Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -133
ଜହ୍ନମାମୁଁ -133
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   6.9K    12


Content Ranking

କନକ ସୁନ୍ଦରୀ - ୧

ନିଶା ଗରଜୁଥାଏ । ତୁହାକୁ ତୁହା ବର୍ଷା ଓ ବଜ୍ରଧ୍ୱନି ମଝିରେ ଶ୍ୱାନଶ୍ୱାପଦଙ୍କ ରଡି ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ବୃକ୍ଷରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ, ତାକୁ ସେ ତାଙ୍କ କାନ୍ଧରେ ପକାଇ ଶୂନ୍ଶାନ୍ ଶ୍ମଶାନପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ବେତାଳ କହିଲା, “ରାଜା! ତମେ ଯେ ନିଶାର୍ଦ୍ଧରେ ଏଭଳି ବିପଜ୍ଜନକ କାମ ହାତକୁ ନେଇଛ, ଏହା ପଛରେ ନିଶ୍ଚେ କାହାରି ପରାମର୍ଶ ରହିଛି । ସେ ଲୋକର ପ୍ରଭାବ ତମ ଉପରେ କେତେଦୂର ତା ତ ମୁଁ ଜାଣେନା । ଅନେକ ସମୟରେ ପ୍ରଭାବଶାଳୀ ମନ୍ତ୍ରୀଙ୍କ ପ୍ରଭାବ କଟାଇବା ରାଜାମାନଙ୍କ ପକ୍ଷରେ କଠିନ ବୋଲି ଦେଖାଯାଇଛି । ତୁମକୁ ଗୋଟାଏ ଦୃଷ୍ଟାନ୍ତ ଦେଉଛି, ମନଦେଇ ତାହା ଶୁଣ । ଶୁଣିଲେ ଶ୍ରମଭାର ଲାଘବ ହେବ ।”

ଏହାପରେ ସେ ବେତାଳ ଗପିଲା: ଅନେକ ଦିନ ତଳର କଥା । ଯଶୋବନ୍ତପୁର ରାଜ୍ୟର ରାଜା କୂଳଦୀପ ଜଣେ ବିଜ୍ଞ ଶାସକ ଥିଲେ । ତାଙ୍କ ସୌଭାଗ୍ୟକୁ ତାଙ୍କୁ ଏପରି ଜଣେ ମନ୍ତ୍ରୀ ଜୁଟିଥିଲେ, ଯିଏ କି ଏକାଧାରେ ବୁଦ୍ଧିମାନ ତଥା ଦୂରଦର୍ଶୀ ମଧ୍ୟ ଥିଲେ । ରାଜା ଓ ମନ୍ତ୍ରୀଙ୍କ ଭିତରେ ଗଭୀର ସଖ୍ୟ ଥିଲା । ଦୁହେଁ ପରସ୍ପରକୁ ଠିକ୍ ଭାବରେ ବୁଝୁଥିଲେ ।

ରାଜା କୂଳଦୀପ ବୃଦ୍ଧ ହେବା ସଙ୍ଗେ ସଙ୍ଗେ ଗୋଟାଏ କଠିନ ବେମାରରେ ବି ପଡିଲେ । ସେ ବୁଝିପାରିଲେ ଯେ ତାଙ୍କର ଆଉ ବେଶିଦିନ ବଂଚିବାର ନାହିଁ । ସେ ଯୁବରାଜ ରବିଚନ୍ଦ୍ରଙ୍କୁ ଡାକି ଏକାନ୍ତରେ କହିଲେ, “ବାପା, ମୁଁ ପରପାରିକୁ ଚାଲିଲି । ପ୍ରଜାକୂଳଙ୍କ ହିତ ପାଇଁ ମୁଁ ଯାହା ପାରିଛି କରିଛି । ତୁମ୍ଭେ ସେହି ପରମ୍ପରାକୁ ଆଦୌ ଟଳିବ ନାହିଁ । ତୁମ୍ଭ ପାଇଁ ମୁଁ ଗୋଟିଏ ଦୁର୍ଲଭ ସମ୍ପଦ ଛାଡି ଯାଉଛି । ତାହା ରାଜ୍ୟ ନୁହେଁ, କି କୌଣସି ଗନ୍ତାଘର ବି ନୁହେଁ, ମନ୍ତ୍ରୀ ସୁକୀର୍ତ୍ତି । ସେ ଯେଯାଏଁ ଜୀବିତ ଅଛନ୍ତି, ତାଙ୍କ ପରାମର୍ଶ ମାନି ଚଳିବ ।”

