ଗଞ୍ଜା ଲଢେଇ
ଗଞ୍ଜା ଲଢେଇ
ଶୁଭନାରାୟଣ ଶତପଥୀ
ବାପାଙ୍କ ସହିତ ମେଳା ଦେଖିବାକୁ ଯାଇଥାଏ ସୁନିଲ । ମେଳାର ଗୋଟିଏ ପାଖରେ ଚାଲିଥାଏ ଗଞ୍ଜା ଲଢେଇ । ଅନେକ ଲୋକ ରୁଣ୍ଡ ହୋଇଥାନ୍ତି ସେଠାରେ । ଦୁଇ ଗଞ୍ଜାଙ୍କ ଲଢେଇ ଦେଖି କେହି ତାଳି ମାରୁଥାନ୍ତି ତ ଆଉ କେହି ନାଚିଯାଉଥାନ୍ତି । କିଛି ସମୟ ପରେ ଗୋଟିଏ ଗଞ୍ଜାକୁ ଅନ୍ୟ ଗଞ୍ଜାଟି ଖଣ୍ଡିଆଖାବରା କରିପକାଇଲା । ତା’ର ପରଗୁଡ଼ିକ ପଡିଆସାରା ଏଠି ସେଠି ହୋଇ ଉଡିବାକୁ ଲାଗିଲା । ଛଟପଟ ହୋଇ କ୍ଷତାକ୍ତ ଗଞ୍ଜାଟି ମରିଗଲା । ବଞ୍ଚିଥିବା ଗଞ୍ଜାଟିର ମାଲିକ ବିଜୟୀ ଘୋଷିତ ହୋଇ ପୁରସ୍କୃତ ହେଲେ । ସୁନିଲ୍ ଏହାଦେଖି ଖୁସି ହେଲା ସତ କିନ୍ତୁ ଗଞ୍ଜାଟି ମରିଯିବାରୁ ଦୁଃଖିତ ମଧ୍ୟ ହେଲା । ଘରକୁ ଫେରିଆସି ପରଦିନ ସ୍କୁଲ ଗଲା । ଦେଖିଲା ସ୍କୁଲ୍ ରାସ୍ତାରେ ଅନେକ ଲୋକ ରୁଣ୍ଡ ହୋଇଛନ୍ତି । ପାଖକୁ ଯାଇ ଦେଖେତ ତା’ର ସାଙ୍ଗ ଅନିଲ ସହିତ ଅନନ୍ତର ମାରପିଟ୍ ଚାଲିଛି । ସୁନିଲ ଦେଖିଲା ଦୁଇତିନିଜଣ ଲୋକ ସେମାନଙ୍କ ମାରପିଟ୍ ରୋକିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଅନ୍ୟ ଲୋକମାନେ ଏହି ଗଣ୍ଡଗୋଳର ମଜା ନେଉଛନ୍ତି । ସୁନିଲ ସଙ୍ଗେ ସଙ୍ଗେ ଅନିଲ ଓ ଅନନ୍ତର ମଝିସ୍ଥାନକୁ ଚାଲିଗଲା ଓ ବଡ଼ ପାଟିକରି କାନ୍ଦିବାକୁ ଲାଗିଲା । ଅନିଲ ଓ ଅନନ୍ତ ସୁନିଲର ଦୁଇ ସାଙ୍ଗ ହୋଇଥିବାରୁ ସଙ୍ଗେ ସଙ୍ଗେ ଦୁଇଜଣ ସୁନିଲକୁ ପଚାରିଲେ କ’ଣ ହେଲା ତୋର ? ସୁନିଲ କହିଲା ଦେଖ... ତୁମ ଦୁଇ ଜଣଙ୍କ ମାରପିଟ୍ ଦେଖି ମୋତେ ଏତେ ଦୁଃଖ ଲାଗିଲା ଯେ , ମୁଁ କାନ୍ଦିପକାଇଲି । ଆଉ ଏଠି ଯେଉଁ ଲୋକମାନେ ତୁମ ମାରପିଟ୍ରୁ ମଜା ଉଠଉଛନ୍ତି , ତାହା ମୋତେ ବେଶୀ କଷ୍ଟ ଦେଇଛି ।
ଯେମିତି ଏକଥା ଶୁଣିଛନ୍ତି ରୁଣ୍ଡ ହୋଇଥିବା ଲୋକେ ସବୁ ଯେ ଯୁଆଡେ ଚାଲିଗଲେ । ତା’ପରେ ସୁନିଲ କହିଲା... ଅନନ୍ତ ତୋର କଲମ ନେଇ ଗଲା... ଏଇ ଛୋଟ କଥାକୁ ନେଇ ତୁମେ ଦୁଇଜଣ ମାରପିଟ୍ ହେଉଛ ? ନେ ମୋର କଲମଟା... ଏହା କହି ସୁନିଲ କଲମଟିକୁ ବଢେଇଦେଲା ଅନିଲ ହାତକୁ । ଆଉ କହିଲା... ନିଜ ଭିତରେ ଝଗଡା କଲେ କାହାର କିଛି ଫାଇଦା ହୁଏ ନାହିଁ ବରଂ ତୁମେ ଅନ୍ୟମାନଙ୍କ ମଜାକ୍ର ପାତ୍ର ହେବ । ନିଜର ଭୁଲ୍ ବୁଝିପାରିଲେ ଦୁଇଜଣ । ମେଳା ଦିନର ଗଞ୍ଜା ଲଢେଇରୁ ମୁଁ ଏହା ଶିକ୍ଷା ଲାଭ କରିଛି ବୋଲି କହି ସୁନିଲ୍ ସେଦିନର ପୁରା ଘଟଣା ବର୍ଣ୍ଣନା କଲା । ଆଉ କହିଲା... ତୁମ ଦୁଇ ଜଣଙ୍କର ମାରପିଟ୍ ମୋତେ ଲାଗିଲା ତୁମେ ସେ ଗଞ୍ଜା ଦୁଇ ଜଣଙ୍କଠାରୁ କିଛି କମ୍ ନୁହଁ । ଆଉ ଦେଖଣାହାରୀ ଲୋକମାନଙ୍କୁ ଗଞ୍ଜାର ମାଲିକ ସହିତ ତୁଳନା କଲା ସୁନିଲ । କହିଲା... ଅନ୍ୟର ଦୁଃଖରେ ଏମାନେ ଖୁସି ହେଉଥିବା ବ୍ୟକ୍ତି । ଏ କଥା ଶୁଣି ସାରିବା ପରେ ଆଉ କେବେ ନିଜ ଭିତରେ ମାରପିଟ୍ ହେବେନାହିଁ ବୋଲି ଶପଥ କଲେ ତିନି ସାଙ୍ଗ । ତା’ପରେ କାନ୍ଧରେ ହାତ ପକାଇ ଚାଲିଲେ ସ୍କୁଲ୍ ଅଭିମୁଖେ । ସେହିଦିନଠାରୁ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ବା ମାରପିଟ୍ ହେବା କେହି ଦେଖି ନାହାନ୍ତି ।