Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ମନ୍ତ୍ର
ମନ୍ତ୍ର
★★★★★

© Prakash Ranjan Parida

Others

11 Minutes   7.5K    24


Content Ranking

ପ୍ରକାଶ ରଂଜନ ପରିଡ଼ା

ମାଆ ଆସିବେ । ପାଞ୍ଚ କୋଶ ଦୂରକୁ ଶୁଭୁଛି କାହାଳୀ । ମାଆ କୁସୁମେଇ ପୀଠ ଉଠୁଛି ପଡ଼ୁଛି । ପୂରା କଣ୍ଟାବଣିଆ ଗାଁ’ରେ ଭର୍ତ୍ତି ହୋଇଛନ୍ତି କୁଣିଆମୈତ୍ର । ଗୋବରରେ ଗଂଗାପାଣି ମିଶେଇ ମାଆଙ୍କ ଶାଳ ଚାରିପାଖ ଲିପାପୋଚ୍ଛା ହୋଇଛି । ଦୂରଦୂରାନ୍ତରୁ ଆସିଥିବା ହଜାରେ ସରିକି ଭକ୍ତଙ୍କ କୋଳାହଳରେ କମ୍ପୁଛି ଗାଁ । ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅତିଥି ପରି ଚର୍ଚ୍ଚା କରୁଛନ୍ତି ବିପ୍ର ସାଆନ୍ତେ । ମୁଣ୍ଡରେ ଲମ୍ବା ସିନ୍ଦୁର ଗାର, ଧୋବ ଫରଫର୍‌ ଧୋତି ପିନ୍ଧି ସବୁଆଡ଼କୁ ଧ୍ୟାନ ରଖୁଛନ୍ତି ବିପ୍ର ସାଆନ୍ତ । କିଏ ଲେମ୍ବୁପାଣି ପିଇବ, କିଏ ଖାଲି ଥଣ୍ଡା ପାଣି ପିଇବ ବୁଝିନେବା ପରେ ଡାକ ଛାଡୁଛନ୍ତି ‘‘ଆରେ ହେ ପବିତ୍ର, ମାନ, ଅର୍ଖିତ ଇଆଡେ ଆଣରେ । ସେଇପଟେ ରହିଯିବ ନା କଣ । ଠାକୁରାଣୀଙ୍କ ରୀତିନୀତି ତ’ ତମେ ସବୁ ଜାଣିଛ, କେତେ ବୁଝାଇବି ଆଉ…ପୂଜାବିଧି ଟିକେ ବିଗିଡ଼ିଲେ ନା…. ।’’

ଅର୍ଖିତ ଉପରେ ବିରକ୍ତ ହେଲେ ସାଆନ୍ତେ । ‘‘ତତେ ବାରେବାରେକି କହିଥିଲି ଧଳା ଲୁଗା ପିନ୍ଧିବୁ ବୋଲି । ତୋର ତ’ ଟିକେ କାଣ୍ଡଜ୍ଞାନ ନାହିଁ । ଠାକୁରାଣୀ କୋପ ପକାଇଲେ...କଣ ହବ ଜାଣିଚୁଟି...ତୁ ଗଲୁ ଆଗ ଯା...ନୂଆ ଧଳାଲୁଗା ଖଣ୍ଡେ ଗୁଡେଇ ହେଇ ଆସିବୁ । ଧରମା ମାଆକୁ ବି ଡାକି ଆଣିବୁ । ବେଳ ପରା ଗଡ଼ି ଯାଉଛି । ଆଉ କେତେକି...ଏଇପା ଚାହୁଁ ଚାହୁଁ ଗଡ଼ିଯିବ । ଉଚ୍ଛୁର ହେଇଯିବରେ .... । ହରିଚନ୍ଦନପୁରରୁ ଆସି ପହଞ୍ଚିଗଲାଣି ଘଣ୍ଟୁଆ ମଣି ବେହେରା, ମାଣିକପୁରରୁ ନର ପ୍ରଧାନ, ବଣିଆସାହିରୁ କାହାଳିଆ ଦାନି ମହନ୍ତ । ଦଶଦିନ ହେଲା ଆସି ଗୋକୁଳନଗରରୁ ଅଷ୍ଟପ୍ରହରୀ ଦଳ ପଙ୍ଗତ ଖାଉଛନ୍ତି । ତମେ ସବୁ ଗାଁ ଭେଣ୍ଡା ହେଇ ଉଠିବ ସୂର୍ଜ ଟାଣ ହେଲେ । ଠାକୁରାଣୀଙ୍କ ଅପାର କୃପା । ସମସ୍ତଙ୍କୁ ସିଏ ଡାକିଆଣୁଛନ୍ତି ନା... ।’’ ବିପ୍ର ସାଆନ୍ତଙ୍କ ପାଟି ବନ୍ଦ ହେଉନି । ଅଚିହ୍ନା ଲୋକଟିଏ ଦେଖିଲେ ଦୌଡ଼ି ଯାଉଛନ୍ତି ପାଖକୁ । ‘‘ସର୍ବେ ହୋଇବେ ଏକାକାର ବେଦରେ ନଥିବ ବିଚାର, ଏଣୁ ହୋଇବେ ଅଳ୍ପାୟୁଷ ପାପ ସକଳେ ଯିବେ ନାଶ’’ ବୋଲି ବୋଲି ଠାକୁରାଣୀ ଶାଳକୁ ଗଡ଼ିଲେ ସାଆନ୍ତେ ।

