Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଧୂଳି ଧୂଆଁର ଜୀବନ
ଧୂଳି ଧୂଆଁର ଜୀବନ
★★★★★

© Lopamudra Mishra

Tragedy

10 Minutes   316    37


Content Ranking

ଲୋପାମୁଦ୍ରା ମିଶ୍ର

ଖରା ମୁଣ୍ଡଉପରକୁ ଆସିଲାଣି । ଭାରତୀ ଭାତହାଣ୍ଡିଟା ଚୁଲି ଉପରୁ ଉଠେଇ ଆଣି ତଳେ ଥୋଇଲା । ଲିଭି ଆସୁଥିବା ଚୁଲିର ନିଆଁରେ ବାଇଗଣ ଆଉ ବଡି ଦିଇଟା ଗଡେଇ ଦେଇ ଧଡ଼ା ପାଖକୁ ଆସି ରାସ୍ତାକୁ ଅନେଇଲା । ରତନା ତ କୋଉଦିନ ଏତେ ଡେରି କରେନାହିଁ ? କାମରେ ଯୁଆଡେ ଗଲେ ଵି ଖାଇବା ବେଳକୁ ଠିକ ଆସି ପହଞ୍ଚିଯାଏ । ଆଜି କହିଯାଇଥିଲା ଝଅଟି ଫେରିଆସିବ । ସାରଙ୍ଗବାବୁଙ୍କ ପୁଅର କାଲି ଜନ୍ମଦିନ । ତାଙ୍କ ଘର ଆଗ ଖାଲି ଢ଼ିଅଟାରୁ ଘାସ ଚାଞ୍ଛି ସଫା କରି ଲିପାଲିପି କରିବ । ତାଙ୍କ ଛାତ ଉପରଟା ଧୁଆ ଧୁଇ କରି ପରିଷ୍କାର କରିବ । କେତେ ଆଡୁ କେତେ ଭଦ୍ରଲୋକ ଆସିବେ । ଆଠ ଦିନ ହେଲା ରତନା ସେଇ କଥା କହି ହେଉଛି । କହୁଥିଲା ସାରଙ୍ଗବାବୁଙ୍କ ଘରୁ ଶୀଘ୍ର କାମ ସାରି ଫେରିଲେ ସଞ୍ଜକୁ ଭାଗିରଥି ସାହୁ ଘରକୁ ଯିବ ଇଟାଭାଟି କାମରେ । ହେଲେ ଏଯାଏଁ ଫେରିଲାନି । ଭାରତୀ ତାଟିଟା ଲଗେଇ ଦେଇ ବୁଲିପଡିଲା । ଚାଳ ଉପର ଦେଇ ଘର ଭିତରର ଧୂଆଁ ଆକାଶକୁ ଉଠିଯାଉଛି ।

ଦୁଇ ବଖୁରିଆ ଝାଟିମାଟି ଚାଳଘରୁ ଛୋଟ ଛୁଆର କରୁଣ କାନ୍ଦଣା ଶୁଭାଗଲା । ଭାରତୀ ପାଣି ଢାଳଟା ପିଢା ପାଖରେ ଥୋଇ ଦେଇ ନୁଆଁଣିଆ ଘର ଭିତରକୁ ନଇଁ ନଇଁ ପଶିଗଲା । ବବୁଲୁ ଚିଡ଼ା ଛାଡ଼ି କାନ୍ଦୁଛି । ଶୋଇଥିଲା ଅନେକ ବେଳରୁ । ପେଟରୋଗର ଯନ୍ତ୍ରଣାଟା ବଢିଗଲା ବୋଧେ କିମ୍ବା ହେଇପାରେ ଭୋକିଲା ପେଟଟା ଖାଦ୍ୟ ଖୋଜିଲା କି କଣ, ନିଦଟା ତାର ଚାଉଁକରି ଭାଙ୍ଗିଗଲା । ମାଆ ଠିକ ବୁଝିପାରେ ଛୁଆ କେତେବେଳେ କଣ ଚାହେଁ । ଭାରତୀ ଥାଳିରେ ଗଣ୍ଡେ ଭାତ ଓ ଅଳ୍ପଟିକେ ଡାଲି ଗୋଳେଇ କରି ଆଣିଲା । ରୋଗୀଣା ପିଲାଟାର ପାଟିରେ ଦୁଇଗୁଣ୍ଡା ଭାତ ଦେଇଛି ବାହାରେ ହୋ ହାଲ୍ଲା ଶୁଭାଗଲା । ବବୁଲୁ ପାଟିରୁ ଭାତ ସରିଗଲେ ଦବିଆସିଥିବା କାନ୍ଦଟାକୁ ସେ ପୁଣିଥରେ ଆରମ୍ଭ କରିଦେଉଛି । ଘଟଣାଟା କଣ ଜାଣିବା ପାଇଁ ଛୁଆକୁ କାଖେଇ ବାହାରକୁ ବାହାରିଲା ଭାରତୀ । ଧଡ଼ା ସେପଟେ ସାହି ଲୋକେ ଜମା ହୋଇ କଣ ଗୋଟେ ଆଲୋଚନା କରୁଛନ୍ତି । ସୁକୁମାରୀ ଧାଇଁ ଆସିଲା ଭାରତୀର ଧଡ଼ା ଠେଲି ଭିତରକୁ । ଭାରତୀର ହାତ ଧରି ପିଣ୍ଡା ଉପରେ ବସେଇଲା ।

