Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumya Shubhadarshinee

Others Tragedy

3  

Soumya Shubhadarshinee

Others Tragedy

ଅଭିନନ୍ଦନ ପତ୍ର

ଅଭିନନ୍ଦନ ପତ୍ର

6 mins
393


ସୃଷ୍ଟିର ସର୍ବାଧିକ ବୁଦ୍ଧି ଥିବା ମଣିଷ ନିଜର ଅମାପ ବୁଦ୍ଧି ସୁକର୍ମରେ ବିନିଯୋଗ କରିବା ଅପେକ୍ଷା ଅପକର୍ମରେ ବିନିଯୋଗ ପାଇଁ ଅଧିକ ଆଗ୍ରହୀ । ଏଟାହିଁ ଆଜିର ବିଡ଼ମ୍ବନା !.........

★★★★★★★★

ମୋବାଇଲ୍ ନମ୍ବର ସହ ଛୋଟ ସ୍ଲିପ୍ ,'' ରିଙ୍ଗ କର ଶୀଘ୍ର ମୁଁ ସମସ୍ୟାରେ । ନିଜ ଫୋନ୍ ବ୍ୟବହାର କରିବ ନାହିଁ । ''

ତନ୍ମୟ ଭିତରେ ଭୟଙ୍କର ଆଲୋଡନ । ସେତିକି ଜରୁରୀ ହେଇନଥିଲେ ଶ୍ରେୟା କେବେ ଏମିତି ଅନୁରୋଧ କରିନଥାନ୍ତା । ବେଶ ସଚେତନ ସେ ,ତେଣୁ ଘଟଣାଟି ସେତିକି ସଙ୍ଗୀନ।

ନୂଆ ନମ୍ବର ଗୋଟେ ଦେଇଛି ଯେହେତୁ ନିଶ୍ଚିତ ପୁରୁଣା ନମ୍ବରରେ ଫୋନ୍ କରିବା ସହ କିଛି ସମସ୍ୟା ରହିଛି । ଏବେ ତା'ର କର୍ତ୍ତବ୍ୟ ହେଉଛି ନୂଆ ନମ୍ବରରେ ଫୋନ୍ କରିବା , ତା' ବି ତୁରନ୍ତ କାରଣ ସେ ସମସ୍ୟାରେ ।

ଏଇ ସିଦ୍ଧାନ୍ତ ନେବା ପୂର୍ବରୁ ଥରେ ପୁରୁଣା ନମ୍ବର ଲଗେଇବାକୁ ଭାବିଲା ତନ୍ମୟ ,ପୁଣି ରହିଗଲା। ସମସ୍ୟା ଯଦି ହୁଏ ତେବେ? ତେଣୁ ସେଇ ପ୍ରଚେଷ୍ଟାରୁ ନିବୃତ୍ତ ରହିଲା । ଏବେ ଦ୍ଵିତୀୟ ସମସ୍ୟା , ଏଇ ନୂଆ ନମ୍ବରରେ ସେ ଅଫିସ ଲ୍ୟାଣ୍ଡ

ଲାଇନ୍ ରୁ ରିଙ୍ଗ କରିବ କି ?

କିନ୍ତୁ ଅଫିସ ଫୋନ୍ ସବୁ ରେକର୍ଡ ହେଉଛି । ତେଣୁ ସେଥିରେ ସେ ଟ୍ରେସ୍ ହେଇଯିବ । ଭଲ ହେବ କୌଣସି ପିସିଓରୁ ଫୋନ୍ କରିବ । ହେଲେ ପିସିଓ ଆଉ କାହିଁ ! ମୋବାଇଲ୍ ଆସିବା ପରେ ଅଵଶ୍ୟକ ହେଉନି ଆଉ ।

ହଠାତ୍ ମନେ ପଡ଼ିଲା ପାଖ ପୋଷ୍ଟ ଅଫିସରୁ କଥା ହେବା ସମ୍ଭବ । ତା'ର ଗୋଟେ ବନ୍ଧୁ ସେଇଠି ପୋଷ୍ଟ ମାଷ୍ଟର ତେଣୁ ବିଶେଷ ସମସ୍ୟା ନାହିଁ ।

