Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Arati Sahoo

Others

5.0  

Arati Sahoo

Others

ଶୂନ୍ୟସ୍ଥାନ

ଶୂନ୍ୟସ୍ଥାନ

7 mins
782


ଶୂନ୍ୟସ୍ଥାନ


ରାତି ପ୍ରାୟ ବାରଟା ବାଜି ପଇଁଚାଳିଶ ମିନିଟ। କୃଷ୍ଣ। ତାର କୋଠରୀ ଭିତରେ ,ଟେବୁଲ ପାଖ ଚଉକିରେ ବସି ଅସମ୍ପୂର୍ଣ୍ଣ ଗପଟିକୁ ତାର ସମାପ୍ତି ଦିଗକୁ ବାଟ କଢାଇ ନେଉଛି। ବାହାରେ ରାତିର ସାଇଁ ସାଇଁ ଗର୍ଜନରେ ପଶୁ ,ପକ୍ଷୀ,କୀଟ ,ପତଙ୍ଗ ସମସ୍ତେ ଜାକିଜୁକି ହୋଇ ନୀରବ ନିଶ୍ଚଳ ହୋଇ ଆତ୍ମସମର୍ପଣ କରିଛନ୍ତି ତା ନିକଟରେ। ଘଞ୍ଚ ଜଙ୍ଗଲ ଓ ଉଚ୍ଚ ଉଚ୍ଚ ପାହାଡ଼ ବେଷ୍ଟନୀରେ ଆବଦ୍ଧ ଏଇ ଆଦିବାସୀ ଗାଁଟିରେ ବସବାସ କରୁଥିବା ପ୍ରାୟ ସମସ୍ତ ଅଧିବାସୀ ନିଦ୍ରା ଦେବୀଙ୍କ କୋଳରେ ନିଶ୍ଚିନ୍ତ ହୋଇ ବିଶ୍ରାମ କରୁଛନ୍ତି, ଦିନ ସାରା କଠିନ ପରିଶ୍ରମ ର କ୍ଳାନ୍ତି ଲାଘବ କରିବା ସକାଶେ।ପୌଷ ମାସର ଜାଡ଼ରେ ଗଛ ପତ୍ର ଗୁଡିକ ମଧ୍ୟ କୁଙ୍କୁରି କାଙ୍କୁରି ହେଉଛନ୍ତି।ପ୍ରକୃତି ତାଙ୍କୁ କୁହୁଡ଼ିର ବହଳ ସଫେଦ ଚାଦରରେ ଆଚ୍ଛାଦିତ କରି ରଖିଛି।କାକର ବୁନ୍ଦା ଥପ୍ ଥପ୍ ଝରି ପଡୁଛି , ମାଆର ନାନା ବାୟା ଗୀତର ଲୟ ତୋଳି। ଆକାଶରେ ଜହ୍ନଟା ପାଉଁଶିଆ ଦେଖା ଯାଉଛି। ରାତିଟାକୁ ଅସମ୍ଭବ ଭାବେ ଉଦାସ କରି ତୋଳିଛି ପୋଖରୀରେ ଫୁଟିଥିବା କଇଁର ଉଦାସୀନତା। ଜହ୍ନ କୁ ସେ ଦେଖିପାରୁନାହିଁ ପରା।


  କୃଷ୍ଣାର ନିଶବ୍ଦ ଭାବନାକୁ ଚହଲେଇ ଦେଇ ହଠାତ ଶୁଣାଗଲା କଅଁଳା ଶିଶୁର ଶ୍ରୁତି ମଧୁର,ଅମୃତ ତୁଲ୍ୟ କୋମଳ କୁଆଁ କୁଆଁ କାନ୍ଦ। ଚମକି ପଡିଲା କୃଷ୍ଣା।