--ତୁ ଜମା ବ୍ୟସ୍ତ ହୋନା ଲୋ । ସାରଙ୍ଗବାବୁଙ୍କର ଜୀବନ ତ ଯାଇନି । ଖାଲି ଗୋଟେ କୋଦାଳ ଚୋଟ ପାଇଁ କାହାକୁ ଫାସୀ ହେଇଯାଏନା କଣ? ରତନାକୁ ପୁଲିସ ନିଶ୍ଚୟ ଛାଡ଼ିଦେବ ।

ଭାରତୀ ପାଟିରୁ କଥା ବାହାରୁନି । ଆଁଟା ମେଲା କରି ସୁକୁମାରୀକୁ ଅନେଇଛି । ବବୁଲୁ ଆହୁରି ଜୋରରେ କାନ୍ଦୁଛି । ପାଟିରେ ପୂରେଇଥିବା ଭାତ ଗୁଣ୍ଡାଟା ଲାଳରେ ଲଟପଟ ହେଇ ଫୁଙ୍ଗୁଳା ଛାତିର ତଳ ଦେଇ ନାଗରା ପରି ବଢିଆସିଥିବା ତା ପେଟ ଆଡକୁ ବୋହି ଆସୁଛି । ଲୁହ ସିଂଘାଣି ଏକାକାର । ପାଟିଟାକୁ ତାର ଚୁପ କରେଇବା ପାଇଁ ଛୋଟ ସେହିଟାକୁଆ ଗାଲଟାରେ ଚଟକଣାଏ ବସେଇଲେ ଭାରତୀ । ଯନ୍ତ୍ରଣା ଗୁଡାକର ସ୍ୱର ହିଁ ସେମିତି । ମାଡ଼ ଖାଇଲେ ଆହୁରି କରୁଣ ହୋଇଉଠେ ।

ଭାରତୀ ଭାବି ପାରୁନି ଏତେ ସରଳ, ନିରୀହ ତା ସ୍ୱାମୀ ଯିଏ ତା ଦିହରେ ଟିପଟାଏ ଵି ଦିନେ ବସେଇନି ଆଜି ଆଉ କାହା ଉପରକୁ କୋଦାଳ ଚୋଟଟେ ବସେଇଲେ କେମିତି ? କୋଦାଳ ନହେଇ ଯଦି ସେଇଟିଟାଙ୍ଗିଆ କି କଟୁରୀ ହେଇଥାନ୍ତା? ଆଗକୁ ଆଉ କିଛି ଭାରତୀ ଚିନ୍ତା ଵି କରିପାରୁନି । କଣ ଏବେ କରିବ ସେ? ଏକୁଟିଆ ମାଇକିନିଆ । ଘରେ ପୁଣି ରୋଗୀଣା ଛୁଆ ।

ବାହାଘରର ଅନେକ ବର୍ଷପରେ ଈଶ୍ୱର ପୁଅଟିଏ ଦେଲେ ଯେ ଆଜନ୍ମ ଅସୁସ୍ଥ । ଏବେ ପୁଣି ତାର ଏହି ଅସ୍ୱାଭାବିକ ପେଟଫୁଲା ରୋଗଟାର ଚିନ୍ତା ବାପାମାଆ ଦୁହିଁଙ୍କୁ ଖାଇଯାଉଛି । ମୁଲ ମଜୁରୀ ଲାଗି ଯାହା କିଛି ରୋଜଗାର ହୁଏ ତିନିପ୍ରାଣୀଙ୍କ ପେଟକୁ ତ ନିଅଣ୍ଟ, ଆଉ ରୋଗ ବଇରାଗ ଓଷଦ ପତରକୁ ପଇସା କୋଉଠୁ ଜୁଟିବ ? ଦିଇନି ଵି କୋଉଠି କାମ ମିଳୁଛି ? ମାନପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇକି ବବୁଲୁକୁ ଯାଇଥିଲେ ଭାରତୀ ଆଉ ରତନା । ସରକାରୀ ଔଷଧ ଗୁଡ଼ାଏ ଆଣିକି ଆସିଥିଲେ । ଡାକ୍ତର ତା ପେଟର ଅବସ୍ଥା ଦେଖି ଶୀଘ୍ର ବଡ଼ମେଡିକାଲକୁ ନେଇଯିବାକୁ କହିଛନ୍ତି । କଣ ସବୁ ପରୀକ୍ଷା ନିରୀକ୍ଷା ହେଲେ ଯାଇ ଜଣାପଡିବ ଛୁଆର ପେଟଟା ଏମିତି କାହିଁକି ଫୁଲୁଛି । ଟଙ୍କା ଯୋଗାଡ଼ ହେଲେ ତ ଯାଇ ସହରର ବଡ଼ ଡାକ୍ତରଖାନାକୁ ଯିବେ ? ସାରଙ୍ଗବାବୁ କିଛି ପଇସା ଦେବେ କହିଥିଲେ । ଆଗରୁ ଅନେକ ବାର ତାଙ୍କ ଆଗରେ ରତନା ହାତ ପତେଇଛି । ସାହାଯ୍ୟ ଟିକେ ପାଇବା ଲାଳସାରେ ବାବୁ ଯେତେବେଳେ ଯୋଉ କାମ ପାଇଁ ଡାକନ୍ତି ବସିବା ଜାଗାରୁ ଉଠିଯାଏ ରତନା । ବାବୁଙ୍କ ପୁଅର ଜନ୍ମଦିନ ପୂର୍ବରୁ କିଛି ଟଙ୍କା ସେ ଦେବେ ବୋଲି ଆଗରୁ କହିରଖିଥିଲେ । ବବୁଲୁକୁ ନେଇ ଏଥର ବଡ଼ ଡାକ୍ତରଙ୍କୁ ଦେଖେଇବ ରତନା । ଛୁଅଟାର ଯନ୍ତ୍ରଣା ଆଉ ଦେଖି ସହି ହେଉନି । ଏଡ଼ ବଡ଼ ପେଟକୁ ଧରି ପିଲାଟା ଠିକରେ ଚଲାବୁଲା ଵି କରିପାରୁନି । ଦେଖିଲେ ଲାଗୁଛି ଢୋଲ ପରି ବଢିଯାଇଥିବା ପେଟଟା ଉପରୁ ଏହିକ୍ଷଣି ଯେମିତି ପତଳା ଚମଡ଼ାଟା ଫାଟିଯିବ ଆଉ ଛୁଅଟାର ଫମ୍ପା ପେଟ ଭିତରୁ ଆଭ୍ୟନ୍ତରୀଣ ଅଙ୍ଗ ଗୁଡିକ ବାହାରକୁ ବାହାରିଆସିବ ।

