Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Inspirational

5.0  

Writer Roja Panda

Inspirational

ନାରୀ ନୁହେଁ,କିନ୍ତୁ ମାଆ

ନାରୀ ନୁହେଁ,କିନ୍ତୁ ମାଆ

5 mins
14.6K


ନାରୀ ନୁହେଁ କିନ୍ତୁ ମାଆ 

ଲେଖିକା - ରୋଜା ପଣ୍ଡା 


ମାଆ କହିଲେ ସାଧାରଣତଃ ମନକୁ ଆସେ ଯେ ସେ ନିଶ୍ଚିନ୍ତ ଭାବରେ ଗୋଟେ ସ୍ତ୍ରୀ ଲୋକ ବା ନାରୀଟିଏ ହେଇଥିବ | କାରଣ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସୃଷ୍ଟିରେ କେବଳ ଜଣେ ନାରୀ ହିଁ, ମାଆ ନାମରେ ନାମିତ ହେଇପାରିବ | ସେ ନିଜ ସନ୍ତାନକୁ ଦଶମାସ ଗର୍ଭରେ ଧରିପାରିବ ଓ ଜନ୍ମ ଦେଇ ନାରୀରୁ ମାଆରେ ପରିଣତ ହେଇପାରିବ | ଜନ୍ମ ନଦେଇ ମଧ୍ୟ ଜଣେ ନାରୀ ଅନ୍ୟର ସନ୍ତାନକୁ ପାଳି ନିଜକୁ ମାଆ ହେବାର ପରିଚୟ ଦେଇପାରିବ | ଯିଏ ମମତା ଦେଇପାରିବ ସେ ମାଆ, ଯାହା ସ୍ନେହରେ ଛଳନା ନଥାଏ ସେ ମାଆ, ଯିଏ ବିଶ୍ୱାସଘାତକତା କରିପାରେନି ନିଜ ସନ୍ତାନ ସହିତ ସେ ମାଆ, ଯିଏ ନିଜ ସନ୍ତାନକୁ କଷ୍ଟ ହେଲାପରି କୌଣସି କାର୍ଯ୍ୟ କରିପାରେନି ସେ ମାଆ, ଯିଏ ସନ୍ତାନର କଷ୍ଟ ଓ ଯନ୍ତ୍ରଣାକୁ ନିଜ ଛାତିରେ ଅନୁଭବ କରିପାରେ ସେ ମାଆ | ପ୍ରକୃତରେ ମାଆ ତ ସିଏ ନା, ଯିଏ ସନ୍ତାନର ପ୍ରତ୍ୟେକଟି ଦୁଃଖ, ଛାତିତଳର ସବୁତକ ବୁକୁଫଟା ଚିତ୍କାର, ଜୀବନରେ ଏକା ହେଇଜିବାର ଅସହାୟତା ଓ ମନ ତଳର ପ୍ରତ୍ୟେକଟି ଅକୁହା ବେଦନାକୁ ବିନା କିଛି କହିବା ପୁର୍ବରୁ ବୁଝିଯାଏ ଏବଂ ଅନୁଭବ କରାଇଥାଏ ଯେ ସେ ସବୁବେଳେ ତା ସନ୍ତାନ ପାଖରେ ଅଛି, ସୁଖରେ ଦୁଃଖରେ , ଜୀବନର ପ୍ରତ୍ୟେକଟି ଅଣଦେଖା ମୁହୂର୍ତ୍ତରେ ମଧ୍ୟ | ବ୍ରହ୍ମାଙ୍କ ସୃଷ୍ଟିରେ ଏହିସବୁକୁ ପରିପୃଷ୍ଟ କରିଥାଏ ମାଆ | ସ୍ନେହମୟୀ, ମମତାମୟୀ ନାମରେ ସେ ନାମିତ | କିନ୍ତୁ ଏ ସବୁ ଗୁଣ କେବଳ ଜଣେ ନାରୀ ହିଁ ପରିଧାନ କରି ପାରିବ, ତା ତ ନୁହେଁ ନା | ଯଦି ଏ ସମସ୍ତ ଗୁଣ ଜଣେ ପୁରୁଷ ପାଖରେ ଥିବ, ତା ହେଲେ କଣ ସେ ପୁରୁଷକୁ ମାଆ ର ଆଖ୍ୟା ଦିଆଯାଇପାରିବନାହିଁ ? କେବଳ ଲିଙ୍ଗଭେଦ କଣ ତାର ଅନ୍ତର୍ନିହିତ ବ୍ୟକ୍ତିତ୍ୱକୁ କୁଠାରଘାତ କରିବ ? ଜନ୍ମ ସିନା ଦେଇପାରିବନାହିଁ ପୁରୁଷଟିଏ କାରଣ ନିୟତିର ବିପରିତ ଦିଗକୁ ସେ ଯାଇ ପାରିବ ନାହିଁ କି ସୃଷ୍ଟିର ନିୟମକୁ ସେ ଉଲଂଘନ କରିପାରିବ ନାହିଁ କିନ୍ତୁ ଯଦି ସେଇ ପୁରୁଷ କାହାର ମନମନ୍ଦିରର ସିଂହାସନରେ ମାଆର ଆସନ ପାଇଥାଏ, କାହାକୁ ମାଆ ପରି ସ୍ନେହ, ପ୍ରେମ ଓ ଭଲ ପାଇବା ଦେଇଥାଏ , ମାଆର ସବୁ କର୍ତ୍ତବ୍ୟ ପାଳନ କରିଥାଏ ବିନା କିଛି ଦ୍ଵିଧାରେ, ମାଆ ପରି ସବୁ ଅଳିଅର୍ଦଳିକୁ ସହିଯାଏ , ସବୁବେଳେ ଉଚିତ ମାର୍ଗ ଦେଖାଏ ତେବେ ସେଇ ପୁରୁଷରୂପୀ ନାରାୟଣଙ୍କୁ କଣ ମାଆର ଆସନ ଦେଇ ହେବ ନାହିଁ ? ଦୁନିଆଁ ହୁଏ ତ ମାଆର ପ୍ରତିରୂପରେ କେବଳ ଜଣେ ନାରୀର ପ୍ରତିଛବିକୁ ଦେଖୁଥାଇପାରେ, ହେଲେ ମୁଁ ଆଜି ମୁକ୍ତକଣ୍ଠରେ କହିବି ଯେ, "ହଁ, ଜଣେ ପୁରୁଷ ବି ସୃଷ୍ଟିକର୍ତ୍ତାଙ୍କ ନିୟମାନୁସାରେ ଜନ୍ମ ଦେବାର ଦେବତ୍ୱ ଅନୁଭବରୁ ବଞ୍ଚିତ ହେଇ ମଧ୍ୟ ନିଜର ତ୍ୟାଗ, ଭଲ ପାଇବା, ସ୍ନେହ ଓ ନିଷ୍କପଟତା ପାଇଁ କାହାର ହୃଦୟରେ ମାତୃତ୍ୱର ଆସନରେ ଉପବେଶନ କରି ପାରିବ "| କଣ ଆଖ୍ୟା ଦେବି ମୁଁ ସେଇ ପରମପୁରୁଷଙ୍କୁ, କଣ ସମ୍ବୋଧନ କରିବି ମୁଁ ତାଙ୍କୁ ? ସ୍ୱାମୀ ରୂପେ ପାଇଥିବା ସେହି ମହାନ ଅବତାରି ପୁରୁଷଙ୍କୁ ମାଆ କହିବି ନା ଭଗିନୀ କହିବି, ସାଙ୍ଗ କହିବି ନା ସଙ୍ଗିନୀ କହିବି? କେଉଁ ଆଖ୍ୟା ତାଙ୍କ ପାଇଁ ଲୋଡ଼ା ଏପର୍ଯ୍ୟନ୍ତ ମୁଁ ବୁଝି ପାରୁନି | ନିଜ ମନ ତଳର ଅପର୍ଯ୍ୟାପ୍ତ ଭୟ ପାଇଁ, ଲାଜକୁଳା ସ୍ୱଭାବ ପାଇଁ ଆଉ ଡରୁଆ ଗୁଣ ପାଇଁ ଅଟ୍ଟହାସ୍ୟର ଅଟ୍ଟାଳିକା ଯେତେବେଳେ ମୋ ଚାରିପାଖରେ ମତେ ଶ୍ୱାସରୁଦ୍ଧ କରି ପକାଉଥିଲା , ଠିକ ସେତିକି ବେଳେ ମତେ ଆଶ୍ୱାସନା ଦେଉଥିଲା ସେଇ ମହାନ ପୁରୁଷଙ୍କର ଆଶ୍ୱସନାଭରା କଥା କେଇ ପଦ ଆଉ ଅନୁଭବ କରାଉଥିବା ମାଆ ପରି ଆଜୀବନ ପାଖରେ ଉପସ୍ଥିତିକୁ | ମୋର ଭାଙ୍ଗି ଯାଉଥିବା ମନବଳକୁ ପ୍ରତି ମୁହୂର୍ତରେ ନୂଆ ରୂପ ଦେବା ପାଇଁ ତାଙ୍କର ସେ ପ୍ରଚେଷ୍ଟାକୁ ମୁଁ ସାଦର ପ୍ରଣିପାତ କରୁଛି | ସେ ହିଁ ପ୍ରଥମ ବ୍ୟକ୍ତି ଯିଏ ଭଲଭାବରେ ପଢି ପାରୁଥିଲେ ମୋର ନିଷ୍ପାପ ମନକୁ | ଆଉ ବୁଝି ପାରୁଥିଲେ ମୋର ଅନ୍ତରର ବେଦନାକୁ | ଯାହା କେବଳ ଗୋଟେ ମାଆ ହିଁ କରି ପାରିବ | ଖାସ ସେଇଥିପାଇଁ ବୋଧେ ନିରୀହ ଆଖି ଦୁଇଟି ମୋର ପ୍ରତି ମୁହୂର୍ତ୍ତରେ ଖୋଜୁଥିଲା ଆଖି ସାମନାରେ ତାଙ୍କ ଉପସ୍ଥିତିକୁ, ଆଉ ଚାହିଁ ରହୁଥିଲା ଅକୂଳରେ ତାଙ୍କ ସମ୍ବେଦନାକୁ |


