Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Mishra

Tragedy

4.2  

Lalita Mohan Mishra

Tragedy

ପର୍ସ

ପର୍ସ

4 mins
864


ଭୁବନେଶ୍ବରରେ ସାଢେ ଆଠଟା ସୁଦ୍ଧା ପହଞ୍ଚି ବାର ଅଛି ।ବସ୍ ଷ୍ଟାଣ୍ଡକୁ ଆସୁ ଆସୁ ଛଅଟା ବାଜି ଗଲାଣି ।ଶୀତ ଦିନ, ଶୀତରେ ଉଠିବାକୁ ମନ ହେଉ ନ ଥାଏ କଣ କରିବି ? ଆଜି ଯଦି ସଚିବାଳୟ ନ ଯିବି ତାହା ହେଲେ କାମଟି ହେବ ନାହିଁ ତେଣୁ ଯାହା ହେଉନା କାହିଁକି ଶୀତରେ ଗାଧୁଆ ପାଧୁଆ ହୋଇ ନିତ୍ୟ କର୍ମ ସାରୁ ସାରୁ ଡେରି ହୋଇଗଲା । ନୟାଗଡରୁ ଭୁବନେଶ୍ଵର ଦୁଇ ଘଣ୍ଟାରୁ ଅଢେଇ ଘଣ୍ଟା ଲାଗେ ବସ୍ ରେ ଯିବା ପାଇଁ । ବସ୍ ଟି ଠିକ୍ ଛଅଟା ପନ୍ଦରରେ ବସ୍ ଷ୍ଟାଣ୍ଡରୁ ଛାଡ଼ିଲା ।ସମସ୍ତ ଯାତ୍ରୀ ଶୀତବସ୍ତ୍ର ପରିଧାନ କରିଥାନ୍ତି ତଥାପି କଣ୍ଡକ୍ଟରର ସାଇଡ୍ ଡୋର୍ ରୁ ପବନ ଆସି ଶୀତ ଶୀତ ଲାଗୁଥାଏ ।

ସୋମବାର ସାଧାରଣତଃ ବସ୍ ଭିଡ, କାରଣ ଶନିବାର ଦିନ କର୍ମଚାରୀ ମାନେ ଯେ ଯାହାର ଘରକୁ ଆସିଥାନ୍ତି । ମୋତେ ଗୋଟେ ସିଟ୍ ମିଳି ଯାଇଥାଏ । ମୋ ପାଖରେ ଜଣେ ଭଦ୍ରବ୍ୟକ୍ତି ବସିଥାନ୍ତି ବୋଧହୁଏ କେଉଁ ଅଫିସ୍ ରେ କାର୍ଯ୍ୟ କରୁଛନ୍ତି । ଭିଡ ଭିତରେ ମୋର ପାଖରେ ମନିପର୍ସଟିଏ ପଡି ଥିବାର ଦେଖିଲି, ଉଠାଇ ଦେଖିଲି କିଛି ଟଙ୍କା ଏବଂ ଅନ୍ୟାନ୍ୟ କିଛି କାଗଜ ଥିବାର ଅନୁମାନ କଲି ।

କଣ୍ଡକ୍ଟରକୁ ଡାକି ମନିପର୍ସଟି ଦେଇଦେଲି ଏବଂ କହିଲି କେଉଁ ଭଦ୍ରବ୍ୟକ୍ତିର ହୋଇଥିବ ପଚାରି ବୁଝି ଦେଇଦିଅନ୍ତୁ ସେ କାହିଁକି ହଇରାଣ ହେବେ ପରେ ।

କଣ୍ଡକ୍ଟର ବଡ ପାଟିରେ ସମସ୍ତଙ୍କୁ ପଚାରିଲା, କିଛି ସମୟ ପରେ ଜଣେ ବୟସ୍କ ବ୍ୟକ୍ତି କହିଲେ ମୋର ମନିପର୍ସଟି।

କଣ୍ଡକ୍ଟର ପଚାରିଲେ ମଉସା ଆପଣଙ୍କର ଏ ମନିପର୍ସ ବୋଲି ଆମେ କେମିତି ଜାଣିବୁ ?

