sushama Parija

Classics


1.7  

sushama Parija

Classics


ଭାବର ଠାକୁର ଶ୍ରୀ ଜଗନ୍ନାଥ

ଭାବର ଠାକୁର ଶ୍ରୀ ଜଗନ୍ନାଥ

6 mins 7.6K 6 mins 7.6K

ବିଲ, ବଣ, ନଦୀ, ପାହାଡକୁ ପଛରେ ପକାଇ ଆଗେଇ ଚାଲିଥାନ୍ତି ସେ । ଅତିକ୍ରମ କରି ସାରିଥାନ୍ତି କେତେ

କେତେ ମସୃଣ, ବନ୍ଧୁର ପଥ । ବାଟରେ କେବେ କଣ୍ଟାର ଆଘାତରେ ତ କେତେବେଳେ ଗୋଡି ପଥର ଆଘାତରେ ରକ୍ତାକ୍ତ ହୋଇଛି ପାଦ, ଯନ୍ତ୍ରଣାରେ ଚିତ୍କାର କରି ଉଠିଛନ୍ତି ସେ , କେବେ କେମିତି ପଥଶ୍ରମ ଜନିତ କ୍ଳାନ୍ତିରେ ଅବଶ ହୋଇ ପଡିଛି ପାଦ ଦୁଇଟି, ତଥାପି ଅଟକି ଯାଇ ନାହାଁନ୍ତି ସେ । ଆଗେଇ ଚାଲିଛନ୍ତି ଆଗକୁ, ଆଗକୁ । ଶରୀର ଥକି ପଡୁଛି କିନ୍ତୁ ମନ କହୁଛି ଚରୈବତି , ଚରୈବତି , ଆଗେଇ ଚାଲ, ଆଗେଇ ଚାଲ । ଆଖି ବୁଜିବା ଆଗରୁ ତମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ, ଥକି ଗଲେ ଚଳିବନି, ତମକୁ ତମର ଇପ୍ ସିତ ସହ ଭେଟ କରିବାକୁ ହିଁ ପଡ଼ିବ, ନହେଲେ ତମର ମାନବଜନ୍ମ ବୃଥା ହୋଇଯିବ । ପାଦର ଗତି ବଢି ଚାଲିଛି ତାଙ୍କର, ମନ ଭିତରେ ଅଫୁରନ୍ତ ଆବେଗ, କେମିତି ଯାଇ ପହଞ୍ଚିବେ ପୁରସ୍ତମରେ । କେମିତି ଦେଖିବେ ସେଇ କଳାକଳା ଚକାଡୋଳା ଦୁଇଟିକୁ, ଶରଣାଗତ ହୋଇ ଇହଜନ୍ମ ପରଜନ୍ମର ପାପରୁ ମୁକ୍ତି ପାଇବେ । ତାଙ୍କର ଶ୍ରୀ ଚରଣରେ ଲୀନ ହୋଇଯିବେ । ମାଆ କହିଛନ୍ତି, ସେ ସର୍ବଜ୍ଞ , ସର୍ବବ୍ୟାପୀ, ଅଗତିର ଗତି , ସର୍ବତ୍ର ବିଦ୍ୟମାନ, ସେ ମୁକ୍ତିଦାତା, ସେ ହିଁ ମୁକ୍ତି ଦେବେ । ଏତେ ବଡ ରୋଗରୁ ଉଦ୍ଧାର କରିଛନ୍ତି, ଏ ଜୀବନ ତାଙ୍କର । ତାଙ୍କର ଶ୍ରୀ ଚରଣରେ ମୁଣ୍ଡ ଲଗାଇ ସମର୍ପଣ କରିବାକୁ ହେବ । ସେଇ ସଂକଳ୍ପ ନେଇ ସେ ଛୁଟି ଆସିଥିଲେ ପୁରସ୍ତମ ।

