Deepak Sarangi

Horror Thriller


2  

Deepak Sarangi

Horror Thriller


ପୁଅ ପାଇଁ ଗୀଟାର୍

ପୁଅ ପାଇଁ ଗୀଟାର୍

6 mins 7.5K 6 mins 7.5K

୨୦୦୯ ମସିହା ଅକ୍ଟୋବର ମାସ । କଟକରେ ଦଶହରା ସମୟ । ମା’ଙ୍କ ଆଗମନରେ ସାରା ସହର ଉତ୍ସବ ମୁଖର । ଯୁଆଡେ ଚାହିଁବ ରଙ୍ଗୀନ ଆଲୋକର ରୋଷଣୀ । ସେଦିନ ହୋଇଥାଏ ମହାଷ୍ଟମୀ । ବିଡାନାସୀରୁ ଗୋଟେ ପ୍ରୋଗ୍ରାମ ସାରି ମୁଁ ମୋ ମଟରସାଇକେଲରେ ଘରକୁ ଫେରୁଥାଏ, ରାତି ପ୍ରାୟ ୧୧.୩୦ ହେବ, କାନ୍ଧରେ ପକେଇଥାଏ ମୋ ଗୀଟାର । ପ୍ରଶାସନର କଡା ନିୟମ ରାତି ଦଶଟା ପରେ ସବୁ ମେଲୋଡି କାର୍ଯ୍ୟକ୍ରମ ବନ୍ଦ । କାଠଯୋଡି ରିଂବନ୍ଧ ଦେଇ ଆସୁଥାଏ ମୁଁ ; ସନ୍ଧ୍ୟାବେଳେ ଟିକେ ବର୍ଷା ହୋଇଥିଲା , ଥଣ୍ଡା ପବନଟା ଦେହକୁ ଶୀତୁଆ ଲାଗୁଥାଏ । ରାସ୍ତାରେ ଲୋକ ଟିକେ କମି ଆସିଲେଣି; ମୁଁ ପ୍ରାୟ ବିଶ୍ଵନାଥ ପଣ୍ଡିତ ପାଠାଗାର ପାଖାପାଖି ହୋଇଗଲିଣି । ହଠାତ ମୋ ଗାଡିର ଷ୍ଟାର୍ଟ ବନ୍ଦ ହୋଇଗଲା । ଭାବିଲି ବୋଧେ ଗାଡି ରିଜର୍ଭରେ ପଡି ଯାଇଥିବ, କିନ୍ତୁ ନା ଆଜି ସକାଳେ ପରା ଦୁଇ ଲିଟର ପେଟ୍ରୋଲ ପକେଇଥିଲି ; ବୋଧେ ବର୍ଷା ଯୋଗୁଁ ଇଞ୍ଜିନରେ ପାଣି ପଶିଯାଇଥିବ । ଗାଡିରୁ ଓହ୍ଲେଇ ଚେକ୍ କଲି, ସବୁ ଠିକଠାକ୍ ଅଛି । ସେଲ୍ଫ ଷ୍ଟାର୍ଟରେ ବି ଚେଷ୍ଟା କଲି ,ଚୋକ୍ ଅନ କରିକି ବି ଚେଷ୍ଟା କଲି ଗାଡି ଷ୍ଟାର୍ଟ ହବାର ନା ଧରୁ ନଥାଏ । କାନ୍ଧରୁ ଗିଟାରଟା ଓଓହ୍ଲେଇ ଦେଇ ପୁଣି ଗାଡି ଉପରେ ବସି କିକ୍ ଉପରେ କିକ୍ ମାରିବାକୁ ଲାଗିଲି , ମୋତେ ଲାଗୁ ଥିଲା ଯେ ମୋ ଗାଡି ଯିଏ କି କିଣା ହବା ଦିନ ଠାରୁ ଗୋଟାଏ କିକ୍ ରେ ଷ୍ଟାର୍ଟ ହଉଥିଲା ଆଜି କିନ୍ତୁ ମୋତେ ଗୋଟେ ପାନେ ଦେବାର ବନ୍ଦୋବସ୍ତ କରିଥିଲା । ଆଖପାଖକୁ ଟିକେ ନଜର ପକେଇଲି ସବୁ ଦୋକାନ ବଜାର ବନ୍ଦ ହୋଇଗଲାଣି ,ରାତି ପ୍ରାୟ ୧୨ଟା ଉପରେ ହେଲାଣି । ଟିକେ ହୋତୋତ୍ସାହ ହୋଇ ପଡିଲି । ଚାରିପଟକୁ ନଜର ବୁଲେଇ ଦେଖେ ତ ମୁଁ କାଳୀ ମନ୍ଦିର ମଶାଣି ପାଖରେ ଛିଡା ହୋଇଛି । ରାସ୍ତାର ବାମ ପଟେ ମଶାଣି ଆଉ ଡାହାଣ ପାଖେ କାଳୀ ମନ୍ଦିର । ମୋ ଦେହରୁ ପରସ୍ତେ ଝାଳ ବାହାରିଗଲା । ଦେହକୁ ଶୀତୁଆ ଲାଗୁଥିବା ପବନଟା ମୋତେ ବୈଶାଖ ମାସର “ଲୁ” ଭଳି ଲାଗିଲା । ମନ୍ଦିରର ପହଡ ପଡିଛି । ରାସ୍ତାରେ ଆଉ ପ୍ରାୟ କେହି ନାହାନ୍ତି , ଯାହା କେବେଳ ସେଇ ଖାନନଗର ପୂଜା ମଣ୍ଡପର ଲାଇଟ ଗୁଡା ଧପ୍ ଧପ୍ ହେଉଥାଏ । କଣ କରିବି ବୋଲି ଭାବି ମୋତେ ବୁଦ୍ଧିବାଟ ଦିଶୁ ନଥାଏ । ମା କାଳୀଙ୍କୁ ମନେମନେ ସ୍ମରଣ କଲି । ମଶାଣିରୁ ଭାସି ଆସୁଥିବା ମଣିଷ ପୋଡା ଘିଅର ବାସ୍ନା ମୋ ଅବସ୍ଥାକୁ ଆହୁରି ଖରାପ କରି ଦଉଥାଏ । ହଠାତ ଦେଖିଲି ପାଠାଗାର ଆଡୁ ଜଣେ କିଏ ଚାଲିଚାଲି ଆସୁଛି । କାଳୀ ମନ୍ଦିର ପଟ ରାସ୍ତାଟା ଟିକେ ଅନ୍ଧାରିଆ ଥିବାରୁ ଠିକ ସେ ବୁଝା ପଡୁ ନଥାଏ,ଏତେ ରାତିରେ ମଶାଣି ପାଖରେ ତାକୁ ଦେଖି ମୋ ପିଳେହି ପାଣି । ମୁଣ୍ଡ ପୋତିକି ସେ ଆଡକୁ ଧ୍ୟାନ ନ ଦେଇ ଗୀଟାରଟାକୁ କାନ୍ଧରେ ପକେଇ ଦେଇ ଗାଡି ଉପରେ ବସି କିକ୍ ଉପରେ କିକ୍ ମାରି ଚାଲିଲି ।

