖିଲାବେଳେ ସେହି କଲମଟି ମୋର କେତେ କାମରେ ଆସିଥିଲା । ସେହି ଲୋକଟିର ନିରିହ ମୁହଁଟି ଏବେବି ମୋ ଆଖି ଆଗରେ ନାଚି ଉଠୁଛି ।ଜଣେ ସ୍ବାବଲମ୍ବୀ ବ୍ୟକ୍ତି ହିସାବରେ ଭିକ୍ଷା ବୃତ୍ତି ନକରି ଅସହ୍ୟ ଖରାରେ ସାମାନ୍ୟ କଲମଟିକୁ ବିକ୍ରିକରି କେମିତି ଜୀବିକା ଅର୍ଜନ କରୁଛନ୍ତି ତାଙ୍କଠୁ ସମସ୍ତେ ସିଖିବା କଥା ।
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ବର