Parambrahma Tripathy

Others


3  

Parambrahma Tripathy

Others


ଭାଷା ବାଇମୁଣ୍ଡିମାନଙ୍କ ବିଷୟରେ

ଭାଷା ବାଇମୁଣ୍ଡିମାନଙ୍କ ବିଷୟରେ

2 mins 14.3K 2 mins 14.3K

କାଲି ସନ୍ଧ୍ୟାରେ ଅନୁପ ଘରକୁ ଯାଇଥିଲି। ୧୯୯୮ ରେ ଯୁକ୍ତ ଦୁଇ ବିଜ୍ଞାନ ଶେଷ କଲା ପରେ ଅନୁପ ଦିଲ୍ଲୀ ଆସିଯାଇଥିଲା ଡାକ୍ତରୀ ପଢିବାକୁ। ତାପରଠାରୁ ସେ ଏଇଠି। ବାହା ହେଇଛି ଜଣେ କନ୍ନଡ ଝିଅକୁ ଆଉ ଏବେ ସେମାନଙ୍କ ପୁଅକୁ ପାଞ୍ଚ ବର୍ଷ। ଅନୁପ ଘରେ ମୁଁ ଗୋଟେ ଭଲ କଥା ଦେଖିଲି। ତା ପୁଅ ଯେମିତି ଜାଣିଲା ମୁଁ ଓଡିଆ, କେତେକ ନିହାତି ଆବଶ୍ୟକ ଶବ୍ଦ ଯଥା “ଫୋନ” “ସ୍କୁଲ” ଇତ୍ୟାଦି ଛଡା ମୋ ସହ ଯାହା କଥା ହେଲା ଓଡିଆରେ ହିଁ କଥା ହେଲା। ମୁଁ ଖୁସିରେ ଅନୁପକୁ କହିଲି, ବାଃ ତୋ ପୁଅ ତ ବଢିଆ ଓଡିଆ କହୁଛି। ଅନୁପ ମୁହଁଟାକୁ କେମିତି ଗୋଟେ କରି କହିଲା, ହଁ ରେ ନିଜ ମାତୃଭାଷା କହିବାଟା ବି ସବାସୀର କଥା। ମତେ ଲାଗେନି ଓଡିଆ ନକହିଥିଲେ ଅନୁପ ପୁଅର ସେମିତି କିଛି ଗୋଟେ କ୍ଷତି ହେଇଯାଇଥାନ୍ତା। ମାତ୍ର ଅନୁପ ଆଉ ତା ପତ୍ନୀକୁ ଶତ ଧନ୍ୟବାଦ ଯେ ସେମାନେ ତାଙ୍କ ପିଲାକୁ ନିଜ ଐତିହ୍ୟ ସହ ଯୋଡିବାକୁ ଚେଷ୍ଟା କରିଛନ୍ତି। ସେତେବେଳେ ହିଁ ମୋ ମୁଣ୍ଡରେ ଏ କଥା ଟି ଢୁକିଲା। ସତରେ ଏ ଭାଷାର ବାଇମୁଣ୍ଡି କିଏ? ଦିନରେ ଭାଷା ଭାଷା କହି କଳାପତାକା ଧରୁଥିବା ସେହିମାନେ ଯେଉଁମାନଙ୍କ ଡ୍ରଇଂରୁମରେ ବି ଓଡିଆର ପ୍ରବେଶ ସୀମିତ ନା ସଂଖ୍ୟାରେ ନଗଣ୍ୟ ହେଲେ ବି ଏଇ ଅନୁପ ମାନେ ଯେଉଁ ମାନେ ପ୍ରବାସରେ ସକଳ ପ୍ରତିକୂଳ ପରିସ୍ଥିତି ଭିତରେ ବି ନିଜ ଭାଷାକୁ ବଞ୍ଚେଇ ରଖିଛନ୍ତି ? ଦିଲ୍ଲୀରେ ଇଣ୍ଟେଲେକ୍ଟସ ବୋଲି ସଂଗଠନଟିଏ ଅଛି। ପାଞ୍ଚ ବର୍ଷ ତଳୁ ଏମାନେ ଆରମ୍ଭ କରିଛନ୍ତି ଛୋଟ କିନ୍ତୁ ମହନୀୟ ପ୍ରୟାସଟିଏ। ପ୍ରତି ରବିବାର ଏହି ସଂଗଠନର ସଦସ୍ୟ ମାନେ ଦିଲ୍ଲୀରେ ଥିବା