ଚାରିବର୍ଷର ଛୋଟ ଭୋକିଲା ରୋଗୀଣା ଛୁଅଟାକୁ ପିଣ୍ଡାରେ ଗୋଟେ କଡ଼ରେ ଗଡେଇଦେଇ ଭାରତୀ ମୁଣ୍ଡରେ ହାତଦେଇ ବସିଛି । ଆଖିରୁ ଖସି ପଡୁଛି ଧାର ଧାର ଲୁହ । ଛୁଆଟା ପିଣ୍ଡା ତଳକୁ ଖସିଆସି କେତେବେଳୁ ଧୂଳିରେ ଗଡ଼ିଲାଣି । ଚୁଲିରେ ବାଇଗଣ ବଡି ପୋଡି ଅଙ୍ଗାର ହେଇଗଲାଣି । ଧୂଆଁର ଧାର ଵି ସେଇମିତି ଚାଳ ଭେଦି ଉପରକୁ ଉଠୁଛି ।

ଛାଇ ଲେଉଟିବା ବେଳ ହେଲାଣି । ମାଆ ପୁଅ ଦୁହେଁ ସେତେବେଳୁ ଦାଣ୍ଡ ପିଣ୍ଡାରେ ପଡିଛନ୍ତି । ବବୁଲୁ ଆଉ କାନ୍ଦୁନାହିଁ । ସରୁଆ ସରୁଆ ଗୋଡ଼ ଦୁଇଟାକୁ ପିଣ୍ଡା ତଳକୁ ଓହଳାଇ ମାଆର କାନିରେ ମୁହଁ ଗୁଞ୍ଜି ବସିଛି । ଛୁଅଟାର ଅଧାଖିଆ ପେଟଟା କିନ୍ତୁ ସେଇମିତି ଫମ୍ପେଇରହିଛି । ଘର ଭିତରେ ଥାଳିରୁ ଅଇଁଠା ଭାତଗୁଡାକ କାଳିଆକୁକୁରର ଉଦରକୁ ଶାନ୍ତ କଲାଣି । ଭାରତୀର ଆଉ ସେଥି ପ୍ରତି ନିଘା ନାହିଁ ।

ସଞ୍ଜଗଡି ରାତି ହେଲା । ରତନା ଫେରିବାର କିଛି ଖବର ମିଳିଲାନି । ସାହିଲୋକେକୁହାକୁହି ହେଉଛନ୍ତି ସାରଙ୍ଗବାବୁଙ୍କ ହାତ ଆଉ ପେଟରେ ଆଘାତ ଲାଗିଛି । ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି । ଜୀବନ ପ୍ରତି କିଛି ବିପଦ ନାହିଁ । ଭାରତୀ ସବୁ ଶୁଣୁଛି । ତଥାପି ଅବୁଝା, ରତନା ଚୋଟଟା ବସେଇଲେ କାହିଁକି ? ସୁକୁମାରୀ ପୁଣି ରାତିକୁ ଆସିଲା । ଭାତ ତରକାରୀ ଗରମ କରି ସାଙ୍ଗରେ ଆଣିଥିଲା । ବବୁଲୁକୁ ଖୁଏଇଲା । ଭାରତୀ ପାଟିରେ ଗୁଣ୍ଡା ଟେ ଦେଲାବେଳକୁ 'ଭୋ' କରି ହୃଦୟ ଫଟା ଶବ୍ଦ ଟେ ସେ ବାହାର କଲା । ସୁକୁମାରୀକୁ ଖୁବ ଜୋରରେକୁଣ୍ଢେଇ ଧରିଲା । ସୁକୁମାରୀ ଵି ତାକୁ ।

