Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ପ୍ରାୟଶ୍ଚିତ୍ତ
ପ୍ରାୟଶ୍ଚିତ୍ତ
★★★★★

© Bismita Sahoo

Inspirational

6 Minutes   432    47


Content Ranking

ମାନି ସପ୍ତମ ଶ୍ରେଣୀ ରେ ପଢ଼େ। ବହୁତ ଭଲ ପାଠ ପଢେ ବୋଲି ସବୁ ଗୁରୁଜୀ ମାନେ ତାକୁ ସ୍ନେହ ଆଦର କରନ୍ତି। ତା ସାଙ୍ଗ ସାଥୀ ମାନେ ବି ଖୁବ୍ ଭଲ। ସେମାନେ ତା ପାଠ ପଢ଼ାରେ ବହୁତ ସହଯୋଗ କରନ୍ତି। ତାର ସବୁଠୁ ଭଲ ସାଙ୍ଗ ହେଲା ଲିପି। ତା ବାପା ସାହୁକାର। ତାଙ୍କ ଗାଁରେ ଗୋଟିଏ ବିରାଟ ବଡ଼ ତେଜରାତି ଦୋକାନ ଦେଇଛନ୍ତି। ସେ ଗାଁର ସର୍ବେସର୍ବା। ଲୋକ ମାନଙ୍କ ଭଲ ମନ୍ଦରେ ଠିଆ ହୁଅନ୍ତି। ଏତେ ବଡ଼ ବାପର ଝିଅ ହୋଇବି ଲିପି ମନରେ ଟିକିଏ ବି ଅହଂକାର ନାହିଁ। ସେ ତା ଘରୁ ମାନି ପାଇଁ ଲୁଚେଇ ଭଲ ଭଲ ଖାଇବା ଆଣିଦିଏ। ପାଠପଢ଼ା ପାଇଁ ତାକୁ ବହିପତ୍ର ଦିଏ। ତାର ପ୍ରତ୍ୟେକଟି କଥା ବୁଝେ।

ମାନିକୁ ଲାଗେ ଲିପି ଯେମିତି ତାର କୁନି ମା ଟିଏ। ମା କଣ ମାନି ପିଲାଦିନୁ ଜାଣିନି। ଜେଜି କୁହେ ତାକୁ ଜନ୍ମ ଦେଇ ତା ମା କୁଆଡ଼େ ମରିଗଲା। ସେଥିପାଇଁ ତା ଜେଜିମା ର ରାଗ। ତା ମା ମରିଗଲା ବୋଲି ଜେଜି ଯେତିକି ମନଦୁଃଖ କରେନି , ମନଦୁଃଖ କରେ ଝିଅଟିଏ ଜନ୍ମ କରି କାହିଁକି ମଲା? ପୁଅଟିଏ ଥିଲେ ତା ବଂଶ ଉଦ୍ଧାର କରିଥାନ୍ତା। ମଲାବେଳେ ତା ମୁହଁ ରେ ଟିକେ ପାଣି ଦେଇଥାନ୍ତା। ଆଉ ଝିଅଟା କୋଉ କୂଳକୁ ହେବ? ବରଂ ଘରେ ଯାହା ବି ଅଛି ତାକୁ ଲଣ୍ଡା କରି ବାହାହୋଇ ପର ଘରକୁ ପଳେଇବ।

