ମହାଔଷଧ
ମହାଔଷଧ
ଏକଦା ଜଣେ ଓଡ଼ିଆ କବି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ସେ ତାଙ୍କର ସମସ୍ତ କାବ୍ୟ କଳାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ମହିମା ବଖାଣୁଥିଲେ । ସେ ବହୁତ ଗୁଡ଼ାଏ ପୁସ୍ତକ ମଧ୍ୟ ରଚନା କରିଥିଲେ ତାଙ୍କ ଜୀବନରେ । ଯାହା କେବଳ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଉଲ୍ଲେଖ ଥିଲା । ତାଙ୍କର ଏକ କବିତା "ଶ୍ରୀ ଜଗନ୍ନାଥ ମହିମା "ରେ ସେ ମହାପ୍ରଭୁଙ୍କର ରଥଯାତ୍ରା ଉପରେ ବର୍ଣ୍ଣନା କରିଥିଲେ । ଯେଉଁଥିରେ ଶ୍ରୀମନ୍ଦିର ଠୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିର,ବଡଦାଣ୍ଡ,ବାଇଶି ପାହାଚ,ଶ୍ରୀପୁରୁଷୋତ୍ତମ ଧାମ ଏବଂ ଶରଧାବାଲି ପ୍ରଭୃତିର ସୁନ୍ଦର ଭାବଧାରା ପରିଲକ୍ଷିତ ହେଉଥିଲା । ଉକ୍ତ କବିତାରେ ଶ୍ରୀମନ୍ଦିର ଆଉ ଶ୍ରୀଗୁଣ୍ଡିଚା ମନ୍ଦିର କୁ ବଡଦାଣ୍ଡ କିପରି ଭାବେ ଯୋଡି ରଖିଛି ତାହା ବର୍ଣ୍ଣିତ ଥିଲା । ବଡଦାଣ୍ଡ କିପରିଭାବେ ଶ୍ରୀଜଗନ୍ନାଥଙ୍କୁ ଏବଂ ତାଙ୍କ ରଥକୁ ରଥଯାତ୍ରାର ସେଇ କେତୋଟି ଦିନ ବକ୍ଷରେ ଧରି ଧନ୍ୟ ହୁଏ ତାହା ବିଷୟରେ ମଧ୍ୟ ଖୁବ ସୁନ୍ଦର ଭାବେ ଉଲ୍ଲେଖ ଥିଲା ।
ଏ ସଂସାର ଜଞ୍ଜାଳ ଭିତରେ ଯେତେବେଳେ ମନ ଥକିଯାଏ ,ସେତେବେଳେ ସାରିଆ ଭିକଙ୍କ କଣ୍ଠରେ ଭକ୍ତ ଗାଇଚାଲେ -" ଥକାମନ ଚାଲ ଯିବା ,ଚକାନୟନ ଦେଖିବା !"
ଆଜି ଏହି ଗୀତଟି ମଧ୍ୟ ଉକ୍ତ କବି ମହାଶୟଙ୍କ କଣ୍ଠରେ ଗୁଞ୍ଜରି ଉଠୁଛି । ସେ ବି ଆଜି ଜୀବନ ଯାତ୍ରାରେ ଥକିପଡ଼ିଛନ୍ତି ।
ଆଜି ସେ ଉତ୍କଟ କର୍କଟ ରୋଗରେ ପୀଡିତ । ଚିକିତ୍ସକମାନେ ବ୍ୟର୍ଥ ହୋଇ ତାଙ୍କର ଆରୋଗ୍ୟ ଲାଭର ଆଶା ଛାଡିଦେଇଛନ୍ତି । ଅସହାୟ କବିଜଣକ ଅର୍ଦ୍ଧଚେତନ ଅବସ୍ଥାରେ ଜୀବନ ଯୁଦ୍ଧରେ ସଂଗ୍ରାମ କରୁଥିବା ଅବସ୍ଥାରେ ଏକ ଛୋଟ ବାଳକକୁ ସ୍ୱପ୍ନରେ ଦେଖିଲେ । ହଳଦୀ ରଙ୍ଗର ପାଟମଠା ସାଙ୍ଗକୁ ମଥାରେ ତିଳକ,ଚନ୍ଦନ ଶୋଭା ପାଉଛି । ବାଳକଟି ଧୀରେ ଧୀରେ କବି ମହାଶୟଙ୍କ ନିକଟକୁ ଆସି ତାଙ୍କୁ କହିଲା - "କିପାଇଁ କରୁଛ ଚିନ୍ତା , ଯାଅ ବେଗେ ଶ୍ରୀମନ୍ଦିର ହୋଇ ଅଚିନ୍ତା , ମହାଔଷଧର ଗୋଟିଏ ପାନରେ ହୋଇଯିବ ରୋଗମୁକ୍ତ ,ଏହି କଥା ମୋର ମନେରଖିଥା"
