Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jagatabandhu Mohapatra

Tragedy

5.0  

Dr Jagatabandhu Mohapatra

Tragedy

"ଛିନ୍ନବୀଣାର ସ୍ଵର"

"ଛିନ୍ନବୀଣାର ସ୍ଵର"

5 mins
7.2K


ଡାଃ ଜଗତବଂଧୁ ମହାପାତ୍ର


ଜରାଶ୍ରମକୁ ନୂଆ ହୋଇ ଆସିଥାନ୍ତି, ମନ୍ଦାକିନୀ I ମନ୍ଦାକିନୀ କେବଳ ୭ ଦିନ ପାଇଁ ଏହି ଜରାଶ୍ରମରେ ରହିବେ I ତା’ ପରେ ପଳେଇବେ, ତାଙ୍କ ପୁଅ ପାଖକୁ I ପୁଅର ଘର ଶିଫ୍ଟ ହେଉଥିବାରୁ ପୁଅ ଆଣି ଛାଡି ଦେଇ ଯାଇଛି, ଆଜି I ସମସ୍ତଙ୍କ ସହ ବହୁତ ଭଲରେ ମିଶୁଥାନ୍ତି, ସେ I ହସ, ଖୁସି, ଗପସପ କରୁଥାନ୍ତି, ସମସ୍ତଙ୍କ ସହ I

ଜରାଶ୍ରମର ଅନ୍ୟ ଜଣେ ଅନ୍ତେବାସିନୀ ସାରଦା ସବୁ ଦେଖୁଥାନ୍ତି I ସବୁବେଳେ ସମସ୍ତଙ୍କୁ ସେ ଏହି କଥା କହୁଥାନ୍ତି, ଏଠି ସମସ୍ତେ ମିଶିକରି ରୁହ I ଖୁସିରେ ରୁହ I ଭଲରେ ରୁହ I ଭଗବାନଙ୍କ ନାମ ସଂକୀର୍ତ୍ତନ କର I ଏଇଟା ହେଉଛି, ତମର ଘର I ପଛ କଥା ମନେ ପକାଇ ଦୁଃଖ କରନାହିଁ I ଯେତିକି ଦିନ ବଞ୍ଚୁଛ, ଖୁସିରେ ବଞ୍ଚ I ସେଥିପାଇଁ ସମସ୍ତେ ତାଙ୍କୁ ଜରାଶ୍ରମରେ ମାତାଜୀ ବୋଲି ଡାକନ୍ତି I

ମନ୍ଦାକିନୀ ଆସି ସାରଦାଙ୍କ ପାଖରେ ଗପୁ ଗପୁ କହିଲେ, ମୋ ପୁଅ ବଡ ଇଞ୍ଜିନିୟର I ମୋ ପୁଅକୁ ଯେତେବେଳେ ୫ ବର୍ଷ ହୋଇଥିଲା, ସେ ମୋତେ ଛାଡି ଚାଲିଗଲେ I ବହୁ କଷ୍ଟରେ ମୁଁ ତାକୁ ବଡ କରିଛି, ଆଉ ଯୋଗ୍ୟର କରି ଠିଆ କରିଛି I ଏଇ ବର୍ଷେ ହେଲା, ତା’ର ବାହାଘର ବି କରିଦେଇଛି I ଆମ ଘର ଶିଫ୍ଟ ହେଉଚି, ତ ସେଥିପାଇଁ ମୁଁ ଏଠି ସାତ ଦିନ ପାଇଁ ରହିବାକୁ ଆସିଛି I

ଆଖି ଛଳ ଛଳ ହୋଇଗଲା, ତାଙ୍କର I ଖାଲି ଏତିକି କହିଲେ, ୫ ବର୍ଷ ହେଲାଣି, ମୁଁ ଏଠି ରହିଆସୁଛି I ଏ ଆଖି ସବୁ ଦେଖିଛି I ଯେତେ ଜଲଦି ଏଇ ଜାଗାକୁ ଆପଣ ନିଜର କରିଦେବେ, ଆପଣ ଖୁସିରେ ରହିବେ I ସଙ୍ଗେ ସଙ୍ଗେ ରାଗିଗଲେ, ଆଉ ବିରକ୍ତରେ କହିଲେ, ଶୁଣନ୍ତୁ, ମୋ ପୁଅ ସେଭଳି ନୁହେଁ I ସେ ମୋତେ ବହୁତ ଭଲପାଏ I ସେ ମୋତେ ଛାଡିକି ଜମା ବି ରହିପାରିବନି I ତା’ର ଘର ଶିଫ୍ଟ ହୋଇଗଲେ, ସେ ଆସିକି ମୋତେ ନେଇଯିବ I


