Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ଶୁଆ ଶାରୀ କଥା - ୨୦

ଶୁଆ ଶାରୀ କଥା - ୨୦

7 mins
7.4K


ବୁଢୀଟି କାନ୍ଦୁଥିଲା କାହିଁକି?

ବଣିଆ ଝିଅ ଏୟା ଭାବି ଖୁବ୍ ଚିତ୍କାର କରିବାକୁ ଲାଗିଲା । ଧାଇଁ ଆସ ହୋ ଧାଇଁ ଆସ କହି ସମସ୍ତଙ୍କୁ ଚେତାଇ ଦେଲା ।

ଏଣେ ନିଦରେ ଶୋଇ ଥିଲା ବଣିଆ ପୁଅ । ନିଜ ସ୍ତ୍ରୀଙ୍କର ନାକର ଏପରି ଅବସ୍ଥା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଯାଇ କ’ଣ ହେଲା, କ’ଣ ହେଲା କହୁଥିବା ସମୟରେ ସେଠାରେ ବହୁତ ଲୋକ ଜମା ହୋଇଗଲେ । ଦେଖଣାହାରିଏ ତାହା ଦେଖି ଅବାକ୍ ହୋଇଗଲେ । ପଚରା ଯିବାରୁ ଝିଅ ଜ୍ୱାଇଁଙ୍କ ଉପରେ ସବୁ ଦୋଷ ଲଦି ଦେଇ କେବଳ କାନ୍ଦିବାକୁ ଆରମ୍ଭ କଲା ।

ହେଲେ ବଣିଆ ପୁଅ ତ ଏ ବିଷୟରେ ବିନ୍ଦୁ-ବିସର୍ଗ ଜାଣେ ନାହିଁ । ସେ କେବଳ କାଠ ପୁତଳିଟି ପରି ଠିଆହୋଇ ରହିଥାଏ । ଶ୍ୱଶୁର ଘରର ଲୋକ ଝିଅର ଏପରି ଦୁର୍ଦ୍ଧଶା ଲାଗି ଜ୍ୱାଇଁକୁ ଦାୟୀ କରିବା ସହିତ ଆରକ୍ଷୀକୁ ଖବର ଦେଲେ ।

କିଛି ସମୟ ପରେ ଆରକ୍ଷୀ ଆସିଲା । ବଣିଆ ପୁଅର କାକୁତି ମିନତିର କଥାକୁ ସେ ଆଦୌ ଶୁଣିଲା ନାହିଁ । ବଣିଆ ପୁଅକୁ ବାନ୍ଧି ନେଇ ଆରକ୍ଷୀ ବନ୍ଦିଶାଳକୁ ନେଇ ଗଲା ।

ଶୁଆ କହିଲା – ଶୁଣିଲୁ ତ ଶାରୀ । ମୁଁ ତୋତେ ଯେଉଁ ଯେଉଁ କଥା କହିଲି, ଏହା ପରେ ଯାହା ହେଲା ମୁଁ ତୋତେ ସେହି କଥା କହୁଛି ।

ରାଜାଙ୍କ କଟୁଆଳ ମାନେ ଜଗୁଆଳି ପୁଅକୁ ଆଉ ଆରକ୍ଷୀ ରାଜାପୁଅ ଓ ବଣିଆ ପୁଅକୁ ନେଇ ବନ୍ଦିଶାଳରେ ପୁରାଇ ଦେଲା । ଏହା ପରେ ସମସ୍ତେ ବିଚାରଳୟରେ ହାଜର ହେଲେ । ବିନା ଦୋଷରେ ସେମାନଙ୍କୁ ଆରକ୍ଷୀ ହାତରେ ବନ୍ଧା ହେବାକୁ ପଡିଲା । ତିନିଙ୍କୁ ତିନିହେଁ ଦେଖି ତିନି ସାଙ୍ଗ ଖାଲି ଭେଁ ଭେଁ ହୋଇ କାନ୍ଦିଲେ । ହେଲେ ଜଗୁଆଳି ପୁଅ ସେ ସବୁ ପାଇଁ କୌଣସି ମାନସିକ ଚିନ୍ତା ନଥିଲା । ସେ ସବୁ କଥାରେ ଜାଗ୍ରତ ଥିବା ପରି ଜଣାଯାଉ ଥାଏ । ସେଦିନ ହାଜତରେ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପ୍ରଥମେ ବଣିଆ ପୁଅକୁ ବିଚାରପତି ଜେରା କଲେ ।

