Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aravinda Das

Others

3  

Aravinda Das

Others

ସ୍ଵର୍ଗଦ୍ଵାର ଫାଷ୍ଟ ଫ୍ଲୋର୍

ସ୍ଵର୍ଗଦ୍ଵାର ଫାଷ୍ଟ ଫ୍ଲୋର୍

2 mins
7.2K


କୋର୍ଟ ସାମ୍ନାରେ ଦଳୀୟ ସମର୍ଥକ ମାନଙ୍କ ପ୍ରବଳ ଭିଡ଼ ।

ସମସ୍ତେ ଅପେକ୍ଷା କରୁଥିଲେ, ହାଇକୋର୍ଟର ନିଷ୍ପତ୍ତିକୁ ।

ପ୍ରମୁଖ ରାଜନୈତିକ ଦଳ'ର ମୁଖିଆଙ୍କ ଗତକାଲି ରାତିରେ ନିଧନ ହୋଇଛି । ସାରା ରାଜ୍ୟରେ ଶୋକ,ଚାପା ଉତ୍ତେଜନା ।

" ଏଇଟା ଆମ ଦଳର ନୁହେଁ, ବରଂ ସମଗ୍ର ରାଜ୍ୟବାସୀଙ୍କ ଦାବି ୟୋର ଅନର । ସ୍ଵର୍ଗବାସୀ ନେତା ମହାନ ଜନନାୟକ ଥିଲେ । ରାଜ୍ୟ ର ହିତ ପାଇଁ ସଂଗ୍ରାମରେ ଭାଗ ନେଇ ଅନେକ ଥର ଜେଲ ଯାଇଥିଲେ । ଲୋକପ୍ରିୟ ନେତା ହିସାବରେ ତାଙ୍କର ଅଧିକାର ଅଛି, ପୁରୀ ସ୍ଵର୍ଗଦ୍ଵାରରେ ତାଙ୍କର ସମାଧି ସ୍ଥଳ ନିର୍ମାଣ ହେବ । କାରଣ ପୂର୍ବରୁ ...."

ଜଜ୍ ବାଧାଦେଇ କହିଲେ,"ସମାଧି ସ୍ଥଳ ଅନ୍ୟ କେଉଁଠି ନକରି ,ସ୍ଵର୍ଗଦ୍ଵାରରେ କାହିଁକି କରିବେ ? ଏକେତ ସ୍ଥାନ ଅଭାବରୁ ସାଧାରଣ ଜନତା ହଇରାଣ ହେଉଛନ୍ତି । "

ରାଜନୈତିକ ଦଳ ତରଫରୁ ଲଢ଼ୁଥିବା ଓକିଲ,ଯିଏ କି ଜଣେ ପୂର୍ବତନ ମନ୍ତ୍ରୀ, ଯୁକ୍ତି ବାଢିଲେ, "ୟୋର ଅନର, ଏହା ଆମ ଦଳ ଓ ସ୍ଵର୍ଗତ ନେତାଙ୍କ ମାନ,ଇଜ୍ଜତ ର କଥା । ସ୍ଵର୍ଗଦ୍ଵାର ରେ ତ ପୂର୍ବରୁ ସମାଧି ଅଛି । ତେଣୁ ଆମ ଦଳକୁ କାହିଁକି ବଞ୍ଚିତ କରାଯିବ ? ଆଦେଶ ନ ମିଳିଲେ,ଅନେଷ୍ଟି କ୍ରିୟା ନକରି ଆମ ଦଳ ଜନ ଆନ୍ଦୋଳନ କରିବ । ଲୋକେ ତାତିକି ଅଛନ୍ତି । ହୁଏତ ପୁରୁଣା ସମାଧି ଭଙ୍ଗାଯାଇପାରେ । "

ଚୁପ୍ ରହିଲେ ଜଜ୍ । ମହରଗରୁ ଯାଇଁ କାନ୍ତରରେ ପଡ଼ିବା କଥା । ଦଙ୍ଗା,ଗଣ୍ଡଗୋଳ ହୋଇପାରେ । କିଏ ରିସ୍କ ନେବ ?