ଏହା କହିବାର ଅଳ୍ପ ସମୟ ଭିତରେ ସେ ରାଜାଙ୍କର ମୃତ୍ୟୁ ହେଲା । ପ୍ରଥା ଅନୁସାରେ ରବିଚନ୍ଦ୍ର ସଙ୍ଗେ ସଙ୍ଗେ ସିଂହାସନରେ ବସି ପିତାଙ୍କ ସତ୍କାରର ସବୁ ପ୍ରକାର ବ୍ୟବସ୍ଥା କଲେ । ତା’ପରେ ବିଧିବଦ୍ଧ ଭାବରେ ତାଙ୍କର ଅଭିଷେକ ହେଲା । ଅଭିଷେକ ପରେ ପରେ ନୁଆ ରାଜା ତାଙ୍କ ମନୋନୀତ ମନ୍ତ୍ରୀଙ୍କ ନାମ ଘୋଷଣା କରିବା କଥା । ରାଜା ରବିଚନ୍ଦ୍ର ସୁକୀର୍ତ୍ତିଙ୍କୁହିଁ ତାଙ୍କ ମନ୍ତ୍ରୀ ରୂପେ ଘୋଷଣା କଲେ ।

କିଛିଦିନ ଗଲା । ଦିନେ ରାଜା ମନ୍ତ୍ରୀଙ୍କୁ ଗୋପନରେ କହିଲେ, “ମନ୍ତ୍ରୀବର, ଆମ ପଡୋଶୀ ରାଜ୍ୟ ସୋମଗଡର ରାଜା ଜୟପାଳ କ୍ରମେ ବେଶି ବେଶି ଶକ୍ତି ସଂଚୟ କରୁଛନ୍ତି । ଆମେ ତାଙ୍କୁ ଆକ୍ରମଣ କରି କାବୁ କରିଦେବା ଠିକ୍ ହେବ ନାହିଁକି?”

ମନ୍ତ୍ରୀ ନୀରବରେ କିଛିକ୍ଷଣ ଚିନ୍ତା କରି କହିଲେ, “ମହାରାଜ, ବର୍ତ୍ତମାନ ଆମେ ଯୁଦ୍ଧଯାତ୍ରା କରିବା ନାହିଁ ।”

ରାଜା ପ୍ରଶ୍ନ କଲେ “କାହିଁକି?”

ମନ୍ତ୍ରୀ ସୁକୀର୍ତ୍ତି କହିଲେ “ଜୟପାଳ ଆମର କ୍ଷତି କରିବାକୁ ଚାହାଁନ୍ତି ବୋଲି କୌଣସି ପ୍ରମାଣ ଆମ ପାଖରେ ନାହିଁ । ତେଣୁ ତାଙ୍କ ରାଜ୍ୟ ଆକ୍ରମଣ କରିବାର ଏକମାତ୍ର ଯୁକ୍ତି ତାକୁ ଅଧିକାର କରିବା । ଆମେ ଯଦି ପରାସ୍ତ ହେବା, ତେବେ ଆମର ସେହି ଦୁର୍ବଳତାର ସୁଯୋଗ ନେଇ ଅନ୍ୟ ଯେ କୌଣସି ରାଜ୍ୟ ଆମକୁ ଆକ୍ରମଣ କରି ବିପର୍ଯ୍ୟସ୍ତ କରିଦେବ ।”

