Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅନ୍ତିମ ପ୍ରତିଶ୍ରୁତି
ଅନ୍ତିମ ପ୍ରତିଶ୍ରୁତି
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

3 Minutes   7.1K    9


Content Ranking


ପତିତପାବନ ମହାପାତ୍ର


ଗାଁ ମୁଣ୍ଡରେ ଏକ ନିମ୍ବଗଛ ମୂଳେ ଯେଉଁ ଗୋଟିକିଆ କୁଡ଼ିଆ ଘର ଦିଶେ ସେଇଟା ବସନ୍ତ ଅଜାଙ୍କର । ମାଟିଲିପା ଗୋଟିକିଆ ବଖରା, ଚାଳ ଛାଉଁଣୀ । ବାହାରପଟ ମାଟି କାନ୍ଥରୁ ଛେଲା ଛେଲା ମାଟି ପଲସ୍ତରା ଝଡ଼ି ଆବୁଡ଼ାଖାବୁଡ଼ା ବାଉଁଶ ପଟି ଆଉ ଝାଟିଫୁଟି ଦିଶେ । ଘରର କଣ ମୁଣ୍ଡକୁ ଝିଙ୍କାମଣ୍ଡି ହୋଇ ଚୁଲି ଆଉ ପତର ଝାଟି ଜାଳକୁଦ ଆଖିରେ ପଡେ । ଭିତର କାନ୍ଥ ନିବୁଜ କଳା ରଙ୍ଗରେ ଅନ୍ଧାରୁଆ । ଆଲୁଅ ଭିତରେ କ୍ଷୀଣ ଦୀପଟିଏ ଜଳେ ରାତିରେ । ସେଇ ସିମୀତ ଆଲୋକ ଭିତରେ ଦୃଷ୍ଟିକୁ ଆସନ୍ତି ବସନ୍ତ ଅଜା ଓ ବାସନ୍ତୀ ଆଈ । କେତେବେଳେ ଅନାସକ୍ତ ଭାବେ ପଟିପଟିକିଆ ନାଲିଗାମୁଛା ଘୋଡ଼ି ହୋଇ ବସିଥାନ୍ତି ବସନ୍ତ ଅଜା ଆଉ ଚୁଲି ଫୁଙ୍କୁଥାନ୍ତି ଆଈ । ତାଙ୍କ ଘରକୁ କେହି ଯିବା ଆସିବା କରିବା ପ୍ରାୟ ଦୃଷ୍ଟିକୁ ଆସେନି । କେବଳ ଚେଙ୍ଗଡ଼ା ପିଲାଗୁଡ଼ାକ ଖେଳିବାକୁ ଗଲାବେଳେ କୁହାଟ ମାରି ଜିଭକାମୁଡ଼ି ଘର ସାମନାରେ ଖତେଇ ହୁଅନ୍ତି ଓ ଅଜାଙ୍କୁ ଟାହିଟାପରା କରନ୍ତି । ସେଥିରେ କ’ଣ ଯାଏ ଆସେ ? ଅଜା ଆଈଙ୍କର ସଂଯୋଗ ବିଚିତ୍ର । ତାଙ୍କର ଫୁଲଗଛଟି ମରେନି କି କଥାବି ସରେନି । କେବେ ହେଲେ ତାଙ୍କୁ ସଂସାର କୋଳି ଅସୁଆଦିଆ ଲାଗିନି । ମନଦୁଇଟା ନିମ୍ବ ଡାଳର ଝୁଲଣାରେ ସ୍ୱର୍ଗ ଆଉ ମର୍ତ୍ତ୍ୟକୁ ଛୁଇଁଯାଏ । ସେଇ କଳ୍ପବଟ ହିଁ ଝୁଲଥାଏ ଲହରେଇ ଲହରେଇ ଅମୃତ ଜୀବନର ଅଛୁଆଁ ମୋହରେ ।

ଦୁଇ ଜଣଙ୍କ ପ୍ରାଣକୁ ଆଘାତ ଦେବା ଭଳି ଅସ୍ଥିରତା ତାଙ୍କର ଯେ ଆସିନି ସେକଥା ନୁହେଁ । ତାଙ୍କର ସନ୍ତାନ ସନ୍ତତି ନଥିବା କଥା ସେ ମନକୁ ଆଣି ଭୁଲିଯାଆନ୍ତି । ଜୀବନର ଧାରା ଉପଧାରା, ସାମାନ୍ୟ ବା ବିଶେଷ କଥନ ନିର୍ଦ୍ଧାରିତ ରୂପକଳ୍ପ ଅସ୍ପଷ୍ଟ । ବୋଧହୁଏ ୟାର ବିକଳ୍ପ ଅନୁଘୋଷ ପ୍ରେମ । ଗାଁରେ ତାମସା ପାଲା ବା ଖଞ୍ଜଣୀନାଟ ସେମାନଙ୍କ ପାଇଁ ଅବାନ୍ତର । ଅଜା ଖେତକୁ କାମ କରିବାକୁ ଯାଆନ୍ତି । କେତେ ଆଉ କ’ଣ ପାରିଶ୍ରମିକ ପାଆନ୍ତି ସେ ନିଜେ ହିସାବ କରନ୍ତିନି କି ସେ ବିଷୟରେ ବଚସା କରନ୍ତିନି । ହାଣ୍ଡିରେ ଯେତିକି ଚାଉଳ ଫୁଟେ ଦୁଇଜଣଙ୍କ ପାଇଁ ଢ଼େର ।