ସଖି ମାଆ କାନ୍ଦୁଛି କି ହସୁଛି ଜଣାପଡୁନି । ସେ ହସିଲେ ଯେମିତି କାନ୍ଦିଲେ ବି ସେମିତି ଦିଶେ । ମାଆଙ୍କ ପାଇଁ ସବୁଠୁ ବେଶୀ ଶରଧା ସଖିମାଆର । ଆଜିଠୁ ଜାଣ ସଖିର ଦୁଃଖ ଯିବ । ତା’ ମଥାରେ ସିନ୍ଦୁର ଝଟକିବ । ପବନାଟା ଆସିପାରିଲା ନାହିଁ ବୋଲି ଯାହା ସଖିମାଆର ଦୁଃଖ । ହଉ ଦି’ଦିନ ପରେ ତ ଆସିବ । ସେତେବେଳେ ଆଉ ଝିନ୍‌ଝଟ ଥିବ ନା କଣ । ଆଜି ଯେ ସାକ୍ଷାତ ମାଆ କୁସୁମେଇ ଆସିବେ । ଖବର ପାଇଲା ପରେ ପବନା କ’ଣ ଖାଇଛି ନା ପିଇଛି । ସେଇଠି ପରଦେଶରେ ଅଧିଆ ପଡ଼ିଛି । ଭଲ ଖବର ପାଇଲେ ଯାଇ ଉଠିବ ବୋଲି କହିଛି । ହବିଷ୍ୟାଳୀ ଯାତ୍ରାରୁ ଫେରିଥିବା ‘ମାଆ ଦଳ’ ଆଗରେ ନିଜକୁ ଆଉଟିକେ ଖୋଲିଦେଉଥିଲା ସଖିମାଆ । ପବନା କଥା ମନେ ପଡ଼ିବାରୁ ସଖିମାଆ ଆଖିରେ ଜକେଇ ଆସିଲା ଲୁହ । ‘‘ପବନା କଣ ଖାଲି ବସି ପାରେ କି ଲୋ... । ଗୋଟେ ମୁଉର୍ତ ପା ସେ ବସିବନି । କେତେ ଖଟୁଚୁ ବୋଲି ପଚାରିଲେ କହିବ ମୋ ଦେହ ଘୋଳେଇ ହଉଛି । ସେଇନାଆକେ ଶାଗମଳା କରିବ, କୂଅରୁ ପାଣି ଆଣି କାକୁଡ଼ି, ବୋଇତାଳୁ ମନ୍ଦାରେ ଢାଳିବ, ଗାଈଙ୍କୁ ଗାଧେଇପାଧେଇ ଦବ । କିଛି କାମ ନପାଇଲେ ଦା’ ଖଣ୍ଡେ ଧରି ନଈ କୂଳ ଆଡେ ଯିବ ଯେ ଫେରିଲାବେଳକୁ ଦି’ବିଡ଼ା ଘାସ ଧରି ଫେରିବ । ଗଲା ସନ ...ନାଁଲୋ ପଅରି ସଅନ ଭୋଗୁ ପୁହାଣ ତା’ ମୁଣ୍ଡରେ କି ଭୂତ ପୁରେଇଲା କେଜାଣି ଖାଲି ତ ବିଳିବିଳେଇ ହେଲା- ବିଦେଶ ଯିବି, ବିଡ଼ା ବିଡ଼ା ଟଙ୍କା କମେଇବି । ଏଠି କିଏ ଘାସ ବୋହିବ । ଗାଈ ପଛରେ ଘୁଷୁରି ହବ । ହୁଁ’କିନା ଉଠିଲା ଗଲା । ସଖି ଯେତେ ବୁଝାଇଲେ ତା’ ମୁଣ୍ଡରୁ ଆଉ ନିଶା ଖସିଲାନି । ଭୋଗୁ ପୁହାଣ ଜାଣ ତାକୁ ସର୍ବନାଶ କରିଦେଲା । ଦି’ ବର୍ଷ ପୂରିଲା ସିନା ପଇସା ବଞ୍ଚିଲାନି । ସିଏ ଯୋଉ କାମୁକା ମର୍ଦ୍ଦ, ଧିଅପା’କୁ କଣ ନଜର ଦଉଥିବ । ଯେତେବେଳେ ଝିଅଟା ଫୋନ କଲେ- ଆର ମାସକୁ ଯିବି, ଦରମା ପାଇଲେ ଯିବି ବୋଲି କହୁଛି । ଏମିତି ଏମିତି ଦି’ସଅନ ଗଲା । ସଖି ତ ଝୁରିଝୁରି କଣ୍ଟା ହେଲା । ତା’ପରେ ତ’ କୋଇଠି ଥିଲା ଏ ଭୂତ ଘଇତା । ତାକୁ ତ ରବେଇଖବେଇ ଖାଇଲା । ତା’ ଦିହରୁ ମାଉଁଶ ଖାଇଗଲା ଲୋ, କଳାକାଠ ପଡ଼ିଗଲା ସୁନାନାକୀ ଝିଅଟା ମୋର । ରାତିରେ ଶୋଇବାକୁ ଡରୁଛି । ଶୋଇଲେ ତ’ ଝୁଣି ଖାଉଛି ଭୂତ, କଣ କରିବ । ମାଆ ଯାହା କରିବେ ।’

ସକାଳୁ ଅଖିଆ ପେଟରେ ସଙ୍ଖ ଫୁଙ୍କୁଛୁ ମାଧ । ତାକୁ ସ୍ବପ୍ନାଦେଶ ହୋଇଛି । ଆଖିରୁ ବୋହିଯାଉଛି ଧାରଧାର ଲୁହ । ମନ୍ଦାର ଫୁଲ, ଗଳିଗୁଆ, ସିନ୍ଦୁର, ହଳଦୀ, ଦୂବ, ବରକୋଳି ପତ୍ର, ପଣା ଭୋଗ, ଧଳା ବସ୍ତ୍ରରେ ଭର୍ତ୍ତି ହେଇଗଲାଣି ଶାଳ । ଝଟକୁଛି ନୂଆ ମନ୍ଦିର । ମାସ କେତେଟାରେ ମନ୍ଦିର ତୋଳା ହେଇଛି । ପାଚେରୀ ହେଇଛି । କେହି କାହାକୁ କହିନାହାଁନ୍ତି । ମିସ୍ତ୍ରୀ ଆସିଲା । ସିମେଣ୍ଟ, ଇଟା ଆସିଲା । କାମ ଚାଲିଲା । କେହି ଜାଣିଲେନି କିଏ କଲା । କାହିଁକି କଲା । କିଏ କରିବାକୁ କହିଲା । ସବୁ ମାଆଙ୍କ ମାୟା । ଆକାଶମୁହାଁ ହେଲା ହାତ । ହରିବୋଲ...ହରିବୋଲ…ବିପ୍ର ସାଆନ୍ତେ କାହାକୁ କହୁଥିଲେ ସିଏ ଏକା ଜାଣନ୍ତି ।

