Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଓଲଟ କୀଳା
ଓଲଟ କୀଳା
★★★★★

© Arabinda Rath

Comedy

4 Minutes   478    18


Content Ranking



ସକାଳୁଆ ଟ୍ରେନ୍ ଭିତରେ ଖୁନ୍ଦାଖୁନ୍ଦି ହୋଇ ଯାତ୍ରୀ ମାନେ ବସି ଥାନ୍ତି। ଚାରି ଟିକିଆ ସିଟ୍ ରେ ମୁଣ୍ଡ ଗଣତି କଲା ବେଳକୁ ଆଠ ଦଶ ଟି ମୁଣ୍ଡ ଗଣି ହୋଇ ଯାଉଥାଏ। ଗୋଟିକିଆ ସିଟ୍ ରେ ତିନି ଟି ଲେଖାଏଁ ଯାତ୍ରୀ ଅଶୋକ ସ୍ତମ୍ଭରେ ଦୃଶ୍ଯମାନ ତିନି ସିଂହ ପରି ଜାକି ହୋଇ ଜୁଳୁଜୁଳୁ ଚାହିଁ ରହିଥାଆନ୍ତି। ଶୋଇବା ପାଇଁ ଉଦ୍ଦିଷ୍ଟ ସିଟ୍ ରେ କେତେ ଜଣ ବସିଛନ୍ତି ଗଣିବା କଷ୍ଟ। କାହାର ଗୋଡ ବ୍ରହ୍ମରାକ୍ଷାସ ପରି ତଳକୁ ଝୁଲି ରହିଛି, ତ କାହାର ଜୋତା,ଚପଲ ଓ ବ୍ଯାଗ୍ ମାନ ବରଗଛ ଓହଳ ପରି ଦୋଳାୟମାନ ଅବସ୍ଥାରେ ତଳ ସିଟ୍ ରେ ବସିଥିବା ଯାତ୍ରୀ ମାନଙ୍କୁ ଆଶିର୍ବାଦ ପ୍ରଦାନ ରେ ବ୍ଯସ୍ତ ଥାଆନ୍ତି। କୌଣସି ପ୍ରକାରେ ନିତମ୍ବ କୁ ସିଟ୍ ଉପରେ ମାଡିଦେଇ ପାରିଲେ, ବସିବାର ସୁବିଧା ଆପେ ଆପେ ହୋଇଯିବ ବୋଲି ଅଭିଜ୍ଞ ଯାତ୍ରୀ ମାନେ ଭଲରେ ଜାଣି ଥିଲେ। ତେଣୁ ବିଭିନ୍ନ ଆକାର ପ୍ରକାର ନିତମ୍ବଧାରୀ ଯାତ୍ରୀମାନେ ଟ୍ରେନ୍ ବଗି ଭିତରେ ସ୍ଥାନ ଅକ୍ତିଆର କରିବାରେ ଚେଷ୍ଟିତ ଥିଲେ। ଧନୀ ଗରିବ, ଟୋକା ବୁଢା, ଅଣ୍ଡିରା ମାଇପି ର ବାଛବିଚାର ସେ ସ୍ଥାନ ରେ ତିଳେ ମାତ୍ର ନ ଥିଲା। ଯାତ୍ରୀ ମାନଙ୍କର ଘାଉଘାଉ, ରାଉରାଉ ରାବ ସମ୍ମୁଖରେ ରେଳ ଗାଡିର ବୁକୁଫଟା ଚିତ୍କାର ଟି ମଳିନ ପଡି ଯାଉଥିଲା। ପବନ ଯିବାକୁ ବାଟ ନ ଥିଲେ ମଧ୍ଯ ଚାହା, ଝାଲମୁଢି, ସିଝା ମଟର ବିକୁ ଥିବା କୁନି ବେପାରୀ ମାନେ ଅତି ସୁରୁଖୁରୁ ରେ ଲୋକ ମାନଙ୍କୁ ଆଡେଇ କଡେଇ ଜିନିଷ ବିକ୍ରି କରି ଆଗକୁ ମାଡି ଚାଲିଥିଲେ।