ମଧ୍ୟାହ୍ନ ବେଳକୁ ଦଳୀୟ କର୍ମୀ ମାନେ ଖୁସିରେ ନାଚି ଉଠିଲେ । କୋର୍ଟ ଅନୁମତି ଦେଇଥିଲା ସ୍ଵର୍ଗଦ୍ଵାରରେ ପୁଣି ଗୋଟେ ସମାଧି ପାଇଁ ।

ସପ୍ତାହେ ପରେ ରାଜ୍ୟ ଦଳିତ ପାର୍ଟିର ସଂସ୍ଥାପକ ତଥା ଲୋକପ୍ରିୟ ନେତ୍ରୀଙ୍କ ଦେହାନ୍ତ ହେଲା । ପୁଣି ସେଇ ଦାବି ଓ କୋର୍ଟର ଅନୁମତି ସମାଧି ପାଇଁ ।

ଏସବୁ ଦେଖି ରଘୁଆ ଭାବିଲା,ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ତା ସ୍ଵାଧୀନତା ସଂଗ୍ରାମୀ ବାପାଙ୍କ ଅନ୍ତେଷ୍ଠିକ୍ରିୟା ସ୍ଵର୍ଗଦ୍ଵାରରେ କରି ସମାଧି ଟିଏ ବି ତିଆରି କରିବ । ବଡ଼ ବଡ଼ ନେତାଙ୍କ ଭଳି ତା ବାପା ବି ସ୍ଵାଧୀନତା ସଂଗ୍ରାମୀ ଓ ସଂଗ୍ରାମୀ ପେନ୍ସନ ବି ପାଉଛନ୍ତି ।

ଦେଖୁଦେଖୁ ୟା ଭିତରେ ରାଜ୍ୟ'ର ପୂର୍ବତନ ନାୟକଙ୍କ ସ୍ତ୍ରୀ ଛଡ଼ା ରାଜ୍ୟ ପିତା ସମ୍ମାନ ପାଇଥିବା ନେତାଙ୍କ ଦେହାନ୍ତ ବି ଦୁର୍ଯୋଗକୁ ଗୋଟେ ଆକ୍ସିଡେଣ୍ଟ ରେ ହେଲା ଓ ସମାଧି ବି ସ୍ଵର୍ଗଦ୍ଵାରରେ ହିଁ ହେଲା । ଏହାକୁ ମିଶାଇ ସର୍ବମୋଟ କୋଡିଏ ଟି ସମାଧି ନିର୍ମାଣ ହୋଇସାରିଥିଲା ।

ବର୍ତ୍ତମାନ ବଳିଥିଲା ମାତ୍ର ଗୋଟାଏ ସ୍ଥାନ ଅନ୍ତେଷ୍ଠି ପାଇଁ । ଠିକ୍ ଗେଟ ସାମ୍ନାରେ ଖଣ୍ଡିଏ ଜାଗା । ପ୍ରବଳ ଭିଡ଼ ଯୋଗୁଁ ମୁର୍ଦାରର ସହ ମାଲ ଭାଇଙ୍କୁ ଅନେକ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଲା ।

ଜନ ଅସନ୍ତୋଷକୁ ଆଖିରେ ରଖି ସରକାର ତୁରନ୍ତ ପଦକ୍ଷେପ ନେଲେ ।

ରଘୁଆ ନିଜ ବାପାଙ୍କ ମୃତ ଦେହ ନେଇ ସ୍ଵର୍ଗଦ୍ଵାରରେ ପହଞ୍ଚି ପ୍ରଥମେ ଜାଗାଟାକୁ ଚିହ୍ନି ପାରିଲାନି ।

ସ୍ଵର୍ଗଦ୍ଵାର ପ୍ରବେଶ ପଥରେ ଗୋଟାଏ ବଡ଼ ଲିଫ୍ଟ ।

"କିହୋ ,ଆମେ ଦାହ କେଉଁଠି କରିବୁ ?ବ୍ରାହ୍ମଣ କାହାନ୍ତି ?"