ବିଚାରପତିଙ୍କର କୌଣସି ପ୍ରଶ୍ନର ଉତ୍ତର ବଣିଆ ପୁଅ ଦେଇ ପାରିଲା ନାହିଁ ।

ତା’ପରେ ବିଚାରପତି ଜଗୁଆଳି ପୁଅକୁ ଜେରା କଲେ – ଜଗୁଆଳି ପୁଅ ସଚେତନ ଅବସ୍ଥାରେ ଥିଲା । ସେ ସଙ୍ଗେ ସଙ୍ଗେ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ସଜାଗ ହୋଇଗଲା । ସେ କହିଲା – ମାନ୍ୟବର! ଆମେ ତିନି ଜଣ ସାଙ୍ଗ ଗୋଟିଏ ସ୍ଥାନରୁ ଏଠାକୁ ଆସିଥିଲୁ । ଆମେ ବିନା ଅପରାଧରେ ଆଜି ବନ୍ଦିଶାଳକୁ ବନ୍ଧା ହୋଇ ଆସିଛୁ । ରାଜାଙ୍କ ପୁଅକୁ ଇଙ୍ଗିତ କରି କହିଲା – ୟେ ହେଉଛନ୍ତି ପ୍ରୀତିପୁର ରାଜାଙ୍କର ପୁଅ ଯୁବରାଜ, ମୁଁ ହେଉଛି ଜଗୁଆଳିଙ୍କ ପୁଅ, ଏ ହେଉଛନ୍ତି ପ୍ରୀତିପୁରର ଜଣେ ଧନୀକ ବଣିଆଙ୍କର ପୁଅ ।

ଆମେ ଥିଲୁ ତିନିଙ୍କୁ ତିନିହେଁ ସଙ୍ଗାତ । ଏବେ ମାନ୍ୟବରଙ୍କର ଯେବେ ମୋତେ ଆଦେଶ ହେବ ତାହା ହେଲେ ମୁଁ ଯାହା ସବୁ ଜାଣିଛି ତାହା ଆପଣଙ୍କ ପାଖରେ ସତ ସତ ବଖାଣି ଦେବି ।

ଜଗୁଆଳି ପୁଅ ଠାରୁ ଏକଥା ଶୁଣି ବିଚାରପତି କହିଲେ, ଠିକ୍ ଅଛି, ତୁମେ ଯାହା ଜାଣିଛ ସେ କଥା ସତ ସତ କୁହ । ଏଥିରେ ପଦେ ଯଦି ମିଥ୍ୟା କହିବ ସେହି ଅପରାଧରେ ମୁଁ ତୁମକୁ ଫାଶି ଦେବି ।

ବିଚାରପତିଙ୍କ ଠାରୁ ଆଦେଶ ହେବା ପରେ ଜଗୁଆଳି ପୁଅର ସାହାସ ହେଲା । ତହୁଁ ସେ ସବୁ କଥାକୁ ଖୋଲି କହିଲା –

ୟେ ବଣିଆ ପୁଅ ଆମର ସଙ୍ଗାତ । ତାଙ୍କର ଏହି ଗ୍ରାମରେ ଶ୍ୱଶୁର ଘର । ସେ ତାଙ୍କ ସ୍ତ୍ରୀଙ୍କୁ ନିଜ ଘରକୁ ନେବା ପାଇଁ ଯେତେ ବେଳେ ଏଠାକୁ ବାହାରିଲେ । ଆମେ ସମସ୍ତେ କଥା ହେଲୁ ଯେ ସମସ୍ତେ ସାଙ୍ଗ ହୋଇ ଯିବା । ନୂଆ ସହର ବୁଲିବା ତା’ପରେ ସାଥୀ ହୋଇ ପୁଣି ଗ୍ରାମକୁ ଫେରିବା ।

ତା’ପରେ ଆମେ ସାଙ୍ଗ ହୋଇ ଗ୍ରାମରୁ ବାହାରି ଆସିଲୁ । ଭଲରେ ଭଲରେ ଆମେ ଏହି ସହରରେ ପହଁଚିଲୁ । ପ୍ରଥମେ ଆମେ ସ୍ଥିର କଲୁ ଯେ ବଣିଆ ପୁଅ ତା’ ଶ୍ୱଶୁର ଘରକୁ ଯାଉ, ଆଜି ରାତିକ ଆମେ ଏହି ସହରରେ ବୁଲା ବୁଲି କରିବୁ । ତା’ପରେ ଭଡା ଘର ଗୋଟିଏ ଯୋଗାଡ କରି ରାତିରେ ସେଠାରେ ରହିଯିବୁ ।