ମାନିକୁ ତା ବାପା ଭଲ ପାଆନ୍ତି କି ନା ସେ ଜାଣିନି। ସକାଳ ହେଲାମାନେ କଂସେ ତୋରାଣି ପିଇ କାମକୁ ବାହାରନ୍ତି ଆଉ ସଞ୍ଜ ହେଲେ ପେଟେ ମଦ ପିଇ ଘରକୁ ଫେରନ୍ତି। ଆଉ ସିଏ ସ୍କୁଲ ଯିବା ପୂର୍ବରୁ ଘରର ସବୁ ବାସି ପାଇଟି ସାରି ଜେଜି ପାଇଁ ଭାତ ଦିଟା ଫୁଟେଇ ଦିଏ। ସେ ନିଜ ହାତରେ ବାଡ଼ିରେ ବାଇଗଣ, ଟମାଟୋ ଲଗେଇଛି। କୋଉଦିନ ଦିଇଟା ବାଇଗଣ ତ କୋଉଦିନ ଟମାଟୋ ଟାଏ ପୋଡ଼ି ଗୋଟିଏ ଗିନାରେ ଚୋପା ଛଡେଇ ଜେଜି ପାଇଁ ରଖିଦିଏ। ରସୁଣ ଦୁଇ କୋଲା ରଖିବାକୁ ସେ କେବେ ଭୁଲେନି। ସେ ଜାଣେ ଜେଜିର ଚକଟାରେ ରସୁଣ ନିହାତି ଦରକାର। ସ୍କୁଲ ଗଲାବେଳେ ନିଇତି ଜେଜିକୁ ମୁଣ୍ଡିଆ ମାରି ଯାଏ।

ସନ୍ଧ୍ୟା ହେଲେ ବାପା କାମରୁ ଫେରିଲେ ଅଗଣାରେ ପଡିଥିବା ଦଉଡ଼ିଆ ଖଟରେ ଚିତ୍ ହୋଇ ଶୋଇ ପଡନ୍ତି। ଖଟରୁ ତଳକୁ ଲମ୍ବିଥିବା ଗୋଡ଼ ଦିଟାକୁ ଖଟ ଉପରକୁ ଉଠେଇଦିଏ। ଭାତରେ ଦିଟା ଆଳୁ ଚକଟି ବାପାଙ୍କୁ ଖୁଆଇ ଦିଏ। ବାପା ଶୋଇଥିବା ଅବସ୍ଥାରେ ଖାଇ ଦିଅନ୍ତି। କିଛି ଜାଣି ପାରନ୍ତି କି ନାହିଁ ସେ ନିଜେ ବି ଆଜିଯାଏ ବୁଝି ପାରେନି କିନ୍ତୁ ପ୍ରତିଦିନ କିଛି ଟଙ୍କା ଘରେ ଥିବା ଟ୍ରଙ୍କ ଉପରେ ରଖିଦେଇ ଯାଆନ୍ତି। ଯେଉଁଥିରେ କି ସେ ଚାଉଳ, ଡାଲି ଆଦି ଦରକାରୀ ମୁତାବକ ଜିନିଷ ଲିପି ବାପାଙ୍କ ଦୋକାନରୁ କିଣେ। ଲିପି ବାପା ବୁଢ଼ା ହେଇଗଲେଣି ବୋଲି ତା ବଡଭାଇ ଦୋକାନରେ ବସନ୍ତି। ଆଉ ତା ଭାଇ ମାନିକୁ ଭାରି ଭଲ ପାଆନ୍ତି। ତାକୁ ଦେଖିଲାମାନେ ପାଖକୁ ଡାକି କୋଳରେ ବସେଇ ନିଜ ସାନ ଭଉଣୀ ପରି ଗେଲ କରନ୍ତି। ତାକୁ ଚକୋଲେଟ ଦିଅନ୍ତି। କେବେ କେବେ ବିସ୍କୁଟ ବି ଦିଅନ୍ତି, କିନ୍ତୁ କାହିଁକି କିଜାଣି ତାକୁ କୁହନ୍ତି ତାଙ୍କ ଆଗରେ ହିଁ ସବୁ ଖାଇ ଶେଷ କରିବାକୁ। ମାଗଣାରେ ଏସବୁ ଦେଇଛନ୍ତି ବୋଲି କାହାକୁ ନ କହିବାକୁ।

ଆଜି ସ୍କୁଲରେ ପାଠ ଟିକେ ବେଶୀ ଦିଆ ହୋଇଥିଲା। ତାକୁ ସାରୁ ସାରୁ କେତେବେଳେ ସନ୍ଧ୍ୟା ହୋଇଗଲା ମାନି ଜାଣି ପାରିଲାନି। ଆଉ ଟିକେ ପରେ ବାପା ଆସିଯିବେ। ଘରେ ଆଳୁ ଗୋଟେ କି ସୋରିଷ ତେଲ ଟୋପେ ବି ନାହିଁ। ସେ ତା ବାପାଙ୍କୁ କଣ ଖାଇବାକୁ ଦେବ? ତେଣୁ ତରତର ହୋଇ ଦୋକାନକୁ ବାହାରିଲା।

