Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ପରିଚୟ
ପରିଚୟ
★★★★★

© Soumya Shubhadarshinee

Others

10 Minutes   4.5K    16


Content Ranking

ସମ୍ପର୍କ ଗୋଟେ ଅଡ଼ୁଆ ସୂତା ! କିନ୍ତୁ ସେଇ ଅଡୁଆ ଭିତରେ ହିଁ ଥାଏ ମାଧୁର୍ଯ୍ୟ । ଅଡୁଆ ସୁଧାରି ନେଲେ ସମ୍ପର୍କ ସାଧାରଣ ହେଇଯାଏ , ରୁହେନି ସେଥିରେ ଚମକ !

************

--'' ଲାଇଟ୍ ଅନ୍ ହେବ ।

--'' ଝରକା ଖୋଲିଯିବ ।

--'' ସୁନ୍ଦର ଭାବେ ଡ୍ରେସ୍ ହ୍ୟାଙ୍ଗରରେ ଟାଙ୍ଗା ହେବ , ସ୍ପଷ୍ଟ ଦିଶିବ ଓକିଲ

ପୋଷାକ ।

--'' ଗ୍ଲାସ ଉଠେଇ ପିଆ ହେବ ପାଣି ।

--'' ଏବେ କପ୍ ଗୋଟେ ଧରା ହେବ କିଛି ଗରମ ପାନୀୟର ମଜା ନେବା ପାଇଁ।

--'' କମ୍ପ୍ୟୁଟର ସମ୍ନାରେ ଥିବା ମୋଟା ମୋଟା ଲ' ବହି ଭିତରୁ ଗୋଟେ ଉଠେଇ ବସା ଯିବ ଚେୟାର ଉପରେ।

--'' ଗରମ ପାନୀୟ ସରିବ ଆରାମରେ ।

--'' ବର୍ତ୍ତମାନ ସିଗାର ଜଳା ହେବ ।

-- '' ଚଷମା ପିନ୍ଧା ଯିବ ଆଉ ବାସ ।

ଲୋକଟା ହଜିଯିବ ବହି ଭିତରେ ସମ୍ପୂର୍ଣ୍ଣ ଭାବେ । ଆଉ ପଢୁଥିବ ସେମିତି ମୂର୍ତ୍ତି ହେଇକି। କେତେ ରାତି ଯାଏଁ ଚାଲିବ ସେଇ ପଢାପଢି କହିବା ସମ୍ଭବ ନୁହେଁ ।

ରୁବି ଅତି ବେଶିରେ ବାରଟା ରାତି ଯାଏଁ ଅନେଇ ପାରେ । ତା' ପରେ ଶୋଇବା ଜରୁରୀ ନହେଲେ ଅଫିସରେ କ୍ଲାନ୍ତି ଆସିବ । ଚିଡିଚିଡି ଲାଗିବ । ତେଣୁ ସମ୍ନା ଆପାର୍ଟମେଣ୍ଟ୍ ରେ ରହୁଥିବା ଭଦ୍ର ବ୍ୟକ୍ତିଙ୍କ ଏଇ କାର୍ଯ୍ୟ କଳାପ କେତେ ରାତିରେ ସରେ ଜାଣିନି ସେ ।

ହଁ ଯଦିଓ ବିଚିତ୍ର କିନ୍ତୁ ଏମିତି ଅସାମାଜିକ କାମ ଗୋଟେ କରୁଛି ସେ ଆଜିକାଲି ସବୁଦିନ । ନିଜ ଘର ଝରକା ଦେଇ ଅଭଦ୍ର ପରି ଝାଙ୍କୁଚି ସମ୍ନା ଆପାର୍ଟମେମଣ୍ଟ୍ ର ସେଇ ନିର୍ଦ୍ଧିଷ୍ଟ ଘରକୁ । କାହିଁକି ଏମିତି କରୁଚି ତା'ର ସବୁଠୁ ସନ୍ତୋଷ ଜନକ ଉତ୍ତର ହେଲା , ଭଲ ଲାଗୁଛି !........

ରୁବି ବଦଳି ପରେ ଏ ନୂଆ ସହରରେ ବଡ଼ ଏକାକୀ ଅନୁଭବ କରୁଛି। କେହି ପରିଚିତ ନାହିଁ ଏଠି । ତା' ସହରଠୁ ବହୁତ ଦୂର ବୋଲି ଯିବା ଆସିବା କରି ହେଉନି। ତେଣୁ ରହିବାକୁ ବାଧ୍ୟ ।

ଏମିତି ନିଃସଙ୍ଗ ଅବସ୍ଥାରେ ସମୟ ଅତିବାହିତ କରିବାକୁ ଏଇଟା ଭଲ ମାଧ୍ୟମ ଭାବେ ଗ୍ରହଣ କରିଛି ସେ । ଏମିତି ଭାବେ ସେ ଡିଷ୍ଟର୍ବ କରୁନାହିଁ କାହାକୁ , ବନ୍ଧୁତା ଯୋଡୁନି ଯାହା ସମସ୍ୟା କରିପାରେ ( ସହରର ଅପରିଚିତ ସହ ବନ୍ଧୁତା ଭାରି ପଡେ ) , ସମୟ ନଷ୍ଟ କରୁନି କାହାର , ଆଉ ସବୁଠୁ ଭଲ କଥା ହେଲା ଏମିତି ସେ ପୂରା ନିରାପଦ ଅନୁଭବ କରୁଛି।