ରାମଲୀଳା ପାଇଁ ଗାଁରେ ହଟଚମଟ ଲାଗିଥାଏ । ଘରୁ ଘରୁ ଲୋକ ବାହାରି ଗାଁ ଦାଣ୍ଡରେ ମଉଛବରେ ମାତିଥାନ୍ତି । ଚାନ୍ଦାଭେଦା ବିନା ଇଏତ ସମ୍ଭବ ନୁହେଁ । କିଛି ବଛାବଛା ଲୋକ ଶେଷକୁ ଠିକଣା କଲେ ବସନ୍ତ ଅଜାଙ୍କୁ ଭେଟି ପାଉଣା ଆଣିବେ । ବହୁତ ନରମ ଗଳାରେ ଅଜା ବୁଝାଇଲେ ସେ ସମ୍ପୂର୍ଣ୍ଣ ନିସ୍ୱ । କିଏ ଏକଥା ଶୁଣିବ ? ତାଙ୍କ ଘର ଭିତରକୁ ତିନି ଚାରି ଜଣ ପଶିଆସି ଆଖି ବୁଲେଇଲେ । ଚାଳ ଛପର ବି ଘୋଷାରି ପକେଇ କହିଲେ ‘ ଗାଁ କଥା, ଯାହା ଅଛି ଦିଅ ଆମେ ଜୋର ଜବରଦସ୍ତି କରିବାକୁ ଆସିନୁ ।’ ଅଳ୍ପ କିଛି ରେଜା ପାଇସା ଅଜା ଅଣ୍ଟାରୁ ବାହାର କରି ଶେଷକୁ ଦେଇ ନମସ୍କାର କରି କହିଲେ ‘ ମୁଁ ନାଚାର’ । ଆଈ କେବଳ ଜୁଳୁ ଜୁଳୁ କରି ଚାହିଁଥାନ୍ତି । ସେମାନେ ଚାଲିଗଲା ପରେ ଫୁଟଫୁଟ କରି ପାକୁଆ ପାଟିରେ କହୁଥାନ୍ତି ‘ଆମ ପାଇଁ ରାମ ଯେତିକି ରାବଣ ବି ସେତିକି, ସରଗ ଆଶୀରୀକୁ ଜହ୍ନ ଯେତିକି ସୂର୍ଯ୍ୟ ବି ସେତିକି ।

ହଠାତ୍‌ କାଳବୈଶାଖୀ ମେଘ ପବନ ମାଡ଼ିଆସିଲା । ବିଜୁଳି ଚଡ଼ଚଡ଼ିରେ ଗଗନ ପବନ ଦୋହଲିଗଲା । ସେ ବଖରିକିଆ ଚାଳଘରଟା ବି ଛିନଛତ୍ର । କଣ ମୁଣ୍ଡିଆ ଚାଳରୁ ବତୁରା ଚାଳଛପର ଦୁଲକାଏ ଖସି ଚୁଲିହାଣ୍ଡିକୁ ଆବୋରି ପକେଇଲା । ଭାତପାଣି ଚୁଲିକୁ କେମିତି ଯିବ ଆଈ ସେଇଥିପାଇଁ ବ୍ୟସ୍ତ ହୋଇପଡ଼ିଲେ । ଅଦିନ ମେଘ ପବନକୁ ସାହା ଭରସା ନାହିଁ କି ଆକଟବି ନାହିଁ ।

