Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସାନ୍ତ୍ୱନା
ସାନ୍ତ୍ୱନା
★★★★★

© SIPRA NAMTA

Others

10 Minutes   7.2K    15


Content Ranking

ସିପ୍ରା ନାମତା ( ନମ୍ରତା )

-----ବୃନ୍ଦା କି ପାପା ,ପ୍ଲିଜ଼ ,ଥୋଡା ହେଲ୍ପ କିଜିଏ ,ନର୍ସ କୋ କହକର ଡ଼କଟର କୋ ବୁଲା ଦିଜିଏ,ଲଡକୀ ନେ ବ୍ଲଡ ଭୋମିଟିଂ କରଦିଆ ହୈ ।

ବୃନ୍ଦାର ବାପାଙ୍କୁ ଏତକ ଅତିକାତର କଣ୍ଠରେ କାନ୍ଦୁ ଥିବା ଅବସ୍ଥାରେ କହିଲା ,ଶିଳ୍ପା । ଆଖିରୁ ଧାର ଧାର ହୋଇ ଲୁହ ବୋହି ଯାଉଥିବା ବେଳେ ଭୋ ଭୋ ହୋଇ କାନ୍ଦୁଥିଲା ସେ । ସଙ୍ଗେ ସଙ୍ଗେ ଡାକ୍ତର ଜ୍ୟୋତିପ୍ରକାଶଙ୍କ ସହ ଦୁଇ ତିନି ଜଣ ନର୍ସ ଓ ଆସିଷ୍ଟାଣ୍ଟ ପହଞ୍ଚି ଗଲେ । ଝିଅ କରିଥିବା ରକ୍ତ ବାନ୍ତି ଓ ରକ୍ତ ମଳକୁ ପର୍ଯ୍ୟବେକ୍ଷଣ କରିବା ପରେ ଝିଅର ବ୍ଲଡ ସାମ୍ପୁଲ ନେବା ପାଇଁ ସଙ୍ଗେ ସଙ୍ଗେ ବ୍ୟବସ୍ଥା କଲେ ଡାକ୍ତର । ଶିଳ୍ପା ଉଦ୍ଦେଶ୍ୟରେ ,"ପ୍ଲିଜ଼ ବି କୁଲ ..ଏଭରୀଥିଙ୍ଗ ବିଲ ଅଲରାଇଟ ।"କହି ବେଡ ସହ ଝିଅ ଲିଜାକୁ ସଙ୍ଗେ ସଙ୍ଗେ ଆଇ. ସି. ୟୁ କୁ ସିଫ୍ଟ କରିନେଲେ । ଗୁମୁରି ଗୁମୁରି ତାଙ୍କ ପଛେ ପଛେ ପାଞ୍ଚ ମହଲାରୁ ତିନି ମହଲାକୁ ଲିଫ୍ଟ ସାହାଯ୍ୟରେ ଆସି ଆଇ. ସି .ୟୁ ସମ୍ମୁଖରେ ବେଟିଂ ହଲରେ ପ୍ରତୀକ୍ଷା କଲା ।

ଭଗବାନଙ୍କ ଉଦ୍ଦେଶ୍ୟରେ ବାରମ୍ବାର ମୁଣ୍ଡ କୋଡ଼ୁ କୋଡୁ ଧକେଇ ଧକେଇ କାନ୍ଦୁଥିବା ଶିଳ୍ପାକୁ ,ଲିଫ୍ଟ ଅପରେଟିଂ କରୁଥିବା ଝିଅଟି ସାନ୍ତ୍ୱନା ଦେଉଥାଏ --- (ହିନ୍ଦୀରେ )

"ତୁମେ ଯାଇ ୱାର୍ଡରେ ଶୋଇପଡ ମାଆ ,ଏଠାରେ ବସିବାକୁ ଅନୁମତି ନାହିଁ । ଝିଅ ଭଲ ହୋଇଯିବ ,ତୁମେ ଏମିତି ଅଧୈର୍ଯ୍ୟ ହୋଇ କାନ୍ଦନା ମାଆ "।