ବୃଦ୍ଧ ଜଣକ ଉତ୍ତର ଦେଲେ..ବିଶ୍ବାସ ଖୋଜୁଛି ଆତ୍ମାର ପ୍ରତ୍ୟୟ, ଅବିଶ୍ଵାସ ମାପେ କେତେ ପୂଣ୍ୟ କେତେ ପାପ ତାର ପରିସୀମା । ତୁମେ ଯଦି ବିଶ୍ବାସ କରିବ ତାହାହେଲେ କହିବି...

ବୃଦ୍ଧ ଜଣକ ଉତ୍ତର ଦେଲେ ମନିପର୍ସରେ ସେମିତି କିଛି ନାହିଁ । କିଛି ଟଙ୍କା ଆଉ ମୋର କାଳିଆର ଫଟୋଟିଏ ।

ମଉସା ମନିପର୍ସରେ ତ ସମସ୍ତେ କାଳିଆର ଫଟୋ ରଖିଥିବେ ?

ବୃଦ୍ଧ ଜଣକ ଉତ୍ତର ଦେଲେ ତୁମେ ମୋ ଭାବନାର ପରିପନ୍ଥୀ ମୁଁ କଳ୍ପନାର କିମ୍ବଦନ୍ତୀ । ତୁମେ ନିରୁପାୟ ପ୍ରତାରଣା ମୁଁ ବିଶ୍ବାସେ ବାଟବଣା । ତୁମେ ମନତଳ ଅନୁଭବ। ମୁଁ ପ୍ରତ୍ୟାଶାର ବୃଥା ଲୋଭ । ତୁମେ ଅସରନ୍ତି ମରୁଭୂମି ମୁଁ କ୍ଳାନ୍ତ, ଶ୍ରାନ୍ତ ପଥଗାମୀ ।

ବୟସ୍କ ବ୍ୟକ୍ତି ଜଣକ କହିଲେ...... ମୁଁ ଯେତେବେଳେ ହାଇସ୍କୁଲରେ ପାଠ ପଢୁଥିଲି । ମୋର ବାପା କାଳିଆ ଠାକୁର ଫଟୋ ଥାଇ ଏ ମନିପର୍ସଟି ମୋତେ ଦେଇ କହିଥିଲେ....ଠାକୁର ବିପଦ ଆପଦରେ ସାହା ଭରସା ହେବେ ।

ଯେତେବେଳେ ମୋର ଭଲ ଭାବରେ ଜ୍ଞାନ ଉଦୟ ହେଲା ଏବଂ ବିଭିନ୍ନ ଶାସ୍ତ୍ରରୁ ପଢିଲି...... ବାପା ମାଆ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା ।ପିତରି ପ୍ରିତିମାପ୍ନୋତି.....

ବାପା ମାଆ ପ୍ରତ୍ୟକ୍ଷ ଦେବତା ଜାଣିବା ପରେ କାଳିଆ ଠାକୁରଙ୍କ ଉପରେ ବାପା ମାଆଙ୍କର ଫଟୋଟି ଲଗାଇ ଦେଲି ଏଥର ପର୍ସ ଖୋଲିଲେ ବାପା ମାଆ ଯେତେ ଦୂରରେ ଥିଲେ ମଧ୍ୟ ପାଖରେ ଥିବା ପରି ଅନୁଭବ ହୁଏ ।

ଯେତେବେଳେ ମୁଁ +3 ପଢୁଥାଏ ମୋତେ ପ୍ରାୟ ସମସ୍ତେ ସୁନ୍ଦର ଦିଶୁଛୁ ବୋଲି କହିଲେ । ମୋର ସୁନ୍ଦରତାକୁ ପ୍ରଶଂସା କଲେ । ମନିପର୍ସରୁ ବାପା ମାଆଙ୍କର ଫଟୋଟି କାଢି ଦେଲି ବାପାମାଆଙ୍କ ସ୍ଥାନରେ ମୋର ଫଟୋଟି ଲଗାଇଦେଲି ।