କିନ୍ତୁ ଦୁର୍ଭାଗ୍ୟ , ସେ ଶ୍ରୀମନ୍ଦିର ତ ଦୂରର କଥା ବଡଦାଣ୍ଡରେ ଅରୁଣସ୍ତମ୍ଭ ପାଖରେ ଛିଡ଼ା ହୋଇ ସୁଦ୍ଧା ପତିତପାବନଙ୍କୁ ଦର୍ଶନ କରି ପାରିଲେନି କାରଣ ସେ ଥିଲେ ଜଣେ ଅଣହିନ୍ଦୁ । ତାଙ୍କର ପିତା ଥିଲେ ମୋଗଲ ସୁବେଦାର ଜାହାଙ୍ଗୀର ଖାଁ ଓରଫ ଲାଲବେଗ । ସେ ତାଙ୍କର ଯୁଦ୍ଧଯାତ୍ରା କାଳରେ ଜଣେ ସୁନ୍ଦରୀ ବିଧବା ବ୍ରାହ୍ମଣୀଙ୍କୁ ବଳପୂର୍ବକ ଅପହରଣ କରି ବିବାହ କରିଥିଲେ । ସେଇ ମୋଗଲ ପିତା ଏବଂ ହିନ୍ଦୁ ବ୍ରାହ୍ମଣୀ ମାତାଙ୍କର ଔରସରୁ ଜନ୍ମ ନେଇଥିଲେ ସେ । ପିତୃଦତ୍ତ ନାମ ଥିଲା ସାଲବେଗ । ତାଙ୍କ ଜନ୍ମର ବର୍ଷକ ପରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା ଯୁଦ୍ଧରେ । ସାଲବେଗ ନିଜର ହିନ୍ଦୁ ମାତାଙ୍କ ଦ୍ଵାରା ପାଳିତ ପୋଷିତ ହୋଇ ଥିଲେ ସେଇ ମୁସଲମାନ ପରିବାରରେ। ବଡ ହେବା ପରେ ମୋଗଲ ପ୍ରଥା ଅନୁସାରେ ସେ ମୋଗଲ ସେନାବାହିନୀରେ ବାଧ୍ୟତା ମୂଳକ ଭାବରେ ଯୋଗ ଦେଇଥିଲେ । କିନ୍ତୁ ହିନ୍ଦୁ ମାଆଙ୍କ ଦ୍ବାରା ପାଳିତ ପୋଷିତ ହୋଇ ପିଲାଟି ଦିନରୁ ସେ ହିନ୍ଦୁ ଧର୍ମ ପ୍ରତି ଆକ୍ରୁଷ୍ଟ ହୋଇଥିଲେ । ଥରେ ଏକ ଯୁଦ୍ଧ କରିବା ସମୟରେ ସେ ଗଭୀର ଭାବରେ ଆହତ ହେଇ ଜୀବନର ଆଶା ଛାଡି ଦେଇଥିବା ବେଳେ ତାଙ୍କ ମା ତାଙ୍କୁ ଭଗବାନ କୃଷ୍ଣଙ୍କ ନାମ ନେଇ ତାଙ୍କ ଆଶ୍ରିତ ହେବାକୁ କହିଲେ ।ଏହା କଲା ପରେ ଅତି ଅଲୌକିକ ଭାବରେ ସେ ସମ୍ପୂର୍ଣ ଆରୋଗ୍ୟ ହେଇଗଲେ । ଏହା ତାଙ୍କ ମନରେ ଶ୍ରୀକୃଷ୍ଣଙ୍କ ପ୍ରତି ଏତେ ଭକ୍ତି ଭାବ ଆଣିଦେଲା ଯେ ସେ ସଂସାରିକ ମୋହମାୟା ସବୁ ତ୍ୟାଗ କରି ଭଗବାନ ଶ୍ରୀକୃଷ୍ଣ ଓ ହିନ୍ଦୁ ଧର୍ମ ଉପରେ ଅଧିକ ଜ୍ଞାନ ଆହରଣ କଲେ । ତାଙ୍କ ମା' ଙ୍କ କହିବା ଅନୁସାରେ ଜଗନ୍ନାଥ ମଧ୍ୟ ଶ୍ରୀକୃଷ୍ଣଙ୍କ ଅବତାର