ବଣିଆ ପୁଅ ତା’ ଶ୍ୱଶୁର ଘରକୁ ଗଲା । ଆମେ ବୁଲା ବୁଲି କରି ସେହି ଡାକ ଘର ଗଳିରେ ଥିବା ଘରଟିଏ ଭଡା କରି ରହିଲୁ । ରାଜା ପୁଅ ଆଉ ମୁଁ ଯେଉଁଠାରେ ଘରଟିଏ ଭଡା ନେଇ ରହିଲୁ, ସେହି ଘରର ଆଉ ଗୋଟିଏ କକ୍ଷରେ ଜଣେ ସୁନ୍ଦରୀ ବେଶ୍ୟା ରହୁଥିଲେ, ସେ ମଧ୍ୟ ତାଙ୍କ ଧନ୍ଦା କରୁଥିଲେ । ଆମ ରାଜା ପୁଅ ବେଶ୍ୟା ବୋଲି ନଜାଣି ତାଙ୍କ ସହ ମଜ୍ଜା କରିବାକୁ ଚେଷ୍ଟା କଲେ । ସେତ ବେଶ୍ୟା ସେ ମଧ୍ୟ ସହଜରେ ରାଜା ପୁଅକୁ ନିଜ ଆଡକୁ ଆକର୍ଷିତ କରିନେଲା । ଏହା ପରେ ରାଜା ପୁଅ ଗଲା ବେଶ୍ୟା ପାଖକୁ ।

ଏହା ପରେ ମୁଁ ଆମ ରହୁଥିବା ଘରର ପଡିଶା ଘରର ପିଣ୍ଢା ଉପରେ ବସିଥିବା ଜଣେ ବୁଢୀ ନିକଟକୁ ଯାଇ ପଚାରିଲି । ଆଲୋ ମାଆ ସତ କହିବୁ । ଆମେ ଯେତେବେଳେ ଏଠାରେ ଘର ଭଡା ବୁଝି ରହିଲୁ, ସେତେ ବେଳେ ତୁ କାନ୍ଦିଲୁ କାହିଁକି? ବୁଢୀଟି ମୋ ଠାରୁ ଏକଥା ଶୁଣି ଭୋ ଭୋ ହୋଇ କାନ୍ଦି ପକାଇ କହିଲା – ପୁଅରେ ମୁଁ ଏଇଠି ଥାଇ ସବୁ ଦେଖୁଛି । ଏଠାରେ ଯେଉଁ ବେଶ୍ୟା ଅଛି ସେ ଭାରି ସୁନ୍ଦର । ସେ ସହଜରେ ସମସ୍ତଙ୍କୁ ନିଜ ଆଡକୁ ଟାଣି ନେଇ ପାରେ । ଯେଉଁ ପୁରୁଷ ଜଣଙ୍କ ରାତିରେ ତା’ ପାଖକୁ ଯାଆନ୍ତି, ସକାଳ ହେଲେ ସେହି ଘରୁ ସେ ପୁରୁଷର ମୁର୍ଦ୍ଧାର ବାହାରକୁ ଆସେ । ତମେ ଦୁଇଟା ଆଜି ତମ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ତ ସେୟା ହେବ । ମୁଁ ପରା ମାଆ, ଏକଥା ଜାଣିବା ପରେ ଦୁଃଖରେ ମୋ ଆଖିରୁ ଲୁହ ଗଡିଗଲା । ମୁଁ ପଚାରିଲି କାହିଁକି? ବେଶ୍ୟା ଘରକୁ ଯେଉଁ ପୁରୁଷ ଯାଏ ସେମାନେ ମରନ୍ତି କାହିଁକି?

