ଲକ୍ଷ ବିହଙ୍ଗ - ୧
ଲକ୍ଷ ବିହଙ୍ଗ - ୧
କିଶୋରୀ ଚରଣ ଦାସ
ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା ।
ବିହଙ୍ଗମାନେ ଉନ୍ନୁଖ ଓ ସୁନ୍ଦର । ମିସେସ୍ ପୁରୀ ସମୃଦ୍ଧା ଓ ସୁନ୍ଦରୀ । ସୁନ୍ଦରୀ ବୋଲି ଧରିନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନ ଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ ଓ ଯନ୍ତ୍ର ଶିଳ୍ପର ସମ୍ଭାର ନ ଥାଆନ୍ତା । ଯଥା:- ଯାମିନୀ ରାୟ, ଭେନସ୍ଙ୍କର ଜନ୍ମ ଅଖ୍ୟାତ ଶିଳ୍ପୀର ନଈ ଓ ଡଙ୍ଗା, ହାତୀଦାନ୍ତର ଶ୍ରୀକୃଷ୍ଣ, ବାଉଁଶ, ବେଣାଚେର ଖଦଡ଼ କାଗଜ ଇତ୍ୟାଦିରେ ଗଢ଼ା ବୋଝ ବୋହିଥିବା ଚାଷୀ ଓ ତା’ର ସ୍ତ୍ରୀ, କୃଷ୍ଣକାୟ ଆଦିବାସୀର ନାଚ, ସାପୁଆ କେଳା ଇତ୍ୟାଦି । ତଦୁପରି ଇମ୍ପୋଟେଡ୍ ଉତ୍କୃଷ୍ଟ ଇଲେକ୍ଟ୍ରିକ୍ ଟୋଷ୍ଟର, ଟ୍ରାଞ୍ଜିଷ୍ଟର୍ ଓ କାଚ ଚାଇନା, ଷ୍ଟେନ୍ଲେସ୍ ଷ୍ଟିଲ୍ର ବିବିଧ ମନୋରମ ଦ୍ରବ୍ୟ, ଯାହାକୁ ଦେଖିବାକୁ ଭଲ ଲାଗେ, କିନ୍ତୁ ବ୍ୟବହାର କରିବା ମନା ।
ମିସେସ୍ ପୁରୀଙ୍କର ବେଡ୍ରୁମ୍ । ମିସେସ୍ ପୁରୀ ଶୋଇଛନ୍ତି । ନିଦରେ ଶୋଇ ନାହାନ୍ତି, ବର୍ତ୍ତମାନ ଦିନ ଏଗାରଟା । ତେଣୁ ବିଛଣା ଚାଦର ନୁହେଁ, ରଙ୍ଗିନ୍ ବେଡ୍କଭର ଉପରେ ଶୋଇଛନ୍ତି । ରାତିପିନ୍ଧା ନୁହେଁ, ସିଲ୍କ୍ ଶାଢ଼ୀ ପିନ୍ଧି ଶୋଇଛନ୍ତି ଏବଂ ସେହି ଶାଢ଼ୀରେ ଲକ୍ଷ ବିହଙ୍ଗ ଉନ୍ନୁଖ, ଉଦ୍ୟତ ଓ ଆଗ୍ରହୀ ।
ମନେହେଉଛି ସେମାନେ ମୁହୂର୍ତ୍ତକରେ ଡେଣା ମେଲି ଉଡ଼ିଯିବେ । କିନ୍ତୁ ସେମାନେ ଉଡିଯିବାକୁ ଚାହୁଁ ନାହାନ୍ତି ।