ହେଇଥିବାରୁ ପୁରୀ ଧାମକୁ ଆସିଲେ ଜଗନ୍ନାଥଙ୍କୁ ଦର୍ଶନ କରିବା ଲାଗି।

କିନ୍ତୁ ଜାତିରେ ମୁସଲମାନ ହେଇଥିବାରୁ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷେଧ ହେଲା । ଏଥିରେ ନିରାଶ ନ ହେଇ ସେ ବୃନ୍ଦାବନକୁ ଯାଇ ସେଠାରେ ସାଧୁ ସଙ୍ଗତରେ ରହି ସଦାସର୍ବଦା ଶ୍ରୀକୃଷ୍ଣଙ୍କ ଭଜନ ଶୁଣିଲେ ଓ ନିଜେ ମଧ୍ୟ ବହୁ ହିନ୍ଦୁ ଶାସ୍ତ୍ର ଅଧ୍ୟୟନ କରିବା ସହ ଭଜନ କୀର୍ତ୍ତନ କରି ଦିନ କାଟିଲେ । ବୃନ୍ଦାବନ ବିହାରୀଙ୍କ ନିକଟରେ ରହୁଥାନ୍ତି କିନ୍ତୁ ଜଗନ୍ନାଥଙ୍କ ମୋହ ତାଙ୍କୁ ସଦା ସର୍ବଦା ଟାଣୁଥାଏ ତା' ଙ୍କ ପାଖକୁ । ପ୍ରାୟ ଗୋଟିଏ ବର୍ଷ ବୃନ୍ଦାବନରେ ରହିବା ପରେ ଶ୍ରୀକ୍ଷେତ୍ରର ରଥଯାତ୍ରାର ସମୟ ଆସିଲା ।

ସାଲବେଗ ଶୁଣି ଥିଲେ ରଥଯାତ୍ରାରେ ଶ୍ରୀ ଜଗନ୍ନାଥ ତାଙ୍କର ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ

ଓହ୍ଲାଇ ଆସନ୍ତି ବଡଦାଣ୍ଡକୁ, ରଥରେ ବସି ନବଦିନାତ୍ମକ ଯାତ୍ରା କରିବା ଲାଗି ତାଙ୍କ ଜନ୍ମସ୍ଥାନ ଶ୍ରୀ ଗୁଣ୍ଡିଚା

ମନ୍ଦିରକୁ । ସେଇଦିନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଦର୍ଶନ କରି ପାରନ୍ତି ତାଙ୍କୁ ରଥ ଉପରେ । ବର୍ଷକ ଭିତରେ ସେଇ ଦିନଟି ପ୍ରଭୁ ଆଉ ସମସ୍ତ ଭକ୍ତଙ୍କର ମିଳନ ହୋଇଥାଏ ବଡଦାଣ୍ଡରେ । ରଥରେ ବସି

ଚତୁର୍ଦ୍ଧା ମୁରତି ଆସନ୍ତି , ସବୁ ଜାତି , ସବୁ ଧର୍ମର ଲୋକ ତାଙ୍କୁ ଦେଖନ୍ତି ବଡ ଦାଣ୍ଡରେ , ରଥର ଦଉଡି ଧରି ଟାଣିବାର ସୁଯୋଗ ମଧ୍ୟ ପାଆନ୍ତି । କାଳିଆ ସେ ସମୟରେ ହେଇଯାନ୍ତି "ପତିତପବନ" । ତାଙ୍କର

ବିଶାଳ ଭୁଜରେ କୋଳେଇ ନେଇ ଭକ୍ତ ମାନଙ୍କ ଜନ୍ମ ଜନ୍ମାନ୍ତରର ପାପ ନାଶନ କରି ସେମାନଙ୍କୁ ମୋକ୍ଷ

ଦିଅନ୍ତି । ରଥାରୂଢ ବାମନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏନାହିଁ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି ।

ସାଲବେଗ ଯେ କୌଣଶି ମତେ ରଥ ଯାତ୍ରା ସମୟସମୟରେ ପୁରୀରେ ପହଞ୍ଚିବାର ଦୃଢ ସଂକଳ୍ପ ନେଇ ବାହାରିଲେ ବୃନ୍ଦାବନରୁ । ସେ ସମୟରେ ଯାତାୟାତର ଏତେ ସୁବିଧା ନଥିଲା । ଦୀର୍ଘ ପଥ ପଦବ୍ରଜରେ ଆସିବା ଛଡା ଅନ୍ୟ ପନ୍ଥା ନାହିଁ । ଅନେକ କଷ୍ଟ ସହି ଖରା ବର୍ଷା ଭୋକ ଉପାସରେ ଚାଲି ଚାଲି ଆସିବା ଭିତରେ ଅଧା ବାଟରେ ଅସୁସ୍ଥ ହୋଇ ପଡିଲେ ସେ । ଦେହରେ ଭର୍ତ୍ତି ହୋଇଗଲା ପ୍ରବଳ ଜ୍ଵର । ଖଣ୍ଡିଆ ଖାବରା ହୋଇ ପାଦ ଦି’ଟା ଆଉ ଆଗେଇ ପାରୁ ନ ଥିଲା । ଅବଶ ହୋଇ ପଡି ରହିଲା ବେଳେ ରଥରେ କାଳିଆ ଥିବା ସମୟରେ ଦେଖି ପାରିବାର ସୁଯୋଗ ହରାଇବାର ଆଶଙ୍କାରେ ଜର୍ଜରିତ ହେଇ ସେ ଅତି ଆକୁଳ ସ୍ୱରରେ ନିବେଦନ କଲେ କାଳିଆ ଠାକୁରଙ୍କୁ ..