ଚାରିପଟରେ କଣ ଘଟି ଯାଉଛି ସେ ଆଡକୁ ନଜର ନ ଦେଇ ନିଧିବାବୁ ଖବର କାଗଜ ଭିତରେ ଆଖି ଦୁଇଟି ପୁରେଇ ପୁଟୁପୁଟୁ ହୋଇ କଣ ସବୁ ପଢି ଚାଲିଥିଲେ। ମଝିରେ ମଝିରେ ହୋଃ ହୋଃ ହସି ପକାଉଥିଲେ ତ କେତେବେଳେ ଆହାଃ ଚୁଃ ଚୁଃ ହୋଇ ଦୀର୍ଘ ନିଶ୍ବାସ ଛାଡୁଥିଲେ । ତାଙ୍କ ପାଖରେ ବସିଥିଲା ଅଠର କୋଡିଏ ବର୍ଷର ଜଣେ ଯୁବକ। ସେ ଆତୁର ନୟନ ରେ ନିଧିବାବୁ ଓ ଖବର କାଗଜ କୁ ଚାହିଁ ରହିଥିଲା। ତା ମୁହଁ ଭାବଭଙ୍ଗୀ ରୁ ଜଣା ପଡୁଥିଲା ଖବର କାଗଜ ରୁ ପୃଷ୍ଠା ଖଣ୍ଡେ ପାଇଲେ ତା ଜୀବନ ଟା ସାର୍ଥକ ହୋଇଯିବ। ମୁହଁରେ ଅନୁରୂପ ଭଙ୍ଗୀ ପ୍ରକାଶ କରି ବାକି କେତେଟି ଲୋକ ମଧ୍ଯ ଖବର କାଗଜ କୁ ଚାହିଁ ରହିଥିଲେ। ଖବର କାଗଜ ପଛ ପଟରୁ ଯେତିକି ଲେଖା ଦିଶୁଥିଲା ସେତିକି ପଢି ଗଭୀର ଆତ୍ମ ସନ୍ତୋଷରେ ସେମାନେ ଉବୁଟୁବୁ ହୋଇ ଗଲା ପରି ଲାଗୁଥିଲା। ସତେକି, ସେଦିନ ର ଖବର କାଗଜରେ କିଛି ଅତି ଗୁରୁତ୍ବପୂର୍ଣ୍ଣ ସମ୍ବାଦ ବାହାରିଛି ଓ ସେ କଥା ନ ଜାଣି ପାରିଲେ ସେମାନଙ୍କ ମଣିଷ ଜୀବନ ଟା ନଷ୍ଟଭ୍ରଷ୍ଟ ହୋଇଯିବାର ସମ୍ଭାବନା ଅଛି। ଦୋ ଦୋ ପାଞ୍ଚ ହୋଇ କିଛି ସମୟ ପରେ ଯୁବକ ଜଣକ କହିଲେ-- ଆଜ୍ଞା, ପଢି ସାରିଲେ କି? ମୁଁ ଆଉ ଦୁଇଟା ଷ୍ଟେସନ ପରେ ଓହ୍ଲେଇଯିବି। କଣ ବାହାରିଛି ଟିକେ ଆଖି ବୁଲେଇ ଦେଲେ ଦିନ ସାରା ଖବର ଖୋଜିବାରୁ ତ୍ରାହି ମିଳିଯିବ।

– – ହୋଃ ବାବୁ, ଏମିତି ବ୍ଯସ୍ତ କାହିଁକି ହୋଇ ପଡୁଛ? ମୁଁ ତୁମ ବାପା ବୟସର ଲୋକ, ମୋତେ ଏମିତି କହିବାକୁ ତୁମକୁ ଟିକେ ଖରାପ ଲାଗୁନି? ମୁଁ ମାନୁଛି ଯେ ତୁମେ କାଗଜ ଟା କିଣିଛ, କିନ୍ତୁ ମୁଁ ପଢିଦେଲେ କଣ ତୁମ କାଗଜ ଟା ଛିଡିଯିବ ନା ସରିଯିବ। କାଗଜର ମାଲିକ ତୁମେ, ଦିନ ସାରା ପଢି ପାରିବ, କିନ୍ତୁ ମୁଁ ତ ଆଉ ପଢି ପାରିବିନି। ଟିକେ ସବୁର୍ କର। ଚିଡିବା ସ୍ବର ରେ କହିଲେ ନିଧିବାବୁ।