ସମୟ ସମୟରେ କିଛିଟା ଲୋମହର୍ଷଣକାରି ମୁହୂର୍ତ୍ତରେ ଯେତେବେଳେ କିଛି ଲୋକ ଆଖିରେ ମିଛର ଅନ୍ଧପୁଟୁଳି ବାନ୍ଧି ମତେ କରିଚାଲୁଥିଲେ ଈର୍ଷା ଆଉ ମତେ ଠେଲିଦେଉଥିଲେ ଦୁରକୁ, ଯେତେବେଳେ ଘୃଣାର ପାହାଡ ମୋ ଉପରେ ଲଦି ଦେଉଥିଲେ ଆଉ ମୁଁ ବିକଳରେ " ମତେ ବଞ୍ଚାଅ, ମତେ ବଞ୍ଚାଅ " ବୋଲି ଚିତ୍କାର କରୁଥିଲି, ଠିକ ସେତିକି ବେଳେ ସେ ଦେବତା ପରି ଆସି ସିଞ୍ଚନ କରିଥିଲେ କରୁଣାର କେଇ ବୁନ୍ଦା ଜଳ ମୋର ସେହି ଭୟଭୀତ ହୋଇଯାଇଥିବା କରୁଣ ହୃଦୟରେ | ଏହା ତ କେବଳ ଜଣେ ମାଆ ହିଁ କରି ପାରିବ | ମୋ ପାଇଁ ସେ ଦୁନିଆ ସହିତ ଲଢେଇ କରୁଥିଲେ | ଯେତେବେଳେ ମୋର ନିଷ୍କପଟ ଭଲ ପାଇବାକୁ ମୋର କିଛିଟା ଆତ୍ମୀୟ ଲୋକମାନେ ଘୃଣାର ଚକ୍ଷୁରେ ଦେଖୁଥିଲେ, ମୋର କୃତିତ୍ୱକୁ,ମୋର ପ୍ରତ୍ୟେକଟି ସଫଳତାକୁ ଈର୍ଷା କରି ମତେ ଏକ ଅଦରକାରୀ ବସ୍ତୁ ଭଳି ବ୍ୟବହାର କରିବାକୁ ଚାହୁଁଥିଲେ ଆଉ ମୋର ପ୍ରତ୍ୟେକଟି ମହତ ଉଦେଶ୍ୟକୁ ସେମାନେ ଛଳନାରେ ପରିଣତ କରୁଥିଲେ, ସେତେବେଳେ ଅଣନିଶ୍ୱାସୀ ହୋଇ ମୁଁ ଦୁଃଖ ଆଉ ଭୟରେ ଛଟପଟ ହେଉଥିଲି ଆଉ ନିଜ ଲୋକମାନଙ୍କର ସାହାରା ପାଇଁ ଚାତକ ପରି ଚାହିଁ ରହିଥିଲି , ଠିକ ସେହି ସମୟରେ ମୃତ ସଂଜୀବନୀ ପରି ସେ ଆସି ମତେ ସୁରକ୍ଷା ବଳୟ ମଧ୍ୟରେ ବାନ୍ଧି ରଖୁଥିଲେ | ଏହାତ କେବଳ ଜଣେ ମାଆ ହିଁ କରି ପାରିବ | ମାଆଟିଏ ଯେମିତି ତାର ସନ୍ତାନକୁ ଅତି ସ୍ନେହରେ ଖୁଆଇଦିଏ ଠିକ ସେମିତି ସେ ନିଜର ଅତି ପ୍ରିୟ ଖାଦ୍ୟଦ୍ରବ୍ୟ ସବୁ ମତେ ଖୁଆଇ ଦେଉଥିଲେ | ଏହାତ କେବଳ ମାଆ ହିଁ କରି ପାରିବ | ନିଜ ଦେହରେ ଅପର୍ଯ୍ୟାପ୍ତ ଥକା ଥାଇ ମଧ୍ୟ ସେ ମୋ ଥକା ମେଣ୍ଟାଇବା ପାଇଁ ମୋ ମଥାରେ ହାତ ଥାପି ଥାପି ମତେ ସୁଆଉଥିଲେ | ଏହାତ କେବଳ ମାଆ ହିଁ କରି ପାରିବ | ନିଜର ସମସ୍ତ ମୂଲ୍ୟବାନ ଖୁସିକୁ ସେ ମୋ ପାଇଁ ତ୍ୟାଗ କରି ଚାଲୁଥିଲେ | ଏସବୁ ତ କେବଳ ମାଆ ହିଁ କରି ପାରିବ | ନିଜେ ବେମାରରେ ପଡି ମଧ୍ୟ ମୋ ଦେହ ଖରାପରେ ଯିଏ ରାତି ରାତି ଅନିଦ୍ରାରେ କାଟି ମୋର ସେବା କରି ମତେ ରୋଗମୁକ୍ତ କରାଇବା ପାଇଁ ଆପ୍ରାଣେ ଚେଷ୍ଟା କରି ଆସୁଥିଲେ, ଯିଏ ମତେ ପାଣି ଟୋପେ ପିଆଇବାପାଇଁ ମୋ ପଛରେ ପାଣି ଗିଲାସ ଧରି ଦଉଡୁଥିଲେ ଘର ସାରା ଯେମିତିକି ମୁଁ ତାଙ୍କର ଗୋଟେ କୁନି ଝିଅ, ସେ ମାଆ ନୁହେଁ ତ ଆଉ କିଏ ? କେବେ କେବେ ମୁଁ ରାତିରେ ନଖାଇ ଉପାସରେ ସୋଇପଡ଼ିଥିଲେ ଯିଏ ପ୍ଲେଟ ରେ ଖାଦ୍ୟ ବାଢି ସୋଇଥିବା ଅବସ୍ଥାରେ ମତେ ଖୁଆଇ ଦିଅନ୍ତି ସେ ମାଆ ନୁହେଁ ତ ଆଉ କିଏ ? ବର୍ଷାରେ ମୁଣ୍ଡ ,ଦେହ ଓଦା ହେଇଗଲେ ଯିଏ ଦୌଡ଼ି ଯାଇ ନିଜ ଗାମୁଛାରେ ମୋର ମୁଣ୍ଡ ପୋଛିଦିଅନ୍ତି ସେ ମାଆ ନୁହେଁ ତ ଆଉ କିଏ ? ମୋ ଆଖିରେ ଵିନ୍ଦୁଏ ଲୁହ ଦେଖିଲେ ଯିଏ ଅସରାଏ ଲୁହ ଢାଳନ୍ତି ସେ ମାଆ ନୁହେଁ ତ ଆଉ କିଏ ? ହସ୍ପିଟାଲ ରେ ଚକୋଲେଟ କି କିଛି ନୂତନ ଖାଦ୍ୟ ପଦାର୍ଥ କିଏ ଅଫର କଲେ ଯିଏ ନିଜେ ନଖାଇ ପକେଟରେ ପୁରେଇ ମୋ ପାଇଁ ନେଇଆସନ୍ତି ସେ ମାଆ ନୁହେଁ ତ ଆଉ କିଏ ? ମୋ ପାଟିରେ କି ତଣ୍ଟିରେ ମାଛକଣ୍ଟା ଫୁଟିଯିବା ଭୟରେ ଯିଏ ମାଛରୁ କଣ୍ଟା ଛଡେଇ ମତେ ଖୁଆଇ ଦିଅନ୍ତି ସେ ମାଆ ନୁହେଁ ତ କିଏ ? ମୋ ହାତକୁ କଷ୍ଟ ହେବ ବୋଲି ଯିଏ ମୋ ହାତରୁ ଅଇଁଠା ବାସନ ଛଡେଇ ନେଇ ନିଜେ ମାଜି,ଧୋଇ ପକାନ୍ତି ସେ ମାଆ ନୁହେଁ ତ ଆଉ କିଏ ? ମୋ ଶରୀର ଥକିଯିବ ଭାବି ଯିଏ ମୋ ପିନ୍ଧା ଲୁଗା ଚିପୁଡ଼ି ଶୁଖାଇ ଦିଅନ୍ତି ସେ ମାଆ ନୁହେଁ ତ କିଏ ? ମୁଁ ଟିକିଏ ଝୁଣ୍ଟି ପଡିଲେ ଯାହାର ହୃଦୟ ଥରିଯାଏ ସେ ମାଆ ନୁହେଁ ତ କିଏ ? ଯାହାଙ୍କ ମୁହଁ ଦେଖିଲେ ମତେ ମୋ ମାଆର ମୁହଁ ଦେଖାଯାଏ ସେ ହିଁ ତ ମାଆ | ମୁହଁ ଅନ୍ଧାରୁ ଉଠି ଯିଏ ମୋର ମୁଣ୍ଡ ଆଉଁସି ଦିଅନ୍ତି, ଅନ୍ଧାର ହେଲେ,ବର୍ଷା ଆସିଲେ,ବିଜୁଳି ମାରିଲେ ଲୁଚିବାକୁ ଯାହାଙ୍କର କୋଳ ଖୋଜେ ଭୟରେ ସେ ମାଆ ନୁହେଁ ତ କିଏ ? ଜୀବନର ସବୁ ଦୁଃଖ,ଯନ୍ତ୍ରଣା ,ଖୁସି ଯାହା ସାମ୍ନାରେ କହିହୁଏ ସେ ହିଁ ତ ମାଆ | ହଁ ସେ ହିଁ ମୋ ମାଆ | ଦୁନିଆ ଆଖିରେ, ମୋ ପରିବାର ଆଖିରେ ସେ ମୋ ସ୍ୱାମୀ କିନ୍ତୁ ପ୍ରକୃତରେ ସେ ହିଁ ମୋର ମାଆ | ମୋ ଜନ୍ମଦାତ୍ରୀ ମାଆ ପରି ସେ ବି ଅବିସ୍ମରଣୀୟ | ସେ ବି ପୂଜନୀୟ |