XXXXXXXXXXXX

ରାତିରେ ଖାଇ ଶୋଇବାକୁ ଗଲେ, ସାରଦା I ଯେତେ ଚେଷ୍ଟା କଲେ, ବି ଆଜି ତାଙ୍କୁ ନିଦ ହେଉନାହିଁ I ଜରାଶ୍ରମରେ ସମସ୍ତେ ଶୋଇଯାଇଥିଲେ I କିନ୍ତୁ ମନ୍ଦାକିନୀଙ୍କ ସହ କଥା ହେବା ପରେ ଆଜି ତାଙ୍କୁ ଅତୀତ ଶୋଇବାକୁ ଦେଉନାହିଁ I କ’ଣ ପାଇଁ ଏମିତି କରନ୍ତି, ସମସ୍ତେ ? ବିଶ୍ଵାସ ସହ କ’ଣ ପାଇଁ ଖେଳନ୍ତି, ଏମାନେ ?


ମନ୍ଦାକିନୀକୁ ଦେଖି ଆଜି ସାବିତ୍ରୀ କଥା ମନେ ପଡିଯାଉଛି, ମୋର I କ’ଣ ପାଇଁ ନିଜ ପିଲାମାନଙ୍କୁ ଏତେ ବିଶ୍ଵାସ କରନ୍ତି, ତାଙ୍କ ବାପା, ମା’ ମାନେ ? ମା’ ନିଜ ପେଟ କାଟି ଜନ୍ମ ଦେଇଥାଏ, ସେଥିପାଇଁ !!!! ନିଜ ପିଲା ପାଇଁ ଏତେ ଆସକ୍ତି ରଖିକି ତ ସେମାନେ କଷ୍ଟ ପାଆନ୍ତି I


ଭଲ ହୋଇଛି I ମୁଁ ମା’ ହୋଇନି I ମୋର କେହି ପିଲା ପିଲି ନାହାନ୍ତି I କିନ୍ତୁ ଏଇ ସଂସାରରେ ଅନେକ ସାବିତ୍ରୀ ଅଛନ୍ତି, ଯେଉଁମାନେ ବହୁତ ସରଳ, ଆମାୟିକ ଆଉ ଛନ୍ଦ କପଟ ଶୂନ୍ୟ I

ତା’ରି ଗର୍ଭରୁ ଜନ୍ମ ନେଇ ସାବିତ୍ରୀକୁ ତା’ ପୁଅ ଯେମିତି ଛଳନା କଲା !!! .........................

XXXXXXXXXXXXX


ଆଜିକୁ ଠିକ୍ ଦେଢ଼ ବର୍ଷ ତଳେ ସାବିତ୍ରୀ ଆସିଥିଲା, ଏଇ ଜରାଶ୍ରମକୁ I ନାଁ, ଯେମିତି ଗୁଣ ବି ସେମିତି I ଜରାଶ୍ରମରେ ତୁଳସୀ ଉଦ୍ୟାନ ତ ତା’ରି ପ୍ରଚେଷ୍ଟାରେ ହୋଇଛି I ବେକରେ ତା’ର ତୁଳସୀ ମାଳ I ଜରାଶ୍ରମ ଭିତରେ ଥିବା ଜଗନ୍ନାଥ ମନ୍ଦିରରେ ବହୁତ ସମୟ ଧରି ଜଗନ୍ନାଥଙ୍କୁ ଗୋଟିଏ ଲୟରେ ବସି ମାଳା ଜପି ଚାଲୁଥାଏ, ଆଉ ଆଖିରୁ ଲୁହ ବୋହିଯାଉଥାଏ, ତା’ର ଅବିରତ ଭାବରେ I

ସାବିତ୍ରୀ ଏ ସଂସାରରୁ ଚାଲିଗଲା, ସଧବା ହୋଇ I ସଂସ୍କାର କ’ଣ ? ତା’ ଠୁ ଅଧିକା କିଏ ବା ଜାଣିଛି !! ତା’ ପୁଅ ପେଟରେ ଥିଲା, ବେଳେ ତା’ ସ୍ଵାମୀ ଆଉ ଗୋଟେ ବିବାହିତା ମହିଳାକୁ ନେଇ ଘରକୁ ଆସିଲା I ତଥାପି ପ୍ରତିବାଦ ନଥିଲା, ତା’ର I ଘରେ ଚାକରାଣୀ ଭଳି ସବୁ କାମ କରୁଥିଲା I ଶାଶୁର ସେବା ଯତ୍ନ କରିବାରେ କିଛି ବି ଅବହେଳା କରି ନଥିଲା, ସେ I ତା’ ଶାଶୁ ସହି ପାରୁନଥିଲା, ଏ ସବୁ I ଦିନେ ମୁହଁ ଖୋଲି ପୁଅକୁ କହିବାରୁ, ତା’ ପୁଅ ତା’ ଦ୍ଵିତୀୟ ସ୍ତ୍ରୀକୁ ନେଇ ଘର ଛାଡି ପଳେଇଲା I ସାବିତ୍ରୀର ଶାଶୁ ହିଁ ଥିଲା, ତା’ ପାଇଁ ଏକମାତ୍ର ଭରଷା I ପୁଅକୁ ୨ ବର୍ଷ ହୋଇଥିବା ବେଳେ ସେ ଭରଷା ବି ତାକୁ ଛାଡି ଚାଲିଗଲେ, ଆରପାରିକୁ I