କିଛିଦିନ ପରେ ମୁଁ ଗୋଟିଏ ଝିଅର ପ୍ରେମରେ ପଡିଗଲି, ଶୟନେ ସ୍ବପନେ ତାକୁ ଝୁରିହେଲି କାହିଁକି ନା ଲୋଭିଲା ମନର ଶେଷ ସଂପଦ ସେ ଚାହୁଁ ଚାହୁଁ ମନ ମୋହେ, ପ୍ରେମର ଡୋରୀରେ ବାନ୍ଧି ରଖିଥିବି ଯୁଗ ଯୁଗାନ୍ତର ଯାଏ । ଜୀବନ ଯୁଦ୍ଧରେ କର୍ମ ଚେତନାର ବିଜୟର ବୈଜୟନ୍ତୀ, ବେଦନା ବିଧୂର ନିରବ ନିଶୀର ଆଶାର ପୂର୍ଣ୍ଣିମା ରାତି। ତାକୁ ମୁଁ ଭଲ ପାଉଥିଲି ତେଣୁ ମୋର ଫଟୋଟି ସେଠାରୁ ହଟାଇ ତାର ଫଟୋଟି ଲଗାଇ ଦେଲି ।

କିଛିଦିନ ପରେ ମୋର ଚାକିରୀ ହେଲା । ମୁଁ ଯାହାକୁ ଭଲପାଉଥିଲି ତାକୁ ବିବାହ କଲି । ଆମ ଦୁହିଁଙ୍କର ଗୋଟିଏ ସୁନ୍ଦର ପୁଅଟିଏ ହେଲା । ପୁଅକୁ ମୁହୂର୍ତ୍ତଟେ ନ ଦେଖିଲେ ମନ ଅସ୍ଥିର ହୋଇ ପଡୁଥିଲା। ଏଥର ସ୍ତ୍ରୀର ଫଟୋଟି କାଢି ଦେଲି ସେହି ସ୍ଥାନରେ ପୁଅର ଫଟୋଟି ମନିପର୍ସରେ ଲଗାଇ ଦେଲି ।

ଯେଉଁମାନେ ମୋ ମନିପର୍ସରେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସ୍ଥାନ ପାଇଛନ୍ତି ସେମାନେ ଧିରେ ଧିରେ ବିଛାଡି ପଡିଛି ସ୍ବପ୍ନର ଫସଲ ଅଜାଡି ଦେଇଛି କୋହ, ଶାନ୍ତି ସ୍ତୁପ ଆଜି ଜରାଜୀର୍ଣ୍ଣ ପ୍ରାୟ ଉଜୁଡା ସମ୍ପର୍କ ମୋହ । ବିଧିର ବିଧାନ କେ କରିବ ଆନ...... ବୟସାଧିକ୍ୟ ଯୋଗୁଁ ବାପାମାଆ ମୋତେ ଛାଡିକରି ଚାଲିଗଲେ ।

କିଛିଦିନ ପରେ ମୋର ସ୍ତ୍ରୀ କର୍କଟ ରୋଗରେ ପିଡିତ ହେଲା , ଦୀର୍ଘଦିନ ସେ ବ୍ୟାଧିରେ କଷ୍ଟ ଭୋଗ କଲା ଶେଷରେ ମୋ ହାତ ଛାଡି ସେ ଚାଲିଗଲା ।

ଅତି ଆନନ୍ଦ ଉଲ୍ଲାସରେ ମୋ ପାଖରେ ରହୁଥିଲେ ପୁଅବୋହୂ। ସେମାନଙ୍କୁ ଏ ଘର ଛୋଟ ଲାଗିଲା ନିଜେ ଘର ତିଆରି କରି ତାଙ୍କ ଘରକୁ ଚାଲିଗଲେ । କାଚ ଆଉ ସମ୍ପର୍କ ଦୁଇଟି ଯାକ ଜିନିଷ ଏକାଭଳି, କାଚ ସବୁବେଳେ ଭୁଲରେ ହାତରୁ ଖସି ଭାଙ୍ଗିଥାଏ ଆଉ ସମ୍ପର୍କ ଭୁଲ ବୁଝାମଣାରୁ ଭାଙ୍ଗିଯାଏ ।

ବର୍ତ୍ତମାନ ମୁଁ ମୋର ଘରେ ଏକାକୀ । ସମସ୍ତ ସମ୍ପର୍କ ମୋ ସହିତ ବିଗତ ଦିନରେ ଥିଲେ । ସେମାନେ ସମସ୍ତେ ଏ ମନିପର୍ସ ସହିତ ଜଡିତ ।