ମଣିଷ ସବୁଠୁ ବିଚିତ୍ର ପ୍ରାଣୀ ! ତା' ସହ ଶତ୍ରୁତା ହେଉ କି ବନ୍ଧୁତା : ମୂଲ୍ୟ ଦେବାକୁ ହୁଏ । ହୁଏତ କେବେ ଅର୍ଥ ଆକାରରେ ତ' କେବେ ସମୟ ଆକାରରେ ବା କେବେ ଆଉ କିଛି !..... କିନ୍ତୁ ଏଇ କାର୍ଯ୍ୟ ଏପରି

ସର୍ତ୍ତରୁ ମୁକ୍ତ ତେଣୁ ନିରାପଦ।

ଆହୁରି ସୁନ୍ଦର କଥାଟି ହେଲା ତା'ର ଏଇ କାମ ବିଷୟରେ ସେ ଭଦ୍ରବ୍ୟକ୍ତି ଜାଣନ୍ତି ନହିଁ । ସେ ନିଜ ଗ୍ଲାସ ଝରକା ଦେଇ ଦେଖେ ତାଙ୍କୁ ଲୁଚି ଲୁଚି । ସେ ବ୍ୟକ୍ତି କେବଳ ଆଉ କେବଳ ଅପରିଚିତ !......

କେବେକେବେ ତାକୁ ଲାଗେ ସେ ଗୋଟେ ଜୀବନ୍ତ ଟିଭିରେ ଦେଖୁଛି ଭଦ୍ରବ୍ୟକ୍ତିଙ୍କୁ ଜଣେ ଅଭିନେତା ଭାବେ । ତାଙ୍କ ହାଵ ଭାବ , ମୁଖ ଭଙ୍ଗୀ , କଫି/ ଚା' ପିଆ , ସିଗାର ଟଣା , ଚଷମା ପିନ୍ଧା , ସବୁ ଗୋଟେ ପୋଖତ ନାୟକ ପରି , ପେରଫେକ୍ଟ । ଗୋଟେ ସିଙ୍ଗଲ ଟେକ୍ ରେ ସବୁ ସଟ୍ ଓକେ । ଆଉ ସେ ଅଭିନୟ ଖାସ ତା' ପରି ଜଣେ ନିଃସଙ୍ଗ ଦର୍ଶକର ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ !.....

ତାଙ୍କର ସେ ଓକିଲ ଡ୍ରେସ୍ ବି ସବୁବେଳେ ଦିଶେ ଚକ୍ ଚକ୍ ।ଟିକିଏବି ଭାଙ୍ଗ ପଡେନି କି ମସିଆ ହୁଏନି । ଜଣେ ଖୁବ୍ ଅନୁଶାସିତ ମଣିଷ ହେଇଥିବେ ସେ , ସେଥିପାଇଁ ସବୁ କିଛି ଵ୍ୟବସ୍ଥିତ ତାଙ୍କ ଜୀବନରେ।

ଆହୁରି ଚମତ୍କାର ଦୃଶ୍ୟ ତାଙ୍କ ରୁମ୍ ର ଓଃ ! ଉଜ୍ଜ୍ୱଳ ସଫେଦ ରଙ୍ଗ ଲଗା ସେ କାନ୍ଥରେ ଚମତ୍କାର ଇଣ୍ଟେରିୟ ଡିଜାଇନ୍ । ହାଲ୍କା ନୀଳ ରଙ୍ଗର ଫ୍ଲୋରାଲ ପ୍ରିଣ୍ଟ ଖୁବ୍ ଆକର୍ଷକ । ପୁଣି ଭାରି ଲୋଭନୀୟ ଆଲୋକ ସଜ୍ଜା ଏଲଇଡି ଲାଇଟ୍ ର ଯାହା ସବୁକିଛି ପରିଷ୍କାର ଦେଖେଇ ପାରେ ରୁବିକୁ ।

****************

ବଡ଼ ସହର ଭାରି ହୃଦୟହୀନ ! ଏଠି ସବୁ ମଣିଷ ମେସିନ୍ !!......

କାହାରି ପାଖରେ ସମୟ ନାହିଁ । ଦଉଡୁଛନ୍ତି ସଭିଏଁ ନିଜ ନିଜର ଜୀବନ ଦୌଡ଼। ଘଡ଼ିଏ ଠିଆ ହେଇଗଲେ ଯେମିତି ପଛୁଆ ହେଇଯିବେ ! ଏଠିକାର ଜୀବନଚର୍ଯ୍ୟା ଦେଖି ରୁବି ହତବମ୍ବ ହେଇ ଯାଉଥିଲା।