ବହୁତ କଷ୍ଟରେ ତା’ ପୁଅକୁ ସେ ମଣିଷ କରିଥିଲା I ତା’ ପୁଅ ବି ତାକୁ ବହୁତ ଭଲ ପାଉଥିଲା I ଭଲ ପାଠ ପଢୁଥିବାରୁ ବୃତ୍ତି ପାଇ ସେ ପାଠ ପଢିଲା I ବଡ ଚାକିରି ବି କଲା I ଆ.ଏ.ଏସ ଅଫିସର ହୋଇଥିବାରୁ ବହୁତ ବଡ ବଡ ଘରୁ ପ୍ରସ୍ତାବ ବି ଆସିଲା I କିନ୍ତୁ ସାବିତ୍ରୀର ଇଚ୍ଛା ଥିଲା, ତାଙ୍କ ଗାଁ ସ୍କୁଲର ମୁକୁନ୍ଦ ସାରଙ୍କ ଝିଅ ସହ ତା’ ପୁଅର ବାହାଘର କରିବାକୁ I ବହୁତ ଭଲ ଝିଅଟିଏ ସେ I ତା’ ଇଚ୍ଛା ବି ପୂରଣ ହୋଇପାରିଲାନି I ଶେଷରେ ଜଣେ ଅବସରପ୍ରାପ୍ତ ଆ.ଏ. ଏସ. ଅଫିସରଙ୍କ ଝିଅ ସହ ବିବାହ ହେଲା, ଯାହାକୁ ସାବିତ୍ରୀର ପୁଅ କଲେଜ ସମୟରେ ଭଲ ପାଉଥିଲା I ବାହାଘର ପରେ ବୋହୁଟି ସାବିତ୍ରୀକୁ ଶାଶୁବୋଲି ଭାବୁ ନଥିଲା I ଯେତେ ଯାହା ହେଲେ ବି ସେ ବଡ ଘର ଝିଅ, ସାବିତ୍ରୀକୁ ଚାକରାଣୀ ଭଳି ବ୍ୟବହାର କଲେ ବି କେବେ ବି ମୁହଁ ଖୋଲି କହୁ ନ ଥିଲା, ସାବିତ୍ରୀ I ନିଜ ପୁଅ ମୁହଁକୁ ଚାଁହି ସବୁ ହଜମ କରିଦେଉଥିଲା, ସେ I


XXXXXXXXXXXXXX

ରାତି ଆସି ଦୁଇଟା ବାଜିଲାଣି I ଆଜି କ’ଣ ପାଇଁ ସାବିତ୍ରୀ କଥା ଭାରି ମନେ ପଡୁଛି I ସେ ମୋ ସାନ ଭଉଣୀ ପରି ଥିଲା I ମୋ ଦେହ ଖରାପ ବେଳେ କେତେ ସେବା ମୋର ସେ ନ କରିଛି !! ଏ ଜରାଶ୍ରମର ଯାହାର ଯାହା ଦେହ ଖରାପ ହେଲେ, ସମସ୍ତଙ୍କ ମୁହଁରେ ଖାଲି ସାବି ଆଉ ସାବି I ଜଣେ ଦକ୍ଷ ନର୍ସଟିଏ ପରି ସେବା କରିଚାଲିଥାଏ, ସେ ସମସ୍ତଙ୍କର I