--ଧର୍ଯ୍ୟ ଧର ଲୋ ଭାରତୀ । କିଛି ହେବନି ତାର । ସାରଙ୍ଗବାବୁ ମେଡିକାଲ ରୁ ଆଇଲେ ରତନାକୁ ପୁଲିସ ନିଶ୍ଚେ ଛାଡ଼ିଦେବ । ନହେଲେ ଆମେ ଓକିଲକୁ କହି ତାକୁ ଜାମିନୀରେ ଆଣିବା । ମୁଁ ୟାଙ୍କୁ କହିଛି । ସବୁ ବ୍ୟବସ୍ଥା ହେବ ।

--ଶୁକଦେଈ ! ସେ କାହିଁକି ଏମିତି କଲେ? ପୁଅ ପାଇଁ କେତେ ଲୋକଙ୍କ ଆଗରେ କେଡ଼େ ନେହୁରା ହେଇ ଟଙ୍କା ମାଗିଛନ୍ତି । କେହି ଦେଲେନି । ସାରଙ୍ଗବାବୁ ଦେବେ କହିଥିଲେ । ତାଙ୍କରି କାମ ପାଇଁ ବସିଲା ଥାନରୁ ଉଠିଯାଉଥିଲେ । ତୁମେ ତ ଜାଣିଛ ତୁମ ଦିଅର କେତେ ସରଳିଆ । ସେ କେମିତି ଚୋଟଟା ବସେଇଲେ ? ମୋ ମୁଣ୍ଡ ଆଉ କାମ କରୁନି ଲୋ ଦେଈ !ଇଁ ଇଁ ....

ଭାରତୀ ପୁଣି କାନ୍ଦିବା ଆରମ୍ଭ କରିଦେଲା । କନ୍ଦାକଟା ବହୁ ସମୟ ଯାଏଁ ଲାଗିରହିଲା । ସୁକୁମାରୀ ତା ଘରକୁ ଫେରିଗଲା । ଅନେକ ରାତିଯାଏଁ ଭାରତୀ ଚାହିଁରହିଛି । ବବୁଲୁ ଶୋଇପଡ଼ିଲାଣି । ଭାରତୀ ସେଇମିତି ବସିରହି ନାନା କଥା ଭାବୁଛି । ଗରୀବ ହେଲେ ନିରବ ହେବାକୁ ହୁଏ । ଗରମ ହୋଇ ଚରମ ସୀମା ଡେଇଁଲେ ଗରୀବ ପିଠିରେ କେହି ପଡ଼େନି । ରତନା ଯେ ଆଉ ଥାନା ରୁ ବାହାରି ଘରକୁ ଆସିପାରିବ ସେ ବିଶ୍ୱାସ ଭାରତୀର ମନକୁ ଆସୁନଥିଲା ।

ସାରଙ୍ଗବାବୁ ଭଲ ହେଇ ଡାକ୍ତରଖାନା ରୁ ଆସିଲେ । ହାତ ଓ ପେଟର କ୍ଷତ ସବୁ ଭଲ ହୋଇଗଲା । ଅନେକ ବାବୁ ଭାୟା ଆସି ତାଙ୍କୁ ଦେଖା କରୁଛନ୍ତି । ପୁଅର ଜନ୍ମଦିନଟା ଠିକ ସମୟରେ ପାଳିହେଲାନି ନୃଶଂସ ରତନାଟା ପାଇଁ । ଆଉ ଦିନେ ପୁଅର ଜନ୍ମଦିନ ନିରାଡମ୍ବରରେ ପାଳନ କରାଗଲା । ଭାରତୀ ବବୁଲୁକୁ କାଖେଇ ବାବୁଙ୍କ ଦୁଆରେ ହାଜର । ବହୁ ନେହୁରା ହେଲା । ବାବୁଙ୍କ ଗୋଡ଼ତଳେ ପଡିଗଲା । ଛୁଆଟା ଉପରେ ଟିକେ ଦୟା କରିବାକୁ କହି ଢେର କାନ୍ଦିଲା । କେହି ତାର ଗୁହାରୀକୁ କାନ ଦେଲେନି । ଜୀବନ ଯାଉ ଯାଉରହିଯାଇଛି । ଏମିତି ଅପରାଧୀକୁ ଶାସ୍ତି ନଦେଇ କେହି ସେମିତି ଛାଡିଦିଏ?

