Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABhimanyu Panda

Drama Inspirational Others

4.3  

ABhimanyu Panda

Drama Inspirational Others

ଆତ୍ମହତ୍ୟା

ଆତ୍ମହତ୍ୟା

7 mins
618


ସେଦିନ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଡ୍ୟୁଟିରୁ ଫେରିବା ସାମାନ୍ୟ ଡେରି ହୋଇଯାଇଥିଲା । ଘରକୁ ନ ଯାଇ ସିଧା ଚାଲିଲି ମୋର ସେଇ ପୁରୁଣା ଜଗାଟିକୁ । ଯେଉଁଠି ପ୍ରତିଦିନ ସନ୍ଧ୍ୟାରେ କିଛି ସମୟ ନିରୋଳା ରେ କଟୁଥିଲା ମୋର ।ସମ୍ପୂର୍ଣ୍ଣ ଏକାକୀରେ । ମୁମ୍ବାଇ ପରି ବ୍ୟସ୍ତ ବହୁଳ ସହରରେ ସେ ଜଗାଟିକୁ ବି ବହୁତ ଦିନ ପରେ ଖୋଜିଥିଲି କେବଳ ମୋର ନିଶାଗତ ଖରାପ ଅଭ୍ୟାସକୁ ସାକାର କରିବା ଲାଗି । ଏକ ପୁରୁଣା ପାର୍କ । ଛୋଟ ପିଲାମାନଙ୍କ ଲାଗି । ଦୁଇଟି ମାତ୍ର ବେଞ୍ଚ ପଡିଛି ସେ ପୁଣି ଜର୍ଜରିତ ଅବସ୍ଥାରେ । କିନ୍ତୁ ପାର୍କଟି ଆଲୋକ ମୟ ଥିଲା । ମୋ ଛଡ଼ା ଆଉ ଜଣେ ଦୁଇଜଣ ମଧ୍ୟ ଆସନ୍ତି ସେଠିକି ସେମାନେ କିନ୍ତୁ ନିୟମିତ ନୁହଁନ୍ତି ।

ସମୟ ପ୍ରାୟ ସନ୍ଧ୍ୟା ୮ । ତରବର ହୋଇ ପହଞ୍ଚିଲି । ବ୍ୟାଗ ରଖି ଏକ ଦୀର୍ଘନିଶ୍ୱାସ ପକାଇ ବସିଗଲି ବେଞ୍ଚ ଉପରେ । କିଛି ସମୟ ପରେ ମୋ ନଜର ପଡ଼ିଲା ଅନ୍ୟ ବେଞ୍ଚ ଉପରେ ଜଣେ ମଧ୍ୟ ବୟସ୍କା ମହିଳା ବସିଛନ୍ତି ତାଙ୍କୁ ଆଗରୁ କେବେ ବି ଦେଖିନି ସେଠି । ମନରେ ବିଭିନ୍ନ ପ୍ରଶ୍ନ ଆସିଲା । ଛାଡ଼ ଯିଏ ବି ହୁଅନ୍ତୁ କିଛି ସମୟ ପରେ ଚାଲିଯିବେ ତାପରେ ମୁଁ ବି ମୋ କାମ ସାରିବି । ଏମିତି ରେ ଅଧଘଣ୍ଟା ବିତିଗଲା । ମହିଳା ଜଣଙ୍କ ସ୍ଥିର ଆଉ ମୁଁ ବ୍ୟସ୍ତ । ମତେ ଲାଗୁଥିଲା ମୋ ସ୍ୱାଧୀନତା ଉପରେ ମହିଳା ଜଣଙ୍କ ଆଜି ଇଷ୍ଟ ଇଣ୍ଡିଆ କମ୍ପାନି । ମନେ ମନେ ରାଗ ବି ତାଙ୍କ ଉପରେ । ଉଭୟ ଉଭୟଙ୍କୁ ବାରମ୍ବାର ଦେଖୁଥିଲୁ କାହାକୁ କିଛି ନ କହି । କିଛି ସମୟ ପରେ ମୁଁ ଅସହ୍ୟ ହୋଇ ମହିଳା ଜଣଙ୍କୁ ତାଙ୍କ ପରିଚୟ ପଚାରିଲି । କିଛି ଉତ୍ତର ନ ଦେଇ ପୂର୍ବବତ ଚୁପ ହେଇ ବସି ରହିଲେ । ତାଙ୍କର ନୀରବତା ମତେ ଲାଜ୍ଜିତ କରିଥିଲା । କିନ୍ତୁ ନିଶାର ବଦଭ୍ୟାସ ମତେ ବିଚଳିତ କରୁଥିଲା ।