ଦୋକାନରେ ପହଂଚିଛି ତ ଲିପିର ଭାଇ ସବୁଦିନ ପରି ତାକୁ କୋଳରେ ବସିବାକୁ କହିଲେ। ତା ପିଠି ସାରା ତା ନିଜ ହାତ ଘୁରେଇବାକୁ ଲାଗିଲେ। ତା ପାଟିରେ ଦୋକାନରେ ଥିବା ସବୁଠାରୁ ଦାମୀ ଚକୋଲେଟ ଟି ପୁରେଇ କହିଲେ - "ଆଜି ମୁଁ ତୋ ସହିତ ଗୋଟିଏ ଖେଳ ଖେଳିବି। ଆଉ ଏମିତି କା ସୁଆଦିଆ ଦଶ ଟା ଚକୋଲେଟ ଦେବି କିନ୍ତୁ ତୁ ଏଠି କଣ ହେଲା କାହାକୁ କିଛି କହିବୁନି"।

ଏହା କହି ଦୋକାନର ଦୁଆର ଓ ବତୀ ଦୁଇଟାଯାକ ବନ୍ଦ କରିଦେଲେ। ମାନି କିଛି ବୁଝି ପାରୁନଥିଲା ତା ସହିତ କଣ ହେଉଛି, କିନ୍ତୁ ସେ ଜାଣି ପାରିଥିଲା ଯାହା ବି ହେଉଛି କିଛି ଠିକ ହେଉନି। ସେ ନିଜକୁ ବଞ୍ଚେଇବା ପାଇଁ ଚିତ୍କାର କରିବାକୁ ଲାଗିଲା। ହେଲେ ଲିପି ଭାଇର ଶକ୍ତ ହାତ ଦୁଇଟି ତା ପାଟିକୁ ଚାପି ଧରିଲେ। ମାନି ତଥାପି ହାର ନ ମାନି ନିଜକୁ ରକ୍ଷା କରିବା ପାଇଁ ଆପ୍ରାଣ ଚେଷ୍ଟା ଚଲେଇଥିଲା ଯାହାକି ବୁଦବୁଦ ପରି ଶୁନ୍ୟରେ ମିଳେଇ ଯାଉଥିଲା।

ହଠାତ୍ ଲିପିର ଭାଇ ଜୋର୍ ରେ ଚିତ୍କାର କରିବାକୁ ଲାଗିଲେ। ମରିଗଲି- ମରିଗଲି ମାନି ଦେଖିଲା ଲିପି ହାତରେ ଗୋଟିଏ ବଡ଼ ଠେଙ୍ଗା ଧରି ନାଗୁଣୀଙ୍କ ପରି ଫଁ ଫଁ ହେଉଛି। ଲିପି କହିଲା- ମାନି ତୁ ଜମା ଡରେନି। ମୋ ପାଖକୁ ଚାଲିଆ। ତୁ ମୋ ସାନ ଭଉଣୀ ହୋଇ ମୋତେ ମାରିଲୁ। ତୋ ମୁହଁକୁ ଟିକିଏ ଲାଜ ମାଡୁନି। ତୁ ଏ ଘରକୁ ଆସିଲୁ କେମିତି? ମୁଁ ତ ବାଟ ବନ୍ଦ କରି ଦେଇଥିଲି। ଲିପିର ଭାଇ କହିଲେ।

ଲିପି କହିଲା- ତୁମେ ଆଗ ଆଡୁ କବାଟ ବନ୍ଦ କରି ଦେଇଥିଲ କିନ୍ତୁ ଘର ଭିତର ପଟୁ କବାଟ ଟି ବନ୍ଦ କରିବାକୁ ଭୁଲି ଯାଇଥିଲ।