ଭାରତୀ ପଡୋଶୀରଘୁ ଓ ସୁକୁମାରୀଙ୍କ ସହାୟତାରେ ଥାନାକୁ ଯାଇ ରତନାକୁ ଦେଖାକଲା । ଆସନ୍ତାକାଲି ତାକୁ କୋର୍ଟରେ ହାଜର କରାଯିବ । ଭାରତୀର ଆଲୁରୁ ବାଲୁରୁ ରୂପ ଓ ବବୁଲୁର ଶୁଖିଲା ରୋଗୀଣା ଦେହକୁ ଦେଖି ରତନା କାନ୍ଦିପକେଇଲା । ଛୁଆର ପେଟଟା ଆହୁରି ବଢିଗଲା ପରି ତାକୁ ଲାଗୁଛି । ଗୋଡ଼ହାତ ଆହୁରି ସରୁଆ ଡାଙ୍ଗ ହେଇଗଲାଣି । ପୁଅର ମୁଣ୍ଡରେ ହାତ ବୁଲେଇ ଆଣିଲା ରତନା । ବବୁଲୁ ହାତ ଗଳେଇ, "ବାପା ବାପା... ନେ.. ନେ " କହି ଜିଦ୍ଦି କଲା । ପରିବେଷ ଦୁଃଖରେ ଆହୁରି ବେଶୀ ଆର୍ଦ୍ର । ମୁହଁରେ ଲୁଗା ଗେଞ୍ଜି ଭାରତୀ କାନ୍ଦ ଅଟକେଇ କହିଲା, "ହଇହେ ! ଏମିତି କାମ କି ପାଇଁ କଲ? ଆମେ ଏବେ କୋଉଠି କି ଯିବୁ? ବବୁଲୁର ଓଷଦ ସଇଲାଣି । ଯୁଆଡେ ଗଲେ ଲୋକେ ଆଡେଇ ଯାଉଛନ୍ତି । ପୁଅ କଥା କଣ ଟିକେ ଭାବିଲନି ଚୋଟଟା ବସେଇଦେଲ? "

--ନାଁ ଲୋ ! ପୁଅ କଥାଟା ବେଶି ମନେ ପଡ଼ିଲାରୁ ରାଗରେ କୋଦାଳଟା ଉଠିଗଲା ଲୋ ? ସବୁଆଡୁ ନିରାଶ ହେଇ ମୋତେ ଆଉ କିଛି ଦିଶିଲାନାହିଁ ଲୋ । ବାବୁ ତାଙ୍କ ପୁଅର ଜନମ ଦିନ ମଉଛୁବରେ ଏତେଗୁଡାଏ ଟଙ୍କା ଖରଚ କରୁଥିଲେ ଆଉ ଆମ ପୁଅର ରୋଗଟା ଭଲ କରିବାକୁ ମୁଁ କେଇଟା ଟଙ୍କା ମାଗିଲେ ମୁହଁବୁଲେଇ ନେଉଥିଲେ । ମୋ ଛାତି ଭିତରର ଦୁଃଖଟା କାହିଁକି କେଜାଣି ଉଗ୍ର ରୂପ ନେଇଗଲା ଲୋ ଭାରତୀ !

ଏତକ କହୁ କହୁ ରତନା ପୁଣି କଇଁ କଇଁ ହେଇ କାନ୍ଦି ପକେଇଲା ।

--ଏଇ ତୁମେ ଜମା ବ୍ୟସ୍ତ ହୁଅନା ।ରଘୁଭାଈ କଣ ଗୋଟେ ବ୍ୟବସ୍ଥା କରିବେ କଇଛନ୍ତି । ଓକିଲ କଥା ଵି ବୁଝିଛନ୍ତି । ଟଙ୍କା କଥା ତୁମେ ଜମା ଚିନ୍ତା କରନା । ମୁଁ ମୋ ଭାଈକୁ ଯାଇ ମାଗିବି । ତୁମେ ନିଶ୍ଚୟ ଏଠୁ ବାହାରିଯିବ ।

ଘରେ ଯାହା ରୁପା ସୁନା ଗହଣା ଦୁଇଖଣ୍ତ ଥିଲା ତାକୁ ବିକା ବିକି କରି, ସାହି ପଡିଶାର ଗରୀବ ଗୁରୁବାଙ୍କ ଠୁ ଅଳ୍ପ କିଛି ଧାର କରଜ କରି ଭାରତୀ ଟଙ୍କା କେଇଟା ଯୋଗାଡ଼ କଲା ।

ଏତେଦିନକେ ହାତକୁ ଆସିଥିବା ଟଙ୍କାତକକୁ ମୁଠେଇ ଧରି ଭାରତୀ ଅନେକ କିଛି ଭାବିବାକୁ ଲାଗିଲା ।ରଘୁ ତା ସ୍ତ୍ରୀ ସୁକୁମାରୀକୁ ପଠେଇଛି ଯୋଗାଡ଼ ହେଇଥିବା ଟଙ୍କାଟାକୁ ଭାରତୀଠୁ ଆଣିଆସିବା ପାଇଁ । ଭାରତୀ ନୋଟ ବିଡାଟା କାନିରେ ବାନ୍ଧିଦେଇ ବବୁଲୁକୁ କୋଳେଇ ଆଣିକୁଣ୍ଢେଇ ଧରିଲା ।

