Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଭାବ
ଅଭାବ
★★★★★

© Debaprakash Sahoo

Inspirational Abstract Others

3 Minutes   14.2K    13


Content Ranking

ସେ ଧନୀ ହେଉକି ଗରିବ, ଅକ୍ଷମ ହେଉକି ସକ୍ଷମ ଅଭାବ କାହାରି ପିଛା ଛାଡ଼େନି । ସମସ୍ତଙ୍କର କିଛିନା କିଛି ଅଭାବ । ଏଠି କାହା ମଥାକୁ ଛାତ ଖଣ୍ଡେ ଲୋଡ଼ା ତ କାହାକୁ ଆଲିସାନ୍ ବଙ୍ଗଳା, କାହାକୁ ସାଇକେଲ୍ ଖଣ୍ଡେ ଦରକାର ତ କାହାକୁ ଲାଟେଷ୍ଟ ମଡେଲ୍ ମର୍ସିଡିଜ୍ । ଆଉ କାହାର ଅଭାବ ସମ୍ପର୍କ ଗୋଟେ । ଅଭାବ ମାନେ ଆଉ କଣ ଯେ ? ମୋଟାମୋଟି ଭାବେ କହିବାକୁ ଗଲମୁଠାଏ ସ୍ୱପ୍ନକୁ ପୁର୍ଣ୍ଣତା ଦେବାର ପ୍ରଚେଷ୍ଟା

          ହଁ ସିଏ ଅଭାବି ଘର ର ଝିଅଟେ, ଉଁ...ହୁଁ… ହୁଏତ ଭୁଲ୍ କହିଲି ପ୍ରକୃତରେ ସେ ଜଣେ ସ୍ୱପ୍ନ ଦେଖୁଥିବା ଝିଅ । ଯାହାର ନିରିହ ଆଖିରେ ଆଞ୍ଜୁଳା ଆଞ୍ଜୁଳା ସ୍ୱପ୍ନ ଭର୍ତ୍ତି । ସାନ ଭାଇକୁ ସାହେବ କରେଇବାର ସ୍ୱପ୍ନ, ରୋଗୀଣା ମା କୁ ରୋଗମୁକ୍ତ କରେଇବାର ସ୍ୱପ୍ନ, କଚ୍ଚା ଘରକୁ ପକ୍କା କରେଇବାର ସ୍ୱପ୍ନ । ବୋଧେ ଏତେ ଗୁଡ଼ାଏ ସ୍ୱପ୍ନ ତାକୁ ଆଜି ଯାଏଁ ଦୁରେଇ ରଖିଚି ପ୍ରେମଠୁ । ସେ କହି ପାରେନା କେମିତିକା ପ୍ରଥମ ପ୍ରେମର ଅନୁଭବ । ବୁଝିବାକୁ ବି କେବେ ଚେଷ୍ଟା କରିନି । ଗାଁ ସ୍କୁଲ୍ ରେ ମେଟ୍ରିକ୍ ଯାଏଁ ପାଠ ପଢିଚି । ସକାଳେ ଛୋଟପିଲା କେଇଟାଙ୍କୁ ଟିଉସନ୍ କରେ, ତାପରେ ଟେଲର ସେଣ୍ଟର ରେ ଡ୍ୟୁଟି, ତା ସାଙ୍ଗକୁ ଘର କରଣା କରୁ କରୁ ତାକୁ ସମୟ କାହିଁଯେ ଏ ପ୍ରେମ ଫ୍ରେମ ରେ ପଶିବାକୁ । ତଥାପି କାହିଁକି କେଜାଣି ଆର ସାହି ର ଭୋଳା କୁ ଦେଖିଲେ ଭିତରେ ଭିତରେ କେମିତି ଟିକେ ଚହଲି ଯାଏ, ହେଲେ ବୁଝିପାରେନି ସେଇଟା ତା ପ୍ରତି ଥିବା ସହାନୁଭୁତି ନା ଭଲ ପାଇବା ।     ‘ଭୋଳା’ ହଁ ତା ନାଁ ଯେମିତି ସିଏବି ସେମିତି, ଟିକେ ଦୁଷ୍ଟ ହେଲେବି ଭାରି ସ୍ନେହି ପିଲାଟେ । ଗାଁ ସ୍କୁଲ୍ ରେ ତା ସହ ପାଠ ପଢ଼ୁଥିଲା, ସବୁଦିନେ ତା ପାଇଁ କିଛି ନା କିଛି ଆଣିଥାଏ । ଯେମିତିକି ବାଡ଼ି କମଳା, କାକୁଡ଼ି ଯୋଡ଼େ ଅବା ମେଞ୍ଚାଏ କୟାଁ ମଞ୍ଜି ଭଜା । ସେତେବେଳେ ଭୋଳା ସପ୍ତମ ଶ୍ରେଣୀ ରେ ପଢୁଥାଏ, ଯେତେବେଳେ କି ‘ବା’ ଚାଲିଗଲା । ସେବେଠୁ ଆଉ ସିଏ ସ୍କୁଲ୍ ଯାଇନି । ପାଠ ନପଢ଼ିଲେ କଣ୍ ହେଲା, ଭାରି ଉଜ୍ଜୋଗୀ ପିଲାଟା । ନିଜ ପରିଶ୍ରମରେ କିଛି ଜମି କିଣିଚି, କେଇ ମାଣ ଜମି ଭାଗଚାଷ ବି କରେ । ଛକ ଉପରେ ସେଲୁନ୍ ଖଣ୍ଡେ ପକେଇଚି । କେବେ କେମିତି ଦେଖା ହେଲେ ହସିଦିଏ, ଟିକେ ଅଧେ ଥଟ୍ଟାମଜା ବି କରେ । ଧେତ୍ ତା କଥା ଏତେ ଗପିକି ଲାଭ କଣ୍ ଯେ ? ସେ କଣ ସତରେ ଭୋଳା କୁ ଭଲପାଏ ? ନା‐ନା ସେଇଟା କେମିତି ସମ୍ଭବ ! ତାକୁ ତ ଆହୁରି ଅନେକ କିଛି କରିବାକୁ ଅଛି । ସେ ଯାହାବି ହେଉ କାହିଁକି କେଜାଣି ଭୋଳା ଆଜି ଖବର ଦେଇଚି ସଞ୍ଜବେଳେ ମନ୍ଦିର ପାଖେ ଦେଖା କରିବାକୁ ।