ସେ ଲୋକଟା ଯେ କେତେବେଳେ ଆସି ମୋ ପାଖରେ ଛିଡା ହୋଇଗଲାଣି ମୁଁ ଜାଣିନି, ଶୁଣିଲି ଗୋଟେ ସ୍ଵର : “ଭାଇ କଣ ହେଲା କି”? ଚମକି ପଡିଲି ,ମୁଣ୍ଡ ଉଠେଇ ଚାହିଁଲା ବେଳକୁ ମୋ ସାମନାରେ ଜଣେ ଧଳା ସାର୍ଟ ଆଉ ନୀଳଜୀନ୍ସ ପିନ୍ଧା ଜଣେ ବ୍ୟକ୍ତି । ବ୍ୟକ୍ତି ଜଣକ ଭଦ୍ର ଓ ମାର୍ଜିତ ଜଣା ପଡୁଥାନ୍ତି ଦେଖିବାକୁ ଗୋରା ଓ ନାକ ତଳେ ସରୁ ନିଶ । ବୟସ ପାଖାପାଖି ୪୦ ହେବ । ମୁଁ କହିଲି “ଗାଡିଟାର ଅଚାନକ ଷ୍ଟାର୍ଟ ବନ୍ଦ ହୋଇଗଲା ତ ସେଥିପାଇଁ ଚେଷ୍ଟା କରୁଛି କିନ୍ତୁ ହଉନି” । ମୋ କାନ୍ଧରେ ପଡି ଥିବା ଗିଟାର ଦେଖି ଭଦ୍ରବ୍ୟକ୍ତି ଜଣକ ପଚାରିଲେ; “ଆପଣ କଣ ଗିଟାର ବଜାନ୍ତି”!! ମୁଁ କହିଲି “ହଁ” ବିଡାନାସୀରେ ଆଜି ଆମର ଗୋଟେ ପ୍ରୋଗ୍ରାମ ଥିଲା ତ ଯାଇଥିଲି ,ଦେଖୁ ନାହାନ୍ତି ଫେରୁଫେରୁ ବାଟରେ ମୋର ଏ କି ଅବସ୍ଥା ?