--ଭାରତୀ ଟଙ୍କାଟା ଦେ କୋଉଠିରଖିଛୁ । ଇଏ ବାହାରିଲେଣି ଯିବାକୁ । ଓକିଲ କୋର୍ଟ କଚେରୀ କଥା ।

--ଦେଇ ! ମୁଁ କୋଉଠିରଖିଛି କାଢ଼ିକି ନେଇ ଦେଇଆସିବି । ତୁମେ ଯାଅ ମୁଁ ପଛେ ପଛେ ଆସୁଛି ।

ଭାରତୀ ଟଙ୍କା ନେଇରଘୁର ଘରକୁ ଆସିଲାନି । ରତନାକୁ ଵି ଜାମିନ ମିଳିଲାନି । ରତନାର ଝାଟିମାଟିକୁଡ଼ିଆ ଦୁଆରେ କଳଙ୍କି ଲଗା ତାଲାଟେ ଝୁଲୁଛି ।

ବେଶ୍ କିଛିଦିନ ପରେ ପୁଅକୁ ଧରି ଭାରତୀ ଫେରିଲା । ଘରଆଗରେ ବହଳେ ଉଚ୍ଚାର ଘାସ ଓ ଅନାବନା ଗଛ । ଘର ପିଣ୍ଡା, କବାଟ ଧୂଳିଧୂସର ହେଇପଡିଛି ।

ଭାରତୀ କାଖରେ ବବୁଲୁ । ପେଟଟା ତାର ଟିକେ ଭିତରକୁ ପଶିଗଲା ପରି ଲାଗୁଛି । ହାତରେ ଧରିଥିବା ଜରି ବ୍ୟାଗଟାକୁ ତଳେ ଥୋଇ ଭାରତୀ ତାଲା ଫିଟେଇଲା । ରତନା ବିନା ଜୀଇଁବାକୁ ହେବ ଧୂଳି ଧୂଆଁର ଦୁଇଟି ଜୀବନ ।

ସୁକୁମାରୀ ଆଉ ଆଗପରି ଭାରତୀ ପାଖକୁ ଆସେ ନାହିଁ । ରତନାକୁ ମୁକୁଳେଇବା ପାଇଁ ଧାର ଦେଇଥିବା ଟଙ୍କାତକ ମାଗିବାକୁ ସାହି ଲୋକେ ଆସିଲେଣି । ସମସ୍ତଙ୍କୁ ଟଙ୍କା ଫେରେଇବାର ପ୍ରତିଶୃତି ଦେଇ ଭାରତୀ କବାଟ କିଳିଦେଉଛି ।

ରତନା ଜେଲରେ ସଜ୍ଜା କାଟୁଛି । ଭାରତୀ ଆଉ ବବୁଲୁଙ୍କୁ ଦେଖିବାକୁ ବିକଳ ହେଇ ଝୁରୁଛି । ଭାରତୀ କିନ୍ତୁ ଆଉ ସିଆଡେ ଯାଏନି କି ଧଡ଼ା ଦୁଆରେ ସ୍ୱାମୀର ଅପେକ୍ଷାରେ ଶୂନ୍ୟ ରାସ୍ତାକୁ ଚାହିଁରହେନି ।

ଭାରତୀ ବବୁଲୁକୁ ସାଙ୍ଗରେ ଧରି କାମକୁ ଯାଏ । ପତ୍ର ଠୋଲା ତିଆରି କରେ । ଦ୍ୱିପହରକୁ ପାଞ୍ଚଟଙ୍କିଆ ଆହାର ଖାଇ, ଛୁଆକୁ ଖୁଆଇ ପୁଣି କାମରେ ଲାଗିଯାଏ । ବବୁଲୁର ରୋଗଟା ଢେର କମିଛି ବୋଧେ । ଆଉ ଆଗଭଳି ସେ ଚିଡ଼ା ଛାଡ଼ି କାନ୍ଦେନାହିଁ । ବାପାକୁ ମନେ ପକାଇ ବେଳେ ବେଳେ ଯାହା ଟିକେ ଖାଲି ଖୋଜେ ।

ଛାଇ ଲେଉଟାଣି ବେଳକୁ ଛୁଆକୁ କାଖେଇ ଖାଲିପାଦରେ ଚାଲି ଚାଲି ଭାରତୀ ଘରକୁ ଫେରେ । ଚୁଲି ଲଗାଏ । ଫୁଙ୍କନଳୀଟାରେ ଫୁଙ୍କି ଫୁଙ୍କି ଧୂଆଁକୁ ଉଡେଇ ନିଆଁ ଧରାଏ ।

ସାରଙ୍ଗବାବୁଙ୍କ ପୁଅର କଣ ଗୋଟେ ହେଇଛି । ଓଡିଶା ବାହାରକୁ ନେଇଯିବେ ତାକୁ ଭଲ କରିବା ପାଇଁ । ଅନେକ ଟଙ୍କା ଖର୍ଚ୍ଚ ହେଲାଣି । ଧନୀ ଲୋକ ସେ । ଟଙ୍କା ପଇସାର ଅଭାବ ନାହିଁ । କୋଉ ରୋଗ କଣ ତାଙ୍କୁ ଡରେଇପାରିବ?