ବୁଢୀ କହିଲା ସେ ବେଶ୍ୟାର ପେଟ ମଧ୍ୟରେ ଗୋଟାଏ ବିଷ ଧର ସାପ ରହିଛି । ଯେଉଁ ପୁରୁଷ ମାନେ ବେଶ୍ୟା ପାଖକୁ ଯାଆନ୍ତି ତାଙ୍କର ମଜ୍ଜା ମଉଜ ଆରମ୍ଭ ହେବା ମାତ୍ରେ ବେଶ୍ୟାର ପେଟ ଭିତରୁ ସେ ସାପଟା ବାହାରି ଆସେ । ଏକଥା ରାଜା ପୁଅକୁ ଅଜଣା । ମୁଁ ଦେଖିଲି ବୁଢୀର କହିବା କଥା ସତ୍ୟ ହେଲା । ବୁଢୀର କଥାରେ ଯେବେ ବେଶ୍ୟାର ପେଟ ମଧ୍ୟରୁ ସାପଟା ବାହାରିଲା ସେ ସାପଟା କାହିଁକି ବା ରାଜା ପୁଅକୁ ନମାରିବ । ସେଥିଲାଗି ମୁଁ ମୋ ତରବାରୀରେ ସେହି ସାପଟାକୁ ଦୁଇ ଖଣ୍ଡ କରି ଦେଲି । ତା’ପରେ ସାପର ଗଣ୍ଡି ମୁଣ୍ଡକୁ ମୁଁ ମୋର ଜାଲରେ ଘୋଡାଇ ଚାଲି ଆସିଲି । ଏଥିରେ ରାଜା ପୁଅଙ୍କ କି ଦୋଷ ହେଲା ।

ଜଗୁଆଳି ପୁଅର କଥା ସରିଲା । ବିଚାରପତିଙ୍କ ବିଚାରରେ ବେଶ୍ୟାର ପୁରୁଷକୁ ଏକଥା ପଚାରିବାରୁ ସେ ସବୁ ସତ କଥା ବିଚାରପତିଙ୍କ ସମ୍ମୁଖରେ କହିଗଲା । ଏଥିରେ ରାଜା ପୁଅର କୌଣସି ଦୋଷ ନାହିଁ ଜାଣି ବିଚାରପତି ରାଜା ପୁଅକୁ ନିର୍ଦ୍ଧୋଷରେ ଖଲାସ କରିଦେଲେ ।

ଏହା ପରେ ଜଗୁଆଳି ପୁଅ କହିଲା, ଏବେ ମୋ ଠାରୁ ଆଉ ଗୋଟିଏ କଥା ଶୁଣ । ସେଦିନ ମୁଁ ସାପ ମୁହଁରୁ ରାଜା ପୁଅକୁ ଉଦ୍ଧାର କରି ମନ ଖୁସିରେ ସହର ବୁଲିବାକୁ ବାହାରି ଗଲି । ରାତିତ ଅନେକ ହୋଇ ଯାଇ ଥାଏ । ବୁଲିବା ମଧ୍ୟରେ ମୁଁ ଖଣ୍ଡେ ଦୂରରେ ଦେଖିଲି ଯେ ଜଣେ ଦିବ୍ୟ ସୁନ୍ଦରୀ ସ୍ତ୍ରୀ ଲୋକ ଏକା ଏକା ସହର ଛାଡି ମଶାଣି ଆଡକୁ ଚାଲିଲା । ମୋର ସନ୍ଦେହ ହେଲା । ଏତେ ରାତିରେ ଏକା ଏକା ଏହି ସ୍ତ୍ରୀ ଲୋକ ମଶାଣୀ ଆଡେ କାହିଁକି ଯାଉଛି । ମୋର ମନର ସନ୍ଦେହ ଦୂର କରିବା ଆଶାରେ ମୁଁ ସେହି ସ୍ତ୍ରୀ ଲୋକର ପଛେ ପଛେ ଚାଲିଲି ।

ମୁଁ ଦେଖିଲି ସେହି ସ୍ତ୍ରୀ ଲୋକଟି ମଶାଣୀର ଶେଷ ସୀମା ଯାଏଁ ଗଲା । ଶେଷରେ ଜଣେ ବାବାଜୀ ବସି ଥିଲେ । ଏ ସ୍ତ୍ରୀ ଲୋକକୁ ଆଗରେ ଯିବାର ଦେଖି ସେ ଖୁବ୍ ରାଗ ଆଉ କ୍ରୋଧରେ ଆସିଲେ । ସ୍ତ୍ରୀଲୋକର ଏତେ ବିଳମ୍ବ ହେବାର କାରଣ ମାଗିଲେ । ସ୍ତ୍ରୀଲୋକଟି କହିଲା ଆଜି ମୋର ସ୍ୱାମୀ ଆସିଛନ୍ତି । ସମସ୍ତଙ୍କ କଥା ବୁଝି ସୁଝି କାମ ସାରିବା ବେଳକୁ ଏମିତି ଡେରି ହୋଇଗଲା । ମୋର ସ୍ୱାମୀ ଶୋଇଯିବା ପରେ ସୁବିଧା ଦେଖି ମୋତେ ଲୁଚି ଲୁଚି ଆସିବାକୁ ହେଲା ।