 ହେଃ, ଅଧରାତିର ଏଇ ପ୍ରବଳ ଥଣ୍ଡାରେ, କଅଁଳା ଶିଶୁକୁ କିଏ କାହିଁକି ପଦାକୁ ଆଣିବ ଯେ? ଭାବନାକୁ ପୁଣି ଠିକଣା ଜାଗାକୁ ଆଣି ସେ ଲେଖିବାକୁ ଆରମ୍ଭ କଲା। ଅଶରିରୀ ଆତ୍ମା ଭଳି ପୁଣି ଥରେ ସେ କାନ୍ଦ ତାର ମର୍ମକୁ ଆନ୍ଦୋଳିତ କଲା। ତା ମନରେ ଛନକା ପଶିଲା। ଶବ୍ଦଟା ତା କୋଠରୀ ବାରଣ୍ଡାରୁ ଆସୁଛି କି? ସେ ଆସ୍ତେ କରି ଶିକୁଳି ଫିଟାଇ ବାହାରକୁ ଆସିଲା। ଚାରି ସେଲିଆ ଟର୍ଚ୍ଚର ଆଲୁଅ ବାରଣ୍ଡା ସାରା ବିଛୁଡି଼ ହୋଇ ପଡ଼ିଲା। ଆଶ୍ଚର୍ଯ୍ୟରେ ତା ଛାତି ଧକ୍ କରି ରହିଗଲା। ସତକୁ ସତ ଗୁଡି଼ଆ ହୋଇଥିବା ଏକ ସପ ଭିତରୁ ସେଇ ଆକୁଳ କ୍ରନ୍ଦନ ଶୁଣା ଯାଉଥାଏ। ସେଇଦିଗରେ ତା ପାଦ ଆଗେଇ ଯାଏ ଆପଣାଛାଏଁ। ଉତ୍କଣ୍ଠା ଓ ଆଶଙ୍କାରେ ତାର ସର୍ବାଙ୍ଗ ଥରୁଥାଏ। ଲୋମ ଟାଙ୍କୁରି ଉଠୁଥାଏ। ପ୍ରବଳ ଥଣ୍ଡା ସତ୍ତ୍ୱେ କପାଳରୁ ଝାଳ ବୋହି ଯାଉଥାଏ। ମନକୁ ଆୟତ୍ତ କରି ଆସ୍ତେ କିନା ସେ ସପଟିକୁ ଖୋଲିଦେଲା। ବିସ୍ମୟ ରେ ଆଖି ତାର ବିସ୍ଫାରିତ ହୋଇଗଲା। ପୁରୁଣା କମ୍ବଳରେ ଘୋଡ଼ା ହୋଇ ରହିଛି ସଦ୍ୟଜାତ ନାଭୀନାଡ଼ ସହ ପଦ୍ମକଢ଼ ସଦୃଶ୍ୟ ଶିଶୁଟିଏ। ଛାତି ଥରେଇ ଦୀର୍ଘ ନିଶ୍ୱାସ ଟିଏ ବାହାରି ଆସିଲା!!


 କିଏ ସେ ହୃଦୟହୀନା ମାତା, ନିଜ କଲିଜାର ଟୁକୁଡାକୁ ଏ ଜାଡ଼ରେ ଏଠାରେ ଶୁଆଇ ଦେଇ ଯାଇଛି? ସେ କୁଡି଼ଆର ଚାରି ପାଖରେ ଟର୍ଚ୍ଚ ଆଲୁଅ ପକାଇ ତନ୍ନ ତନ୍ନ ଖୋଜିଲା। କାହାକୁ ପାଇଲା ନାହିଁ। ଡାକ ଛାଡ଼ିଲା। ତା ଡାକର ପ୍ରତିଧ୍ବନି ଚତୁର୍ଦିଗରେ ଖେଳେଇ ହୋଇଗଲା। ପବନରେ ଉଡୁ଼ଥିବା ଶୁଖିଲା ପତ୍ର ସବୁ ଉତ୍ତର ଦେଲେ ତା ପ୍ରଶ୍ନର।


 ଆଉ କ୍ଷଣେ ବିଳମ୍ବ ନକରି କୃଷ୍ଣା ନିଷ୍ପାପ ନିଃସହାୟ ଶିଶୁଟିକୁ ଛାତିରେ ଚାପି ଧରିଲା। କୋମଳ ଉଷୁମ ଶରୀରର ସ୍ପର୍ଶ ପାଇ ତୁନି ହୋଇଗଲା କ୍ରନ୍ଦନ ରତ ଶିଶୁଟି।


  ଆଉ କୃଷ୍ଣା!!!!କାହିଁ କେଉଁ କାଳରୁ ମୃଗ ମରୀଚିକା ପଛରେ ଧାଉଁଥିବା ତୃଷାତୁର ପଥିକକୁ ଶୀତଳ ଜଳ ମୁନ୍ଦେ ମିଳିଲା ଭଳି ତାକୁ ଆତ୍ମସନ୍ତୁଷ୍ଟି ମିଳିଲା। ଛାତି ତଳେ ଜମାଟ ବାନ୍ଧିଥିବା ବାତ୍ସଲ୍ୟ କୁଳ ଲଙ୍ଘି ଝରି ପଡ଼ିଲା।


 ରଙ୍କୁଣୀ କୋଟିନିଧି ପାଇଲା ପରି, ଶିଶୁଟିକୁ ଧରି , କୋଠରୀ ଭିତରକୁ ଆସି ଚଟ୍ କିନା ଶିକୁଳି ଲଗାଇ ଦେଲା କୃଷ୍ଣା। ଛନକାୟିତ ମନ ତାର କମ୍ପି ଉଠୁଥାଏ।। ଶିଶୁଟିକୁ ଯୋରରେ ଜାବୁଡ଼ି ଧରିଲା।। ନା, ଏ ଛୁଆଟିକୁ ସେ ପାଇଛି।। ଇଏ ବର୍ତ୍ତମାନ ଏକାନ୍ତ ଭାବେ ତାର।


  ଏ ପର୍ଯ୍ୟନ୍ତ ସେ ଅନୁଧ୍ୟାନ କରି ନଥିଲା, ଶିଶୁଟି ପୁଅ ନା ଝିଅ, କଳା ନା ଗୋରା। କିଛି ସମୟ ଉତ୍ତାରୁ ଆଶ୍ୱସ୍ତ ହୋଇ ଭଲ ଭାବରେ ନିରିକ୍ଷଣ କଲା। ଗାଢ଼ ଶ୍ୟାମଳ ବର୍ଣ୍ଣ ର ଝିଅଟିଏ।। ମୃଗ ଶାବକ ଭଳି ତା ମୁହଁକୁ ଏକ ଧ୍ୟାନରେ ଅନେଇ ଥାଏ। କୃଷ୍ଣାର ସର୍ବଥା ନିଃସଙ୍ଗ ଜୀବନରେ ଭରୁଥାଏ ମାୟାମୋହର ଉଷ୍ମତା। ନିରିମାଖି ଦୃଷ୍ଟିରେ ତାର କାତରତା। ନିଷ୍ଠୁର ଦୁନିଆ ପ୍ରତି ଏବେଠାରୁ ତାର ଭୟ ବାରି ହୋଇ ପଡୁଥାଏ। କୃଷ୍ଣାକୁ ଲାଗିଲା ସେ ଯେମିତି ଆକୁଳ ପ୍ରାର୍ଥନା କରୁଛି ତା ପ୍ରତି ଦୟା କରି ତାକୁ ଉଦ୍ଧାର କରିବାକୁ। ତାକୁ ଦୁନିଆ ବୁକୁରେ ନିର୍ଭୟରେ ବଞ୍ଛିବାର ଅଧିକାର ଦେବାକୁ।


  ରାତିସାରା ତାକୁ ଜଡେଇ ଧରି ଶୋଇଲା କୃଷ୍ଣା। ତା ପାଟିରେ ମିଶ୍ରି ପାଣି ଓ ମହୁ ଟିକେ ଟିକେ ଦେଲା। ଚିନ୍ତା କରୁଥାଏ ,କିଏ ହୋଇ ଥାଇପାରେ ଏପରି ବିକୃତ ମସ୍ତିଷ୍କ ବ୍ୟକ୍ତି ଯିଏ ଏପରି ନିଷ୍ଠୁର ପଦକ୍ଷେପ ନେଲା।


 ଭୋରରୁ ଉଠି ବୂଧିଆକୁ ଡାକିଲା। ବୁଧିଆର ଅପେକ୍ଷାକୃତ ବଡ଼ କୁଡି଼ଆଟି ତା କୁଡି଼ଆକୁ ଲାଗି। ସେ ଓ ତାର ସ୍ତ୍ରୀ କୃଷ୍ଣାର ଯାବତୀୟ କାମ, ଯଥା ପାଣି ଆଣିବା, ଘର ଓ ଲୁଗାପଟା ସଫା, ବଗିଚା କାମ ଇତ୍ୟାଦି କରନ୍ତି।