ଏତିକି କହି ବାଳକଟି କେଉଁ ଆଡେ ଅନ୍ତର୍ଧ୍ୟାନ ହେଇଗଲା । ହଠାତ କବି ମହାଶୟଙ୍କର ନିଦ ଭାଙ୍ଗିଗଲା । ସେ ଶ୍ରୀମନ୍ଦିର ଯିବାପାଇଁ ଅଣ୍ଟା ବାନ୍ଧିଲେ । ହେଲେ ଆଜି ତ ରଥଯାତ୍ରା । ଶ୍ରୀମନ୍ଦିର ବହୁତ ଭିଡ ଥିବ । ତଥାପି ମନରେ ସାହାସ ବାନ୍ଧି କବି ମହାଶୟ ବାହାରିପଡିଲେ ଶ୍ରୀମନ୍ଦିର ଅଭିମୁଖେ । ରୋଗୀଣା ଦେହରେ ଘୁସୁରି ଘୁସୁରି ଯାଇ ବଡ଼ଦାଣ୍ଡରେ ପହଁଚିଲେ । ହେଲେ ମହାଔଷଧ କେଉଁଠି ମିଳିବ ? ଯାହାକୁ ସେ ପାନ କଲେ ରୋଗମୁକ୍ତି ହେବେ । କଣ ବା ଏହି ମହାଔଷଧ ? କେମିତି ଜାଣିବେ ? ଏମିତିରେ ବଡ଼ଦାଣ୍ଡରେ ଉପସ୍ଥିତ ଲୋକମାନଙ୍କୁ ଗୋଟିଏ ପରେ ଗୋଟିଏ ପଚାରି ଚାଲିଲେ । ହେଲେ କେହିଜଣେ ବି ତାଙ୍କର ପ୍ରଶ୍ନର ଉତ୍ତର ଦେଇପାରିଲେନାହିଁ । ସେତେବେଳକୁ କବି ମହାଶୟଙ୍କୁ ବହୁତ ଭୋକ ଲାଗିଲାଣି । କଣ କରିବେ ? ପାଖରେ ପାଇସାଟିଏ ବି ନାହିଁ ଯେଉଁଥିରେ କିଛି ଖାଦ୍ୟ କିଣି ଖାଇବେ । ଶେଷରେ ଭୋକ ବିକଳରେ ସେ ଆନନ୍ଦ ବଜ଼ାରରେ ପହଁଚିଲେ । ସେଠି ମଧ୍ୟ କିଛି ପାଇଲେନାହିଁ । ପଣ୍ଡାମାନଙ୍କୁ ବହୁତ କାକୁତିମିନତି କଲେ କିଛି ଖାଦ୍ୟ ପାଇଁ । ହେଲେ କିଛି ଲାଭ ହେଲାନାହିଁ । ବିନା ପଇସାରେ କେହିବି ଖାଦ୍ୟ ଦେଲେନାହିଁ । ଶେଷରେ ସେଇ ଆନନ୍ଦ ବଜ଼ାର ଭିତରେ ଗୋଟେ ଗଛମୂଳେ କବି ମହାଶୟ ବସିପଡ଼ିଲେ । ଦେହରେ ରୋଗର ଯନ୍ତ୍ରଣାକୁ ପେଟରେ ଭୋକର କଷ୍ଟ । ବହୁତ ଅସ୍ତବ୍ୟସ୍ତ ହୋଇପଡୁଥିଲେ ସେ । କେଉଁଠୁ ସେ ଖାଦ୍ୟ ପାଇବେ ଆଉ କେଉଁଠୁ ସେ ଉକ୍ତ ମହାଔଷଧ ପାଇବେ ? ଏସବୁ ଭାବୁ ଭାବୁ ତଳେ ପଡିଥିବା ଦୁଇଚାରିଟା ନିର୍ମାଲ୍ୟ ତାଙ୍କ ଆଖିକୁ ଦୃଶ୍ୟମାନ ହେଲା । ସେ ସଙ୍ଗେ ସଙ୍ଗେ ଭୋକ ବିକଳରେ ସେଇ ନିର୍ମାଲ୍ୟ ଚାରିଗୋଟିକୁ ତଳୁ ଉଠେଇ ପାଟିରେ ପକାଇଦେଲେ । ଆଶ୍ଚର୍ଯ୍ୟ ! ଉକ୍ତ ନିର୍ମାଲ୍ୟ ଚାରିଗୋଟିକୁ ପାଟିରେ ପକାଇବାର ମାତ୍ର କିଛି କ୍ଷଣ ମଧ୍ୟରେ ତାଙ୍କ ପେଟର ଭୋକ ମରିଗଲା ସତେ ଯେମିତି ଅନୁଭବ ହେଲା ଯେ ସେ ଏହିକ୍ଷଣି ପେଟ ଭରି ଭୋଜନ କରିଛନ୍ତି ଏବଂ ତାଙ୍କର ଦେହର ପୀଡା ,ଅସହ୍ୟ ଯନ୍ତ୍ରଣା ସବୁ କମି କମି ଆସିଲା । ସେ ସଙ୍ଗେ ସଙ୍ଗେ ସୁସ୍ଥ ହେବାକୁ ଲାଗିଲେ । ଧୀରେ ଧୀରେ ଠିଆହେଇ ସେ ଚିନ୍ତା କଲେ ଏହି ନିର୍ମାଲ୍ୟ ଚାରିଗୋଟି ତାହାଲେ ମହାଔଷଧ ।