ବାହାରେ ନେଳି ଆକାଶର ଅସୀମତା ସୂଚନା ଦେବ ଯେ, ଜୀବନ ସରେ ନାହିଁ, ଆଶା ପୂରେ ନାହିଁ ଏବଂ ତଳକୁ ଅନାଇଲେ ଦେଖାଯିବ ଯେ, ପୃଥିବୀ ଅଯଥାରେ ପେଲିହେଉଛି, ଧଇଁସଇଁ ହେଉଛି, ଭାବୁଛି ଜୀବନର ଅର୍ଥ ଅଛି । କେତେ ଝାଳ ଓ ନିଃଶ୍ବାସ, କେତେ ଧୂଆଁ ଓ ଧୂଳି ଜୀବନର ଅର୍ଥ ତିଆରି କରୁଛି, ପାରୁନାହିଁ ।
ବାହାରେ ପୃଥିବୀର ତାତି । ଉଦ୍ୟମ, ଯୁକ୍ତି କଳହର ତାତି । କେତେ କାଗଜ ଲେଖାହେଉଛି ଛିଣ୍ଡାହେଉଛି । କେତେ ସଭା ବସୁଛି, ଭାଙ୍ଗୁଛି । କେତେ ଚକ ଜିନିଷ ବୋହୁଛି, ମଣିଷ ବୋହୁଛି । ପ୍ରାଣୀମାନେ ଆଗଉଛନ୍ତି ।
ଏବଂ ପୃଥିବୀର ଥଣ୍ଡା । ଥଣ୍ଡା ମୂର୍ଦ୍ଦାର । …ମଲା ପ୍ରେମ । ଦରବୁଢ଼ୀ ସ୍ତ୍ରୀ ହାଣ୍ଡି ଗଡ଼େଇ ପେଜ ଗାଳୁଛି, ମଇଳା ଧଳା ପାଣି ପୁରୁଣା ପ୍ରେମକୁ ସାଙ୍ଗରେ ନେଇ ନଳାରେ ବହିଯାଉଛି । ରାତି ଅନ୍ଧାରରେ ସ୍ବାମୀ ତା’ ଦେହକୁ ଅଣ୍ଡାଳିହେବ ଓ କାମ ସରିଲା ପରେ ଘୁଙ୍ଗୁଡ଼ି ମାରିବ । …ମଲା ଜନ୍ମ । ସେମାନେ ଥୋକେ ଅଛନ୍ତି ଯେଉଁମାନେ ଜନ୍ମ ହୋଇ ମରିଯାଇଛନ୍ତି ହେଲେ ବଞ୍ଚିବାକୁ ଚାହାନ୍ତି । ସେମାନେ ବିକଳ ମନ ଓ ଲଙ୍ଗଳା ଦେହରେ ‘ମୁଁ ମଣିଷ, ମୁଁ ମଣିଷ ବୋଲି ଚିତ୍କାର କରୁଛନ୍ତି । ହସିବା କଥା । ସେମାନେ ସିଧା ହୋଇ ଚାଲି ଶିଖି ନାହାନ୍ତି, କଥା କହି ଜାଣି ନାହାନ୍ତି, ଧୋବପିନ୍ଧା ମଣିଷକୁ ଭଗବାନ୍ ବୋଲି ଭାବୁଛନ୍ତି ଓ ତଥାପି କହୁଛନ୍ତି- ଆମେ ବଞ୍ଚିବୁ ! …ମୃତ ଭଗବାନ । ଭଗବାନ୍ର ହାତରେ ଖଣ୍ଡା ଚକ୍ଚକ୍ କରୁନାହିଁ, ଫୁଲ ମହକୁନାହିଁ, କ୍ରୁଶରୁ ରକ୍ତ ଝରୁନାହିଁ । ଭଗବାନ୍ କାନ୍ଦୁନାହିଁ, ହସୁ ବି’ ନାହିଁ । ସେଥିପାଇଁ ଏତେ ଧରାପରା ଠେଲାପେଲା । -ଜୟ ହନୁମାନ ଜୀ ଜୟ ! ମୁଁ ମଲା ଭଗବାନ୍ଙ୍କୁ ଛୁଇଁଆସିଛି, ମୁଁ ଧଣ୍ଡା ପାଇଛି, ତେଣୁ ମୁଁ ବଞ୍ଚିବି ।