ନୂଆ ଆସିଥିଲା ଯେବେ ରୁବି ଥିଲା ଭାରି ସରଳ । ଏଇ ବ୍ୟସ୍ତ ସହରର ପରିବେଶ ଭିତରେ ଅଣନିଶ୍ଵାସୀ ହେଇଯାଉଥିଲା । ବୁଝିପାରୁ ନଥିଲା ଏମିତି ନିଜନିଜ ଭିତରେ ନିମଗ୍ନ ମଣିଷ ଗୁଡାଙ୍କ ସମୟ କେମିତି ବିତେ ! କାହା ସହ କଥା ନାହିଁ , ପାଖ ପଡୋଶୀ ସହ ପରିଚୟ ନାହିଁ , ସୁଖ ଦୁଃଖ ବାଣ୍ଟିବାକୁ ତର ନାହିଁ , ଏମିତି କି ମରିହଜି ଗଲେବି କେହି ଜାଣି ପାରିବେ ନାହିଁ । ହୁଏ ଠିକ ଏମିତି ଆପାର୍ଟମେଣ୍ଟ ଭିତରେ , ମୃତ ଦେହ ପିମ୍ପୁଡି ଲାଗି ଉଦ୍ଧାର !......

ଏଠି ସବୁ ମଣିଷ ଭୀଷଣ ସ୍ୱାର୍ଥସର୍ବସ୍ବ କିନ୍ତୁ ରୁବି ବ୍ୟତିକ୍ରମ , ଖୋଜୁଥାଏ ଗୋଟେ ସମଭୋଗୀ ମଣିଷ । ଯାହା ସହ ସୁଖ ଦୁଃଖ ବାଣ୍ଟିବାର ସମ୍ଭାବନା ଥିବ ।

ତା' ଅଫିସର କଲିଗ୍ ମେଘନା ସିଂ କୁହେ , '' ଡାର୍ଲିଂ ଏଠି କେହି ନୁହେଁ ନିଜର । ସଭିଏଁ ଉଦ୍ଦେଶ୍ୟ ମୂଳକ ଭାବେ ଜୋଡନ୍ତି ସଂସାର ।''

ରୁବି ଏକଥା ବୁଝେ , ଏଇଟା ସହର ଯେଉଁଠି ପାଣି , ପବନରବି ମୂଲ୍ୟ ଥାଏ । ସେଠି ସମ୍ପର୍କ ଖୋଜିବା ଦିବା ସ୍ୱପ୍ନ । ତଥାପି ତା' ମନ ବ୍ୟସ୍ତ ହୁଏ , ମନେ ପଡେ ଗାଁ ଆଉ ସେଠି ଥିବା ମଣିଷ ମାନଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ।

ସେଇ ଲୋଭ ସକାଶେ ପ୍ରଥମେ ପ୍ରଥମେ ସକାଳର ମୋର୍ଣ୍ଣି ୱାକ୍ ବେଳେ ସେ ବହୁତ ଜଣଙ୍କୁ ଭେଟି ହସିବାର ଚେଷ୍ଟା କରୁଥିଲା । ହ୍ୟାଲ୍ଲୋ ହାଏ ବି କରୁଥିଲା । ସେମାନଙ୍କ ମଧ୍ୟରୁ କିଛି ଲୋକ ମିଶିବାର ଚେଷ୍ଟା କଲେ କିନ୍ତୁ କେହି ଜଣେ ସେଇ ଗାଁର ନିର୍ମଳ ମଣିଷ ଲାଗିଲେ ନାହିଁ । ଏଠି ଅଜା , ମାଉସୀ , ଖୁଡି , ଆଈ , ଭାଇ , ଅପା ନଥିଲେ ଥିଲେ କେବଳ ଡିଅର୍ , ଅଙ୍କଲ, ଡାର୍ଲିଂ । ସେମାନଙ୍କ ଭିତରେ ମିଳୁ ନଥିଲା କୌଣସି ଭାବ । କେମିତି ଗୋଟେ ଉପର ଠାଉରିଆ କଥା ପଦେ ହେଉଥିଲେ ଯାହା ।

ଆହୁରି କିଛି ଲୋକ ସେ ଏକାକୀ ଥିବାର ଫାଇଦାବି ଉଠେଇବାର ଅପଚେଷ୍ଟା କଲେ !

ଯେମିତି ସେ ନୀରଜ ବର୍ମା , ଓଃ କେଡେ ସୁନ୍ଦର କଥା ତା'ର । ଭାରି ନିଜର ନିଜର ଲାଗୁଥିଲା ରୁବିକୁ କିନ୍ତୁ ଚଣ୍ଡାଳ ଟିକେ ସୁଯୋଗ ପାଇ ନିଜର ଅସଲି ରୂପକୁ ଆସିଗଲା । ମନେଅଛି ରୁବିର ଡାକି ଥିଲା ସେ ନିଜ ଜନ୍ମଦିନ ପାର୍ଟି ଆଉ ସେଇଠି , ଦୁର୍ବ୍ୟବହାର କଲା ରୁବି

ସହ । ବଡ଼ ସହରରେ ଏସବୁ ଘଟେ ରୋଜ କିନ୍ତୁ ରୁବି ପାଇଁ ଓଃ !........