କେମିତି ଶୋଇବ ସେ ???? ଝିଅର ଏ ଅବସ୍ଥାରେ ତାକୁ ନିଦ ଆସିବ ???ଛାତି କରତି ହୋଉଯାଉଛି ,ମୁଣ୍ଡର ଦୁଇପାର୍ଶ୍ଵର ଶିରା ଗୁଡିକ ପ୍ରବଳ ଭାବରେ ଟିଣ ,ଟିଣ, କରୁଛି କିନ୍ତୁ କିଛି ପ୍ରଭାବ ପଡୁନି ତା'ଉପରେ । ଆଜି ହିଁ ଲିଜା ସର୍ଜରୀ ପରେ ଆଇ . ସି . ୟୁ .ରୁ ଡିଷ୍ଚାର୍ଜ ହୋଇ ୱାର୍ଡକୁ ଆସିଥିଲା ସକାଳ ନଅଟାରେ ସନ୍ଧ୍ୟା ଛଅଟାରୁ ଆରମ୍ଭ ହୋଇଗଲା ରକ୍ତ ଝାଡା ଓ ରକ୍ତ ବାନ୍ତି । ପାପ ଛୁଉଁଥିଲା ମନକୁ....... ,କ'ଣ ହେଲା ??ଅପରେସନରେ କିଛି ଅସୁବିଧା ହେଇଛି ...ଏତେ ଆଶା ,ବିଶ୍ୱାସ ,ଓ ଭରସା ତୁଟିଯିବ ???କିଛି ବୁଝିପାରୁ ନ ଥିଲା ସେ ।ଓଃ ...ମୁଣ୍ଡଟା ଗୋଳମାଳ ହୋଇଯାଇଛି ..। କୋହ ଉଦବେଳିତ କଣ୍ଠରେ କାନ୍ଦି କାନ୍ଦି ଫୋନ କରିଦେଇଥିଲା ସେ ସ୍ୱାମୀ ,ଦିଅର ଓ ଭାଇ ପାଖକୁ, ଯୋଉମାନେ ଭଡା ଦିଆ ଗେଷ୍ଟହାଉସରେ ସାଙ୍ଗରେ ରହୁଥାନ୍ତି ,ସଙ୍ଗେ ସଙ୍ଗେ ଆସି ପହଞ୍ଚିଯାଇଥିଲେ । ବୁଝେଇସୁଝେଇ ଶିଳ୍ପାକୁ ୱାର୍ଡକୁ ନେଇଗଲେ ସେମାନେ । ଦୁଃଶ୍ଚିନ୍ତାରେ ମନକୁ ସାନ୍ତ୍ୱନା ଦେଇପାରୁ ନ ଥିଲା ଶିଳ୍ପା ।ହୁଏତ ସେମାନେ ବି ସେଇ ସ୍ଥିତିରେ ଥାଆନ୍ତି । ହସ୍ପିଟାଲର ନିୟମ ଅନୁସାରେ ୱାର୍ଡରେ କେବଳ ବେବିର ଆଟେଣ୍ଡାଣ୍ଟ ହିସାବରେ କେବଳ ମାଆକୁ ହିଁ ରହିବା ପାଇଁ ଅନୁମତି ଥିଲା ।ଅନ୍ୟମାନେ ଭିଜ଼ିଟିଂ ଆୱାରରେ ସାକ୍ଷାତ କରିପାରିବେ । ତେଣୁ ଉପାୟ ଶୁନ୍ୟ ହୋଇ ସେମାନେ ପୁଣି ଗେଷ୍ଟହାଉସକୁ ଫେରିଯାଇଥାନ୍ତି । ସେମିତି ଚେୟାର ଉପରେ ବସି ବସି ଭୀଷଣ ଅଶ୍ୱସ୍ତିରେ ରାତି ପୁହାଇଦେଲା ପରେ ଧୈର୍ଯ୍ୟ ଧରିବାଟା ଅନେକ କଷ୍ଟ ହୋଇଯାଉଥାଏ ଶିଳ୍ପା ପାଇଁ । ଥରକୁ ଥର ଘଣ୍ଟା ଆଡକୁ ନଜର ପଡୁଥାଏ ତା'ର । କେତେବେଳେ ନଅଟା ହେବ ଆଉ ଲିଜା ପାଖକୁ ଛୁଟିଚାଲିବ ସେ ଆଇ .ସି .ୟୁ ଭିରରକୁ । ଓଃ !!କି ମୁହୂର୍ତ୍ତ ! ! ! ଅନେକ ବେଳୁ ଆସି ଆଇ .ସି .ୟୁ ସମ୍ମୁଖରେ ଥିବା ହଲରେ ଶିଳ୍ପା ସହିତ ସମସ୍ତେ ପ୍ରତୀକ୍ଷାରେ ବ୍ୟସ୍ତ ।ଠିକ୍ ସମୟରେ ପ୍ରଥମେ ଶିଳ୍ପା ଯାଇ ଦେଖିଆସିଲା ଲିଜାକୁ ।ଲିଜା ଶୋଇଥାଏ ।ତେଣୁ ତାକୁ ପାଖରୁ ଯାଇ ଦେଖିବାରେ କିଛି ପ୍ରତିବନ୍ଧକ ନ ଥିଲା ।ଚାହିଁଥିଲେ ହୁଏତ ପାଖକୁ ଯିବା ସମ୍ଭବ ହୋଇ ନଥାନ୍ତା ।ମାଆକୁ ଦେଖିଲେ ପ୍ରତ୍ୟେକ ଛୁଆ କାନ୍ଦିବାଟା ସ୍ୱାଭାବିକ ଏ ପ୍ରକାର ପରିସ୍ଥିତିରେ ।ନର୍ସକୁ ସବୁ କଥା ଭଲ ଭାବରେ ବୁଝି ଆସିଲା ଶିଳ୍ପା । ସାମାନ୍ୟ ଆଶ୍ୱସ୍ତ ହେଲା ,ଲିଜା ଭଲ ଅଛି । ତିନି ଦିନ ପରେ ଡିସଚାର୍ଜ ହୋଇ ୱାର୍ଡକୁ ଆସିବ । ଛାତି ଟିକିଏ ଦମ୍ଭ ହେଲା ଏଥର ।