ଯିଏ ମୋର ଟିକେ ହସ ପାଇଁ ଈଶ୍ୱରଙ୍କୁ ଚିଠି ଲେଖି ପାରନ୍ତି, ଯେତେବେଳେ ସେ ଜାଣିଥାନ୍ତିକି ଏହା ଏକ ପିଲାଳିଆମି | ତଥାପି କେଉଁ ଏକ ଅଜଣା ବିଶ୍ୱାସରେ ମୋର ମଙ୍ଗଳ କାମନା କରି ଈଶ୍ୱରଙ୍କୁ ଖଣ୍ଡ ଖଣ୍ଡ ଚିଠି ଲେଖି ମନ୍ଦିରରେ କିମ୍ବା ଠାକୁରଙ୍କ ପାଖରେ ରଖି ଦିଅନ୍ତି, ସେ ମାଆ ନୁହନ୍ତି କି ? ମାଆର ସଂଜ୍ଞା ଆଉ କଣ ? ମାଆର ପରିଭାଷା ତ ଏହା ହିଁ ନା ?

ସନ୍ତାନର ସଫଳତାରେ ମାଆ ଯେମିତି ଖୁସି ଅନୁଭବ କରେ , ଠିକ ସେମିତି ସେ ମୋର ଛୋଟଛୋଟ ସଫଳତାରେ ବି ବହୁତ ଖୁସି ହୁଅନ୍ତି, ମତେ ପ୍ରେରଣା ଦିଅନ୍ତି ଆଗକୁ ବଢିବା ପାଇଁ | ରାସ୍ତାରେ ଝୁଣ୍ଟି ପଡିଲେ ମତେ ସାହାରା ଦିଅନ୍ତି | ମୋର ସମସ୍ତ ପ୍ରିୟ ଲୋକ, ପ୍ରିୟ ବସ୍ତୁ, ପ୍ରିୟ ପଦାର୍ଥମାନଙ୍କୁ ସେ ଇଚ୍ଛାପୂର୍ବକ ଗ୍ରହଣ କରି ନେଇଥାନ୍ତି ,ସ୍ୱଇଚ୍ଛାରେ ମୋର ଖୁସିରେ ଜଡିତ ଥିବା ସମସ୍ତ ଜିନିଷକୁ ସ୍ୱୀକାର କରନ୍ତି | ସେଇଥିପାଇଁ ତ ସେ ମୋର ନମସ୍ୟ | ଶବ୍ଦସବୁ ମଧ୍ୟ ବହୁତ କମ ପଡିବ ତାଙ୍କର ବଦାନ୍ୟତାକୁ ପରିଚୟ ଦେବା ପାଇଁ | ଆଜି ମୋ ଓଠରେ ହସ କେବଳ ସେଇ ମହାନ ବ୍ୟକ୍ତିତ୍ୱଙ୍କ ପାଇଁ | ପ୍ରକୃତରେ ସେ ମହାନ ନା ମୁଁ ଭାଗ୍ୟବାନ | 

"ସବୁ ଜନମରେ ମୋ ନାଁ ଆଗରୁ ଲାଗୁଥାଉ ତାଙ୍କ ନାଁ,ଏତିକି ମୋର ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା " 


ରୋଜା ପଣ୍ଡା

ପୂର୍ଣ୍ଣାନନ୍ଦ ଭବନ,ନେତାଜୀ ନଗର,ମଧୁପାଟଣା,କଟକ- ୭୫ ୩୦୧୦,

Email -roja.saumya@gmail.com


Rate this content
Log in

Similar oriya story from Inspirational