କେଡେ ନିର୍ଲଜ ଭାବରେ କହିଥିଲା ନୀରଜ, '' ୟୁ ସ୍ମଲ୍ ଟାଉନ୍ ଗାର୍ଲ , ଗେଟ୍ ଲଷ୍ଟ !'' ହଁ ଛୋଟ ସହର ରୁବିର କିନ୍ତୁ ସେଠି ମଣିଷ ହୃଦୟ ଛୋଟ ନୁହେଁ । ସହରର ମଣିଷ ଗୁଡା ଭାରି ନିଚ୍ଚମନା । ସମ୍ପର୍କ ଗଢିବା ଜଣା ନାହିଁ ଏଗୁଡାଙ୍କୁ । ........

କେବଳ ଭୋଗବାଦ ଭିତରେ ଜିଉଁ ଥିବା ପଶୁଗୁଡା । ଉଦ୍ଦେଶ୍ୟ ମୂଳକ ଭାବେ ଜୋଡନ୍ତି ଭାବ । ଏମାନଙ୍କ ଭିତରେ ଆବେଗ ନାହିଁ ତିଳେ ।........

ରୁବି ବୁଝି ସାରିଥିଲା ସହର ଗୋଟେ ଅସୁସ୍ଥ ଜୀବନ

ଜିଉଁଛି । ଆଉ ରୋଗର ନାଁ ହୃଦୟହୀନତା । ନିର୍ଜୀବ କଂକ୍ରିଟ ସହରର ସବୁ ମଣିଷ ପଥର ତିଆରି ହୃଦୟ ରଖନ୍ତି ପକେଟ ଭିତରେ , ଯାହା ବନ୍ଦ ପଡିଛି କାହିଁ କେତେବଳୁ

****************

ତେଣୁ ଏବେ ରୁବି ଆଉ ସମ୍ପର୍କ ଗଢିବାର ରିସ୍କ ନିଏନି । ଅଫିସରେ ହ୍ୟାଲ୍ଲୋ ହାଏ କରେ , ସୋସାଇଟି ରେ କେହି ହସିଲେ ରିଟର୍ଣ୍ଣ ରେ ମାପି ଚୁପି ହସେ , ବ୍ୟତିବ୍ୟସ୍ତ ହେଇ ଆବେଗ ଖୋଜେନି କି ଭାବପ୍ରବଣ ହୁଏନି ।

ଧୀରେ ଧୀରେ ନିଜ ସଜୀବ ହୃଦୟକୁ ପଥର କରିବାର ପ୍ରାକ୍ଟିସ୍ କରେ । କିନ୍ତୁ ପୂରା ପଥର ହେଇପାରେନି ସ୍ମଲ୍ ଟାଉନ୍ ଝିଅ । ସେଥିପାଇଁ ଏମିତି ସମ୍ପର୍କ ଯୋଡ଼େ ସେଇ ସମ୍ନା ଆପାର୍ଟମେଣ୍ଟର ଭଦ୍ରବ୍ୟକ୍ତିଙ୍କ ସହ ।

ହଁ ରୁବି ତାଙ୍କୁ ଦେଖେ ନାହିଁ କେବଳ , ତାଙ୍କ ସହ ଗୋଟେ ଅଦୃଶ୍ୟ ସମ୍ପର୍କବି ଗଢ଼ିଛି । ତାଙ୍କ ସହ ମନ ପାଇଲେ କଥାବି ହୁଏ । ଯଦିଓ ତାଙ୍କୁ ଜଣା ନଥାଏ କିନ୍ତୁ ରୁବି ନିଜ ଅଫିସର ସମସ୍ୟା କୁହେ ତାଙ୍କୁ । ସୁଖ ଦୁଃଖ ବାଣ୍ଟେ ଚୁପ ଚାପ ତାଙ୍କ ସହ । ଯଦି କେବେ ସେ ଚିନ୍ତିତ ଲାଗନ୍ତି , ଅସ୍ତବ୍ୟସ୍ତ ହେଇ ରୁମ ଭିତରେ ପଇଁତରା ମାରନ୍ତି । ବୁଝିଯାଏ ରୁବି ତାଙ୍କ ମନୋଦଶା ଆଉ ଦିଏ ପ୍ରବୋଧନା ।

ସେତେବେଳେ ଭାରି ଇଚ୍ଛା ହୁଏ ତା'ର ଧାଇଁ ଯିବ ତାଙ୍କ ପାଖକୁ ଆଉ କହିବ , '' ବ୍ୟସ୍ତ ହୁଅନ୍ତୁ ନାହିଁ , ସବୁ ଠିକ ହେଇଯିବ । ''

ଏମିତିହିଁ କୁହେ ତା' ମାମା ଯେବେ ରୁବି ବ୍ୟତିବ୍ୟସ୍ତ ହୁଏ । ରୁବି ମାମାକୁ କହିଛି ତା' ଅପରିଚିତ ବନ୍ଧୁ କଥା , ତା' ନିରାପଦ ସହୃଦ୍ କଥା , ଆଉ ତା' ତାଙ୍କ ଝାଙ୍କ କଥା । ମାମା ବିଗିଡେ ଆଉ ଏସବୁ ଠିକ ନୁହେଁ ବୋଲି କୁହେ । ବୁଝାଏ ତାକୁ ବଡ ସହରର ପରିବେଶରେ ସତର୍କ ହେଇ ରହିବାକୁ । ମା' ମନରେ ରୁହେ ଗୋଟେ ଅଜଣା ଭୟ ଏକାକୀ ରହୁଥିବା ଝିଅପାଇଁ !.......