ଠୋଲା ତିଆରି କରୁ କରୁ ଭାରତୀ ଶୁଣିଲା ଲୋକେକୁହାକୁହି ହେଉଛନ୍ତି ସାରଙ୍ଗବାବୁଙ୍କ ପୁଅରକୁଆଡେ କିଡ଼ନୀ ଟେ ଦରକାର । ନମିଳିଲେ ବଞ୍ଚିବା କଷ୍ଟ ହେଇଯିବ । "କିଡ଼ନୀଟା କୋଉଠି ଥାଏ? ଆମ ପରି ଗରୀବ ଲୋକଙ୍କର କଣ ସେଇଟା ଥାଏ? ", ଭାରତୀ ଭାବିବାକୁ ଲାଗିଲା ।

ଭାରତୀ ଆଜି ପୁଣି ସାରଙ୍ଗବାବୁଙ୍କ ଦ୍ୱାରସ୍ଥ । ଫେରିଲାବେଳକୁ ମନଟା ତାର ଟିକେ ଆଶ୍ଵସ୍ଥ ଥିଲାପରି ମନେହେଉଛି । ନିଜ ପୁଅଟାକୁ ଦୟନୀୟ ଅବସ୍ଥାରେ ଦେଖି ସାରଙ୍ଗବାବୁଙ୍କ ରୁକ୍ଷ ମନଟା କୋମଳତାକୁ ପରିବର୍ତ୍ତିତ ହେଇଗଲା ନା କଣ ? କିଛିଦିନ ଉତ୍ତାରେ ସେ ରତନାକୁ ମୁକୁଳେଇବାର ପ୍ରୟାସ କରିବେ କହିଲେ । ତାଙ୍କ ପୁଅ ଭିକିର ସମ୍ପୂର୍ଣ ଭଲହେବାକୁ ଅପେକ୍ଷା କରିବାପାଇଁ ଭାରତୀକୁ ଆଜି ଅନୁରୋଧ କରିଛନ୍ତି ।

ସାରଙ୍ଗବାବୁଙ୍କ ଗାଡ଼ିରେ ଭାରତୀ ଓ ବବୁଲୁ ବସିକରି ସେହି ଡାକ୍ତରଖାନା ଗଲେ ଯୋଉଠି ଭିକିର ଚିକିତ୍ସା ଚାଲିଛି । ଫେରିଲା ବେଳକୁ ଭାରତୀ ମୁହଁରେ ଅଦ୍ଭୁତ ପ୍ରସନ୍ନତା । ଏ ପ୍ରସନ୍ନତା ଆଉ ପ୍ରତିଶୋଧର ପ୍ରତିଫଳନ ନୁହେଁ ତ? ନାଁ ଆଉ କିଛି?

ଭାରତୀ ଦୁଆର ଦୁଆର ବୁଲି ଯେମିତି ଟଙ୍କା ମାଗିଆଣିଥିଲା ଆଜି ସେଇମିତି ଯାଇ ଫେରେଇଦେଇ ଆସିଲା । ଏତେଗୁଡାଏ ଟଙ୍କା ସେ ପାଇଲା କୋଉଠୁ? ଏଇ କେଇଦିନ ହେଲା ଯାଇଥିଲାକୁଆଡେ ? କେହି ଚାହିଁକି ଵି କିଛି ପଚାରୁନାହାଁନ୍ତି । ଆପଣା ଆପଣା ଧନ ପାଇଗଲେ ହେଲା । ଚକୁଳି ଖାଇବା ଲୋକ ବିନ୍ଦ କାହିଁକି ଗଣିବେ?

କିଛିଦିନ ଛାଡ଼ିକି ରତନା ଗାଁକୁ ଫେରିଲା । ସାରଙ୍ଗବାବୁଙ୍କ ମନ ପରିବର୍ତ୍ତନର କାରଣ ଯେ ତାଙ୍କ ନିଜ ଅସୁସ୍ଥ ପୁଅର ରୋଗ ଯନ୍ତ୍ରଣା ସେକଥା ରତନା ଜେଲରୁ ବାହାରୁ ବାହାରୁ ଜାଣିଗଲା ।

ଧଡ଼ା ଖୋଲି ରତନା ଭିତରକୁ ପଶିଲା । ଭାରତୀ ଶୀଳ ପୁଅଟା ତଳେ କଚାଡ଼ି ଦେଇ ଦୌଡ଼ି ଆସିଲା । ବବୁଲୁର ଆଖିରେ ଖୁସିର ଚମକ୍ । ରତନା ପୁଅକୁ ତଳୁ ଉଠେଇନେଇ ଛାତିରେ ଯାକି ଧରିଲା । ଝାଟିମାଟିର ନୁଆଁଣିଆ ଚାଳ ଘରଟାରେ ଆଜି ଅନେକ ଦିନ ପରେ କାନ୍ଦ ଓ ହସ ଉଭୟ ବିରାଜମାନ ।

ଚିରା ସପଟା ଉପରେ ଭାରତୀ ଆଜି କନ୍ଥା ଖଣ୍ଡେ ଭଲକି ପକେଇ ସଫା ସୂତା ଶାଢ଼ୀଟେ ବିଛେଇଦେଇଛି ।

ବବୁଲୁକୁ ଟିକେ କାନ୍ଥ କଡ଼କୁ ଘୁଞ୍ଚେଇ ଦେଇ ସ୍ୱାମୀ ପାଖେ ସେ ନିଜ ପାଇଁ ଶୋଇବା ଜାଗାଟିଏ ଅକ୍ତିଆର କରି ନେଲା । ରାତିର ନୀରବତାକୁ ଭଙ୍ଗ କରି ଭାରତୀ ପ୍ରଥମେ ପଚାରିଲା, "ହଇହେ ! ମୋ ଉପରେ ରାଗିଛ? "