ଭଦ୍ରବ୍ୟକ୍ତି ଜଣକ ଉତ୍ସାହିତ ହୋଇ ପଚାରିଲେ “ଆପଣ କଣ ଗିଟାର ଶିଖାନ୍ତି”? ମୁଁ କହିଲି “ହଁ ଶିଖାଏ” । ଭଦ୍ରବ୍ୟକ୍ତିଙ୍କ ଆଖିରେ ଗୋଟେ ସନ୍ତୋଷ ପରିଲକ୍ଷିତ ହେବା ପରି ଜଣା ପଡିଲା । ସେ ପୁଣି ପଚାରିଲେ ; ଭାଇ! ଗୋଟେ ଅନୁରୋଧ କରିବି ରଖିବେ? ମୁଁ ତାଙ୍କୁ ଟିକେ ଆଶଙ୍କାପୂର୍ଣ ଚାହାଣିରେ ଅନେଇଲି ,ମୋତେ ସହଜ କରିବାକୁ ଯାଇ ସେ କହିଲେ “ମୁଁ ଆପଣଙ୍କ ଗାଡି ଷ୍ଟାର୍ଟ କରି ଦେବି; କିନ୍ତୁ ଆପଣଙ୍କୁ ମୋର ଗୋଟେ ଛୋଟ ଅନୁରୋଧ ରକ୍ଷା କରି ବାକୁ ପଡିବ” । ମୁଁ ବ୍ୟସ୍ତ ଆଉ ବିରକ୍ତ ହୋଇ କହିଲି “ଆପଣ କଣ ମେକାନିକ”?ଯେ ଗାଡି ଷ୍ଟାର୍ଟ କରି ଦେବେ ? ଭଦ୍ର ବ୍ୟକ୍ତି ଜଣକ ଟିକେ ହସି ଉତ୍ତର ଦେଲେ “ନା ମୁଁ ମୋଟରସାଇକେଲ ମେକାନିକ ନୁହେଁ, କିନ୍ତୁ ମୁଁ ପାରିବି” ।

ମୁଁ ବ୍ୟସ୍ତ ହୋଇ କହିଲି “କଣ କହିବା କଥା ଜଲଦି କହିଲେ” ? ଭଦ୍ରବ୍ୟକ୍ତି ଜଣକ ତାଙ୍କ ସାର୍ଟ ପକେଟରୁ ତାଙ୍କ କାର୍ଡଟି ବାହାର କରି ଦେଲେ ଓ କହିଲେ “ଭାଇ ମୋର ବାର ବର୍ଷର ଗୋଟେ ପୁଅ ଅଛି ତାର ଗିଟାର ଶିଖିବାକୁ ଖୁବ ଇଚ୍ଛା କିନ୍ତୁ ମୁଁ ଆଉ ମୋ ସ୍ତ୍ରୀର କାର୍ଯ୍ୟ ବ୍ୟସ୍ତତା ହେତୁ ତାକୁ ଗିଟାର ଶିଖିବାକୁ ଛାଡି ପାରୁନୁ , ଆଉ ମୁଁ ବି ଜାଣିନି ଏ କଟକରେ କିଏ କେଉଁଠି ଗିଟାର ଶିଖାଉଛି ? ତେଣୁ ଆପଣ ଯଦି ଟିକେ ଆଗ୍ରହ ଦିଅନ୍ତେ ମୁଁ ପୁଅକୁ ଛାଡନ୍ତି” । ସବୁ ଶୁଣି କି ନ ଶୁଣି ପାରିଲା ଭଳି କହିଲି “ହଉହଉ ଠିକ୍ ଅଛି ମୋ ସମୟ ହେଲେ ମୁଁ ଆପଣଙ୍କୁ ଫୋନ କରିବି ଆପଣ ଆଗ ମୋ ଗାଡିଟା ଷ୍ଟାର୍ଟ କରିଦେଲେ”।