ଅଳ୍ପ ବୟସ୍କ ଝିଅ ମାନେ ନର୍ସ ହୋଇ ଏତେ ସୁନ୍ଦର ସେବା ଦେଇପାରୁଛନ୍ତି ଦେଖି ସେ ବହୁତ ଆଶ୍ଚର୍ଯ୍ୟ ହେବା ସହିତ ସେମାନଙ୍କ ପାଖରେ କୃତଜ୍ଞତା ଭରିଯାଉଥିଲା ମନରେ ।

ଅତି ଛୋଟ ଶିଶୁ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏ ହସ୍ପିଟାଲରେ ଏତେ ସୁନ୍ଦର ବ୍ୟବସ୍ଥା ଓ ଡାକ୍ତର ମାନେ ଯେ ଜଣେ ଜଣେ ଦ୍ଵିତୀୟ ଭଗବାନ ସେ କଥା ସେ ଅସ୍ବୀକାର କରିପାରୁ ନ ଥିଲା ।

ୱାର୍ଡଟି ଦୁଇଟି ପାର୍ଟରେ ବିଭକ୍ତ ହୋଇଥାଏ ଓ ପ୍ରତି ପାର୍ଟରେ ଦୁଇଟି ବେଡ଼ ପଡିଥାଏ । ଏଡମିଶନ ସମୟରେ ତା'ପାଖବେଡରେ କଟକରୁ ଆସିଥିବା ଏକ ଚାରି ମାସର ଶିଶୁର ଅପରେସନ ସରିଯାଇଥାଏ ଓ ସେ ଆଇ ସି ୟୁ କୁ ସିଫ୍ଟ ହୋଇଯାଇଥାଏ ।ତେଣୁ ସେ ଦମ୍ପତ୍ତି ଆଉ ୱାର୍ଡରେ ରହି ନ ପାରି ୱାର୍ଡ ତ୍ୟାଗ କରିଥାନ୍ତି ।କିନ୍ତୁ ବୃନ୍ଦା ସେଇଠି ରହିଥାଏ ଅନ୍ୟ ପାର୍ଟରେ ।ତା'ର ମଧ୍ୟ ପାଖ ବେଡଟି ଖାଲିଥାଏ ।ବୃନ୍ଦାର ବାପା ମାଆ ଦୁଇଜଣ କର୍ଣ୍ଣାଟକ ରାଜ୍ୟର ବିପିଏଲ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବାରୁ ସେମାନେ ଦୁଇ ଜଣ ସାରା ସେଠାରେ ରହିବାର ଅନୁମତି ପ୍ରାପ୍ତ ହୋଇଥାନ୍ତି ।ସେଥିରେ ଶିଳ୍ପାର କିଛି ଯାଏ ଆସେ ନ ଥିଲା । ବୃନ୍ଦାର ବାପା ସରଳ ,ଭଦ୍ର ବ୍ୟକ୍ତି ଥିଲେ । ଓଡିଆ ଭାଷା ନ ବୁଝିପାରିଲେ ମଧ୍ୟ ଭାଵରୁ ସେମାନେ ଭାବନାର ଆଦାନପ୍ରଦାନ କରୁଥାନ୍ତି ଓ ଦରକାର ପଡିଲେ ହିନ୍ଦୀ ଭାଷା ର ବ୍ୟବହାର କରୁଥାନ୍ତି ।

ତେବେ ସେ ଥିବାରୁ ଡାକ୍ତରଙ୍କୁ ଠିକ୍ ସମୟରେ ଖବର ଦିଆଯାଇପାରିଥିଲା ବୋଲି ସେ ତାଙ୍କୁ ଅନେକ ଧନ୍ୟବାଦ ଦେଇଛି ।ଲିଜା ଠାରୁ ଆଉ ତିନି ଚାରିମାସ ସାନ ଥିଲା ବୃନ୍ଦା ।ସେ ମଧ୍ୟ ଏଇ ହୃଦୟାଳୟରେ ହୃଦୟ ଯନ୍ତ୍ରର ସର୍ଜରୀ ହୋଇ ଭଲ ଅଛି ।ବୃନ୍ଦାର ମାଆ ,ତାକୁ ସାହସ ଦେଇ କହନ୍ତି ସର୍ଜରୀ ପରେ ଲିଜା ଠିକ୍ ରୂପେ ଆହାର ଗ୍ରହଣ କରିବ ।ସବୁ ଛୁଆଙ୍କର ସେଇୟା ହିଁ ହୋଇଛି ।ତେଣୁ ସେ ଅତ୍ୟଧିକ ଚିନ୍ତା କରିବାର

