ଦୀପଶିଖା
ଦୀପଶିଖା
ଦୀପାବଳିକୁ ମୋ ନାତୁଣୀ କାନେ କାନେ କହିଥିଲା, ଅଜା ! ଦୀପାବଳିକୁ ଯେମିତି ହେଲେ ଆସିବ l କିନ୍ତୁ ଆମ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ତା’ର ପୂର୍ବ ଦିନ l ତେଣୁ ଝିଅ ଘରକୁ ଯିବା ସମ୍ଭବ ହେଲା ଭଳି ଲାଗୁ ନ ଥାଏ l କାଲି ରାତିରେ ମଧ୍ୟ ତା’ ଆଇକୁ ଫୋନ୍ କରି ଭୁଲି ନ ଯିବାକୁ ରିମାଇଣ୍ଡ୍ କରିଦେଇଛି l ଛୋଟ ପିଲା ଏଲି l କ’ଣ ବା ଜାଣେ ? ଅଜା ଆସିବେ l ଆଇ
ଆସିବେ l ଦୀପାବଳିରେ ଫୁଲଝରି, ଲକ୍ଷ୍ମୀବାଣ, ଚକ୍ରୀ..... କେତେ କ’ଣ ଆଣିଥିବେ l କେତେ ମଜା ହେବ l ଅନେକ ଦିନରୁ ମନରେ ବସା ବାନ୍ଧି ବସିଛି l ଏ ପଟେ ସାହିତ୍ୟ ସଂସଦ l ସକାଳୁ ସକାଳୁ ବାଲକୋନିରେ ବସି ଚାହା ପିଉଥାଏ l ହଠାତ୍ ଫୋନ୍ ଆସିଲା l ପଚାରିଲି ଶ୍ରୀମତିଙ୍କୁ, ଦେଖିଲ କାହାର ଫୋନ୍?
ଟିକିଏ ହସି ଶ୍ରୀମତି କହିଲେ, ଆଉ କିଏ ? ଏଲି....... ରାତିରେ କ’ଣ ତା’କୁ ନିଦ ହେଉଛି ନା କ’ଣ ? ଏତିକି କହି କଲଟିକୁ ରିସିଭ୍ କରି ମୋ ହାତକୁ ବଢେଇ ଦେଲେ l
: ହାଲୋ...... ଅଜା.....
: ଆରେ ମା’ ଏଲି..........
: କୁଆଡେ ଯାଇଥିଲ ?? କାଲିଠୁ ଫୋନ୍ କରୁଛି l ତମେ ଧରୁନ l ଆଇ ଧରୁଛନ୍ତି l
: ମୁଁ କ’ଣ ଗୋଟେ ଲେଖାଲେଖି କରୁଥିବି l
: କାଲି ଆସୁଛ ନା ନାହିଁ ?
: ଆରେ ମା’......
: କ’ଣ ଆରେ ମା’? ଆସୁଛ ନା ନାହିଁ ?
: ହଁ...... ଯେ.....
: କ’ଣ ହଁ ଯେ ? ତମେ ତ ପ୍ରମିସ୍ କରିଥିଲ l
: ଓ.କେ. ବାବା l ମୁଁ ଦୀପାବଳି ପୂର୍ବରୁ ନିଶ୍ଚିତ ପହଞ୍ଚିବି l ଟିକିଏ କାମ ଅଛି l କାମ ସାରି ସିଧା ତୋ’ ପାଖରେ ପହଞ୍ଚିଯିବି l
: ତମେ ତ ବହୁତ ଆସ୍ତେ ଆସ୍ତେ ଗାଡି ଚଲୋଉଛ l ଡେରି ହେଲେ କେତେବେଳେ ପହଞ୍ଚିବ ?
: ତୁ ଚିନ୍ତା କରନା l ମୁଁ ତୋ’ ପାଖରେ ପହଞ୍ଚିଯିବି l
: ଏବେ କ’ଣ କରୁଛ ?