କିଛି ସମୟ ପରେ ମହିଳା ଜଣଙ୍କ କହିଲେ ମୁଁ ସେହି ବିଲ୍ଡିଂଗ ରେ ରହୁଛି ଏକ ସୁଉଚ୍ଚ ଅଟ୍ଟାଳିକା କୁ ଇଙ୍ଗିତ କଲେ । ଆପଣଙ୍କୁ ଏଠି ପୂର୍ବରୁ ଦେଖିନି ବୋଲି ମୁଁ ପଚାରିଲି ? ନା ମୁଁ କେବେ ଆସିନି ଏଠିକି ମହିଳା ଜଣଙ୍କ କହିଲେ । ଆଜି କଣ ପାଇଁ ? ମୁଁ ପୁଣି ପଚାରିଲି ? ପୁଣି ନୀରବତା । ହଠାତ ମହିଳା ଜଣଙ୍କ କାନ୍ଦିବାକୁ ଲାଗିଲେ ମୋ ଆଶ୍ଚର୍ଯ୍ୟ ର ସୀମା ରହିଲାନି ମନରେ ଭୟ ବି ଆସିଲା କାରଣ ଜଣେ ନାରୀର କାନ୍ଦଣା ଶୁଣିଲେ ଆମ ପୁରୁଷ ସମାଜ ବିଚାର ଶକ୍ତି ହରାଇ ବସେ ତା ଭିତରର ପୁରୁଷତ୍ଵ ପୁରା ବାହାରକୁ ଡେଇଁ ପଡ଼େ ଫିଲ୍ମର ନାୟକ ପରି ।

ଦୟାକରି କାନ୍ଦନ୍ତୁନି ଆପଣ ବସନ୍ତୁ ମୁଁ ଯାଉଛି ! ମୁଁ ବାହାରିଲି ।

ମୁଁ ଆତ୍ମହତ୍ୟା କରିବାକୁ ଆସିଛି । ମହିଳା ଜଣଙ୍କ କହିଲେ । ଅଟକି ଗଲି ମୁଁ । ଭାବିଲି ଏଇ ଜାଗା ମିଳିଲା ଆକୁ ମରିବାପାଇଁ ! ଇଛା ନ ଥିଲେ ବି ପଚାରିଲି । କଣ କାହିଁକି ମରିବାକୁ ଚାହୁଁଛ ? କଣ ହେଇଛି ତମର ? କିଛି ଦୁଃସାଧ୍ୟ ରୋଗରେ ପିଡ଼ିତା କି ଆପଣ ନା ଆଉ କିଛି ?

ମହିଳା ଜଣଙ୍କ କହିବା ଆରମ୍ଭ କଲେ

ମୁଁ ଘର ଲୋକଙ୍କ ସମ୍ମତିରେ ପ୍ରେମ ବିବାହ କରିଛି । ଦୁଇଟି ପୁଅ ମୋର । ସ୍ୱାମୀଙ୍କର ନିଜର ବିଜନେସ ଅଛି । ଏଇସବୁ କାରଣରୁ କଣ କେହି ଆତ୍ମହତ୍ୟା କରେ ? ମୁଁ ଦେଖାଣିଆ ଦୁଃଖ ପ୍ରକାଶ କରି ପଚାରିଲି ? ମହିଳା ଜଣଙ୍କ ସାମାନ୍ୟ ବିରକ୍ତି ପ୍ରକାଶ କଲେ । କହିଲେ । କେତେ ଶିବ ପୁଜିଥିଲି ମୋ ଇଚ୍ଛାରେ ବିବାହ କରିବାକୁ . ଆଉ କରିଥିଲି ମଧ୍ୟ । ଏବେ ଆତ୍ମହତ୍ୟା କରିବାକୁ ବି ଶିବ ପୂଜା କରି ଆସିଛନ୍ତି ନା କଣ ? ମୁଁ ପଚାରିଦେଲି । ମହିଳା ଜଣଙ୍କ ଏବେ ପୁରା ରାଗିଯାଇଥିଲେ ମୋ ଉପରେ । ସେ କିଛି କହିବା ପୁର୍ବରୁ ମୁଁ ପୁଣି ପଚାରିଲି ମୁଁ ଜାଣିପାରୁନି ଆପଣ ଆତ୍ମହତ୍ୟା କାହିଁକି କରିବାକୁ ଆସିଛନ୍ତି ?