କୌଣସି କାରଣ ନାହିଁ । ଶିଳ୍ପା ଆଶ୍ୱସ୍ତ ହୁଏ ।

ବୃନ୍ଦାକୁ ଚେକଅପ କରିବାକୁ ଆସିଥିବାର ଦେଖି ସେତେବେଳର କଥା ମନେ ପଡିଗଲା ଶିଳ୍ପାର ।ବୃନ୍ଦା ସମ୍ବନ୍ଧରେ ଭଲ ମନ୍ଦ କଥା ବୁଝିବା ପରେ ସେମାନଙ୍କ ଠାରୁ ବିଦାୟ ନେଇ ଆସେ ସେ ।

ପୁରୁଣା ସ୍ମୃତିକୁ ଫେରିଯାଏ ଶିଳ୍ପା ।

**********

ଚାରିମାସର ଝିଅର ହୃଦୟ ରୋଗ ଅଛି ଜାଣିବା ପରେ ପାଦ ତଳୁ ମାଟି ଖସି ଯାଇଥିଲା ଶିଳ୍ପାର ।ବାଲେଶ୍ୱରରେ ଅନେକ ଲୋକାଲ ଶିଶୁ ବିଶେଷଜ୍ଞଙ୍କୁ ଦେଖାଇ ସାରିଲା ପରେ ଗଭୀର ଆତ୍ମ ପୀଡ଼ନର ସମ୍ମୁଖୀନ୍ନ ହେଲେ ଶିଳ୍ପା ଓ ସମୀର ।

ବନ୍ଧୁ ବୁବୁ ( ଶିଶୁ ବିଶେସଜ୍ଞ ) ଙ୍କ ଦ୍ଵାରା ପ୍ରରୋଚିତ ହୋଇ ସେ ଦୁହେଁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ପହଞ୍ଚନ୍ତି ।

ସେଠାରେ ଡାକ୍ତରଙ୍କୁ ଦେଖାଇ ରୋଗ ବିଷୟରେ ନିଶ୍ଚିତ ହୁଅନ୍ତି ।ମୁଣ୍ଡରେ ଦୁଃଶ୍ଚିନ୍ତା ବୃଦ୍ଧି ହୁଏ ।ଅନେକ ପରାମର୍ଶ ମିଳେ କିନ୍ତୁ କେଉଁଥିରେ ଶାନ୍ତି ମିଳେନାହିଁ । ଭାଇ ପ୍ରତ୍ୟେକ ମୁହୂର୍ତ୍ତରେ ଲିଜାକୁ ନେଇ ଭଲ ଡାକ୍ତର ପାଖରେ ଦେଖାଇ ଆଣିବାର ପରାମର୍ଶ ସବୁବେଳେ ଦେଉଥାନ୍ତି ।

ଏମିତି ଦିନ ବିତିଯାଉଥିଲା ବେଳେ ଶିଳ୍ପା ଭାଇଙ୍କର ବନ୍ଧୁଙ୍କ ସହିତ ସାକ୍ଷାତ ହୁଏ ।ସେ ତାଙ୍କ ଝିଅର ଦୁରାରୋଗ୍ୟ ହୃଦୟ ତଥା ଫୁସଫୁସ ରୋଗ ସମ୍ବନ୍ଧରେ ସୂଚନା ଦେଇ କିପରି ଅର୍ଥାଭାବରୁ ଠିକ୍ ସମୟରେ ସର୍ଜରୀ କରିପାରିଲେ ନାହିଁ ଏବଂ ଝିଅ ପାଇଁ ଅକ୍ଲାନ୍ତ ପରିଶ୍ରମ କରି କରି ଶେଷରେ ଚଉଦ ବର୍ଷରେ ସର୍ଜରୀ କଲେ ।କିନ୍ତୁ ସେଥିରେ ଅନେକ ଭୟ ,ଆଶା ,ଆଶଙ୍କା ଦେଇ ଗତି କରିବାକୁ ପଡିଥିଲା ତେଣୁ ଅଳ୍ପ ବୟସର ଶିଶୁର ସର୍ଜରୀ କରିଦେବା ଭଲ ବୋଲି ତାଙ୍କର ଉପଦେଶକୁ ଗ୍ରହଣ କରନ୍ତି ଶିଳ୍ପା ଓ ସମୀର ।ଭାଇ ବହୁତ ଆଡୁ ଖବର ସଂଗ୍ରହ କରି ଭେଲୋର ସି ଏମ ସି ,ହସ୍ପିଟାଲକୁ ନେଇଯିବା ପାଇଁ ପରାମର୍ଶ ଦେବା ସହିତ ଶିଳ୍ପା ଓ ସମୀରଙ୍କୁ ସାଙ୍ଗରେ ନେଇ ସେଠାକୁ ଯାଆନ୍ତି ।