  ସେ ଓ ତାର ସ୍ତ୍ରୀ ଆସି ପିଲାଟିକୁ ଦେଖିଲେ, କିନ୍ତୁ ତା ସମ୍ବନ୍ଧରେ କିଛି ତଥ୍ୟ ଦେଇ ପାରିଲେ ନାହିଁ। ଛୋଟିଆ ଗାଁ ଟିରେ ଚହଳ ପଡ଼ି ଗଲା। ସବୁ ଆଦିବାସୀ ପୁରୁଷ, ମହିଳା ଓ ଛୁଆପିଲା ଧାଡ଼ି ବାନ୍ଧି ଧାଇଁଲେ କୃଷ୍ଣା ଦିଦିଙ୍କ ଘରକୁ। କେହି କିଛି ଖବର ଦେଇ ପାରିଲେ ନାହିଁ। ଏକଥା ପକ୍କା ହୋଇଗଲା ଯେ ଛୁଆଟି ଅନ୍ତତଃ ଏ ଗାଁର ନୁହେଁ। ଆଖପାଖରେ ଅନେକ ଗାଁ ଅଛି। କୃଷ୍ଣାର ମନରେ ଆଶା ମୁଣ୍ଡ ଟେକୁଥିବା ସହିତ ଏକ ଆଶଙ୍କା ମଧ୍ୟ ତା ହୃଦୟକୁ ଖିନ୍ ଭିନ୍ କରୁଥାଏ। ଆଶା ଏହା ଯେ ହୋଇଥାଇପାରେ ମାଆଟି ଗରିବ ଅସହାୟ, ନଚେତ ଅବିବାହିତା, ହୁଏତ ନାରୀମାଂସ ଲୋଭୀ କେଉଁ ଏକ କାମୁକର ଶୀକାର। ଏପରି ସମସ୍ୟା ର ସମାଧାନ ତ ସେ ନିଶ୍ଚିତ ରୂପେ କରି ଦେଇ ପାରିବ। ତା ଉପରେ ଆଦିବାସୀ ମାନଙ୍କର ଅଗାଧ ବିଶ୍ୱାସ । କିନ୍ତୁ ଆଶଙ୍କା ହେଉଥାଏ ଯେ ସତରେ ଯଦି ମାଆଟି ମିଳିଯାଏ ତେବେ ତାକୁ ମମତାର ତଣ୍ଟି ଚିପି, ଛାତିରେ ପଥର ରଖି ପିଲାଟିର ବିଚ୍ଛେଦ ସହ୍ୟ କରିବାକୁ ପଡ଼ିବ। ପୁଣି ଥରେ ସେ ହୋଇଯିବ ନିଃସଙ୍ଗ।  


  କୃଷ୍ଣା ପରୋପକାରିଣୀ ଓ କରୁଣାମୟୀ ବୋଲି ଏ ଜଙ୍ଗଲର କୋଡ଼ିଏ ଖଣ୍ଡେ ଗାଁର ଲୋକେ ଜାଣିଥିବେ। ସେହି କଥା ମନରେ ହେଜି ଛୁଆଟିକୁ ହୁଏତ କିଏ ଏଠାରେ ଛାଡ଼ି ଦେଇ ଯାଇଥିବ , ବଞ୍ଚି ଜୀଇକି ଥାଉ ବୋଲି।


କହିବା ବାହୁଲ୍ୟ, ଅନ୍ୟ ଗାଁ ମାନଙ୍କରେ ବୁଝିଲା ପରେ କେବଳ ନିରାଶା ହିଁ ମିଳିଥିଲା।


କୃଷ୍ଣା କିନ୍ତୁ ଆଶ୍ୱସ୍ତ ହୋଇଥିଲା।


- ଏ ଛୁଆକେ ପାଲ୍ ବ ପୁଷ୍ ବ କାଇଁ ଗୋ ଦିଦି? 


 ବୁଧିଆର ସ୍ତ୍ରୀ ପଚାରିଲା। ମୁଣ୍ଡ ଟୁଙ୍ଗାରିଲା କୃଷ୍ଣା।ଛୁଆର ପାଟିରେ ମିଶ୍ରି ପାଣି ଟିକିଏ ଦେଉ ଦେଉ।


- କାର୍ ନାଇଁ କାର୍ ରକତ୍ ହେଇଥିବା ବଏଲେ? 


ମୁଣ୍ଡ ଟେକି ତାକୁ ଦେଖିଲା କୃଷ୍ଣା ଶାନ୍ତ ଦୃଷ୍ଟିରେ।


- ହେଃ, ସେଦିନ ପରା ପରିବା କାଟୁ କାଟୁ ତୋର ହାତ କଟି ଯାଇଥିଲା। ଆଉ ଛୁଞ୍ଚି ମୂନ ବାଜି ମୋ ଆଙ୍ଗୁଳିରୁ ମଧ୍ୟ ରକ୍ତ ସ୍ରାବ ହେଉଥିଲା।। ଦୁଇଟା କଣ ଅଲଗା ଅଲଗା ଦେଖା ଯାଉଥିଲା କିଲୋ?


- ନାଇଁ ଯେ, ହେଲେ.......