ସେ ଚାଲିଲା ପୋଷ୍ଟ ଅଫିସ । ବନ୍ଧୁକୁ ନୂଆବର୍ଷର ଅଭିନନ୍ଦନ ଜଣେଇ । ଗପ ଯୋଡ଼ିଲା । ଆଉ ସେଇ କଥା ଭିତରେ ଫୋନ୍ ବ୍ୟବହାର କରିବାର

ପ୍ରସଙ୍ଗବି ଉଠେଇ ଫୋନ୍ ଲଗେଇ ଦେଲା । ସେପଟୁ ଶୁଭିଲା ଚାପା ସ୍ୱରରେ କିଛି ଅସ୍ପଷ୍ଟ କଥା । ଝିଅଟି ନିଶ୍ଚିତ ସମସ୍ୟାରେ , ନହେଲେ ଏମିତି ଚୁପି ଚୁପି କଥା ହୁଅନ୍ତା ନାହିଁ । ଝିଅଟି ବେଶ ବ୍ୟସ୍ତ ସ୍ୱରରେ କହିଲା , '' ଆସିବ ବୁଦ୍ଧ ପାର୍କ ଠିକ ଚାରିଟାରେ ପ୍ଲିଜ ଜରୁରୀ କଥା ଅଛି । ''

****************

ତନ୍ମୟ ବେଶ ସତେଜ ଲାଗୁଥିଲା ଆଜି । ନୂଆ ବର୍ଷର ପ୍ରଥମ ଦିନ

ଅଫିସରେ ବଢିଆ ହସ ଖୁସିର ପରିବେଶ । ସଭିଏଁ

ପରସ୍ପରକୁ ନବବର୍ଷର ଅଭିନନ୍ଦନ ଦେବାରେ ମଗ୍ନ । ସୁନ୍ଦରୀ ସହକର୍ମୀ ଗୁଡିକ ନିଜ ନିଜ ନବବର୍ଷ ପ୍ଲାନ୍ ସଂକ୍ରାନ୍ତିୟ ଚର୍ଚ୍ଚାରେ ।

ସଭିଙ୍କୁ ବତିଶ ଦାନ୍ତ ଦେଖେଇ ଅଭିନନ୍ଦନ ଜଣେଇ ତନ୍ମୟ ପହଞ୍ଚିଲା ନିଜ ଚ୍ୟାମ୍ବରରେ । ସେଇଠି ଅପେକ୍ଷା କରୁଥିଲା ଉପହାର ପ୍ୟାକେଟ ଟିଏ ।

ଆଶ୍ଚର୍ଯ୍ୟ ଆଜିର ଯୁଗରେ ପୁଣି ଅଭିନନ୍ଦନ ପତ୍ର କିଏ ଆଉ ପଠଉଛି ? ସେ ମନେ ପକେଇଲା କାହାର ଏଇ ହାତ ଲେଖା , ସୁନ୍ଦର ଭାବେ ଲେଖା ଯାଇଛି ତା' ନାଁ ଆଉ ଅଫିସ ଠିକଣା । କିନ୍ତୁ ନା' ଆଉ ଆଜିକାଲି କିଏ ଲେଖୁଛି , ସଭିଏଁ ଖାଲି ଫୋନ୍ କି କମ୍ପ୍ୟୁଟରରେ ଟାଇପ୍ କରୁଛନ୍ତି । ତେଣୁ ହାତ ଲେଖା ଚିହ୍ନିବା ମୁସ୍କିଲ ।