ସେଠାରେ ସମସ୍ତ ରିପୋର୍ଟ ପୂର୍ବ ରିପୋର୍ଟ ଅପେକ୍ଷା ଅଧିକ ସମସ୍ୟାର ଉଲ୍ଲେଖ କରେ ତେଣୁସେଥିରେ ସନ୍ତୁଷ୍ଟ ନ ହୋଇ ସେମାନେ ଶ୍ରୀ ସାଇ ବାବାଙ୍କ ହସ୍ପିଟାଲରେ ପୁନଃ ପରୀକ୍ଷା କରାନ୍ତି ।ତଦ୍ଦ୍ୱାରା ତାଙ୍କର ସନ୍ଦେହ ମୋଚନ ହେବା ସହିତ ଇଛା ହୁଏ ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କୁ ଏସବୁ ରିପୋର୍ଟର ସତ୍ୟା ସତ୍ୟକୁ ଦେଖାଇବାକୁ ।

ସମୀରଙ୍କ ଇଛା ନିଜ ଇଲାକାରେ ସର୍ଜରୀ କଲେ ବନ୍ଧୁ ମାନେ ସାହାଯ୍ୟ କରିବେ ।ତେଣୁ ସେ ପୁନଃ ଆପୋଲୋ ଯିବାକୁ ଯୋଜନା କରନ୍ତି ।କିନ୍ତୁ ସେଠାରେ ଲିଜାକୁ ଦେଖୁଥିବା ଡାକ୍ତର ସେଇ ମାସ ହିଁ ସେ ହସ୍ପିଟାଲ ତ୍ୟାଗ କରିଥିବାର ସୂଚନା ପାଆନ୍ତି ।ତାଙ୍କ ସ୍ଥାନରେ ଯେଉଁ ଡାକ୍ତର ଜଣକ ବଦଳରେ ଆସିଥିଲେ ସେ ଭେଲୋର ହସ୍ପିଟାଲରେରେ ଥିଲେ ଏବଂ ତାଙ୍କ ପରାମର୍ଶ ଥିଲା ଭେଲୋର ଅପେକ୍ଷା କର୍ଣ୍ଣାଟକ ରାଜ୍ୟରେ ଥିବା ହୃଦୟାଳୟରେ ଲିଜାର ସର୍ଜରୀ କରିବା ସବୁଠାରୁ ଉତ୍ତମ ।କାରଣ ତାହା ଏସିଆର ବୃହତ୍ତମ ହୃଦୟାଳୟ ।

ତାଙ୍କ ପରାମର୍ଶ ସମୀର ଗ୍ରହଣ କରି ନିଅନ୍ତି ଓ ହୃଦୟାଳୟ ଅଭିମୁଖେ ଯାତ୍ରା ଆରମ୍ଭ ହୁଏ ।କିନ୍ତୁ ହସ୍ପିଟାଲ ତଥା ଡାକ୍ତର ସମ୍ବନ୍ଧୀୟ ମାମଲାରେ ଅତି ଦୁର୍ବଳ ମନା ସମୀରଙ୍କ ପାଇଁ କକାପୁଅ ଭାଇ ଯିଏ କି ଏକ ଔଷଧ କମ୍ପାନୀରେ କେମିଷ୍ଟ ରୂପେ କାର୍ଯ୍ୟରତ ଥାଇ କିଛିଦିନ ପାଇଁ ଛୁଟିରେ ଥାଆନ୍ତି ଓ ଶିଳ୍ପାର ଭାଇ ଆୟୁଷ ଡାକ୍ତରଙ୍କୁ ,ଅନେକ ଜଟିଳ ହୃଦୟ ରୋଗର ସର୍ଜରୀ ପାଇଁ ସାହସର ଆବଶ୍ୟକତାକୁ ହୃଦୟଙ୍ଗମ କରି ସାଥୀ କରନ୍ତି ।

ସହୃଦୟତାର ପରିଚୟ ଦେଇ ପୂର୍ବ ପରି ଶିଳ୍ପାର ଭାଇ ନିଜ ଘର ଦ୍ୱାର ପରିବାରକୁ ଛାଡି ଭାଣିଜୀର ଆରୋଗ୍ୟ ଲାଭ ନିମନ୍ତେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ବହାରିଆସନ୍ତି । ଏଠାରେ ପହଁଚିବା ପରଠାରୁ କମ ଖର୍ଚ୍ଚରେ ରହିବାର ବନ୍ଦୋବସ୍ତ ଠାରୁ ଆରମ୍ଭ କରି ଡାକ୍ତରଙ୍କ ସହ ଯୋଗାଯୋଗ କରିବା ସମସ୍ତ କାମ ଭାଇ ଏମିତି ସୁଚାରୁରୂପେ କରନ୍ତି ଯେ ,ସତେ ଯେମିତି ସେ ଏ ଅଞ୍ଚଳ ସହିତ ଆଗରୁ ଖୁବ୍ ପରିଚିତ ଅଛନ୍ତି ।ଆସିଲା ପରେ ଲିଜାର ଭୀଷଣ ଥଣ୍ଡା ବଢିଯିବା ଏବଂ ତାକୁ ଯଥା ଶୀଘ୍ର ଆରୋଗ୍ୟ କରି ସର୍ଜରୀ ନିମନ୍ତେ ଆଡ଼ମିଶନ କରିବା ପର୍ଯ୍ୟନ୍ତ ଭାଇ ଯେଉଁ କଷ୍ଟ କରିଛନ୍ତି ,ତା'ର ପ୍ରତିଦାନ ଶିଳ୍ପା ଦେଇପାରିବନି । କେତେ କ'ଣ ନ କରିଛନ୍ତି ଲିଜା ପାଇଁ ତା'ର ହିସାବ ସେ ବୋଧହୁଏ କରିପାରିବନି ।