ଲିପି ଭାଇ - ସେ ଯାହା ବି ହେଉ ତୋ ମୁହଁକୁ ଲାଜ ସରମ ଅଛି କି ନାହିଁ? ସାନ ଭଉଣୀ ହୋଇ ବଡ଼ଭାଇ କୁ ମାଡ଼ ମାରୁଛୁ? ତୋତେ ଏଥିପାଇଁ ମୁଁ ଏତେ ସ୍ନେହ କରେ? ତୋର ପ୍ରତ୍ୟେକ ଟି ଅଳିକୁ ପୂରଣ କରେ। ତୋ ଖୁସି ପାଇଁ ବାପା ମାଙ୍କ ସହିତ କେତେ ଝଗଡ଼ା କରେ ଆଉ ତୁ ଏଇ ସାମାନ୍ୟ ଝିଅଟି ପାଇଁ ମୋତେ ମାରିଲୁ?

ଲିପି କହିଲା- ଭାଇ ତୁମେ ମାନି ସହିତ ଯାହା କରିବାକୁ ଯାଉଥିଲ ତୁମେ ତାହା ମୋ ସହିତ କରି ପାରିବ?

ଲିପି ଭାଇ- ଚୁପ୍ କର ବଦମାସ। ବଡ଼ଭାଇ ସହିତ କିପରି କଥା ହୁଅନ୍ତି ଜାଣିନୁ? କୋଉ ଭାଇ କେବେ ନିଜ ସାନ ଭଉଣୀ ସହିତ ଏପରି ଘୃଣ୍ୟ କାମ କେବେ କଲାଣି?

ଲିପି- ଓହୋ ଭାଇ ନିଜ ସାନ ଭଉଣୀ ସହିତ ଏପରି କରନ୍ତିନି କିନ୍ତୁ ନିଜ ସାନ ଭଉଣୀର ସାଙ୍ଗ ସହିତ ଏପରି କୁସ୍ଛିତ କାମ କଲାବେଳେ ତୁମକୁ ତୁମ ବିବେକ ବାଧା ଦେଲାନି।

ଲିପିର ପାଟି ଶୁଣି ଗାଁ ଲୋକ ସବୁ ଗଦା ହେଇଗଲେ ତା ସହିତ ଲିପିର ବାପା, ମାନିର ବାପା ଓ ଜେଜେମା।

ଠାକୁରଙ୍କୁ କେତେ ଡାକିଥିଲି ମୋ ପୁଅର ପୁଅଟିଏ ହେଉ ବୋଲି। ପୁଅଟିଏ ହୋଇଥିଲେ କଣ ଏସବୁ ଦେଖିବାକୁ ପଡ଼ିଥାନ୍ତା? ପୁଅ ପିଲା ପିତ୍ତଳ ମାଠିଆ। ମାଜି ଧୋଇ ଦେଲେ ଚକଚକ କରିବ। ଝୁଅପିଲା ମାଟି ହାଣ୍ଡି। ଟିକିଏ ଚଡକି ଗଲେ ବି ଫୋପଡ଼ା ହେବ। ମୁଁ ଏଇନା କଣ କରିବିଲୋ ମା। ଏତେସବୁ କାଣ୍ଡ କରି ସାରିଲା ପରେ ଏ ମାନି ଛତରଖାଇକୁ ଘରେ କେମିତି ପୁରେଇବି? ଏହା କହି ଜେଜିମା ଗାଁ ଦାଣ୍ଡକୁ ଉଚ୍ଛନ୍ନ କରିବାକୁ ଲାଗିଲେ।