- ହେଉ, ସେତିକି ଭାଷଣ ଦେଇ ଥା। ହଁ, ଶୁଣ, ଗାଈ କ୍ଷୀର ଟିକିଏ ଏ ପିଲା ପାଇଁ ଯୋଗାଡ଼ କରିବାକୁ  ପଡ଼ିବ। ମୁଁ ସିନା ଅମୁଲରେ କାମ ଚଳଉ ଥିଲି। ଗଲୁ, ବୂଧିଆକୁ ଡାକି ଦେବୁଟି। 


- ତୁମେ ଧନ୍ୟ ଗୋ ଦିଦି।


କୃଷ୍ଣା ମୁରୁକି ହସିଲା।


ଦୀର୍ଘ ବାର ବର୍ଷ ହେଲାଣି, ବାପା ବୋଉଙ୍କ ମୃତ୍ୟୁ ପରେ କୃଷ୍ଣା ଏ ଜଙ୍ଗଲୀ ଗାଁରେ ଆସି ରହିଛି। ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନିର୍ମଳ ସ୍ୱଚ୍ଛ ପରିବେଶ, ବିଭିନ୍ନ ପଶୁପକ୍ଷୀଙ୍କର ମିଳିତ କେଁ କାଁ,କିଚିରି ମିଚିରି କଳରବ, କୁଳୁକୁଳୁ ନାଦରେ ମଧୂର ସ୍ୱର ତୋଳୁଥିବା ସ୍ୱଚ୍ଛ ସ୍ଫଟିକ ସଦୃଶ୍ୟ ପାହାଡି଼ ଝରଣା, ସବୁଠାରୁ ବଳି ଜଙ୍ଗଲୀ ଆଦିବାସୀ ମାନଙ୍କର ଶାନ୍ତ ସରଳ ନିଷ୍କପଟ ସ୍ୱଭାବ ତାକୁ ଏଠାକୁ ଟାଣି ଆଣିଛି। ସେ ସ୍ୱଇଚ୍ଛାରେ ଏଇ ଗାଁ ସ୍କୁଲରେ ନିଯୁକ୍ତି ପାଇଥିଲା। ପ୍ରଥମେ ନିଜ ଗାଁ ରୁ ଯିବା ଆସିବା କରୁଥିଲା। କିନ୍ତୁ ବାପା ବୋଉ ଙ୍କ ବିୟୋଗରେ ମ୍ରିୟମାଣ ହୋଇ ସେ ଏଠାକାର ସ୍ଥାୟୀ ବାସିନ୍ଦା ହୋଇ ରହି ଯାଇଛି। ଏଠାକାର ଲୋକଙ୍କୁ ସେ ନିଜର କୁଟୁମ୍ବ ମାନି ଆସିଛି। 


  ଶ୍ୟାମଳ ବର୍ଣ୍ଣର ହୋଇ ଥିବାରୁ ବାପା ତାର ନାଁ ଦେଇଥିଲେ 'କୃଷ୍ଣା' । ପିଲାବେଳେ ସାଙ୍ଗ ସାଥି କେହି ତାକୁ 'କାଳି କୋତରୀ' ବୋଲି ଚିଡେଇଲେ ସେ ବୋଉ କୋଳରେ ମୁହଁ ଗେଞ୍ଜି କାନ୍ଦେ, "ତୁ ତ ଏତେ ଗୋରୀ, ମୋତେ କାହିଁକି କାଳୀ କଲୁ"। ବୋଉ ବୁଝାଏ,


-କୃଷ୍ଣ ତ କଳା, କୃଷ୍ଣା ମଧ୍ୟ କାଳୀ। ହେଲେ କଣ ହେବ, କୃଷ୍ଣ ତ ସାରା ବିଶ୍ୱ ବ୍ରହ୍ମାଣ୍ଡର ପ୍ରିୟ ହୋଇ ପାରିଥିଲେ। କୃଷ୍ଣା ମୋର ସେହିଭଳି ସମସ୍ତଙ୍କ ମନ କିଣି ସଭିଙ୍କ ପ୍ରିୟ ହେବ।


 ପ୍ରିୟ ହେବା କଥାଟା କାହିଁକି ଖାପ୍ ଛଡ଼ା, ଅଡ଼ୁଆ ଲାଗିଥିଲା, ଯେତେବେଳେ ସେ ଯୌବନରେ ପାଦ ଥାପିଲା। କାହିଁ, କେହି ଜଣେ ହେଲେ ତ ତାକୁ ଭଲ ପାଇବାର ସାମାନ୍ୟତମ ଇଶାରା ମଧ୍ୟ ଦେଲେ ନାହିଁ। ଯେତେବେଳେ ତାର ଅନ୍ୟାନ୍ୟ ସାଙ୍ଗ ମାନଙ୍କ ପାଖକୁ କେତେ କେତେ ପ୍ରେମ ପତ୍ର ଆସୁଥିଲା।