ସାଆନ୍ତେ ଧାଁଦଉଡ କରୁଥିବା ବେଳେ ଥରକୁଥର ଅଟକି ଯାଉଛନ୍ତି ‘ମାଆ ଦଳ’ ପାଖରେ । କିଏ ହବିଷ୍ୟାଳୀ ପଦେ ପଚାରିଦେଲେ ତ’ ସାଆନ୍ତଙ୍କ କଥା ଚାଲିଲା । ‘‘ ଏଇ ଜଟିଆବୋଉ କଣ ଥିଲା ଜାଣିଛଟି ? ସ୍ବର ଥମିଗଲା, ଏଥର ଆଉ ବଡ଼ ପାଟିରେ ନୁହଁ ପୁରା ଫୁସ୍‌ଫୁସ ସ୍ବରରେ ‘ମାଆ ଦଳ’ ଶୁଣିଲେ ମାଆଙ୍କ ମହିମା । ଜଟିଆବୋଉ ଥିଲା ଚରାଡାହାଣୀ, ରାତି ହେଲେ ଉଧୁନଙ୍ଗଳାହେଇ ହାତରେ ଚାଲୁଥିଲା । ଦେହର ଥୋଡେ ମାଉଁଶ ନଥିଲା । ବର୍ଷେହେଲା ନୂଆ ଜୀବନ ପାଇଲା ନାଆଁ... । ଆଉ ଏ ସବାଖିଆ କ୍ଷେତରା କଣ ବଞ୍ଚିଥାନ୍ତା...ସମସ୍ତେ କୁହାକୁହି ହେଉଥିଲେ ଆଉ ବଞ୍ଚିବନି, ପୂରା ଦେହରେ ବିଷ ଚରିଗଲାଣି । ଦେଖ ବଞ୍ଚିଚି ନା ନାଇଁ । ମାଆଙ୍କ ଚରଣରେ ଯିଏ ଥରେ ଶରଣ ପସିଲା ଜାଣ ଦୁଃଖ ଗଲା ।... ଉଚ୍ଛୁର ହେଲାରେ ମୁଁ ଯାଏଁ ସିଆଡେ ।’’

ହମ୍ବା ରଡ଼ି ଶୁଣି ଅର୍ଖିତ ଧାଇଁଲା ଗୁହାଳକୁ । ମନେ ପଡ଼ିଗଲା କାଲି ଘାସ ପାଇଁ ଯାଇ ନଥିଲା । ସଙ୍ଗାରେ ବିଡେ ବି ଘାସ ନାହିଁ । ଗୋରୁ ଓପାସରେ ରହିବେ ପୁଣି ଅର୍ଖିତ ଥାଉ ଥାଉ । ଦା’ ବାହାଙ୍ଗୀ ଧରି ନଈ ଆଡେ ଚାଲିଲା ଅର୍ଖିତ । ଯିଏ ଦେଖିଲା ବାଟ ଓଗାଳିଲା । -ଆରେ ଏବେ ପରା ମାଆଙ୍କ ଶାଳରେ ମନ୍ତ୍ରପଢ଼ା, ହୋମ ଆରମ୍ଭ ହେବ, କାଳିଶି ଆସିବେ, ତୁ କୁଆଡେ ଯାଉଛୁ । ‘‘ଗୋରୁ ଖାଇବାକୁ କିଛି ନାହିଁ ପା, ମୁଁ ଏଇ ଗଲି ଆଉ ଏଇ ଆଇଲି’’ କହି ନଈ ଆଡେ ମୁହେଁଇଲା ଅର୍ଖିତ । ନଈ ସେପାରି ଇକଳାପାରିରେ ଭଲ ସୁଆଁ ଓ କଜଳପାତିଆ ହେଇଛି, ଦୂବ ବି କଞ୍ଚେଇଛି...କେତେ ସମୟ ଲାଗିବକି ଏମିତି… ଦେଖାଯିବ ହୋ...ଯାହା ହବାର ଥିବ ହବ...ମନକୁ ମନ କହିଲା ଅର୍ଖିତ । ନଈ ପାରେଇଲା ପରେ ଭୁଲିଗଲା ମାଆଙ୍କୁ । ଭେଟିଲା ଭୋଗୁ ପୁହାଣକୁ । ଭୋଗୁ ବାଲିଆ ମାଟିରୁ ଖୁରୁପିରେ ଦୂବ ଘାସ ଓପାଡୁ ଓପାଡୁ ଛିଗୁଲେଇଲା- ହେ..ରେ ଭକତ ଅର୍ଖିତ...ତମ ଗାଁ’କୁ ପରା ଠାକୁରାଣୀ ଆଇଚନ୍ତି, ତୁ କଣ ଏୟାଡେ ଓରେଇଲୁ । ଅର୍ଖିତର କୁରେ ହେଲାବେଳକୁ ଭୋଗୁର ଅଟଙ୍ଗେ । ହାତ ମୁଠାରେ ଯେତିକି ଘାସ ଧରେ ସେତିକି ଅଟଙ୍ଗେ । ଚାରି ଅଟଙ୍ଗାରେ କୁରେ । ଚାରି କୁରାରେ ଅଧ ବିଡେ । ଚାହୁଁ ଚାହୁଁ ଅର୍ଖିତର ଦି’ ବିଡ଼ା ଘାସ । ଭୋଗୁ ଘାସ କାଟିବା ଛାଡ଼ି ଅର୍ଖିତ ହାତକୁ ଚାହିଁଥିଲା ।