ମାନିର ଇଜ୍ଜତରେ କଳଙ୍କର ଟୀକା ଲାଗି ସାରିଲାଣି। ଏମିତି ବି ସେ ତାଙ୍କର କୌଣସି କାମରେ ଆସୁନଥିଲା। ପୁଅଟିଏ ହେଇଥିଲେ ରୋଜଗାର କରି ଘରର ଦାୟିତ୍ୱ ନେଇଥାନ୍ତା। ଯେହେତୁ ମାନି ଝିଅ , ତା ଚରିତ୍ରରେ ଦାଗ ଲାଗିସାରିଲାଣି ତେଣୁ ତାର ବଞ୍ଚିବାର ଅଧିକାର ନାହିଁ , ବରଂ ସେ କୂଅ କି ପୋଖରୀକୁ ଡେଇଁ ନିଜ ଜୀବନ ହାରିଦେବା ଉଚିତ ବୋଲି ମାନିର ବାପା ଏକଥା କହିବାକୁ ପଛଘୁଞ୍ଚା ଦେଲେନି।

ଲିପି ଏସବୁ ଦେଖି ନିଜକୁ ରୋକି ପାରିଲାନି। ଲିପିବାପାଙ୍କ ହାତ ଦିଟା ଭିଡ଼ ମଧ୍ୟରୁ ଟାଣି ଆଣି ନାଗୁଣି ପରି ଗର୍ଜି କହିଲା - ଠିକ କହିଛନ୍ତି ମଉସା। ମାନି ବଞ୍ଚିକି କୋଉ କାମରେ ଆସୁଥିଲା? ନିଇତି ଟାଙ୍କିଏ ମଦ ପିଇ ଘରକୁ ଫେରି ବେହୋସ ହୋଇକି ଯୋଉ ପଡ଼ି ଯାଉଥିଲ ତୁମର କୋଉ ପୁଅ ଆସି ତୁମ ପାଟିରେ ଭାତ ଗୁଞ୍ଜୁଥିଲା? ଆଉ ଜେଜି ଯୋଉ ପୁଅ ପୁଅ ବୋଲି ଚିତ୍କାର କରୁଛ କୋଉ ନାତି ତୁମକୁ ବଞ୍ଚେଇ ରଖିଛି? ମାନି ଯଦି ତୁମକୁ ରୋଷେଇ କରି ଖାଇବାକୁ ନ ଦିଅନ୍ତା , ରୋଗ ବଇରାଗ ରେ ପଡିଲା ବେଳେ ସେବା ନ କରନ୍ତା କୋଉ ଦିନଠୁ ଫୁରରୁ ହୋଇ ସ୍ୱର୍ଗକୁ ଉଡ଼ି ଯାନ୍ତଣି। କଣ କହିଲନା ପୁଅ ପିତ୍ତଳ ମାଠିଆ। ଘଷି ମାଜିଦେଲେ ସଫା ହୋଇଯିବ। ମନେରଖ ଖାଲି ଝିଅ କଣ ଆମେ ସମସ୍ତେ ମାଟି ହାଣ୍ଡି। ମରିଗଲେ ସବୁ ଏଇ ମାଟିହାଣ୍ଡି ପରି ମାଟିରେ ମିଶିଯିବା।

--ହେଇ ଦେଖ ପୁଅ ପୁଅ ହେଉଥିଲ ପରା। ମୋ ନିଜ ପୁଅର କର୍ତ୍ତୃତ୍ୱ ଦେଖ। ମୋ ବଂଶର ମଉଡମଣି। ମୋ କୂଳର ଦୀପକ ଆଜି ମୋ ବଂଶର ଆଭିଜାତ୍ୟ, ମର୍ଯ୍ୟାଦା କୁ ମାଟିରେ ମିଶେଇ ଦେଲା, କିନ୍ତୁ ଲିପି ମୋ ଝିଅ ମୋ କୂଳର ଗୌରବ କୁ ରକ୍ଷା କରିଲା। କିଛି ଅଘଟଣ ଘଟିବା ପୂର୍ବରୁ ମାନି କୁ ଏତେ ବଡ଼ ବିପଦରୁ ଉଦ୍ଧାର କରିଲା। କଣ ଠିକ କହିଲି ନା ମାନିର ବାପା। ମୋ ପୁଅର ଏ କଦର୍ଯ୍ୟ ବ୍ୟବହାର ପାଇଁ ମୋତେ କ୍ଷମା କରିଦେବେ। ମୋର ଶିଖେଇଥିବା ସଂସ୍କାରରେ ବୋଧେ କିଛି ଭୁଲ ରହିଗଲା। ଆଜିଠୁ ଖାଲି ଲିପି ନୁହେଁ ମାନି ବି ମୋ ଝିଅ। ସେ ମୋ ପାଖରେ ରହିବ। ମୁଁ ତାର ପାଠପଢ଼ା ସହିତ ସମସ୍ତ ଦାୟିତ୍ୱ ନେବି। ଏମିତି ତ ତୁମକୁ ଝିଅ ଦରକାର ନ ଥିଲା ତେଣୁ ମୁଁ ମାନି କୁ ମୋ ପାଖରେ ରଖୁଛି ଆଉ ଏ କୁଳାଙ୍ଗର କୁ ପୋଲିସ କୁ ଦେଇଦେବି। ସେ ନିଜ କୃତକର୍ମ ର ପ୍ରାୟଶ୍ଚିତ୍ତ କରିବ। ଲିପିର ବାପା କହିଲେ।