ଯୁବକ ଟି ମୁହଁ ଆମ୍ବିଳା କରି ମୁଣ୍ଡ ପୋତି ବସି ରହିଲା। ସକାଳୁ ନିଧିବାବୁ ସହ କେଁ କେଟର ହେଲେ, ସାରା ଦିନ ଟା ଦରବାଦ୍ ହୋଇଯିବ ଭାବି ଚୁପ୍ ରହିଲା। ଅନ୍ଯ ଯାତ୍ରୀ ମାନେ ଖବର କାଗଜ ର ମାଲିକ ନିଧିବାବୁ ନୁହଁ ବୋଲି ଜାଣିବା ପରେ କଳେ ବଳେ କୌଶଳେ ଗୋଟିଏ ଲେଖାଏଁ ପୃଷ୍ଠା ହାତେଇନେଲେ। ବିଚରା ଯୁବକ ଟି କେବଳ ଆଖି ତରାଟି ଚାହିଁବା ଛଡା କିଛି କରିବା ଅବସ୍ଥାରେ ନ ଥିଲା। ଗୋଟିଏ ଷ୍ଟେସନ ରେ ଗାଡି ରହିଲା ଓ ନିଧିବାବୁ ଜରି ଭର୍ତ୍ତି କରି ଗରମ ବରା, ଆଳୁଚପ୍ କିଣି ପାଖରେ ସଜାଇ ରଖିଲେ। ଗୋଟିଏ ବରା ଉଦରସ୍ଥ କରି ପୁଣି ଖବରକାଗଜ ପଢା ରେ ମନୋନିବେଶ କଲେ। ସତେ କି ସେ ଭାରତୀୟ ପ୍ରଶାସନିକ ସେବା ରେ ଯୋଗ ଦେବେ ଓ ସେଥିପାଇଁ ସବୁ ଖବରକୁ ଗଳାଧଃକରଣ କରିବା ନିହାତି ଆବଶ୍ଯକ। ଯୁବକ ଟି ବଡ ଅସହାୟ ଅବସ୍ଥା ରେ ନିଜ ଖବର କାଗଜର ଦୁରାବସ୍ଥା ଦେଖି ଚାଲିଥିଲା। ମନେ ମନେ କିଛି ଗୁଣୁଗୁଣୁ ହୋଇ କହିଲା ଓ ତା ମୁଖମଣ୍ଡଳରେ ଅପୂର୍ବ ତେଜ ଖେଳି ଗଲା। ସେ ନିଧିବାବୁ ଙ୍କୁ କିଛି ନ କହି, ତାଙ୍କ ପାଖରେ ଥିବା ବରା ଆଳୁଚପ ଜରିରୁ ଗୋଟିକ ପରେ ଗୋଟିଏ ପାଟି ଭିତରେ ମାଡି ଚାଲିଲା। କିଛି ସମୟ ଭିତରେ ସେ ସବୁ ଶେଷ ହୋଇଗଲା ଓ ପବନ ରେ ଜରିଟି ଝରକା ବାଟ ଦେଇ ଉଡି ବାହାରକୁ ଉଡିଗଲା। ପରମ ଏକାଗ୍ରଚିତ୍ତ ଅବସ୍ଥାରେ ପେପର ପଢୁଥିବା ନିଧିବାବୁ ଏ ବିଷୟରେ କିଞ୍ଚିତ୍ ସୂଚନା ପାଇବାରେ ଅକ୍ଷମ ଥିଲେ। ଷ୍ଟେସନ୍ ଆସିଯିବାରୁ ଯୁବକଟି ତଳକୁ ଓହ୍ଲାଇଲା ଓ ପ୍ଲାଟଫର୍ମରେ ଛିଡା ହୋଇ ନିଧିବାବୁଙ୍କୁ ପଚାରିଲା - - ଆଜ୍ଞା, ପେପର ପଢା ସରିଲା ନା ଆଉ ପଢିବେ?