ଆଜି ବି ମନେ ଅଛି, ଅଁଳା ନବମୀ ଦିନ ସାବି ଆସିଥିଲା, ଏଠିକି I ମନ୍ଦାକିନୀ ଭଳି ୭ ଦିନର ଅତିଥି ହୋଇ ଆସିଥିଲା, ସେ I ୭ ଦିନର ଅତିଥି ହେବାର କାରଣ ତା’ ବୋହୁ ଗର୍ଭବତୀ ଥିଲା, ସେଥିପାଇଁ ସେମାନେ ତାଙ୍କର ଘର ଡାକ୍ତରଖାନା ପାଖକୁ ଶିଫ୍ଟ କରିବାକୁ ଚାହିଁଲେ, ସାବିର ଅସୁବିଧା ହେବ, ବୋଲି ତା’ ପୁଅ ତାକୁ ୭ ଦିନ ପାଇଁ ଏଠାରେ ରହିବାକୁ କହି ଆଣିକି ଛାଡି ଦେଇ ଗଲା I

ତା’ ପୁଅ ଆଉ ବୋହୁର ଛଳନାକୁ ସେ ବୁଝିପାରିନଥିଲା I ଯେତେବେଳେ ସାବି ଫୋନ କରେ, ତା’ ପୁଅ ପାଖକୁ ସବୁବେଳେ ଉତ୍ତର ଆସେ, ବୋଉ, ମୁଁ ଟିକେ ବ୍ୟସ୍ତ ଅଛି I ମିଟିଂରେ ଅଛି I ବହୁତ କାମ ଅଛି , ମୋର ପରେ ଫୋନ କରୁଛି I ଏମିତି କହି ଫୋନ କାଟି ଦିଏ, ତା’ ପୁଅ I

ବହୁତ ଦୁଃଖ ଲାଗିଲା ତାକୁ, ସେଦିନ ଯେବେ ତା’ର ନାତି ଜନ୍ମ ହେଲା, ତଥାପି ତାକୁ ଖବର ଦିଆଯାଇନଥିଲା I ବହୁତ କାକୁତି ମୀନତି କରି ତା’ ନାତିକୁ ଦେଖିବାକୁ ତ ଚାହିଁଥିଲା, ସେ I


XXXXXXXXXXX

ସେଦିନ ବି ମୋର ମନେ ଅଛି, ଠିକଣା ବୁଝି ବୁଝି ଆମେ ଦୁଇ ଜଣ ତା’ ପୁଅ କ୍ଵାଟରକୁ ଗଲୁ, ତଥାପି ଘର ଭିତରକୁ ପଶିବାକୁ ଅନୁମତି ମିଳିଲାନି, ତାକୁ I ଫେରିଆସିଲୁ, ଆମେ ସେଠୁ I ସେଦିନ ଠାରୁ ସାବି ର୍ନିବାକ୍ ହୋଇଯାଇଥିଲା I ବହୁତ ଭଲ ପାଉଥିଲା, ସେ ତା’ ପୁଅକୁ I ଝୁରି ଝୁରି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଲା, ସେ I ବହୁତ ବୁଝାଇଲି, ମୁଁ ତାକୁ I

ମଣିଷ ମନ ତ !!! ଜଗନ୍ନାଥ ତାଙ୍କ ପାଖକୁ ନେଇଗଲେ, ତାକୁ I ପୁଅର ଫଟୋକୁ ଛାତିରେ ଧରି ମରିଗଲା, ସିନା ପୁଅ ଆସିଲାନି I ବହୁତ ଚେଷ୍ଟା କରିଛି, ମୁଁ I ଫୋନ କରିଛି I କ୍ଵାଟରକୁ ବି ଯାଇଛି I ସବୁଠୁ ନିରାଶ ହୋଇ ଫେରିଛି I ଶେଷରେ ମୁଖାଗ୍ନି ମୋତେ ଦେବାକୁ ପଡିଲା I ମୋ ସାବି ପଞ୍ଚମହାଭୂତରେ ଲୀନ ହୋଇଗଲା I


XXXXXXXXXXX

ପକ୍ଷୀମାନଙ୍କର କଳରବ ମୋ କାନରେ ଗୁଞ୍ଜରଣ ହେଲା I ସକାଳ ହୋଇଗଲା, ବୋଧେ I ଅପା, ଅପା ବୋଲି କେହି ଜଣେ ଡାକିଲା I କଡ଼ ଲେଉଟାଇ ଦେଖିଲି, ମୋ ଆଗରେ ମନ୍ଦାକିନୀ I ହେ ଠାକୁରେ, ସାବି ସହ ଯାହା ହେଲା, ମନ୍ଦାକିନୀ ସହ ତାହା ନ ହେଉ, ଏତିକି ମାଗୁଣି ମୋର, କହି ଠାକୁରଙ୍କୁ ପ୍ରଣାମ କରି ଶେଯରୁ ଉଠିଲି, ମୁଁ I


ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୯୭୮୬୩୧୪୯୮




Rate this content
Log in

Similar oriya story from Tragedy