ରୁବି କିନ୍ତୁ ମାମାକୁ ମିଛ କୁହେ , ଯେ ସେ ଏମିତି କରିବନି ଆଉ । ନିଜ ଲ୍ୟାପଟପ୍ ଭିତରେ ବ୍ୟସ୍ତ ରହିବ । ଖୋଜିବନି କୋଉ ବନ୍ଧୁ କି ସହୃଦ୍ । ମାମା ବୁଝି ଯାଏ , ଆଉ ରୁବି ତା' ନିଜ ପୃଥିବୀରେ ରୁହେ ମସ୍ତ।

*************

ଅଫିସର ଡ୍ୟାସିଂ ବୟ ସିଦ୍ଧାନ୍ତ ସେଦିନ ଆଣିଥିଲା ଗୋଟେ ବଢିଆ ବାଇନାକୁଲାର୍ । ପଶୁ ,ପକ୍ଷୀ, କୀଟ , ପତଙ୍ଗ ସବୁ ଦେଖିବା ତା' ସୌକ । ଦେଖେଇ ଦେଲା ଦୂର ପାର୍କରେ ବସି ଗପ କରୁଥିବା କେତେ ଟିକି ମିକି ଚଢେଇ ସେମାନଙ୍କୁ । ସବୁ ଦିଶିଲେ ସ୍ପଷ୍ଟ , ସୁନ୍ଦର ଆଉ ଜୀବନ୍ତ । ସଭିଙ୍କୁ ବୁଝେଇ

କହୁଥିଲା କେତେ ଇନଟ୍ରେର୍ଷ୍ଟିଙ୍ଗ ଏଇ କାମ । ସମୟ କେମିତି ବିତେ ବୁଝା ପଡେନା । ରୁବି ଦେଖିଲା ସେଇ ଦୂରବୀନ୍ ଆଉ ଭାବିଲା ଏଇଟା ତା' କୁବି

ଖୁବ୍ ଲୋଡା ଗୋଟିଏ ବିଶେଷ କାମ ପାଇଁ ।

ଟିକେ ସ୍ମାଇଲ୍ ଦେଇ ମାଗି ନେଲା ସେଇଟି ସିଦ୍ଧାନ୍ତ ଠାରୁ । ଯାହା ହେଉ ଦେଇଦେଲା ଡ୍ୟାସିଂ ବୟ ।

ଆଜି ଗୋଟେ ଖାସ ଦିନ ହେଇଗଲା ତା' ପାଇଁ । ସେ ଭଦ୍ରବ୍ୟକ୍ତିଙ୍କ ଅନୁପସ୍ଥିତିରେ ,ନିଜ ଝରକା ଖୋଲି ଦୂରବୀନ୍ ଦେଇ ଦେଖିଲା ସେ ଘରକୁ ଆହୁରି ନିରିଖେଇ । ଆଉ ମିଳି ଗଲା ଅପରିଚିତ ବନ୍ଧୁର ପରିଚୟ ।

ତାଙ୍କ ସୁଦୃଶ୍ୟ ଟେବୁଲ ଉପରେ ଥିଲା ତାଙ୍କ ନେମ୍ ପ୍ଲେଟ୍ , ଯେଉଁଥିରେ ସୁନ୍ଦର ଅକ୍ଷରରେ ଲେଖାଥିଲା , 'ଆଶୁତୋଷ ରାୟ ' । ଖୁସି ହେଇଗଲା ରୁବି , ବାଃ କେଡେ ବଢିଆ ସେ ରୁବି ରାୟ ଆଉ ବନ୍ଧୁ ବି । ଭଲ ଲାଗିଲା ତାକୁ ହେଉ ପଛେ ଅପରିଚିତ ତା'ରି ସାଙ୍ଗିଆ ରହିଛି ତାଙ୍କ ନାଁ ସହ ।ଏଥିରେ କେଉଁଠି ଗୋଟେ ଅଦୃଶ୍ୟ ଶକ୍ତିର ହାତ ଅଛି ନିଶ୍ଚିନ୍ତ , ନହେଲେକି ଏମିତି ହୁଏ !.............

ଇଚ୍ଛା ହେଉଥିଲା ରୁବିର ଯାଇ ଭେଟି ଆସିବ । କହିବ, '' ଶୁଣନ୍ତୁ ଆମେ ଦୁହେଁ ସମଭୋଗୀ । ଆପଣ ଏକା ମିଷ୍ଟର ରାୟ ଆଉ ମୁଁ ଏକା ମିସ୍ ରାୟ । ସୋ ଲେଟସ୍ ଫ୍ରେଣ୍ଡସ୍ । ''

କିନ୍ତୁ ନା' ଦୂର ପର୍ବତ ସୁନ୍ଦର , କିଏ ଜାଣେ କେମିତି ଚରିତ୍ର ଏଇ ଅଶୁତୋଷ ରାୟ । ଏ ବି ଯଦି ନୀରଜ ପରି ହୁଅନ୍ତି ?.........