ଚମତ୍କାର ଅଭିନନ୍ଦନ ପତ୍ରଟି , ପେନ୍ଥାଏ ଲାଲ ଗୋଲାପ ଆଉ ଦୁଇଟି ଉଡ଼ନ୍ତା ସାରସ ସହ ନବବର୍ଷର ଅଭିନନ୍ଦନ । ସୁବାସିତ ଅଭିନନ୍ଦନ ପତ୍ରଟି ଖୋଲି ଦେଖିଲା ସେଥିରେ ଲେଖା ହେଇଛି ଗୋଟିଏ ମୋବାଇଲ୍ ନମ୍ବର ଆଉ ରିଙ୍ଗ କରିବାକୁ ଅନୁରୋଧ । କିଏ ଆଉ ହେଇପାରେ , ବଡ଼ ବିଚିତ୍ର ନିଜ ନାଁ ଲେଖିବାକୁ ଭୁଲି ଯାଇଛି । ଏବେ ମଣିଷ କ'ଣ କରିବ ? କିନ୍ତୁ ଯେଉଁ ଆବେଗିକ ଭାବରେ ଫୋନ୍ ପାଇଁ ଅନୁରୋଧ କରାଯାଇଛି ତାହା ନିଶ୍ଚିତ ଶ୍ରେୟା ବ୍ୟତୀତ ଆଉ କେହି ନୁହେଁ ।

*************

ଦ୍ରୁତ ଗତିରେ ମନ ଧାଉଁ ଥିଲା ତନ୍ମୟର । ଶ୍ରେୟା ଗୋଟେ ବିଚିତ୍ର ଝିଅ , ଯଦି ସେ ସମସ୍ୟାରେ ତେବେ ଶୀଘ୍ର ଯାଇ ଭେଟିବା ଉଚିତ , କିନ୍ତୁ ନା' ଚାରିଟା ବେଳେ ଯିବ ସେ । ଏଇତକ ଅବୁଝା ଥିଲା : ଗୋଟେ ନୂଆ ନମ୍ବର , ସେଥିରେ ପୁଣି ବ୍ୟସ୍ତ ସ୍ୱର ଆଉ ପରେ ଜରୁରୀ କଥାର ପ୍ରସଙ୍ଗ କିନ୍ତୁ ସମୟ ଚାରିଟା ହୁଁ ! ଘଡିର ଗତି ଧିମା ହେଇଗଲା ପରି ଅନୁଭବ ହେଉଥିଲା ତୀବ୍ର ଭାଵରେ । ନୂଆ ବର୍ଷର

ସରଗରମ ପରିବେଶ ଲାଗୁଥିଲା ଭାରି ଫିକା । କୌଣସି କାମରେ ଟିକିଏ ବି ମନ ଲାଗୁନଥିଲା । ଯେମିତି ସବୁ ସ୍ଥାଣୁ ହେଇଯାଇଛି । ଶ୍ରେୟା କ'ଣ ଏମିତି

ବ୍ୟସ୍ତତାର କାରଣ ନା' ଆଉ କିଛି ଭିନ୍ନ । ପ୍ରକୃତରେ ମଣିଷ କାହିଁକି ଖୁସି ହୁଏ ବା ଦୁଃଖୀ ହୁଏ କହିବା ସହଜ ନୁହେଁ । ଅନେକ ସମୟରେ ନିଜକୁ ମଧ୍ୟ ଜଣା ନଥାଏ , ବିଚିତ୍ର ଶୁଭିଲେ ବି ଏଇଟା ସତ !.......

ଆଜି ପୁଅର ବିଶେଷ

ଫରମାଇସ୍ , '' ପାପା ଡିଜେ ନାଇଟ୍ , ଯିବା ଆଜି ମୋ ଫ୍ରେଣ୍ଡ ଘରେ । ମସ୍ତ ଡ଼୍ୟାନ୍ସ ହେବ ଆଉ ପ୍ରାଇଜ୍ ବି ମିଳିବ । '' ପାପା ଯିବା ଜରୁରୀ , କାରଣ ପାପା ହିରୋ । ସେ କିଛିବି କରିପାରନ୍ତି :

ବ୍ୟାଡମିଣ୍ଟନ୍ ଖେଳନ୍ତି , ସ୍ୱିମିଙ୍ଗ କରନ୍ତି, ଗୀତାର ବଜାନ୍ତି ଆଉ ଡ୍ୟାନ୍ସବି

କରନ୍ତି । ତେଣୁ ସେ ବେଷ୍ଟ ।

ଆମ ଭାଷାରେ ଷୋହଳ କଳାରେ ପରିପୂର୍ଣ୍ଣ ପାପା । ତେଣୁ କୃଷ୍ଣକଳାରେ ବି !.......

***************

ତନ୍ମୟ ଠିକ ତିନିଟା ତିରିଶରେ ବାହାରି ଗଲା। ରାସ୍ତାରେ ପୁଅର ଫୋନ୍ , ''ପାପା ଆସିବ

କେତେବେଳେ ?''

ତନ୍ମୟ ମିଛ କହିବାରେ ଧୁରନ୍ଧର ଯଦିଓ ନୁହେଁ କିନ୍ତୁ କହିପାରେ ,ଟିକିଏ ସଜେଇ ସାଜେଇ ।

-"ବେଟା , ଗୋଟେ ମିଟିଂରେ ଅଛି । "

- '' ହେଲେ ପାପା କାର ରେ ଥିଲା ପରି ମ୍ୟୁଜିକ ଶୁଭୁଛି ଯେ ?''

-- '' ଆରେ ନା' ନା' , ମୋବାଇଲ୍ ବାଜୁଛି , ନୂଆବର୍ଷ ପାଇଁ ଟିକେ ମସ୍ତ ମୂଡ଼ । ''

ଓଃ ! ବଞ୍ଚିଗଲା ମଣିଷ , ଆଜିର ପିଲା ବିଚକ୍ଷଣ ।......

ଶ୍ରେୟା ସହ କଥା ହେବାର ସମ୍ଭାବନା ନାହିଁ । ଏବେ ପାଖରେ ପୋଷ୍ଟ ଅଫିସର ଫୋନ୍ ଆଉ ଅଛି କି , ତେଣୁ କେବଳ ପାର୍କ ଯିବା କଥା ଆଉ ଅପେକ୍ଷା କରିବା କଥା ।

ଶ୍ରେୟା ଗୋଟେ ସ୍ପାର୍କ , ଅବାଧ୍ୟ ଆକର୍ଷଣ । ଚାହିଁଲେବି ଏଡେଇ ହୁଏନା ତା'ର ଆବଶ୍ୟକତା । ବୁଝେଇ ହୁଏନା ସମ୍ଭାବ୍ୟ ସମସ୍ୟାର ଲମ୍ବା ଲିଷ୍ଟ । ପ୍ରାପ୍ତି ଠାରୁ ଉର୍ଦ୍ଧ୍ବରେ , ଅପହଞ୍ଚ ଇଲାକାରେ ରୁହେ ତା' ପାଇଁ ଆବେଗ । ଏଇ ପ୍ରେରିପ୍ରେକ୍ଷୀରେ ସେ ଅପରିଣାମଦର୍ଶୀ । ଆଉ ଆଜି ଖୁବ୍ ଆନମନା। ଖୁବ୍ ଶୀଘ୍ର ଶ୍ରେୟା ନିକଟରେ ପହଞ୍ଚି ଅଜଣା ଭୟର ବଳୟ ଭିତରୁ ନିଜକୁ ମୁକ୍ତ କରିବା ଜରୁରୀ । ଖୁବ୍ ସତର୍କ ଭାବେ ଗଢ଼ା ଗୋଟେ ସମ୍ପର୍କ ପାଇଁ ବ୍ୟସ୍ତତା ସ୍ୱାଭାବିକ !

କି ସମସ୍ୟା ହେଲା ଆଉ , ସେତକ ଭାବି ଭାବି ମୁଣ୍ଡ ଗୁଣ୍ଡ ହେଉଛି ତା'ର । ସମ୍ପର୍କ ଗଢିବା ଯେତେ ସହଜ ସେତକ ସାଇତିବା ସେତିକି କଷ୍ଟକର !.....

*****************

ଆଜିର ମଣିଷ ବେଶ ମୁକ୍ତ ଚିନ୍ତାଧାରା ସମ୍ପନ୍ନ । ସମ୍ପର୍କ ଗଢିବାରେ ଭାରି ସମ୍ବେଦନଶୀଳ , ଖାସ ସେଥିପାଇଁ ହୃଦୟର ଦର୍ଘ୍ୟ , ପ୍ରସ୍ଥ ଆଉ ଉଚ୍ଚତା ବଢ଼ିବାରେ ଲାଗିଛି । ହୃଦ୍ଘାତ ଆଉ କଣ କି ? ସେଇ ଉପକ୍ରର୍ମର ଫଳାଫଳ !