- ‘‘ମାନିଗଲିରେ ତତେ ଅର୍ଖିତ । ହାତ ଖଣ୍ଡେ ପାଇଛୁ । ମୋ ଦେଇ ଦା’ରେ ଘାସ କଟା ହେଲାନି ।’’ ଏତେବେଳେକେ ମୁହଁ ଖୋଲିଲା ଅର୍ଖିତ । ‘‘କାଇଁମ ଭୋଗୁ ଭାଇ, ବିଦେଶ ଯାଉନ, ବିଡ଼ା ବିଡ଼ା ଟଙ୍କା ବୋହି ଆଣିବ, ଘାସ କାଟିବାକୁ କିଏ କହିଲା ତମକୁ..ଭାଉଜକି ?’’ ଭୋଗୁର ମୁହଁ ସୁଖିଗଲା । ‘‘ମତେ ମାଫ୍‌ କରିଦେରେ ଅର୍ଖିତ’’ -କଣ ଗୋଟାଏ ବଡ଼ ଭୁଲ କରିଥିବା ପରି ଭୋଗୁ କ୍ଷମା ମାଗିଲା । ଘାସ ବିଡ଼ା ବାନ୍ଧୁ ବାନ୍ଧୁ ଭୋଗୁ ମୁହଁକୁ ବଲବଲ କରି ଚାହିଁଲା ଅର୍ଖିତ । କଅଣ ? ଅର୍ଖିତ ମୁହଁରୁ ଲହରେଇ ଗଲା ପ୍ରଶ୍ନବାଚୀଟିଏ ।

ମୋ ପାଇଁ ତମ ପରିବାରଟା ଉଜୁଡ଼ି ଗଲାରେ । ତୋ ଭାଇକୁ ଯଦି ମୁଁ ବିଦେଶ ପଠାଇନଥାନ୍ତି ଆଜି…...ଅନୁଶୋଚନାରେ ଭୋଗୁ ମଥାର ଚର୍ମ କୁଞ୍ଚିତ ହେଉଥିଲା, ମୁହଁ ତଳକୁ ଥିଲା ।

ଛାଡ଼ମ ଭାଇ...ଯାହା ହବାର ଥିଲା ହେଲା । ସେ ତ’ ନିଜ ଇଚ୍ଛାରେ ଗଲା, ନୂଆଉ ତ’ ମୋଟୁରୁ ରାଜି ନଥିଲେ । ଭାଇ ଘର ଛାଡ଼ିଲା ଦିନରୁ ତ’ ଶନି ଦଶା ପଡ଼ିଚି ଆମର...କହାକୁ ଦୋଷ ଦେଇ ଲାଭ କଅଣ । ହଉ ଛାଡ଼ ତମର ତ ଉଚ୍ଛୁର ହବ, ମୁଁ ଯାଏଁ ସିଆଡେ ହୋମ ସରିବଣି, ସାଆନ୍ତ ଶୋଦିବ….ଘାସଭାର କାନ୍ଧକୁ ଉଠାଇଲା ଅର୍ଖିତ ।

ମାଆ କୁସୁମେଇ ପୀଠରେ କାଳିଶି ନାଚୁଛି । ହୋମ ଧୂଆଁରେ ଖଣ୍ଡମଣ୍ଡଳ ଦିଶୁଛି ଧୁଆଁ ଧୁଆଁ । ମଝିରେ ମଝିରେ ଦେହୁରୀ ତୁଳସୀ ପତ୍ରରେ ମନ୍ତୁରା ପାଣି ଟିକେ ଟିକେ ଛିଞ୍ଚି ଦଉଛି କାଳିଶୀ ଉପରେ । ଉଦଣ୍ଡ ନାଚୁଛି କାଳିଶୀ । ଚାରିପାଖେ ଘେରି ରହିଛନ୍ତି ଛୋଟଠୁ ବଡ଼ ସଭିଏଁ । ସମସ୍ତଙ୍କ ଆଖିରେ ଆଶ୍ଚର୍ଯ୍ୟ ଓ ଭୟ ମିଶାମିଶି ହୋଇ ଖୁନ୍ଦି ହେଇଛି । ଚାହୁଁ ଚାହୁଁ ଧରମା ମାଆ ଡେଇଁ ପଡ଼ିଲା ଆଗକୁ । ତାକୁ ବି କାଳିଶୀ ଲାଗିଲା । ଜିଭ ବାହାର କରି ଚୁଟି ଟାଣି ଧୂଳିରେ ଗଡ଼ିଲା ଧରମା ମାଆ । ବିପ୍ର ସାଆନ୍ତେ ବଡ଼ ପାଟିରେ ଚିଲେଇଲେ ‘‘ଯିଏ ଯିଏ ଅଶୌଚ ଅଛି, ପାଖକୁ ଆସନି । ରଜସ୍ବଳା ମାଆ ଭଉଣୀମାନେ ଦୟାକରି ଦୂରେଇ ରୁଅ, ହଜାର ଥର କହିଲିଣି ଅନୀତି କରନି, ନଷ୍ଟ ହେଇ ଯିବରେ ନଷ୍ଟ ହେଇ ଯିବ ।’’