: ବସିଛି l
: କିଛି ଷ୍ଟୋରୀ ଲେଖୁନ ?
: ନାଁ.... ରେ କିଛି ମନେ ପଡୁନି l
: ତା’ ହେଲେ କ’ଣ କରିବା ?
: ତୁ ଗୋଟେ ଷ୍ଟୋରୀ କହୁନୁ l ସେଇଟା ମୁଁ ଲେଖିଦେବି l
: ଆରେ ନାଁ........ ସେମିତି ଜମ୍ମା ହୁଏନି l
: କାହିଁକି ହୁଏନି ?
: ସେଇଟା ଚିଟିଙ୍ଗ୍ l ସେମିତି କଲେ ଠିକ୍ ନୁହେଁ l
: ଆଚ୍ଛା......
: ହଁ......... ନିଜେ ଲେଖିବାକୁ ହୁଏ l ନିଜେ ଭାବି ଭାବି ଲେଖିବାକୁ ହୁଏ l କାହାଠୁ ଚିଟିଙ୍ଗ୍ କଲେ ଭଲ ନୁହେଁ l ସେଥିରେ ଜମ୍ମା ପ୍ରାଇଜ୍ ମିଳିବନି l
ମୋ ମୁଣ୍ଡ ଚକ୍କର୍ ଖାଇଗଲା l
: ଆଚ୍ଛା.... ଆଚ୍ଛା.... ଠିକ୍ ଅଛି l
ହଠାତ୍ ମାନିର ସ୍ୱର ଶୁଣାଗଲା l
: ଦେ.... ଦେ.... ମୋତେ ଦେ.... ଅଜାଙ୍କ ସାଥିରେ କ’ଣ ଗପି ଚାଲିଛୁ ?
: ହେଲୋ....... ମାନି.........
: ହଁ ବାବା ! ଏଲି କ’ଣ କହୁଥିଲା ?
: ଆରେ ବାବା...... ମୋ ମୁଣ୍ଡ କାମ କରୁନି l
: କ’ଣ ହେଲା ?
: ଏଡିକି ବକଟେ ପିଲା l କ୍ଲାସ୍ ୱାନରେ ପଢୁଛି l ଏତେ ବଡ କଥା କହିଦେଲା l
ଫୋନରେ ମାନିକୁ ଏଲିର ସବୁ କଥା କହିଲି l ମୋ କଥା ଶୁଣି ମାନି ଖୁବ୍ ଜୋରରେ ହସି ଉଠିଲା l
: ଆରେ ହସିଲୁ କାହିଁକି ?
: କଥା କ’ଣ କି ବାବା ! ଏଲି ସ୍କୁଲରେ ଗୋଟେ କମ୍ପିଟିସନ୍ ହୋଇଥିଲା ଦଶହରା
ଉପରେ l ସମସ୍ତେ ଘରୁ ସେ ପ୍ରୋଜେକ୍ଟ୍ ୱାର୍କଟି କରି ଆଣିବାକୁ କୁହା ଯାଇଥିଲା l କିନ୍ତୁ ସେତେବେଳେ ତା’ ବାବା ଟୁରରେ ଥିଲେ l ମୋତେ ବି ଫୁରୁସତ୍ ନ ଥିଲା ଘର କାମରୁ l ତା’ ଛଡା ମୋକ ଡ୍ରଇଙ୍ଗରେ ଦକ୍ଷତା ଜିରୋ l ତେଣୁ ମନ ଦୁଃଖରେ କାନ୍ଦି କାନ୍ଦି ନିଜେ କଲା l ବହୁତ ମନ ଦୁଃଖରେ ଆମ ଦୁଇଜଣଙ୍କୁ ବ୍ୟାଡ୍ ପାରେଣ୍ଟସ୍ କହି ସ୍କୁଲକୁ ଗଲା l ଟିଚର୍ ସମସ୍ତଙ୍କର ପ୍ରୋଜେକ୍ଟ୍ ୱାର୍କ୍ ଦେଖିଲେ l ଆଉ ପଚାରିଲେ ଏଗୁଡାକ କିଏ କରିଛି ? ଛୋଟ ପିଲାମାନେ ତ ମିଛ କହି ଜାଣନ୍ତିନି l କିଏ କହିଲା ମମ୍ମି କରିଛନ୍ତି l କିଏ କହିଲା ଡାଡି କରିଛନ୍ତି l ପୁଣି କିଏ କହିଲା ଡ୍ୟାଡି ମମ୍ମି ଦୁଇ ଜଣ ମିଶିକରି କରିଛନ୍ତି l ଯେତେବେଳେ ଏଲିକୁ ପଚାରିଲେ, ସେ କହିଲା, ମୁଁ ନିଜେ କରିଛି l ଆଉ ସବୁଠାରୁ ମଜା କଥା ହେଲା, ଏଲିର ପ୍ରୋଜେକ୍ଟ୍ ୱାର୍କକୁ ଫାଷ୍ଟ୍ ପ୍ରାଇଜା ମିଳିଲା l ତାଙ୍କ ଟିଚର୍ ଯାହା କହିଥିଲେ, ସେଇ କଥା ସେ ତମକୁ ଶୁଣେଇଦେଲା l
ଏତିକି କହି ଜୋରରେ ହସିବାକୁ ଲାଗିଲା ମାନି l କିଛି ସମୟ କଥା ହେବା ପରେ ସେ ଫୋନ୍ ରଖି ଦେଲା l ହେଲେ ମୋ କାନରେ ଏଲିର ସେଇ କଥାପଦିକ ବାରମ୍ବାର ଶୁଣା ଯାଉଥିଲା – ଚିଟିଙ୍ଗ୍ କଲେ କ’ଣ ପ୍ରାଇଜ୍ ମିଳେ ? ନିଜେ ଭାବି ଭାବି ଲେଖିବାକୁ ପଡେ l ଏଡେ ବକଟେ ଛୁଆ l ପ୍ରଥମ ଶ୍ରେଣୀରେ ପଢୁଛି l ଅଥଚ ତାଙ୍କ ସ୍କୁଲ୍ ଟିଚରଙ୍କ ଉପଦେଶ ତା’ ମନରେ ଛାପି ହୋଇ ଯାଇଛି l ଭାବିଲି, ଆମେ ପଢୁଛୁ, ଶୁଣୁଛୁ, ଦେଖୁଛୁ l ତଥାପି ଶିଖିପାରୁନୁ l
କିଏ ପୁରୁଣା ସିନେମା ଦେଖି ଗପ ରୂପ ଦେଲାଣି ତ କିଏ ଅନ୍ୟ ଭାଷାରୁ ଉଧାର ଆଣି ଲେଖିଲାଣି l ପୁଣି କିଏ ଅନ୍ୟର ଲେଖାକୁ ଏପଟ ସେପଟ କରି ନିଜ ନାଁରେ ଛାପିଲାଣି l ଏ ଗୋଲକ ଧନ୍ଦା ଏତେ ଜୋରଦାର ଚାଲିଛି ଯେ କାହା ମନରେ କ୍ଷୋଭ ନାହିଁ, ଅନୁତାପର ଛାୟା ନାହିଁ l ସେହି ମିଥ୍ୟା ଖ୍ୟାତି ପାଇଁ ଅନ୍ଧକାରରେ ଏପଟ ସେପଟ ହେଉଛନ୍ତି l ଏ ବକଟେ ଛୁଆର ଦୁଇ ପଦ କଥା ନୁହେଁ, ଲାଗିଲା ଏ ଯେମିତି ଆସନ୍ତା ଦୀପାବଳିର ପ୍ରଥମ ଦୀପଶିଖା l