ନା ଥାଉ ସେ ରିସ୍କ ନେବାକୁ ଭୟ କରୁଛି , କାରଣ ସେମିତି ହେଲେ ଏଇ ବନ୍ଧୁକୁ ବି ହରେଇ ବସିବ ସେ । ବରଂ ଇଏ ଭଲ ବିନା ଅତ୍ମୀୟତା ଭିତରେ ଆତ୍ମୀୟ ସମ୍ପର୍କ। ଚିରାଚରିତ ଭାବେ ସରଳ ସମ୍ପର୍କ ଠାରୁ ଏଇ ଜଟିଳ ସମ୍ପର୍କ ଢେର ଭଲ , ଯେଉଁଠି ପାଇବା ବା ହରେଇବାର ଭୟ ନାହିଁ ।

***********

ସେଦିନ ସନ୍ଧ୍ୟାରେ ରୁବି ମାର୍କେଟ ଯାଇଥିଲା । ବହୁତ କିଛି ମାର୍କେଟିଂ ସାରି ଫେରିଲା ଡେରିରେ । ବାହାରେ ଖିଆ ସାରିଦେଇଥିଲା । ଦୁଇଟା ରୋଲ , ଖୁବ୍ ଟେଷ୍ଟି , ଉଦରସ୍ଥ କରି ଫେରିଥିଲା ।

ବୁଲି ବୁଲି ଗୋଡ଼ ଫାଟି ଯାଉଥିଲା ତା'ର , ବିନ୍ଧୁଥିଲା ମୁଣ୍ଡବି । ମନ ଏବେ ଖୋଜୁଥିଲା ଗୋଟେ ବେଡ୍ ଯାହା ଉପରେ ସେ ସିଧା ଫ୍ଲାଟ୍ ହେଇଯିବ ଉଷୁମ ନିଦରେ । ଆଜି ଆଉ ସିଦ୍ଧାନ୍ତଙ୍କ ଉପରେ ତର୍ଜମା ପାଇଁ ବଳ ନଥିଲା କି ଇଚ୍ଛା ନଥିଲା ।

ରୁମ୍ ରେ ପହଞ୍ଚି ଟିକେ ଫ୍ରେସ୍ ହେଇ ବାହାରିଲା ଶୋଇବା ପାଇଁ । କିନ୍ତୁ ମଣିଷ ଯେବେ ଆଦତରେ ପଡ଼ିଯାଏ ଖୋଜେ ସେଇ ଅଭ୍ୟାସ ସବୁ।

ଟିକେ ଦେଖିନେବାର ଇଚ୍ଛା ଏଡେଇ ପାରିଲା ନାହିଁ ସେ । ଚୁପକି ଅନେଇଲା ସେ ତାଙ୍କ ରୁମ୍ ଭିତରକୁ । ଆଜିର ଭାବନା ଥିଲା ଭିନ୍ନ । ଟିକେ ବଢିଯାଇଥିଲା ଅତ୍ମୀୟତା । ଅଶୁତୋଷଙ୍କୁ କହିବାକୁ ଇଚ୍ଛା ହେଉଥିଲା ଯେ ଆଜି ସେ ତାଙ୍କ ପାଇଁ କିଣିଛି ଗୋଟେ ଗିଫ୍ଟ , ଆସୁଛି ନା ବଡ଼ ଦିନ । ଚୁପକି ରଖେଇଦେଵ ସେ ଗିଫ୍ଟଟା ତାଙ୍କ ରୁମ ଆଗରେ ଲେଖି ,

" ଗିଫ୍ଟ ଫ୍ରମ୍ ସନ୍ତାକ୍ଳସ୍ ''....

ଏମିତି ମିଠା ଭାବନା ଭିତରେ ବୁଡି ଥିବା ସମୟରେ କିନ୍ତୁ ଘଟିଲା ଗୋଟେ ଅଭାବନୀୟ କାଣ୍ଡ । ରୁବି ଦେଖିଲା ଟିକେ ବ୍ୟସ୍ତ ଥିଲେ ସେ ଫୋନ୍

ରେ । ହୁଏତ କାହାକୁ ବିରକ୍ତ ହେଉଥିଲେ , ମୁହଁରେ ସ୍ପଷ୍ଟ ଥିଲା କ୍ରୋଧ । ହଠାତ୍ ସେ ଉତକ୍ଷିପ୍ତ ହେଲେ , ଫୋନ୍ କୁ ଫୋପାଡିଲେ ଜୋରରେ ଆଉ ଛାତିରେ ହାତ ଦେଇ ଚିତ୍କାର କଲେ । ବୁଝିଗଲା ରୁବି ନିଶ୍ଚିତ ହାର୍ଟ ପ୍ରବ୍ଲେମ ଅଛି । ଓଃ ! ପ୍ରବଳ କ୍ରୋଧରୁ ହୃଦୟଟା ଅସୁସ୍ଥ ହେଇଗଲା କି ଆଉ ?

ଭୟ ଲାଗିଲା ତାକୁ , ମନେ ପଡ଼ିଗଲା ତା' ପାପାଙ୍କ ହାର୍ଟ ଅଟାକ୍ । ସେ ଯନ୍ତ୍ରଣା , ସେ ବ୍ୟସ୍ତତା ଛୁଇଁଗଲା ତାକୁ । କାଲି ହୁଏତ ପୁଣି ଗୋଟେ ସମ୍ବାଦ ଥିବ ଖବରକାଗଜରେ ବରିଷ୍ଠ ଆଇନଜୀବୀ ଙ୍କର ମୃତ ଦେହ ଉଦ୍ଧାର !