*************

ପର୍ଯ୍ୟାୟକ୍ରମେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଲିଜାକୁ ନେଇ ଯିବାକୁ ପଡେ ହୃଦୟାଳୟ ।ସେଇଥିରେ ହିଁ ବୃନ୍ଦା ସହିତ ସାକ୍ଷାତ ହୋଇଥିଲା ତା'ର ।

ଏତେସବୁ କଥା କିଛିଦିନ ତଳେ ମୋତେ କହିଥିଲା ଶିଳ୍ପା । କେବେ କେମିତି ରାସ୍ତା ଘାଟ ,ମନ୍ଦିର ,ବଜ଼ାରରେ ଭେଟା ଭେଟି ହୋଇଗଲେ କଥାର ଲମ୍ବା ଲାଇନ ଲାଗିଯାଏ ।

***************

ପ୍ରାୟ ଅଫିସ କାମରେ ବ୍ୟସ୍ତ ରହି ଖୁବ୍ କମ ଯୋଗାଯୋଗ ରଖିଥାଏ ସମସ୍ତଙ୍କ ସହ ।ୟା ଭିତରେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ମୋର ଶିଳ୍ପା ସହିତ ସାକ୍ଷାତ ହୋଇ ନ ଥିଲା ।ଥରେ ଦି ଥର ଫୋନ କରିଥିଲା ଶିଳ୍ପା କିନ୍ତୁ ମୁଁ ଫୋନ ହଜିଯାଇଥିବାରୁ କାହା ସହିତ ସମ୍ପର୍କ ରଖି ପାରି ନଥାଏ ।ସେଦିନ ଟ୍ରେନରେ ଅଚାନକ ଏମିତି ନାଟକୀୟ ଢଙ୍ଗରେ ଶିଳ୍ପା ସହ ଦେଖା ହୋଇଯିବ ବୋଲି ମୁଁ ଆଶା କରି ନ ଥିଲି ।କିନ୍ତୁ ଏ କଥା ସତ୍ୟ ଯେ ମୁଁ ତା ବର୍ଥର ସାଇଡ ସ୍ଲିପରରେ ଥିଲି ।ମୁଁ ଖୁସିରେ ଆତ୍ମହରା ହୋଇ ଯାଉଥିଲା ବେଳେ ସେ ମୋତେ ଧରି ବୋହେ କାନ୍ଦିଲା । ମନ ବୁଝିସାରିଲା ପରେ ଭାଇ ଆଉ ଦୁନିଆରେ ନାହାନ୍ତି ବୋଲି ଧକେଇ ଧକେଇ କହିବାଟା ମୋତେ ଭାରି ଅବିଶ୍ୱାସ୍ୟ ଲାଗୁଥାଏ ।

-----ଲିଜା ସର୍ଜରୀର ଦୁଇବର୍ଷ ପରେ ହଠାତ ଦିନେ ଭୟଙ୍କର ଭାବେ ଜ୍ୱର ଆସିଲା ଭାଇଙ୍କୁ । ତିନି ଦିନ ବେଳକୁ ଜ୍ୱର ନ ଛାଡିବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ଔଷଧ ଖାଇଥିଲେ ।ତଥାପି ଜ୍ୱର ନ ଛାଡିବାରୁ ବିଭିନ୍ନ ଟେଷ୍ଟ କରାଇଥିଲେ ।ରିପୋର୍ଟ ଅନୁସାରେ ମଧ୍ୟ ଚିକିତ୍ସା ହୋଇଥିଲେ ।ତଥାପି ଜ୍ୱର ସମ୍ପୂର୍ଣ ନ କମିବାରୁ ସେ ଡାକ୍ତର ପରାମର୍ଶ ଅନୁସାରେ ହସ୍ପିଟାଲରେ ଆଡ଼ମିଶନ ହୋଇଥିଲେ ।ମୁଁ ବହୁତ ଵିରକ୍ତ ହୋଇଥିଲି । ଏତେ ସବୁ ହୋଇଗଲା ଅଥଚ ଗୋଟିଏ ସହରରେ ଥାଇ ବି ମୋତେ କିଛି ନ ଜଣାଇବା ଭାରି ବାଧୁଥାଏ କିନ୍ତୁ ଏବେ ତ ଆଉ କିଛି କରିବାର ନାହିଁ ,ଠିକ୍ ଅଛି ଆଗକୁ କଣ ହେବ ଦେଖାଯାଉ କହି ଚୁପ ରହିଥାଏ ।

କିନ୍ତୁ ,କିଡନୀ ଇନଫେକ୍ସନର ରିପୋର୍ଟ ଆସିବାର ଜାଣି ଆଉ ସେଠାରେ ନ ରଖି ସଙ୍ଗେ ସଙ୍ଗେ ,ଅର୍ଦ୍ଧ ରାତ୍ରୀରେ ହିଁ କଟକ ନେଇ ଯାଇଥିଲୁ ।