ମାନିବାପାଙ୍କ ଆଖିରୁ ପରସ୍ତ ପରସ୍ତ କରି ଜମାଟ ବାନ୍ଧିଥିବା ପରଦା ଗୁଡ଼ିକ ହଟିବାକୁ ଲାଗିଲା। ଯେଉଁ ଝିଅ ଛୋଟବେଳୁ ମା ପରି ତାଙ୍କର ସେବା ଯତ୍ନ କରି ଆସିଛି, ନିଜେ ଏତେ ହତାଦର ହେଉଥିଲେ ମଧ୍ୟ ସେସବୁକୁ ଭୃକ୍ଷେପ ନ କରି ନିଜ ବୁଢ଼ୀ ଜେଜେମା ଓ ମଦୁଆ ବାପର ସମସ୍ତ ଭାର ହସି ହସି ବୋହି ଆସୁଛି ସେ ସେଇ ଲକ୍ଷ୍ମୀପ୍ରତିମାକୁ ପୁଅଟିଏ ପାଇଁ ଆଜିଯାଏ ପାଦରେ ଆଡ଼େଇ ଆସିଛନ୍ତି।

ଆଜିଠୁ ତୁ ମୋ ମା, ମୁଁ ତୋ ବୁଢ଼ା ପୁଅ। ଏ ଅଶିକ୍ଷିତ, ମଳିମୁଣ୍ଡିଆ ବୁଢ଼ା ପୁଅଟି ତା କୃତକର୍ମର ପ୍ରାୟଶ୍ଚିତ୍ତ କରିବାକୁ ଚାହୁଁଛି। ତୁ ତାକୁ ତୋ ଇଚ୍ଛା ମୁତାବକ ଦଣ୍ଡ ଦେ ଲୋ ମା କହି ମାନି ବାପା ମାନିର ଗୋଡ଼ ତଳେ ପଡିଗଲେ।

ମାନି ବାପାଙ୍କୁ କୁଣ୍ଢେଇ ଧରିଲା। ଦୁହିଁଙ୍କ ନୟନରୁ ଅବାରିତ ଅଶ୍ରୁଧାରା ବହି ଚାଲିଲା ଓ ଭସାଇ ନେଲା ଯେତେ ସବୁ ମାନ ଅଭିମାନ, ରାଗ ରୁଷା।

ମୋ ଧନଲୋ, ମୋ ସୁନାଲୋ କହି ଜେଜିମା ମଧ୍ୟ ମାନିକୁ ନିଜ କୋଳକୁ ଟାଣିନେଇ ତା ସର୍ବାଙ୍ଗକୁ ଚୁମିବାକୁ ଲାଗିଲେ।

(ବିସ୍ମିତା ରାଣୀ ସାହୁ)

ମାର୍ଫତ:- ସଞ୍ଜୟ କୁମାର ସାହୁ

ମଦନ ମୋହନ ପଡ଼ା

ଅନୁଗୁଳ-୭୫୯୧୨୨

ମାନି ସ୍ନେହ ବାପା

Rate the content


Originality
Flow
Language
Cover design

Comments

Post

Some text some message..