ମନ୍ତ୍ରୀଙ୍କ ଏଭଳି ଯୁକ୍ତି ସେ ରାଜାଙ୍କୁ ମୋଟେ ଭଲ ଲାଗିଲା ନାହିଁ । ତେବେ ପିତାଙ୍କ ଉପଦେଶ ମନେ ପକାଇ ସେ ତାଙ୍କ ପରାମର୍ଶ ଗ୍ରହଣ କଲେ ଓ ଅଭିଯାନରୁ କ୍ଷାନ୍ତ ହେଲେ ।

କେଇଦିନ ପରେ ଥରେ ସେ ଶୀକାର କରିବାକୁ ବାହାରିଛନ୍ତି, ମନ୍ତ୍ରୀ କହିଲେ, “ମହାରାଜ, ଆଜି ବଣକୁ ଯା’ନ୍ତୁ ନାହିଁ ।”

ରାଜାଙ୍କ ଉତ୍ସାହରେ ଭଟ୍ଟା ପଡିଗଲା । ସେ ଆଶ୍ଚର୍ଯ୍ୟ ଓ ସାମାନ୍ୟ ବିରକ୍ତ ହୋଇ ପଚାରିଲେ, “କାହିଁକି ଯିବି ନାହିଁ?”

ମନ୍ତ୍ରୀ କହିଲେ “ମେଘ ଓ ପବନର ଗତିରୁ ମନେହୁଏ ଚାରିଘଂଟା ଭିତରେ ଘୋର୍ ବର୍ଷା ହେବ । ଆଉ ତାଛଡା ସେ ବଣ ପାଖରେ ଆଶ୍ରୟ ନେଲାଭଳି ସେମିତି କୌଣସି ସ୍ଥାନ ବି ନାହିଁ । ତାପରେ ବର୍ଷାରେ କ’ଣ ବା ଶୀକାର କରିବେ?”

ରବିଚନ୍ଦ୍ର ତାଙ୍କ ଅନିଚ୍ଛା ସତ୍ତ୍ୱେ ପ୍ରାସାଦ ଭିତରକୁ ଫେରିଗଲେ । କିନ୍ତୁ ପାଞ୍ଚଘଂଟା ବିତିଯିବା ସତ୍ତ୍ୱେ ମଧ୍ୟ ବର୍ଷା ନ ହେବାରୁ ସେ ମନ୍ତ୍ରୀଙ୍କୁ ଡକାଇ କହିଲେ, “ଆପଣ ମୋ ଶୀକାର ଯିବା ବନ୍ଦ କଲେ । ଅଥଚ ବର୍ଷା ହେଲା ନାହିଁ ।”

ମନ୍ତ୍ରୀ କହିଲେ, “ମହାରାଜ, ମୋ ଜ୍ଞାନ ବୁଦ୍ଧି ଅନୁସାରେ ମୁଁ ଯାହା ଠିକ୍ ଭାବିଲି କହିଲି । ମୁଁ ଯେ ସର୍ବଦା ନିର୍ଭୁଲ ପ୍ରମାଣିତ ହେବି ବୋଲି କହିପାରିବି ନାହିଁ । ତେବେ ବର୍ଷା ସିନା ରାଜଧାନୀରେ ହୋଇ ନାହିଁ, ବଣ ମୁଲକରେ ହୋଇଥିବ ବୋଲି ମୋର ବିଶ୍ୱାସ ।”

ରାଜା ବଣ ମୁଲକକୁ ଲୋକ ପଠାଇ ଖବର ନେଲେ । ବାସ୍ତବିକ୍ ବଣରେ ଭୀଷଣ ବର୍ଷା ହୋଇଯାଇଥିଲା । ପାହାଡିଆ ନଈ ଉଛୁଳୁଥିଲା ।

ତେଣିକି ସେ ରାଜା ମନ୍ତ୍ରୀଙ୍କ କଥା ଉପରେ ଆଉ କେବେବି କଥା କହନ୍ତି ନାହିଁ ।

ବଜ୍ରଧ୍ୱନି ବିଜୁଳି ଲାଘବ

Rate the content


Originality
Flow
Language
Cover design

Comments

Post

Some text some message..