ପରିବାର କହିଲେ ଘରେ ଶ୍ୱଶୁର ଦୁଇଜଣ ପୁଅ ଆଉ ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ । ଘରର ସମସ୍ତ ଦାୟିତ୍ୱ ମୋ ଉପରେ । ପିଲାମାନଙ୍କ ଖବର ବୁଝିବା ଶ୍ୱଶୁରଙ୍କ ଯତ୍ନ ନେବା ଏମିତିକି ବଜାର ସଉଦା ବି ମୋ ଦାୟିତ୍ୱରେ । ଏତେ ସବୁ ବୁଝିବା ପରେ ବି କେହି ମୋ ଉପରେ ଖୁସି ନୁହଁନ୍ତି ? ମୋ ସ୍ୱାମୀଙ୍କ ପାଖରେ ସମୟ ନାହିଁ ମୋ ଲାଗି । ପିଲାମାନଙ୍କ କଥା ତ ଛାଡ଼ । ସକାଳୁ ଘରୁ ଯାଉଛନ୍ତି ଯେ ଆସୁ ଆସୁ ରାତି । ଗତ ଛଅ ମାସ ହେବ ଛୁଟିରେ ଯିବୁ ବୋଲି ପ୍ଲାନିଂ କରିଛୁ । ମଝିରେ ମଝିରେ ମୁଁ ମୋ ସ୍ୱାମୀ ଙ୍କୁ ମନେ ବି ପକେଇଦଉଛି ସେ ମୋ କଥା କାନକୁ ବି ନେଉନାହାନ୍ତି । ଆଜି ସେ କଥା କହିଲାରୁ ମତେ ଚିଲ୍ଲେଇ କହିଲେ- ଯା’ ବୁଲିକି ମରିବୁ କଉଠି ! ମୋର ତ ବିଶ୍ୱାସ ହଉନି କି ଏ ସେଇ ଲୋକ ବୋଲି ଯିଏ ମୋ ମୁଣ୍ଡଟିକେ ବିନ୍ଧିଲେ କୋଡ଼ିଏ ପ୍ରକାରର ଔଷଧ ଆଣି ଦଉଥିଲେ । ମୋ ରୂପ କାନ୍ତିର ଏମିତି ପ୍ରଶଂସା କରୁଥିଲେ ଯେମିତି ମୁଁ ଏ ଦୁନିଆରେ ଅଷ୍ଟମ ଆଶ୍ଚର୍ଯ୍ୟ । ଆଜି ମୋ ସହିତ ପଦେ କଥା ହବାକୁ ସମୟ ନାହିଁ ତାଙ୍କ ପାଖରେ । ଏ ଜୀବନ ରଖି ଆଉ ଲାଭ କଣ ? ଶଙ୍କର ଭଗବାନଙ୍କ ଆଶୀର୍ବାଦ ସ୍ୱରୂପ ପାଇଥିବା ସ୍ୱାମୀ ହିଁ ଆଜି ମୋର ଶତ୍ରୁ ! ତାଙ୍କୁ ମୁଁ ମୋ ମନର ମହେଶ କରିଥିଲି ହେଲେ ? ମହିଳା ଜଣଙ୍କ କହିଚାଲିଥିଲେ ଅନବରତ ଇଛା ନଥିଲେ ବି ବାଧ୍ୟ ହେଇ ମୁଁ ସବୁ ଶୁଣୁଥିଲି । ହରିବଂଶର ଶ୍ରୋତା ଟିଏ ପରି ।