                   ( ମୁହଁ ସଞ୍ଜ ସମୟ )

କିରେ କଣ୍ କହିବୁପା କହୁନୁ

ନାଇଁ କହିବିନି, କହିଲେ ତୁ ମାରିବୁ

ନକହିଲେ ବେଶି ମାରିବି ଜଲ୍ଦି କହ ମୋର ତେଣେ ଡେରି ହଉଚି

ତୁ ନା ବହୁତ୍ ସୁନ୍ଦରି ହି‐ହି, ମତେ ବାହା ହବୁନା ? ଜାଣିଚୁନା ମୁଁ ତୋ କଥା ମୋ ମା କୁ ବି କହି ସାରିଚି ସିଏ ବି ରାଜ

ଚୁପ୍ ମୁ ତତେ କେବେ କହିଥିଲି ବାହା ହେବାପାଇଁ ?

ତୁ କହିନୁ ଯେ ହେଲେ ମୁ ଜାଣିଚି ତୁ ମତେ ମନା କରିବୁନି, ଆଉ ଜାଣିଚି ତୁ ମତେ ଭଲ ପାଉ ବୋଲି ।

ଧେତ୍ ଏମିତି କଣ୍ କେହି ପ୍ରେମ କରେ ? ସିଧା ସିଧା ବାହାଘର କଥା ! ଭୋଳା କଥା ଶୁଣି ହସ ଲାଗୁଥିଲେ ବି ହସି ପାରୁ ନଥିଲା । ଶୁଣିଥିଲା ପୁଅ ଗୁଡ଼ା କାଳେ ଏକଦମ୍ ଅଲଜ୍ୟା, ଆଉ ସେମିତି ଗୋଟେ ଆଜି ସାମ୍ନାରେ । ଭିତରେ ଭିତରେ ସିଏ କିମିତି ଗୋଟେ ସାଙ୍କୁଡ଼ି ଯାଉଥିଲା, ଧିରେ ଧିରେ ଶିହରି ଉଠୁଥିଲା ଦେହ ହାତ, ବୋଧେ ପ୍ରଥମ କରି ତାକୁ ଛୁଁଥିଲା ଲାଜ । ନିଶବ୍ଦ ରେ ଯୋଡ଼ି ହେଈ ଯାଉଥିଲେ ହଳେ ମନ, ଦି ହଳ ଆଖିର ସ୍ୱପ୍ନ । ଅସ୍ପଷ୍ଟ ଲାଗୁଥିଲା ଅଭାବ ର ଅନୁଭବ । କହିବାକୁ ତ ବହୁତ୍ କିଛିଥିଲା କିନ୍ତୁ ପାରିଲାନି, ବାସ୍ ଏତିକି କହିଲା ଚାଲ୍ ହଟ୍ ବେଶି ଗୋଟେ ଛୋପରା ହଉଚି|             

 ©ଦେବପ୍ରକାଶ ସାହୁ

ଅଭାବ ଝିଅ ପୁଅ ସ୍ବପ୍ନ

Rate the content


Originality
Flow
Language
Cover design

Comments

Post

Some text some message..