କଟକ ମେଡିକାଲରେ ଦୀର୍ଘ ସତର ଦିନ ପରେ ତାଙ୍କୁ ଭେଣ୍ଟିଲେଟର ଦିଆଗଲା ।ତା'ର ତିନିଦିନ ପରେ ସେ ଆର ପାରିକୁ ଚାଲିଗଲେ । କଟକ ମେଡ଼ିକାଲରେ ରହିଥିବାବେଳେ ପ୍ରଥମ ଦୁଇଦିନରେ କେମିତି ,ଭାଇ ଅତ୍ୟଧିକ ଜ୍ୱରରେ ପ୍ରଳାପ କରୁଥାନ୍ତି --"ମଧୁ ମଧୁ ଆରେ ଖାଇବାକୁ ଦିଅ ,ଭୋକ ହେଉଛି ପରା ,ତୁମେ କଣ ମୋତେ ମାରିଦେଵ ନା କ'ଣ ??ବାବା ଦେଖନ୍ତୁ ମୋତେ କେମିତି ଖାଇବାକୁ ଦେଉନାହାନ୍ତି ଖାଲି ଔଷଧ ଖୁଆଉଛନ୍ତି । ( ବାବା କିନ୍ତୁ ସେଠାରେ ନ ଥାନ୍ତି ) ଦିଅ ଦିଅ କିଛି ଖାଇବାକୁ ଦିଅ ।ଓଃ ..କି ଭୋକ ।ବାବାଙ୍କୁ ଖାଇବାକୁ ଦେଇଛ ନା ...?ତା ହେଲେ ଦିଅ ଆମକୁ ଏକା ସାଙ୍ଗରେ ଖାଇଦେବା । "ଭାଉଜ ତାଙ୍କ ଦେହକୁ ଓଦା ଗାମୁଛାରେ ପୋଛି ଆଣୁ ଥାଆନ୍ତି ଆଉ ବୁଝାଉ ଥାଆନ୍ତି ।

କେମିତି ମଧୁ ଭାଉଜ ଓ ଶିଳ୍ପା ବୁଝେଇବେ ଯେ ଡାକ୍ତର ଖାଇବାକୁ ମନା କରିଛନ୍ତି କେବଳ ତରଳ ପାନୀୟ ବ୍ୟତୀତ ।ଓଃ ....ସେ ହୃଦୟ ବିଦାରକ ଦୃଶ୍ୟ ସହି ହେଉନଥାଏ । ତା'ର ଠିକ୍ ଦୁଇଦିନ ପରେ ଭାଇ କୋମାକୁ ଚାଲିଗଲେ ।ମେଡିସିନ ଡିପାର୍ଟମେଂଟର ଆଇ ସି ୟୁ ରେ ଥାଇ ହଜାରେ ରକମ ଟେଷ୍ଟ ସରିଗଲା କେବଳ ଜ୍ୱର କାହିଁକି କମୁନାହିଁ ବୋଲି ।କିନ୍ତୁ ଡାକ୍ତରଙ୍କ କହିବା ଅନୁସାରେ ତାଙ୍କର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗ ଅକାମୀ ହୋଇଯାଉଥାଏ ଧୀରେ ଧୀରେ । ତା'ର କାରଣ ସେମାନେ ପାଉନାହାନ୍ତି ,,କୌଣସି ବଦଭ୍ୟାସ ନ ଥିବା ବ୍ୟକ୍ତିଟିର ।ଦୁଇଜଣ ନାରୀ କେବଳ ତାଙ୍କୁ ଜଗି ରହନ୍ତି, ସ୍ତ୍ରୀ ଓ

ଭଉଣୀ ।ଅନ୍ୟ ଜ୍ଞାତି ମାନେ ଜଣେ ଜଣେ ଯାଇ ଦେଖି ଆସୁଥାନ୍ତି ।

-----"ଥାଉ ,ଆଉ କହନା ସେଗୁଡା ,ଧୈର୍ଯ୍ୟ ଧରି ହେଉନି ।" ମୋ କଣ୍ଠ ରୁଦ୍ଧ ହେଉଥିଲା ଓ ମୋ ଆଖି ଦୁଇଟା ଲୁହରେ ଅନ୍ଧ ହୋଇଯାଉଥିଲା । ସେଇ ବାଷ୍ପରୁଦ୍ଧ କଣ୍ଠରେ ମୁଁ କହିଲି ,"କିନ୍ତୁ ମୁଁ କହିବି ,ସେ ଯାହା ବି ହେଉ କିଛି ତ ବିଳମ୍ବ କରି ଅବହେଳା କରିଛ ଭାଇଙ୍କ ଚିକିତ୍ସାରେ ।.....ଆରେ ପଇସା ନ ଥିଲେ କଣ ହେଲା ବନ୍ଧୁ ବାନ୍ଧବ ତ ଥିଲେ ନା ,ମାଗିଥିଲେ କଣ ଏମିତି କେହି ସାହାଯ୍ୟ କରି ନ ଥାନ୍ତେ ? ସବୁବେଳେ କ'ଣ ସ୍ୱାଭିମାନଟା ରଖିବା ନିହାତି ଦରକାର ???ଭାଉଜଙ୍କ ସାମାନ୍ୟ ଭୁଲ

ପାଇଁ କେତେ ବଡ ଶାସ୍ତିଟିଏ ମିଳିଲା ,ଦେଖିଲୁ ତ ??