ମୋ ପାଟିରୁ କଥା ସରିଛି କି ନାହିଁ ଭଦ୍ରବ୍ୟକ୍ତି ଜଣକ ଗାଡି ଉପରେ ବସି ଗୋଟାଏ କିକ୍ ମାରିଲେ ଯେ ଏକା ଥରକେ ଗାଡି ଷ୍ଟାର୍ଟ ହେଇଗଲା । ମୁଁ ଅବାକ ହୋଇ ତାଙ୍କୁ ଅନାଇ ଥାଏ । ଭଦ୍ରବ୍ୟକ୍ତି ଜଣକ ଟିକେ ହସି କହିଲେ “ହେଲା ତ ଆପଣଙ୍କ ପ୍ରୋବ୍ଲେମ ସଲ୍ଭ ? କିନ୍ତୁ ପ୍ରୋମିଜ କରନ୍ତୁ ଆପଣ କାର୍ଡରେ ଥିବା ନମ୍ବରକୁ ଫୋନ କରି ନିଶ୍ଚୟ ଆସିବେ”। ମୁଁ ମୁଣ୍ଡଟା ଟୁଙ୍ଗାରି ଦେଇ ତାଙ୍କୁ ଟିକେ ଧନ୍ୟବାଦ ବି ନକହି ସଙ୍ଗେସଙ୍ଗେ ସେଠୁ ପଳେଇ ଆସିଲି । ଘରେ ପହଞ୍ଚୁ ପହଞ୍ଚୁ ରାତି ପ୍ରାୟ ୨ଟା । କାହାକୁ କିଛି ନ କହି ସିଧା ଯାଇ ଖଟରେ ପଡିଗଲି।