ସ୍ତ୍ରୀ ଜଣଙ୍କ ପ୍ରକୃତ ସତ୍ୟ କଥା ବାବାଜୀ ଆଗରେ ବଖାଣି ସାରିଲା । ସେ ଯେତେବେଳେ ତା’ ସ୍ୱାମୀଙ୍କ ଆସିବା କଥା ଜାଣିଲା ବାବାଜୀ ଆଗଠାରୁ ଆହୁରି ଅଧିକ ରାଗି ଗଲା । ସଙ୍ଗେ ସଙ୍ଗେ ଏ ସ୍ତ୍ରୀ ଲୋକର ବାହୁ ଦୁଇଟାକୁ ଧରି ପକାଇ ସେ ସ୍ତ୍ରୀଲୋକର ନାକରୁ ପୁଳାଏ କାମୁଡି ଧରି ଚାଲି ଗଲା । ଏହା ପରେ ସେହି ସ୍ତ୍ରୀ ଲୋକଟି କାନ୍ଦି କାନ୍ଦି ପଳାଇ ଆସିଲା ।

ସେତେ ବେଳେ ଯଦିଓ ମୁଁ ଏକଥା ଜାଣି ପାରି ନଥିଲି ଏବେ ଜାଣିଲି ଯେ ସେ ସ୍ତ୍ରୀଲୋକ ହେଉଛି ଏହି ବଣିଆର ଝିଅ । ଆଉ ମୋ ସାଙ୍ଗର ସ୍ତ୍ରୀ । ହେଲେ ଏସବୁ କଥା ମୋତେ ଜଣା ନଥିଲେ ମଧ୍ୟ ଏସବୁ ଦୃଶ୍ୟ ଦେଖି ବାବାଜୀ ଉପରେ ମୋର ଖୁବ୍ ରାଗ ହେବାରୁ ମୁଁ ସେ ବାବାଜୀଙ୍କୁ ହାଣି ଦେଇ ସାରିବା ପରେ ଏକ ଜଙ୍ଗଲିଆ ବୁଦା ମୂଳରେ ଲୁଚାଇ ଦେଇ ଆସିଲି । ମାନ୍ୟବରଙ୍କର ଯେବେ ଆଜ୍ଞା ହେବ ତାହା ନିଶ୍ଚୟ ଆପଣଙ୍କୁ ଦେଖାଇ ଦେଇ ପାରିବି ।

ବିଚାରପତି ସଙ୍ଗେ ସଙ୍ଗେ ଲୋକଙ୍କୁ ପଠାଇ ଜଗୁଆଳି ପୁଅ କହୁଥିବା କଥାର ସତ୍ୟା ସତ୍ୟ ବୁଝିବାରୁ ଜଣାଗଲା ଯେ ଏକଥା ସତ୍ୟ । ସେ ସ୍ତ୍ରୀ ଲୋକକୁ ପଚାରିବାରୁ ସେ ମଧ୍ୟ ସବୁ ସତ୍ୟ କଥାକୁ ସେଠାରେ ପ୍ରକାଶ କଲା । ଏହା ପରେ ବିଚାରପତି ବଣିଆ ପୁଅକୁ ନିର୍ଦ୍ଧୋଷରେ ଖଲାସ କରି ଦେଲେ ଏବଂ ସେହି ସ୍ତ୍ରୀ ଲୋକକୁ ଫାଶି ଆଦେଶ ଦେଲେ ।

ଏହା ପରେ ବିଚାରପତି ପଚାରିଲେ ଏବେ ତୁମ କଥା କୁହ । ତୁମେ କାହିଁକି କାଲି ରାତିରେ ରାଜକନ୍ୟାଙ୍କ ଉଆସରେ ପଶିଥିଲ ।