  ଏକଥା ସତ ଯେ ତାର ପ୍ରଶଂସାରେ ସମସ୍ତେ ଶତମୂଖ ହୋଇ ପଡୁଥିଲେ। ପାଠରେ ଅତ୍ୟନ୍ତ ବିଚକ୍ଷଣ ଥିବା ସହିତ ସେ ଥିଲା ଖୂବ୍ ବ୍ୟବହାର କୁଶଳୀ ଓ ମିଷ୍ଟଭାଷିଣୀ। ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସର୍ବାଧିକ ପ୍ରିୟ ଛାତ୍ରୀ ଥିଲା। ସହପାଠୀ ମାନଙ୍କର ପ୍ରିୟ ସାଙ୍ଗ ଓ ଆଦର୍ଶ ଥିଲା। ତଥାପି ମନର ଏକ କୋଣରେ କିଛି ଗୋଟାଏ ର ଅଭାବ ତାକୁ ଖୁବ ଉଦ୍ ବେଳିତ କରୁଥିଲା।ମଲା ଜହ୍ନକୁ ଦେଖି, କୋଇଲିର ମତୁଆଲା ସ୍ୱର ଶୁଣି, ଆମ୍ବ ବଉଳର ବାସ୍ନା ଆଘ୍ରାଣ କରି କାହାରି ବିରହୀ ହୃଦୟର ସ୍ପନ୍ଦନକୁ ଅନୁଭବ କରିବାକୁ ଚାହୁଁଥିଲା ତାର ନିଜ ବିରହ ବେଦନାସିକ୍ତ ହୃଦୟରେ। ଭାବୁଥିଲା, ଗୁଣକୁ ପାଖେଇ ଦେଇ ତାର କୃଷ୍ଣତାକୁ କିଏ ନିଜର କରନ୍ତା ନି?  


 ତା ଜୀବନରେ ଯେ ବସନ୍ତ ଆସି ନଥିଲା, କୋଇଲି ଡାକି ନଥିଲା, ମୟୂର ନାଚି ନଥିଲା, ତା ନୁହେଁ। କିନ୍ତୁ କେବଳ ତା ଏକାକି ମନର ନିଭୃତ କୋଣରେ, ସମସ୍ତଙ୍କ ଅଗୋଚରରେ। ନା ସେ ତାକୁ ଉଦ୍ଘାଟିତ କରି ପାରିଲା, ନା ଅଭିରାମଙ୍କ ତରଫରୁ କିଛି ଇଶାରା କି ଆଶ୍ୱାସନା ପାଇଲା।


 ଅଭିରାମ, ତା ମାନସ କବିତାର ନାୟକ। କଲେଜରେ ପଢ଼ୁଥିବା ବେଳେ ,ଅଭିରାମ ଥିଲେ ତାର ସହପାଠୀ।।ନାମ ଅନୁରୂପ ସେ ଥିଲେ ରୂପବାନ୍ ଓ ଚରିତ୍ର ବାନ୍, ସୌମ୍ୟ ଗମ୍ଭୀର। କଲେଜରେ ସବୁ ଝିଅଙ୍କ ଈପ୍ସିତ। ଶ୍ରେଣୀ ପରୀକ୍ଷା ମାନଙ୍କରେ ଅଭିରାମ ପ୍ରଥମ ହେଉଥିଲା ବେଳେ କୃଷ୍ଣା ଦ୍ୱିତୀୟ ସ୍ଥାନ ଅଧିକାର କରୁଥିଲା। ତାକୁ ଲାଗୁଥିଲା , ଅଭିରାମଙ୍କୁ ପ୍ରଥମ ସ୍ଥାନରେ ଦେଖିବା ପାଇଁ ସେ ବୋଧେ ଜାଣି ଜାଣି କିଛି ଭୂଲ କରି ଦେଉଥିଲା। ଅଭିରାମଙ୍କ ପଛରେ ରହିବାକୁ ତାକୁ ଖୁସି ଲାଗୁଥିଲା। ଅନେକ ସ୍ୱପ୍ନର ଜାଲ ସେ ବୁଣୁଥିଲା ଅଭିରାମଙ୍କୁ ନେଇ। ବ୍ଲାକ୍ ବୋର୍ଡରେ ନିଜ ନାମ ସହିତ ତାଙ୍କ ନାମକୁ କଳ୍ପନା କରି ନିଜେ ନିଜେ ରୋମାଞ୍ଚିତ ହେଉଥିଲା। ଭାବୁଥିଲା, ତାଙ୍କ ଦିଜଣଙ୍କୁ ନେଇ କିଛି ଗୁଜବ ଉଠନ୍ତା କି କଲେଜରେ।