ଆଜି ଘର ଆଉ ବାହାର ଏମିତି ଦୁଇଟି ଭିନ୍ନ ପୃଥିବୀ ଭିତରେ ଗଡୁଛି ଜୀବନ । ସାମାଜିକ ପ୍ରତିବଦ୍ଧତା ବଦଳି ଯାଉଛି ଧୀରେ ଧୀରେ ତେଣୁ ଶ୍ରୀରାମ ହେବାର ମୋହ କମୁଛି ଆଉ ଠିକ ସେମିତି ସୀତା ହେବାର । ଏଇଟା ଆଜିର ବୁଝାମଣା : ସ୍ତ୍ରୀ ଅଧିକୃତ ସମ୍ପତ୍ତି ଆଉ ବାନ୍ଧବୀ ଆବଶ୍ୟକୀୟ

ସମ୍ପତ୍ତି । ଏଇ ବୁଝାମଣା ଯେତେ ସୁସ୍ଥ ଘରଟି ସେତେ ସମୃଦ୍ଧ । କହିବାକୁ ହେବ ଏଇଟି ବେଶ ସୁନ୍ଦର ବ୍ୟବସ୍ଥା କିନ୍ତୁ ଏସବୁର ନିର୍ଦ୍ଦିଷ୍ଟ ସୀମା ସରହଦ ନିର୍ଦ୍ଧାରିତ ହେବା ବଡ଼ ଜରୁରୀ ନହେଲେ ପଶ୍ଚାତ୍ୟ ପଙ୍କ ଭିତରେ ବୁଡିଯିବାର ପ୍ରଛନ୍ନ ଭୟ ରହିଛି । ପଶ୍ଚିମା ପବନ ମଧୁର ନିଶ୍ଚିତ କିନ୍ତୁ ଆମ ପୂର୍ବ ଜୀବନରେ ଝଡ଼ କରିବାରେ ଧୁରନ୍ଧର । ତେଣୁ ଏଇ ବ୍ୟବସ୍ଥା ଯେତେ ସହଜ ସେତିକି ଭୟଙ୍କର ।

ତଥାପି ମଣିଷ ମନ ଲଗାମହୀନ ! ଉଡୁଛି ଅହରହ ଦିଶାହୀନ ହେଇ ସବୁଠାରେ । ନିର୍ଦ୍ଦିଷ୍ଟ ଭାବେ କୌଣସି ଇଚ୍ଛା ପାଖରେ ସ୍ଥିର ରହିବା ଆଉ ସମ୍ଭବ

ହେଉନି । ଚନ୍ଦ୍ରରେ ପହଞ୍ଚି ସାରିଥିବା ମଣିଷ ଆଉ କାହାରିକୁ ମାନିବାକୁ ନାରାଜ : ନା' ସମ୍ପର୍କ , ନା' ପରିବାର , ନା' ସମାଜ। .......

ତନ୍ମୟ ବି କ'ଣ ଠିକ ଏମିତି , ନା' ଭିନ୍ନ ? ବିନା ପରୀକ୍ଷା କରି କହିବା

ମୁସ୍କିଲ । କାରଣ ଚରିତ୍ର ଗତ ପ୍ରମାଣ ପତ୍ର ଦେଇପାରୁଥିବା କୌଣସି ବିଶ୍ୱାସ୍ତ ସୂତ୍ର ଆଜି ଯାଏଁ ଆବିଷ୍କାର କରାଯାଇ ପାରିନାହିଁ। ନିଜକୁ ହିଁ ଏସଂକ୍ରାନ୍ତରେ ଅନୁଧ୍ୟାନ କରିବାକୁ ହେବ । ତନ୍ମୟ ନିଜ ପରିବାର ପ୍ରତି କେତେ ବିଶ୍ୱସ୍ତ ବୁଝିବା ଜରୁରୀ