ବେଳ ଗଡ଼ି ଯାଉଛି । ସକାଳ ପହରୁ ସଖି ଅଥିଆ ପଡ଼ିଛି ଯେ ପଡ଼ିଛି । ଦି’ଦିନ ହେଲା ପେଟରେ ଦାନା ପଡ଼ିନି । ନିଷ୍ଠାର ସହ ସଖିର ବ୍ରତ ପାଳନକୁ ନେଇ ସଖିମାଆ ବୁଲି ବୁଲି ତିନି ଖଣ୍ଡ ଗାଁରେ ଡିଣ୍ଡିମ ପିଟିଛି । ଏ ଖଣ୍ଡମଣ୍ଡଳରେ ଏମିତି ଲୋକ ନଥିବେ ଯିଏ ସଖିକୁ ଜାଣିନଥିବେ । ଜାଣିନଥିବେ ସଖିର ରୋଗ ବିଷୟରେ । କେବଳ ସଖି ପାଇଁ ଏଥର ସ୍ବତନ୍ତ୍ର ଭାବରେ ଯଜ୍ଞର ଆୟୋଜନ ହୋଇଥିବା କହୁଛନ୍ତି ବିପ୍ର ସାଆନ୍ତ । ‘ସଖିର ଶୂନ୍ୟ ସହବାସ ରୋଗ । ଏ ରୋଗକୁ ଔଷଧ ନାହିଁ । ଏ ରୋଗକୁ କୋଉ ଡାକ୍ତର ଭଲ କରିପାରିବ ନାହିଁ । ଦିନରେ ଖାଇବ ପିଇବ କିଛି ନାହିଁ, ଭଲ ମଣିଷ । ରାତି ହେଲେ ସରିଲା କଥା । ଶୋଇବ ତ ମାଡି ବସିବ ଭୂତ । ପବନ ଜାହିର କରିବ ସ୍ବାମୀତ୍ବ । ନିର୍ଦ୍ଦୟ, ନିଷ୍ଠୁର ସହବାସ ପରେ ଓହ୍ଲେଇଯିବ ଦେହରୁ, ତା’ପରେ ନିଦ ଭାଙ୍ଗେ ସଖିର । ଥରୁଥାଏ ଦେହ, ଗମ୍‌ ଗମ୍‌ ହୋଇ ବାହାରୁଥାଏ ଝାଳ । ଦି’ଘଣ୍ଟା ଯାଏ ଉଠି ପାରେନାହିଁ । ପ୍ରଥମେ ପ୍ରଥମେ କାହାକୁ କିଛି କୁହେନାହିଁ ସଖି । ପବନା ବିଦେଶ ଯିବା ପରେ ଆରମ୍ଭ ହୋଇଥିଲା ଏହି ରୋଗ । ଦିଅର ଅର୍ଖିତ ଛଡ଼ା ଘରେ ଆଉ କେହି ନାହିଁ । କାହାକୁ କହିବ ଏକଥା । ତା’ ପରଠୁ ମାଆ ଆସିଲା ଘରକୁ । କେତେକେତେ ଆଡେ ବୁଲିଲା । କେହି ପାରିଲେ ନାହିଁ । ଓଷଦ, ଚେରମୂଳି ଖାଇଖାଇ କଣ୍ଟା ହେଇଗଲା ଝିଅଟା ।’

ସେପଟେ ଅର୍ଖିତର ବାହାରାଶି ଫିଟୁନି । କେତେଆଡେ ଝିଅ ଦେଖା ହେଲାଣି, ବାହାଘର ହୋଇପାରୁନି । ଘର କାମକୁ ସିନା ଆଗଭର, ହେଲେ ତାର ଟିକେ ବଦରାଗୀ ଦୋଷ । ମୁହେଁ ମୁହେଁ ହାଣେ, କାହାକୁ ଡରେନି । ଅପ୍ରିୟ ସତ କହି ସାରା ଗାଁ’ର ବଇରୀ ହୋଇଛି ଅର୍ଖିତ । ଭାଇ ସହ ବି ପଟେନାହିଁ । ସବୁ କାମ କରିବ କିନ୍ତୁ କୋଉ କାମରେ ନଥିବ । ଗାଈଙ୍କ ପାଇଁ ଘାସ ଆଣେ, ଘର ଚୁଲି ଜଳିବା ପାଇଁ ବାରଆଡେ ବୁଲି କାଠ, ପତର ସଂଗ୍ରହ କରେ । ଘରର ଚାଷ କଥା ବୁଝେ । ଅର୍ଖିତ ରାଗିଲେ ନା କାହାର ନୁହେଁ । ମୁହଁରେ ବାଡ଼ବତା ନାହିଁ । ମୁହଁରେ ଟାଣ କଥା କହେ ସିନା ତା’ ମନଟା ତାଳସଜ ପରି ଲୁତୁପୁତୁ । ଗାଈ ଦି’ଟାଙ୍କୁ ଗୋଗଛିଆ ପିଟିବ । ପୁଣି ଗାଧେଇ ପାଧେଇ ଦେଇ ମୁହଁରେ ଘାସ ଦବ, ବେକ ଆଉଁସିବ । ଓଲେଇ ଗାଈ କଷରୀ କ’ଣ କମ ଦହଗଞ୍ଜ କରୁଛି କି ତା’କୁ । ଓଲେଇ ପୁଣି ମସ୍ତ ହେଇଛି । ଅର୍ଖିତ ତ ରାଗିକି ପଞ୍ଚମ । ‘‘ଏ ଶାଲି ଗାଈକୁ କନ୍ତର ହାଟକୁ ନେବି । ପନ୍ଦର ଦିନ ଯାଇଛି କି ନାଇଁ ପୁଣି ନୋଉଟଉଛି । ଷଷ୍ଢକୁ ଆଖେଇ ଲାଞ୍ଜ ଟେକି କୁଆଡେନାଇଁ କୁଆଡେ ଧାଉଁଛି । ଲାଳରେ ଗୁହାଳ ଗନ୍ଧେଇଲାଣି । ଏ ଓଲେଇ ମତେ ବରବାଦ କରିଦେଲା । ଦିନ ନାହିଁ ରାତି ନାହିଁ କଣ୍ଟାଝଟାରେ ବୁଲିବୁଲି ୟା’ପାଇଁ ଘାସ ଆଣିବି । ଏୟେ ଖାଇ ପିଇ ମସ୍ତ ହେଇ ଷଣ୍ଢ ପଛରେ ଧାଇଁବ ।’’ ଥାନ ଅଥାନ ନାଇଁ ଅର୍ଖିତ କେନ୍ଦୁ ଠେଙ୍ଗାରେ କଷରୀକୁ ପିଟିବ ଯେ ପିଟିବ କିଳା ଓପାଡ଼ିବା ଯାଏ, ପଘା ଛିଣ୍ଡେଇବା ଯାଏ । ତା’ ପରେ ଦିନେ ଦି’ଦିନ ଯାଏ ଗୁହାଳକୁ ଫେରିବନି ଓଲେଇ । ଦେଖିଲାବେଳକୁ ପୁଣି ଦିନେ ସୁଧାର ଗାଈ ପରି ଗୁହାଳେ ଶୋଇଥିବ ।