ପ୍ରବାସୀ ଓଡିଆ ପିଲାମାନଙ୍କୁ ଓଡିଆ ଶିଖାନ୍ତି। ଦିଲ୍ଲୀର ପାଞ୍ଚୋଟି ଜାଗାରେ ସଂଗଠନ ପକ୍ଷରୁ ଚାଲିଛି ଏହି ରବିବାରିଆ ଓଡିଆ ବିଦ୍ୟାଳୟ। ଆଉ ସେଠି ଓଡିଆ ପଢୁଛନ୍ତି ୩୦୦ରୁ ଅଧିକ ପିଲା। ଅନୁଷ୍ଠାନର ଅଧ୍ୟକ୍ଷ ଦେବେନ୍ଦ୍ର ରାଉତ ଜଣେ ଯୁବ ଶିକ୍ଷାବିତ ତଥା ଭାଷା ଅନୁରାଗୀ। ହେଲେ ସେ ଭାଷା ଅନୁରାଗକୁ ନିଜ ଭିତରେ ସୀମିତ ରଖିନାହାନ୍ତି। ଆଉ ଏହାର ଫଳଶ୍ରୁତି ହେଉଛି ରାଜଧାନୀରେ ଓଡିଆ ଶିକ୍ଷା। ବେଶୀ ପୁରୁଣା କଥା କହୁନି, ପାଞ୍ଚ ସାତ ବର୍ଷ ତଳେ ଇଣ୍ଟରନେଟରେ ଓଡିଆ ଭାଷାରେ ଖୋଜିଲେ କିଛି ବି ମିଳୁ ନଥିଲା। ଆଜି ଖୋଜନ୍ତୁ, କେବଳ ଓଡିଆ ଉଇକିପେଡିଆ ବା ମୁକ୍ତ ଜ୍ଞାନକୋଷରେ ରହିଛି ବିଭିନ୍ନ ବିଷୟରେ ୧୦ ହଜାରରୁ ଉର୍ଦ୍ଧ ଲେଖା। ଆଉ ଏହା ଗୋଟିଏ ରାତିରେ ସମ୍ଭବ ହେଇନି। ଏହା ହେଉଛି ଶୁଭାଶିଷ ପାଣିଗ୍ରାହୀ ଓ ତାଙ୍କ ଉତ୍ସର୍ଗୀକୃତ ସାଥିମାନଙ୍କ ବର୍ଷବର୍ଷର କଠିନ ପରିଶ୍ରମର ଫଳଶ୍ରୁତି। ଇଣ୍ଟରନେଟ ବ୍ୟବହାର ହିଁ ହେଉଛି ଆଜିର ବାସ୍ତବିକତା। ଆଉ ସେହି ବାସ୍ତବିକତା ଭିତରେ ଓଡିଆକୁ ପ୍ରାସଙ୍ଗିକ କରି ରଖିବା ପାଇଁ ଶୁଭାଶିଷ ଓ ତାଙ୍କ ସାଥୀମାନଙ୍କ ପ୍ରୟାସ ନିଶ୍ଚିତ ଭାବେ ସାଧୁବାଦର ପାତ୍ର। ଯୁକ୍ତରାଷ୍ଟ୍ର ଆମେରିକା ରେ କୁକୁ ଦାଶଙ୍କର ଓଡିଆ ଶିଖେଇବା କାର୍ଯ୍ୟକ୍ରମ ହେଉ ବା ମୁମ୍ବାଇସ୍ଥିତ କାଦମ୍ବିନୀ ମିଡିଆ ଦ୍ଵାରା ପ୍ରସ୍ତୁତ ଓଡିଆ ଶିଶୁ ଗୀତ ଭିଡିଓ- ଏ ସମସ୍ତେ ଏ ଭାଷା ଓ ସଂସ୍କୃତି ସୁରକ୍ଷା ଦିଗରେ ବାଇମୁଣ୍ଡିର ପ୍ରୟାସ। ଭାଷା ଲିଟ ଫେଷ୍ଟରେ ବଞ୍ଚେନି, ବଞ୍ଚେ ବ୍ୟବହାରିକତାରେ, ବଞ୍ଚେ ପ୍ରତିବଦ୍ଧତାରେ। ୫୦ ବର୍ଷ ପରେ ଯେତେବେଳେ ଏ ଭାଷାର ଇତିହାସ ଆଉଥରେ ଲେଖା ହେବ, ଏ ଲେଖକର ଆଶା ଓ ବିଶ୍ଵାସ ଯେ ଏହି ବାଇମୁଣ୍ଡିମାନଙ୍କୁ ନିଜ ଭାଗର ଶ୍ରେୟ ନିଶ୍ଚିତ ମିଳିବ।


Rate this content
Originality
Flow
Language
Cover Design