ଆଜି ମୁଁ ସମସ୍ତଙ୍କୁ ହରାଇ ନିଃସ୍ବ । ଜୀବନ ଗଣିତ କଷୁ କଷୁ ସାଥୀ ଅମିମାଂସିତ ରଖିଦେଲି, ସୁତ୍ର ସବୁ ଭୁଲିଗଲଟି ଏବେ ସେଗୁଡିକର ହିସାବ ପାଉନାହିଁ ।

ମୋର ମନେ ପଡୁଛି ପୁଅବୋହୂ ମୋତେ ଯେତେବେଳେ ଛାଡି ଚାଲିଗଲେ ବହୁତ କାନ୍ଦିଲି । କାରଣ ସମୟ ଚିରସ୍ଥାୟୀ, ଜୀବନ କ୍ଷଣସ୍ଥାୟୀ । ସମୟ ବାସ୍ତବର ଜୀବନ ଅଦୃଶ୍ୟର । ସମୟ ଅସରନ୍ତି ପ୍ରାଣ କାଳର ସରନ୍ତି ।

ଯେତେବେଳେ ମୁଁ କାନ୍ଦୁଥିଲି.. ଛାତିତଳ ବେଦନାକୁ କହିବାକୁ ଇଚ୍ଛା ହେଲେ ଆଖି ଜଣାଏ, ଆଖିର ଝରକା ଡେଇଁ ଯେଉଁ ଲୁହ ଝରିଯାଏ ସେ ଲୁହର ବୁନ୍ଦାରେ, କେତେବେଳେ ଦିନ ସରି ରାତି ହୋଇଯାଏ ମଣିଷକୁ ନିଘା ନ ଥାଏ । ଟେବୁଲ ଉପରେ ପଡିଥିବା ମନିପର୍ସଟି ଉପରେ ନଜର ପଡିଲା ।

ପୁଅର ଫଟୋଟି କାଢି ଦେଲି । ପୁଅର ଫଟୋ ତଳକୁ କାଳିଆର ଫଟୋଟି ଥିଲା । ଛାତିରେ ଚାପି ଧରିଲି । ଏ ହିଁ ମୋର ସହାୟ । ଠାକୁର ହିଁ ମୋତେ ଶାନ୍ତି, ସୁଖ ଏବଂ ନୂତନ ଜୀବନ ପ୍ରଦାନ କରିବେ ବୋଲି ଆଉ କାନ୍ଦିଲି ନାହିଁ। ଅନ୍ଧାକାରି ମାୟାପଥ ବହୁଦୂର ନବ ଆଲୋକର ଆଶାରେ ମିଶିବାକୁ ଚାହେଁ, ହଜିବା ପାଇଁ ତୁମେ ମୋ ଶେଷ ଭରସା।

ତେଣୁ କଣ୍ଡକ୍ଟର ବାବୁ ଏ ମନିପର୍ସଟି ମୋର ।

ଯଦି ତୁମର ବିଶ୍ବାସ ହେଉନି ପର୍ସ ନେଇଯାଅ ଯାହା ଟଙ୍କା ସେଥିରେ ଅଛି ନେଇଯାଅ କିନ୍ତୁ କାଳିଆର ଫଟୋଟି ମୋତେ ଦେଇଦିଅ...କାରଣ ସେ ହେଉଛନ୍ତି ମୋର ଜପ, ତପ, ଧ୍ୟାନ, ଧାରଣାର ସମିଶ୍ରିତ ସୃଷ୍ଟି । ସେ ମୋର ନିର୍ଭୟ ପ୍ରତିଶ୍ରୁତିର ପ୍ରୟାସରେ ମୁକ୍ତିର ଦୀପଶିଖାଟିଏ ....

ମୁଁ ଦୂରରୁ ଦେଖି ଭାବୁଥାଏ ଅସହାୟର ସହାୟ ସେହି.....।

ଲଳିତ ମୋହନ ମିଶ୍ର

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

ଚନ୍ଦ୍ରଗିରି, ଗଜପତି ୯୪୩୭୯୮୫୮୬୬


Rate this content
Log in

Similar oriya story from Tragedy