କାହାଳିଆ ଦାନି ମହନ୍ତ କାହାଳି ଫୁଙ୍କୁଛି ଯେ ପାଞ୍ଚ କୋଶ ଯାଏ ଶୁଭୁଛି । ଗାଁ ମୁଣ୍ଡରେ ଗାଡ଼ି, ମଟର ଭର୍ତ୍ତି । ବିପ୍ର ସାଆନ୍ତଙ୍କ ମୁଣ୍ଡରୁ ଧାର ଧାର ହେଇ ଗଡୁଛି ଝାଳ । ମଝିରେ ମଝିରେ ବାଁ ବୁଢ଼ା ଆଙ୍ଗୁଳିରେ ଆଖିପତାରୁ ଝାଳ ଚିପୁଡ଼ି ବିଶି ଆଙ୍ଗୁଳିରେ ଟିଙ୍କା ମାରି ବିନ୍ଦି ବିନ୍ଦି ଝାଳ ଉଡୋଉଛନ୍ତି ସାଆନ୍ତେ । ‘‘ହଇହେ ସାଆନ୍ତେ ଗାମୁଛା ଖଣ୍ଡେ କାନ୍ଧରେ ପକୋଉନ, ଏକବସ୍ତ୍ର ହେଇ ବୁଲୁଛ ।’’ ସମବୟସ୍କ ମହି ଜେନା ଇଙ୍ଗିତରେ କହିଲେ ସାଆନ୍ତଙ୍କୁ । ସାଆନ୍ତେ ତ’ ଏତିକିରେ ଖପ୍ପା । ‘‘ତମେ କଣଟା ଜାଣିଛ ଯେ ମୁଣ୍ଡ ଘାଣ୍ଟୁଛ ହେ ଜେନା ପୁଅ । ମୁଁ ଏକ ବସ୍ତ୍ର କି ଦ୍ବିବସ୍ତ୍ର ଯାଉନ ତମ ମାଇପକୁ ପଚାରିବ । ମୋର ଭିତରେ କୌପିନୀ ଅଛି କି ନାଁ, ଆଏଁ... ସେଇଟା କଣ ବସ୍ତ୍ର ନୁହେଁ । ତମେ ନଜାଣି ଖାଲି ମିଛଟାରେ କାଇଁ ଗବଗବ ହଉଚ ।’’ ସାଆନ୍ତଙ୍କର ପୁରୁଣା ଅର୍ଶ ରୋଗ ଅଛି, ଏକଥା ଜାଣିଶୁଣି ମହି ଜେନା ପଚାରିଥିଲେ ଖାଲି ଟିକେ ଚିଡେଇବା ପାଇଁ । ସାଆନ୍ତେଙ୍କ ସାଙ୍ଗରେ ଜେନାଙ୍କର ଏମିତି ଚଳେ । ଆଜି ନୁହଁ ଚାଳିଶ ବର୍ଷ ହେଲା ଚାଲିଛି । ଲୋକଙ୍କ ଆଗରେ ଶୋଦାଶୋଧି, ପୁଣି ଟିକକରେ ସମ୍ପର୍କ କୋଳାକୋଳି ।

ଠାକୁରାଣୀ ଶାଳରେ ଅଧିଆ ପଡ଼ିଥିବା ଏଗାର ମାନସିକଧାରୀଙ୍କ ଉପରେ ମନ୍ତୁରା ପାଣି ଢାଳୁଛି ଦେହୁରୀ । କଠୋର ନିଷ୍ଠା ପାଳନ କରି ଗତ ଦୁଇ ଦିନ ଧରି ଖାଡ଼ା ଉପାସ ଥିବା ବ୍ରତଧାରୀଙ୍କ ମୁହଁରେ ତୁଳସୀ ପତ୍ର ଓ ଗଂଗାପାଣି ଛିଞ୍ଚୁଛି । କାଳିଶି ହେଇ ଦିନ ସାରା ନାଚୁଥିବା ଧୃବ ଦେହୁରୀ ଚେତା ହରେଇ ପଡ଼ିଛି ଯେ ଏଯାଏ ଉଠିନି । ମଲାଗଲା ପରି କାଦୁଅରେ ପଚର ପଚର ହୋଉଛନ୍ତି ଏଗାର ମାନସିକଧାରୀ । ନା ତାଙ୍କ ପାଳି ଆସୁଛି ନା ସାକ୍ଷାତ ମାଆ ତାଙ୍କୁ ଉଠାଉଛନ୍ତି । ସେତେବେଳକୁ ସୂରୁଜ ଗଡ଼ିବା ଗଡ଼ିବା ହେଉଥାନ୍ତି । ନରଣପୁରରୁ ଖାଲି ପାଦରେ ଦୌଡି ଦୌଡି ଆସି ଗାଗ ବରାଳ ଦେହୁରୀ ଆଗରେ ଗୁହାରୀ କଲା । ‘‘ମତେ ସ୍ବପ୍ନାଦେଶ ହୋଇଛି । ଆଜି ମତେ ମାଆଙ୍କ ସେବା କରିବାକୁ ସୁଯୋଗ ଦିଅ । ସୁଯୋଗ ଦିଅ ପ୍ରଭୁ ।’’ ଦେହୁରୀ ପୁରା ତାଟକା ହେଇ ଚାହିଁଲେ ମଧ୍ୟବୟସ୍କ ଗାଗ ବରାଳକୁ । ‘‘ଆରେ ବେଳ ପରା ବୁଡ଼ିବାକୁ ବସିଲାଣି । ସବୁ ତ ସରିଲାଣି । ଖାଲି ଏଇ ମାନସିକଧାରୀଙ୍କ କଥା ସରିଲେ ସରିଲା । କୋଉଠି ଥିଲ ଏତେବେଳ ଯାଏ, ଏବେ ତ ସନ୍ଧି ପୂଜା ହବ ।’’ ଦେହୁରୀ ଏକ ପ୍ରକାର ବିରକ୍ତ ହେଲେ । ନଛୋଡବନ୍ଧା ଗାଗ ବରାଳ- ମତେ କୁହ କଣ କରିବି ଏବେ । ଦେହୁରୀ ମୁହଁକୁ ଚାହିଁ ରହିଲା ଗାଗ ବରାଳ । ନିର୍ଦ୍ଦେଶ ଦେଲେ ଦେହୁରୀ- ହଉ ତୁ ଗୋଟେ କାମ କର । ଶାଳରେ ଯେତେ ଭୋଗଥାଳି ଅଛି, ସବୁକୁ ବାହାରେ ଆଣି ଏକାଠି କର । ଫଳକୁ ଛୋଟଛୋଟ କରି କାଟିପକା । ଭୋଗ ହବ ।