ତାତି ଓ ହେମାଳ । ଜ୍ଞାନ ଓ ଅଜ୍ଞାନ କ’ଣ ମିଳିବ ସେ ନିଉଛୁଣା ପୃଥିବୀକୁ ଚାହିଁ ? ଆଉ ଉପର ଆକାଶକୁ ଅନାଇଲେ ଶୋଷ, ଖାଲି ଶୋଷ । ସେ ଶୋଷରେ ତଣ୍ଟି ଶୁଖିଯିବ, ଦିଗନ୍ତ ଧରା ଦେବ ନାହିଁ । ବିହଙ୍ଗମାନେ ଉଡ଼ିବାକୁ ମନ କରୁନାହାନ୍ତି ।
…ମିସେସ୍ ପୁରୀ ‘ଜୋକ୍’ ବହି ପଢୁଛନ୍ତି । ବହିରେ ଅଛି ହଜାରଟି ଚିତ୍ର ସମ୍ବଳିତ ମଜା କଥା । କେତେଗୁଡ଼ିଏ ଜୋକ୍ ପଢ଼ି କିଛି ଭାବାନ୍ତର ଆସୁନାହିଁ । କେତେଗୁଡ଼ିକରେ ସାମାନ୍ୟ ହସିବାକୁ ଇଚ୍ଛା ହେଉଛି । ଏବଂ ବେଳେ ବେଳେ ଗୋଟିଏ ଜୋକ୍ ଏତେ ସୃଷ୍ଟିଛଡ଼ା ଲାଗୁଛି ଯେ, ମନେ ହେଉଛି ବ୍ରହ୍ମାଙ୍କ ଆସନ ଟଳିଯିବ, ପାଟି ମେଲାଇ ନ ହସିଲେ ରହିହେଉ ନାହିଁ ।
ଏହିପରି ଗୋଟିଏ ଜୋକ୍ ପଢ଼ି ମିସେସ୍ ପୁରୀ ପାଟି ମେଲାଇ ହସିଲେ । ଅଧାଉଠା ହୋଇ ପାଖ ତକିଆଟାକୁ କୋଳରେ ଆଣି ରଖିଲେ, ଆନନ୍ଦରେ ଗୋଟିଏ ବିଧା ମାରିଲେ ଓ ହସିଲେ । ହସରେ ପ୍ରଥମେ ଥିଲା ଉଦ୍ଗମର ଧ୍ବନି,- କଣ୍ଠଗତ ଓ ଗଭୀର । ତା’ପରେ ନାଲି ରଙ୍ଗବୋଳା ଓଠ ଦୁଇଟି ଅଲଗା ହୋଇଗଲେ ଓ ଦୁଇ ପାଟି ଦାନ୍ତର ବିସ୍ତାର ଦିଶିଗଲା ଏବଂ ହସର ସ୍ତର ପରେ ସ୍ତର ଢାଳିହୋଇଗଲା । ପ୍ରବାହ ଥମିଗଲାରୁ ମିସେସ୍ ପୁରୀ ମୁଣ୍ଡ ବାଳରେ ହାତ ଚଳେଇ, ଆନନ୍ଦକୁ ଚାକୁଳେଇ ପ୍ରସନ୍ନତା ଆଣିଲେ ଓ ପୁଣି ଖଟରେ ଲୋଟିଯାଇ ବହିର ପର ଜୋକ୍ଟିକୁ ଦେଖିଲେ ।