ଏଥୁ ଅନ୍ତେ ଜଗୁଆଳି ପୁଅ କହିଲା – ମାନ୍ୟବର ସେଦିନ ବାବାଜୀର ମୁଣ୍ଡ କାଟି କରି ବସାକୁ ଫେରୁଥିବା ସମୟରେ ଗୋଟିଏ ଠାକୁରାଣୀ ମନ୍ଦିର ପାଖରେ ପହଁଚି ଗଲି । ସେ ସ୍ଥାନ ଖୁବ୍ ଅନ୍ଧାର ହୋଇଥିଲା । ସେହି ଅନ୍ଧାର ମଧ୍ୟରେ ମୁଁ ଶୁଣିବାକୁ ପାଇଲି ଯେ ମନ୍ଦିର ଭିତରେ କେତେ ଜଣ ଚୋର ବସି ନାନା ସ୍ଥାନରେ ଚୋରି କରିବାର ଯୋଜନା କରୁଛନ୍ତି । ସେଥିଲାଗି ଚୋରି କରିବାରେ ଯେପରି ତାଙ୍କୁ ସଫଳତା ମିଳିବ, ସେଥିପାଇଁ ଜଣ ଜଣ କରି ଚାରି ଜଣ ମାନସିକ କଲେ – ପ୍ରଥମ ଚୋର ଜଣକ କହିଲା, ଆଜି ଯଦି ମୁଁ ସହଜରେ ଚୋରି କରି ପଳାଇ ଆସିବି ତାହା ହେଲେ ଠାକୁରାଣୀଙ୍କ ଲାଗି ଶୁଣ୍ଢି ଘର ଦୋକାନଟି ସଫା କରିଦେବି । ଦ୍ୱିତୀୟ ଚୋର ଜଣଙ୍କ କହିଲା ମୁଁ ଯଦି ସହଜରେ ପୁଳାଏ ଧନ ଧରି ଆସିବି ତାହା ହେଲେ ମାଆଙ୍କୁ ଶହେ ଧଣ୍ଡା ଚଢେଇବି । ତୃତୀୟ ଚୋର କହିଲା ମୁଁ ଯଦି ସହଜରେ କିଛି ଧନ ଧରି ଫେରି ଆସିବି ତାହା ହେଲେ ଆଗ ସକାଳେ ଜଣେ ବ୍ରାହ୍ମଣଙ୍କୁ ପେଟ ପୁରା ଭୋଜନ ଓ ଉପଯୁକ୍ତ ଦକ୍ଷିଣା ମଧ୍ୟ ଦେବି । ତା’ପରେ ଚତୁର୍ଥ ଚୋର କହିଲା, ମୁଁ ଯଦି ଆଜି ଭଲରେ ଭଲରେ ବହୁତ ଧନ ଚୋରି କରି ଆଣିବି ତାହା ହେଲେ ଆଜି ରାତିକ ମଧ୍ୟରେ ରାଜା ଝିଅକୁ ଆଣି ଠାକୁରାଣୀଙ୍କ ଆଗରେ ଛେଦ ପକାଇବି ।

ଏହି ଭଳି ଭାବରେ ଚାରି ସଙ୍ଗାତ ବିଚାର କରି ଚୋରି କରିବାକୁ ବାହାରି ଗଲେ । ମୁଁ ସେଠାରେ ଚୁପ୍ ହୋଇ ସବୁ କଥା ଶୁଣି ଚୋରମାନଙ୍କ କାଣ୍ଡ କାରଖାନା ଦେଖିବା ଲାଗି ସେହି ଠାକୁରାଣୀଙ୍କ ମନ୍ଦିରର ଗୋଟିଏ ଅନ୍ଧାରୁଆ କୋଣ ଦେଖି ଲୁଚି କରି ବସିଲି ।

ସତକୁ ସତ କିଛି ସମୟ ପରେ ସବୁ ଚୋର ଭଲରେ ଭଲରେ ଫେରି ଆସିଲେ । ସେମାନେ ବି ସାଥିରେ ବହୁତ ଧନ ଚୋରି କରି ଆଣିଥିଲେ । ସେହି ଜିନିଷ ସବୁ ଭାଗ ବଂଟା କରିବା ଆଗରୁ ଚତୁର୍ଥ ଚୋର କହିଲା – ରୁହ ସେସବୁ ପଛରେ ହେବ, ଆଗ ଆସ ରାଜା ଝିଅକୁ ଆଣି ଠାକୁରାଣୀଙ୍କ ପାଖରେ ଚ୍ଛେଦ ପକାଇବା ।

କ୍ରମଶଃ...


Rate this content
Log in

Similar oriya story from Children