ଟିକେଟ କାଟୁଥିବା ବ୍ୟକ୍ତି କହିଲେ,"ଅଧେ ଜାଗା ତ ଜବର ଦଖଲକାରୀ ମାଡି ବସିଛନ୍ତି । ଆଉ ଯାହା ଏ ସାମ୍ନାରେ ଥିଲା, ତାହା ବିଭିନ୍ନ ଦଳର ଟାଣୁଆ ନେତା ଓ ତାଙ୍କ ପରିବାରଙ୍କ ସମାଧିରେ ପରା ଭରିଯାଇଛି । ବଳିଥିବା ଏଇ ଅଳ୍ପ ଜାଗାରେ ଲିଫ୍ଟ ଲଗାଇଛନ୍ତି ସରକାର । "

ଉପରକୁ ଆଙ୍ଗୁଳି ଦେଖାଇ ପୁଣି କହିଲା, "ଏବେ ସବୁ କ୍ରିୟାକର୍ମ ବାଲକୋନୀ ଅର୍ଥାତ୍ ଫାଷ୍ଟ ଫ୍ଲୋର୍ ରେ । ବୁଲା ଗାଇ,ଷଣ୍ଢ ଉପରକୁ ଯାଇ ପାରିବେନି । ତେଣୁ ଅସୁବିଧା ନାହିଁ । ପରିବେଶ ସୁରକ୍ଷା ପାଇଁ ସରକାର ଇଲେକଟ୍ରିକ ଚୁଲା କୋଡ଼ିଏଟା ବସାଇଛନ୍ତି । ଦଶ,କୋଡିଏ ମିନିଟରେ କାମ ଶେଷ । ସେଥିରୁ ଜାପାନ ତିଆରି ପାଞ୍ଚଟା ବୁଲେଟ ଚୁଲା ବି ଲାଗିଛି । ପାଞ୍ଚ ମିନିଟରେ ଅସ୍ଥି ନେଇ ବାହାରି ଯିବ । ହଁ ସମୁଦ୍ରକୁ ଯାଇଁ ବୁଡ଼ ପକାଇ ପାଣି ଆଣିବା ଦରକାର ନାହିଁ । ସମୁଦ୍ର ପାଣି ପାଇପ ଦ୍ବାରା ଫାଷ୍ଟ ଫ୍ଲୋର୍ କୁ ସପ୍ଲାଇ ହେଉଛି । ଇଣ୍ଡକ୍ସନ ଚୁଲାରେ ବାପାଙ୍କ ପାଇଁ ରାନ୍ଧିବ । "

ରଘୁଆ ଆଁ କରି ଅନେଇଥିଲା ସ୍ଵର୍ଗଦ୍ଵାରର ପ୍ରଥମ ମହଲାକୁ । ନେତାମାନେ ତ ଗ୍ରାଉଣ୍ଡ ଫ୍ଲୋର ସବୁ ମାଡ଼ିବସିଲେ ।

ତାକୁ ଲାଗିଲା ତା ବାପାଙ୍କୁ ସ୍ଵର୍ଗକୁ ଯିବାପାଇଁ ସୁବିଧା ହେବ ବୋଧେ;ଯାହା ହେଲେ ବି ସ୍ଵର୍ଗଦ୍ଵାରର ଫାଷ୍ଟ ଫ୍ଲୋର; ହେଲେ ସ୍ଵର୍ଗରେ କଣ ଆଉ ଜାଗା ଥିବ ?ନେତା ସେଠି ମାଡି ବସିନଥିବେ ତ ?କେଜାଣି ?

( ଅରବିନ୍ଦ ଦାସ)


Rate this content
Log in