ଚିତ୍ରାର । ନିଜ ସ୍ୱାମୀ ସଂକ୍ରାନ୍ତରେ ନିଜେ ଅନୁସନ୍ଧାନ କରିବା ସବୁଠାରୁ ନିରାପଦ ଆଉ ସଫଳ ।

************

ପାର୍କ ପାଖରେ ମେଲଣ, ସୁଖି ମଣିଷର ଅଭିନୟରେ ହଜିଥିବା ଲୋକଙ୍କର । ଭୟଙ୍କର ଭାବେ ବେଷ୍ଟ ସ୍ୱାମୀ ବା ବେଷ୍ଟ ପ୍ରେମୀ ହେବାର ପ୍ରତିଯୋଗିତାରେ ସଭିଏଁ । କିଏ ଫୁଲ ତୋଡା ସହ ତ କିଏ ଫୁଲ ରାଣୀ ସହ । ଏଇ ଭିତରେ ଶ୍ରେୟାକୁ ଖୋଜିବା ସହଜ ନୁହେଁ । କିନ୍ତୁ ଆଉ କିଛି ଉପାୟ ନାହିଁ । ଜୋରରେ ଶ୍ରେୟା ନାଁ ନେଇ ଡାକିବାର ସ୍ଵାଧିନତା ନାହିଁ ତା'ର । ତନ୍ମୟ ଭାବୁଥିଲା ବୁଦ୍ଧ ପାର୍କରେ ସେମାନେ ଭେଟି ନାହାଁନ୍ତି କେବେ , ତେଣୁ ମିଟିଂ ପଏଣ୍ଟ୍ ବି ଜଣା ନାହିଁ । ହୁଏତ ପୁରୁଣା ନମ୍ବର ବଦଳେଇବା ପରି ପାର୍କ ବି ବଦଳେଇଛି ସେ , ନହେଲେ ନଦୀ ପାଖ ଘୋଷ ପାର୍କ ତାଙ୍କ ମିଟିଂ ପଏଣ୍ଟ ।

ଏତିକିବେଳେ ଆସିଲା ଗୋଟେ ଛୋଟ ପିଲା ଆଉ ଦେଲା ପୁଣି ଗୋଟେ ଅଭିନନ୍ଦନ ପତ୍ର , ଅବଶ୍ୟ ଛୋଟ । ଯେଉଁଥିରେ ଲେଖା ଥିଲା- '' ପାଣି ଫୁଆରା ପାଖ ବେଞ୍ଚକୁ ଆସ ।''

ଓଃ ! ଦେଖି ପାରୁଛି ଶ୍ରେୟା ତାକୁ , ତେଣୁ ଏଇ ଚିଟାଉ । ପାଣି ଫୁଆରା ସ୍ପଷ୍ଟ ଦିଶୁଥିଲା ସେଇଠୁ , କିନ୍ତୁ ଶ୍ରେୟା

ନଥିଲା । ସେ ଦ୍ରୁତ ଗତିରେ ସେଇ ଆଡ଼କୁ ଯାଇ ପହଞ୍ଚି ଗଲା ଫୁଆରା ପାଖରେ ।

ଗୋଟେ ବେଞ୍ଚରେ ଠିକ ଶ୍ରେୟା ଭଳି ଝିଅଟିଏ ଦେଖା ଗଲା । ତେଣୁ ସେଇ ଆଡ଼କୁ ଚାଲିଲା ତନ୍ମୟ । ସେଇଠି ପହଞ୍ଚି କିନ୍ତୁ ପାଦ ତଳର ମାଟି ଧସି ଗଲା । ମୁଣ୍ଡ ଗୋଳମାଳ ହେଇଗଲା , ହୃଦ୍ଘାତର ପୂର୍ବ ସୂଚନା ମିଳିଗଲା ।

ଚିତ୍ରା ପାଣି ଫୁଆରା ପାଖ ବେଞ୍ଚରେ ବସିଥିଲା । ଆଉ ତା' ଆଖିରେ ଅଗଣିତ ପ୍ରଶ୍ନ ଥିଲେ !...

ସୌମ୍ୟା ଶୁଭଦର୍ଶିନୀ


Rate this content
Log in