ବିହଙ୍ଗମାନେ କହିଲେ, ଚମତ୍କାର ! ଚମତ୍କାରିତା ତାଙ୍କ ହସିବାର ଚେହେରାରେ ନ ଥିଲା, ଭଙ୍ଗୀରେ ଥିଲା କି ନାହିଁ କହିହେବ ନାହିଁ । କିନ୍ତୁ ତାଙ୍କର ଭାବବ୍ୟଞ୍ଜନା ଅନୁପମ । ଘର ଭିତରେ ଏହି ଏକୁଟିଆ ହସ, ଆପଣା ଉପଭୋଗର ହସ, ଅନ୍ୟ କେଉଁ ଅତିରିକ୍ତ ମଣିଷକୁ ଶୁଣାଇବା ପାଇଁ ନୁହେଁ- ଏହି ହେଉଛି ବଞ୍ଚିବାର ଉପଯୋଗୀ ଛନ୍ଦ । ବିହଙ୍ଗମାନେ ମୁଗ୍ଧ ହେଲେ ଓ ଚାହିଁରହିଲେ ।
ସାଢ଼େ ଏଗାରଟା । କଫି ଖାଇବା ବେଳ ହେଲାଣି । ମିସେସ୍ ପୁରୀ ଟାଇମ୍ପିସ୍କୁ ଅନାଇଲେ ଓ ବହି ପଢ଼ାରେ ମନ ଦେଲେ ।
ଏଗାରଟା ବାଜି ପଇଁତିରିଶ୍ ମିନିଟ୍ । ତଥାପି କଫି ଆସି ପହଞ୍ଚିନାହିଁ । କିନ୍ତୁ ମିସେସ୍ ପୁରୀ ଉଦ୍ବିଗ୍ନ ନୁହନ୍ତି । ଥରକୁଥର ଘଣ୍ଟା ଦେଖୁନାହାନ୍ତି । କଫି ଖାଇବା ବେଳ ଦୈନିକ ଜୀବନର ଗୋଟିଏ ଅବସ୍ଥା, ବିନ୍ଦୁ ନୁହେଁ । ଜଣାଶୁଣା ସମୟର ପରିସର ଭିତରେ ସେ ଘଟିବ, ସକାଳ ଦ୍ବିପ୍ରହର ସନ୍ଧ୍ୟା ପରି, ଘରେ ପୂଝାରୀ ଅଛି ।
ଏଗାରଟା ଚାଳିଶ୍ରେ ପୂଝାରୀ କଫି ଆଣି ପହଞ୍ଚାଇଲା । କଫି କପ୍ଟିକୁ ମିସେସ୍ ପୁରୀଙ୍କର ହାତ ପାହାନ୍ତାରେ ଟି-ପୟ ଉପରେ ରଖିଦେଲା । ରଖିସାରି ଟିକିଏ ଦୂରେଇହୋଇ ଛିଡ଼ାହେଲା ।
ମିସେସ୍ ପୁରୀ ଗୋଟିଏ ଜୋକ୍ର ଅଧାରେ ପହଞ୍ଚିଛନ୍ତି । ତେଣୁ ସେ ଅନ୍ୟମନସ୍କ ଭାବରେ ହାତ ବଢ଼ାଇ ଚାମୁଚରେ କଫିକୁ ଗୋଳାଇଲେ । କିଛି ସମୟ ଗୋଳାଇସାରିଲା ପରେ ଚାମୁଚେ କଫି ପାଟିକୁ ନେଲେ । ତା’ପରେ କହପୂଝାରୀ ବୁଝିଲା ଯେ ମାଲିକାଣୀ କହୁଛନ୍ତି ଚିନି କମ୍ ଅଛି । ଚିନି ବେଶି ଥିବାବେଳେ ମଧ୍ୟ ସେ କେବଳ ସେହି ଶବ୍ଦ ଉଚ୍ଚାରଣ କରନ୍ତି, କିନ୍ତୁ ତାଙ୍କ ମୁହଁର ଭଙ୍ଗୀ ଅନ୍ୟପ୍ରକାର ହୋଇଯାଏ । ପୂଝାରୀ ଚାଲିଗଲା ଆଉ ଚିନି ଆଣିବ ବୋଲିଲେ, “ଚିନି” ।