ରାମ ଗୁରୁଜୀ
ରାମ ଗୁରୁଜୀ
ରାମ ଗୁରୁଜୀ
ଆଜି ହରିବାବୁଙ୍କର ଦୀର୍ଘ ଦିନର ଆଶା ପୂରଣ ହୋଇଛି l ନାତିକୁ ଧରି ସ୍କୁଲ ଛାଡିବାକୁ ଯାଉଛନ୍ତି l କୁନୁ ବି ଭାରି ଖୁସି l ଜେଜେଙ୍କ ହାତ ଧରି ନାଚି ନାଚି ଚାଲିଛି ଜେଜେଙ୍କ ସାଥିରେ l ସ୍କୁଲରେ ପହଞ୍ଚି ଦେଖିଲେ ସୁନ୍ଦର ବୋହୁଟିଏ ଗୋଲାପୀ ଶାଢୀ ପିନ୍ଧି ସ୍କୁଲ ବାରଣ୍ଡାରେ ଠିଆ ହୋଇଛି l ତାକୁ ଦେଖି କୁନୁ ଜୋରରେ ପାଟି କରି କହିଲା, ଦିଦି ନମସ୍କାର l ବୋହୁଟି କହିଲା, ନମସ୍କାର l ଆମ ଦିଦି l ଚିହ୍ନେଇ ଦେଲା କୁନୁ l ଜାଣିଲା ପରେ ନିଜ ପରିଚୟ ଦେଇ କହିଲେ ହରିବାବୁ, ମୁଁ କୁନୁର ଜେଜେ l ଏଇ ମାସ ଅବସର ଗ୍ରହଣ କରିଛି l ଟିକିଏ ହସି ନମସ୍କାର କରି ସେ ସ୍କୁଲ ଭିତରକୁ ଚାଲିଗଲା l ଛାତ୍ର ଆଉ ଶିକ୍ଷକଙ୍କ ଭିତରେ ଏତେ ସହଜତା ଦେଖି ଯେତେଟା ଖୁସି ହେଲେ ତାଠୁଁ ବେଶି ଆଶ୍ଚର୍ଯ୍ୟ ହେଲେ ହରିବାବୁ l ମନେ ପଡିଗଲା ତାଙ୍କର ସେଇ ପିଲା ଦିନର କଥା l ଏଇ ସେଇ ସ୍କୁଲ୍ l ବହୁତ କିଛି ବଦଳି ଯାଇଛି l ସେ ମାଟି ପିଣ୍ଡା, ମାଟି ଚଟାଣ ଆଉ ନାହିଁ l ସବୁ ଶନିବାର ପିଲାମାନେ ଗୋବରରେ ଲିପନ୍ତି l ଏବେ ସବୁ ପକ୍କା ଘର l ଗେଟ୍ ବାହାରେ ବଡ ବଡ ଅକ୍ଷରରେ ଲେଖାହୋଇଅଛି ସ୍କୁଲର ନାମ l ତା’ ତଳକୁ ଲେଖା ହୋଇଛି , ‘ଦଣ୍ଡ ମୁକ୍ତ ସ୍କୁଲ’ l ଚାହିଁ ରହିଲେ ସେ ଧାଡିଟିକୁ l ଶେଷରେ ସ୍କୁଲରେ ଲେଖିବାକୁ ପଡିଲା l ଗୋଟି ଗୋଟି କରି ସେ ଦିନର କଥା ଆଖି ଆଗରେ ନାଚିଗଲା l ସେତେବେଳେ ଟିକିଏ ବଡ ପିଲାଙ୍କ ସାଥିରେ ଛୋଟ ପିଲାଙ୍କୁ ପ୍ରଥମ ଥର ପାଇଁ ସ୍କୁଲକୁ ପଠାଉଥିଲେ l ସେ ବି ସେ ଦିନ ତାରିଆ ନନା ସାଥିରେ ସ୍କୁଲ୍ ଯାଉଥିଲେ l ବାଟ ଯାକ ତାରିଆ ନନା କହି ଚାଲିଥାଏ, କେତେ ପାଠ ସେ ଜାଣିଛି l ‘ଅରଣା ମଇଁଷି ରହିଛି ଅନାଇଁ, ମଇଁଷିର ପାଖ ନ ଯାଅ ଦନାଇ l’ ତାଙ୍କୁ ଏ ସବୁ ସେ ଦିନ ଦେବ ବାଣୀ ଭଳି ଲାଗୁଥିଲା l କିନ୍ତୁ ମନେ ମନେ ଭାବୁ ଥିଲେ, ସେ ବି ଏ ସବୁ ଶିଖିବେ, ଆଉ ବୋଉ ଆଗରେ ସବୁ ତାରିଆ ନନା ଭଳି ଗାଇ ଯିବେ l ସ୍କୁଲ୍ ଭିତରେ ଯାଇ ତାରିଆ ନନା ପାଖେ ଗୁଞ୍ଜି ହୋଇ ବସିଲେ l ଡରି ଡରି ବସିଥାନ୍ତି l ମାଷ୍ଟ୍ରଙ୍କୁ ଦେଖିଲେ ପିଲାଙ୍କର ପ୍ରାଣେ ଭୟ l ଯେମିତି ସେମାନେ ଯମ ଦୂତ l ବର୍ଷା ଦିନ ହୋଇଥାଏ l ସେ ଦିନ ଖୁବ୍ ଜୋରରେ ବର୍ଷା ଆରମ୍ଭ ହୋଇଗଲା l ସବୁ ମାଷ୍ଟ୍ରମାନେ ପ୍ରଧାନ ଶିକ୍ଷକଙ୍କ ପ୍ରକୋଷ୍ଠରେ ବସି ଗପ ଜମାଇଥାନ୍ତି l ତୁହାକୁ ତୁହା ବର୍ଷା ଲାଗି ରହିଥାଏ l ସ୍କୁଲ୍ ଚାଳରୁ ପାଣି ଗଡୁଥାଏ l ବଡ ମତୁଆଲା ସେ ଶବ୍ଦ l ଆସ୍ତେ ଆସ୍ତେ ପିଲାମାନେ ଭୁଲି ଗଲେ ସ୍କୁଲ୍, ମାଷ୍ଟର୍ ଆଉ ସବୁ କିଛି l କାନକୁ ଦୁଇ ଆଙ୍ଗୁଠିରେ ବନ୍ଦ କରି ଆଉ ଖୋଲି ଏକ ଅଦ୍ଭୁତ ଆନନ୍ଦ ନେଉଥାନ୍ତି l ତା’ ପରେ ଆରମ୍ଭ ହୋଇଗଲା ଅନ୍ୟ ପ୍ରକାର ମଜା l କାନ ବନ୍ଦ କରି ଖୁବ୍ ଜୋରରେ ଚିତ୍କାର କରିବା ଓ କାନ ଖୋଲିବା l ଜଣେ, ଦୁଇ ଜଣ, ତା’ ପରେ ପୁରା ଶ୍ରେଣୀ l କାହାର ହୋସ୍ ରହିଲାନି ଯେ, ସେମାନେ ସିନା କାନ ବନ୍ଦ କରିଛନ୍ତି, ମାଷ୍ଟ୍ରମାନେ ତ କାନ ଖୋଲା ରଖିଛନ୍ତି l କିଛି ସମୟ ପରେ ଜଣେ ମାଷ୍ଟ୍ର ପଶି ଆସିଲେ ଶ୍ରେଣୀ ଭିତରକୁ l ତାଙ୍କୁ ଦେଖୁ ଦେଖୁ ସବୁ ପିଲାଙ୍କର ରକ୍ତ
ଶୁଖିଗଲା l ତା’ ପରେ, ବାପ୍ ରେ ବାପ୍ l ତାରିଆ ନନାର ବାଉଁଶ ବେଣ୍ଟିଆ ଛତାଟାରେ ପିଲାମାନଙ୍କୁ ଗାଈ ଗୋରୁ ଭଳି ପିଟା ଆରମ୍ଭ କରିଦେଲେ ସେ l ଏତେ ପିଟିଲେ ଯେ ଛତାର ବେଣ୍ଟ ଭାଙ୍ଗିଗଲା l ତଥାପି ତାଙ୍କର ରାଗ ଶାନ୍ତ ହୋଇ ନ ଥିଲା l ସେ ଦୃଶ୍ୟ ଏବେ ବି ସ୍ପଷ୍ଟ ମନେ ଅଛି l ତା’ ପର ଠାରୁ ତାରିଆ ନନା ଓ ଆଉ କିଛି ପିଲା ସ୍କୁଲ ସବୁ ଦିନ ପାଇଁ ଛାଡି ଦେଲେ l ସେ ବି ଭାବିଥିଲେ ଆଉ ସ୍କୁଲ୍ ବାରଣ୍ଡା ଏ ଜୀବନରେ ମାଡିବେ