ଫୁଲ ସଞ୍ଜ । ଏଇ ହଉଛି ଅସଲ ବେଳ । ସବୁ ଅସାଧ୍ୟ ସାଧନର ବେଳ । ସଖିମାଆକୁ ଶାଳ ଭିତରକୁ ଯିବାକୁ ଆକଟ କଲେ ବିପ୍ର ସାଆନ୍ତେ । ଯୋଉ ଏଗାର ଭକ୍ତ ଅଧିଆ ପଡ଼ିଛନ୍ତି, ସେମାନଙ୍କ ଛଡ଼ା ଏବେ ଆଉ ଶାଳ ଭିତରେ କେହି ରହିପାରିବେ ନାହିଁ । ମାଆ ଏବେ ରକ୍ତମୁଖା । ଯିଏ ଭକ୍ତିରେ ସନ୍ତୁଷ୍ଟ କରିପାରିବ ତାକୁ ଆଶୀଷ ଦେବେ । ତମେ ସବୁ ବାହାରେ ଅପେକ୍ଷା କର । ମୁଁ ଡାକିଲେ ଆସିବ କହି ଶାଳ ଭିତରକୁ ଚାଲିଗଲେ ସାଆନ୍ତେ । ଘଣ୍ଟଘଣ୍ଟା ସବୁ ବନ୍ଦ । ସନ୍ଧି ପୂଜା ଆରମ୍ଭ । ଶାଳ ଭିତରେ କେବଳ ଦୀପଟିଏ ଜଳୁଛି । ଝୁଣା ଧୁଆଁରେ ଶାଳ ଭର୍ତ୍ତି । ବାହାରେ ଚାଲିଛି ପ୍ରସାଦ ସେବନ । ଶାଳ ଆଗରେ ଥିବା ଜାମୁ ଗଛମୂଳେ ବସିଛି ସଖିମାଆ । ଦେଖିବା ଲୋକ ଦେଖୁଛନ୍ତି ସଖିମାଆ କାହା ସହିତ କଥା ହେଉଛି ବଡ଼ ପାଟିରେ । ଆଖିରୁ ବୋହି ଯାଉଛି ଧାର ଧାର ଲୁହ । ଯୋଡ଼ ହସ୍ତ ବାରମ୍ବାର ଲାଗିଯାଉଛି ମଥାରେ । କାହା ସହିତ ଏମିତି କଥା ହଉଛି ସଖିମାଆ ! ଜାମୁ ଗଛ ମୂଳ ବାଟ ଦେଇ ଯାଉଥିବା ଲୋକଙ୍କ ଆଖିରେ ଖୁନ୍ଦି ହୋଇଯାଉଛି ଆଶ୍ଚର୍ଯ୍ୟ । କେହି ଟିପ୍ପଣୀ ଦେଉଛି ବୁଢ଼ୀ ପାଗିଳୀ ହୋଇଗଲାଣି । ଆଉ କିଏ କିଏ ମଜା ଉଡ଼ାଉଛନ୍ତି, ‘ଝିଅର ଶୂନ୍ୟ ସହବାସ, ବୁଢ଼ୀର ଶୂନ୍ୟ ବାର୍ତ୍ତାଳାପ ।’