ଆଚ୍ଛା ...ଏତେ କଥା ମୁଁ ସେଇ ପୁରୁଣା ବ୍ୟଙ୍ଗାତ୍ମକ ଶୈଳୀରେ କହିଲି । ତା ହେଲେ ଆପଣ ନିଜକୁ ମାତା ପାର୍ବତୀ ଚରିତ୍ରରେ ରଖିଛନ୍ତି । ବହୁତ ଭଲ କଥା । ମୁଁ ଶୁଣିଛି ମହାଦେବ କେଉଁ ଅନନ୍ତ କାଳରୁ ଧ୍ୟାନ ମଗ୍ନ ଆଉ ଯେତେ ଗୁଡ଼ିଏ ଫୋଟୋ ଦେଖିଛି ତାଙ୍କର ସବୁ ତଳମୁହାଁ କେବେ ମାତା ପାର୍ବତୀଙ୍କର ରୂପଚର୍ଚ୍ଚା କରିଥିବା ବି ମୁଁ ଜାଣିନି । ନିଜେ ତାଙ୍କ ଘର ସଂସାରର ଦାୟିତ୍ୱ ଘରଣୀ ହାତରେ ଟେକିଦେଇ ମଜାରେ ବସି ଧ୍ୟାନ କରୁଛନ୍ତି । କେତେ ଯୁଗର ତପସ୍ୟା ପରେ କେତେ ଶରୀର ପରେ ମାତା ତାଙ୍କୁ ସ୍ୱାମୀ ରୂପରେ ପାଇଛନ୍ତି । କଣ ଏଇ ଧ୍ୟାନରେ ବସିବା ପାଇଁ ? ଆପଣ କହୁଛନ୍ତି ଆପଣ ଜଣେ ମା ବୋଲି । ଗଜାନନଙ୍କ ଉପରେ ଯେତେବେଳେ ବିପତ୍ତି ପଡ଼ିଥିଲା ସ୍ୱୟଂ ମା ସାରା ସଂସାରକୁ ଧ୍ବଂସ କରିବାକୁ ବି ସ୍ଥୀର କରିଥିଲେ । ଆପଣ କି ମା ? ପୁଅ ଦୁଇଜଣଙ୍କୁ ଛାଡି ମରିବାକୁ ଆସିଛନ୍ତି ? ଆପଣ ମଲାପରେ କିଏ ବୁଝିବ ସେମାନଙ୍କ କଥା ? ଚାରିଜଣ ପରିବାରକୁ ସମ୍ଭାଳିବାର ସାମର୍ଥ୍ୟ ନାହିଁ । ନିଜକୁ ଜଗଜ୍ଜନନୀଙ୍କ ସହ ତୁଳନା କରୁଛନ୍ତି । ଆଚ୍ଛା କହିଲେ ଆପଣଙ୍କ ସ୍ୱାମୀ କେବେ ଆପଣଙ୍କୁ କୌଣସି କାମ କୁ ବାରଣ କରିଛନ୍ତି ? କୌଣସି ପ୍ରତିବନ୍ଧ ଅଛି ଆପଣଙ୍କ ପାଇଁ ଘରେ ? ଆଉ ଆପଣଙ୍କ ବେଶଭୁଷା ଦେଖି ଲାଗୁଛି ସେ ଆପଣଙ୍କ ଦିନଚର୍ଚ୍ଚା ରେ କୌଣସି କମି ରଖି ନାହାନ୍ତି ? ଆପଣଙ୍କ ଜାଣତରେ ତାଙ୍କର କୌଣସି ଅନୈତିକ ସମ୍ପର୍କ ଅଛିକି ? ମୁଁ ଭାବୁଛି ଅଛି ବୋଧେ ଆଉ କେହି ଆପଣଙ୍କ ସ୍ୱାମୀଙ୍କ ଜୀବନରେ ।। ଏତିକି କହିବା ମାତ୍ରେ ମହିଳା ଜଣଙ୍କ ରାଗିଯାଇ । ଚୁପ କର ମୋ ସ୍ୱାମୀଙ୍କୁ ଏତେ କଥା କହିବାକୁ ତମେ କିଏ ? ଆଛା ଭଲ କଥା ଏବେ ତ ଆପଣ ସ୍ୱର୍ଗ ମର୍ତ୍ୟ ଏକାଠି କରୁଥିଲେ ମରିବେ ବୋଲି । ମୋ ଉପରେ ଏତେ ଗରମ କାହିଁକି ମୋ କଥାରେ ଟିକେ ନରମି ଗଲେ ମହିଳାଜଣକ । ଶୁଣନ୍ତୁ ଆଜ୍ଞା ଆପଣ ନିଜେ ହିଁ ନିଜକୁ ଭଲ ପାଉନାହାନ୍ତି । ଆପଣ ନିଜେ ହିଁ ନିଜକୁ ହତାଶ କରିଛନ୍ତି । ଆପଣ ୧୦ ବର୍ଷ ତଳର ସେହି କୁଆଁରୀ ଝିଅ ଯାହାର ମନରେ କେବଳ ଜଣେ ପ୍ରେମିକ ଅଛି । ଆପଣ ପିଲା ଜନ୍ମ କରିଛନ୍ତି ହେଲେ ମା ହେଇପାରିନାହାନ୍ତି । ଆପଣ ବାହା ହେଇଛନ୍ତି କିନ୍ତୁ ସ୍ତ୍ରୀ ହେଇ ପାରିନାହାନ୍ତି । ଆପଣଙ୍କ ସ୍ୱାମୀଙ୍କ ମୁଣ୍ଡରେ କେତେ ଦାୟିତ୍ୱ ଆପଣଙ୍କ କଥା ବୁଝିବେ ପିଲାମାନଙ୍କ ଭବିଷ୍ୟତ ଚିନ୍ତାକରିବେ ଘରେ ବୁଢ଼ା ବାପା ମଧ୍ୟ । ଆଜିର ପ୍ରତିସ୍ପର୍ଦ୍ଧି ବଜାରରେ ନିଜର ବିଜନେସ ବି ବଞ୍ଚେଇ ରଖିବେ । ଆପଣଙ୍କ ସ୍ୱାମୀଙ୍କୁ ରାଗ ହେଲେ କାହାକୁ ଗାଳି କରିବେ ? ବାହାରେ ଜଣଙ୍କୁ ରଖିବେକି ? ପ୍ରେମଟା ଘରବାଲୀର ଆଉ ଗାଳି ବାହାରବାଲୀର ? ଏ ଭିତରେ ମହିଳା ଜଣଙ୍କ ପୁଣି କାନ୍ଦିବାକୁ ଲାଗିଲେ ।ବିନା ଶବ୍ଦରେ ବିନା ଚିତ୍କାରରେ ଆଖିରୁ ମୋତି ଝରେଇ ଚାଲିଥିଲେ । ଦେଖନ୍ତୁ ଆଜ୍ଞା ମତେ କ୍ଷମା କରିଦିଅନ୍ତୁ । ମୋର ଭୁଲ ହେଇଯାଇଛି । ଦୟାକରି ଆପଣ କାନ୍ଦନ୍ତୁନି । ମତେ ଟିକେ କାନ୍ଦିବାକୁ ଦିଅ ଦୟାକରି । ମୁଁ ଚୁପ ରହି ମନେ ମନେ ଠାକୁରଙ୍କୁ ଡାକୁଥାଏ ପ୍ରଭୁ ଏ ଶନିକୁ ତା ଘରକୁ ପଠେଇଦିଅ । ନିଶା ଖାଇବାକୁ ଯେମିତି ମୁଁ ବିଚଳିତ ହେଇଯାଇଥାଏ ।