ନାହିଁ l କିନ୍ତୁ ବାପା ଥିଲେ ସରପଞ୍ଚ l ସେ ଦିନ ରାମ ଗୁରୁଜୀ ଆସିଥିଲେ ଛୁଟି ମଞ୍ଜୁର କରିବାକୁ l ସେତେବେଳେ ସରପଞ୍ଚମାନଙ୍କୁ ସେ ଅଧିକାର ଦିଆ ଯାଇଥିଲା l କଥା ଛଳରେ ପଚାରିଲେ, ପୁଅକୁ ସ୍କୁଲ୍ ଛାଡୁ ନାହାନ୍ତି ? ସେ ଭାବିଥିଲେ, ଭାଗ୍ୟ ଖରାପ ପଡିଗଲା, ହସି ହସି ରାମ ଗୁରୁଜୀ ତାଙ୍କ ମୁଣ୍ଡକୁ ଆଉଁଷି କହିଲେ, ସ୍କୁଲକୁ ଗଲେ ସିନା ପାଠ ପଢିବ, ମଣିଷ ହେବ l ଡରି ଡରି ମୁଣ୍ଡ ହଲାଉଥିଲେ ସେ ଦିନ l ତା’ ପର ଦିନ ବାପାଙ୍କ ସାଇକେଲ୍ ପଛରେ ବସି ସ୍କୁଲ୍ ଗଲେ l ନାମ ବି ଲେଖା ହୋଇଗଲା l ବାପା ପଳେଇଲେ ତାଙ୍କୁ ରାମ ଗୁରୁଜୀଙ୍କ ପାଖେ ଛାଡି ଦେଇ l ଶ୍ରେଣୀ ଭିତରେ ଦେଖିଲେ, ସବୁ ପିଲା ଏକା ସ୍ୱରରେ ରାମ ଗୁରୁଜୀଙ୍କ ସାଥିରେ ଗୀତ ବୋଲୁଛନ୍ତି l ଆଗରେ ଗୁରୁଜୀ ଗାଉଛନ୍ତି, ପିଲାମାନେ ପାଳି ଧରୁଛନ୍ତି l କି ସୁନ୍ଦର, କି ସୁନ୍ଦର ଅଭିନୟ l ଏବେ ବି ମନେ ଅଛି l ‘ଆସରେ ପିଲାଏ ବଣକୁ ଯିବା, ପାଚିଲା ପାଚିଲା କେନ୍ଦୁ ଖାଇବା l’ ଏବେ ବି ସେ ସ୍ୱର କାନରେ ବାଜୁଛି l କେତେ ସ୍ନେହ ତାଙ୍କର, କେତେ ଆଦର ତାଙ୍କର l ରାମ ଗୁରୁଜୀ ତାଙ୍କ ଜୀବନ କାଳ ମଧ୍ୟରେ କେବେ ବାଡି ଧରି ନ ଥିଲେ l ପ୍ରଥମ ଶ୍ରେଣୀର ସେ ଶ୍ରେଣୀ ଶିକ୍ଷକ ଥିଲେ l ସେ ନ ଥିଲେ ବୋଧେ ଗାଆଁର ଅଧା ପିଲା ସ୍କୁଲ୍ ମାଡି ନ ଥାନ୍ତେ l
ଏବେ ଲେଖା ହେଉଛି, ଦଣ୍ଡମୁକ୍ତ ସ୍କୁଲ୍ l ବହୁତ ଶିକ୍ଷାବିତ୍ ଭ୍ରୂକୁଞ୍ଚନ କରି କୁହନ୍ତି, ଆଉ କ’ଣ ସେ ପାଠ ପଢା ଅଛି ? ମାଡ ପରା ଉଠିଗଲାଣି l ଭାବିଲେ, ସେହି ଶିକ୍ଷାବିତମାନଙ୍କୁ ଥରେ ପଚାରନ୍ତେ, ମାଡ ତ ଅନେକ ଦିନରୁ ଉଠିଗଲାଣି l ଏବେ କ’ଣ କେହି ଡାକ୍ତର, ଇଞ୍ଜିନିୟର୍, ବୈଜ୍ଞାନିକ, ଅଧିକାରୀ ହେଉନାହାନ୍ତି ? ଯେତେ ହୋଇଥିଲେ, ସବୁ ସେଇ ମାଷ୍ଟରମାନଙ୍କର ମାଡ ଖାଇ ? ସବୁ ଲୋକ ଯଦି ନିଜର ଦାୟିତ୍ୱବୋଧ ନ ବୁଝିବେ, ତା ହେଲେ ସେ ଦିନ ଦୂର ନାହିଁ, କାରାଗାର ଆଗରେ ମଧ୍ୟ ବଡ ବଡ ଅକ୍ଷରରେ ଲେଖା ଯିବ, “ଆରାମ ବିହୀନ କାରାଗାର l”
ପ୍ରମୋଦ କୁମାର ଜେନା ©