ନା' ନା' ଆଉ ଅଧିକ ଚିନ୍ତା କରିବାର ସାହସ ନଥିଲା ତା'ର । ଦ୍ରୁତ ଗତିରେ ଧାଇଁଲା ରୁବି ଗୋଲଡେନ୍ ହେରିଟେଜ୍ ଆପାର୍ଟମେଣ୍ଟ , ସେଇଠି ରୁହନ୍ତି ତା'ର ଅଜଣା ବନ୍ଧୁ।

************

ସହରର ମଣିଷ ଯେତିକି ହୃଦୟହୀନ ସେତିକି ଭୀରୁ । ଅଜଣା ଲୋକଙ୍କୁ ଭାରି ଭୟ ସେମାନଙ୍କର । ସେଥିପାଇଁ ଘର ଆଗରେ ସିକ୍ୟୁରିଟି

ଗାର୍ଡ । ନିଶୁଆ ଗାର୍ଡ ଅଟକେଇ ଦେଲା ରୁବିକୁ ଆଉ ପଚାରିଲା କେତେ ନମ୍ବର ଫ୍ଲାଟ୍ କୁ ଯିବ ସେ ? ହେଲେ ରୁବି କଣ କହିବ ସେ କ'ଣ ଜାଣେ !..

ସେ ଦୋ ଦୋ ପାଞ୍ଚ ହେଇ କହିଲା ସେ ଯିବ ଅଶୁତୋଷ ରାୟଙ୍କ ନିକଟକୁ । ସେ ଅଛନ୍ତି ସମସ୍ୟା ଭିତରେ । ଗାର୍ଡ କିନ୍ତୁ ନଛୋଡବନ୍ଧା , କହିବାକୁ ହେବ ଫ୍ଲାଟ୍ ନମ୍ୱର।

ରୁବି ବ୍ୟସ୍ତ ହେଲା , ଏକରରମ ନେହୁରା ହେଲା । --'' ପ୍ଲିଜ ମୋତେ ତାଙ୍କ ଫ୍ଲାଟ୍ ନମ୍ୱର ଜଣା ନାହିଁ କିନ୍ତୁ ଯିବାକୁ ହେବ । ସେ ଅସୁସ୍ଥ ।''

ବୋକା ପରି ଅନେଇଲା ଗାର୍ଡ , କଣ ଭାବିଲା କେଜାଣି ଡାକି ନେଲା ରୁବିକୁ ତାଙ୍କ ଅଫିସ । ସେଠି କମ୍ପ୍ୟୁଟର ପାଖେ ବସିଥିବା ଅପରେଟର୍ କୁ କହି ଖୋଜିଲା ଅଶୁତୋଷ ରାୟ , ଲୟର୍ ଙ୍କ ରୁମ୍ । ଯାହା ହେଉ ମିଳିଲା ଫ୍ଲାଟ୍ ନମ୍ୱର ୩୨ ଥାର୍ଡ ଫ୍ଲୋର୍ । ତାଙ୍କ ଚିଫ ଗାର୍ଡ ପଚାରିଲେ କି ସମ୍ପର୍କ ରୁବିର ?, କି କାମ ଅଛି ତାଙ୍କଠି ? ରୁବି କିଛି କହିପରିଲା ନାହିଁ । କେବଳ କହିଲା ସେ ଅସୁସ୍ଥ ଅଛନ୍ତି ତୁରନ୍ତ ଯିବା ଜରୁରୀ । ହେଲେ କେହି ତାକୁ ବିଶ୍ୱାସ କଲେନି।

ରୁବି କହିଲା ଫୋନ୍ କରନ୍ତୁ ତାଙ୍କୁ ଜଣାପଡିଯିବ ସେ ଅସୁସ୍ଥ ବୋଲି । ଯେବେ ଏମିତି କରାଗଲା କେହି ଉଠେଇଲେ ନାହିଁ ଫୋନ୍।

ହୁଏତ ଠିକ କହୁଛି ଝିଅଟି ତେଣୁ ସେଠିକୁ ଯାଇ ଦେଖିବାର ସିଦ୍ଧାନ୍ତ ନେଲେ ଚିଫ୍ ଗାର୍ଡ ।

ଗାର୍ଡକୁ ସାଥିରେ ନେଇ ଧାଇଁଲା ରୁବି ସେଇ ରୁମ୍ କୁ , 'ମାଷ୍ଟର କି' ସାଥିରେ ଧରି ।

ସେମାନେ ରୁମ୍ ଚାବି ଖୋଲି ପହଞ୍ଚି ଗଲେ ଲୟର୍ ସିଦ୍ଧାନ୍ତଙ୍କ ନିକଟରେ।

ସେମିତି ଭୁଇଁରେ ପଡ଼ିଥିଲେ ସେ ନିର୍ଜୀବ ହେଇ । ଡରି ଗଲା ରୁବି ଭୟଙ୍କର ଭାବେ । ଅନେକ ଅମଙ୍ଗଳ କଥା ଭାବି ନେଲା । ହରେଇ ଦେଲାକି ନିଜ ସହୃଦ୍ କୁ ? .......