'' ଜଗବନ୍ଧୁ ହେ ଗୋସାଇଁ , ତୁମ୍ଭ ଶ୍ରୀ ଚରଣ ବିନୁ ଅନ୍ୟ ଆଶ୍ରେ ନାହିଁ ।

ସାତଶ ପଚାଶ କୋଶ ଚାଲି ନ ପାରଇ, ମୋହ ଯିବା ଯାଏ ନନ୍ଦିଘୋଷେ ଥିବ ରହି ''

କାନ୍ଦି କାନ୍ଦି ବିକଳ ହୋଇ ବାରମ୍ବାର ପ୍ରାର୍ଥନା କରୁଥାଆନ୍ତି ସେ କାଳିଆ ଠାକୁରଙ୍କୁ ,ଗୁଣ୍ଡିଚା ଯାତ୍ରାରେ ଯଦି ବା ସେ ପୁରସ୍ତମରେ ପହଞ୍ଚି ନ ପାରିବେ ତେବେ ବାହୁଡା ଯାତ୍ରାରେ ହେଲେ ମଧ୍ୟ କାଳିଆ ଟିକେ ଅପେକ୍ଷା କରିବେ ତାଙ୍କ ଆସିବା ଯାଏ । ତାଙ୍କୁ ନ ଦେଖିଲେ ଜୀବନ ହାରି ଦେବେ ସିଏ। କାରଣ ରଥରେ କାଳିଆଙ୍କୁ

ଦେଖି ନ ପାରିଲେ ଆଉ ଏ ସୁଯୋଗ ତାଙ୍କୁ ମିଳିବ ନାହିଁ । ରଥଯାତ୍ରା ହେବ ଆହୁରି ବର୍ଷକ ପରେ ।

କିଏ ଜାଣେ ସେଇ ପର୍ଯ୍ୟନ୍ତ ସେ ବଞ୍ଚି ଥିବେ କି ନାହିଁ । ବାରମ୍ବାର ଡାକି ଚାଲିଥାନ୍ତି '' ପ୍ରଭୁ ! ଗୁହାରି ଶୁଣ '' ।

ଭାବ ବିନୋଦିଆ ଠାକୁର ଭକ୍ତର ଗୁହାରି ଶୁଣିଲେ।

ସତକୁ ସତ ସାଲବେଗଙ୍କ ଡାକ ଶୁଣି ବାହୁଡା ଦିନ କାଳିଆଙ୍କ ରଥ ନନ୍ଦିଘୋଷ ଅଧା ବାଟରେ ଅଟକିଲା ।

ବଡଦାଣ୍ଡରେ ସେବକ ଓ ଅନ୍ୟ ଭକ୍ତ ମାନଙ୍କ ସତ ଚେଷ୍ଟା ସତ୍ତ୍ୱେ କୌଣସି ପ୍ରକାରେ ଆଗକୁ ଗଲା ନାହିଁ ।

ପଣ୍ଡା, ସେବକ , ଦଇତାପତିଙ୍କ ଭାଳେଣି ପଡିଲା ' ହଟିଆ ଠାକୁର ହଟ କରିଛନ୍ତି ' । କାହିଁକି? କାହିଁକି? ?

ମାହାର୍ଯାଙ୍କ କାନ ଯାଏଁ କଥା ଗଲା । ଗଜପତି ନିଜେ ଆସିଲେ । ନିଉଛାଳି ହେଲେ ଠାକୁରଙ୍କୁ '' ପ୍ରଭୁ !