ଭାଇ କାହା ପାଇଁ କଣ ନ କରିଥିଲେ କହିଲୁ ??ଆଉ କଣ ତାଙ୍କୁ ଫେରାଇ ଆଣି ହେବ ?ମୋ ମୁହଁରୁ ଅସ୍ପଷ୍ଟ ହେଉଥିଲା ଶବ୍ଦ ଗୁଡିକ .......ହଉ ଛାଡ ..ସେ କଥା ସେଇ ଗୋଟିକୁ ଶିକ୍ଷା ବୋଲି ଜାଣି ଭବିଷ୍ୟତ ପ୍ରତି ସତର୍କ ରହିବୁ । "

ଛାତିରେ ଗଦାଏ ଦୁଃଖକୁ ଅପାଶୋରା ସ୍ମୃତିର ଘରେ ସାଇତି ରଖି ଶିଳ୍ପା ସେମିତି ଝରକା ଦେଇ ଶୁନ୍ୟକୁ ଅନେଇରହି କହୁଥାଏ,

------ନା , ଅନୁ ,ଆଉ ସେ ଭୁଲ ଆଉ ହେବାର ନୁହେଁ ,ବୋଲି ତ ଭାଇଙ୍କ ଯିବାର ଛଅ ମାସ ପରେ ଭାଉଜଙ୍କୁ ଠିକ୍ ସେଇଭଳି ଜ୍ୱରରେ ଛାନିଆ ହୋଇ, ଔଷଧ ଖାଇବା ପରେ ମଧ୍ୟ ଜ୍ୱର ନ ଛାଡିବାରୁ ସମୀର ଓ ମୁଁ ତାଙ୍କୁ କଟକ ନେଇଗଲୁ ।ଜ୍ୱର ସମ୍ପୂର୍ଣ୍ଣ ଛାଡିବାକୁ ପ୍ରାୟ ସତର କି ଅଠର ଦିନ ଲାଗିଲା ଅନୁ । ଓଃ .....କଣ ଯେ ହେଉଛି ବର୍ତ୍ତମାନ ଦୁନିଆରେ ,ଏତେ ରୋଗ ବ୍ୟାଧି ଯାହାକୁ ଡାକ୍ତର ଜାଣିପାରୁନାହାନ୍ତି ,ତେବେ କ'ଣ ହେବ ମଣିଷର ??

କେମିତି ରୋଗ କବଳରୁ ନିଜକୁ ମୁକ୍ତ ରଖି ନିରୋଗ ଓ ସୁସ୍ଥ ଜୀବନ ରକ୍ଷା କରିବ କେଜାଣି ...! ସେଇଭଗବାନ ହିଁ ଭରସା ।"କହି ଆଖି ଲୁହକୁ ପୋଛି ପୋଛି ତା ସିଟରେ ବସିଲା ଶିଳ୍ପା ।

-------ହଁ ,ଶିଲୁ ,,,,,ସେଇ ଭଗବାନ ହିଁ ଭରସା ।କିନ୍ତୁ ମଣିଷ ନିଜ କର୍ମ ଓ କର୍ତ୍ତବ୍ୟକୁ ସୁଚାରୁ ରୂପେ କରିବା ନିହାତି ଆବଶ୍ୟକ । କେବଳ ଭାଗ୍ୟକୁ ଭରସା କରିବା ନିର୍ବୋଧର କାମ ,ତା ପୁଣି ବର୍ତ୍ତମାନ ପରି ଉନ୍ନତ ଟେକ୍ନୋଲୋଜିର ଯୁଗରେ ।

ଆଖିରେ ଆଖିଏ ଶୁନ୍ୟତ କୁ ନେଇ ମୁଁ ଆଗେଇ ଯାଉଥିଲି ଶିରିଡି ଧାମକୁ ଯାଉଥିବା ଶିଳ୍ପାର ବାପା,ଭାଉଜ ,ପୁତୁରା , ଝିଅ ,ଓ ସ୍ୱାମୀଙ୍କ ପାଖକୁ ,,.....କି ଯେ ସାନ୍ତ୍ୱନା ଦେବି କିଛି ଭାବି ପାରୁ ନ ଥିଲି .....।।

---------

8249850168

ତୁଳସୀଚୌରା

ବାରିପଦା

ମୟୁରଭଞ୍ଜ

ବୃନ୍ଦା ଶିଳ୍ପା ଭାଗ୍ୟ

Rate the content


Originality
Flow
Language
Cover design

Comments

Post

Some text some message..