ଦଶହରା ସରି ଭସାଣି ସରି ଗୋଟେ ସପ୍ତାହ ହୋଇଗଲାଣି । ଦିନେ ବୋଉ ମୋର ମୋ ମଇଳା ସାର୍ଟ ପ୍ୟାଣ୍ଟ ଗୁଡା ସଫା କରି ବାକୁ ନେଉଥିଲା ବେଳେ ମୋ ସାର୍ଟ ପକେଟରୁ ଖସି ପଡିଲା ସେଇ କାର୍ଡଟି ,ସେ ଆଣି ମୋତେ କାର୍ଡଟି ଧରେଇ ଦେଲା । କାର୍ଡଟା ଦେଖି ମହାଷ୍ଟମୀ ରାତି କଥା ମୋର ମନେ ପଡିଗଲା । ମୋତେ ଟିକେ କୃତଘ୍ନ ମନେ ହେଲା ପରି ଲାଗିଲା ,ମୋ ମନ ଭିତରୁ ଜଣେ ସତେ ଯେପରି କହୁ ଥିଲା “ଆରେ ଯେଉଁ ଲୋକ ତୋତେ ରାତିରେ ଏତେ ବଡ ବିପଦରୁ ସାହାଯ୍ୟ କଲା ତୁ ତାକୁ ଏତେ ଶୀଘ୍ର ଭୁଲିଗଲୁ ? କାର୍ଯ୍ୟ ବ୍ୟସ୍ତତା ହେତୁ ମୁଁ ସମ୍ପୂର୍ଣ ଭାବେ ଭୁଲି ଯାଇଥିଲି ସେଦିନ ରାତି କଥା । କାର୍ଡଟିରେ ଲେଖା ଥିଲା ପ୍ରକାଶ ନିଳୟ ,ପ୍ରକାଶ କୁମାର ମିଶ୍ର ସିନିୟର ମ୍ୟାନେଜର ମାର୍କେଟିଂଗ ,ତାଙ୍କ ଘରର ଲ୍ୟାଣ୍ଡ ଫୋନ ଓ ଗୋଟେ ମୋବାଇଲ ନମ୍ବର । ମୁଁ ଆଉ ଡେରି ନକରି ସିଧା ମୋ ମୋବାଇଲରେ ଆଗ ମୋବାଇଲ ନମ୍ବର ଟାକୁ ଡାୟଲ କଲି ,କିନ୍ତୁ ସେମିତି କିଛି ନମ୍ବର କୌଣସି ଉପଭୋକ୍ତାଙ୍କୁ ଦିଆଯାଇ ନାହିଁ ବୋଲି ଭିତରୁ ଶୁଣାଗଲା । ତା ପରେ ମୁଁ ଲ୍ୟାଣ୍ଡ ଫୋନକୁ ଡାୟଲ କଲି ତିନି ଚାରି ଥର ରିଂ ହେବା ପରେ ଜଣେ ମହିଳାଙ୍କ ସ୍ଵର ସେପଟୁ ଶୁଣାଗଲା । ମୁଁ କହିଲି “ଆଜ୍ଞା! ମୋତେ ପ୍ରକାଶ ବାବୁ ଏଇ ନମ୍ବର ଟି ଦେଇ କହିଥିଲେ ଯେ ତାଙ୍କ ପୁଅ ଗିଟାର ଶିଖିବ ବୋଲି ସେଥିପାଇଁ ଫୋନ କରି ଥିଲି” । ସେପଟୁ କିଛି ଉତ୍ତର ନାହି ମୁଁ ହାଲୋ ହାଲୋ ହଉଥାଏ ,ଭାବିଲି ବୋଧେ ଫୋନଟା କଟିଗଲା କିଛି ସମୟ ପରେ ମହିଳା ଜଣକ ଉତ୍ତର ଦେଲେ ମୁଁ ଆପଣଙ୍କୁ ଘରର ଏଡ୍ରେସ କହୁଛି ଆପଣ ଆସନ୍ତୁ । ମୁଁ କହିଲି “ହଁ କୁହନ୍ତୁ” ସେପଟୁ ମହିଳା ଜଣକ କହିଲେ “ମହାନଦୀ ବିହାର ,୪ ଲେନ, ହାଉସ ନମ୍ବର ସି/୨୧” । ମୁଁ ଧନ୍ୟବାଦ ଜଣାଇବା ପୂର୍ବରୁ ସେପଟୁ ମହିଳା ଜଣକ ଫୋନଟି କାଟି ଦେଲେ । ମୁଁ ସଙ୍ଗେ ସଙ୍ଗେ ଗାଡି ଧରି ବାହାରି ଗଲି ସେଇ ଠିକଣା ଆଡକୁ । ଆଉ ଠିକ୍ ୩୦ ମିନିଟ ପରେ ମୁଁ ଥାଏ ପ୍ରକାଶ ନିଳୟର ଗେଟ୍ ସାମ୍ନାରେ । ଦେଖିଲି ଏକ ଦୁଇ ତଳ ମନୋରମ ଅଟ୍ଟାଳିକା । ମୁଖ୍ୟ ଫାଟକରେ ମାର୍ବଲରେ ଲେଖା ହୋଇଥାଏ ପ୍ରକାଶ ବାବୁଙ୍କ ନାଁ ଓ ଘରର ଠିକଣା । ମୁଁ ଗେଟ୍ ଖୋଲି ଭିତରକୁ ଗଲି । ବାହାରେ ଥିବା କଲିଂ ବେଲ୍ ଚିପିଲି ଆଉ ଅପେକ୍ଷା କଲି । କିଛି ସମୟ ପରେ ଜଣେ ୩୫/୩୬ ବର୍ଷୀୟ ଭଦ୍ର ମହିଳା ଆସି କବାଟ ଖୋଲିଲେ । ମୁଁ ମୋ ସଂକ୍ଷିପ୍ତ ପରିଚୟ ଦେଲି । ମୋତେ ମହିଳା ଜଣକ ନେଇ ତାଙ୍କ ବୈଠକଖାନାରେ ବସିବାକୁ କହିଲେ । ଚା କିମ୍ବା କଫି ପଚାରିବାରୁ ମୁଁ ଚା ପାଇଁ କହିଲି। ମହିଳା ଜଣକ ଭିତରକୁ ଚାଲିଗଲେ । ମୁଁ ସୋଫା ଉପରେ ବସି ପାଖ ଟେବଲରେ ଥିବା ଖବରକାଗଜ ଲେଉଟାଉ ଥିବା ବେଳେ ମୋ ନଜର ପଡିଲା ବୈଠକଖାନାର କାନ୍ଥରେ ଟଙ୍ଗା ହୋଇଥବା ଫୁଲମାଳ ଦିଆ ହୋଇଥିବା ଫୋଟୋ ଉପରେ । ଫୋଟୋଟିକୁ ଟିକେ ପାଖରୁ ଦେଖିବା ପାଇଁ ସୋଫାରୁ ଉଠି ଫୋଟୋ ପାଖକୁ ଗଲି । ଫୋଟୋକୁ ଦେଖି ମୋ ପାଦ ତଳୁ ମାଟି ଖସି ଯିବା ଭଳି ମନେ ହେଲା । ମୁଁ ଦେଖିଲି ଏ ଫୋଟୋଟା ସେଇ ଭଦ୍ର ଲୋକଙ୍କର ଯିଏ ମୋତେ ମହାଷ୍ଟମୀ ରାତିରେ ମୋ ଗାଡି ଷ୍ଟାର୍ଟ କରିବାରେ ସାହାଯ୍ୟ କରିଥିଲେ । ଘର ଏସିର ଟେମ୍ପରେଚର ୨୪ ଥିଲେ ବି ଝାଳରେ ମୋ ସାର୍ଟଟା ପୁରା ଓଦା ହେଇ ଯାଇଥିଲା।