ଅର୍ଖିତ ଗୋରୁଙ୍କୁ ତୋରାଣିପାଣି ଦେଇ ନୂଆ ଧଳାଲୁଗାଟେ ପିନ୍ଧିଲା । ତାକୁ ଭକ୍ତଙ୍କ ପ୍ରସାଦ ସେବନ ବେଳେ ବାଣ୍ଟୁଣିଆଙ୍କୁ ସହଯୋଗ କରିବାକୁ ଦାୟିତ୍ବ ଦେଇଥିଲେ ବିପ୍ର ସାଆନ୍ତେ । ଯଜ୍ଞ ସମୟରେ ଉପସ୍ଥିତ ରହିବାକୁ ତାଗିଦ ବି କରିଥିଲେ । ମାଆ କୁସୁମେଇଙ୍କ ପାଇଁ ମଣିଷ ସିନା ନିଷ୍ଠାରେ ଉପବାସ କରିବେ, ଗାଈ ଗୋରୁ କଣ ସେକଥା ବୁଝିବେ । ଅର୍ଖିତ ନଥିଲେ ତିନି ତିନିଟା ଗାଈ କଷରୀ, ନାଲି, ଧୋବିଙ୍କ କଥା ବୁଝିବ କିଏ ? ଘାସ ନଖାଇଲେ କଣ କ୍ଷୀର ଦେବେ ଗାଈ? ବିନା କ୍ଷୀରରେ ଘର ଚଳିବ କେମିତି ? ମାଆଙ୍କ ଶାଳକୁ ନଯିବା ପାଇଁ ନିଜ ମନ ଭିତରେ ନିଜ ସପକ୍ଷରେ ଯୁକ୍ତି ତିଆରି କଲା ଅର୍ଖିତ । ଘରେ କିଏ ଅଛିକି ? ଦି’ଦିନ ହେଲା ଭାତ ଛୁଇଁ ନଥିବା ନୂଆଉ ତ’ ଅଥିଆ ପଡ଼ିଛି ଶାଳରେ । ବୁଢ଼ୀ ତ’ ଘରେ ନାହିଁ । ଗୁହାଳ ସଙ୍ଗାରେ ଘାସ ଥୋଇ ଘରକୁ ଆସିବା ବେଳକୁ ଭୋକରେ ଛାତି କଁ କଁ କଲା । ପାଦ ଉଠେଇବାକୁ ବଳ ପାଇଲା ନାହିଁ । ବାରି ପଟ ଟୁବି ଗଡ଼ିଆ ଧାରରୁ ଛିଣ୍ଡେଇ ଆଣିଲା ଦି’ପୁଳା ମଦରଙ୍ଗା ଶାଗ । ବାସି ପଖାଳ ଥିଲା ହାଣ୍ଡିରେ । ଶାଗ, ପଖାଳ ଖାଇଲା ପରେ ଯାଇ ଦେହରେ ଜୀବନ ପଶିଲା । ବ୍ରତ ଭାଙ୍ଗିଗଲା ବୋଲି ଦିନରେ ଆଉ ମାଆଙ୍କ ଶାଳକୁ ଗଲା ନାହିଁ ଅର୍ଖିତ । କାଳେ ମାଆ କୋପଦୃଷ୍ଟି ପକେଇବେ ।

ଜୟ ମା କୁସୁମେଶ୍ବରୀ କି ଜୟ...ଜୟ ମା…. । ବିପ୍ର ସାଆନ୍ତେ ଠାକୁରାଣୀ ଶାଳ ଭିତରୁ ବଡ଼ ପାଟିରେ ଡାକ ପକାଇଲେ ଅର୍ଖିତକୁ । ଅର୍ଖିତ ବାଁରେଇ ହେଇ ବୁଲୁଥିଲା ଶାଳ ପାଖରେ । ସାଆନ୍ତେଙ୍କ ଡାକରା ପାଇ କୁନ୍ଥୁକୁନ୍ଥୁ ହଉଥିବା ପାଦକୁ ଘୋଷାରି ନେଲା ଶାଳ ଆଡ଼କୁ । ବିପ୍ର ସାଆନ୍ତଙ୍କ କଣ୍ଠସ୍ବରରେ ଯେଉଁ କାତରତା ମିଶିଥିଲା ଅର୍ଖିତ ମନକୁ ପାପ ଛୁଇଁଲା । କଣ ଏମିତି ହେଲା କି ? ଅଧିଆ ପଡ଼ିଥିବା ସବୁ ମାନସିକଧାରୀ ଉଠିଗଲେଣି । ଠାକୁରାଣୀ ଶାଳ ଭିତରେ କିଏ କିଏ ଅଛନ୍ତି ଭଲକି ଦେଖାଯାଉନି । ଭକ୍ତ ସବୁ ବାହୁଡ଼ି ଗଲେଣି । ଶାଳ ଭିତରକୁ ଯିବା ପରେ ଦୀପ ଆଲୋକରେ ଅର୍ଖିତ ଦେଖିଲା ନୂଆଉ ନାକପୁଡ଼ାରୁ ଦି’ଧାର ରକ୍ତ ଗଡ଼ିଆସି ପାଦୁକା ସହ ମିଶି ଗଡ଼ିଯାଉଛି ଆଗକୁ । ଦେହୁରୀ ତୂଳସୀ ଓ ଗଂଗା ପାଣି ନେଇ ସଖି ପାଟିରେ ଦେଲେ, ଦେହରେ ଛିଞ୍ଚିଲେ । ହଲ ନାଇଁ କି ଚଲ୍‌ ନାଇଁ । ‘‘କଣ ହେଲା ସାଆନ୍ତେ ?’’ ଅର୍ଖିତର ବିକଳ ପ୍ରଶ୍ନରେ ସାଆନ୍ତେ କେବଳ ଚାହିଁଲେ, ଚୁପ୍‌ ରହିଲେ । ଦେହୁରୀ ସାଆନ୍ତେଙ୍କୁ କହିଲେ ବିପ୍ର ଆଜ୍ଞା ଶେଷ ମନ୍ତ୍ର ପଢ଼ା ବାକି ରହିଗଲା .. ଶାଳ ତ’ ମାରା ହେଲା, କଣ କରିବା? ଅର୍ଖିତ ଥ’ ହେଇ ଚାହିଁଥିଲା କୁସୁମେଇ ଠାକୁରାଣୀଙ୍କ ଉଜ୍ଜଳ, ଜ୍ବଳନ୍ତ ଆଖିକୁ । କୋଉ ମନ୍ତ୍ର ପଢ଼ା ଆଉ ବାକି ରହିଲା ଯେ... ?

……………………………………



‘ନିଶିପ୍ରଦୀପ’, ଅଶୋକନଗର, ବାତୋ, କେନ୍ଦୁଝର-୪୩

ମୋବାଇଲ- ୯୪୩୮୦୮୦୫୮୩

E-mail: litp.ranjan@gmail.com

ମାଆ ସାଆନ୍ତ ଅର୍ଖିତ

Rate the content


Originality
Flow
Language
Cover design

Comments

Post

Some text some message..