ପୁଣି ସେ ଚିଡି ଉଠି କହିଲେ – ଆରେ ବଡ ଅଜବ ଲୋକ ତୁମେ ! ମୁଁ ତୁମ ବାପ ପରି ହେବି, ମୋତେ କାହିଁକି ବାରମ୍ବାର ଏମିତି ହଇରାଣ କରୁଛ? ପାଞ୍ଚ ଟଙ୍କାର ଖବର କାଗଜ ଟେ ପୁଣି ଥରେ କିଣିି ଦେଲେ କଣ ତୁମ ପଇସା ସରିଯିବ? ମୋତେ ପଢିବାକୁ ଦିଅ, ତୁମେ ଆଉ ଖଣ୍ଡେ କିଣିନେବ।

ନିଧିବାବୁ ମନେ ମନେ ହସୁଥିଲେ ଓ ଭାବୁଥିଲେ ଏ ଟୋକା କୁ ଆଜି ଭଲରେ ବୁଦ୍ଧି ଶିଖେଇଦେଲି। ପାଞ୍ଚଟଙ୍କା ର ଲାଭ କରିଥିବାରୁ ସେ ବେଶ୍ ଖୁସି ମଧ୍ଯ ଥିଲେ। ଯୁବକ ମୁହଁରେ କୌଣସି ଚିନ୍ତିତ ପ୍ରତିକ୍ରିୟା ନ ଦେଖି ସେ କହିଲେ- ହଉ ଠିକ୍ ଅଛି ବାବୁ। ପୁଣି ଦେଖା ହେବ,ଏବେ ତୁମେ ଆସିପାର।

ଟ୍ରେନ୍ ଛାଡିବା ପାଇଁ ଉଦ୍ଯତ ହେବା ସମୟ ରେ ସେ ଯୁବକ ଟି କହିଲା- - ବହୁତ ଧନ୍ଯବାଦ୍ ଆଜ୍ଞା। ଆପଣଙ୍କ ଦୟାରୁ ଆଜି ମୋର ଜଳଖିଆ ଖର୍ଚ୍ଚଟା ବଞ୍ଚିଗଲା। କିଛି ବୁଝି ନ ପାରି ନିଧି ସେ ଯୁବକ ର ମୁହଁ କୁ ବଲବଲ କରି ଚାହିଁଲେ।

- - ଆପଣ ମୋ ବାପା ବୟସର ଓ ମୁଁ ଆପଣଙ୍କୁ ସେହି ପରି ସମ୍ମାନ, ସ୍ନେହ ମଧ୍ଯ ଦେଉଛି। ଜଣେ ପୁଅର ଅଧିକାର ସାବ୍ଯସ୍ତ କରି ମୁଁ ଆପଣଙ୍କ ଜଳଖିଆ ପୁଡିଆ କୁ ପୋଛି ଦେଇଛି। ବାଟରେ ଅନ୍ଯ କିଛି କିଣି ଖାଇନେବେ। ରହିଲି ଆଜ୍ଞା, ନମସ୍କାର। ସେତେବେଳକୁ ରେଳଗାଡି ଷ୍ଟେସନ୍ ଛାଡିବା ଆରମ୍ଭ କରି ଦେଇଥିଲା।

ଗୋଡ ପାଖରେ ଜଳଖିଆ ପୁଡିଆ ନ ପାଇ ନିଧିବାବୁ ସେ ଯୁବକ କୁ କେତେ କଣ ଶୋଧି ଚାଲିଥିଲେ। କିନ୍ତୁ ରେଳଗାଡି ର କର୍ଣ୍ଣ ବିଦୀର୍ଣ୍ଣକାରୀ ହର୍ଣ୍ଣ ଓ ଢକଢକ ଶବ୍ଦ ଭିତରେ ନିଧିଙ୍କ ଶୋଧାବକା ଲୁଚି ଯାଉଥିଲା। ଯୁବକ ଟା ହେଉଡି ମାରି କହୁଥିଲା-- ତୋ ପରି ପେପରଚୋର କୁ ଏମିତିକା ଓଲଟକୀଳା ଦେଇ ବୁଦ୍ଧି ନ ଶିଖାଇଲେ ଅନ୍ଯାୟ ହେବ। ଏବେ ଅଖା ଧୋଉଥା, ଗୁଣ ଗାଉଥା।

– ସମାପ୍ତ--


ରେଳଗାଡି କାଗଜ ଜଳଖିଆ

Rate the content


Originality
Flow
Language
Cover design

Comments

Post

Some text some message..