  କେବେ କେବେ ଅଭିରାମ ତା ଠାରୁ ନୋଟ୍ ଇତ୍ୟାଦି ନେଉଥିଲେ। ଖୁବ ପ୍ରଶଂସା କରୁଥିଲେ ତାର ଲେଖିବାର ଶୈଳୀକୁ। ତା ସ୍ୱପ୍ନକୁ ବାଟ କଢ଼ଉଥିଲେ। ସେତେବେଳେ କୃଷ୍ଣାର ହୃଦୟର ସ୍ପନ୍ଦନ କେତେ ଗୁଣ ଯେ ବଢ଼ି ଯାଉଥିଲା, ସେ ମନେ ମନେ ଭାବୁଥିଲା କିଛି ଗୋଟେ ଘଟିବ ହୁଏତ।


 କିନ୍ତୁ କିଛି ବି ଘଟି ନଥିଲା। ଅଭିରାମ ଚାଲି ଯାଇଥିଲେ ତାଙ୍କ ବାଟରେ। କୃଷ୍ଣା ରହିଗଲା ତାର ସ୍ୱପ୍ନକୁ ନେଇ। ବସନ୍ତରେ କାହୁଁ ଅଦିନ ମେଘ ଘୋଟି ଆସିଲା, କୋଇଲିର ସ୍ୱର ବେସୁରା ହୋଇଗଲା। ଆଉ ମୟୂରର ପାଦର  ତାଳ ,ଛନ୍ଦ, ଲୟ ସବୁ ବିଗିଡ଼ି ଯାଇଥିଲା।


 ବାସ୍, ଆଉ କାହାକୁ ସେ ଯୋଗ୍ୟ ବୋଲି ଭାବିନି କି ଆଉ କେହି ମଧ୍ୟ ତାକୁ ଯୋଗ୍ୟ ବୋଲି ଭାବି ନାହାନ୍ତି।


  ବିବାହ ପାଇଁ ଯିଏ ବି ତାକୁ ଦେଖିବା ପାଇଁ ଆସିଲା, ତା ପାଠ, ଗୁଣ, କାମର ପ୍ରଶଂସା କଲା ସିନା, ହଁ କହିଲା ନାହିଁ। ଅବଶେଷରେ କୃଷ୍ଣା ବିବାହ କରିବନି ବୋଲି ନିଷ୍ପତ୍ତି ନେଲା।


  ସେ କେହି ଜଣକର ଅଭାବ ତାର ଏ ପର୍ଯ୍ୟନ୍ତ ରହିଛି। ସେହି ଅପୂରଣୀୟ ଶୂନ୍ୟସ୍ଥାନ ପୂରଣ କରିବାକୁ ଯେଉଁ ମାନେ ଉତ୍ସୁକ ଥିଲେ , ଯଥାଯୋଗ୍ୟ ନ ଥିବାରୁ ବାପା ବୋଉ ନାକଚ କରିଥିଲେ। ତାର ମନ ଉଦାସୀନ ହୋଇ ଯାଇଥିଲା ବିବାହ ପ୍ରତି।ବିତୄଷ୍ଣା ଆସି ଯାଇଥିଲା।