ଥଣ୍ଡା କାକରରେ ଭିଜି ଭିଜି ଆଈ ଅଜାଙ୍କ ମୁଣ୍ଡରେ ସେନ୍ତରା ଖଣ୍ଡକ ଘୋଡେଇ ଲାଗିଥାନ୍ତି । ଅଜା ତାଙ୍କଠୁ ଆଠବର୍ଷ ବଡ଼ । ଚମ ଧୁଡୁଧୁଡୁ ଟାଙ୍ଗରା ମୁଣ୍ଡ । କୋଉଥିରେ ସେ ନଥାନ୍ତି । ଶେଷକୁ ଆଈ ବାଧିକି ପଡ଼ିଲେ । ହାତପାଦ ଶୀତଳ ହୋଇଗଲା । ଦେହରେ ତାତି ଯେ ଖଇ ଫୁଟିଯିବ । ଅଜା ବହୁତ ବ୍ୟସ୍ତ ହୋଇପଡ଼ିଲେ । ଆଉ ରୋଜାନା ମେହନତକୁ ଯିବା ପାଇଁ ତାଙ୍କୁ ପାଦ ଉଠିଲାନି । ସେଇ ଘରର ସନ୍ତସନ୍ତିଆ ମାଟି ପଟାଳିରେ ସାଆନ୍ତ ଅମଳର ପଟିଖଣ୍ଡକରେ ଆଈ ପଡ଼ିଥାନ୍ତି । ଅଜା, ଆଈଙ୍କର ପାଚିଲା ଝୋଟବାଳକୁ ଆଉଁସି ଆଉଁସି ସେଇଠି ହତବାକ୍‌ । କିଏ ବା ଓଷଦ ମହୋଷଦ କରିବ’ । ଚାନ୍ଦା ମାଗିବାକୁ ଆସିଥିବା ଲୋକ ଭିତରୁ ଜଣେ ଅଜାଙ୍କର ଘର ଭିତରକୁ ଡୁଙ୍ଗିକରି ଏଇ ଦୃଶ୍ୟ ଦେଖି କାନ୍ଦ କାନ୍ଦ ହୋଇପଡ଼ି ଗାଁ ଆଡକୁ ଧାଇଁଗଲା । ଲୋକବାକ ଜୁଟିଲେ କଣ ହେଲେ କରି ହେବ ।

ଶେଷକୁ ଗାଁଲୋକ ଚାରି ପାଞ୍ଚଜଣ ଅଜାଙ୍କ ଘର ଭିତରକୁ ପଶି ଏଇ କାତର ଦୃଶ୍ୟ ଦେଖି ନିର୍ବାକ ହୋଇପଡ଼ିଲେ । ଆଈ ନିସ୍ତେଜ । ବସନ୍ତ ଅଜା କିନ୍ତୁ ତାଙ୍କ ମୁଣ୍ଡକୁ ତାଙ୍କ ଜଂଘ ଉପରେ ରଖି ଆଉଁସି ଲାଗିଥାନ୍ତି । କୋକେଇ ଗାଁ ଲୋକେ ବାନ୍ଧି ଅଜାଙ୍କୁ କୁଣ୍ଢେଇ ପକେଇ କହିଲେ ‘ ଶେଷ ସବୁ ଶେଷ’ । ଧାରଧାର ଲୁହ ବସନ୍ତଙ୍କର କୋଟର ଦୁଇ ଆଖିରୁ ବହି ଚାଲିଥାଏ ।

ଏଇ ଆଖିରେ ଆଈଙ୍କ ସହ ଆଖି ମିଶେଇ ଷାଠିଏ ବର୍ଷ ତଳେ ସେ ସଂସାର ବାନ୍ଧି ଥିଲେ । ମହାପ୍ରୟାଣ ହିଁ ଜୀବନର ଅନ୍ତିମ ପ୍ରତିଶ୍ରୁତି । ପୂଜାବେଦୀରେ କୋଳାହଳ । ଅଗ୍ନିକୁଣ୍ଡରେ ଓଁକାର ନାଦ ସହ ଘୃତ ନୈବେଦ୍ୟ ଚାଲିଥାଏ । ପୁରୋହିତ ଶବଯାତ୍ରା ଉପରେ ଦୃଷ୍ଟି ନିକ୍ଷେପ କରି ନତ ମସ୍ତକ ହୋଇ ପ୍ରଣାମ କଲେ । ସ୍ତିମିତ କଣ୍ଠରେ କହିଲେ ପରମ ସଧ୍ୱୀ ଅନ୍ନପୂର୍ଣ୍ଣା ରାମନବମୀ ପରି ପୁଣ୍ୟ ତିଥିରେ ହାତକାଚ ମଥା ସିନ୍ଦୁର ନେଇ ଅହ୍ୟ ରୂପରେ ଚାଲିଗଲା । ବସନ୍ତ ଅଜାଙ୍କର କାତରସିକ୍ତ ଅଶ୍ରୁପ୍ରବାହ ମନର ଅନିର୍ବାପିତ ଅଗ୍ନିଶିଖାକୁ ପ୍ରଶମିତ କରିବା ପାଇଁ ଅସମର୍ଥ । ଆଶ୍ଲେଷର ନିରବ ଅହଙ୍କାର ସ୍ତବ୍ଧ ।

କୁଡ଼ିଆ ବସନ୍ତ ଅଜା ଶବଯାତ୍ରା

Rate the content


Originality
Flow
Language
Cover design

Comments

Post

Some text some message..