କିଛି ସମୟପରେ ମହିଳା ଜଣଙ୍କ ପୁଣି କହିଲେ । ତମେ କାହିଁକି ଆସିଛ ଏଠିକି ? ତମେ କଣ ସବୁଦିନ ଆସ ଏ ପାର୍କକୁ ? ମୁଁ ଆଉ କିଛି ନ ଲୁଚେଇ ମୋର ସବୁ ସରଞ୍ଜାମ ମହିଳାଙ୍କୁ ଦେଖେଇଲି । ଗୁଳି ଆଉ ବନ୍ଧୁକ । ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହେଇଗଲେ । ଆଉ କହିଲେ ମୋ ସାନପୁଅ ନାଚ ଶିଖିବାକୁ ଯାଇଛି ଫେରିବା ସମୟ ହେଲାଣି ମୋ ସ୍ୱାମୀଙ୍କର ବି ଫେରିବା ସମୟ ହେଇଗଲାଣି । ମୁଁ ଆସୁଛି । ଆଛା ଏବେ କେତେ କଣ କହିଗଲେ । ମୋ ମୁଣ୍ଡକୁ ପୁରା ଖାଇଦେଲେ ପୁଣି ସବୁ ଆପଣଙ୍କର ବଡ଼ ଅଜବ ଲୋକ ଆପଣ ! ହଉ ଜାନ୍ତୁ ଆଜ୍ଞା । ଗଲାବେଳେ ମହିଳା ଜଣଙ୍କ କହିଗଲେ ଯଦି ଭଗବାନ ମହେଶ ଅନନ୍ତ କାଳରୁ ଧ୍ୟାନମଗ୍ନ ତ ତମେ ତାଙ୍କ ନାଁ ରେ ଏ ନିଶା କଣ ପାଇଁ ଖାଉଛ କଥାଟା ସତ ଥିଲା ମହିଳାଙ୍କର ମୁଁ ବି ଜାଣିଛି ଉତ୍ତର ଦେଲି ଆପଣ ଦିନକ ପାଇଁ ଆତ୍ମହତ୍ୟା କରିବାକୁ ଆସିଥିଲେ ଆଉ ମୁଁ ସବୁଦିନ ଆତ୍ମହତ୍ୟା କରୁଛି । କିନ୍ତୁ ତାଙ୍କ ପ୍ରଶ୍ନରେ ସେ ମତେ ଝଟକା ଦେଇଗଲେ ।