--ନାଁଲୋ ! ତୁଚ୍ଛାଟାରେ କାହିଁକି ତୋ ଉପରେ ରାଗିବି କି ଲୋ? ତୁ ଯାହା କରିଛୁ ଏକଦମ ଠିକ କରିଛୁ । ଯୋଉ ଛୁଆ ପାଇଁ ମୁଁ ନିଜେ କିଛି କରି ପାରିଲିନି, ଆଉରି ପୁଣି ତୁମ ଦୁହିଁକୁ ହଇରାଣ କରି ମଝିରାସ୍ତା ଉପରେ ଆଣି ଠିଆ କରେଇଲି, ତୁ ତାକୁ ସବୁ ସମ୍ଭାଳିନେଲୁ । ପୁଅକୁ ଡାକ୍ତର ଦେଖେଇ ଔଷଧ ଦେଇ ଭଲ କରିଛୁ । ତୋ ଆଗରେ ମୁଁ ପା ଦୋଷୀ । ଆଉରି ରାଗିବି କିଆଁ?

ମୁଁ ଠିକ ଜାଣିଥିଲି ଲୋ ତୁ ନିଶ୍ଚୟ କିଛି ଗୋଟେ ବ୍ୟବସ୍ଥା କରୁଥିବୁ ।

ରତନା ଭାରତୀକୁ ଆହୁରି ଟିକେ ପାଖକୁ ଭିଡ଼ି ଆଣିଲା । ତା ଅନାବୃତ୍ତ ଅଣ୍ଟା ତଳେ ହାତ ବୁଲାଉ ବୁଲାଉ କିଛି ଗୋଟେ ଆବିଷ୍କାର କଲା ପରି ହାତ ଟି ସେଇଠି ଅଟକାଇଦେଲା ।

--ଆଲୋ ! ଏ କଣ? ମୋତେ ତ କିଛି କହିନୁ?

--କଇଥାଆନ୍ତି ।

--ଆଉ କେବେ କଇଥାନ୍ତୁ? କାହିଁକି ଏମିତି କଲୁ?

--ମୁଁ ଏତକ କରିନଥିଲେ ତୁମକୁ ସେ ଜେଲ ବାହାରକୁ ଛାଡିବାରେ ସାହାଯ୍ୟ କରିନଥାନ୍ତା ।

ଦୁଇଜଣଙ୍କ ଭିତରେ ଆଉ କିଛି କଥାବାର୍ତ୍ତା ନାହିଁ । ଖାଲି ଘନ ଅନ୍ଧାର ଆଉ ଚାରିଧାର ଲୁହ ।

ଖୁବ ସକାଳୁ ଉଠି ରତନା ତାର ସେହି ପୁରୁଣା ଦର ଭଙ୍ଗା ଘରର ମାଟି ପିଣ୍ଡାରେ ବସିଛି । ଆକାଶକୁ ଅନେଇ କଣ ସବୁ ଭାବିଯାଉଛି । ନୂଆସକାଳେ ନୂଆସଂକଳ୍ପଟେ କରୁଛି ବୋଧେ ମନେ ମନେ ।

ଭାରତୀ ଚୁଲିରେ ନାଲି ଚା' ବସେଇଛି । ପୁଣି ଥରେ ଆଜି ତା ଘରର ଚାଳ ଭେଦି ଧୂଆଁ ଆକାଶକୁ ଉଡିଯାଉଛି । ସେହି ଧୂଆଁ ସହ ଘରର ସବୁ ଦୁଃଖ କଷ୍ଟ ମଧ୍ୟ୍ୟ ଦୂରକୁ ଦୂରକୁ ଉଡିଯାଇ ଅଦୃଶ୍ୟ ହେଇଯାଆନ୍ତା କି !

ଚା'ର ଗୋଟିଏ ଢ଼ୋକ, ବବୁଲୁର ଘରଭିତରୁ ନିଦ ଭଙ୍ଗା କାନ୍ଦ, ଭାରତୀର ଘର ଆଗରେ ଧୂଳି ଝଡା, ସବୁ ଫେଣ୍ଟା ଫେଣ୍ଟି ହେଇ ତିନୋଟି ଯାକ ଜୀବନ ପୁଣି ଥରେ ଘୋଷାରିଟାଣି ହେଇ ଆଗକୁ ଆଗେଇ ଚାଲିଲେ ଆଉ ଥରେ ଆଉ ଗୋଟେ ଧୂଳି ଧୂଆଁର ଝଡ଼କୁ ସାମ୍ନା କରିବା ପାଇଁ ।

ଲୋପାମୁଦ୍ରା ମିଶ୍ର

ଭାରତୀ ଛୁଆ ରତନା

Rate the content


Originality
Flow
Language
Cover design

Comments

Post

Some text some message..