ହଟ ଛାଡନ୍ତୁ, ରଥ ଗଡୁ, ଜଗତ ଭଗତ ଙ୍କର ମଙ୍ଗଳ ହେଉ '' । ତଥାପି ହଲିଲାନି ନନ୍ଦିଘୋଷ ରଥ ।

ଅନେକ ସମୟ ଅନ୍ତେ ସାଲବେଗ ପୁରସ୍ତମ ଆସି ଯେତେବେଳେ ନନ୍ଦିଘୋଷ ରଥ ସମ୍ମୁଖରେ ପହଞ୍ଚି ଅତ୍ୟନ୍ତ ବିଭୋର ହେଇ ଜଗନ୍ନାଥଙ୍କୁ ବଡଦାଣ୍ଡ ଧୁଳିରେ ସାଷ୍ଟାଙ୍ଗ ପ୍ରଣିପାତ ହେଇ ଜଣାଣ ଗାଇଲେ ,

ରଥ ଅଲୌକିକ ଭାବରେ ଗତିଶୀଳ ହେବାକୁ ଆରମ୍ଭ କଲା । ଯେଉଁ ସ୍ଥାନରେ ସାଲବେଗ ପ୍ରଥମେ ଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କଲେ ସେହି ସ୍ଥାନ ଶ୍ରୀକ୍ଷେତ୍ରର ବଳଗଣ୍ଡି ଠାରେ ଅବସ୍ଥିତ । ପରବର୍ତ୍ତୀ କାଳରେ ସାଲବେଗ ତାଙ୍କର ଅନେକ ଭଜନ , ଜଣାଣ ସେଠାରେ ରଚନା କରିଥିଲେ । ସେହି ସ୍ଥଳ ପରିଗଣିତ ହେଲା ଏକ ଅତି ପବିତ୍ର ସ୍ଥାନ ଭାବରେ । ଭକ୍ତ ସାଲବେଗ ଏହା ପରେ ପୁରୀରେ ସ୍ଥାୟୀ ଭାବରେ ରହିଗଲେ ଓ ତାଙ୍କର ଦେହାନ୍ତ ପରେ ସେହି ସ୍ଥାନରେ ତାଙ୍କୁ କବର ଦିଆ ଯାଇ ଏକ ସ୍ମୃତି ସୌଧ ନିର୍ମିତ ହେଲା । ପ୍ରତିବର୍ଷ ରଥ ଯାତ୍ରା ସମୟରେ ରଥ ସେହି ବାଟ ଦେଇ ଗଲା ବେଳେ ରଥକୁ କିଛି ସମୟ ପାଇଁ ଅଟକେଇ ଦିଆ ଯାଏ ସେହି ସ୍ଥାନରେ , ସେଇ ମହାନ ଭକ୍ତଙ୍କ ସମ୍ମାନରେ ।

ଜବନ ଅର୍ଥାତ୍ ତ୍ମୁସଲମାନ ହେଇଥିବାରୁ ସାଲବେଗ ତାଙ୍କ ଜୀବଦ୍ଦଶାରେ କେବେ ଜଗନ୍ନାଥ ମନ୍ଦିର ଭିତରକୁ ଯାଇ ନଥିଲେ । ମନ୍ଦିର ଭିତରକୁ କେବେ ନ ଯାଇ ମଧ୍ୟ ସେ ତାଙ୍କର ରଚନାରେ ମନ୍ଦିର ଭିତରେ ଥିବା ସବୁ କିଛିର ଏପରି ନିଖୁଣ ବର୍ଣ୍ଣନା କରିଥାନ୍ତି ଯେମିତି କାଳିଆ ଠାକୁର ତାଙ୍କୁ ମନ୍ଦିର ଭିତର , ରତ୍ନ ସିଂହାସନ ସବୁ ଦେଖେଇଛନ୍ତି ଦିବ୍ୟ ଦ୍ରୁଷ୍ଟି ପ୍ରଦାନ କରି । ତାଙ୍କରି ଲେଖା ଭଜନ ଓ ଜଣାଣ ସବୁଦିନ ପାଇଁ ଜଗନ୍ନାଥ ସଂସ୍କୃତିର ଅଭିନ୍ନ ଅଂଶ ହୋଇ ରହିଥିବ କାଳ କାଳକୁ । ସାଲବେଗଙ୍କର ଏଇ କାହାଣୀ କହେ ଯେ ଭକ୍ତର ଭାବରେ ବନ୍ଧା ଭଗବାନ ଓହ୍ଲାଇ ଆସି ଥିଲେ ଭକ୍ତର ମନୋବାଞ୍ଛା ପୂର୍ଣ୍ଣ କରିବା ଲାଗି । ଏମିତିକା ସେ ଭାବର ଠାକୁର । ଭକ୍ତବତ୍ସଳ । ଧନ୍ୟ ତାଙ୍କର ପତିତପାବନ ବାନା ।

ଜୟ ଜଗନ୍ନାଥ । କାଳିଆ ସାଆନ୍ତ ।


Rate this content
Originality
Flow
Language
Cover Design