ଏମିତି କିଛିଦିନ ବିତିଗଲା । ମୋ ଚାକିରୀ ମାର୍କେଟିଂ ସମ୍ବଧୀୟ । ଦିନେ ସେହି ମହିଳା କହିଥିବା ବିଲ୍ଡିଂର ଏକ ଘରେ କାମ ପଡ଼ିଲା । ଘଣ୍ଟି ବଜାଇବାପରେ ଜଣେ ସୁନ୍ଦର ମହିଳା କବାଟ ଖୋଲିଲେ । ମତେ ଆଶ୍ଚର୍ଯ୍ୟ ହୋଇ ଚାହିଁଥାନ୍ତି ମହିଳା ଜଣକ । ମୁଁ ମୋ ପରିଚୟ ଦେଇ ଆସିବାର କାରଣ କହିଲି । ମତେ ଭିତରକୁ ଆସିବାକୁ କହି ମହିଳା ଜଣଙ୍କ ରୋଷେଇ ଘରକୁ ଚାଲିଗଲେ ଆଉ ମୁଁ ମୋ କାମରେ ବ୍ୟସ୍ତ ହେଇଗଲି । ମୋ କାମ ସରିଲା ପରେ ମହିଳା ଜଣକ ମତେ ବସିବାକୁ କହିଲେ । ଅନ୍ୟ ଘର ଅପେକ୍ଷା ଆଜି ବେସି ଚର୍ଚ୍ଚା ହେଲାପରି ଲାଗୁଥାଏ ମତେ । ଏ ସବୁ ଭିତରେ ମହିଳା ଜଣକ ହଠାତ ପ୍ରଶ୍ନ କଲେ ଆଉ ତମର ଆତ୍ମହତ୍ୟା ଚାଲିଛି ନା ବନ୍ଦ ଅଛି ? ମୁଁ ବିସ୍ମିତ ! ଭଲକରି ଥରେ ସେ ମହିଳାଙ୍କୁ ଦେଖିଲି ଏକ ଅଜବ ଚମକ ତାଙ୍କ ଆଖିରେ । ଆପଣ ? ମୁଁ ପଚାରିଲି ? ହଁ । ସେଦିନର ପୁରା ଘଟଣା ମହିଳା ଜଣକ ପୁଣି ଦୋହରେଇଲେ ମୋ ସାମନାରେ । ତାଙ୍କର ନାଁ ବି କହିଲେ । କିଛି ସମୟ ବସିବା ପରେ ମୁ ଆସିଲା ବେଳେ କହିକି ଆସିଲି ଆଜ୍ଞା ମୁଁ ବି ଆତ୍ମହତ୍ୟା କରିବା ଛାଡ଼ିଦେଇଛି । ଧନ୍ୟବାଦ ଜଣାଇଲେ ମହିଳା ଜଣକ ।

ଆଉ କେବେ ଦେଖା ହେଇନି ତାଙ୍କ ସହ । ଫେସବୁକ ରେ କେବେ କେବେ ତାଙ୍କର ଫୋଟୋ ଦେଖେ କେବେ, ସ୍ୱାମୀଙ୍କ ସହ, କେବେ ପିଲାମାନଙ୍କ ସହ ଆଉ କେବେ ପୁରା ପରିବାରର । କିନ୍ତୁ ଏବେ ଆତ୍ମହତ୍ୟା ବନ୍ଦ । ସମ୍ପୂର୍ଣ୍ଣ ।

। ଶରଣ ମାତେ ।


Rate this content
Log in

Similar oriya story from Drama