“ଏ ମୋ ସ୍ଵାମୀ ପ୍ରକାଶ କୁମାର ମିଶ୍ର” । ଚମକି ପଡି ବୁଲିକି ଦେଖିଲ ବେଳକୁ ଭଦ୍ରମହିଳା ହାତରେ ଚା କପ ଧରି ଛିଡା ହୋଇଛନ୍ତି । ମାର୍କେଟିଂଗର ସିନିୟର ମ୍ୟାନେଜର ଥିଲେ ଦୁଇ ବର୍ଷ ତଳେ ଗୋଟେ କାର ଦୁର୍ଘଟଣାରେ.....ଆଉ କିଛି କହିବା ପୂର୍ବରୁ ଗୋଟେ କଳା ହବନର ଗିଟାର ଧରି ପଶି ଆସିଲା ୧୨/୧୩ ବର୍ଷର ଗୋଟେ ପିଲା । ଭଦ୍ରମହିଳା କହିଲେ “ଅଙ୍କଲଙ୍କୁ ନମସ୍କାର କର” । ଏ ମୋ ପୁଅ ବଣ୍ଟି ଟିଭିରୁ ଦେଖି ଜିଦି ଧରିବାରୁ ବାପା ତା’ର ଦୁଇ ବର୍ଷ ତଳେ ତା ଜନ୍ମ ଦିନରେ ତାକୁ ଏଇ ଗିଟାର ଗିଫ୍ଟ ଦେଇଥିଲେ , ଆଉ ବଣ୍ଟିର ଜନ୍ମଦିନ ପରଦିନ ହିଁ ତା ବାପାଙ୍କର ...” ଅମାନିଆ ଲୁହ ଗୁଡାକୁ ରୋକି ବାକୁ ଚାହୁଁଥିଲେ ବି ରୋକି ପାରି ନ ଥିଲେ ଭଦ୍ର ମହିଳା ଜଣକ ମୋ ସାମ୍ନାରେ ।

ମୁଁ ପରିବେଶକୁ ଟିକେ ହଲକା କରିବାକୁ ଯାଇ ବଣ୍ଟିକୁ ନେଇ କୋଳରେ ବସେଇ କହିଲି “ଆରେ ବଣ୍ଟିବାବା ଆମର ବହୁତ ଜଲଦି ରକ୍ ଷ୍ଟାର୍ ହେବେ” । ଭଦ୍ର ମହିଳା ଜଣକ ଚାଲି ଯାଇଥିଲେ ଘର ଭିତରକୁ । ଆଉ ବଣ୍ଟି ଗିଟାରରେ ବଜେଇ ବାକୁ ଚେଷ୍ଟା କରୁଥିଲା ସି ସ୍କେଲର ସାତଟି ଯାକ ଧୂନକୁ ,କିନ୍ତୁ ଠିକ୍ ସେ ବଜେଇ ପାରୁଥିଲା କେବଳ ପାଞ୍ଚଟି ଧୂନ । ତାହାଥିଲା “ସା” “ରେ” “ଗା” “ମା” ଆଉ ଟିକେ ଅଟକି ଯାଉଥିଲା “ପା”............ପାଖରେ ।




ଅଧ୍ୟାପକ,ରୋଲାଣ୍ଡ ଫାର୍ମାସୀ କଲେଜ

ଖୋଡାସିଂଗି, ବ୍ରହ୍ମପୁର – ୧୦

Email :sarangi.dipu@gmail.com


Rate this content
Originality
Flow
Language
Cover Design