ଗାର୍ଡ ଦେହରେ ହାତ ମାରି ଦେଖିଲେ । ନା' ନା ' ନିଶ୍ୱାସ ଚାଲୁଛି ,ବଞ୍ଚିଛନ୍ତି ତେବେ ! ତୁରନ୍ତ ତାଙ୍କୁ ହସ୍ପିଟାଲ୍ ନେବାର ବନ୍ଦୋବସ୍ତ କରାଗଲା । ରୁବିହିଁ ଗଲା ସାଥିରେ ।

ହସ୍ପିଟାଲରେ ଯେବେ ଏଣ୍ଟ୍ରି ପଏଣ୍ଟ୍ ରେ ପେସେଣ୍ଟ କାର୍ଡ ବନାଗଲା , ରିସେପ୍ସନିଷ୍ଟ ପଚାରିଲା କି ରିଲେସନ୍ ରୁବିର ପେସେଣ୍ଟ ସହ?

ରୁବି ଖୁବ୍ ସାବଲୀଳ ଭାବେ କହିଲା ରିଲେଟିଭ୍ । ଆଉ ଭରିଲା ଅଵଶ୍ୟକ ଅର୍ଥ । ସଂଗେ ସଂଗେ ଚିକିତ୍ସା ଆରମ୍ଭ ହେଲା ଆଉ ଜୀବନ ରକ୍ଷା ହେଇଗଲା ତାଙ୍କର । ଖୁସି ଥିଲା ସ୍ମଲ୍ ଟାଉନ୍ ଝିଅ ଆଜି ହୃଦୟହୀନ ସହରର ଗୋଟିଏ ହୃଦୟ ନିର୍ଜୀବ ହେବାରୁ ବର୍ତ୍ତି ଯାଇଥିଲା ତା' ପାଇଁ !

ସାରା ରାତି ସେଇ ହସ୍ପିଟାଲ୍ ରେ ବିତିଲା ରୁବିର । ଶୋଇଥିଲା ହୃଦୟହୀନ ସହର କିନ୍ତୁ ନିଦ ନଥିଲା ରୁବି ଆଖିରେ । ସୁସ୍ଥ ଭାବେ ଥରେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିଲା ସେ।

*****************

ସକାଳର ସୁନେଲି କିରଣ ସହ ମିଶିଥିଲା ନୂଆ ଜୀବନର ଉର୍ଜା । ଲାଗୁଥିଲା ଭାରି ସତେଜ ସବୁକିଛି । ଘୁମେଇ ପଡିଥିଲା ରୁବି ପେସେଣ୍ଟ ଆଟେଣ୍ଡାଣ୍ଟ୍ ଚେୟାର ଉପରେ । ନର୍ସ ଆସି ଡାକିଲା ତାକୁ ଆଉ ଜଣେଇଲା ତା' ପେସେଣ୍ଟ ଖୋଜୁଛନ୍ତି । ଏକଦମ ନିଦ ହଜିଗଲା ରୁବିର ଆଉ ସେ ଖୁବ୍ ଖୁସିରେ ଦଉଡି ଗଲା ତାଙ୍କ ପାଖକୁ । ଦେଖିଲା ତାଙ୍କୁ ପ୍ରଥମ ଥର ପାଇଁ ନିକଟରୁ ।

ବୋକା ହେଇ ଅନେଇ ଥିଲେ ଲୟର୍ । କିଏ ଏଇ ଝିଅଟି , ଏଇ ପ୍ରଶ୍ନ ଥିଲା ତାଙ୍କ ମୁହଁରେ ? ବୁଝିପାରୁଥିଲା ରୁବି ଏତକ ପରିଷ୍କାର ଭାବେ ।

ହସି ହସି କହିଲା ," ମୁଁ ଆପଣଙ୍କ ବାନ୍ଧବୀ ,ସୁସ୍ଥ ହେଇଯାଅନ୍ତୁ ଆହୁରି ପରିଚୟ ବଢ଼େଇବା ! ''

ସେ କିଛି ଅଧିକ କହିବା ପୂର୍ବରୁ ସେଠୁ ବାହାରି ଗଲା ରୁବି ନିଜ ଅଫିସ ପାଇଁ । ଅପରିଚିତା ହେଇ ରହିବାକୁ ଇଚ୍ଛା ଥିଲା ତା'ର କାରଣ 'ବଡ଼ ସହରରେ ବନ୍ଧୁତା ହେଉ କି ଶତ୍ରୁତା ଭାରି ପଡେ' ! ପୁଣି ଥରେ ରିସ୍କ ନେବାକୁ ଇଚ୍ଛା ନଥିଲା ତା'ର ! ......

ସୌମ୍ୟା ଶୁଭଦର୍ଶିନୀ

ଅଧ୍ୟାପିକା

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଜଗତସିଂହପୁର

ରୁବି ନୀରଜ ହସ୍ପିଟାଲ

Rate the content


Originality
Flow
Language
Cover design

Comments

Post

Some text some message..