 ସେ ପାଠପଢା ଶେଷ କରି ସରକାରୀ ଚାକିରୀ ପାଇ ଥିଲା, ଶିକ୍ଷୟିତ୍ରୀ ଭାବେ।। ଜଙ୍ଗଲୀ ଗାଁ ମାନଙ୍କରେ ନିଯୁକ୍ତି ପାଇଁ ଆବେଦନ କରିଥିଲା। ତା ପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହିଁ। ଆଦିବାସୀ ଛୁଆଙ୍କୁ ଶିକ୍ଷିତ କରିବାରେ ସେ ମନୋନିବେଶ କଲା।। ଶିକ୍ଷାଦାନ ସହ ଆଦିବାସୀ ଗାଁ ମାନଙ୍କର ଉନ୍ନୟନ ନିମନ୍ତେ କାର୍ଯ୍ୟ କଲା। ଗ୍ରାମବାସୀ ମାନଙ୍କର ସର୍ବାଙ୍ଗୀଣ ଉନ୍ନତି ଦିଗରେ ଅଥକ ପରିଶ୍ରମ କଲା। ସେମାନଙ୍କୁ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ର ମହତ୍ତ୍ଵ ବୁଝିଇଲା। ଲୋକମାନେ ମଧ୍ୟ ତାକୁ ଦେବୀର ଆସନରେ ବସାଇଲେ। ଯେ କୌଣସି କାର୍ଯ୍ୟ କରିବା ପୂର୍ବରୁ କୃଷ୍ଣା ଦିଦିଙ୍କ ପରାମର୍ଶ ଲୋଡ଼ିଲେ। ଛାତ୍ର ଛାତ୍ରୀ ମାନେ ମଧ୍ୟ ବେଶ ଉନ୍ନତି କଲେ। ଏ ପର୍ଯ୍ୟନ୍ତ ସେ ଅନେକ ଛାତ୍ର ଛାତ୍ରୀଙ୍କୁ ଇଞ୍ଜିନିୟର ,ଡାକ୍ତର ଓ ଅନ୍ୟାନ୍ୟ ଉଚ୍ଚ ପଦବୀରେ ଆସୀନ କରେଇ ପାରିଛି। ସର୍ବଶ୍ରେଷ୍ଠ ଶିକ୍ଷୟିତ୍ରୀ ରୂପରେ ରାଷ୍ଟ୍ରପତି ପୁରସ୍କାର ସହ ଆହୁରି ଅନେକ ପୁରସ୍କାର ଓ ମାନପତ୍ର ଅର୍ଜନ କରିଛି। ଏବେ ସେ ତାର ବୋଉର କଥା ଅକ୍ଷରେ ଅକ୍ଷରେ ସତ ବୋଲି ଅନୁଭବ କରି ପାରିଛି। ସେ ତ ସତରେ ସମସ୍ତଙ୍କର ପ୍ରିୟ ହୋଇ ପାରିଛି।


- ଦିଦି, କ୍ଷୀର ନିଅ ଗୋ।


 ବୁଧିଆର ଡାକରେ କୃଷ୍ଣାର ସମ୍ବିତ୍ ଫେରି ଆସିଲା।


  ନିଶ୍ଚିନ୍ତ ନିଦ୍ରାରେ ଥିବା କୁନି ଝିଅକୁ ଅନେଇଲା। ତାର ନିଷ୍ପାପ ମୁହଁରେ ଧାରେ ହସ। ସେ ବିଧାତାର ଏଇ ଅପୂର୍ବ ଦାନ ପାଇ ଅଭିଭୂତ ହୋଇ ଯାଇଥିଲା। ତାକୁ ଲାଗୁଥିଲା, ତାର ନିଜର ଶୈଶବ ପୁଣି ଥରେ ରୂପ ନେଇ ତାରି କୋଳରେ ଶୋଇଛି। ତାକୁ ଅନୁଭୂତ ହେଉଥିଲା, ସେ ନିଜେ ହିଁ ତ ଏ ଶିଶୁ କନ୍ୟାର ଜନ୍ମଦାତ୍ରୀ। ବହୁତ ଦିନରୁ ରିକ୍ତ ପଡ଼ିଥିବା ହୃଦୟର କୋଣରେ ଫଗୁଣ ଫୁଟିଲା। ବର୍ତ୍ତମାନ ତାର ଚାରିପାଖରେ ପୃଥିବୀ ଦେଖାଗଲା ଅବୀର ଅବୀର। କୁହୁଡ଼ି ଅପସରି ଯାଇଥିଲା। ସୂର୍ଯ୍ୟ ହସୁଥିଲା କମଳିନୀକୁ ଦେଖି।


 ସେ ବୁଧିଆର ସ୍ତ୍ରୀକୁ କହିଲା,


- ମୁଁ ସ୍କୁଲ ଗଲେ ମୋ ଝିଅର ଦାୟିତ୍ୱ ତୁ ନେବୁ ଯେ।


ବୁଧିଆର ସ୍ତ୍ରୀ ମୁଣ୍ଡ ଟୁଙ୍ଗାରି ହଁ କଲା।


ଆଖିରେ ତାର ବିସ୍ମୟ ମିଶ୍ରିତ ସମ୍ମାନ।


 ଆରତୀ ସାହୁ (ଆଶା)

 ବସନ୍ତ ବିହାର 

 ନୂଆଦିଲ୍ଲୀ


Rate this content
Log in